Unknown

 

 

 

 

 

 

 

 

 

 

ରୋହିତର ଡାଏରୀ

(ସପ୍ତମ ପର୍ବ)

ଚିତ୍ତରଞ୍ଜନ ଦାସ

 

—ପ୍ରପତ୍ତି ମୋ’ର ବନ୍ଧୁ ଥିଲେ, ମୋ’ର ନେତା ବି ଥିଲେ । ନେତା ସବା ଆଗ ଆପଣାର ବନ୍ଧୁର ପରିଚୟରେ ହିଁ ଆପଣାକୁ ପରିଚିତ କରାଇବା, ଜୀବନରେ ବାଟଚଲାର ଇତିହାସରେ ତାହା ଏକ ଐଶ୍ଵର୍ଯ୍ୟପୂର୍ଣ୍ଣ ଅଭିନବ ବ୍ୟାପାର । ପ୍ରପତ୍ତି ମୋ’ ଭିତରେ ସେହି ଐଶ୍ଵର୍ଯ୍ୟର ପ୍ରେରଣା ଦେଇଥିଲେ ।

 

‘ରୋହିତର ଡାଏରୀ’ର ପ୍ରକାଶିତ ଭାଗଗୁଡ଼ିକୁ କେଡ଼େ ଆଗ୍ରହର ସହିତ ରୋଗଶଯ୍ୟାରେ ଅନ୍ୟମାନଙ୍କ ମୁହଁରେ ପଢ଼ାଇ ଶୁଣିଥିଲେ ଓ ମୋ’ ପାଖକୁ ଲିଖିତ କେତେ ପତ୍ରରେ ସେହି ପୁସ୍ତକଗୁଡ଼ିକରେ ସୂଚିତ ହୋଇ ଯାଉଥିବା ମୋ’ର ଆଦ୍ୟ ଚେର ଗୁଡ଼ିକୁ ଚିହ୍ନାଇ ଦେଇଥିଲେ ! ‘ଡାଏରୀ’ର ଏହି ସପ୍ତମ ଖଣ୍ଡଟିକୁ ମୁଁ ତାଙ୍କରି ଉଦ୍ଦେଶ୍ୟରେ ସମର୍ପଣ କରୁଛି ।

Image

 

୧୯୬୧

୨ । ୮ । ୬୧

 

ଆଜି ଆମର ଏଠାକୁ ରାଜ୍ୟପାଳ ଆସୁଚନ୍ତି । ନାନା ଦାସତା ଦ୍ଵାରା ଜର୍ଜର ଏହି ଦେଶରେ ରାଜ୍ୟର ରାଜ୍ୟପାଳ ମଧ୍ୟ ଦାସ ହୋଇସାରିଲେଣି । ସିଏ ସମ୍ମାନ ପାଇବାର ଦାସ ହେଲେଣି । ଚାଟୁ ବଚନର ଦାସ ହେଲେଣି, ନାନା ଅଭ୍ୟର୍ଥନା ଏବଂ ଆୟୋଜନର ଦାସ ହୋଇସାରିଲେଣି । ତାଙ୍କୁ ଆଦର ଓ ସମ୍ମାନ ଦେଖାଇବାର ଦୂଷିତ ଉତ୍ସାହରେ ଆମେ ପ୍ରକୃତରେ ଯାହା ନୋହୁ, ସେହିପରି ଏକ ଚୂନ ଧଉଳା ରୂପ ଦେଖାଇବାରେ ଲାଗି ପଡ଼ିଚୁ । ଆମ ଆୟୋଜନର କୃତ୍ରିମତା ବିଷୟରେ ହୁଏତ ରାଜ୍ୟପାଳଙ୍କ ମନ ଭିତରେ କୌଣସି ସନ୍ଦେହ ନ ଥିଲେ ମଧ୍ୟ ବାହାରେ ସିଏ ବି ନିର୍ବୋଧଙ୍କ ପରି ଆମର ସଜ୍ଜିତ ରୂପଟାକୁ ସତ୍ୟରୂପ ବୋଲି ବିଶ୍ଵାସ କରିବାକୁ ଚେଷ୍ଟା କରୁଚନ୍ତି । ମିଥ୍ୟା ଆଉ ଅନ୍ଧାରର ରାଜ୍ୟରେ ରାଜ୍ୟପାଳ ଓ ରାଜ୍ୟବାସୀ ଉଭୟେ ବେଶ୍ ଏହି ମିଥ୍ୟା ଓ ଅନ୍ଧାରଲାଗି ମଣ ହୋଇସାରିଲେଣି । ଆପଣା ଆପଣାର ଶୂନ୍ୟତା ବିଷୟରେ ଆମେ ଏତେ ଦୂର ନିଶ୍ଚିତ ହୋଇ ସାରିଲୁଣି ଏବଂ ସେଇଟାକୁ ଘୋଡ଼ାଇ ରଖିବାର ଅଭିନୟରେ ଏତେଦୂର ପାପିଷ୍ଠ ପାରଦର୍ଶିତା ହାସଲ କରି ସାରିଲୁଣି ଯେ, ମିଥ୍ୟାକୁ ହିଁ ସତ୍ୟ ବୋଲି ମାନିନେବା, ଭ୍ରଷ୍ଟଟାକୁ ବାସ୍ତବ ବୋଲି ମାନିନେବା ଆମର ସ୍ଵଭାବ ହୋଇଗଲାଣି । ମିଥ୍ୟା ଆମକୁ ଆଉ ଆଦୌ କୌଣସି ଆଘାତ କରୁନାହିଁ ।

 

୩ । ୮ । ୬୧

 

କାଲି ଦିନ ଗୋଟାକଯାକ ଗୋଟାଏ ପ୍ରକାରର ଅଦ୍ଭୁତ ବୈରାଗ୍ୟ ମୋତେ ଗ୍ରାସ କରି ରହିଥିଲା । ମନଟା ଆଦୌ କେଉଁଥିରେ ହେଲେ ଲାଗୁ ନ ଥାଏ । ଦେହଟା ମଧ୍ୟ ସବୁ କ୍ଷେତ୍ରରେ ଅସହଯୋଗ କଲାପରି ମନେ ହେଉଥାଏ । ମୁଣ୍ଡଟା ଭିତରେ ସତେ ଯେପରି କିଏ ଜାଣିଶୁଣି ଗୁମାନ କରି ଭାରି ହୋଇରହିଥାଏ । ମୁଁ ସବୁ ଦେଖୁଥାଏ, ସବୁ କରୁଥାଏ । ତଥାପି ଯେପରି ସମସ୍ତ ଜଗତ ଭିତରୁ ବଡ଼ ନିର୍ମମ ଭାବରେ ପ୍ରତ୍ୟାହୃତ ହୋଇ ରହିଥାଏ । ଏହି ଆକାଶ, ଏହି ପୃଥିବୀର ପବନ ଆଉ ଆଲୁଅ କାଲି ମୋତେ କୌଣସି ଉତ୍ସାହ ଦେଇପାରୁ ନ ଥାଏ । ସ୍ଵେଚ୍ଛାକୃତ ବୈରାଗ୍ୟ ହୋଇଥିଲେ ଅବା ମୁଁ ଏଥିରୁ କୌଣସି ଲାଭ ପାଇଥାନ୍ତି । କିନ୍ତୁ କାଲି ମୋ’ର ସମସ୍ତ କର୍ମ ଓ ସମସ୍ତ ଧ୍ୟାନକୁ ମାଡ଼ି ବସିଥିବା ଏହି ବୈରାଗ୍ୟରୁ ମୁଁ ପ୍ରକୃତରେ କୌଣସି ଲାଭ ପାଇଲି ନାହିଁ । ଖାଲି ଭାବୁଥାଏ, ଜୀବନରେ ବାରବାର ପଛକୁ ଅନାଉଥାଏ । ମୁଁ ଏହି ସଂସାରରୁ ପଳାଇ ଯିବାକୁ ଚାହେନାହିଁ । ମୁଁ ମଣିଷକୁ କୌଣସି ପ୍ରକାରେ ଫାଙ୍କି ଦେବାକୁ ଚାହେନାହିଁ । ମୁଁ ଆପଣାରି ସମସ୍ତ ଆଗ୍ରହ ଓ ଉତ୍ସାହ ଦେଇ ଏହି ସଂସାରରେ କାର୍ଯ୍ୟ କରିବାକୁ ଚାହେ । ମୋ’ର କର୍ମମୟ ଜୀବନ ହିଁ ମୋତେ ସବୁଠାରୁ ଭଲ ଲାଗେ । ବଗିଚାରେ ଘାସ ବାଛିବାଠାରୁ ଆରମ୍ଭ କରି ପିଲାଙ୍କୁ ପାଠ ପଢ଼ାଇଲା ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟରେ ମୁଁ ମନପ୍ରାଣ ଢାଳି ଦେବାକୁ ଚାହେ । ସବୁଠାରେ ହୃଦୟ ଦେବାକୁ ଚାହେ । କିନ୍ତୁ ଏଠି ମୋ’ର ସମସ୍ତ କ୍ଷେତ୍ର ଯେପରି କ୍ରମେ କେବଳ ଅକ୍ଷେତ୍ର ହିଁ ହେବାକୁ ବସିଲାଣି । ଏଠାରେ ମୋ’ଠାରୁ କେହି କାମ ଚାହୁନାହାନ୍ତି, ଏମାନେ ମୋ’ର କାମରେ ବାଧା ସୃଷ୍ଟି କରିବାକୁ ଚାହୁଛନ୍ତି । ମୁଁ କେବଳ ମାନି କରି ରହିଥାଏ, କେବଳ ବଶ୍ୟତା ସ୍ଵୀକାର କରି ରହିଥାଏ । ଏମାନେ କେବଳ ଏତିକି ଚାହାନ୍ତି । କେଉଁ କାମ ସୁନ୍ଦର ଭାବରେ ହେଲା କି ନାହିଁ, ଏ ବିଷୟରେ ଏମାନେ ସତେ ଅବା ଏକାବେଳେକେ ନିଶ୍ଚିନ୍ତ ହୋଇ ରହିବାକୁ ଚାହାନ୍ତି । ଏମାନେ କାମକୁ ଭଲ ପାଆନ୍ତିନାହିଁ, — କ୍ଷମତା ଓ ଆଳସ୍ୟକୁ ହିଁ ଶ୍ରେଷ୍ଠ ଜୀବନ ବୋଲି ମନେ କରନ୍ତି ।

 

୪ । ୮ । ୬୧

 

ଜୀବନରେ ମୋତେ ଅନେକ ଲୋକ ଭୁଲ୍‍ ବୁଝିବେ । କିନ୍ତୁ ତା’ ବୋଲି ମୁଁ ଯେପରି ସେମାନଙ୍କୁ ମନ୍ଦ ବୋଲି ନ କହେ, ମୁଁ ସେମାନଙ୍କ ପ୍ରତି ଯେପରି କୌଣସି ପ୍ରକାର ଦ୍ଵେଷ ନ କରେ-। ଆଜି ଭଗବାନଙ୍କ ପାଖରେ ଏହାହିଁ ପ୍ରାର୍ଥନା କରୁଛି । ମୋର ନିଜ ଭିତରେ ଅନେକ ଭୁଲ୍‍ ରହିଛି-। ଆପଣା ଭିତରେ ନାନା ପ୍ରକାର ଅସ୍ଥିରତା ରହିଛି । ସେହି ଭୁଲ୍ ଗୁଡ଼ିକୁ ଯିଏ ଦେଖାଇବାକୁ ଇଚ୍ଛା କରୁଚି, ସେହି ଅସ୍ଥିରତା ଗୁଡ଼ାକୁ ଯେ ଶାନ୍ତ କରିବାକୁ ଚାହୁଛି, ତାକୁ ଯେପରି ମୁଁ ସବୁବେଳେ ଆପଣାର ଜୀବନ ଭିତରକୁ ସ୍ଵାଗତ କରିଆଣେ, ତାହାକୁ ମଧ୍ୟ ଯେପରି ମୁଁ ମୋର ବନ୍ଧୁ ବୋଲି ଗ୍ରହଣ କରେ । ଯିଏ ମୋତେ ସବୁବେଳେ ବନ୍ଧୁ ବୋଲି କହୁଚି, ମୋ’ର ଆତ୍ମସମ୍ମାନକୁ ବାଧିକ ବୋଲି ଯିଏ ମୋତେ ସବୁବେଳେ ଉଚ୍ଚ କରି ଟେକି ଧରିଚି, —ସେଥିପାଇଁ ସବୁବେଳେ ଜଗି ଜଗି କଥା କହୁଚି, ଜଗି ଜଗି ବ୍ୟବହାର କରୁଚି, ସେ ମୋ’ର ଅସଲ ବନ୍ଧୁ ନୁହେଁ । କାଲି ଜଣକଠାରୁ ସେହିପରି ପ୍ରମାଣ ପାଇଲି । ସେଥିପାଇଁ ମନରେ ଭାରି ଦୁଃଖ ହେଲା । ମୋ’ର ଆପଣା ସମ୍ମାନ ବିଷୟରେ ମୁଁ କଦାପି ସଚେତ ହେବାକୁ ଚେଷ୍ଠା କରିନାହିଁ । ସବୁ ପ୍ରକାର ସମ୍ମାନ-ସଚେତନତା ଭୁଲି ମୁଁ ସବୁ ମଣିଷଙ୍କ ସାଥିରେ ଏକାଠି ବସିବାକୁ ଚେଷ୍ଟା କରିଚି । କାହାକୁ ମନ୍ଦ ବୋଲି ଫୋପାଡ଼ି ନ ଦେଇ ସବୁରି ଜୀବନରୁ ଗ୍ରହଣ କରିବାକୁ ଚେଷ୍ଠା କରିଚି ଏଥିରେ ଲାଭ ବେଶୀ କି କ୍ଷତି ବେଶୀ, ଏହା ଜାଣି ମୋ’ର ଲାଭ ନାହିଁ । କାରଣ ଏହାକୁ ମୁଁ ନୀତି ବୋଲି ମାନି ନେଇଚି ।

 

୫ । ୮ । ୬୧

 

ଯେଉଠି ମୋ’ର ମନ ଲାଗେନାହିଁ, ସେଠି ମୁଁ କିଛି କରି ପାରେନାହିଁ । ପାଟିରୁ କଥା ବାହାରେ ନାହିଁ, ମୁଣ୍ଡରେ କୌଣସି ପ୍ରକାରର ଭାବନାର କର୍ଷଣ କରିବାକୁ ମୁଁ କୌଣସି ସ୍ଥାନ ପାଏ ନାହିଁ । କୌଣସି କାମ ଲାଗି ମୋ’ର ମନ ପାଦେ ହେଲେ ଆଗଭର ହୁଏ ନାହିଁ । ଗୀତ ଗାଇବାକୁ ମନ ନଥିଲାବେଳେ ବାରବାର ଗୀତ ଗାଇବାଲାଗି ବାଧ୍ୟ କରାଗଲେ ଗୀତ ଗାଇବାକୁ ପଡ଼ୁଥିବା ମଣିଷର ଯେଉଁ ଦଶା ହୁଏ, ମୋତେ ଠିକ୍ ସେହି ଦଶା ଭୋଗିବାକୁ ପଡ଼େ । ମୋ’ ଭିତରେ କାହାକୁ ଯେ କ’ଣ ଭଲ ଲାଗେନାହିଁ, ସଂସାରରେ ବା ସମାଜରେ ରହିଥିବା ବେଳେ ମୋ’ ଭିତରେ କିଏ ଯେପରି ଆପଣାର ଭଲ ଲାଗିବା କ୍ଷେତ୍ରଟି ଖୋଜି ଖୋଜି ବୁଲୁଥାଏ ଓ ଭଲ ନଲାଗିବା କ୍ଷେତ୍ରରୁ ପଳାଇବାକୁ ଚାହୁଥାଏ, ମୁଁ ସେକଥା ମଧ୍ୟ ଭଲ କହି ପାରିବିନାହିଁ । ମୁଁ ଏତିକି କହିପାରିବି ଯେ, ଯେଉଁ କ୍ଷେତ୍ରରେ କାମ କରିବାକୁ ମୋତେ ଭଲ ଲାଗେ, ସେଠାରେ ମୁଁ ପ୍ରାଣମାନ ଢାଳି ଦେଇ କାମ କରିବା ଆରମ୍ଭ କରିଦିଏ । କେଉଁଠୁ, ମୋତେ କେତେ ପଇସା ମିଳିବ, କେଉଁଠି ରହିଲେ ମୁଁ କେତେଜଣଙ୍କ ଉପରେ ବା କେତେ ଜଣଙ୍କର ତଳେ ରହିବି, କେଉଁଠାରେ ମୋତେ କେତେ ଖାତିରି ମିଳିବ, —ଏସବୁ ମାପକାଠିରେ ମାପିବା ଏପର୍ଯ୍ୟନ୍ତ ମଧ୍ୟ ମୋ’ର ସ୍ଵଭାବଗତ ହୋଇପାରିନାହିଁ, ଏପର୍ଯ୍ୟନ୍ତ ମଧ୍ୟ ମୁଁ ଏସବୁକୁ ଆରେଇ ନେଇ ପାରିନାହିଁ । ଜୀବନରେ ଅର୍ଥର ମହତ୍ତ୍ଵ, ସ୍ଵୀକାରର ମହତ୍ତ୍ଵ ଓ କାର୍ଯ୍ୟ କରିବାର ସ୍ଵତନ୍ତ୍ରତାର ମହତ୍ତ୍ଵ ମଧ୍ୟ ମୁଁ ଅବଶ୍ୟ ସ୍ଵୀକାର କରେ । କିନ୍ତୁ ସ୍ଵତନ୍ତ୍ରତାକୁ ମୁଁ ଅପର ଉପରେ କ୍ଷମତା ବିସ୍ତାର କରିବି ସହିତ ଗୋଳାଇ ମିଶାଇ ଦିଏନାହିଁ । ସ୍ଵୀକାରକୁ ମୁଁ ଦାବୀ କରିବା ଦ୍ରବ୍ୟ ବୋଲି ନଭାବି ଆପଣା ଯୋଗ୍ୟତାର ସ୍ଵାଭାବିକ ଫଳ ବୋଲି ମାନିଥାଏ । ତେଣୁ କେବଳ ଯୋଉଠି ଭଲ ଲାଗେ, ମୁଁ ସେଇଠି ଯାଇ ପହଞ୍ଚେ ।

 

୬ । ୮ । ୬୧

 

ଅନେକେ କହୁଚନ୍ତି ଆଉ ହେବନାହିଁ । ମୁଁ କହୁଚି, ଯାହା ହେବ ତାହା କ୍ରମେ ଅତି ଆସନ୍ନ ହୋଇଆସୁଚି । ସେମାନେ କହୁଚନ୍ତି, ସଂସାର ଆଉ ମଣିଷର ଭାଗ୍ୟରେ କୌଣସି ଭଲ ଦଶା ଅଛି ବୋଲି ଆଉ ଆଦୌ ମନେ ହେଉନାହିଁ । ମୁଁ କହୁଚି, ଏହି ଦୁଃସ୍ଥିତ ଯେ ଆଉ ବେଶୀ ଦିନ ରହିବନାହିଁ, ବର୍ତ୍ତମାନର ଘୋର ଆସନ୍ତୋଷରୁ ମୁଁ ପ୍ରଧାନତଃ ତାହାରି ପୂର୍ବସୂଚନା ଅନୁଭବ କରିପାରୁଚି । ମୁଁ ଅବଶ୍ୟ ଏକଥା ଭଲ କରି ଜାଣେ ଯେ, ଏଥିଲାଗି ମୁଁ କୌଣସି ଗାଣିତିକ ପ୍ରମାଣ ହେଇପାରିବିନାହିଁ ବା କୌଣସି ସୂତ୍ର ସାହାଯ୍ୟରେ ଭବିଷ୍ୟତ ବିଷୟରେ ମୋ’ର ଦୃଷ୍ଟିକୁ ସ୍ପଷ୍ଟ ଭାବରେ ପ୍ରମାଣ କରିଦେଇପାରିବିନାହିଁ । ମୋ’ର ବିଶ୍ଵାସ ହିଁ ମୋତେ ଏପରି ଅନୁମାନ କରିବାରେ ପ୍ରବୃତ୍ତ କରାଉଚି । ମଣିଷ ଆଜି ଯେତେ ଭ୍ରାନ୍ତ ଓ ବିଚଳିତ ହୋଇପଡ଼ିଥିଲେ ମଧ୍ୟ ସେ କଦାପି ଶେଷରେ ହାରି ଯିବନାହିଁ, ଏହି ସତ୍ୟ ଉପରେ ମୋ’ର ଅତି ଦୃଢ଼ ବିଶ୍ଵାସ ରହିଚି । ବର୍ତ୍ତମାନ ଆମେ ସମସ୍ତ ଯେଉଁ ବାଟରେ ଯାଉଚୁ, ସେହି ବାଟ ସମ୍ବନ୍ଧରେ ଏକ ବିଶ୍ଵବ୍ୟାପୀ ଅସନ୍ତୋଷ ସ୍ପଷ୍ଟ ପ୍ରକଟ ହେବାକୁ ଆରମ୍ଭ କଲାଣି । ଏ ଅବାଟକୁ ଛାଡ଼ି ଆମକୁ ଯେଉଁ ବାଟରେ ଯିବାକୁ ହେବ, ସେ ବିଷୟରେ ମଧ୍ୟ ଆମର ବିଚାର ଅଧିକ ସୃଷ୍ଟ ହେବାରେ ଲାଗିଚି । କିନ୍ତୁ ପୁରୁଣା ବାଟ ଛାଡ଼ି ନୂଆ ବାଟରେ ଚାଲିବା ଲାଗି ଯେଉଁ ସାହାସ ଦରକାର, ଏପର୍ଯ୍ୟନ୍ତ ସେହି ସାହାସ ଆମର ହୋଇନାହିଁ । ସେଥିପାଇଁ ସଂସାରରେ କୋଉଠି କିଛି ହେଲା ପରି ଜଣା ଯାଉନାହିଁ ।

 

୭ । ୮ । ୬୧

 

ଗୁରୁଦେବ ରବୀନ୍ଦ୍ରନାଥଙ୍କର ତିରୋଧାନ—ଦିବସରେ ଆଜି ପାହାନ୍ତା ପାହାରରୁ ବର୍ଷା ମଙ୍ଗଳର ଉତ୍ସବ ଆରମ୍ଭ ହୋଇଯାଇଚି । ଆଜି ନିଦ ଭାଙ୍ଗିବା ପୂର୍ବରୁ କାନରେ ଆସି ବରଷାର ଶବ୍ଦ ବାଜିଚି । ସେଥିଲାଗି ପ୍ରାୟ ତିନି ଘଣ୍ଟା ପୂର୍ବରୁ ସକାଳ ହୋଇସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚାରିଆଡ଼ ଯେପରି ସ୍ଵପ୍ନ ବିଭୋର ହୋଇ ରହିଥିବା ପରି ମନେ ହେଉଚି । ମନ ଭିତରଟା ମଧ୍ୟ ଠିକ୍ ସେହିପରି ଅଧା ଆଲୁଅ ଆଉ ଅଧା ଛାଇ ଭିତରେ ନିମଗ୍ନ ହୋଇରହିଚି । ହୃଦୟ ଭିତରେ ଯେପରି କାହାର ସାକ୍ଷାତର ଆଶାରେ କେହି ଅତି ସତୃଷ୍ଣ ଓ ସ୍ଵପ୍ନନ୍ଦ ଆଖିରେ ଅନାଇ ରହିଚି । ଆଜିର ଏହି ବରଷାକୁ ମୁଁ ଶୋକର ସୂଚନା ବୋଲି କହିବି ନାହିଁ । ଏହି ସଂସାରର ଏଡ଼େବଡ଼ ପ୍ରେମିକ ଆଜି ତିଥିରେ ଦେହ ଛାଡ଼ି ଯାଇଥିଲେ, ସେହି ବିଚ୍ଛେଦର ସ୍ମରଣ କରି ଧରିତ୍ରୀ ଆଜି ଶୋକାକୁଳା ହୋଇପଡ଼ିଚି ବୋଲି ମୁଁ କଦାପି କହିବି ନାହିଁ । ରବୀନ୍ଦ୍ରନାଥଙ୍କର ବର୍ଷା କଳ୍ପନା ଭିତରେ କେବେହେଲେ କୌଣସି ଶୋକ ବା ଦୁଃଖର ବ୍ୟଞ୍ଜନା ନ ଥିଲା । ବରଷାକୁ ସେ ପ୍ରାଣଧାରାର ପ୍ରତୀକ ବୋଲି ମାନିଥିଲେ । ଝଡ଼ତୋଫାନକୁ ସେ ନୂତନ ଜୀବନର ପ୍ରତୀକ ବୋଲି ମାନିଥିଲେ । ପୁରୁଣା ଯିବ, ନୂଆ ଆସିବ,—ଏହି ବିଶ୍ଵାସରେ ଶ୍ରଦ୍ଧାନୁଭର ହୋଇ ଆମ ସମସ୍ତଙ୍କୁ ପ୍ରସ୍ତୁତ ହୋଇରହିବାକୁ ପଡ଼ିବ, —ଏହା ହିଁ ରାସ୍ତା । ଗୁରୁଦେବଙ୍କର ଯେ କୌଣସି ବର୍ଷା ସଙ୍ଗୀତ ଗାଇଲା ବେଳେ ହୃଦୟର ସମସ୍ତ ସନ୍ତାପ କ୍ରମେ ଆର୍ଦ୍ର ହୋଇଆସେ । ମୋ’ ଭିତରେ ପୁରୁଣା ଗୁଡ଼ାକ ମଧ୍ୟ ଏହି ଝଡ଼ ତୋଫାନରେ ଉଡ଼ି ପଳାଇବ, ନୂତନ ଭୂଇଁ ଉପରେ ନୂତନ ଦୃଷ୍ଟି ଓ ନୂତନ ସମର୍ପଣର ଉତ୍ସବ ଆରମ୍ଭ ହେବ । ବର୍ଷାମୟ ଆକାଶମଣ୍ଡଳକୁ ଅନାଇଲେ ମୋ’ର ସମସ୍ତ ଅସନ୍ତୋଷ ଓ ସମସ୍ତ ନୈରାଶ୍ୟ କୁଆଡ଼େ ଅପସରି ଗଲାପରି ଲାଗେ, ମୋ’ର ହୃଦୟର ଶୂନ୍ୟଗୁଡ଼ାକ ଅନେକ ବିଶ୍ଵାସ ଓ ଅନେକ ସ୍ଵୀକାରରେ ପରିପୂର୍ଣ୍ଣ ହୋଇଉଠେ । ଆଜି ଏହି ବରଷାର ଆହ୍ଵାନସ୍ପର୍ଶ ମୋ’ ଭିତରେ ରବୀନ୍ଦ୍ରନାଥଙ୍କର ବରଦ ହସ୍ତର ସ୍ପର୍ଶ ଦେଇଯାଉଚି । ମୋତେ ପୂଣ୍ୟମୟ କରିଯାଉଚି ।

 

୮ । ୮ । ୬୧

 

ଶତବାର୍ଷିକୀର ସମାରୋହ ପାଳନ କରୁ କରୁ ମୋ’ ଦେଶ ଯେପରି ରବୀନ୍ଦ୍ରନାଥଙ୍କୁ ଭୁଲି ନ ଯାଏ, ଆନୁଷ୍ଠାନିକ ଉତ୍ସବ ଭିତରେ ମୋ’ର ଦେଶ ଯେପରି ରବୀନ୍ଦ୍ର-ପ୍ରେରଣାକୁ ପାସୋରି ନ ପକାଏ । କାଲି ଶାନ୍ତିନିକେତନକୁ ମନେ ପକାଉ ପକାଉ ମୁଁ ଠିକ୍ ଏହିକଥା ଭାବୁଥିଲି । ମୋ’ ଦେଶ ବୋଇଲେ ମୁଁ କୌଣସି ସାମୂହିକ abstractionର କଳ୍ପନା କରୁନାହିଁ । ମୁଁ ପ୍ରଧାନତଃ ମୋ’ ଦେଶର ଯୁବକମାନଙ୍କର କଥାହିଁ ଭାବୁଚି । ଏହି ଶତାବ୍ଦୀର ନବ ଭାରତର ନିର୍ମାଣ ପଛରେ ଯେଉଁ ଦୁଇ ମହାପୁରୁଷଙ୍କର ସର୍ବଶ୍ରେଷ୍ଠ ଅବଦାନ ରହିଚି, ବର୍ତ୍ତମାନ ଯେପରି ସମସ୍ତ ଦେଶର ଚେତନା ଓ କାର୍ଯ୍ୟକ୍ରମରୁ ସେଇ ଦୁହିଁଙ୍କର ପ୍ରେରଣା କ୍ରମେ ନିଭ ନିଭ ଆସୁଥିଲା ପରି ମନେ ହେଉଚି । ମହାତ୍ମାଗାନ୍ଧୀ ରାଜନୀତି କ୍ଷେତ୍ରରେ ଥିଲେ । ତେଣୁ ସେ ମଲା ପରେ ତାଙ୍କ ଜୀବନର ସକଳ ସ୍ମୃତି ସାମଗ୍ରୀକୁ ଏ ଦେଶର ରାଜନୀତିବାଲାମାନେ ପଣ୍ୟ ଭାବରେ ବ୍ୟବହାର କରିବାକୁ ଆରମ୍ଭ କରିଚନ୍ତି । ରାଜନୀତି ବାହାରେ ମଣିଷର ସମଗ୍ର ଜୀବନରେ ଯେ ଗାନ୍ଧୀର କୌଣସି ଦାନ ରହିଥିଲା, ସେ କଥା ତମେ ଆମେ ଭୁଲି ଯିବାକୁ ବସିଚୁ । ରାଜନୀତିକ୍ଷେତ୍ରର ପ୍ରୟୋଜନବାଦୀ ଅଯୋଗ୍ୟ ନେତୃତ୍ଵର ହାତରେ ପଡ଼ି ଗାନ୍ଧୀ ଜୀବନର ନେତୃତ୍ଵ ଆମ ଆଖିକୁ ମଧ୍ୟ କେବଳ ସେହିପରି ଅଯୋଗ୍ୟ ମନେ ହେଉଚି ।

 

୯ । ୮ । ୬୧

 

ରବୀନ୍ଦ୍ରନାଥ ଏହି ଦେଶର ଲୋକ ଜୀବନରେ ଅଧିକ ସୌନ୍ଦର୍ଯ୍ୟ ଆଣିବାକୁ ଚାହିଥିଲେ, ଏହି ଦେଶର ଭାବନା, କାମନା ଓ କଳ୍ପନାକୁ ଅଧିକ ସୁନ୍ଦର କରିବାକୁ ଚାହିଥିଲେ, ଏହି ଦେଶର ସାମାଜିକ ସମ୍ପର୍କକୁ ଅଧିକ ମାନବିକ ଓ ସୁନ୍ଦର କରିବାକୁ ଚାହିଥିଲେ । ଜୀବନରେ କେବଳ ସାମଗ୍ରୀ ଓ ସାଧନ ବିଷୟରେ କୌଣସି ଅତିରିକ୍ତତା ବା ଅନାବଶ୍ୟକତା ରହିବନାହିଁ । ଜୀବନରୀତିରେ କୌଣସି ପ୍ରକାର କୃତ୍ରିମତା ରହିବ ନାହିଁ । ଜୀବନ ଭିତରେ କୌଣସି ପ୍ରକାର ଲଜ୍ଜା, ଦ୍ଵେଷ ବା ଭୟ ରହିବ ନାହିଁ,—କବିଗୁରୁ ରବୀନ୍ଦ୍ରନାଥ ପ୍ରଧାନତଃ ଏହାହିଁ ଚାହିଥିଲେ । ତାଙ୍କର କାବ୍ୟଠାରୁ ଆରମ୍ଭ କରି ତାଙ୍କର ଶାନ୍ତିନିକେତନ ପର୍ଯ୍ୟନ୍ତ ତାଙ୍କର ସକଳ ରଚନାରେ ହିଁ ଆମେ ତାଙ୍କଠାରୁ ଏହିସବୁ ପ୍ରେରଣା ହିଁ ପାଇଥାଉ । କିନ୍ତୁ ରବୀନ୍ଦ୍ର ପ୍ରୀତି ନାମରେ ଆଜିଏ ଦେଶରେ ଆମେ କ’ଣ ସବୁ କରୁଚୁ ? ରବୀନ୍ଦ୍ରନାଥଙ୍କର ମହାନ୍ appeal ଯେପରି ଆମର ଅଯୋଗ୍ୟ ଗ୍ରହଣ ପାତ୍ର ଭିତରକୁ ଆସି ପ୍ରଧାନତଃ ଏକ ବୁର୍ଜୁଆ ବିଳାସ-ପ୍ରୀତିରେ ପରିଣତ ହୋଇସାରିଲାଣି, ତାଙ୍କର ଆନନ୍ଦ କଳ୍ପନା ଆମର ଜୀବନ ଭିତରେ ନିର୍ମମ ଉପଭୋଗ ଭିତରେ ଆତ୍ମବିସର୍ଜନ କରି ସାରିଲାଣି । କବି ବିଚାର କରିଥିବା ନିର୍ଭୟତା ଆମର ନାନା ପ୍ରକାରେ ସନ୍ତପ୍ତ ସ୍ଵୀକାର ଲୋଭୀ ଆଠପହରି ଜୀବନ ଭିତରେ କୁଆଡ଼େ ମରି ଉଡ଼ିଯିବାକୁ ବସିଲାଣି । ଭାରତୀୟ ସଂସ୍କୃତିର ମୂଳଚେର ଗୁଡ଼ିକ ଆମର ପ୍ରସାଧନଲାଳସୀ ମନ ଭିତରେ କୋଉ ତଳେ ଛନ୍ଦି ହୋଇରହିଲାଣି । ମଣିଷକୁ ଭଲ ପାଇବାର କଠୋର ଜୀବନ ସନ୍ଦେଶ କେବଳ ଅର୍ଥକରୀ ବର୍ଗର ଆଡ଼ମ୍ବରମୟ ସାମାଜିକତାରେ ପରିଣତ ହୋଇ ସାରିଲାଣି । ରବୀନ୍ଦ୍ରନାଥଙ୍କର ସାହିତ୍ୟ, ତାଙ୍କର କବିତା ଓ ତାଙ୍କର ଶାନ୍ତିନିକେତନ ମଣିଷକୁ ବାବୁ ହେବାର ଗୁହା ଭିତରେ ବନ୍ଦ ହୋଇ ରହିବା ଲାଗି ଅଧିକ ବ୍ୟବହୃତ ହେଉଚି,—ଏଥିରୁ ସମସ୍ତ ମାନବିକତା ଓ ନିଭୟତାକୁ ନିର୍ବାତିତ କରି ଦିଆଯାଇଚି, ରବୀନ୍ଦ୍ର ପ୍ରେରଣାରେ ବିଲୟ ହେଉଚି ।

 

୧୦ । ୮ । ୬୧

 

ମୁଁ କୌଣସି ଦିନ ରବୀନ୍ଦ୍ର ସାହିତ୍ୟକୁ ବୈଠକଖାନାର ବିନୋଦନ-ପଣ୍ୟ ବୋଲି ଗ୍ରହଣ କରିନାହିଁ । ସାହିତ୍ୟକୁ ମୁଁ କୌଣସି ଦିନ ବିନୋଦନର ସାମଗ୍ରୀ ବୋଲି ଗ୍ରହଣ କରିନାହିଁ । ଅଳସ ସମୟର ବିନୋଦନ କରିବା ପାଇଁ ବା କରାଇବା ପାଇଁ ଯେଉଁମାନେ ସାହିତ୍ୟ ଲେଖନ୍ତି, ମୋ’ର ମୂଲ୍ୟମାପକରେ ମୁଁ ସେମାନଙ୍କୁ ସାହିତ୍ୟକ ବୋଲି ସ୍ଵୀକାର କରିନାହିଁ । ଦେଶ ମାନୁ ବା ନମାନୁ, ମୁଁ ରବୀନ୍ଦ୍ରନାଥଙ୍କୁ ମୋ’ ଜୀବନର ଏକ ପ୍ରଧାନ ପ୍ରେରଣା ବୋଲି ଅବଶ୍ୟ ମାନିଥିବି । ଆଧୁନିକତାର ଛଳନା କରି ଯିଏ ପୁରାତନର ଚିରନ୍ତନ ମୂଲ୍ୟଗୁଡ଼ିକ ମଧ୍ୟ ଅସ୍ଵୀକାର କରିବାର ଆଗ୍ରହ ଦେଖାଏ, ତା’ର ଶିବିରଠାରୁ ମୁଁ ସବୁବେଳେ ଦୂରରେ ରହିବାକୁ ଚେଷ୍ଟା କରିଥାଏ । ରବୀନ୍ଦ୍ରନାଥ ଆପଣା ସାହିତ୍ୟର ମାଧ୍ୟମରେ ଏକ ସୁନ୍ଦରତର ଜୀବନର ବ୍ୟାଖ୍ୟା କରିଥିଲେ, ସେହି ସୁନ୍ଦରତର ଜୀବନର ଆଭିମୁଖ୍ୟ ହେବାଲାଗି ମାର୍ଗର ସତଜା ଦେଇଥିଲେ, ଆପଣା ଅନ୍ତରର ଗଭୀରରେ ସେହି ସୁନ୍ଦରତର ଜୀବନ ଲାଗିଏକ ଆସ୍ଥାନର ଆବିଷ୍କାର କରିବା ପାଇଁ ଉଦ୍‌ବୋଧନ ଦେଇଥିଲେ । ମୋ’ ଲାଗି ପ୍ରଧାନତଃ ଏହି ସବୁ କାରଣ ସକାଶେ ରବୀନ୍ଦ୍ରନାଥ ସବୁଦିନେ ବଡ଼ ହୋଇରହିଥିବେ, ସବୁଦିନେ ଜୀବନର ପ୍ରତୀକ ହୋଇ ରହିଥିବେ ।

 

୧୧ । ୮ । ୬୧

 

ଅଗଷ୍ଟ ନଅ ଦେଉଚି, ବିପ୍ଳବର ଦିବସ । ଏହି ଦେଶର ଜନସାଧାରଣ ଲାଗି ପବିତ୍ରତମ ଦିବସ । ଅଗଷ୍ଟ ପନ୍ଦର ଯେଉଁ ସ୍ଵାଧୀନତା ପାଳନ କରିବା ଲାଗି ଆଡ଼ମ୍ବର କରେ, ତୋରଣ ସକାଏ, ସଭାର ଆୟୋଜନ କରେ, ମିଠାଇ ବାଣ୍ଟେ ଆଉ ବାଣ ମାରେ, ସେହି ସ୍ଵାଧୀନତାକୁ ଏପର୍ଯ୍ୟନ୍ତ ଏହି ଦେଶର ସ୍ଵାଧୀନତା ବୋଲି କୁହାଯାଇ ପାରିବ ନାହିଁ । ପ୍ରାଚୀନ ଗ୍ରୀକ୍ ସମାଜରେ ସଂସ୍କୃତିଭୋଜୀ ସମାଜର ଭୋଜନ ଓ ଆରାମବ୍ୟବସ୍ଥା କରିବା ଲାଗି କ୍ରୀତଦାସର ଗୋଷ୍ଠୀ ଖଞ୍ଜା ହୋଇ ରହିଥିଲେ । ଠିକ୍‍ ସେହିପରି ଆମ ଦେଶରେ ସ୍ଵାଧୀନତାର ବିଳାସବିପଣି ଚାଲିବା ଲାଗି କୁଲି, ମୁଲିଆ ଓ ଚାକରର ଗୋଷ୍ଠୀମାନ ଖଞ୍ଜା ହୋଇ ରହିଚନ୍ତି । ଏହି ବଡ଼ ଗୋଷ୍ଠୀ ଲାଗି ଏପର୍ଯ୍ୟନ୍ତ କୌଣସି ସ୍ଵାଧୀନତା ଆସିନାହିଁ । ପରାଧୀନ ଭାରତର ସମସ୍ତ ହୀନତା ଓ ଜର୍ଜରତା, ସମସ୍ତ ନିଃସ୍ଵତା ଓ ନିରାଶା ଏପର୍ଯ୍ୟନ୍ତ ସେମାନଙ୍କର ଜୀବନକୁ ବଡ଼ ନୃଶଂସ ଭାବରେ କାମୁଡ଼ିକରି ଧରି ରହିଚି । ଏହି ସୁନାଜଞ୍ଜିରକୁ ଛିଡ଼ାଇବା ଲାଗି ଆହୁରି ଏକ ବିପ୍ଳବ ଦରକାର । ଅଗଷ୍ଟ ନଅ ମୋତେ ସେହି ବିପ୍ଳବକୁ ସ୍ମରଣ କରାଇ ଦେଇଯାଏ । ଅଗଷ୍ଟ ପନ୍ଦର ମୋ’ର ସବୁ ଅସନ୍ତୋଷ ଭୁଲି ଯାହା ଚାଳିଚି ସବୁ ଭଲ ଚାଲିଚି ବୋଲି ଏକ ମିଛ ସାନ୍ତ୍ଵନା ଦେଉଥିବା ପରି ମନେହୁଏ । ଏ ଦେଶରେ ମଣିଷର ଭାଗ୍ୟ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିବା ପରି ମନେହୁଏ । ଆଜି ସଂସାରରେ ଯେଉଁ ବର୍ଗ ସୁଖଭୋଗ କରୁଚି, ଯେଉଁ ବର୍ଗ ସନ୍ତୁଷ୍ଟ ହୋଇରହିଚି, ଯେଉଁ ବର୍ଗ ଅତିରିକ୍ତତା ଓ ଆଧିକ୍ୟର ବିପଣି ବାହାର କରି ଚାଲିଚି, ସେହି ବର୍ଗର ସଂସାର ବର୍ତ୍ତମାନର ସ୍ଥିତିକୁ ହିଁ ଯଥାର୍ଥ ସ୍ଥିତି ବୋଲି କହୁଚି, ନାନାକଥା ଓ ଆଶ୍ଵାସନାର ସାନ୍ତ୍ଵନା ଦେଇ ସେ ମଣିଷକୁ ଭୋକ ଭୁଲାଇ ରଖିବାକୁ ଇଚ୍ଛା କରୁଚି । ଏହି ସ୍ଥିତିକୁ ହିଁ ସ୍ଵାଧୀନତା ବୋଲି କହୁଚି, ଏହି ସ୍ଥିତିକୁ ସ୍ଥାୟୀ କରି ରଖିବାକୁ ସେ ଯାବତୀୟ ରକ୍ଷଣଶୀଳତାର ଆଶ୍ରୟ ନେଉଚି । କିନ୍ତୁ ଏହା କି କେବେ ସମ୍ଭବ ହୋଇପାରେ ? ଅସଲ ସ୍ଵାଧୀନତା କେବଳ ଗୋଟିଏ ବର୍ଗର ସ୍ଵାଧୀନତା ନୁହେଁ, ମଣିଷ ମାତ୍ରେ ଏହା ସବୁରି ସ୍ଵାଧୀନତା ।

 

୧୨ । ୮ । ୬୧

 

ମୁଁ ମଣିଷର ଭଲ ପ୍ରବୃତ୍ତି ଉପରେ ବିଶ୍ଵାସ ରଖିଚି, ଆପଣାର ଭଲ ପ୍ରବୃତ୍ତି ଉପରେ ବିଶ୍ଵାସ ରଖିଚି; —ବର୍ତ୍ତମାନ ସଂସାରର ସମସ୍ତ ପ୍ରସାଦ ସତ୍ତ୍ୱେ ସଂସାରରେ ଭଲ ଉପୁଜିବ ବୋଲି ବିଶ୍ଵାସ ରଖିଚି । ମୋ’ର ଏହି ବିଶ୍ଵାସ ପଛରେ କେତେଦୂର ଯୁକ୍ତି ବା ଅଯୁକ୍ତି ରହିଚି, ସେକଥା ମୁଁ କହି ପାରିବିନାହିଁ । ମଣିଷର ସକଳ ଦୋଷ ସତ୍ତ୍ୱେ ତଥାପି କାହିଁକି ତା’ ଭିତରର ଭଲ ଉପରେ ବିଶ୍ଵାସ ରଖିବା ଉଚିତ, ସଂସାରରେ ସବୁଠାରେ ସବୁ ନିର୍ଭର ଓ ନିର୍ମାଣ କେବଳ ଭାଙ୍ଗି ଭାଙ୍ଗି ଯାଉଥିଲା ବେଳେ ତଥାପି ଏହି ସଂସାରରେ ଭଲ ଉପୁଜିବ ବୋଲି କାହିଁକି ବିଶ୍ଵାସ ରଖିବା ଉଚିତ, ଏହାର ପକ୍ଷ ସମର୍ଥନ କରି କହିବା ପାଇଁ ମୋ’ ପାଖରେ କୌଣସି ଯୁକ୍ତି ନାହିଁ । କିନ୍ତୁ ମୁଁ ଏତିକି କହିବି ଯେ, ଏହିପରି ଏକ ବିଶ୍ଵାସ ମୋତେ ଏପର୍ଯ୍ୟନ୍ତ ବଞ୍ଚାଇ କରିରଖିଚି । ମୋ’ ଭିତରେ ରହିଥିବା ଶୁଭବାସନା ଗୁଡ଼ିକୁ ଜୀଆଇ କରି ରହିଚି । ଏହି ବିଶ୍ଵାସ ମୋତେ ସଂସାରରେ ଆଗେଇ, ନେଉଚି, ମୋତେ କେବଳ ଏକ ଉଗ୍ର ଓ ଉଦାସୀନ ସଂଶୟବାଦୀ ବା ଶ୍ଳେଷବାଦୀ ହେବାରୁ ବଞ୍ଚାଇ କରି ରଖିଚି । ଏହି ବିଶ୍ଵାସ ମୋ’ ଭିତରେ ରହିଥିବା ଭଲକୁ ଜାଗୃତ କରି ରଖିଚି । ସଂସାରରେ ଶେଷରେ ଭଲ ଉପୁଜିବ ବୋଲି ଏହି ଦୃଢ଼, ବିଶ୍ଵାସ ମୋତେ ମଧ୍ୟ କ୍ରମେ ଭଲ ପାଇଁ ଅଧିକରୁ ଅଧିକ ପ୍ରସ୍ତୁତ କରି ଚାଲିଚି । ମୋ’ର ଦୃଷ୍ଟିରୁ ସବୁ ପ୍ରକାରର ଈର୍ଷା ଦ୍ଵେଷ ଓ ଗ୍ଲାନିକୁ ଦୂର କରାଇ ନେଉଚି । ମୋ’ର ଏହି ଅଟଳ ନିର୍ଭରକୁ ମୁଁ ଛାଡ଼ିବାକୁ ଆଦୌ ପ୍ରସ୍ତୁତ ନୁହେଁ,—ବିରୁଦ୍ଧ ପକ୍ଷର ସହସ୍ର ଯୁକ୍ତି ଶୁଣିଲେ ମଧ୍ୟ ନୁହେଁ ।

 

୧୩ । ୮ । ୬୧

 

ମୋ’ର ସମସ୍ତ ଦୁର୍ବଳତା ସତ୍ତ୍ୱେ ମୁଁ ତଥାପି ଆପଣାକୁ ଅଧିକରୁ ଅଧିକ ଯୋଗ୍ୟ ଭାବରେ ସଂସାର ଲାଗି ସମର୍ପିତ କରି ରଖିବାକୁ ଚାହେଁ । ସଂସାରଟା ଭଲ କି ମନ୍ଦ ବିଚାର କଲାବେଳେ ମୁଁ ସଂସାରରେ ଅଙ୍ଗେ ଲିଭାଇଥିବା ଲାଭ ଓ କ୍ଷତିର ହିସାବ କରି ବସେନାହିଁ । ସଂସାରରେ ସହିଥିବା ସହସ୍ର ଆଘାତ ସତ୍ତ୍ୱେ ମୁଁ ତଥାପି ସଂସାରକୁ ଈର୍ଷା କରେନାହିଁ । ବାରବାର ଅସଫଳ ହେଉଥିବା ସତ୍ତ୍ୱେ ତଥାପି ମୁଁ ନିଷ୍ଠା ସହିତ ମୋ’ର ଆପଣା ବାଟରେ ଅପ୍ରମତ୍ତ ହୋଇଯିବାକୁ ଚାହେ । କିଏ ମୋତେ କେତେଦୂର ସ୍ଵୀକାର ଦେଲା ବା ନଦେଲା, ସେହିକଥା ନେଇ ବିଶେଷ ମୁଣ୍ଡ ବଥାଇବାକୁ ମୋ’ର ବେଳ ନଥାଏ । ହୁଏତ ପ୍ରଧାନତଃ ସେଇଥିଲାଗି ମୁଁ ସଂସାରକୁ ବିଶ୍ଵାସ କରେ, ମଣିଷକୁ ବିଶ୍ଵାସ କରେ, ଆମ ସମସ୍ତଙ୍କର ଭବିଷ୍ୟତ ବିଷୟରେ ମୁଁ ପ୍ରଧାନତଃ ଆଶାବାଦୀ ହୋଇରହିଥାଏ । କାରଣ ମୁଁ ଆପଣାକୁ ବିଶ୍ଵାସ କରେ, ଆପଣାର ପାପଗୁଡ଼ାକ ଅପେକ୍ଷା ଆପଣାର ପୂଣ୍ୟ ବାସନା ସହିତ ଅଧିକ ଅନ୍ତରଙ୍ଗ ପରିଚୟ ଲାଭ କରିବାକୁ ସତତ ଚେଷ୍ଟା କରୁଥାଏ । କେବଳ ଆପଣାର ଭଣ୍ଡାରରେ ଭରତି କରି ଆପଣାକୁ ଅଧିକରୁ ଅଧିକ ସମ୍ପନ୍ନ ଓ ପ୍ରଭାବଶାଳୀ ମନେ କରିବା ଅପେକ୍ଷା ଆପଣାକୁ ନିର୍ମଳ ଭାବରେ ଦେଇ ପାରିବାଲାଗି ପ୍ରସ୍ତୁତ ହେବାକୁ ହିଁ ମୁଁ ସାର୍ଥକତର ଜୀବନ ବୋଲି ମନେକରେ । ହୁଏତ ସେଇଥି ପାଇଁ ମୋ’ର ବିଶ୍ଵାସ ମାନ ହୋଇ ଯାଏନାହିଁ । ବାହାରର ସକଳ ଅରାଜକତା ସତ୍ତ୍ୱେ ହୁଏତ ତଥାପି ମୋ’ ଭିତରେ ଗୋଟିଏ ଅବିଚ୍ଛିନ୍ନ ଜୀବନସଙ୍ଗତିର ନିର୍ଭର ମୋତେ ଆପଣାର ଏକାନ୍ତ ପଥରେ ବାଟ ଦେଖାଇ ନେଉଥାଏ ।

 

୧୪ । ୮ । ୬୧

 

ମୋ’ର ଆତ୍ମସମ୍ମାନ ଲୋଡ଼ାନାହିଁ, ମୋ’ର ପ୍ରଶଂସା ଲୋଡ଼ାନାହିଁ । ମୋ’ର ଉତ୍ତେଜିତ ମୁହୂର୍ତ୍ତର କୌଣସି ବ୍ୟବହାରରୁ ଯଦି କାହାରି ମନରେ ଏହିପରି ଏକ ସଂଶୟ ଉପସ୍ଥିତ ହୋଇଥାଏ, ତେବେ ମୁଁ ସବୁବେଳେ ତା’ ପାଖରେ ଯାଇ ଏକଥା କହିବାକୁ ପ୍ରସ୍ତୁତ ଅଛି ଯେ, ଏହା ମୋ’ର ଅସଲ ବାସନା ନୁହେଁ, ଏହା ମୋ’ର ଅସଲ ଆଗ୍ରହ ଆଦୌ ନୁହେଁ । କିନ୍ତୁ ଏହି କଥା ସ୍ଵୀକାର କରିବା ସଙ୍ଗେ ସଙ୍ଗେ ମୁଁ ଆଉ ଗୋଟିଏ କଥା ମଧ୍ୟ କହିବାକୁ ଚାହେଁ ଯେ, ମୁଁ କାହାରି ଆତ୍ମସମ୍ମାନର ଜ୍ଵାଳାକୁ ଇନ୍ଧନ ହେବାକୁ ମଧ୍ୟ କଦାପି ପ୍ରସ୍ତୁତ ହେବିନାହିଁ । ମୁଁ ମଣିଷ ହିସାବରେ ସବୁରି ପାଖରେ ଯାଇ ପହଞ୍ଚିବାକୁ ଚାହେଁ, ସବୁରି ପାଖରେ ଯାଇ କର ବାଡ଼େଇବାକୁ ଚାହେ । ଯିଏ ନିର୍ଭୟ, ଯିଏ ଆପଣାକୁ ଲାଗାଇ ରଖିବାକୁ ଭଦ୍ର ବା ଅଭଦ୍ର କୌଣସି ଆବରଣର ଆଶ୍ରୟ ନିଏନାହିଁ, ଯିଏ କାହାରି ପାଖରେ ମୁଣ୍ଡ ନୁଆଁଏନାହିଁ ବା ଅନ୍ୟ କାହାରି ମୁଣ୍ଡକୁ ଆଣି ଆପଣା ପାଖରେ ନୂଆଁଇବାର କୌଣସି ଆଗ୍ରହ ରଖେନାହିଁ, ମୁଁ ସେହି ମଣିଷ ସହିତ ମିତ୍ର ହୋଇ ରହିବାକୁ ଚାହେ । ଅନ୍ୟମାନେ ଯେ ମୋ’ର ଶତ୍ରୁ, ମୁଁ ଏକଥା କଦାପି କହିବିନାହିଁ; ତଥାପି ସେମାନଙ୍କ ପାଖରେ ସ୍ଵଭାବତଃ ନିଃଶଙ୍କ ଓ ନିଃସଙ୍କୋଚ ହୋଇ ବସି ପାରେନାହିଁ । ଗୋଟିଏ ପ୍ରକାର ତ୍ରାସ ମୋତେ ସେମାନଙ୍କଠାରୁ ଦୂରଛଡ଼ା କରି ରଖିବାକୁ ଚେଷ୍ଟାକରେ ।

 

୧୫ । ୮ । ୬୧

 

It is more a day for confessions than for festivities—କାଥୋଲିକ୍ ଧର୍ମସମାଜରେ ଏହି confessionର ପ୍ରଥା ଅନେକ ଦିନରୁ ପ୍ରଚଳିତ ହୋଇଆସୁଛି-। ସାତଦିନଯାକ ସାଧାରଣ ମଣିଷ ତା’ର ଜ୍ଞାତରେ ତଥା ଅଜ୍ଞାତରେ ନାନାପ୍ରକାରର ପାପ କରେ । ତା’ର ଗୋଡ଼ ନାନା ପ୍ରକାରେ ଖସିଯାଏ । ସପ୍ତାହରେ ଥରେ ସେଁ ପାଦ୍ରୀ ପାଖରେ ଯାଇ ଆପଣାକୃତ ସମସ୍ତ ପାପକୁ ସ୍ଵୀକାର କରି ଆସେ । ଏହାଦ୍ଵାରା ଭବିଷ୍ୟତରେ ଏପରି ପାପାତରଣ କରିବାର ପ୍ରେରଣା ସେ ଆଉ ପାଇବନାହିଁ, ଅଥବା ପାଇଲେ ଅଧିକ ଶକ୍ତିର ସହିତ ସେ ତାହାର ପ୍ରତିରୋଧ କରିପାରିବ, ପ୍ରଧାନତଃ ଏହି ଉଦ୍ଦେଶ୍ୟରେ ପ୍ରାଚୀନ ଖ୍ରୀଷ୍ଟିଆନ୍ ଧର୍ମରୀତିରେ Confessionର ପ୍ରବର୍ତ୍ତନ କରାଯାଇଥିଲା । ଆଜିକୁ ଠିକ୍ ଚଉଦ ବର୍ଷ ହେଲା ଆମେ ଏ ଦେଶରେ ରାଜନୀତିକ ସ୍ଵତନ୍ତ୍ରତା ଲାଭ କରିଚୁ; ଅର୍ଥାତ୍ ଆପଣାର ସାମାଜିକ ଜୀବନକୁ ଅଧିକ ସୁନ୍ଦର ଓ ମନୁଷ୍ୟୋଚିତ କରି ଗଢ଼ିବାର ସୁଯୋଗ ଲାଭ କରିଚୁ । ଚଉଦ ବରଷ ପରେ ଆଜି ଆମର କୀର୍ତ୍ତି ଅପେକ୍ଷା ଅପକୀର୍ତ୍ତି ଗୁଡ଼ାକ ହିଁ ଆଖି ଆଗରେ ଅଧିକ ସୃଷ୍ଟ ଓ ଜଳଜଳ ହୋଇ ଦେଖାଯାଉଚି । ଆମେ ଅପରକୁ ଦୋଷ ଦେଇ ଯେତେ ଶାନ୍ତି ପାଇବାର ଚେଷ୍ଟା କରୁଥିଲେ ହିଁ ତଥାପି ସ୍ଵୀକାର କରିବାକୁ ହେବ ଯେ ଏହି ଅପକୀର୍ତ୍ତି ଅର୍ଜନ କରିବାରେ ଆମ ସଭିଙ୍କର ଭାଗ ରହିଚି । ସ୍ଵାଧିନତାର ଛଳନା କରି ଆମେ ସମସ୍ତେ ଏ ଦେଶରେ ଚୋର ସାଜିଚୁ, ଆପଣାର ଉପଭୋଗ ଓ ଭୁରିଭୋଗରେ ବାଧା ପହଞ୍ଚିବାର ଭୟରେ ଆମେ ସମସ୍ତେ ଆମ ଚାରିପାଖରେ ହୁଏତ ଆମରି ଦ୍ଵାରା ହେଉଥିବା ଅନ୍ୟାୟ ପ୍ରତି ଆଖି ବୁଜି ଦେଇଚୁ । ଉପରେ ସ୍ଵାଧୀନ ଦେଶର ମାର୍କା ପିନ୍ଧ ଭିତରେ ଆମେ ନାନାପ୍ରକାର ସକୀର୍ଣ୍ଣତା ଓ କ୍ଷୁଦ୍ର ହୀନ ଦୋଷରେ ଜର୍ଜର ହୋଇରହିଚୁ-। ଆଜି ଏହିସବୁର ସ୍ଵୀକାର କରିବାକୁ ହେବ ।

 

୧୬ । ୮ । ୬୧

 

ସେଇ ରାତି ପହରୁ ପାଣି ବରଷିବାରେ ଲାଗିଚି । ସକାଳୁ ନିଦ ଭାଙ୍ଗିଲା ବେଳକୁ ଆଜି ମୁଁ ସର୍ବପ୍ରଥମେ ଏହି ବରଷାର ଶବ୍ଦ ହିଁ ଶୁଣିବାକୁ ପାଇଥିଲି । ଘରର ଛାତ ଉପରୁ ବରଷାର ପାଣି ଭୁଷୁଭୁଷୁ ହୋଇ ଅଜାଡ଼ି ହୋଇ ପଡ଼ୁଚି, କଦଳୀଗଛର ପ୍ରସାରିତ ହରିତାଞ୍ଚଳ ଉପରେ ପାଣି ଟୁପୁରୁ ଟୁପୁରୁ ହୋଇପଡ଼ୁଚି, ଆଜି ସକାଳର ମନ୍ଦ ସମୀରଣରେ ବରଷା ବିନ୍ଦୁର ଆଘାତ ବାଜି ସମସ୍ତ ଶୂନ୍ୟମଣ୍ଡଳ ଏକ ମଧୁର ଶବ୍ଦହିତତାରେ ପରିପୂର୍ଣ୍ଣ ହୋଇରହିଛି । ଏହି ସମସ୍ତ ଶବ୍ଦ ଏକତ୍ର ରସମ୍ମିଳିତ ହୋଇ ଆଜିର ସକାଳସମୟଟିକୁ ସତେଅବା କେଉଁ ବିଶ୍ଵବ୍ୟାସୀ ଐକତାନର ଉତ୍ସବ ସମୟରେ ପରିଣତ କରି ରଖିଛି । ଏହି ଐକତାନର ଆହାନରେ ଧ୍ଵନିତ ହୋଇ ଉଠୁଥିବା ମୋ’ର ସମସ୍ତ ହୃଦୟର ପ୍ରତିଧ୍ଵନିକୁ ମୁଁ ଆଜି ମୋ’ର ଶରୀର ଉପରେ ମଧ୍ୟ ଅନୁଭବ କରି ପାରୁଚି । ମୋ’ର ଏହି ଶରୀର ଉପରେ ଆଜି କୌଣସି ବାସନାର କୌଣସି ଚଞ୍ଚଳତା ନାହିଁ, କୌଣସି ଶୁଷ୍ଟତା ଓ ବଞ୍ଚିତତାର କୌଣସି ସନ୍ତାପ ନାହିଁ । କେଉଁ କୁଶଳ ହାତରେ ବାଣାତାର ପରି ଆଜି ଏହା ଏକ ନୀରବ ଆବେଗରେ ପ୍ରସ୍ତୁତ ହୋଇରହିବି । ହଁ, ପ୍ରସ୍ତୁତ ହୋଇରହିଚି; ଜୀବନତୀର୍ଥର ସମସ୍ତ ରେଣୁକୁ ଆପଣା ଉପରେ ବୋଳି ହୋଇ ସେ ପ୍ରସ୍ତୁତ ହୋଇରହିଚି । ମୋ’ର ଦେହ ଆଜି ଦେହର ସମସ୍ତ ବାଧା ଅତିକ୍ରମ କରି କେବଳ ମହଜୁଦ ହୋଇରହିଚି, କେବଳ ଏହି ବର୍ଷାସିକ୍ତ ଧରଣୀର ଦେହ ପରି ସିକ୍ତ ଓ ସ୍ନାତ ହୋଇ ବଞ୍ଚିରହିଚି । ତାକୁ ମଧ୍ୟ ସାଙ୍ଗରେ ନେଇ ବାଟ ଚାଲିବାକୁ ହେବ, ଅସ୍ଵୀକାର କଲେ ଆଉ ଚଳିବନାହିଁ ।

 

୧୭ । ୮ । ୬୧

 

ଶ୍ରୀ ଅରବିନ୍ଦଙ୍କୁ ମୁଁ ଶ୍ରଦ୍ଧା କରେ, ପରମ ଶ୍ରଦ୍ଧା ସହିତ ମୁଁ ତାଙ୍କର ଲିଖିତ ଛାତ୍ରଗୁଡ଼ିକର ଅଧ୍ୟୟନ କରେ, ତାଙ୍କୁ ମୁଁ ଆଧୁନିକ ଭାରତୀୟ ଧର୍ମବିଚାରର ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟାଖ୍ୟାକାର ବୋଲି ସ୍ଵୀକାର କରେ । କିନ୍ତୁ ସେ ଠାକୁର ବୋଲି ମାନିବା ଲାଗି ମୁଁ କଦାପି ରାଜି ହୋଇପାରେନାହିଁ । ତାଙ୍କର ଧର୍ମବିଚାର ମୋତେ ଆତ୍ମଗତ ପଥରେ ଗତି କରିବାକୁ ସବୁବେଳେ ଅନେକ ପ୍ରେରଣା ହୋଇଥାଏ, କିନ୍ତୁ ତାଙ୍କର ଶରଣାର୍ତ୍ତ ଭକ୍ତମାନେ ଯେତେବେଳେ ତାଙ୍କୁ ନେଇ Theology ବଖାଣି ବସନ୍ତି, ଅମୁକ ବରଷର ଅମୁକ ତାରିଖଠାରୁ ସଂସାରରେ ଅତିମାନସର ଉଦୟ ବା ଅବତରଣ ହୋଇଚି ବୋଲି ଦମ୍ଭର ସହିତ ପ୍ରମାଣ କରିବାକୁ ବସନ୍ତି, ସେତେବେଳେ ମୁଁ ସେମାନଙ୍କ ସହିତ ବେଶୀଦୂର ଆଗେଇ ପାରେନାହିଁ । ସେପରି ଏକ ଭଗବତ୍ କୃପା ଉପରେ ଯେଉଁମାନେ ସକଳ ବିନୟ ସହକାର ବିଶ୍ଵାସ କରନ୍ତି, ସେମାନଙ୍କର ବିଶ୍ଵାସକୁ ମୁଁ ଅବଶ୍ୟ ଶ୍ରଦ୍ଧା କରେ । କିନ୍ତୁ, ଯେତେବେଳେ ସେହି ବିଚାରକୁ ବୀଜମନ୍ତ୍ର କରି ବିଚାରଦିକ୍ଷାର crusade ଲଢ଼ିବାର ଫିକର କରାଯାଏ, ଧର୍ମର ଶାସନରେ ମୁଁ ତାହାକୁ ଅବିଚାର ଓ ଅନ୍ୟାୟ ବୋଲି ହିଁ ମନେ କରିଥାଏ । ପଣ୍ଡିଚେରୀ ଆଶ୍ରମରେ ଦେଖିଚି, ଅନେକ ନିଷ୍ଠାପର ସାଧକ ଶ୍ରୀ ଅରବିନ୍ଦଙ୍କର ପାଦ ଦୁଇଟିର ଛବିକୁ କାନ୍ଥରେ ଝୁଲାଇ ରଖିଛନ୍ତି, ମନ ଭିତରେ ତାହାରି ପିତୁଳା ବସାଇ ପୂଜା କରୁଚନ୍ତି-। ସେମାନଙ୍କର ସାଧନା ବିଷୟରେ ମୋ’ର କିଛି କହିବାର ନାହିଁ । କିନ୍ତୁ ସାଧନାର ପର୍ବ ଭିତରେ ଏହି ପୌତ୍ତଳିକତାର ଦୁରାଗ୍ରହ ଦେଖିଲେ ହଠାତ୍ ମୋ’ର ମନ ଯେପରି ସେଠାରୁ ଛାଡ଼ି ଛାଡ଼ି ଗଲାପରି ଲାଗେ, ମୋ’ର ମନ ନିରାଶ ହୋଇ ପଳାଇଯାଏ ।

 

୧୮ । ୮ । ୬୧

 

ମୋ’ର ଚାରିପାଖରେ ବର୍ତ୍ତମାନ ଢ଼ୁ’ ଢ଼ୁ’ ହୋଇ ବରଷାପାଣି ଅଜାଡ଼ି ହୋଇପଡ଼ୁଚି । ପାଣିର ଏହି ପଡ଼ିବା ଶବ୍ଦ ଆଜି ସକାଳର ଶାନ୍ତିଭଙ୍ଗ କରୁଚି, କିନ୍ତୁ ଅନ୍ତରର ଧ୍ୟାନଭଙ୍ଗ କରି ପାରୁନାହିଁ । ବରଷାର ଏହି ବ୍ୟାପ୍ତି ଭିତରକୁ ମୁଁ ଯେତିକି ଦୂରକୁ ଅନାଇ ଦେଖୁଚି, ମୋ’ର ମନ ଭିତରଟା ମୋତେ ସେତିକି ପିଲାର ମନ ପରି ଲାଗୁଚି । ଏକାନ୍ତ, ଚକିତ ଓ ବିସ୍ମିତ ହୋଇ ଏହିପରି ଅନାଇ ରହିବାକୁ ଆଜି ଆଦୌ ପରିଶ୍ରମ କରିବାକୁ ପଡ଼ୁନାହିଁ, ମନର ସବୁ’ ଗୋଡ଼କୁ କୌଣସି ପ୍ରକାରେ ଦଉଡ଼ିରେ ବାନ୍ଧ ରଖିବାଲାଗି ଆଜି କୌଣସି ପ୍ରକାରର ଆବଶ୍ୟକତା ନାହିଁ । ଆଜି ମୋ’ର ସମସ୍ତ ମନ ସୁଦୂରର ସେହି ରହସ୍ୟ ସିଂହାସନ ପାଖରେ ଯାଇ ଅତି ସ୍ଵାଭାବିକ ଭାବରେ ବସିଯାଉଚି । ତାହାରି ଗଭୀର ଭିତରେ ଆଜି ସ୍ଵାଭାବିକ ଭାବରେ ଯାଇ ନିଗମ୍ନ ହୋଇରହୁଚି । ଭିତରେ ସବୁ ବୟସର ସବୁ ବାଧା ଅତିକ୍ରମ କରି କେଉଁ ବାଳକ ତାର ଆଖିର ଆକୃତି ଦ୍ଵାରା କହିଯାଉଚି, ଏହି ରହସ୍ୟ ମୋତେ ଭେଦ କରିବାକୁ ହେବ । ଶତ୍ରୁଦୁର୍ଗ ପରି ଜୟ କରିବାକୁ ହେବନାହିଁ । ଏହାରି ଭିତରେ ମୋତେ ଆପଣାର ନୀଡ଼ର ସନ୍ଧାନ କରି ମନେ ହେଉଚି ।

 

୧୯ । ୮ । ୬୧

 

ଅମରାବତୀ ପାଖରେ ଥିବା ଚିଖଲଧାରା ଶୈଳନିବାସ ଯାଇଥିବା ବେଳେ ସେଠାରେ ଗୋଟିଏ ଜଙ୍ଗଲ ଫୁଲ ଭାରି ଆକର୍ଷକ ମନେ ହୋଇଥିଲା । ଲତାରେ ନୂଆ ନୂଆ ଫୁଲ ଫୁଟୁଥାଏ । ତେଣୁ ମଞ୍ଜି ପାକଳ ହୋଇନଥାଏ । ତଥାପି ଭାରି ଇଚ୍ଛା ହେଲା , ଏଥିରୁ ମଞ୍ଜି ସାଙ୍ଗରେ ନେଇ ଯିବାକୁ ହେବ । ମନର ସରାଗରେ ସେଦିନ ବେଶ୍‍ ଘଣ୍ଟାଏ କାଳ ଏହି ମଞ୍ଜି ଖୋଜି ବୁଲିଚି । ଖୋଜି ଖୋଜି ଗୋଟିଏ ଲତାରୁ ମୁଁ ମାତ୍ର ଚାରୋଟି ମଞ୍ଜି ସଂଗ୍ରହ କରି ପାରିଥିଲି । ସେତେବେଳେ ଶୀତଦିନ ହୋଇଥାଏ, ତଥାପି ଏଠାରେ ଆସି ପହଞ୍ଚିବା ମାତ୍ରକେ ଗୋଟିଏ କୁଣ୍ଡରେ ତିନୋଟି ମଞ୍ଜି ଲଗାଇଦେଲି, ଅଧୀର ମନର ଆଉ ଧୈର୍ଯ୍ୟ ରହିଲା ନାହିଁ। କିନ୍ତୁ ସେହି ଦାରୁଣ ଶୀତରେ ଛୋଟିଆ ମଞ୍ଜିଟି ଆଉ କିପରି ଉଧେଇ ପାରିଥାନ୍ତା? ତିନୋଟିଯାକ ମଞ୍ଜି ଗଜା ହେଲା, କିନ୍ତୁ ସେହି ଗଜାରୁ ହିଁ କାଲୁଆ ହୋଇ ମରିଗଲା । ବରଷାଦିନକୁ ଲଗାଇବା ପାଇଁ ମୋ’ ପାଖରେ ଆଉ ଗୋଟିଏ ମାତ୍ର ମଞ୍ଜି ବାକୀ ରହିଥାଏ । ମନରେ ଭାରି ଦୁଃଖ ହୋଇଥିଲେ ମଧ୍ୟ ତଥାପି ଭାରି ଆଶା ରହିଥାଏ । ଏଥର ଛୁଟୀ ପରେ ଘରୁ ଆସି ମୁଁ ପୁଣି ସେହି ସର୍ବଶେଷ ମଞ୍ଜିଟି ଲଗାଇଲି ଓ ଅତ୍ୟନ୍ତ ଆଗ୍ରହ ସହକାରେ ତାହାର ବିକାଶ ନିରୀକ୍ଷଣ କରିବାକୁ ଲାଗିଲି । ପ୍ରାୟ ସପ୍ତାହକ ପରେ ମଞ୍ଜିଟିରୁ ଗଛ ହେଲା; କିନ୍ତୁ ଚାରିପତର ହେଉ ନହେଉଣୁ ଉପର ପତର ଶୁଖି ଶୁଖି ଆସିଲା । ଦିନେ ସନ୍ଧ୍ୟାବେଳେ ଘରକୁ ଆସି ମୁଁ କେବଳ ଥୁଣ୍ଟା ଡାଙ୍ଗଟି ବ୍ୟତୀତ ଗଛରେ ଆଉ କିଛି ଦେଖିବାକୁ ପାଇଲିନାହିଁ । ସେଦିନ ଭାରି ନିରାଶ ଲାଗିଲା, ମନ ଭିତରେ ସେହି ଗଛଟିର କଳ୍ପନା ମୋ’ର ସମସ୍ତ ଧ୍ୟାନ-କ୍ଷେତ୍ରକୁ ମାଡ଼ିବସି ରହିଲା । ତା’ପରେ ତିନି ଚାରିଦିନ ପରେ ଦେଖିଲି ଥୁଣ୍ଟା ଡାଙ୍ଗରେ ସବୁଜ ପତରଗଜା ବାହାରିଚି । ସେହି ଗଜା ବର୍ତ୍ତମାନ ହେଲାଣି, ସେଥିରେ ସାତ ଆଠୋଟି ପତର ହେଲାଣି, ଲଟାଇବାର ସୂଚନା ମଧ୍ୟ ମିଳିଲାଣି । ଅନେକ ଦୂରରେ ହରାଇଥିବା ବନ୍ଧୁକୁ ପୁଣି ପାଇଥିବା ପରି ମନେହେଉଚି, ସୁଦୂର ଅମରାବତୀର ସେହି ଶୈଳନିବାସୀର ସକଳ ଶୋଭା ହେତୁ ସେହି ପାତର କେତୋଟି ଭିତରେ ଫୁଟି ଉଠୁଚି ।

 

୨୦ । ୮ । ୬୧

 

ହେ ଭଗବାନ, ମୋ’ର ଏକୁଟିଆବେଳରେ ତୁମେ ମୋ’ର ସାଥୀ ହୋଇଆସ । ଆପଣା ନିଃସଙ୍ଗତାର ଉତ୍‌ପୀଡ଼ନରେ ଆତୁର ହୋଇପଡ଼ିଥିଲା ବେଳେ ତୁମେ ମୋ’ର ବନ୍ଧୁ ହୋଇଆସ । ତୁମକୁ ମୁଁ ଆଉ କୌଣସି ପ୍ରକାରେ ଡାକି ପାରୁନାହିଁ । ଆଉ କୌଣସି ପ୍ରକାରେ ଡାକିବାକୁ ମଧ୍ୟ ମନ ବଳାଇନାହିଁ । ତୁମେ ସଂସାରର ରାଜା, ସାରା ସଂସାରର ସକଳ ବିଧାନର ବିଧାୟକ ତୁମେ । ତୁମେ ପାପିର ପରିତ୍ରାଣ କରାଅ, ପୁଣ୍ୟବାନକୁ ନେଇ ପାରୁଶରେ ବସାଅ, ଦୁଷ୍କୃତକୁ ଦଣ୍ଡ ଦିଅ । ତୁମ ବିଷୟରେ ଏହି ସବୁ ବର୍ଣ୍ଣନା ମୁଁ ଅନେକ ପଢ଼ିଚି । ବୁଝିବାକୁ ଚେଷ୍ଟା କରିଚି । ହୁଏତ ସତ୍ୟ ବୋଲି ଗ୍ରହଣ କରିବାକୁ ଚେଷ୍ଟା ମଧ୍ୟ କରିଚି । କିନ୍ତୁ ମୁଁ ଯେତେବେଳେ ତୁମକୁ ଡାକିବାର ଚେଷ୍ଟା କରିଚି, କୌଣସି ଶବ୍ଦ ଦେଇ ତୁମକୁ ଡାକିବା ପୂର୍ବରୁ ଯେଉଁ ସାଥୀ ଉଦ୍ଦେଶ୍ୟରେ ମୋ’ର ଦୁଇ ହାତ ଯେପରି ପୂର୍ଣ୍ଣପ୍ରସାରିତ ହୋଇଯାଇଚି । ସେହିପରି ଜଣେ ସାଥୀର ହାତ ଧରିବାକୁ ଯେପରି ହୃଦୟ ପ୍ରସାରିତ ହୋଇଯାଇଚି । ଆଜି ଭାରି ଏକୁଟିଆ ଲାଗୁଚି, ଆପଣା ଜୀବନରେ ଏକୁଟିଆ ଲାଗୁଚି । ସଂସାର ଭିତରେ ଏକୁଟିଆ ଲାଗୁଚି, ମଣିଷ ମେଳରେ ରହି ଆଜି ତଥାପି ଭାରି ଏକୁଟିଆ ଲାଗୁଚି । ମୋ’ର ଜଣେ ସାଥୀ ଦରକାର, ହୃଦୟର ନିର୍ଭର ଦରକାର, ମୋ’ର ତୁମକୁ ହିଁ ଦରକାର ।

 

୨୧ । ୮ । ୬୧

 

କାଲି ରାତି ଏଗାରଟା ସମୟରେ ଧାରାବରଷାର ଶବ୍ଦ ଶୁଣୁ ଶୁଣୁ ମୋତେ କେତେବେଳେ ଯେ ନିଦ ଲାଗିଗଲା, ମୁଁ ସେକଥା ଆଦୌ ଜାଣି ପାରିଲିନାହିଁ । ନିଦ ଆସିବା ଲାଗି କାଲି ଆଉ କୌଣସି ପରିଶ୍ରମ କରିବାକୁ ପଡ଼ିଲାନାହିଁ । ଭଗବାନଙ୍କର ନାମ ସ୍ମରଣ କରି ମନକୁ ଶାନ୍ତ କରିବାର କୌଣସି ଚେଷ୍ଟା କରିବାକୁ ପଡ଼ିଲାନାହିଁ । ଶୋଇବା ଲାଗି କୌଣସି ପ୍ରକାର ବାତାବରଣ ତିଆରି କରିବାକୁ ପଡ଼ିଲା ନାହିଁ । କାରଣ ବାତାବରଣ ତିଆରି ହୋଇ ରହିଥିଲା । ମଣିଷ ଆଉ ପ୍ରକୃତି ଭିତରେ ସେତେବେଳେ ଏହିପରି ମେଳ ରହିଥାଏ, ସେତେବେଳେ ଜୀବନର ଅନେକ ସମସ୍ୟା ଆପେ ଆପେ ସମାହିତ ହୋଇଯାଏ । ଆଲୁଅ ଆଉ ଅନ୍ଧାର ସହିତ ଏକାତ୍ମ ହୋଇ ସେତେବେଳେ ଆପଣାକୁ ଗୋଟାସୁଦ୍ଧା କେଉଁ ମହାନ୍ ପିତାର ସ୍ନେହମୟ ଆଖି ପାଖରେ ସମର୍ପଣ କରି ଦେବାପରି ମନେ ହୁଏ । ଆଲୁଆ ଆଉ ଅନ୍ଧାର ଭିତରେ ଆଉ କୌଣସି ମନୋଗତ ଦ୍ଵନ୍ଦ ଚାହେ ନାହିଁ । ଆଲୁଆ ଭଲ ଲାଗେ । ପୁଣି ଅନ୍ଧାର ମଧ୍ୟ ଭଲ ଲାଗେ । ଆପଣା ଭିତରେ ନାନା ପରାଶ କାହାର ହାତ ବାଜି ଅପସରି ଗଲାପରି ମନେହୁଏ । ସେଇଥିପାଇଁ କାଲି ବରଷାର ଗର୍ଜନ ଶବ୍ଦ ମୋ’ର କାନ ପାଖରେ ସଙ୍ଗୀତ ସୃଷ୍ଟି କରୁଥିବା ପରି ଲାଗୁଥିଲା । ଅନ୍ଧାର ଘରର କେବଳ ଗୋଟିଏ କଣରେ ରାସ୍ତା ଉପରେ ଉପରେ ଜଳୁଥିବା ବିଜୁଳି ଆଲୁଅ ଝରକା ବାଟ ଦେଇ ବଞ୍ଚିହୋଇ ପଡ଼ୁଥିଲା । ଅନ୍ଧାରର କପାଳ ଉପରେ ସେହି ଆଲୁଅଟୀକାକୁ ମନ ପୂରାଇ ଦେଖୁ ଦେଖୁ ମୁଁ ସେ କେଡ଼େ ଚଞ୍ଚଳ ଶୋଇପଡ଼ିଲି ସେକଥା ଆପେ ମଧ୍ୟ ଜାଣି ପାରିଲିନାହିଁ । ସବୁଦିନେ ଏହି ବିଶ୍ଵପ୍ରକୃତି ସହିତ ମୋ’ର ଏହିପରି ଡୋର ବନ୍ଧ ହୋଇ ରହିଥାଉ,— ସକାଳେ ଉଠିବା ବେଳକୁ ମୋ’ର ମନଭିତରୁ ଏହି ମନାସ ଆପେ ଆପେ ବାହାରି ଆସିଲା । ସତେଅବା ମୋ’ ଭିତରର କେଉଁ ପ୍ରସନ୍ନ ବନ୍ଧୁ ବାହାର କେଉଁ ବନ୍ଧୁ ପାଖରେ ଆଲିଅଳି ହୋଇ କ’ଣ କହୁଥିଲା ।

 

୨୨ । ୮ । ୬୧

 

ପ୍ରଶଂସା ବା ନିନ୍ଦା ପାଇ ମୁଁ କାହାରିଠାରୁ ଦୂରକୁ ଚାଲିଯିବାକୁ ଚାହେ ନାହିଁ । ସମସ୍ତଙ୍କ ସାଥୀ ହୋଇ ମୁଁ ସମସ୍ତଙ୍କର ପାଖେପାଖେ ରହିବାକୁ ଚାହେଁ, ସମସ୍ତଙ୍କ ସହିତ ମୁଁ ଏକତ୍ର ବାଟ ଚାଲିବାକୁ ଚାହେ । ମୁଁ ଶିକ୍ଷକ, ତଥାପି ଛାତ୍ର ମନରେ କୌଣସି ପ୍ରକାର ତ୍ରାସ ବା ଭାବପ୍ରବଣତା ସୃଷ୍ଟି କରେ ମୁଁ ଛାତ୍ରଠାରୁ ଦୂରରେ ରହିବାକୁ ଚାହେନାହିଁ । ଛାତ୍ର ଭିତରେ ପ୍ରଚ୍ଛନ୍ନ ଅଥଚ ପ୍ରସ୍ତୁତ ହୋଇରହିଥିବା ବର୍ଦ୍ଧିଷ୍ଟ ଓ ବିକାଶମାନ ମଣିଷର ମୁଁ ନିରନ୍ତର ସାଥୀ ହୋଇ ରହିବାକୁ ଚାହେ । ସେଥିଲାଗି ଛାତ୍ରକୁ ଆପଣାର ପାଖରେ ପାଇଲାବେଳେ ମୋ’ଭିତରେ ରହିଥିବା ଛାତ୍ର ପୁଣି ଜାଗୃତ ହୋଇଉଠିଲା ପରି ମନେହୁଏ, ନବୀନର ସଙ୍ଗଲାଭ କରି ମୋ’ଭିତରର ପ୍ରବୀଣ ଛାତ୍ର ପୁଣି ଆପଣାର ନବୀନତା ଅନୁଭବ କରିବାକୁ ଆରମ୍ଭ କରେ । ସମ୍ମୁଖରେ ପଡ଼ିଥିବା ବାଟ ଆହୁରି ସମ୍ମୁଖକୁ ପ୍ରଲମ୍ବିତ ହୋଇ ଚାଲିଯାଏ, ଖୋଜିବାର ମନ ଆହୁରି ଖୋଜିବା ଲାଗି ସଜବାଜ ହୋଇବସେ, ପାଇଥିବାର ମନ ଆହୁରି ଅନେକ ଅପ୍ରାପ୍ତ ଗଭୀରକୁ ପହଞ୍ଚିବାର ଆୟୋଜନ କରିବାରେ ଲାଗିଯାଏ । ତାରୁଣ୍ୟର ସ୍ପର୍ଶ ପାଇ ମୋ’ ବିଚାରର ସକଳ ପ୍ରକାର finality ଓ certainty ହଠାତ୍ ବଡ଼ ସଂଶୟସମାଚ୍ଛନ୍ନ ବୋଲି ମନେହୁଏ, ଆହୁରି ବୁଝିବାକୁ ଓ ଆହୁରି ଅନୁଭବ କରିବାକୁ ମୋତେ ଆକୁଳ କରିପକାଏ । ତେଣୁ ମୋ’ ଭିତରର ଶିକ୍ଷକ ସେହିପରି ତରୁଣ ଛାତ୍ରର ସତତ ତଲାଶ କରି ବୁଲୁଥାଏ ।

 

୨୩ । ୮ । ୬୧

 

ତେଣେ ଖବର କାଗଜ ସବୁଦିନେ ଷଡ଼ଯନ୍ତ୍ର କଲାପରି କହୁଚି, ସଂସାରରେ ଯୁଦ୍ଧ ଚାଲିଯିବାକୁ ଆଉ ଆଦୌ ବେଶୀ ଡେରି ନାହିଁ । ଦୁଇ ପକ୍ଷ ସଜବାଜ ହୋଇରହିଲେଣି, ଶାନ୍ତିରକ୍ଷାକୁ ନିମିତ୍ତମାତ୍ର କରି ଦୁଇ ପକ୍ଷ ଆପଣାର ଯୁଦ୍ଧର ସାଜଗୁଡ଼ିକୁ ଆଣି ଯୁଦ୍ଧକ୍ଷେତ୍ରରେ ଜମା କରିବାକୁ ଆରମ୍ଭ କଲେଣି । ଏଥର ଯେଉଁ ଯୁଦ୍ଧ ଲାଗିବ, ତାହା ସେ ଅତ୍ୟନ୍ତ ଅଦ୍ଭୁତପୂର୍ବ ଭାବରେ ଭୟାବହ ହେବ, ଆଧୁନିକ ବିଜ୍ଞାନ ମଧ୍ୟ ତାହାର ସାଫ୍ ସାଫ୍ ପ୍ରମାଣ ଦେଇଯାଉଚି । ତଥାପି ମୋ’ର ହୃଦୟ କହୁଚି, ଏହି ସ୍ଥିତିରେ ତୁ ଭୟ କରନା, ଆପଣାର ବିଶ୍ଵାସ ଗୁଡ଼ିକୁ ଫିଙ୍ଗି ଦେନା, —ତଥାପି ଯେପରି ସଂସାରରେ କିଛି ହୋଇନାହିଁ, ତୁ ସେହିପରି ଆପଣାର ଜୀବନ ବଞ୍ଚିବାକୁ ସବୁବେଳେ ଚେଷ୍ଟା କରୁଥା । ସଂସାରରେ ଭଲ ଏପର୍ଯ୍ୟନ୍ତ ଜୀଇକରି ରହିଚି, ଶୁଭବାସନା ଏପର୍ଯ୍ୟନ୍ତ ଜୀଇକରି ରହିଚି, ମୋ’ ଆପଣା ହୃଦୟ ଭିତରେ ମଧ୍ୟ ଏହି ଭଲ ଓ ଶୁଭବାସନା ଏପର୍ଯ୍ୟନ୍ତ ଜୀଇକରି ରହିଥିବାର ପ୍ରମାଣ ମୁଁ ବାରବାର ପାଉଚି । ତେଣୁ, କୌଣସି ପ୍ରକାରର ତ୍ରାସ, ସଂଶୟ ବା ପ୍ରମତ୍ତତା ଯେପରି ମୋ’ ଭିତରେ ସେଗୁଡ଼ିକୁ ମାରି ଲୋପ କରି ଦେବାକୁ କୌଣସି ଚକ୍ରାନ୍ତ କରି ନବ ସେ । ଜୀବନଟା ବଜାର ନୁହେଁ ଯେ ମୁଁ ଏଠି କେବଳ ବୁଦ୍ଧି ଖରଚ କରି ଲାଭକ୍ଷତିର ହିସାବ କରି ବସିବି । ସଂସାରର ଅଧିକ ଲୋକ ବାହାରକୁ ଦେଖିବାରେ ଗୋଟାଏ ପାଖରେ ଯାଇ ରହିଲେଣି ବୋଲି ଏକ ନିର୍ବୋଧ ଉତ୍ସାହର ବଶବର୍ତ୍ତୀ ହୋଇ ମୁଁ ମଧ୍ୟ ମୋ’ର ହୃଦୟକୁ ଅସ୍ଵୀକାର କରି ସେଇ ପାଖକୁ ଡେଇଁ ପଡ଼ିଲେ ତାହା କେବଳ ନିର୍ବୋଧତା ହିଁ ଦେବ । ନା, ମୁଁ ମୋର ବାଟରେ ମୋର ଜୀବନକୁ ବଞ୍ଚି ଯାଉଥିବି ।

 

୨୪ । ୮ । ୬୧

 

ସଂସାରର ସଦାଆନ୍ଦୋଳିତ ପରିସ୍ଥିତି ପାଖରେ ମୋ’ର ବିଶ୍ଵାସ ସଦା-ପରିବର୍ତ୍ତନ ପ୍ରସ୍ତୁତ ଶରଣାର୍ଥୀ ହୋଇ ରହିବନାହିଁ । ସଂସାରର ସଦାଚଞ୍ଚଳ ପରିସ୍ଥିତି ସତ୍ତ୍ୱେ ମୋ’ର ନିଶ୍ଵାସ ତଥାପି ଆପଣାର ବାଟ ଖୋଜି ବାହାର କରିନେବ ଓ ସେହି ବାଟରେ ଯିବାର ଚେଷ୍ଟା କରୁଥିବ । ଯେଉଁମାନେ କହନ୍ତି ଯେ, ଜଣେ ମଣିଷ କଦାପି ସଂସାରର ଗତିକୁ ବଦଳାଇ ପାରିବନାହିଁ, ସେମାନଙ୍କର ମତ ସହିତ ମତ ଦେବାକୁ ମୁଁ ପ୍ରସ୍ତୁତ ଅଛି । କିନ୍ତୁ ଯେତେବେଳେ ସେମାନେ କହନ୍ତି ଯେ ସେହି ଶକ୍ତିହୀନତାର କାରଣରୁ ଆପଣାର ସମସ୍ତ ଇଚ୍ଛା ଓ ବିଶ୍ଵାସକୁ ବିସର୍ଜନ ଦେଇ କେବଳ ସେହି ଗତିକୁ ମାନିନେବାକୁ ପଡ଼ିବ ଓ ସେହି ଗତିର ସୁଅରେ ଖାଲି କୁଟାଖିଅକ ପରି ବଡ଼ ଦାୟିତ୍ଵବିସ୍ତୃତ ଭାବରେ ଭାସିଯିବାକୁ ପଡ଼ିବ, ସେମାନଙ୍କ ସହିତ ମୁଁ କଦାପି ଏକମତ ହୋଇ ପାରିବି ନାହିଁ । କାରଣ ମୁଁ ଜାଣେ ଯେ ସଂସାର ଯୋଉ ବାଟରେ ବଦଳୁଚି ବା ବଦଳିବ, ସେହି ବାଟ ବ୍ୟକ୍ତି ହିଁ ଠିକ୍ କରିବ, ସେହି ବାଟରୁ ବିଚାର ପ୍ରଥମ ବ୍ୟକ୍ତି କରିବ, ଏହି ବିଚାର ଗୋଟିଏ ବ୍ୟକ୍ତିରୁ ଅନେକ ବ୍ୟକ୍ତିକୁ ସଂକ୍ରାମିତ ହେବ, ତା’ପରେ ସେହି ବିଚାର ସମାଜର ବିଚାର ହେବ ଏବଂ ସେହି ବିଚାର ଅନୁସାରେ ସମାଜ ବଦଳିବ । ସଂସାରର ଗତିଶୀଳତାକୁ ମୁଁ ସବୁଦିନେ ଏହିପରି ଭାବରେ ବିଚାର କରିଆସିଚି । ଆଜି ମଧ୍ୟ ଠିକ୍ ଏହିପରି ଭାବରେ ବିଚାର କରୁଚି । ଯେତେବେଳେ ସମାଜର ଲଗାମ ବ୍ୟକ୍ତିର ହାତଛଡ଼ା ହୋଇ ଚାଲିଯିବ, ସେତେବେଳେ ସମସ୍ତ ଦୁର୍ବିପାକ ଓ ଦୁଃଖ ସତ୍ତ୍ୱେ ସେହି ବ୍ୟକ୍ତିକୁ ହିଁ ପୁଣି ଲଗାମକୁ ହାତକୁ ଆସିବାକୁ ହେବ, ଦୁର୍ଦ୍ଦଶାର ଆଘାତ ସହି ମଧ୍ୟ ତାକୁ ଦୁର୍ଦ୍ଦଶାର ମୋଚନ ଲାଗି ବାଟ ବାହାର କରିବାକୁ ପଡ଼ିବ । ଆଉ ଅନ୍ୟ ଉପାୟ ନାହିଁ ।

 

୨୫ । ୮ । ୬୧

 

ଏପର୍ଯ୍ୟନ୍ତ ମଧ୍ୟ ମୁଁ ସଂସାର ଉପରେ ବିରକ୍ତ ହୋଇନାହିଁ, ଏପର୍ଯ୍ୟନ୍ତ ମଧ୍ୟ ସଂସାର ଉପରେ ଅଭିମାନ କରିନାହିଁ । ସଂସାରରେ ଆଉ କୌଣସି ଭଲ କଥା ସମ୍ଭବ ହୋଇ ପାରିବନାହିଁ ବୋଲି ଧିକ୍‌କାର ଦେଇ ମୁଁ ନିରାଶା ଆତ୍ମନିର୍ବାପିତ ଭାବରେ ବସି ରହିବାର ଦୀକ୍ଷା ଏପର୍ଯ୍ୟନ୍ତ ଗ୍ରହଣ କରିନାହିଁ । କାରଣ ମୁଁ ଭଲ କରି ଅନୁଭବ କରିପାରେ ଯେ, ଯାହା ଯଦି ଭଲ ହେବ, ତାହା ଏହି ସଂସାରରେ ହିଁ ପହଞ୍ଚିବ । ବାହାରେ ବସି ସଂସାରକୁ ଖେଳାଇବାରେ ଖୁସୀ ପାଉଥିବା ଦେବତା ଦ୍ଵାରା ନୁହେଁ, ଏହି ସଂସାର ଭିତରେ ବାସ କରୁଥିବା ତୁମ ମୋ’ ପରି ସାଧାରଣ ମଣିଷ ଦ୍ଵାରା ହିଁ ସଂସାରର ଭଲ ହେବ । ମୁଁ ଏପର୍ଯ୍ୟନ୍ତ କୌଣସି ପ୍ରକାର ଉପରେ ବିଶ୍ଵାସ କରି ଶିଖିନାହିଁ, କାରଣ ମୁଁ ମଣିଷ ଉପରେ ବିଶ୍ଵାସ କରି ଶିଖିଚି । କାରଣ, ମେସାୟୀର ଅନୁଗ୍ରହ ଉପରେ ଯେଉଁମାନେ ବିଶ୍ଵାସ କରନ୍ତି ସୃଷ୍ଟିର ତତ୍ତ୍ଵକୁ ସେମାନେ ଗୋଟାଏ କ୍ରୁର ଭଗବାନର କ୍ରୋଧ ଦ୍ଵାରା ବୁଝିବାକୁ ଚେଷ୍ଟା କରିଥାନ୍ତି । ସେହି ଭଗବାନ ଉପରେ ଥାଇ ଶାସନ କରନ୍ତି, ସଂସାର ଉପରେ ଆଦେଶଜାରି କରନ୍ତି, ସଂସାର ଉପରେ ତାଙ୍କର ଅନୁଗ୍ରହ ହେଲେ ଉପରୁ ପରିତ୍ରାଣ କର୍ତ୍ତାର ଅବତରଣ ହୁଏ, ସଂସାର ଉପରେ କ୍ରୁଦ୍ଧ ହେଲେ ସେ ସଂସାରରେ ପ୍ରଳୟ ଘଟାନ୍ତି । ଏପରି ବିଶ୍ଵାସକୁ ମୁଁ ଏକ fundamental ଅବିଶ୍ଵାସ ମାନିଥଏ, ମଣିଷ ଉପରେ ଓ ଆପଣା ଉପରେ ଏକ ନିର୍ମମ କଠୋର ଅବିଶ୍ଵାସ ବୋଲି ମାନିଥାଏ । ମୋ ଭିତରେ ଯେଉଁ ଶକ୍ତି ସଦା ବର୍ତ୍ତମାନ ରହି ମୋତେ ମୋର ନାନା ସୀମା ଭିତରୁ ଉତ୍ତୀର୍ଣ୍ଣ କରାଇ ନେଉଚି, ତାହାରି ଉପରେ ଅବିଶ୍ଵାସ ବୋଲି ମାନିଯାଏ ।

 

୨୬ । ୮ । ୬୧

 

ଅଗଷ୍ଟ ମାସର ଛବିଶି ତାରିଖ,—ଆଜି ଦିନଟି ହେଉଚି ଚମ୍ପତିମୁଣ୍ଡାର ଦିନ । ଜୀବନକୁ ଭଲ ପାଇବା ପାଇଁ, ନିଜ ଭିତରେ ଜନ୍ମଲାଭ କରିବାର ଅନନ୍ତ ଓ ଅମିତ ପ୍ରୟାସ କରୁଥିବା ମଣିଷ ପ୍ରତି ଶ୍ରଦ୍ଧାର ସ୍ଵୀକାର ଦେବାପାଇଁ, ଏହି ସଂସାରରେ ବିଶ୍ଵାସ ସ୍ଥାପନ କରିବାପାଇଁ ଓ ଏହି ସଂସାରର କଲ୍ୟାଣ ଲାଗି ଆପଣାକୁ ନିର୍ମଳ ଓ ନିଃଶେଷିତ ଭାବରେ ଦେଇ ପାରିବ ପାଇଁ ଆଜି ଦିନଟି ମୋ’ ଜୀବନରେ ପ୍ରତୀକ ପରି କାର୍ଯ୍ୟ କରିବ । ମୁଁ ଚମ୍ପତିମୁଣ୍ଡାରୁ ବାହାରି ଚାଲି ଆସିନାହିଁ; ଚମ୍ପତିମୁଣ୍ଡାରେ ଥିଲାବେଳେ ମୁଁ ନିଜ ବିଷୟରେ ଓ ସଂସାର ବିଷୟରେ ଯେଉଁ ବିଶ୍ଵାସ ଓ ଅନ୍ତର୍ଦୃଷ୍ଟି ଲାଭ କରିଥିଲି, ସେହି ବିଶ୍ଵାସ ଓ ସେହି ଅନ୍ତର୍ଦୃଷ୍ଟିକୁ ସାଙ୍ଗରେ ନେଇ ମୁଁ ଏଠାକୁ ଆସିଚି, ତାହାକୁ ହିଁ ମୋ ଜୀବନର ପରମ ସମ୍ପଦରେ ପରିଣତ କରି ରଖିବାକୁ ମୁଁ ଚେଷ୍ଟା କରୁଚି । କୁଟିଳ କ୍ଷମତାଲୋଭୀ ମଣିଷର ସମସ୍ତ କଟୁମଧୁର ଚକ୍ରାନ୍ତ ସତ୍ତ୍ୱେ ତଥାପି ମୁଁ ମୋର ବିଶ୍ଵାସ ଓ ମୋ’ ଶ୍ରଦ୍ଧାକୁ ଛାଡ଼ି ଦେଇନାହିଁ । ଏହାହିଁ ଆଜିଦିନର ସ୍ମୃତିଟିରେ ସବୁଠାରୁ ଅଧିକ ଗୌରବର ବିଷୟ । ସେହି ଜଙ୍ଗଲ, ସେହି ସୁନ୍ଦର ପର୍ବତ ଓ ସେହି ମଣିଷମେଳ, ଆଜି ସମସ୍ତଙ୍କର ସାନ୍ନିଧ୍ୟରେ ଆସି ଏ ଏକୁଟିଆ ଘର ସତେଅବା ପୂରି ଉଠିଲାପରି ଲାଗୁଚି ।

 

୨୭ । ୮ । ୬୧

 

ଅରଣ୍ୟର ଚମ୍ପତିମୁଣ୍ଡା ଆଉ ଅଟ୍ଟାଳିକାମୟ ଏହି ବିଚ୍‌ପୁରୀ । ବାହାରୁ ଦେଖିବାକୁ ଗଲେ ଦୁହିଁଙ୍କ ମଧ୍ୟରେ ଆକାଶପାତାଳର ପ୍ରଭେଦ । ଗୋଟିଏ ସଂସାର ମୁହଁ ଏପାଖକୁ ହେଲେ ଆର ସଂସାଟିର ମୁହଁ ହୁଏତ ଏକାବେଳେକେ ସେପାଖକୁ । ସେଠି ଅରଣ୍ୟ ଭିତରେ ଗୋଟିଏ ସ୍ନେହମୟ ଘର ବସାଇବାର ପ୍ରୟାସ ହେଉଥିଲା, ଏଠି ହୁଏତ ସବୁ ବ୍ୟବସ୍ଥାର ସର୍ବପ୍ରଧାନ ଶକ୍ତି ଅନୁଷ୍ଠାନର ବପୁ ବଢ଼ାଇବାରେ ହିଁ ନିୟୋଜିତ ହେଉଚି । ଚମ୍ପତିମୁଣ୍ଡାରେ କାର୍ଯ୍ୟ କରିବାର ଓ ବିକାଶ କରିବାର ସ୍ଵତନ୍ତ୍ରତା ଅନେକ ଥିଲା; ଛାତ୍ରମାନଙ୍କ ଲାଗିଥିଲା, ଶିକ୍ଷକମାନଙ୍କ ଲାଗି ଥିଲା । ଏଠି ସ୍ଵତନ୍ତ୍ରତା ଅପେକ୍ଷା ହୁଏତ ବିଧିଟା ହିଁ ପ୍ରବଳ ହୋଇରହିଚି । ସେଠି ଯେତେ ଛୋଟ କ୍ଷେତ୍ରରେ ରହିଥିଲେ ମଧ୍ୟ ସ୍ଵାଧୀନ ଓ ନିର୍ଭୟ ଭାବରେ ଆପଣାର କଥା କରିପାରିବା ଉପରେ ସବୁଠାରୁ ଅଧିକ ମହତ୍ତ୍ଵ ଦିଆଯାଉଥିଲା । ଏଠି ବଡ଼ ହୋଇ ଦିଶିବାର ପ୍ରଲୋଭନରେ ପଡ଼ି ବିଚ୍‌ପୁରୀ ହୁଏଓ ଅନେକ ସମୟରେ ସମାନକୁ ମାନିନେବାକୁ ହିଁ ଆପଣାର ଉଦ୍ଦେଶ୍ୟ ବୋଲି ଧରି ନେଉଚି । ସମାଜର ଫରମାସି ଅନୁସାରେ ଆପଣାର କଳେବରକୁ ମଣ୍ଡିତ ଓ ଚିତ୍ରିତ କରିବାର ଅଭିପ୍ରାୟ ଦେଖାଉଚି । ସମାଜର ଆବଶ୍ୟକତାକୁ ହିଁ ପୂରଣ କରୁଚି । ସର୍ବଜନସମର୍ଥିତ ବାଟ ଅପେକ୍ଷା ହୁଏତ ଏହାର ଆଉ କୌଣସି ବାଟ ନାହିଁ । ସେହି ବାଟକୁ ମଧ୍ୟ ହୁଏତ ସେ ହୃଦୟର ସହିତ ଗ୍ରହଣ କରିନାହିଁ । ସେହି ବାଟକୁ ଆପଣାର ବାଟ ବୋଲି ଦେଖାଇବାର ଅଭିନୟ ମାତ୍ର କରୁଚି । ଏହି ଅଭିନୟ ଭିତରେ ବାଧ୍ୟ ହୋଇ ନାନା କୃତ୍ରିମ ଆନୁଷଙ୍ଗିକତାକୁ ଅପରିହାର୍ଯ୍ୟ ମନେକରି ଗ୍ରହଣ କରାଯାଇଚି । ଏଠି କର୍ତ୍ତାର ଇଚ୍ଛାରେ ହିଁ ପ୍ରଧାନତଃ ସକଳ କାର୍ଯ୍ୟ ଚାଲୁଚି । କର୍ତ୍ତାର କର୍ମକୁଶଳତାଠାରୁ କର୍ତ୍ତାର କର୍ତ୍ତୃତ୍ଵଟା ହିଁ ହୁଏତ ଏଠାରେ ଅଧିକ ଶକ୍ତିଶାଳୀ ଭାବରେ ମାନି ନିଆଯାଇଚି। ହୁଏତ ଏଠାରେ ମଣିଷକୁ ପ୍ରଧାନତଃ ବୋଲି ମାନିବାର ଦାସ ବୋଲି ଗ୍ରହଣ କରାଯାଇଚି । ଦାସ ତା’ର ପ୍ରାପ୍ୟ ବେତନ ଓ ଅନୁଗ୍ରହ ପାଉଚି, ନିର୍ମମ ଭାବରେ ଆଦେଶ ମାନୁଚି-

 

୨୮ । ୮ । ୬୧

 

ହଁ, ଏଠି ଶିକ୍ଷକ ପ୍ରଧାନତଃ ନିର୍ମମ ଭାବରେ ଆଦେଶ ମାନୁଚି । କର୍ତ୍ତା ଯାହା କରୁଚନ୍ତି, ସେ ସେଇଥିରେ ହିଁ ପ୍ରଧାନତଃ ହଁ ଭରି ଦେଉଚି । ତା’ର ଭିତରେ ଭିତର ମନ ନାହିଁ କରୁଥିଲେ ମଧ୍ୟ ଉପରେ ନାହିଁ କରିବାକୁ ତା’ର ସାହସ ହେଉନାହିଁ । ଏହି କାରଣରୁ ସେ ନିଜେ କୌଣସି ବିଷୟରେ ଭାବିବାକୁ ସଙ୍କଟ ବୋଲି ବିଚାରିଲାଣି । ଯେଉଁଠି ଆପଣାର ମତବ୍ୟକ୍ତ କରିବାକୁ ପ୍ରମାଦ ବୋଲି ଗଣାଯାଉଚି, ସେଠି ଆଦୌ କିଛି ନ ଭାବିବା ହିଁ ସବୁଠାରୁ ଅଧିକ ନିରାପଦ । ଏଇଠି ମୁଁ ଆଜି ତଥାପି ଗର୍ବ କରି କହିବି ଯେ, ଜଣେ ଶିକ୍ଷକ ହସିବାରେ ମୁଁ ଯେତିକି ଅନ୍ତର୍ଦୃଷ୍ଟି ଅର୍ଜନ କରିଥିଲି, ସେହି ଅନୁସାରେ ଏଠି ମଧ୍ୟ ଜଣେ ଶିକ୍ଷକ ହିସାବରେ ବଞ୍ଚି ରହିବାକୁ ସତତ ଚେଷ୍ଟା କରି ଆସୁଚି । କେବଳ ମୋତେ ପଇସା ଦିଆଯାଉଚି ବୋଲି ମୁଁ ପାଠ ପଢ଼ାଇବାକୁ ଆସିଚି, ମୋର ମନରେ ଏପରି ପାପ ଚିନ୍ତା କଦାପି ପ୍ରବେଶ କରିନାହିଁ । ଶିକ୍ଷକ ହେବାକୁ ମୁଁ ପ୍ରକୃତରେ ଭଲପାଏ ବୋଲି ମୁଁ ଏଠାରେ ଶିକ୍ଷକ ହୋଇରହିଚି । ଉପରେ ସମସ୍ତ ପ୍ରକାର କର୍ତ୍ତୃତ୍ଵର ଆକଟ ସତ୍ତ୍ୱେ ତଥାପି ମୁଁ ମୋ’ର ଆପଣା କ୍ଷେତ୍ରରେ କିଞ୍ଚିତ୍ ସ୍ଵାଧୀନତାର ବାତାବରଣ ସୃଷ୍ଟି କରି ରଖିଚି । ମୋ’ର ସ୍ଥିତିକୁ ନିରାପଦ ରଖିବା ଲାଗି ମୋତେ ଉପରେ ଥିବା କର୍ତ୍ତାମାନଙ୍କୁ ତୁଷ୍ଟ ଓ ପ୍ରସନ୍ନ କରି ରଖିବାକୁ ହେବ, ଏପର୍ଯ୍ୟନ୍ତ ଥରକ ପାଇଁ ମଧ୍ୟ ମୁଁ ଏପରି ଚିନ୍ତା କରିନାହିଁ । ଶିକ୍ଷକର ଦାୟିତ୍ଵ ପ୍ରଧାନତଃ ତା’ର ଛାତ୍ରମାନଙ୍କ ଲାଗି, ଏହି ବିଶ୍ୱାସରେ ଦୃଢ଼ ରହି ମୁଁ ଖୁସୀ ହୋଇ ନିଷ୍ଠାର ସହିତ ଛାତ୍ରମାନଙ୍କ ପ୍ରତି ମୋର କର୍ତ୍ତବ୍ୟ କରି ଚାଲିଚି ।

 

୨୯ । ୮ । ୬୧

 

ସମ୍ମୁଖେ ଶାନ୍ତି ପାରାବାର । ସମସ୍ତେ ଏହାକୁ ମୃତ୍ୟୁ ବିଷୟରେ ଗୁରୁଦେବଙ୍କର ରଚିତ ଏକ ଗାନ ବୋଲି କହିଥାନ୍ତି । କାଲି ଆପଣା ମନର ସମର୍ପଣ ଉଲ୍ଲାସରେ ଏହି ଗୀତଟି ଗାଉ ଗାଉ ମୁଁ ଅନୁଭବ କଲି, ଏହା ମରଣର ଗାନ ନୁହେଁ, ଏହା ଏହି ଜୀବନର ଗାନ । କେବଳ ଏକ ପାରଲୌକିକ ଜୀବନ ପ୍ରତି ଏହି ଗାନଟିର ନିବେଦନ ରହିଚି । ବୁଦ୍ଧି ଖରଚ କରି ମୁଁ ମୋ’ ଅନୁମାନର ପ୍ରମାଣ ଦେବାକୁ କୌଣସି ପ୍ରକାର ଚେଷ୍ଟା କରୁନାହିଁ । କାଲି ପ୍ରାୟ ଏକ ଘଣ୍ଟା କାଳ ଏହି ଗାନଟି ଭିତରେ ନିମଗ୍ନ ରହି ମୁଁ ଯାହା ଅନୁଭବ କରିଚି, ଆଜି ତାହାକୁ ହିଁ ପ୍ରକାଶ କରିବାର ଚେଷ୍ଟା କରୁଚି । ନିଶ୍ଚଳ ମନରେ ଓ ନିର୍ଭରପୂର୍ଣ୍ଣ ହୃଦୟରେ ଅନୁଭବ କଲାବେଳେ ମୁଁ ଏହି ସଂସାରକୁ ଓ ଏହି ଜୀବନକୁ ଶାନ୍ତିର ଏକ ପାରବାର ବୋଲି ଅନୁଭବ କରିଥାଏ । ମନ ଭିତରେ ନାନା ଶଙ୍କିତତାର ନାନା ଚଞ୍ଚଳତା ଭରି ରହିଥିବା ବେଳେ ସଂସାରଟା କେବଳ ଅଶାନ୍ତିପୂର୍ଣ୍ଣ ବୋଲି ମନେହୁଏ । ଏହି ସଂସାର ଛାଡ଼ି ଆତୁର ବ୍ୟାକୁଳ ଭାବରେ ମନ ଆଉ କେଉଁ ସଂସାରରେ ଶାନ୍ତି ପାଇବ ବୋଲି ପଳାଇବାକୁ ବସେ । ଏହି ଏହି ପଳାଇବାରେ ପ୍ରଲୁବ୍‌ଧତାରେ ପଡ଼ି ସେ ତା’ର ମନଲାଖି ଧର୍ମ, ମନଲାଖି ଭଗବାନ ଓ ମନଲାଖି ତତ୍ତ୍ଵଟିଏ ତିଆରି କରିଥାଏ । ହୃଦୟ ଭିତରୁ ଅସଲ ନିର୍ଭରମାନ ଚାଲିଗଲେ ମଣିଷ ସର୍ବହରା ପରି ନାନା କୁଟାଖିଅକୁ ଅବଲମ୍ବନ କରି ଧରି ରଖିବାକୁ ଚେଷ୍ଟା କରେ । ହୃଦୟର ଫାଶ ଦେଇ ନାନା ବିଚିତ୍ର ବିରୁପତାରେ ସେ ତା’ର ଶ୍ରଦ୍ଧାଭକ୍ତିର ସୌଧ ତିଆରି କରି ରହିବାକୁ ଚାହେ । ସେ ନିଶା ଖାଇ ସେହି ଭୋଳ ଅବସ୍ଥାରେ ଇହଲୋକ ଓ ପରଲୋକ ଭିତରେ ଗୋଟାଏ କଳ୍ପନା ପ୍ରସୂତ ବ୍ୟବଧାନ ସୃଷ୍ଟି କରେ । ନିଜ ଅସନ୍ତୋଷର ଆହ୍ଵାନକୁ ସହ୍ୟ କରି ନ ପାଇ ସେ ଆପଣାର ସବୁ କଳ୍ପିତ ସନ୍ତୋଷକୁ ଦୂରର କେଉଁ ଯୁଗରେ ନେଇ ସାଇତି ରଖେ ।

 

୩୦ । ୮ । ୬୧

 

ଏହି ସକାଳର ପ୍ରାଣଭରା ପବନ, ଅନ୍ଧାର ଭିତରୁ ଜୀବନର ନିର୍ଭର ଦେଇ ଯାଉଥିବା ଏଇ ପବନ ଦିନର ଆରମ୍ଭରୁ ହିଁ ମୋର ସକଳ ମନକୁ ଘରଛଡ଼ା କରିଦେଇ ମୋ’ର ମନକୁ ନେଇ କେତେ କେତେ ପରିଚିତ ଦୁଆର ପାଖରେ ବିଞ୍ଚି ଦେଇ ଚାଲିଯାଉଚି । ଆଜି ଏହି ଶାନ୍ତ ସକାଳେ ତଥାପି ଗୋଟାଏ ପ୍ରକାର କାରୁଣ୍ୟମଧୁର ଚଞ୍ଚଳତା ମୋତେ କୁଆଡ଼େ ମନ କୁଆଡ଼େ ଉଡ଼ାଇ ନେଇ ଯାଉଚି । ପ୍ରକୃତରେ ମୁଁ ଗୋଟାଏ ଘର ଲାଗି ତିଆରି ହୋଇନାହିଁ । ଆପଣାର କ୍ଷୁଦ୍ର ସଂସାରର ଚାରିପାଖରେ ବାଡ଼ ବସାଇ ଦେଇ ପ୍ରତିବେଶୀ ସଂସାରକୁ ପ୍ରଧାନତଃ ଶତ୍ରୁ ବୋଲି ଗଣନା କରିବାର ଶଠ ଐକାନ୍ତିକତା ମୋ’ ଜୀବନର ଧର୍ମ ନୁହେଁ । କୌଣସି ପ୍ରକାର ସାମାଜିକ ତଥା ରାଜନୀତିକ ଦୂରତାକୁ ଦୂରତା ବୋଲି ମାନି ଆପଣାର କ୍ଷୁଦ୍ର ସୀମା ଭିତରେ ମୁଗ୍‌ଧ ହୋଇ ରହିଲେ ମୋ’ ଭିତରେ କିଏ ସତେ ଯେପରି ଉପବାସୀ ହୋଇ ରହିଲା ପରି ଲାଗେ । ମୋ ଭିତରେ ବଡ଼, କୋମଳ ଓ ବଡ଼ ଶ୍ରଦ୍ଧାକାଙ୍‌କ୍ଷୀ ନେଇଁ ଶିଶୁ ଯେପରି ଜୀବନର ଅନେକ ସମ୍ପଦରୁ କିଞ୍ଚିତ୍ ହୋଇ ରହିଯାଏ । ଆଜି ସକାଳେ ଏଠାରେ ବସି ମୁଁ ଆପଣାକୁ ସେହିପରି ବଞ୍ଚିତ ବୋଲି ଅନୁଭବ କରୁଚି । ଯେପରି କେଉଁ ତାତ୍କାଳିକ ପ୍ରୟୋଜନୀୟତାର ନିର୍ମମ ନିୟନ୍ତ୍ରଣ ମୋତେ ଏଠି ବାନ୍ଧ କରି ରଖିଚି, କ୍ରମେ ମୋତେ ସଂକୀର୍ଣ୍ଣ କରି ପକାଉଚି, ରାତ୍ରିର ଅନ୍ଧାର ପରି ମୋ’ର ଚାରିପାଖରେ ଘେରି ସଂସାରଟା ଅତି ଛୋଟ ବୋଲି ମେତେ ବୁଝାଇ କହିବାକୁ ସେ ଚେଷ୍ଟା କରୁଚି-

 

୩୧ । ୮ । ୬୧

 

ଆପଣା ଅନ୍ତଗମନର ଆହ୍ଵାନ ଅନୁସାରେ ଜୀବନ ବଞ୍ଚିବା ପାଇଁ ତଥାପି ଅନେକ ଅବସର ରହିଚି । ଏହି ବିଧିବିପର୍ଯ୍ୟସ୍ତ ଦୁରାତ୍ମ ସମାଜ ଭିତରେ ଜଣେ ଯୋଗ୍ୟ ଶିକ୍ଷକ ହେବାଲାଗି ତଥାପି ଅନେକ କ୍ଷେତ୍ର ରହିଚି । ମୁଁ ଶିକ୍ଷକ, ଛାତ୍ରକୁ ସଜାଡ଼ିବାର ବା ବିଗାଡ଼ିବାର ଅନେକ ସ୍ଵତନ୍ତ୍ରତା ମୋ’ର ରହିଚି । ଖାଲି କ୍ଳାସ୍‌ଘରର ପାଠପଢ଼ା ବେଳେ ନୁହେଁ, କ୍ଳାସ୍ ବାହାରେ ନାନା ଉପଲକ୍ଷରେ ମଧ୍ୟ ମୁଁ ଛାତ୍ରମାନଙ୍କର ସମ୍ପର୍କରେ ଆସୁଚି । ଛାତ୍ରମାନଙ୍କରେ ଜୀବନ ମୋର ସମ୍ପର୍କରେ ମଧ୍ୟ ଆସୁଚି । ମୁଁ ପ୍ରଧାନତଃ କିପରି ଦୃଷ୍ଟି ଦେଇ ଛାତ୍ରମାନଙ୍କୁ ଦେଖୁଚି, ତାହାରି ଉପରେ ହିଁ ମୋର ସକଳ ଅଧ୍ୟାପନାର ସବୁ ପ୍ରଭାବ ନିର୍ଭର କରୁଚି । ମୋ’ ଛାତ୍ରମାନଙ୍କ ପାଖରେ ମୁଁ କର୍ତ୍ତୃତ୍ଵ ଦେଖାଇବାର କୌଣସି ଅମାନୁଷିକ ଚେଷ୍ଟା କରିବିନାହିଁ; କର୍ତ୍ତୃତ୍ଵ ଯେତିକି କମ୍ ଆପଣାକୁ ଦେଖାଇବାର ଚେଷ୍ଟା କରେ, ତାର ଶୋଭନୀୟତା ସେତିକି ବଢ଼େ, ତାହା ସେତିକି ବ୍ୟକ୍ତିର ଭୂଷଣ ହୋଇରହେ । ମୋ’ର ଛାତ୍ରମାନଙ୍କୁ ମୁଁ ବୁଝିବି, ସେମାନଙ୍କୁ ମୁଁ ପ୍ରଧାନତଃ ପଥଚାରୀ ବୋଲି ଗ୍ରହଣ କରିବି । ସେମାନଙ୍କର ମଧ୍ୟ ଇଚ୍ଛା ରହିଚି, ଆପଣା ଆପଣାର ପଦ୍ଧତି ଅନୁସାରେ ସେମାନେ ମଧ୍ୟ self-actualigationର ଜୀବନଧାରାରେ ଆଗକୁ ଯିବାକୁ ଚେଷ୍ଟା କରୁଚନ୍ତି; ସେମାନଙ୍କର ବାସନା ଓ ଚେଷ୍ଟାକୁ ପରିପୂର୍ଣ୍ଣ ସମ୍ମାନ ଦେଇ ମୁଁ ସେମାନଙ୍କୁ ବୁଝିବାକୁ ଚେଷ୍ଟା କରିବି । ମୁଁ ନିଜେ ମଣିଷ ଭାବରେ ଆପଣାକୁ ଯେଉଁ ଦୃଷ୍ଟିରେ ଦେଖିଥାଏ, ଆପଣାର ବାସନାଗୁଡ଼ିକୁ ଯେଉଁପରି ସମ୍ମାନ ଦେଇଥାଏ, ଆପଣାର ସ୍ଵତନ୍ତ୍ରତାକୁ ଯେପରି ସମ୍ମାନ ଦେଇଥାଏ, ମୋର ଛାତ୍ରମାନଙ୍କୁ ମଧ୍ୟ ମୁଁ ସେହିପରି ସମ୍ମାନ ଦେଖାଇବି । ସେମାନେ କେବଳ ବୟସରେ ମୋ’ଠାରୁ ଛୋଟ; ତଥାପି ସେମାନଙ୍କର ମଧ୍ୟ ଆପଣାର ଜୀବନ ନୀତି ଓ ଜୀବନ ରୀତି ରହିଚି ।

 

୧ । ୯ । ୬୧

 

ମୋ’ର ଦୁର୍ବଳ ମୁହୂର୍ତ୍ତଗୁଡ଼ିକରେ ଅନ୍ତରର ସକଳ ସାଥୀକୁ ସହଚର କରି ପାଇଲେ ଆଉ ଆପଣ ଦୁର୍ବଳ ବୋଲି ମନେ ହୁଏନାହିଁ । ଆପଣାର ଦୁର୍ବଳତାଗୁଡ଼ାକୁ ଲୁଚାଇ ରଖିବାର ଅପପ୍ରୟାସରେ ଆଉ ଆପଣାକୁ ମଧ୍ୟ ଲୁଚାଇ ରଖିବାର ମନ୍ଦ ପ୍ରୟାସ ଆବଶ୍ୟକ ହୁଏନାହିଁ । ଏ ସଂସାରରେ କୌଣସିଠାରେ ଆଉ ଆପଣାକୁ ହାନି ମନେ ହୁଏନାହିଁ, ମନ ଭିତରେ ଆଉ କୌଣସି ପ୍ରକାର ଗ୍ଳାନି କାମୁଡ଼ି ଧରିଥିବା ପରି ଲାଗେନାହିଁ । ପାହାନ୍ତା ପ୍ରହରର ଅଳସ ବିଛଣା ଉପରେ ପଡ଼ି ମୁଁ ଅଧାନିଜର ରଜ୍ଜୁହୀନ ବିସ୍ମରଣରେ କେତେ କ’ଣ ଭାବି ଯାଉଥିଲି । କେତେ ପରାଜୟ, କେତେ ଅତୃପ୍ତି ଓ କେତେ ଅପୂର୍ଣ୍ଣ ଲାଳସାର ଉଗ୍ରତା ମୋତେ କେତେ ବିକ୍ଷିପ୍ତ ଓ ବିଚଳିତ କରି ଶିଖିଥିଲା । ମୋ’ର ଚାରିପାଖରେ ଗ୍ରାସ କରି ରହିଥିବା ରାତ୍ରିଟା ପଡ଼ି ସତେଅବା କେଉଁ ଅନ୍ଧକାରମୟ ଅଶାନ୍ତିର ଗ୍ରାସ ଭିତରେ ପଡ଼ି ରହିଥିଲା ପଡ଼ି ଲାଗୁଥିଲା । ବଡ଼ିସକାଳର ପୁଲକ ଆସି ଦେହରେ ବାଜିଲା କ୍ଷଣି ମୁଁ ବିଛଣା ଛାଡ଼ି ବାହାରକୁ ଆସିଲି । ବଡ଼ିସକାଳର ଏହି ପ୍ରସାରିତ ଜୀବନମୟ ପ୍ରଶାନ୍ତି ଭିତରେ ମୁଁ ତାହାରି ସାହଚର୍ଯ୍ୟ ପାଇଲି । ଉପରେ ନୀରବ ରହି ଅପେକ୍ଷା କରିଥିବା ଆକାଶ ମୋ’ ଭିତରେ ଯେପରି କେଉଁ ଅତିପ୍ରିୟ ଓ ଅତିପରିଚିତ ଆପଣାକୁ ଜାଗ୍ରତ କରି ଦେଇଗଲା । ମୋତେ ସକଳ ସମର୍ଥନର ନିର୍ଭର ଦେଇଗଲା । ମୋର ଦୁର୍ବଳତାଗୁଡ଼ିକୁ ମୁଁ ଆଉ ମନେ ମଧ୍ୟ ରଖି ପାରିଲିନାହିଁ । ଏହି ଜୀବନରେ କେତେ ଆନନ୍ଦ, କେତେ ଆମନ୍ତ୍ରଣ, କେତେ ମିତ୍ରଲାଭ, କେତେ ମାଧୁରୀ, କେତେ କୋଳାହଳ କେତେ ଉତ୍ସବ —ମୁଁ ମୋ’ର ସମସ୍ତ ସଞ୍ଚୟ ଦେଇ ସେଇଥିରେ ସମ୍ମିଳିତ ହୋଇଗଲି । ଆଉ ଅନ୍ୟ ଉପାୟ ନଥିଲା ।

 

୨ । ୯ । ୬୧

 

ଏ ଜର; କର୍ମହୀନତାର ଏଇ ଜର ନାନା ହିସାବରେ ଉତ୍ତପ୍ତ ହୋଇରହିବାର ଜର, ଜଗତର ସକଳ ଜୀବନ ଉତ୍ସ ସହିତ ଅସଂଯୁକ୍ତ ହୋଇପଡ଼ି ରହିବାର ଏଇ ଜର ! ଏକାକୀ ସଂଗୀହୀନ ଜୀବନର ଉତ୍ତେଜନା ପାଇ ବେଳେବେଳେ ଏହି ଜର ଆହୁରି ଦୁଃଶାସନ ମନେ ହୁଏ । ସଂସାରରେ ଚାରିଆଡ଼କୁ ଅନାଏ, ଶୂନ୍ୟଘରର କାନ୍ଥଗୁଡ଼ାକ ବଡ଼ ବିକୃତି ଭାବରେ ବିଦ୍ରୂପ କଲାପରି ମୋତେ ସକଳ ସଂସାରରୁ ସତେଅବା ମାରି ଘଉଡ଼ାଇ ଦେବାକୁ ଆସନ୍ତି । ସଂସାରରେ ନାନପ୍ରକାର ଘର ବସାଇ ଏତେ ଲୋକ ରହିଚନ୍ତି । ଆପଣା କୁଟୁମ୍ବର ଚାରିସୀମା ଭିତରେ ସେମାନେ ସ୍ନେହ, ମମତା ଓ ଆସକ୍ତିର ଭଳିକି ଭଳି ଆକାର ଓ ପ୍ରକାର ବନାଇ ବାହାରକୁ ଏତେ ଖୁସି ହୋଇ ରହିଚନ୍ତି । କୁଟୁମ୍ବର ବାହାରେ କୌଣସି ବୃହତ୍ତର ସଂସାର ରହିଛି ବୋଲି ହୁଏତ ସେମାନେ ମନେ ହିଁ ରଖି ନାହାନ୍ତି । ଆପଣା କୁଟୁମ୍ବରେ ଜୀବନ ସାମଗ୍ରୀର ମାଣ ପୂରାଉ ପୂରାଉ ସେମାନଙ୍କର ସମୟ ବେଶ୍ କଟିଯାଉଚି, ଏହି କୋଳାହଳ, ଏହି ବ୍ୟସ୍ତତା ସେମାନଙ୍କୁ ଗୋଟାଏ ପ୍ରକାର ଚିନ୍ତାହୀନତାର ଛୁଟି ଦେଇଯାଉଚି । ସଂସାରରେ କାହାର କେଉଁ ଦୁଃଖ ରହିଚି । ସେ ଦିଗରେ ମୋ’ର କେଉଁ କର୍ତ୍ତବ୍ୟ ରହିଚି ନ ନାହିଁ, ସଂସାରେ ସୁଖ ସହିତ ମୋ’ର ସୁଖର କୌଣସି ଯୋଗ ରହିଚି କି ନାହିଁ, ଏହିକଥା ଭାବିବାର ଦାୟିତ୍ୱରୁ ମଧ୍ୟ ସେମାନେ ଏକପ୍ରକାର ସୁରକ୍ଷିତ ହୋଇ ରହିଚନ୍ତି । ଏହିପରି କୋଳାହଳ ଭିତରେ ରହିଥିଲେ ମୁଁ ପ୍ରକୃତରେ ଖୁସୀ ହୋଇ ରହିଥାଆନ୍ତି କି ? ବର୍ତ୍ତମାନ ସେ’କଥାର ମୁଁ କୌଣସି ସ୍ପଷ୍ଟ ଉତ୍ତର ଦେଇ ପାରୁନାହିଁ । ବାହାରର ମହାବିସ୍ତାର ଭିତରେ ରହିଥିବା ବେଳେ ଘର ପାଇଁ ମନ ଉଚ୍ଛନ୍ନ ହୁଏ, ଘର ଭିତରେ ରହିଥିଲା ବେଳେ ବାହାର ଲାଗି ମଧ୍ୟ ମନ ଉଚ୍ଛନ୍ନ ହୋଇଉଠେ । —ଆପଣା ଭିତରର ଏହି ବିରୋଧଟିକୁ ମୁଁ ଭଲ କରି ଜାଣିଚି ।

 

୩ । ୯ । ୬୧

 

ଆର ଯୁଦ୍ଧ ଆରମ୍ଭ ହେବାର ବର୍ତ୍ତମାନ ବାଇଶ ବରଷ ହୋଇ ଗଲାଣି । ସେତେବେଳେ ମୁଁ ଅତ୍ୟନ୍ତ ପିଲା ଥିଲି, ସକଳ ସଂସାରର ମଣିଷମାନଙ୍କର ସୁଖଦୁଃଖକୁ ଆପଣାର ସୁଖଦୁଃଖ ରୂପେ ଅନୁଭବ କରିବାର ବୟସ ଓ ବିକାଶ ସେତେବେଳେ ମୋ’ର ହୋଇନଥିଲା । ସଂସାରର ବିଭିନ୍ନ ମଣିଷସମୂହକୁ ଶାସନ କରୁଥିବା ଶାସକମାନଙ୍କର ରାଜନୀତି ବା କ୍ଷମତାନୀତିକୁ ବୁଝିବାର ବୁଦ୍ଧି ମଧ୍ୟ ହୋଇନଥିଲା । ତେଣୁ ସେତେବେଳେ ଏକ ସଂନ୍ତ୍ରସ୍ତ ବିସ୍ମୟ ବ୍ୟତୀତ ମୋ’ର ମନ ଭିତରେ ମୁଁ ଅନ୍ୟ କିଛି ଅନୁଭବ କରି ପାରିନଥିଲି । ବର୍ତ୍ତମାନ ବାଇଶି ବର୍ଷ ପରେ ମଧ୍ୟ ସେହି ଯୁଦ୍ଧର ସମାପ୍ତି ହୋଇନାହିଁ । ଜଗତର ସାମରିକ ଶକ୍ତିମାନ ମିଶି କେବଳ ଏକ ଯୁଦ୍ଧବିରତି ମାତ୍ର କରିଚନ୍ତି । କିନ୍ତୁ ଶୀତଳ ଯୁଦ୍ଧ ଲାଗି ରହିଚି । ସଂସାରରେ ଯେଉଁସବୁ ପରିସ୍ଥିତ ରହିଥିଲେ ଯୁଦ୍ଧର ବିପଦ ମଧ୍ୟ ରହିଥାଏ, ସେହିସବୁ ପରିସ୍ଥିତି ଏବେ ମଧ୍ୟ ରହିଚି । ଦିନକୁ ଦିନ ଅଧିକରୁ ଅଧିକ ଜଟିଳ ଭାବରେ ଲାଗିଚି । ମଣିଷ ମନର ଭୟ କ୍ରମେ ଅଧିକରୁ ଅଧିକ ଉଗ୍ର ହୋଇଚାଲିଚି । ସେହି ଭୟଭୀତ ମନୋଦଶାରୁ ରକ୍ଷା ପାଇବା ଲାଗି ସମସ୍ତେ କେବଳ ଆତ୍ମରକ୍ଷା କରିବାର ନାନା କୌଶଳ କରିବାରେ ଲାଗିଚନ୍ତି । ଆପଣା ମନ ଭିତରର ଭୟ ସଂସାରରେ ଅନ୍ୟମାନଙ୍କ ପ୍ରତି ଘୃଣାରେ ପ୍ରକଟ ହୋଇଚାଲିଚି । ତୃତୀୟ ଓ ଶେଷ ଯୁଦ୍ଧ ପାଇଁ ସମସ୍ତେ ପ୍ରସ୍ତୁତ ହୋଇ ଚାଲିଚନ୍ତି । ସେହି ସଂସାରରେ ମୁଁ ବସି ଭାବୁଚି, ଏଥିରେ ମୋ’ର କ’ଣ କିଛିହେଲେ କରିବାର ନାହିଁ ?

 

୪ । ୯ । ୬୧

 

ଏହି ଯୁଦ୍ଧ ଆଶଙ୍କାରେ ସବୁଆଡ଼ୁ ଆଚ୍ଛନ୍ନ ହୋଇ ରହିଥିବା ସଂସାରରେ ମୋ’ର ଅନେକ କିଛି କରିବାକୁ ରହିଚି । ମନୁଷ୍ୟର ସମ୍ପର୍କ କ୍ଷେତ୍ରରେ ଯେଉଁ ଲଢ଼ାଇ ଏବଂ ଦ୍ଵନ୍ଦ୍ଵମାନ ରହିଚି, ବାହାରେ ଦେଶ ଦେଶର ସମ୍ପର୍କ ଭିତରେ ତାହାହିଁ ଯାବତୀୟ ପ୍ରକାରର ଆଘାତ ଓ ଅପଘାତ ସୃଷ୍ଟି କରୁଚି । ଜୀବନ, ଜଗତ ତଥା ଆପଣ ବିଷୟରେ ନାନା ଭ୍ରମ ଓ ମିଥ୍ୟାମୂଲ୍ୟକୁ ମଣିଷ ସତ୍ୟ ବୋଲି ଗ୍ରହଣ କରିଚି, ତେଣୁ ତା’ର ଜୀବନରେ ଆଜି ନାନା ଭୟାବହ ବିଡ଼ମ୍ବନାମାନ ଆସି ଉପସ୍ଥିତ ହୋଇଚି । ତେଣୁ, ମୋ’ର କ୍ଷୁଦ୍ର ଜୀବନର ଭୂମିକୁ ଅଧିକ ମାନବୋଚିତ କରି ମୁଁ ଆଜି ମୋର କର୍ତ୍ତବ୍ୟ କରିପାରିବି, ମୋ’ର ବିଚାରକୁ ଅଧିକ ମାନବୋଚିତ କରି ମୁଁ ଆଜି ମୋ’ର କର୍ତ୍ତବ୍ୟ କରିପାରିବି । ମଣିଷ ଉପରେ ମୋତେ ବିଶ୍ଵାସରଖିବାକୁ ହିଁ ହେବ, ମଣିଷ ଭିତରୁ ହିଁ ଭଲ ଉପୁଜିବ ବୋଲି ମୋତେ ବିଶ୍ଵାସ ରଖିବାକୁ ହେବ । ଜଣେ ମଣିଷ ହିସାବରେ ଆପଣା ପ୍ରତି ମୋର ଯେତେ ଶ୍ରଦ୍ଧା ଓ ସମ୍ମାନ ରହିବା ଉଚିତ, ତାହା ମୋତେ ରଖିବାକୁ ହିଁ ପଡ଼ିବ । ନିରାଶାବାଦ ଜୀବନ ନୁହେଁ ଆଶା ହିଁ ହେଉଚି ଜୀବନ, ବିଶ୍ଵାସ ହିଁ ହେଉଚି ଜୀବନ । ସଂସାରରେ ସବୁ ଚାରିଆଡ଼ ଭାଙ୍ଗି ପଡ଼ୁଥିବା ସମୟରେ ତଥାପି ମୁଁ ମୋର ଆଶାବାଦ ଭିତରେ ସବୁ ମୂଲ୍ୟ ଓ ସବୁ ମାନବିକତାକୁ ଗଢ଼ି ରଖିବାକୁ ଚେଷ୍ଟା କରିବି । ଜୀବନ ଉପରେ ଗଭୀର ବିଶ୍ଵାସ ରହିଥିବା ଜଣେ ଆଶାବାଦୀ ମଣିଷ ହିସାବରେ ସଂସାରରେ ମୁଁ ମୋର କର୍ତ୍ତବ୍ୟ କରିଯିବି । ସଂସାରର ସ୍ଥିତି ଆଜି ଏତେଦୂର ବଦଳି ଗଲାଣି, ତେଣୁ ମୋତେ ମଧ୍ୟ ସେହି ଅନୁସାରେ ବଦଳିବାକୁ ପଡ଼ିବ, ଅବିଶ୍ଵାସ ଗୁଡ଼ାକୁ ହିଁ ମୌଳିକ ବିଶ୍ଵାସ ବୋଲି ମାନିବାକୁ ପଡ଼ିବ, —ଏହିସବୁ ଦୁର୍ଦ୍ଦଶାରୁ ମୁଁ ଆପଣାକୁ ବଞ୍ଚାଇ ରଖିବି । ସମସ୍ତ ସଂସାରକୁ ନାନା ପ୍ରକାରର ପ୍ରତ୍ୟକ୍ଷ ଓ ପରୋକ୍ଷ ଭୟ ଗ୍ରାସ କରି ପକାଉଥିବା ବେଳେ ମୁଁ ମୂଳତଃ ନିର୍ଭୟ ରହିଚି, ଆପେ ଭୟଭୀତ ହୋଇପଡ଼ିବା ପରିବର୍ତ୍ତେ ମୁଁ ଅପରକୁ ଅଭୟ ଓ ସାହସ ଦେବାକୁ ଚେଷ୍ଟା କରିବି, ଅନ୍ୟ ଭିତରେ ଜୀବନର ବିଶ୍ଵାସ ବଢ଼ାଇବି, ଅନ୍ୟର ଦୃଷ୍ଟି ଭିତରେ ଆଶାର ସଞ୍ଚାର କରି ଯାଉଥିବ ।

 

୫ । ୯ । ୬୧

 

ସଂସାରଟା ଯାକ ସେତେବେଳେ ଯୁଦ୍ଧଲାଗି ପ୍ରସ୍ତୁତ ହେଉଛନ୍ତି, ମଣିଷର ଭିତର ଆଉ ବାହାର ଯେତେବେଳେ ନାନାପ୍ରକାରେ ଯୁଦ୍ଧେଚ୍ଛାତର ବିକଳ ହୋଇରହିଚି, ସେତେବେଳେ ଯୁଦ୍ଧକୁ ସତ୍ୟ ବୋଲି ନମାନି ମଣିଷ ମଣିଷ ଭିତରେ ମାନବୋଚିତ ସଂପର୍କକୁ ହିଁ ସତ୍ୟ ବୋଲି ମାନିଲେ ସଂସାରରେ ମୋତେ ଅନେକ ବୋକା ବୋଲି କହିବେ, ଅନେକ ସ୍ଥାନରେ ମୋତେ ତତ୍କାଳିକ କ୍ଷତି ସହିବାକୁ ପଡ଼ିବ, ଅନେକ କ୍ଷେତ୍ରରେ ଅନେକ ସଫଳତାକୁ ମୋତେ ବଞ୍ଚିତ ହେବାକୁ ପଡ଼ିବ, —ସେକଥା ମୁଁ ଭଲ କରି ଜାଣିଚି । ତଥାପି ମୁଁ ଜାଣିଶୁଣି ଏହି ବାଟକୁ ମୋ’ର ଆପଣାର ବାଟ ବୋଲି ଗ୍ରହଣ କରିଚି । ମୋ’ ଚତୁର୍ଦ୍ଦିଗରେ ଅବିଶ୍ଵାସ ହିଁ ବଢ଼ୁଥିବା ସମୟରେ ମୁଁ ଯେ ବିଶ୍ଵାସକୁ ହିଁ ପାଥେୟ କରି ବାଟ ଚାଲିବାକୁ ମନସ୍ଥ କରିଚି, ସେଥିରେ ମୋତେ ଯେ ଅନେକେ ନିର୍ବୋଧ ବୋଲି କହିବେ, ଏଥିରେ ଆଶ୍ଚର୍ଯ୍ୟ ହେବାର ଆଉ କ’ଣ ରହିଚି ? କିନ୍ତୁ ମୁଁ ତଥାପି ଆପଣା ପ୍ରତି ବିଶ୍ଵାସଘାତକତା କରି ପାରୁନାହିଁ । ମୋ’ର ଅନ୍ତର ଭିତରେ ମୁଁ ଯାହାକୁ ସତ୍ୟ ବୋଲି ବୁଝୁଚି, ସେହି ଅନୁସାରେ ହିଁ ମୁଁ ମୋର ବିଶେଷ ସ୍ପୃହା ନାହିଁ । ସଂସାରରେ କେବଳ କ୍ଷମତାର ବଡ଼େଇରେ ବଡ଼ ହୋଇ ଜିଣିବାକୁ ଚେଷ୍ଟା କରୁଥିବା ଲୋକମାନଙ୍କୁ ମୁଁ ବଡ଼ ଦରିଦ୍ର ଓ ବଡ଼ ନିଃସ୍ଵ ବୋଲି ମନେକରେ, ବଡ଼ ଦୁର୍ଭାଗ୍ୟ ବୋଲି ଜାଣେ ।

 

୬ । ୯ । ୬୧

 

ସଂସାରରେ ସବୁ ଦଳ ଓ ସବୁ ଶିବିର ଆଜି ମୋତେ ଘୃଣା କରିବାକୁ ପ୍ରରୋଚନା ଦେଉଚନ୍ତି । ତଥାପି ମୁଁ ଭଲ ପାଇବି, ସମସ୍ତେ ମୋତେ ସବୁପ୍ରକାର ମୂର୍ତ୍ତିକୁ ଭାଙ୍ଗି ଦେଇ ଏକ ବନ୍ଧନହୀନ ଓ ନିର୍ଭରହୀନ ନାସ୍ତିବାଦ ଭିତରେ ଜୀବନ ଯାପନ କରିବାକୁ ଭାରି ପ୍ରୋତ୍ସାହନ ଦେଉଚନ୍ତି । କିନ୍ତୁ ମୁଁ ଆପଣାର ଅନ୍ତର ଇତିରେ ଅଟଳ ବିଶ୍ୱାସର ମୂର୍ତ୍ତି ସ୍ଥାପନ କରିବି । ସମସ୍ତେ ମୋତେ କୌଣସି ନା କୌଣସି ଦାସତାର ମାର୍କା ପିନ୍ଧି ମରିଯିବାକୁ ଚାହୁଚନ୍ତି, ମୁଁ ସବୁପ୍ରକାର ସାଜ ଛାଡ଼ି ଆପଣା ବିଶ୍ଵାସ ଓ ଭକ୍ତି ଉପରେ ହିଁ ଠିଆ ହେବାକୁ ଚେଷ୍ଟା କରିବି । ଏହା ବ୍ୟତୀତ ଅନ୍ୟ କୌଣସି ପନ୍ଥାକୁ ହିଁ ମୋର ପନ୍ଥା ବୋଲି ସ୍ଵୀକାର କରିବାକୁ ରାଜି ନୁହେଁ । ସଂସାରରେ ଯେତେ ପନ୍ଥା ରହିଚି, ସେ ସବୁ ନାନା ଭାବରେ ମନୁଷ୍ୟକୁ ଅସ୍ଵୀକାର କରିବାର ଫନ୍ଦି କରିଚି, ସେ ସବୁ ଔପଚାରିକ ଭ୍ରମର ଆଡ଼ମ୍ବର ମେଲାଇ ମଣିଷକୁ ମାରିଦେବାର ଚକ୍ରାନ୍ତ କରିଚି । ଇତିହାସରେ ଏହିସବୁ ପନ୍ଥାର ଅନେକ ପରୀକ୍ଷା ହୋଇସାରିଚି,–ଏହି ପରୀକ୍ଷାର ପରିଣାମ ସ୍ୱରୂପ ଜଗତରେ ଦ୍ଵନ୍ଦ ବଢ଼ିଚି, ମଣିଷ ଭିତରେ ଓ ବାହାରେ କେବଳ ସଂଘାତ ହିଁ ବଢ଼ିଚି, ଅବିଶ୍ଵାସ ହିଁ ବଢ଼ିଚି, ମଣିଷ ଭିତରେ ଓ ତା’ର ସାମୂହିକ ଜୀବନରେ ଯୁଦ୍ଧର ବୀଜ ବୁଣା ହୋଇଚାଲିଚି । ମୁଁ ଏହି ଚକ୍ରାନ୍ତରୁ ବଞ୍ଚିବାକୁ ଚାହେ । ସତ କହୁଚି, ଏପରି ଯୁଦ୍ଧ ଲଢ଼ିବାରେ ମୋ’ର ଏତେ ଟିକିଏ ହେଲେ ଆଗ୍ରହ ନାହିଁ । କାରଣ, ସଂସାରକୁ ମୁଁ ସ୍ନେହ ସମ୍ପର୍କର ଭୂଇଁ ବୋଲି ଗ୍ରହଣ କରିଚି । ଯୁଦ୍ଧର ଭୂଇଁ ହିସାବରେ ଗ୍ରହଣ କରିନାହିଁ । ଏ ବିଷୟରେ ମୁଁ କୌଣସି ବିଜ୍ଞ ବା ବିଶେଷଜ୍ଞ ବ୍ୟକ୍ତିର କୌଣସି ଯୁକ୍ତି ଶୁଣିବାକୁ ରାଜି ନୁହେଁ । ଏହା ମୋ’ର ବିଶ୍ଵାସ, ମୋ’ର ଜୀବନକୁ ଧରି ରଖିବାର ଧର୍ମ ଏ । ଏଥିରେ ବୁଦ୍ଧିଲାଗି କୌଣସି ସ୍ଥାନ ନାହିଁ । ମୋ’ର ଆପଣାର ଜୀବନରେ ମୁଁ ମୋ’ର ବୁଦ୍ଧିକୁ ମୋ’ର ବିଶ୍ଵାସର ଅନୁସରଣ କରାଇବାର ଚେଷ୍ଟା କରି ଆସିଚି । ମୋର ଜୀବନରେ ଏ ପର୍ଯ୍ୟନ୍ତ ବୁଦ୍ଧି ଓ ବିଶ୍ଵାସ ମଧ୍ୟରେ କୌଣସି ସଂଘାତ ହୋଇନାହିଁ । ଏହି ବାଟ ଅବଶ୍ୟ ହେବା ଉଚିତ, ଏପରି ପାଗଳାମି କରିବାର କୌଣସି ଧୃଷ୍ଟତା ମୁଁ କରିବି ନାହିଁ । କିନ୍ତୁ ମୋ’ର ବିଶ୍ଵାସ ଅନୁସାରେ ମୁଁ ସ୍ୱନିର୍ବାଚିତ ବାଟରେ ଯିବାକୁ ଚାହେ, ଏଥିରେ ମୁଁ କୌଣସି ବ୍ୟତିକ୍ରମ ଚାହେନାହିଁ ।

 

୭ । ୯ । ୬୧

 

ମୋ’ର କଳ୍ପନା ଭିତରେ ଦିନେଦିନେ ମୁଁ ଜଗତର କଳନା କରିବସେ, ମୋ’ ଆପଣା ଜୀବନର ମଧ୍ୟ କଳନା କରିବସେ । ବାହାରେ ଭୋଗ, ବୁଦ୍ଧି ଓ ସମ୍ପର୍କର ସାଧନ ଓ ସାମଗ୍ରୀ ବଢ଼ିବା ସଙ୍ଗେ ସଙ୍ଗେ ଜଗତ ଆଗକୁ ଯାଉଚି ବୋଲି ଯେଉଁମାନେ ଯୁକ୍ତି କରିଥାନ୍ତି, ସେମାନଙ୍କର ସମସ୍ତ ଯୁକ୍ତି ସେତେବେଳେ କେବଳ ମିଛ ବୋଲି ଦେଖାଯାଏ । ମୋ’ ନିଜ ଭିତରେ ମୁଁ ପ୍ରକୃତରେ ଯେତିକି ଆଗକୁ ଯାଉଚି, ମୋର ଜୀବନ ଠିକ୍‌ସେତିକି ହିଁ ଆଗକୁ ଯାଉଚି । ମୋ’ର ଚାରିପାଖରେ ମୋତେ ବଢ଼ି ରହି ମୋ ସଂସାରକୁ ଗହଳି କରି ଦେଖାଉଥିବା ସାଜସରଞ୍ଜାମ ମୋତେ ଆଗକୁ ଯିବାକୁ ଖୁବ୍ ବେଶୀ ସାହାଯ୍ୟ କରି ପାରୁନାହିଁ । ଆପେ ଭିତରେ ପ୍ରସ୍ତୁତ ହୋଇ ମୁଁ ଯେତିକି ସେହିସବୁ ସାଜସରଞ୍ଜାମ ଆପଣା ଯାତ୍ରାର ଉପକରଣ ରୂପେ ଲଗାଇ ପାରିବାର ସମର୍ଥ ଅର୍ଜନ କରିପାରୁଚି, ହୁଏତ ମୋର ଜୀବନରେ ସେଗୁଡ଼ିକ ସେତିକି ସହାୟକ ହୋଇପାରୁଚନ୍ତି । ମୁଁ ଯେତେ ସାଜ ଓ ସାଧନର ଅଧିକାରୀ ହୋଇ ରହିଲେ ମଧ୍ୟ ଯେତେବେଳେ ଯାଏ ଭିତରେ ଜଡ଼ ହୋଇ ବସିଚି, ସେତେବେଳେ ଯାଏ ମୋ’ ଭିତରେ ଭୟ ରହିଚି । ସଂସାରଟାକୁ ମୁଁ ଯେତେବେଳେ ଯାଏ ପ୍ରଧାନତଃ ଶତ୍ରୁଶିବିର ବୋଲି ମନେ କରୁଚି, ସେତେବେଳେ ଯାଏ ବାହାରର ଅତିଶୟତା ମୋ’ର କି ଉପକାର କରିପାରିବି, ମୋତେ କି ସହାୟତା ଦେଇପାରିବ ?

 

୮ । ୯ । ୬୧

 

ଭଗବାନଙ୍କର ନିର୍ଭର, ଆପଣା ଉପରେ ଅଟଳ ଆତ୍ମବିଶ୍ଵାସ ଓ ଜିବ୍ରାଲ୍‌ଟର ପରି ଅଭେଦ୍ୟ ଶକ୍ତି : ଏକାନ୍ତ ଜୀବନକୁ ଆପଣା ସ୍ଵାଭାବିକ ଜୀବନରେ ପରିଣତ କରି ସେଥିରୁ ନିରନ୍ତର ଆନନ୍ଦ ପାଇବାକୁ ହେଲେ ଆମେରିକାର ସ୍ଵର୍ଗତଃ ଲେଖକ Thomas Wolfeଙ୍କ ମତରେ ଏହି ତିନୋଟି କଥା ଅତ୍ୟନ୍ତ ଆବଶ୍ୟକ । ତାଙ୍କର ଏହି ଲେଖାଟି ପଢ଼ିଲାବେଳେ ମୁଁ ବାରବାର ଆପଣାର ଜୀବନ ବିଷୟରେ ଭାବୁଥିଲି । ବାହାର ଦୃଷ୍ଟିରୁ ମଣିଷ ଏକାକୀ ରହୁଥାଉ ବା ଅନ୍ୟମାନଙ୍କର ମେଳରେ ରହୁଥାଉ, ତା’ର ଆପଣା ରାସ୍ତାରେ ବାଟ ଚାଲିବା ସମୟରେ ତାକୁ ଏକ ପ୍ରକାରର ଅନିର୍ବାଚନୀୟ ଐକାନ୍ତିକତା ଅନୁଭବ କରିବାକୁ ହିଁ ପଡ଼ିଥାଏ, ତେବେଯାଇ ତାହାର ବାଟ ଚାଲିବାକୁ ସେ ସଂପୂର୍ଣ୍ଣ ଓ ସୁଗଠିତ ଭାବରେ ଅନୁଭବ କରିପାରେ । ମଣିଷର ଦୃଷ୍ଟି ଯେତିକି ପରିପକ୍ୱ ହେବାର ଲାଗିଥାଏ, ସେ ଆପାଣର ଯାତ୍ରାପଥ ଉପରେ ଏହି ଐକାନ୍ତିକ ଶାନ୍ତିକୁ ସେତିକି ଆବିଷ୍କାର କରିଥାଏ । ତେଣୁ, ଐକାନ୍ତିକ ଜୀବନକୁ ମୁଁ ସାଧାରଣ ଜୀବନର ବହିର୍ଗତ କୌଣସି ଜୀବନ ବୋଲି ମାନିବିନାହିଁ; ପ୍ରତ୍ୟେକ ମଣିଷର ସ୍ଵାଭାବିକ ଜୀବନର ଅନୁଭୂତି ଗଭୀର ହେଲେ ସେ ବଡ଼ ସହଳ ଭାବରେ ଏହିପରି ଏକ ଐକାନ୍ତିକତାକୁ ବରଣ କରି ନେଇଥାଏ, —ମୁଁ ଏହାହିଁ ସ୍ଵୀକାର କରିବି । ଏଥିପାଇଁ ଭଗବାନଙ୍କର ନିର୍ଭର ଅବଶ୍ୟ ଦରକାର, —ଜୀବନରେ ସବୁ ନିର୍ଭରର ମୂଳରେ ଯାଇ ପହଞ୍ଚିଲେ ଯେଉଁ ନିର୍ଭର ମିଳିଥାଏ, ସେହି ନିର୍ଭର । ଏଥିପାଇଁ ଅଟଳ ଆତ୍ମବିଶ୍ଵାସ ମଧ୍ୟ ଦରକାର । ଜଗତ ଓ ଜୀବନ ବିଷୟରେ ଭୟ କଟିଗଲେ ଆପଣା ଭିତରୁ ଯେଉଁ ସ୍ଵୀକୃତି ଓ ବିଶ୍ଵାସ ମିଳିଥାଏ, ସେହି ବିଶ୍ଵାସ । ଆଉ, ଏକ ଦୃଢ଼ ଶିଳାଖଣ୍ଡ ପରି ଅବିଚଳିତତା ମଧ୍ୟ ଦରକାର । ଲାଭ ଓ କ୍ଷତିରେ ସୁଖ ଓ ଦୁଃଖ ନେଇ ମୁଗ୍‌ଧ ହୋଇ ବସିବାର ଦୁର୍ଗତି ଦୂର ହୋଇଗଲେ ଭିତରେ ଯେଉଁ ଦୃଢ଼ତାର ଅନୁଭୂତି ଆସିଥାଏ, ସେହି ଦୃଢ଼ତା । ମୋ’ର ଜୀବନରେ ମୁଁ ଏହି ତିନୋଟିଯାକକୁ ଅବଲମ୍ବନ କରିବି, ଓ ତା’ ସହିତ ଶ୍ରଦ୍ଧାର ମାଧୁରୀ ମିଶାଇଦେବି ।

 

୯ । ୯ । ୬୧

 

ସଂସାରର ଚାରିଆଡ଼େ ଷଡ଼ଯନ୍ତ୍ର ହେଲାପରି କେବଳ ମୂର୍ତ୍ତି ଭାଙ୍ଗି ଦେବାର ବରାଦ ଚାଲିଚି । ଏଇ ଭାଙ୍ଗିଦେବାରେ ଯେପରି ସବୁ କାମ ସରିଯାଉଚି । ଯାହା ଭାଙ୍ଗିଲା, ତାହାର ଜାଗାରେ ଅଧିକ ନୂତନ ଓ ଅଧିକ ଜୀବନଦାୟୀ କିଛି ଗଢ଼ି ଥୋଇବାର କିଛି ଯୋଜନା ନାହିଁ । ଏହି ଯୋଜନାର ଅଭାବରେ ମଣିଷର ମନ ଭିତରୁ ଆଜି ସମସ୍ତ ସ୍ନେହ, ପ୍ରେମ, ଶ୍ରଦ୍ଧା ଓ ବିଶ୍ଵାସ ଖାଲି ଭାଙ୍ଗି ଭାଙ୍ଗି ଯାଉଚି, କେବଳ ଏକ ଅରାଜକ ନେତିବାଦର ତାପରେ ଆମ ଜୀବନଦୃଷ୍ଟି ତପ୍ତ ହେବାରେ ଲାଗିଚି । ଆଗରେ ଆଉ କୌଣସି ରାସ୍ତା ନାହିଁ; କୌଣସି ଲକ୍ଷସ୍ଥଳ ଥିଲେ ସିନା ରାସ୍ତା ରହିବାର ପ୍ରଶ୍ନ ଉଠୁଥାନ୍ତା ? ଖାଲି ଚାଲିଯିବାକୁ ହେବ, —ଏକପ୍ରକାର ଉତ୍ତେଜିତ ପରାଜୟବାଦ ମଣିଷକୁ ବେଶ୍ ଉଗ୍ର ଭୋଗବାଦୀ କରିବାରେ ସାହାଯ୍ୟ କରୁଚି । ଖୋଜିବାର କୌଣସି ଶ୍ରଦ୍ଧା ବା ଇଚ୍ଛାର ଆଉ କୌଣସି ଆବଶ୍ୟକତା ନାହିଁ । ଭିତରେ ଏକପ୍ରକାରର ମୌଳିକ ତ୍ରାସ ଓ ଅନିଶ୍ଚିତତା ହିଁ ମଣିଷ ଜୀବନର ସର୍ବପ୍ରଧାନ ଉତ୍‌ପ୍ରେରକ ହେବାରେ ଲାଗିଚି । ଆଜି ସକାଳେ ପ୍ରାର୍ଥନାମନ୍ତ୍ରରୁ ଦୁଇପଦ ଉଚ୍ଚାରଣ କଲା ମାତ୍ରକେ ମନେ ହେଲା, ମୋ’ର ବିଶ୍ଵାସ ଦରକାର, ସମ୍ମୁଖରେ ଏକ ଉଦ୍ଦେଶ୍ୟ ଦରକାର, ଅନ୍ତର ଭିତରେ ଏକ ମୂର୍ତ୍ତି ଦରକାର । ବିଡ଼ମ୍ବିତ ସଂସାର ସହିତ ମୁଁ ଖାପ ଖାଇ ନପାରିଲେ ମଧ୍ୟ ମୋ’ର ଏସବୁ ଦରକାର, ଜୀବନର ସ୍ତମ୍ଭରୂପେ ମୋର ଏସବୁ ଅବଶ୍ୟ ଦରକାର ।

 

୧୦ । ୯ । ୬୧

 

ମୋ’ର ଜୀବନର ନିରନ୍ତର ଈଶ୍ଵର ନିର୍ଭର ରହିବି, ଅଟଳ ଆତ୍ମବିଶ୍ଵାସ ରହିବ ଏବଂ ଜିବ୍ରାଲ୍‌ଟର ପାହାଡ଼ ପରି ଦୃଢ଼ତା ମଧ୍ୟ ରହିବ । କିନ୍ତୁ ତା’ ସହିତ ଶ୍ରଦ୍ଧାର ମାଧୁରୀ ମଧ୍ୟ ମିଶିକରି ରହିବ । ଅର୍ଥାତ୍, ମୋର ଜୀବନ ପ୍ରଧାନତଃ ଭାବମୟ ହୋଇରହିବ । ଜୀବନ ଓ ଜଗତ ସହିତ ମୋ’ର ସମ୍ପର୍କ ପ୍ରଧାନତଃ ଭାଗବତ ହୋଇ ରହିବ । ମୋ’ ଜୀବନର ଚାରିପାଖରେ କୌଣସି ପ୍ରକାରର ଉଗ୍ର ସଞ୍ଜମର ଉଚ୍ଚ ବାଡ଼ ବସାଇ ମୁଁ ଆପଣାର ଭୂମିକୁ ଗୋଟାଏ ମଠ ପରି ଅସଂଲଗ୍ନ ଓ ଅସ୍ପୃଶ୍ୟ କରି ରଖିବା ନାହିଁ । ନୀରବତା ଓ ଐକାନ୍ତିକତା ମୋତେ ଭାରି ଭଲ ଲାଗେ, ମୋ ସ୍ଵଭାବର ଅନୁକୂଳ ବୋଲି ମନେହୁଏ, କିନ୍ତୁ ଜୀବନ ଓ ଜଗତଠାରୁ କୁଆଡ଼େ ବାହାରି ପଳାଇ ଯିବାକୁ ମୁଁ ଏହି ଐକାନ୍ତିକତା ଚାହେ ନାହିଁ, ଆପଣାର ସବୁ ଦ୍ଵାର ବନ୍ଦ କରିଦେଇ ଆସ୍ଵାଭାବିକ ଭାବରେ ମହାନ୍ ହୋଇ ବସିବା ଲାଗି ମୁଁ ଏହି ନୀରବତା ଚାହେନାହିଁ । ଜଗତ ଓ ଜୀବନକୁ ଅଧିକ ସତ୍ୟରୂପେ ଓ ଅନ୍ତରଙ୍ଗ ରୂପେ ଅନୁଭବ କରିବାଲାଗି ହିଁ ମୁଁ ଏକାନ୍ତ ହୋଇ ରହିବାକୁ ଚାହେ । ଜୀବନର ବିଶ୍ଵରୂପକୁ ଆପଣାର ଅନ୍ତର ଭିତରେ ଅନୁଭବ କରିବାକୁ ହିଁ ଧ୍ୟାନସ୍ଥ ହୋଇ ବସିବାକୁ ଚାହେଁ । ଏହି ଧ୍ୟାନ ଓ ଏହି ଐକାନ୍ତିକତା ମୋତେ ସବୁରି ସହିତ ଏକାତ୍ମ ହେବାକୁ ଶିଖାଇବ, ସଂସାରଭରାପୁଲକ ପରଶରେ ପୁଲକିତ ହେବାକୁ ଶିଖାଇବ ଓ ଆକାଶଭରା ଜୀବନମୟତାରେ ସ୍ପନ୍ଦିତ ହେବାକୁ ଶିଖାଇବ । ଏ ନିର୍ଜନ ଘର, ମଣିଷଛଡ଼ା ଏଇ ଘର ଯେପରି ମୋ’ର ଚାରିପାଖରେ ଆପଣାର କାନ୍ଥଗୁଡ଼ାକୁ ଆହୁରି ଅଧିକ ନିବୁଜ କରି ନଆଣେ, ଯେପରି ଚାରିଆଡ଼ୁ ଚାପିଦେଇ ମୋତେ ଅତ୍ୟନ୍ତ ଏକାକୀ କରି ନ ଦିଏ । ଯେଉଁ ନିର୍ଜନତା ମଣିଷର ଡୋର ଛଡ଼ାଇ ଦିଏ, ସଂସାରରୁ ବାହାର କରି ଆଣେ, ସେହି ନିର୍ଜନତା ଲାଗି ଦୃଢ଼ ହୋଇ ପାରିବାକୁ ମୁଁ ଭିତରେ କୌଣସି ସମର୍ଥନ ପାଇବିନାହିଁ । ଯେଉଁ ନିର୍ଜନତାର ଡେଣା ଉପରେ ବସି ଗୋଟିଏ ଫୁଲକୁ ଅନ୍ତର ଭାରି ଦେଖୁ ଦେଖୁ ମୁଁ ସକଳ ସୌନ୍ଦର୍ଯର ଅନୁଭୂତି ପାଏ, ମୋ’ର ତାହାହିଁ ଦରକାର ।

 

୧୧ । ୯ । ୬୧

 

ଆଜି ବଡ଼ିସକାଳୁ ପୂର୍ବ ଦିଗରେ ଏହି ବର୍ଣ୍ଣଚ୍ଛଟାର ମହିମା ସମସ୍ତ ଆକାଶ ଭରି ରହିଥିବା ମେଘପରସ୍ତକୁ ମଧ୍ୟ ଏକ ଅପୂର୍ବ ବର୍ଣ୍ଣପୁଲକରେ ରଞ୍ଜିତ କରି ରଖିଚି । ମେଘର କଳା ଦେହ ମଧ୍ୟ ଏହି କିରଣର ଆନନ୍ଦ ବାଜି ଉଦ୍‌ଭାସିତ ହୋଇ ଉଠୁଚି । ସକାଳୁ ସ୍ନାନ ସରି ଦିନଲିପି ଲେଖିବାକୁ ଯାଉଥିଲା ବେଳେ ହଠାତ୍ ଏହି ଉତ୍ସବ-ଆମନ୍ତ୍ରଣର ହାବୁଡ଼ାରେ ପଡ଼ିଗଲି । ଏଥିରେ ମୋ’ର ଧ୍ୟାନଭଙ୍ଗ ହେଲା ବୋଲି କହିବ ଯଥାର୍ଥ ହେବନାହିଁ, କାରଣ ମୋ’ର ଦିବସର ପ୍ରଥମ କର୍ତ୍ତବ୍ୟ ଉପରେ କେନ୍ଦ୍ରିତ ହୋଇ ଆସୁଥିବା ଧ୍ୟାନ ହଠାତ୍ ସେହି ଆକାଶ ଉପରେ ଯାଇ ଏକୀଭୂତ ହୋଇଗଲା । ଅନ୍ତରର କନ୍ଦର ଭିତରେ ମଧ୍ୟ ଆଜିର ସୂର୍ଯ୍ୟୋଦୟ ଲାଗି ଅପେକ୍ଷା କରି ରହିଥିବା କେଉଁ ବ୍ରତତା ବାଳକର ଆଖିରେ ହଠାତ୍ ଏକ ଅନିର୍ବତନୀୟ ସ୍ପନ୍ଦନ ଖେଳିଗଲା । ମୁଁ ଘରଛାଡ଼ି ବାହାରକୁ ଆସିଲି । ବାହାରର ଆଲୁଅରେ ଘଡ଼ିଏ କାଳ ଏକମନ ଓ ଏକଧ୍ୟାନ ହୋଇ ପଦଚାରଣ କରିବାକୁ ଲାଗିଲି । ଦୂରରେ ଥିବା ଦିଗ୍‌ବଳୟକୁ ଅନାଇଲି, ଗାଆଁ ସୀମାରୁ ଦେଖା ଯାଉଥିବା ବନାନିର ରେଖାଆଡ଼କୁ ଅନାଇଲି । ମୋ’ ବଗିଚାରେ ସୁକୁମାର ସୌଷ୍ଠବରେ ବଢ଼ି ଉଠୁଥିବା ଫୁଲଗଛ ଗୁଡ଼ିକୁ ଆଡ଼କୁ ଅନାଇଲି । ସବୁ ଭାରି ଲାଗିଲା । ଏଠି ଆଉ ସେଠି ପରସ୍ପର ଭିତରେ ମୁଁ କୌଣସି ପ୍ରଭେଦ ଦେଖି ପାରିଲିନାହିଁ । ତମହାଡ଼ର ବାଡ଼ ଅଦୃଶ୍ୟ ହୋଇଗଲା । ଦାତା ଓ ଗ୍ରହୀତାର ଭେଦ ଘୁଞ୍ଚିଗଲା ।

 

୧୨ । ୯ । ୬୧

 

ମୋ’ ମୁହଁର ସମସ୍ତ କଥାକୁ ସେ ତାଙ୍କର ନାମରେ ଧୌତ କରି ରଖିବେ, ମୋ’ର ନୀରବତାକୁ ମଧ୍ୟ ସେ ସେହି ନାମର ସ୍ପର୍ଶ ଦ୍ଵାରା ସଂଜୀବିତ କରି ରଖିବେ । କୌଣସି ପ୍ରକାର Theologyର ଆଶ୍ରା ନେବାପାଇଁ ମୁଁ ଏପରି କହୁନାହିଁ; ଏହି ଜୀବନରେ ଆପଣାର ଆକାଂକ୍ଷା ଓ ଆସକ୍ତି ବିଷୟରେ ମୁଁ ସେତିକି ଆବିଷ୍କାର କରିଚି, ତାହାରି ବଳରେ ଅତି ସ୍ଵାଭାବିକ ଭାବରେ ଆଜି ମୁଁ ଏକଥା କହୁଛି । ସବୁପ୍ରକାର Theologyର ଆଶ୍ରାକୁ ଅସ୍ଵୀକାର କରି ଆସିବା ପରେ ହିଁ ମୁଁ ଏହି ଆବିଷ୍କାର କରି ପାରିଚି, ଏପରି କହିବାକୁ ମଧ୍ୟ ମୁଁ ଆଜି କୌଣସି ପ୍ରକାର ସଙ୍କୋଚଭାବ ଅନୁଭବ କରୁନାହିଁ । ସେଇଥିପାଇଁ ଗୁରୁଦେବଙ୍କର ଲେଖା ଏଇ କେତେ ଧାଡ଼ୀ ସ୍ଵୀକାରମନ୍ତ୍ର ଆପଣାଛାଏଁ କଣ୍ଠରୁ ବାହାରି ଆସିଲା ବେଳକୁ ସମସ୍ତ ଦେହ ଭାରି ମୁଁ ଆଜି ଏକ ସ୍ଵଚ୍ଛ ସ୍ଵେଚ୍ଛାକୃତ ସମର୍ପଣର ରୋମାଞ୍ଚ ଅନୁଭବ କରୁଚି । ଏହି ରୋମାଞ୍ଚକୁ ବୁଝାଇ କହିବା ଲାଗି କୌଣସି ଯୁକ୍ତି ନାହିଁ । ତଥାପି ଏହାକୁ ମୋ’ର ଅନୁଭୂତିର ପରମ ସତ୍ୟ ବୋଲି ଗ୍ରହଣ କରିନେବାକୁ ମୁଁ ଏକ ପରମ ସମର୍ଥନ ମଧ୍ୟ ଅନୁଭବ କରିପାରୁଚି । ସମସ୍ତ ଜଗତ ଆଜି ଏହି ନାମକୁ ଆଶ୍ରାକରି କେତେ ପ୍ରକାରେ ଉଚ୍ଛନ୍ନ ହେବାକୁ ବସିଚି, ଆସ୍ତିକ ନାସ୍ତିର ଉଭୟେ ଏହି ନାମର theology କୁ ସବୁ ଦୁଷ୍ଟତାର ସମ୍ମାର୍ଜନୀ ବୋଲି ଧରିନେଇ କେତେ ପ୍ରକାରେ ମସ୍ତ ହୋଇରହିଚନ୍ତି । ମୋ’ର ନାମ ମୋତେ ଉଚ୍ଛନ୍ନ କରିବନାହିଁ, ମୋ’ର ନାମ ମୋତେ ନିଶା ଖୁଆଇ ଭୋଳ କରି ରଖିବନାହିଁ । ମୋ’ର ନାମ ଜୀବନର ସକଳ କ୍ଷେତ୍ରରେ ମଧୁରତା ଭରିଦେବ । ଏହି ନାମକୁ ନେଇ ମୁଁ କାହାରି ସହିତ କୌଣସି ଯୁଦ୍ଧ ଲଢ଼ିବାକୁ କଦାପି ଯିବିନାହିଁ । ଏହି ନାମର ଦ୍ଵାହି ଦେଇ ମୁଁ କାହାରି ପାଖରେ କୌଣସି ଦୁରାଚାର କରିବିନାହିଁ । ଏହା ମୋ’ର ଭିତରେ ହିଁ ରହିବ, ମୋ’ ଧ୍ୟାନର ପରମ ସମ୍ପଦ ହୋଇରହିବ ।

 

୧୩ । ୯ । ୬୧

 

ବିନୋବାର ଜନ୍ମଦିନରେ ବିନୋବାକୁ ଆପଣାର ସାଥୀ କରି ରଖିବ ବିଷୟରେ ଅନେକ ଚିନ୍ତା କରିଥିଲି । କିନ୍ତୁ ଅନ୍ଧର ଯଷ୍ଟି ହିସାବରେ ନୁହେଁ, ସାଥୀ ହିସାବରେ ପାଇବା ଲାଗି କାମନା କରିଥିଲି । ବଡ଼ ଅଦୃଶ୍ୟ ଅଥଚ ବଡ଼ ସ୍ପଷ୍ଟ ଭାବରେ ମୋ’ର ପାଖେ ପାଖେ ରହି ବିନୋବା ମୋତେ ପ୍ରେରଣା ଦେଉଥିବ । ଆପଣାକୁ ଓ ଜଗତକୁ ଅଧିକ ସତ୍ୟ କରି ବୁଝିବା ଲାଗି ସିଏ ସତତ ପ୍ରେରଣା ଦେଉଥିବ, ଆପଣାକୁ ଓ ଜଗତକୁ ଅଧିକ ଅନ୍ତରଙ୍ଗ ଭାବରେ ପାଇବା ଲାଗି ସିଏ ଅଧିକ ଅନ୍ତର୍ଦୃଷ୍ଟି ସକାଶେ ପ୍ରେରଣା ଦେଉଥିବ । ଏ ସଂସାରରେ ମୁଁ କାହାରି ଚେଲା ହେବାକୁ ଆସିନାହିଁ । ତେଣୁ ବିନୋବାର ଚେଲା ହେବାରେ ମଧ୍ୟ ମୋର କୌଣସି ଆଗ୍ରହ ନାହିଁ । ମୁଁ ଜୀବନରେ କେବଳ କାହାରି ଅନୁକରଣ କରିବାକୁ ଚାହେଁ ନାହିଁ, ତେଣୁ ଆର୍ତ୍ତ ସ୍ତାବକର ଦୁର୍ବଳ ଉଗ୍ରସାଜ ପିନ୍ଧି ମୁଁ କଦାପି ବିନୋବାର ଅନୁକରଣ କରିବିନାହିଁ; ବିନୋବାର ବିଚାରକୁ ନେଇ କଦାପି କୌଣସି theology ନିର୍ମାଣ କରି ରଖିବାର ଚେଷ୍ଟା କରିବିନାହିଁ । ତା’ହେଲେ ବିନୋବାର ଦେହ ଏହି ସଂସାରରୁ ବିଦାୟ ନେଇ ଯାଉ ଯାଉ ଯଷ୍ଟି ହରାଇ ପକାଇଥିବା ଅନ୍ଧ ପରି ମୁଁ ଆହୁରି ଗୋଟାଏ ଯଷ୍ଟିର ଅନୁସନ୍ଧାନ କରି ବସିବି, —ଆପେ ଏ ସଂସାରରେ ବାଟ ଚାଲିବା ଓ ଆପଣା ଲାଗି ବାଟ ପ୍ରସ୍ତୁତ କରିବା ଆଉ ମୋ’ ଲାଗି କସ୍ମିନ୍ କାଳେ ସମ୍ଭବ ହୋଇପାରିବିନାହିଁ । ଦୁର୍ବଳ ମଣିଷ ଯାହା ଉପରେ ଅବଲମ୍ବନ କରି ଶାନ୍ତି ପାଏ, ସେ କଦାପି ତାହାକୁ ଶ୍ରଦ୍ଧା କରି ପାରେନାହିଁ; କେବଳ ମୁଗଧ୍ ହୁଏ । କେବଳ ବାନ୍ଧିଛନ୍ଦି ବିକୃତ କରି ପକାଏ ।

 

୧୪ । ୯ । ୬୧

 

ଏ ରାତି ବେଳେବେଳେ ମୋତେ କାଳରାତ୍ରି ପରି ସନ୍ତସ୍ତ କରିବାକୁ ଆସୁଚି । ଦିନର ଆଲୁଅ, ଦିନର ଆକାଶ ଓ ଦିନର ଆନନ୍ଦ ନଭି ଆସିଲା ପରେ ସତେ ଯେପରି ମୋ’ର ଜୀବନର ସକଳ ଭରସା କୁଆଡ଼େ ଅପସରି ଯାଉଚି, ସତେ ଅବା ମୋ’ର ଗୋଡ଼ ଖସି ଖସି ଯାଉଚି, ମୋ’ର ହୃଦୟକୁ ସମାଚ୍ଛନ୍ନ କରି ସତେଅବା କେତେ ଭୟର ଅନ୍ଧକାର ମାଡ଼ି ମାଡ଼ି ଆସୁଚି । ମୋ’ର ସମସ୍ତ ପ୍ରାର୍ଥନା ମନ୍ତ୍ର ଏହି ଭୟର ଖଳଦର୍ପ ପାଖରେ କୁଆଡ଼େ ବୁଡ଼ି ଯିବାପରି ମନେ ହେଉଚି । ଇଚ୍ଛା ବା ଅନିଚ୍ଛାରେ କୌଣସି ସାମର୍ଥ ରହୁନାହିଁ, କେବଳ କେଉଁ ଭୟଙ୍କର ଓ ଉତ୍କଟ ପାଖରେ ଅତି ଦୀନହୀନ ଭାବରେ ଆତ୍ମସମର୍ପଣ କରିବା ବ୍ୟତୀତ ସେତେବେଳେ ଆଉ କୌଣସି ଗତି ହିଁ ରହୁନାହିଁ । ଏବେ D.H. Lawrenceଙ୍କର Night-Self ନାମକ ଗୋଟିଏ କ୍ଷୁଦ୍ରରଚନା ପଢ଼ୁଥିଲି । ମାନବିକ ଭାବଜୀବନରେ ଦିନ ପରି ରାତ୍ରିର ମଧ୍ୟ ଏକ ଆତ୍ମା ରାଜତ୍ଵ କରୁଚି ବୋଲି ସେ ଉଲ୍ଲେଖ କରିଚନ୍ତି । ଦିନର ଆତ୍ମା ମଣିଷକୁ ନାନା ପ୍ରଭାରେ ପରାନ୍ଵିତ କରେ, ରାତି ଚତୁର୍ଦ୍ଦିଗରୁ ଅନ୍ଧକାରରେ ଫାଶ ଘେରାଇ ଆଣି ମଣିଷକୁ ଏକ ଦେହସର୍ବସ୍ଵ ଆତୁରତା ଭିତରେ ବଡ଼ ବିମୁଢ଼ କରି ପକାଇଦିଏ । ରାତିରେ ମଣିଷ ଦେହର ଅଧୀନ ହୋଇପଡ଼େ, ଅର୍ଥାତ୍ କେବଳ ଦେହର ଦାବୀଟା ହିଁ ତା’ର ମନ ଭିତରେ ପ୍ରବଳତମ ଦାବୀ ବୋଲି ପ୍ରତୀତ ହୁଏ, ଅନ୍ୟ ସକଳ ପ୍ରକାର ଦାବୀ ସେହି ସମୟ ଲାଗି ପଛରେ ପଡ଼ିରହେ । ଦେହର ସମସ୍ତ ସମ୍ଭୋଗେଚ୍ଛା ଓ ମିଳନଚ୍ଛା ସେତେବେଳେ ତା’ର ଅନ୍ୟ ସମସ୍ତ ଇଚ୍ଛାକୁ ଘୋଡ଼ାଇ ପକାଏ । ତାହାରି ଭିତରେ ରାତିଯାକ ବୁଡ଼ି ରହିବାପରେ ପୁଣି ସକାଳ ସମୟରେ ଘଟ ବଦଳାଇବା ବେଳେ ମଣିଷ ଭାରି ଲଜ୍ଜିତ ହୋଇପଡ଼େ-। ଆଜି ସକାଳେ ମୋ’ ଭିତରକୁ ଦିନର ଆଲୁଅକୁ ପ୍ରତିଫଳକ କରି ନେଉ ନେଉ ମୁଁ ଭାବୁଚି, ଯିଏ ଦିନ ତିଆରି କରିଚି, ସେଇ ତ ରାତିକୁ ମଧ୍ୟ ତିଆରି କରିଚି । ଯିଏ ଏହି ଆଲୁଅକୁ ତିଆରି କରିଚି ସିଏ ଏହି ଅନ୍ଧାରକୁ ମଧ୍ୟ ତିଆରି କରିଚି । ତେବେ ମୋର ହୃଦୟ ଭିତରେ ମୁଁ କାହିଁକି ଦୁହିଁଙ୍କୁ ଭାଗ ଭାଗ କରି ରଖିଚି, କାହିଁକି ମୁଁ ଦୁଇ ଭାଗ ରହିଚି ?

 

୧୫ । ୯ । ୬୧

 

ବେଳେବେଳ ଭାରି ଫେରିଯିବାକୁ ମନହୁଏ । ବେଳେବେଳେ ସେହି ଅରଣ୍ୟ ମୋତେ ଭାରି ଟାଣେ । ମନ କହେ, ସେହି ଅରଣ୍ୟ ଭିତରେ ମୁଁ ମୋ’ର ବାଟକୁ ଯେପରି ଭାରି ସ୍ପଷ୍ଟ ଭାବରେ ଦେଖିବାକୁ ପାଉଥିଲି । କିନ୍ତୁ ଏଠି କୋଠାଘର ଭିତରେ ଯେପରି ମୁଁ ବାଟବଣା ହୋଇଯାଉଚି । ନିଜେ ବାଟ ପାଇବା ପରିବର୍ତ୍ତେ ଯେପରି ନାନା ଅଡ଼ୁଆ ଭିତରେ ଛନ୍ଦି ହୋଇଯାଉଚି, ନାନା ଆସାରକୁ ସାର ମନେକରି ଯେପରି ମୁଁ ଗୋଟାଏ ପ୍ରକାର ନିର୍ବୋଧ ବୌଦ୍ଧିକତା ଭିତରେ ଶୀତଳ ହୋଇଯାଉଚି । ଆଜି ମଧ୍ୟ ମୁଁ ଜାଣି ପାରୁନାହିଁ, ଅରଣ୍ୟ ଭିତରେ ଚଢ଼ି ଉଠୁଥିବା ଘରଟି ସେଠି କାହିଁକି ଭାଙ୍ଗି ପଡ଼ିଲା, କାହାର ଅଭିଶାପ ଯୋଗୁଁ ସେହି ଅରଣ୍ୟ ଭିତରେ ସତ୍ତାଲୋଭୀ ଅମଣିଷର ଦୌରାତ୍ମ୍ୟ ପ୍ରବେଶ କଲା । ଏଠି ମୁଁ ମୋର ଚାରିଆଡ଼େ କେବଳ ସତ୍ତା ହିଁ ସତ୍ତା ଦେଖିବାକୁ ପାଉଚି । ଏଠି ମଣିଷର ପରିଚୟ ଦେବାକୁ ସମସ୍ତେ ଭୟ କରୁଚନ୍ତି । ମଣିଷ ପରି ବୁଝିବାକୁ ସମସ୍ତେ ଭୟ କରୁଚନ୍ତି, ମଣିଷ ପରି ସହଜ ଓ ସମ୍ପୂର୍ଣ୍ଣ ହୋଇଯାଇ ମଣିଷ ପାଖରେ ବସିବାକୁ ଏଠି ସମସ୍ତେ ଭୟ କରୁଚନ୍ତି । ଏହି ଶାସନ, ଏହି କର୍ତ୍ତୃତ୍ଵ, ଏହି ପ୍ରାଣହୀନ ନିୟମ ସୁତ୍ରମାନ, —ଏଗୁଡ଼ାକ ଖାଲି ମୋତେ ମୃତ୍ୟୁ ପରି ହିଁ ମନେ ହେଉଚି । ବେଳେବେଳେ ମୋ’ର ସମସ୍ତ ଅନ୍ତର୍ଗତ ଜୀବନ ଭାରି ବିଚଳିତ ହୋଇପଡ଼ୁ । ଭିତରୁ କିଏ ଚିତ୍କାର କରି କହୁଚି, ଆରେ ଭୀରୁ, ବାଟ ଭୁଲିଯାଇ ଏଣେ କୁଆଡ଼େ ଆସିଲୁ ?

 

୧୬ । ୯ । ୬୧

 

ମୋ’ର ସକଳ ହେଉଚି ମୋ’ର ଶରୀର, ମୋ’ର ମନ ତଥା ମୋ’ର ହୃଦୟ ଲାଗି ପାବନ ତୀର୍ଥସ୍ନାନ । କାହିଁକି ମୁଁ ଜାଣେନା, ତଥାପି ଗତିକୁ ମୁଁ ଏପର୍ଯ୍ୟନ୍ତ ଭୟ କରେ । ରାତିରେ ମୋତେ ଭାରି ଏକୁଟିଆ ଲାଗେ । ସମସ୍ତଙ୍କ ଠାରୁ ସାଙ୍ଗ ଛାଡ଼ି ଯାଇଥିଲା ପରି ମନେହୁଏ । ଏହି ବଞ୍ଚିତ ହୋଇ ରହିବାର ଜର୍ଜରତାକୁ ଶାନ୍ତ କରିବା ଲାଗି କେତେ ଆକୁଳ ଭାବରେ ମୁଁ କେତେ ପ୍ରକାରର ସାଥି ଖୋଜି ବୁଲେ । ସେଇଥିପାଇଁ ଅଧିକାଂଶ ଗତିରେ ସକଳ ସଂସାର ଶାନ୍ତ ହୋଇ ଆସିଲାବେଳେ ମୋ’ ଭିତରେ ମୁଁ ଯେପରି ଭାରି ଅଧୀର, ଉଚ୍ଛନ୍ନ ଓ ଚଞ୍ଚଳ ହୋଇପଡ଼େ । କିନ୍ତୁ ସକାଳୁ ଉଠି ପୂର୍ବ ଦିଗକୁ ଅନାଇ ମୁଁ ସବୁ ପାଏ, ସମସ୍ତଙ୍କୁ ପାଏ; ମୋ’ର ସକଳ ଦୁଃଖ ଯେପରି କାହାର ସଙ୍ଗ ପ୍ରସାଦ ଲାଭ କରି ପରଶାନ୍ତ ହୋଇଯାଏ । ସକାଳର ନାନା କର୍ମସଚଳତାରେ ମୋ’ ଚତୁର୍ଦ୍ଦିଗରେ ସଂସାର ଏକ ଅପୂର୍ବ ଚଞ୍ଚଳତାରେ ଚହଲି ଉଠୁଥିବା ସମୟରେ ମୋ’ ଭିତରେ ଯେପରି ସବୁ ଶାନ୍ତ ହୋଇଯାଏ । ପୂର୍ବ ଆକାଶରେ ଆଲୋକର ବୀଣା ଆଜି ବାଜି ଉଠୁଥିଲା ବେଳେ ମୋ’ ର ସମସ୍ତ ସ୍ପନ୍ଦନ ଯେପରି ଏକ ଅବର୍ଣ୍ଣନୀୟ ଅଥଚ ଜୀବନମୟ ନିଷ୍ଫଳତାରେ ସ୍ଥିର ହୋଇରହେ । କେଉଁ ଜନନୀର ନିର୍ଭର ପାଇଲା ପରି ମୁଁ ଯେପରି ଅତି ସହଜ ଭାବରେ ଏହି ଜୀବନର କ୍ରୋଡ଼ ଭିତରକୁ ଡେଇଁପଡ଼େ । ସକାଳର ମହିମାକୁ ସ୍ପର୍ଶ କରି ମୁଁ ଆପଣା ମହିମାର ପରିଚୟ ପାଏ । ଏହି ତୀର୍ଥରେ ସ୍ନାନ କରି ମୋ’ର ଜୀବନର ସକଳ ଅନୁଭୂତି ଶୁଦ୍ଧ ହୁଏ, ସୁସମ୍ପୂର୍ଣ୍ଣ ହୁଏ । ଆଜି ସେହି ସକାଳର ତୀର୍ଥରେ ହୃଦୟ ଭରି ସ୍ନାନ କରୁ କରୁ ମୁଁ ଭାବୁଚି, ଏ ସଂସାରରେ ମୁଁ ପ୍ରକୃତରେ କିଛି ହରାଇନାହିଁ । ବାହାରେ ଯାହାସବୁ ହରାଇଚି, ଭିତରେ ମୁଁ ସେହି ସବୁକୁ ଫେରିପାଇଚି । ମୋ’ ର ସଂସାର ଓ ମୋ’ର ଚେତନା ଏହି ଜଗତର ଅନେକ ଦାନ ଓ ଅନେକ ଆଶାବାଦରେ ପରିପୂର୍ଣ୍ଣ ହୋଇରହିଚି । ତେଣୁ ଆପଣାକୁ ମୁଁ ଏପରି ଦୀନହୀନ ମନେ କରିବି କାହିଁକି ? ମନେ ମନେ ଏପରି ବଞ୍ଚିତ ଅପମାନିତ ହୋଇ ବସିଥିବି କାହିଁକି ?

 

୧୭ । ୯ । ୬୧

 

ସଂସାର ଛାଡ଼ି ଚାଲିଯିବାର ବୈରାଗ୍ୟ ମୋ’ର ଦରକାର ନାହିଁ । ସାରା ସଂସାରରେ ବ୍ୟାପ୍ତ ହୋଇ ପାରିବା ଲାଗି ମୋ’ର ଏହି ବୈରାଗ୍ୟ ଦରକାର । ଜୀବନକୁ ଛାଡ଼ି ଦେଇ ଆଉ କୌଣସି ଗହନକୁ ଚାଲିଯିବା ଲାଗି ଯେଉଁ ବିରକ୍ତି ଦରକାର ସେହି ବିରକ୍ତିକୁ ମୁଁ ବୈରାଗ୍ୟ ବୋଲି କଦାପି କହିବି ନାହିଁ । ଏହି ଜୀବନର ଗହନ ଭିତରେ ରହି ମୁଁ ତପସ୍ୟା କରିବାକୁ ଚାହେ । ଏହି ଜୀବନର ସକଳ କୋଳାହଳ ମଧ୍ୟରେ ହିଁ ମୁଁ ଏକାନ୍ତ ମଧୁର ଆନନ୍ଦ ରସର ଆସ୍ଵାଦନ କରିବାକୁ ଚାହେଁ । ହଁ, କେଉଁଠି ଗୋଟିଏ ଥାନରେ ଲାଖି ନ ରହିବା ଲାଗି ଯେଉଁ ବୈରାଗ୍ୟ ଲୋଡ଼ା, ମୋ’ର ଠିକ୍ ସେହି ବୈରାଗ୍ୟ ଦରକାର । ଆପଣାକୁ ଗୋଟିଏ ବନ୍ଦୀଶାଳା ପରି କରି ତାହାରି ମଧ୍ୟରେ ବନ୍ଦୀ ହୋଇ ରହିବାର ହୀନ ଦଶାରୁ ଉଦ୍ଧାର ପାଇବାଲାଗି ଯେତିକି ବୈରାଗ୍ୟ ଲୋଡ଼ା, ମୋ’ର ସେତିକି ବୈରାଗ୍ୟ ଲୋଡ଼ା । ସକଳ ପ୍ରକାର ମୋହରୁ ମୁକ୍ତ ହୋଇ ସବୁରି ଭିତରେ ପରିବ୍ୟାପ୍ତ ହୋଇ ରହିବା ପାଇଁ ମୋ’ର ବୈରାଗ୍ୟ ଦରକାର । ଏହି ସଂସାରକୁ ଆପଣାର ଘର ବୋଲି ମନେକରି ପ୍ରଧାନତଃ କୃତଜ୍ଞ ହୋଇ ରହିବାକୁ ଯେଉଁ ବୈରାଗ୍ୟ ଦରକାର, ମୁଁ ଆଜି ସେହି ବୈରାଗ୍ୟ ଲାଗି ପ୍ରାର୍ଥନା କରିବି । ଏହି ଭୁବନଭରା ସୌନ୍ଦର୍ଯ୍ୟ ଭିତରେ ମୁଁ ନିର୍ଭୟ ଓ ଅଟଳ ହୋଇ ରହିବି । ମୁହୂର୍ତ୍ତମୁହୂର୍ତ୍ତର ସକଳ ଜର୍ଜରତା ସତ୍ତ୍ୱେ ଏହାହିଁ ମୋ’ର ଅନ୍ତରର ପ୍ରାର୍ଥନା । ସକଳ ଅପଦେବତାର ସକଳ ଷଡ଼ଯନ୍ତ୍ର ସତ୍ତ୍ୱେ ତଥାପି ଅତି ନିଶ୍ଚିତ ଭାବରେ ମୋ’ ଭିତରେ ଯେଉଁ ମଣିଷ ବଞ୍ଚି ରହିଚି, ସକଳ ସହିତ ସମ୍ମିଳିତ ହେବାକୁ ଚାହୁଚି, ସେହି ମଣିଷ ଆଜି ଏହି ବୈରାଗ୍ୟ ଲାଗି କାମନା କରୁଚି ।

 

୧୮ । ୯ । ୬୧

 

ବେଳେବେଳେ ଏ ସଂସାରରୁ ସମସ୍ତ ମନ ଛାଡ଼ିଯାଏ । ମାତ୍ର ତାହା ବୈରାଗ୍ୟ ନୁହେଁ, ତାହା ହେଉଚି ବିରକ୍ତି । ବିରକ୍ତି କେବଳ ଦହନ କରିପକାଏ, ଛାଡ଼ି ଆସିଥିବା ପ୍ରିୟ ସମ୍ପଦର ସ୍ମୃତି ଛାତି ଭିତରେ ଯେତିକି କତୁରି ଦେଇ ଯାଉଥାଏ, ଏଣେ ବାହାରେ ସେତିକି ଉତ୍ତେଜନା ବଢ଼ିବାରେ ଲାଗିଥାଏ । ତେଣୁ ବିରକ୍ତି ରହିଥିବା ପର୍ଯ୍ୟନ୍ତ କୌଣସି ପ୍ରକାର ଛାଡ଼ିବା ସାର୍ଥକ ହୋଇପାରେନାହିଁ, ବିରକ୍ତି ପାଇବାର ଓ ଇଚ୍ଛା କରିବାର ସମସ୍ତ ଲାଳସାକୁ କେବଳ ଉଗ୍ର କରିପକାଏ । ଅଧିକ ଚାହୁଁଥିବା ଓ ଆବୋରି ଧରି ରଖିବାକୁ ଧାଉଁଥିବା ଲୋଭୀ ମନଟା ବିରକ୍ତ ହୋଇ କେବଳ ଛାଡ଼ି ଚାଲି ଆସିବାର ବାହାନା ଦେଖାଏ, କିନ୍ତୁ ଭିତରେ ସେ ଏହିପରି ପରିବର୍ଜନରୁ ମଧ୍ୟ ଗୋଟାଏ ପ୍ରକାର ଆନନ୍ଦ ପାଇଥାଏ; ଏହି ଆନନ୍ଦ ଯେତେଦୂର ଅସ୍ଵାଭାବିକ ହେଲେ ମଧ୍ୟ ସେଇଥିରୁ ହିଁ ସେ ଭାରି ଆନନ୍ଦ ପାଇଥାଏ, ଡୋର ଛିଡ଼ାଇଦେଇ ସେ ସକଳ ସମ୍ବନ୍ଧର ସୂତାକୁ ଆପଣା ହାତମୁଠାରେ ଆଣି ଯାବୁଡ଼ି ଧରିବାକୁ ହିଁ ଭାରି ଆନନ୍ଦ ପାଏ । କିନ୍ତୁ ବୈରାଗ୍ୟ ହେଉଚି ଏହି ବିରକ୍ତି ଠାରୁ ସଂପୂର୍ଣ୍ଣ ଭିନ୍ନ । ବୈରାଗ୍ୟ ଅବଲମ୍ବନ କରିବା ପାଇଁ କେଉଁଠି କିଛି ଛାଡ଼ି ଚାଲିଯିବାର ଆବଶ୍ୟକତା ନଥାଏ । ବୈରାଗ୍ୟ ମୋ’ର ଇଚ୍ଛାକୁ କେବଳ ସକଳ ପ୍ରକାରର ମୋହରୁ ରକ୍ଷା କରେ । ବାହାରେ ଯାହାକୁ ହରାଇବାର ଆଶଙ୍କାରେ ଅନଭିଜ୍ଞ ହୃଦୟଟା ଛନଛନ ହେଉଥାଏ, ମୋ’ ର ପ୍ରିୟ ଧନ ମୋ’ର ହୋଇ ରହିବ ବୋଲି ମନ ଯେତେବେଳେ ପ୍ରମାଣ ଚାହୁଥାଏ, ବୈରାଗ୍ୟ ତାହାକୁ ହିଁ ଅନ୍ତର ଭିତରେ ପାଇବାର ଓ ଅନୁଭବ କରିବାର ସୂତ୍ର ବଢ଼ାଇଦିଏ । ଏହି ସୂତ୍ର ଫାଶ ହୋଇ ଆପଣାକୁ ବା ଆଉ କାହାକୁ ବାନ୍ଧି ପକାଇବାର କୌଣସି ଅପଚେଷ୍ଟା କରେନାହିଁ । ଏହା ସଂଯୋଜକ ପରି ସମସ୍ତ ସଂସାରକୁ ଆଣି ଅନ୍ତର ଭିତରେ ମିଳାଇଦିଏ । ସବୁ ଶଙ୍କା ଦୂର ହୁଏ, ଶାନ୍ତି ବିରାଜମାନ କରେ ।

 

୧୯ । ୯ । ୬୧

 

ସଂସାର ବିଷୟରେ ମୋ’ ର ବୈରାଗ୍ୟ ଯେତିକି ବଢ଼ିବ, ମୁଁ ସଂସାରକୁ ସେତିକି ସଂପୂର୍ଣ୍ଣ ଓ ସେତିକି ନିବିଡ଼ ଭାବରେ ପାଇବାକୁ ସମର୍ଥ ହୋଇପାରିବି । ମୁଁ ଭଲକରି ଜାଣେ, ଏପର୍ଯ୍ୟନ୍ତ ମୋ’ ଭିତରେ ସେହି ବୈରାଗ୍ୟ ସମ୍ଭବ ହୋଇପାରିନାହିଁ । ମୋ’ର ମନ ଓ ମୋ’ର ହୃଦୟ ନାନା ଗହ୍ଵରରେ ବଡ଼ ଆର୍ତ୍ତ ହୋଇପଡ଼ି ରହିଚି । ଏହା ଭଲ ପାଇବା ନୁହେଁ, ଏହା ହେଉଚି ଆତ୍ମସାତ୍ କରିବାର ଏକ ମୋହ । ମୋ’ର ଜର୍ଜର ନିଃସ୍ଵ ଚିତ୍ତ ସଂସାରରେ କେବଳ ଯାବୁଡ଼ି ଧରିବାର ଶିକାର ଖୋଜି ବାହାରିଚି । ମୋର ମୁଗ୍‌ଧ ହୋଇ ରହିବାର ଶିକାର ଯେତେବେଳେ ମୋତେ ମିଳୁନାହିଁ, ସେତେବେଳେ ହିଁ ମୁଁ ପ୍ରକୁପିତ ହୋଇଉଠୁଚି । ସଂସାରର ନିନ୍ଦାଗାନ କରି ସଂସାରରୁ ଡୋର କାଟି ଚାଲି ଯିବାକୁ ମନ ହେଉଚି । ଏହା ବୈରାଗ୍ୟ ନୁହେଁ, ଏହା ବିରକ୍ତି । ଜୀବନ ଲାଗି ଏହା ସମ୍ପଦ ନୁହେଁ, ଏହା ହେଉଚି ବିନଷ୍ଟି । ଅତି ସ୍ଵାର୍ଥସଚେତ ହେବାର ପ୍ରକୋପ ବାହାରିଲେ ଜୀବନ ଉପରେ ଯେଉଁ ବିପତ୍ତି ଆସି ପହଞ୍ଚେ, ଏହା ହେଉଚି ସେହି ବିପତ୍ତି । ସେହି ବିପତ୍ତି ହୃଦୟକୁ ଘାରି ରଖିଥିବା ପର୍ଯ୍ୟନ୍ତ ମୋତେ ଏ ସଂସାର ଭଲ ଲାଗିବନାହିଁ, ଆପଣା ସହିତ ମଧ୍ୟ ମୁଁ ଏକ ସମାହିତ ସଦ୍‍ଭାବ ସୂତ୍ରରେ ବାନ୍ଧିହୋଇ ରହି ପାରିବି ନାହିଁ । ସେପର୍ଯ୍ୟନ୍ତ ମୋତେ ଭଗବାନ୍ ମଧ୍ୟ ଭଲ ଲାଗିବେ ନାହିଁ । ଆକାଶର ଏହି ଚନ୍ଦ୍ର-ସୂର୍ଯ୍ୟ ଭଲ ଲାଗିବେ ନାହିଁ, ହୃଦୟକୁ ନିର୍ଭର ଦେବାକୁ ଆସୁଥିବା ଏହି ସକାଳ ଓ ସନ୍ଧ୍ୟା ମଧ୍ୟ ମୋତେ କୌଣସି ପ୍ରେରଣା ଦେଇ ପାରିବେ ନାହିଁ । ଜୀବନ କେବଳ ଏକ ଅଭିଶାପ ହୋଇରହିବ ।

 

୨୦ । ୯ । ୬୧

 

ଆଜି କେବଳ ଏ ଦେଶ ବା ସେ ଦେଶ ସ୍ଵାଧୀନତା ଚାହୁନାହାନ୍ତି । ଆଜି ପ୍ରତ୍ୟେକ ମଣିଷ ତା’ ର ସ୍ଵାଧୀନତା ଦାବୀ କରିବାକୁ ଯାଉଚି । ରାଜନୀତିକ ସ୍ଵାଧୀନତା ମନୁଷ୍ୟବ୍ୟକ୍ତିକୁ ସ୍ଵାଧୀନତା ଦେଇ ହିଁ ଆପଣାକୁ ସାର୍ଥକ କରିପାରିବ । ସବୁ ବ୍ୟକ୍ତିକୁ ଆପଣା ମାର୍ଗରେ ବିକଶିତ ହେବାର ସ୍ଵାଧୀନତା ଦେବାଲାଗି ପ୍ରଧାନତଃ ସବୁ ଦେଶରେ ରାଜନୀତିକ ସ୍ଵାଧୀନତା ଦରକାର । କିନ୍ତୁ ଅନେକ ସ୍ଥଳରେ ତାହା ହୋଇ ପାରୁନାହିଁ । ଦେଶକୁ ରାଜନୀତିକ ସ୍ଵାଧୀନତା ମିଳିସାରିବା ପରେ ସେହି ଦେଶର ବ୍ୟକ୍ତି ତଥାପି ଦାସ ହୋଇ ରହିଯାଉଚି । ତଥାପି ଆପଣାର ବିକାଶ ମାର୍ଗରେ ଗତି କରିବାଲାଗି ତାକୁ ତା’ର ଆବଶ୍ୟକ ସ୍ଵାଧୀନତା ମିଳୁନାହିଁ । ତଥାପି ମଣିଷକୁ ମଣିଷ ହିସାବରେ ସ୍ଵୀକାର କରାଯାଉନାହିଁ । ରାଜନୀତିକ ଦାସତାକୁ ଦୂର କରିବାର କୋଳାହଳରେ ଆହୁରି ଅଧିକ ମୂଲ୍ୟବାନ୍ ନାନା କ୍ଷେତ୍ରର ସ୍ଵାଧୀନତା ବିଷୟରେ ଆମର ଆଉ କୌଣସି ସଚେତନତା ରହୁନାହିଁ । ଆମେ ଗୋଟିଏ ଗୋଟିଏ କ୍ଷେତ୍ରରେ ମଣିଷ ହିସାବରେ ବିକଶିତ ହେବାର କୌଣସି ପ୍ରୟାସ ନକରି କେବଳ କ୍ଷମତାଧୀଶ ହୋଇ ବସି ରହିବାକୁ ମନ ବଳାଉଚୁ, ଅଧୀନସ୍ଥ ଆଉ ପାଞ୍ଚଜଣଙ୍କୁ ନେଇ କେବଳ ଗୋରୁ ପରି ଚରାଇବାରେ ହିଁ ଆନନ୍ଦ ପାଉଚୁ । ଏପରି ପରିସ୍ଥିତିରେ କାହାରି ଆଗକୁ ଯିବା ଆଉ ସମ୍ଭବ ହୋଇପାରୁ ନାହିଁ, କାହାରି ବିକାଶ ଆଉ ସମ୍ଭବ ହୋଇ ପାରୁନାହିଁ । ଆମେ ସମସ୍ତେ କେବଳ ନାନା ଭୟରେ ତ୍ରସ୍ତ ହୋଇରହିଚୁ, କାହାରି ଲାଗି ଆଗକୁ ବାଟ ଛାଡ଼ି ନଦେବାକୁ ବଦ୍ଧ ପରିକର ହୋଇବସିଚୁ । ଛୋଟଠାରୁ ଆରମ୍ଭ କରି ବଡ଼ କ୍ଷେତ୍ର ପର୍ଯ୍ୟନ୍ତ ଆଜି ସବୁଠାରେ ଏହି ଦୁର୍ଦ୍ଦଶା ହିଁ ଦେଖିବାକୁ ମିଳୁଚି । ସବୁ ଦେଶରେ ଏହି ଦୁର୍ଦ୍ଦଶା ଭୋଗ କରିବାକୁ ପଡ଼ୁଚି । ବାହ୍ୟସାଧନ ଓ ସରଞ୍ଜାମ ବଢ଼ିବା ସଙ୍ଗେ ସଙ୍ଗେ ମଣିଷର ବିକାଶ ପ୍ରତି ଅନିଚ୍ଛା ମଧ୍ୟ ବଢ଼ିବାରେ ଲାଗିଚି । ବୈଜ୍ଞାନିକ କୌଶଳର ଆବିଷ୍କାର ବଢ଼ିବା ସଙ୍ଗେ ସଙ୍ଗେ ମଣିଷର ଦୃଷ୍ଟି ଅଧିକ ଅବୈଜ୍ଞାନିକ ହେବାରେ ଲାଗିଚି । ଜୀବନ ସହିତ ରୀତିଗତ ପରିଚୟ ବଢ଼ିବା ସଙ୍ଗେ ସଙ୍ଗେ ମଣିଷ ସହିତ ମଣିଷର ପରିଚୟ ଅଧିକ ବାରିତ ହେବାରେ ଲାଗିଚି । ଆଜି ଏ ଦାସତାରୁ ମୁକ୍ତି ଦେବାକୁ କିଏ ଆସିବ ?

 

୨୧ । ୯ । ୬୧

 

ମୁଁ ଜଣେ ଶିକ୍ଷକ, ମୁଁ ଜଣେ ମଣିଷ । ଅଥଚ, ଶିକ୍ଷାନୁଷ୍ଠାନରେ ଜଣେ ଶିକ୍ଷକ ହିସାବରେ ବା ଜଣେ ମଣିଷ ହିସାବରେ ମୋତେ ସ୍ଵୀକୃତି ମିଳୁନାହିଁ, ଜଣେ ଚାକିରିଆ ହିସାବରେ ହିଁ ସ୍ଵୀକୃତି ମିଳୁଛି । ଏଠି ମୋତେ କେବଳ ଆଜ୍ଞାବହ ହୋଇ ରହିବାକୁ ହେବ । ମୋତେ ଯେଉଁ ଆଜ୍ଞା ଦିଆଯାଉଚି, ମଣିଷ ହିସାବରେ ମୁଁ ସେହି ଆଜ୍ଞାକୁ କେତେଦୂର ଆଜ୍ଞା ବୋଲି ଗ୍ରହଣ କରୁଚି ବା ନ କରୁଚି, ସେହି କଥା ଜାଣିବା ଲାଗି କାହାର କୌଣସି ଆଗ୍ରହ ନାହିଁ । କର୍ତ୍ତାମାନଙ୍କ ପାଖରେ ସେଥିପାଇଁ ସମୟ ମଧ୍ୟ ନାହିଁ । ଶିକ୍ଷାର ଯେ ଏକ ସୁବ୍ୟବସ୍ଥିତ ପ୍ରଣାଳୀ ରହିଚି, ଏକ ସୁବ୍ୟବସ୍ଥିତ ମାର୍ଗ ମଧ୍ୟ ରହିଚି, ସେ କଥା ଭାବିବାକୁ ଶିକ୍ଷାଳୟର କ୍ଷମତାଧୀଶ ମାନଙ୍କ ପାଖରେ କୌଣସି ସ୍ଵାଭାବିକ ପ୍ରବୃତ୍ତି ନାହିଁ । ସେମାନେ ଶିକ୍ଷକ ସହିତ ଏକାଠି ବସି କୌଣସି ବିଷୟର ଚର୍ଚ୍ଚା କରିବାକୁ ହୁଏତ ଆଜି ଭାରି ଭୟ କରୁଚନ୍ତି, ସମସ୍ତଙ୍କ ସହିତ ଏକାଠି ମିଶି କୌଣସି ନିର୍ଣ୍ଣୟରେ ପହଞ୍ଚିବାକୁ ପ୍ରମାଦ ଗଣୁଚନ୍ତି । ସେତିକି ବେଶୀ ଭୟ କରୁଚନ୍ତି, ସେମାନେ ସେତିକି ଆତୁର ଓ ଧୈର୍ଯ୍ୟହୀନ ଭାବରେ କେବଳ ଆପଣାର କ୍ଷମତା ଉପରେ ନିର୍ଭର କରି ରହୁଚନ୍ତି, ପରୋକ୍ଷରେ ରହି କେବଳ ଆପଣାର ଆଦେଶ ଦ୍ଵାରା ଶାସନ କରିବାକୁ ହିଁ ସେମାନେ ନିରାପଦ ମନେ କରୁଚନ୍ତି । ଆଜି ଏ ଦେଶରେ ଏହାହିଁ ଅଧିକାଂଶ ଶିକ୍ଷାଳୟରେ ଦୁର୍ଦ୍ଦଶା ହୋଇରହିଚି । ବାହାରର ସାଧନ ସାମଗ୍ରୀ ସବୁ ବଢ଼ିବାରେ ଲାଗିଚି । କିନ୍ତୁ ଶିକ୍ଷାଳୟର କର୍ତ୍ତା ଆପଣାର ଯଥାର୍ଥ ଯୋଗ୍ୟତା ଉପରେ ବିଶ୍ଵାସ ନ କରି କ୍ଷମତା ଉପରେ ଅଧିକ ନିର୍ଭର କରୁଥିବାରୁ ଶିକ୍ଷା ଓ ଶିକ୍ଷିତପଣିଆ ହ୍ରାସ ହୋଇଚାଲିଚି ।

 

୨୨ । ୯ । ୬୧

 

ସମୟ ସହିତ ଖାପ ଖାଇ ପାରିବାର ଅତ୍ୟୁତ୍ସାହରେ ମୁଁ ମଧ୍ୟ କ୍ରମେ ଆପଣାକୁ ଶିକ୍ଷକ ବୋଲି ମାନିବାକୁ ଭୁଲି ଯାଉଚି । ମୁଁ ନିଜେ ମଧ୍ୟ ଆପଣାକୁ ଶିକ୍ଷକର ବା ମଣିଷର ସ୍ଵୀକାର ଦେବାକୁ ଭୁଲି ଯାଉଚି । ମୋ’ ଭିତରେ ମଣିଷ କ୍ରମେ ଭୁଲି ଯାଉଚି, ମୋ’ ଭିତରର ଶିକ୍ଷକ ମଧ୍ୟ କ୍ରମେ ଭୁଲି ଯାଉଚି । ମୁଁ କେବଳ କ୍ଷମତାର ଅଧୀନ ହୋଇ ରହୁଚି, କ୍ଷମତାରେ ରହିଥିବା ମଣିଷକୁ ସନ୍ତୁଷ୍ଟ କରିବା ବ୍ୟତୀତ ମୋ’ର ଆଉ ଅନ୍ୟ କୌଣସି ବାସନା ରହୁନାହିଁ । ଭିତରେ ମୁଁ ଯେତିକି ମରି ମରି ଯାଉଚି, ମୋର ପଢ଼ିଥିବା ପାଠ, ଶିକ୍ଷକ ହିସାବରେ ମୋ’ର ବାହ୍ୟ ଆବରଣ ଗୁଡ଼ାକ ମୋତେ ଘୋଡ଼ାଇ ରଖିବାରେ ସାଧନ ରୂପେ ଅଧିକରୁ ଅଧିକ ବ୍ୟବହୃତ ହେବାରେ ଲାଗିଚି । ଏପରି ଅବସ୍ଥାରେ ମୁଁ କେଉଁ କ୍ଷେତ୍ରରେ କାହାର ଶିକ୍ଷକ ହୋଇପାରିବି ? ମୋ’ ଭିତରେ ଏକ ଅସ୍ଵୀକୃତ ମଣିଷର ଜ୍ଵାଳା ବହନ କରୁଥିବା ପର୍ଯ୍ୟନ୍ତ ମୁଁ ଆଉ କାହା ଭିତରେ ବିକଶିତ ହେବାକୁ ଅପେକ୍ଷା କରି ରହିଥିବା ଶିକ୍ଷାର୍ଥୀର କି କାମରେ ଆସି ପାରିବି ? ଅନ୍ୟମାନଙ୍କ ଭିତରେ ବସି ରହିଥିବା ମଣିଷକୁ ମୁଁ କିପରି ସ୍ଵୀକାର କରିପାରିବି ? ମୋ’ର କହିବା କଥା ମୋ’ର ଜୀବନର ଆଚରଣ ବା ଆଗକୁ ବାଟ କାଢ଼ିଯିବାର ଦୃଷ୍ଟିକୋଣ କାହା ଭିତରେ କେଉଁ ଦ୍ଵାର ଉଦ୍‌ଘାଟନ କରିବାକୁ ସମର୍ଥ ହୋଇପାରିବ ? ଆଜି ଶିକ୍ଷକ ତା’ର କର୍ତ୍ତବ୍ୟ କରୁନାହିଁ ବୋଲି ଯିଏ ବାହାରୁ ଏକ ନୈତିକ ନିରାଶା ପ୍ରକଟ କରୁଚି, ସେ ଶିକ୍ଷକର ଭିତରକୁ ଅନାଇ ଦେଖିବାର ଚେଷ୍ଟା କରୁନାହିଁ କାହିଁକି ? ଶିକ୍ଷକ ଭିତରେ ଆଜି ଯେଉଁ ଅସ୍ଵୀକୃତ ହୋଇ ରହିବାର ଦହନ ଜଳୁଚି, ତାହାହିଁ ପ୍ରଧାନତଃ ଶିକ୍ଷକର ଇଚ୍ଛା ଓ ପ୍ରବୃତ୍ତି ଗୁଡ଼ିକୁ ନିୟନ୍ତ୍ରିତ କରୁଚି । ସେଠାରେ କୌଣସି ଶିକ୍ଷିତ ବାସନା ଆଉ ଜୀବିତ ହୋଇରହିନାହିଁ । ମନୁଷ୍ୟୋଚିତ କୌଣସି ବାସନା ସେଠି କୌଣସି ସ୍ଵୀକାର ପାଉନାହିଁ ।

 

୨୩ । ୯ । ୬

 

ଖାଲି ସକାଳେ ନୁହେଁ, ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ମଧ୍ୟ ମୋତେ କେବଳ ତାହାରି ଡାକ ଶୁଣିବାକୁ ହେବ । ତାହାରି ଆହ୍ଵାନରେ ପ୍ରେରିତ ହେଲା ପରି ହିଁ ମୋତେ ଏ ସଂସାରରେ ଜୀବନ ବଞ୍ଚିବାକୁ ହେବ । ମୋ’ର ହସଖୁସୀ, ବିଚାର ଓ ଭାବନା ସକଳ ପ୍ରକାର ସମ୍ପର୍କରେ ମୋତେ ତାହାରି ସଙ୍ଗ ଅନୁଭବ କରିବାକୁ ହେବ । ତାହାରି ଦ୍ଵାରା ପ୍ରେରିତ ହେବାକୁ ବା ତାହାରି ଆହ୍ଵାନ ମାନିବାକୁ ମୁଁ ଦାସତା ବୋଲି କଦାପି କହିବି ନାହିଁ । ମୋ’ ଉପରେ କୌଣସି ଉଚ୍ଚ ସ୍ଵର୍ଗରେ କେଉଁଠି କେଉଁ ଅତ୍ୟାଚାରୀ ଭଗବାନ ରହିଚି, ସେ ସେଇଠି ରହି ମୋତେ ଶାସନ କରିବ, ମୁଁ ଭୟର ବଶବର୍ତ୍ତୀହୋଇ ତାହାର, ଶାସନ ମାନିବି, ଏପ୍ରକାର ଧର୍ମଭାବନାକୁ ମୁଁ କେବଳ ଭ୍ରମଭାବନା ବୋଲି ଅନୁଭବ କଲିଣି । ସେପରି ଅନୁଭବ କରିବାର ସ୍ତରକୁ ମୁଁ ଅତିକ୍ରମ କରି ଆସିଲିଣି । ମୁଁ ଜାଣେ, ମୁଁ ମୋ’ ଭିତରେ ଯେତିକି ସ୍ଵତନ୍ତ୍ର ହେବି, ଯେତିକି ଭୟମୁକ୍ତ ହେବି, ଯେତିକି ଶ୍ରଦ୍ଧାଯୁକ୍ତ ହେବି, ସେତିକି ପରିମାଣରେ ହିଁ ଅନ୍ତର ଭିତରେ ମୁଁ ତାହାରି ଆହ୍ଵାନକୁ ଅନୁଭବ କରି ପାରିବି, ଅନ୍ତରଚରଣରେ ମୁଁ ସେତିକି ତାହାରି ବେଗ ଅନୁଭବ କରି ପାରିବି । ଭୟ କଲେ ମୁଁ ସେହି ଅନୁଭୂତିକୁ ଭୁଲିଯିବି, ଆର୍ତ୍ତ ହୋଇପଡ଼ିଲେ ମୁଁ ସେହି ଆହ୍ଵାନକୁ ଆଉ ଶୁଣି ପାରିବିନାହିଁ । ଆପଣାର ହତାଶରେ ଜର୍ଜର ହୋଇ ମୁଁ ଯେତିକି ଉଗ୍ରଭାବରେ ହାତମୁଠାରେ ଯାବୁଡ଼ି ଧରିବାକୁ ଚାହୁଁଥିବି, ସେତିକି ସେତିକି ମୋ’ ହାତରୁ ସବୁ ଖସି ଚାଲିଯାଉଥିବ । ସବୁ ହରାଇ ବସିବାର ଜ୍ଵରରେ ଆକ୍ରାନ୍ତ ହୋଇ ଥିର ହୋଇ ପ୍ରାର୍ଥନା କରିବାର ମାନସଚେତନାକୁ ମଧ୍ୟ ମୁଁ ଶେଷରେ କେବଳ ହରାଇବସିବି ।

 

୨୪ । ୯ । ୬୧

 

ମୋ’ ଭିତରେ କିଏ ଯେପରି ଅହରହ ଆର୍ତ୍ତନାଦ କରି କହିଉଠୁଚି : ଏ ସ୍ଥାନ ମୋ’ ର ନୁହେଁ, ଏ ସମ୍ମାନ ମୋ’ର ନୁହେଁ, ଏହି ମିଥ୍ୟାବରଣ ମଧ୍ୟ ମୋ’ର ନୁହେଁ । ମୁଁ କୌଣସି କ୍ଷେତ୍ରରେ ମଧ୍ୟ କାହାରି ଉପରେ ମାଲିକ ହୋଇ ରହିବାକୁ ଚାହେନାହିଁ, କୌଣସି କ୍ଷେତ୍ରରେ କାହାରି ଗୋଲାମ ମଧ୍ୟ ହୋଇ ରହିବାକୁ ଚାହେନାହିଁ । କାହାରି ଗୋଲାମ ହୋଇ ରହିବାରେ ବା ଅପର କାହାରିକୁ ଗୋଲାମ୍ କରି ରଖିବାରେ ଯେଉଁ ଆତ୍ମସନ୍ତୋଷ ମିଳିଥାଏ ବୋଲି ଅନେକ କହିଥାନ୍ତି, ମୋ’ର ସେହି ଆତ୍ମସନ୍ତୋଷରେ କୌଣସି ଲୋଡ଼ା ନାହିଁ । ମୁଁ ମଣିଷର ପଥ ଧରି ବାଟ ଚାଲୁଚି, ମୁଁ ମଣିଷର ଧର୍ମକୁ ଜୀବନର ନିକଟତମ ଧର୍ମ ବୋଲି ଗ୍ରହଣ କରିଚି । ସବୁ ସ୍ଥାନରେ ମଣିଷକୁ ମଣିଷ ପରି ଦେଖିବାରେ ହିଁ ମୋ’ର ସବୁଠାରୁ ଅଧିକ ପସନ୍ଦ । ସବୁ କ୍ଷେତ୍ରରେ ଆପଣାକୁ ମଧ୍ୟ ମଣିଷ ଭାବରେ ପରିଚିତ କରାଇବାରେ ହିଁ ମୋ’ର ସବୁଠାରୁ ଅଧିକ ଆନନ୍ଦ । ଆଜି ସଂସାରରେ କେଉଁ ଗୁଣ ସବୁଠାରୁ ଅଧିକ ଆଦର ପାଉଚି, ବା ନ ପାଉଚି, କେଉଁ ଗୁଣ ଅଧିକ ସ୍ଵୀକୃତ ହେଉଚି ବା ନହେଉଚି, ତା’ର ହିସାବ ରଖିବାରେ ମୋ’ ର କୌଣସି ଉତ୍ସାହ ନାହିଁ । ଏଠାରେ କର୍ତ୍ତାମାନଙ୍କ ଆଖିରେ ମୁଁ ଶିକ୍ଷକ ହୋଇରହିଚି ସତ, ମାତ୍ର ପ୍ରଧାନତଃ ଜଣେ ମଣିଷ ହିସାବରେ ହିଁ ମୁଁ ମୋ’ର ଆଚରଣକୁ ନିୟନ୍ତ୍ରିତ କରିବାର ଚେଷ୍ଟା କରୁଚି । ମୋ’ର ଛାତ୍ରମାନେ ମୋ’ ଦୃଷ୍ଟିରେ କୌଣସି ପ୍ରକାରେ ମୋ’ର ଅଧସ୍ତନ ନୁହନ୍ତି, ମୋ’ର ଦାସ ନୁହନ୍ତି,— ସେମାନେ ମଣିଷ, ନିର୍ଭୟ ଓ ଅପ୍ରମତ୍ତ ହୋଇ ସେମାନେ ଜୀବନକୁ ଜାଣିବେ, ଜୀବନକୁ ବୁଝିବେ, ଜୀବନକୁ ଭଲ ପାଇବେ । ସେଥିରେ ସେମାନଙ୍କୁ ସାହାଯ୍ୟ କରିବାରେ ହିଁ ମୋ’ର ଶିକ୍ଷକ ହେବାର ସାର୍ଥକତା ନିହିତ ରହିଚି । ମୁଁ ଏତିକି ଜାଣିବି ଓ ବୁଝିବି ।

 

୨୫ । ୯ । ୬୧

 

କ୍ରମେ ଦୁଆର କିଳି ହୋଇଆସୁଚି । ଆପଣା ଭିତରେ ଆପେ ବନ୍ଦୀ ହୋଇ ରହିବାର ଆଶଙ୍କାରେ ଭିତରେ ଯେପରି କିଏ ବଡ଼ ଶଙ୍କିତ ହୋଇ ଉଠୁଚି । ମୋ’ ଭିତରେ କେଉଁଠି କଳିଟିଏ ଫୁଲ ହୋଇ ଫୁଟିବାର ବାସନା ଧରି ଆପଣାର ମୁହୂର୍ତ୍ତଟି ଲାଗି ପ୍ରାର୍ଥନା କରୁଥିଲା, ସିଏ ଆଜି ଆପଣା ଲାଜରେ ସତେଅବା ମରିମରି ଯାଉଚି । ସଂସାରରେ ସବୁ ମଣିଷ ଭିତରେ ରହିଥିବା କଳିଗୁଡ଼ିକ ଯେପରି ମରିମରି ଯାଉଚି । ଏ ସଂସାର ଅତ୍ୟାଚାରୀର ସଂସାର ହେବ, କ୍ଷମତାଚାରୀର ସଂସାର ହେବ; କିନ୍ତୁ ମଣିଷର ସଂସାର ହେବନାହିଁ;—ସତେ ଯେପରି ଆମେ ସମସ୍ତେ ଏହିପରି ଏକ ଅଭିଶାପ ପାଇଥିବାର ଶାସ୍ତି ଭୋଗିବା ଲାଗି ସଜବାଜ ହେବାକୁ ଯାଉଚୁ । ମଣିଷ ହେବାର ସାଧନ ଓ ସାମଗ୍ରୀ ବଢ଼ି ବଢ଼ି ଚାଲିଚି, କିନ୍ତୁ ମଣିଷ ହେବାର ସମ୍ଭାବନା ମରିମରି ଯାଉଚି । ଏହି ପ୍ରମାଦ ଲାଗି ମୁଁ କାହାକୁ ଦୋଷ ଦେବି । କାହା ପାଖରେ ଯାଇ ଅଭିଯୋଗ ଜଣାଇବି ? ଆଜି ସେକଥା ଭାବିବା ଲାଗି ମଧ୍ୟ ମୁଁ ଭିତରେ ବଳ ପାଉନାହିଁ । ମୋ’ ଭିତରର ବିଶ୍ଵାସ ସତେଅବା ଦୋହଲି ଯାଉଚି । ସତେ କ’ଣ ଆମେ ସମସ୍ତେ ଖସି ପଡ଼ିବା ? କ୍ଷମତା ଓ ଅତ୍ୟାଚାର ହାତରେ ସଂସାରକୁ ଟେକି ଦେଇ ଆମେ ସମସ୍ତେ କ’ଣ ସତରେ ସଂସାରରୁ ଅପସରି ଯିବା ? ଆମ ଭିତରେ ତଥାପି ଜନ୍ମଲାଭ କରିବାର ମଣିଷକୁ ମାରିଦେଇ, ଅସ୍ଵୀକାର କରି ଆମେ ସମସ୍ତେ କ’ଣ କେବଳ ଶାସନର କାରଖାନାରେ ଗୋଟିଏ ଗୋଟିଏ ବୋଲ ମାନିବାର ଯନ୍ତ୍ର ହୋଇ ବସିବା ? ଏହି ପ୍ରଶ୍ନ ଗୁଡ଼ିକ ଭିତରେ ଯେତିକି ଅସ୍ଥିର କରି ପକାଉଚି, ହୃଦୟର ଆଶ୍ରାଗୁଡ଼ିକ ସେତିକି ଖସି ପଡ଼ିଲା ପରି ମନେ ହେଉଚି । ଏ ହତାଶାର ଅନ୍ତ କେଉଁଠି, ଆପଣା ଘରର ଚାବି ହରାଇ ବସିବାର ଶେଷ କେଉଁଠି,—ଆପଣା ପ୍ରତି ଓ ଜୀବନ ପ୍ରତି ରହିଥିବା ସକଳ ସ୍ନେହ ଓ ସକଳ ବିଶ୍ଵାସ ହରାଇବାର ଅନ୍ତ କେଉଁଠି, ବାଟ ହରାଇ ବସିବାର ଶେଷ ପରିଣତ କେଉଁଠି ?

 

୨୬ । ୯ । ୬୧

 

ପୂର୍ବ ଦିଗରେ ସକାଳର ରଙ୍ଗ ଚହଟି ଉଠୁଚି । ଦିଗନ୍ତଭରା ରକ୍ତ ଓ କୃଷ୍ଣବର୍ଣ୍ଣର କାରୁଣ୍ୟ ଭିତରୁ ଚିରନ୍ତନ ଜନ୍ମ ଓ ଚିରନ୍ତନ ଉଦୟର ନିର୍ଭର ଚହଟି ଉଠୁଚି । ଆଉ, ସ୍ନାନାନ୍ତେ ମୋ’ ର ଘର ଭିତରେ ଏହି ଉତ ସରଣ–ଉତ୍ସବକୁ ଅବଲୋକନ କରୁ କରୁ ମୁଁ ଅନୁଭବ କରୁଚି : ଏ ଜୀବନର ମହିମା ପ୍ରକୃତରେ ଅପାର । ଏହି ଅବଲୋକନ କରୁ କରୁ ବିଲୀନ ହୋଇଯିବାର ମହିମା ପ୍ରକୃତରେ ଅପାର । ସଂସାରର ଦୁଃଖ ଓ ଅଡ଼ୁଆ ଭୁଲିଯିବାର ଫିନାଦରେ ମୁଁ ଆଜି ଏଠାରେ ମୁହୂର୍ତ୍ତକ ପାଇଁ ମୁଗ୍‌ଧ ହୋଇବସିନାହିଁ । ମୁହୂର୍ତ୍ତେ ଭୁଲି ପୁଣି ପର ମୁହୂର୍ତ୍ତରେ ମ୍ରିୟମାଣ ହୋଇ ବସିବାଲାଗି ମୁଁ ଏଠାରେ ଭାବର କୌଣସି ଇନ୍ଦ୍ରଜାଲ ସୃଷ୍ଟି କରି ରଖିବାର କୌଣସି ଇଚ୍ଛା ପ୍ରକାଶ କରୁନାହିଁ । ଏହି ଶୋଭାତୀର୍ଥରେ ଅବଗାହନ କରି ମୁଁ ଅଧିକ ସାହସ ଓ ଅଧିକ ବିଶ୍ଵାସ ନେଇ ସଂସାରକୁ ଫେରି ଯାଉଚି । ମୋ’ର ଏହି ଦୃଷ୍ଟି ଭିତରେ ସକାଳର ପ୍ରେରଣାମୟ ରଙ୍ଗ ରଞ୍ଜିତ ହୋଇ ରହୁଥିଲେ ଆଉ କାହାରି ପାଖରେ ବା କୌଣସି କ୍ଷେତ୍ରରେ କୌଣସି ପ୍ରକାରେ ନିଃସ୍ଵ ଓ ନିର୍ମମ ହୋଇ ରହିବାକୁ ପଡ଼ିବନାହିଁ । ଆଜି କାହାରି ପାଖରେ ମୋ’ର କୌଣସି ଖେଦ ନାହିଁ । ଆପଣା ପାଖରେ ମଧ୍ୟ ଆଜି ମୋ’ର କୌଣସି ଖେଦ ନାହିଁ । ଆପଣା ସହିତ ଆଜି ସକାଳର ସ୍ନେହଡ଼ୋର ଦେଇ ମୁଁ ମିତ୍ରତାର ସୂତ୍ରରେ ଆବଦ୍ଧ ହୋଇଯାଇଚି । ଆଜି କାହାକୁ ଛାଡ଼ି ଯିବାର କୌଣସି ପ୍ରସଙ୍ଗ ମୋ’ର ଆଦୌ ମନେ ପଡ଼ୁନାହିଁ । ଆଉ କିଏ ବା କେଉଁମାନେ ମୋତେ ଛାଡ଼ି ଚାଲିଯାଇ ଥିବାର କୌଣସି ପ୍ରସଙ୍ଗ ମଧ୍ୟ ମନେ ପଡ଼ୁନାହିଁ । ଆଜି ସକାଳର ରଙ୍ଗ ବୋଳି ହୋଇ ମୋ’ର ଶୂନ୍ୟ ଘରଟା ମଧ୍ୟ କାହାର ସଙ୍ଗ ପ୍ରସାଦଲାଭରେ ପରିପୂର୍ଣ୍ଣ ଓ ପ୍ରେରଣାମୟ ହୋଇ ଉଠିଚି । ସଂସାରଠାରୁ ବାହାରି ଆସି ନୁହେଁ, ସଂସାର ସହିତ ଏକସୂତ୍ର ହୋଇ ମୁଁ ଆଜି ସବୁରି ସ୍ଵୀକୃତି ପାଇପାରିଚି ।

 

୨୭ । ୯ । ୬୧

 

କାଲି ଏତେବେଳକୁ ପୂର୍ବ ଦିଗଟାଯାକ ରକ୍ତବର୍ଣ୍ଣ ଉଲ୍ଲସିତ ହୋଇ ଉଠୁଥିଲା । ଆଜି ଏଇଠି ଥିର ହୋଇ ବସି ପୁଣି ସେହିଆଡ଼କୁ ଅନାଇ ଦେଖୁଚି । ଆଜି ନୀଳରଙ୍ଗର ଏକ କଠିନ ମେଘ ପରସ୍ତ ସମସ୍ତ ଦିଗନ୍ତର ଦ୍ଵାରଟିକୁ ଆବୋରି କରି ରହିଚି । ଏହି ସକାଳେ କେଉଁ ଦିନ ପୂର୍ବଦିଗ ଉଲ୍ଲାସରେ ଫାଟିପଡ଼େ ତ ପୁଣି କେଉଁ ଦିନ ଗୁରୁଗମ୍ଭୀର ରୂପରେ ସମସ୍ତ ସକାଳସମୟକୁ ଗମ୍ଭୀରତାରେ ଭରି ରଖେ । ମୋ’ ମନର ଭୂଇଁଉପରେ ମଧ୍ୟ ପ୍ରତିଦିନ ଯେଉଁ ସକାଳ ହୁଏ, ତାହାର ରୀତି ମଧ୍ୟ ଠିକ୍ ଏହିପରି ବିଚିତ୍ର । କେଉଁଦିନ ମୁଁ କେବଳ ଏକ ଖୁସିର ପ୍ରତିମା ହୋଇ ସକାଳର ଜୀବନ ଭିତରକୁ ବଡ଼ ସହଜ ଭାବରେ ଡେଇଁପଡ଼େ; କୌଣସି ଫୁଲ ବା କୌଣସି ପତର ପାଖରେ ସେଦିନ ଆଦୌ ପର ବୋଲି ମନେ ହୁଏନାହିଁ । ପୁଣି, ଆଉ କେଉଁଦିନ ହଠାତ୍ ସବୁ ବଡ଼ ଅପରିଚିତ ଓ ରହସ୍ୟମୟ ବୋଲି ମନେହୁଏ । ସେଦିନ ପୁଣି ଥରେ ମୂଳରୁ ଜୀବନ ଆରମ୍ଭ କଲାପରି ମନେହୁଏ, ପୁଣି ଥରେ ଆପଣାକୁ ନେଇ ପରିଚିତ କରାଇବାକୁ ପଡ଼େ, ପୁଣି ଥରେ ସବୁଟିକୁ ଆବିଷ୍କାର କରିବାକୁ ପଡ଼େ, ପୁଣି ଥରେ ସୂତ୍ର ବଢ଼ାଇ ବାନ୍ଧିବାକୁ ପଡ଼େ । ଏହି ବୈଚିତ୍ର୍ୟରେ ମୋ’ ର କୌଣସି ଦୁଃଖ ନାହିଁ । କୌଣସି ଗ୍ଳାନି ନାହିଁ । କାରଣ, ମୁଁ ଭଲ କରି ଜାଣେ ଯେ, ବାହାରର ଏହି ବୈଚିତ୍ର୍ୟ ତଳେ ଯେଉଁ ମାନସବଧୂ ଲୁଚିକରି ରହିଚି, ସିଏ ଆହୁରି ନିବିଡ଼ ଭଲ ପାଇବାକୁ ଚାହେ, ଆହୁରି ନିକଟ ହୋଇ ବସିବାକୁ ଚାହେ ।

 

୨୮ । ୯ । ୬୧

 

ବେଳେବେଳେ ନାଲି ରଙ୍ଗ, ଓ ଆଉ କେତେବେଳେ କଳା ରଙ୍ଗରେ ରଞ୍ଜିତ ହୋଇଉଠୁଥିବା ଏହି ପୂର୍ବଦିଗ ପରି ମୋ’ର ଅନ୍ତର ଭିତରେ ମଧ୍ୟ ଏହି ଦୁଇଟା ରଙ୍ଗର ନାନା ମିଶ୍ରଣ ଓ ବିମିଶ୍ରଣରେ ମୋ’ର ଆନନ୍ଦ ଓ ନିରାନନ୍ଦର ଉତ୍ସବ ଲାଗି ରହିଚି । କିନ୍ତୁ ତଥାପି ନାନା ସମୟରେ ନାନା ରଙ୍ଗର ଏହି ବିଭଙ୍ଗ ଓ ବୈଚିତ୍ର୍ୟ ସତ୍ତ୍ୱେ ମୋ’ ଭିତରେ ସେହି ଏକ ଅନ୍ତରତମ କେବଳ ବୁଝିବାକୁ ଚାହୁଚି, କେବଳ ଭଲ ପାଇବାକୁ ଚାହୁଚି । କେବଳ ଆହୁରି ସମୀପବର୍ତ୍ତୀ ହୋଇ ବସିବାକୁ ଚାହୁଚି । ବେଳେବେଳେ କାହାର ହାତ ବାଜି କିଏ ଚେଇଁ ଉଠିଲା ପରି ଭିତରେ କେତେ ସମର୍ଥନ ଓ ନିର୍ଭର ପାଇ କିଏ ଅତି ସହଜ ଭାବରେ ପ୍ରସ୍ତୁତ ହୋଇ ବାହାରି ପଡ଼ୁଚି । ସେତେବେଳେ ସାରା ସଂସାରଟା ଯାକ ଆପଣା ଭିତରେ କଲ୍ଲୋଳିତ ହୋଇଉଠୁଚନ୍ତି, ସାରା ଜଗତ ସହିତ ଡୋର ବାନ୍ଧି ହୋଇଯାଉଚି । ଜୀବନରେ ବସନ୍ତକାଳ ଆସି ପହଞ୍ଚିଗଲା ପରି ସେତେବେଳେ ସବୁ ଡାଳରେ ସବୁ ପକ୍ଷୀ ଗୀତ ଗାଇ ଉଠୁଚନ୍ତି । ଇନ୍ଦ୍ରଭୁବନ ସ୍ଵର୍ଗଭୁବନ ପରି ଲାଗୁଚି, ଦେବତାର ସବୁ ଇଚ୍ଛା ଓ ସବୁ ବାସନା ଆଶୀର୍ବାଦ ହୋଇ ଉପରକୁ ଉଠି ଯାଇଥିବା ହୃଦୟର ପାହାଚ ଉପରେ ଆସି ଅଜାଡ଼ି ହୋଇପଡ଼ୁଚି । ଆଉ କେତେବେଳେ ଏସବୁ କୋଳାହଳ ବନ୍ଦ ହୋଇ ଯାଉଚି, ମୋ’ ଭିତରେ କେଉଁ ଆକାଂକ୍ଷୀର ଆକାଂକ୍ଷା ମେଘ ହୋଇ ଏହି ସମସ୍ତ ଆକାଶକୁ ଆବୋରି ରଖୁଚି । କାହାର ସମସ୍ତ ବାସନା ବାଷ୍ପରେ ପରିଣତ ହୋଇ ଆଖି ଉପରଟାକୁ ବଡ଼ ଆଚ୍ଛନ୍ନ କରି ପକାଉଚି । ସବୁଠାରୁ ସବୁ ସଂଯୋଗସୂତ୍ର ଛିଡ଼ି ଗଲାପରି ଲାଗୁଚି । କିନ୍ତୁ ସେତେବେଳେ ମଧ୍ୟ ମୁଁ ଭିତର ଦୁଆରୁ କାହାର କରାଘାତ ଶୁଣିବାକୁ ପାଉଚି । ସେ ଅଲନ୍ତା ହୋଇ ରହିବାକୁ ଚାହେନାହିଁ, ସେ ବିରକ୍ତ ବେଦନାରେ କବାଟ ସେ ପାଖରେ ନିର୍ବାସିତ ହେବାକୁ ଚାହେନାହିଁ, ସେ ବଞ୍ଚିତ ହେବାକୁ ଚାହେନାହିଁ । ଏହି ଆକୁଳ କରାଘାତ ପଛରେ ଯେ କେତେ କାରୁଣ୍ୟ ଅଭିବ୍ୟଞ୍ଜିତ ହୋଇରହିଚି, ସେକଥା କେବଳ ମୁଇଁ ଅନୁଭବ କରିଚି, ମୁଇଁ ତା’ର ବେଦନାକୁ ବୁଝିଚି, କାରଣ ମୁଁ ତାକୁ ମଧ୍ୟ ମୋ’ର ବୋଲି ଗ୍ରହଣ କରି ନେଇଚି ।

 

୨୯ । ୯ । ୬୧

 

ଆବୋରି ଧରି ରଖିବା ପାଇଁ ମୋତେ ତାତ୍କାଳିକ ଯେତେ ଉତ୍ରପ୍ରରଣା ମିଳୁଥାଉ ପଛକେ, ତଥାପି ମୁଁ ଆବୋରି ଧରି ରଖିବାର କୌଣସି ଦୁର୍ବୁଦ୍ଧି କରିବିନାହିଁ । ଯାହାକୁ ଭଲ ପାଇବି, ତାକୁ ମୁଁ ହାତ ଭିତରେ ଯାବୁଡ଼ି ଧରି ରଖିବାର କୌଣସି ଦୁର୍ବୁଦ୍ଧି କରିବିନାହିଁ । କାରଣ, ଆବୋରି ଧରିବା ବା ଯାବୁଡ଼ି ଧରିବା ଦ୍ଵାରା ଅନ୍ତର ଭିତରେ ନାନାପ୍ରକାର କାମନା ଓ କାମୁକତାର ଗଣ୍ଠି ପଡ଼ିଯାଏ । ଅନ୍ତର ଖୋଲି ପାରେନାହିଁ । ତେଣୁ, ଦୁଃଖ ହିଁ କେବଳ ପରିଣାମ ହୁଏ । ଅନ୍ତର ଭିତରର ସମସ୍ତ ସଂବେଦନା ଏକ ଉଗ୍ର ଦୁଃଖ ଦହନରେ ଜଳିପୋଡ଼ି ଯାଏ । ଜୀବନର ପ୍ରତ୍ୟେକ ମୁହୂର୍ତ୍ତ କେବଳ ଜ୍ଵରାକ୍ରାନ୍ତ ହୋଇରହେ । ପାଖକୁ ନଆସିଥିବା ପର୍ଯ୍ୟନ୍ତ ପାଇବାର ପ୍ରକୁପିତ ଜ୍ଵର, ଏବଂ ପାଖରେ ରହିଥିବା ପର୍ଯ୍ୟନ୍ତ ପୁନର୍ବାର ହରାଇ ବସିବାର ଜ୍ଵର ଓ ତାହାର ପରିଣାମସ୍ୱରୂପ ଲୋଭାସକ୍ତ ଓ ପ୍ରମତ୍ତ ଭାବରେ ଗ୍ରାସ କରି ପକାଇବାର ଜ୍ଵର । ଯେଉଁ ଜ୍ଵରର ବଶବର୍ତ୍ତୀ ହୋଇ ସୁରାସକ୍ତ ମଣିଷ ବୋତଲ ପରେ ବୋତଲ ସୁରା ଗର୍ଭସ୍ଥ କରିବାରେ ଲାଗିଥାଏ । ଏହା ହେଉଚି ଠିକ୍ ସେହି ଜ୍ଵର । ମଣିଷକୁ ଗ୍ରାସ କରି ପକାଇଲେ ମଣିଷକୁ ଭଲ ପାଇବା ସମ୍ଭବ ହୁଏ ନାହିଁ । ଆପଣାର କୁକ୍ଷି ଭିତରେ ଆଣି ରଖିବାର ପ୍ରମତ୍ତତା ଦେଖାଇଲେ ମଣିଷକୁ ନିକଟତର କରି ପାଇବା ସମ୍ଭବ ହୁଏନାହିଁ । ମୋ’ ର ଭଲ ପାଇବାର ଜୀବନରେ ମୋ’ର ଅନ୍ତରର ବିସ୍ମୟ ହିଁ ସର୍ବଦା ସର୍ବଶ୍ରେଷ୍ଠ ଆସନ ଅଧିକାର କରି ରହିଥାଉ । ମୋ’ର ଶ୍ରଦ୍ଧା ହିଁ ମୋତେ ମୋ’ ର ଭଲ ପାଇବାର ନିବିଡ଼ ଓ ନୀରବ ମାର୍ଗରେ ସଞ୍ଚାଳିତ କରି ନେଇଥାଉ । ମୋ’ର ଭଲ ପାଇବାର ଆଗ୍ରହ ମୋ’ର ଲୋଭକୁ ମାରିଦେଉ, କାମନାର ସକଳ ଉଗ୍ରତାକୁ ମାରିଦେଉ ।

 

୩୦ । ୯ । ୬୧

 

ମୋ’ର ସଂସାର ପାଖରୁ କିଛି ମାଗିବାର ନାହିଁ । ଆଜି ପର୍ଯ୍ୟନ୍ତ ସଂସାରରେ ବଞ୍ଚି ମୁଁ ପ୍ରଧାନତଃ ଏହି କଥା ହିଁ ଶିଖିଚି । ଗୋଟାଏ ବୟସରେ ସମସ୍ତ ସଂସାରକୁ ଆପଣାର ମୁଣି ଭିତରେ ଭରତି କରିବି ବୋଲି ମୁଁ କେଡ଼େ ଉଚ୍ଛନ୍ନ ହୋଇପଡ଼ୁଥିଲି । ମୋ’ର ବାସନା, ମୋ’ର କାମନା ଓ ମୋ’ର ଭଲ ପାଇବା ପ୍ରଧାନତଃ ଏଇଥିଲାଗି ଉଦ୍ଦିଷ୍ଟ ହୋଇରହିଥିଲା । ସେହି ପର୍ଯ୍ୟାୟର ଜ୍ଵାଳା ଓ ତୀବ୍ର ଦହନ ଏପର୍ଯ୍ୟନ୍ତ ମୁଁ ଭୁଲି ପାରିନାହିଁ । କିନ୍ତୁ ବର୍ତ୍ତମାନ ସେହି ଜ୍ଵାଳା କ୍ରମେ ଶୀତଳ ହୋଇଆସୁଚି । ଭିତରର ମୁଣି କ୍ରମେ ପୂର୍ଣ୍ଣ ହୋଇଆସୁଚି । ମୋ’ର ଇଚ୍ଛାମତେ ଆଉ କେହି ମୋ’ର ହାତମୁଠାକୁ ଆସୁ । ଏସବୁଥିରେ ମୁଁ ଆଉ କୌଣସି ଉତ୍ସାହ ପାଇ ପାରୁନାହିଁ । କେହି ମୋତେ ଉପେକ୍ଷା କଲାପରି ଛାଡ଼ିଦେଇ ଚାଲିଗଲେ ଆଜିକାଲି ଅପମାନିତ ମନେ ହେଉନାହିଁ, ଆହତ ହୋଇପଡ଼ିବାର କୌଣସି ଉତ୍ତେଜନା ଆଉ ଗ୍ରାସ କରୁନାହିଁ । ସଂସାରରୁ ମନ ଛାଡ଼ିଯାଇଚି ବୋଲି ଯେ ଏପରି ହେଉଛି, ସେପରି ନୁହେଁ । ସଂସାରକୁ ମୁଁ ଆହୁରି ନିର୍ମଳ ଓ ପରିପୂର୍ଣ୍ଣ ଭାବରେ ଆପଣା ଭିତରେ ଅନୁଭବ କରି ଶିଖିଚି ବୋଲି ଏପରି ହେଉଚି । ଆପଣାକୁ ସବୁରି ଲାଗି ସମର୍ପି ଦେବାର କଳାକୁ ମୁଁ ଆୟତ୍ତ କରିପାରିଚି ବୋଲି ସମ୍ଭବତଃ ଏପରି ହେଉଚି । ସଂସାର ପାଖରେ ମୋ’ର ପ୍ରକୃତରେ କିଛି ମାଗିବାର ନାହିଁ, ସଂସାରର ଭଣ୍ଡାରରେ କେବଳ ଭରିଦେବାର ଅଛି । ମୁଁ ଯେଉଁଠି ଯାହା ପାଇବି, ଯେଉଁଠି ଯେତେ ପ୍ରକାରେ ମୁଗ୍‌ଧ ହେବି, ସେ ସବୁକୁ ସମସ୍ତ ସଂସାର ସହିତ ଭାଗ କରି ଉପଭୋଗ କରିବାର ବାଟକୁ ହିଁ ମୁଁ ମୋ’ର ବାଟ ବୋଲି ଗ୍ରହଣ କରିବାକୁ ଚେଷ୍ଟା କରୁଚି । ମୋ’ର କ୍ଷୁଦ୍ର ମୁଣିର ସମସ୍ତ ଲୁବ୍ଧ ସଂଗ୍ରହକୁ ଆଣି ସଂସାରର ଭଣ୍ଡାରରେ ଢାଳିଦେଇ ପାରିବା ଲାଗି ମୁଁ କ୍ରମେ ଆପଣାକୁ ପ୍ରସ୍ତୁତ କରୁଚି । କାରଣ ଏପରି କରିବାକୁ ହିଁ ମୁଁ ଜୀବନରେ ସର୍ବଶ୍ରେଷ୍ଠ ଆନନ୍ଦ ବୋଲି ଅନୁଭବ କରି ଶିଖୁଚି । ମୋ’ ଅଭିମାନର ସମସ୍ତ ଆବରଣ ଖସି ପଡ଼ୁଚି । ମୁଁ କ୍ରମେ ସମ୍ମିଳିତ ହେଉଚି ।

 

୧ । ୧୦ । ୬୧

 

ନୂଆ ମାସର ପ୍ରଥମ ସକାଳେ ଆଜି ଏ ବରଷର ପ୍ରଥମ ଶୀତର ପରଶ ଆସି ଦେହକୁ ଉଲ୍ଲସିତ କରିଦେଇଯାଉଚି । କାଲି ବିଛଣାକୁ ଗଲାବେଳେ ଦେହରୁ ଟପଟପ ହୋଇ ଝାଳ ବୋହୁଥିଲା, ଦିନକର ସଂସାରରୁ ବିଦାୟ ନେଇ ଆପଣାର ଘରକୁ ଫେରି ଆସିବାବେଳେ ଭାରି ସନ୍ତାପିତ ମନେ ହେଉଥିଲା । ଏହି ସନ୍ତାପ ସକାଶେ ଏହି ବିଦାୟ ଓ ଏହି ଗୃହପ୍ରବେଶରୁ କାଲି କୌଣସି ମାଧୁରୀ ମିଳୁ ନଥିଲା । ମନେ ହେଲା, ଯେପରି ଆପଣାକୁ ମୁଁ ବାଧ୍ୟ କରି ବିଛଣା ଉପରକୁ ନେଉଚି, ଆପଣାକୁ ଶାନ୍ତ କରିବା ଲାଗି ଯେପରି ମୋତେ ବେଶ୍ ଚେଷ୍ଟା କରିବାକୁ ପଡ଼ୁଚି-। କିନ୍ତୁ ଆଜି ରାତି ଅନେକ ଥାଇ କାହାର ଉଲ୍ଲସିତ ହାତର ଶୀତଳ ପରଶରେ ମୋ’ର ଦେହରୁ ସମସ୍ତ ନିଦ୍ରା କୁଆଡ଼େ ଅପସାରିତ ହୋଇଗଲା । ଉଠିଲାବେଳକୁ ଦେହରେ କୌଣସି ପ୍ରକାର ସନ୍ତାପ ନଥିଲା । ମାଆର କୋଡ଼ରୁ ଉଠିଲା ବେଳେ ଠିକ୍ ଯେପରି ମନୋରମ ମନେହୁଏ-। ଆଜି ସେହିପରି ମନୋରମ ମହେହେଲା । ମୁଁ ଜାଣେ, ମୋତେ ଏହି ଶୀତଦିନଟା ସବୁଠାରୁ ଭରି ଭଲ ଲାଗେ । ବସନ୍ତ ଆଉ ଶରତ ବିଷୟରେ ଅନେକ କାବ୍ୟପ୍ରଶସ୍ତି ହୋଇଥିଲେ ମଧ୍ୟ, ଯେଉଁ ଅଞ୍ଚଳରେ କେବଳ ଗ୍ରୀଷ୍ମ ଓ ଶୀତ ଦୁଇଟା ପ୍ରଧାନ ରତୁ ଅନୁଭୂତ ହୁଏ, ସେଠାରେ ଶୀତଟା ହିଁ ଅଧିକ ଭଲ ଲାଗିବାର ଯଥେଷ୍ଟ କାରଣ ରହିଚି । ବର୍ତ୍ତମାନ ସେହି ଶୀତଦିନ ଆସିବାକୁ ଆଉ ବେଶୀ ଡେରି ନାହିଁ । ସକାଳର ଘାସ ପରେ ଶିଶିର ବରଷାରେ ଓଦା ହେବାକୁ ଆରମ୍ଭ କଲାଣି, ସକାଳ ଆକାଶର କ୍ଷୁଦ୍ର ମେଘଖଣ୍ଡମାନ ଫିକାଫିକା ଦିଶିଲାଣି । ଆଉ ଅଧିକ ଡେରି ନାହିଁ-

 

୨ । ୧୦ । ୬୧

 

ସଂସାରର ସମସ୍ତ ପ୍ରବଞ୍ଚନା ସତ୍ତ୍ୱେ ମୋ’ର ସମସ୍ତ ଶ୍ରଦ୍ଧା ଆଜି ସଂସାରର ଜଣେ ଶ୍ରେଷ୍ଠପୁରୁଷ ଲାଗି ନିବେଦିତ ହୋଇରହୁ । ଚିହ୍ନିବାବେଳେ ମୁଁ ଗାନ୍ଧୀକୁ କେବଳ ଏହି ଦେଶର ବୋଲି ଚିହ୍ନିଥିଲି । ଏହି ଦେଶର ଜନକ ବୋଲି କହି ମୁଁ ଗାନ୍ଧୀକୁ ନେଇ ସେହି ପ୍ରଥମ ପର୍ବରେ ଭାରି ଉତ୍ସାହିତ ହୋଇପଡ଼ିଥିଲି । ସେହି ଉତ୍ସାହିତ ପର୍ବକୁ ଆଜି ମଧ୍ୟ ମୁଁ ଏକ ଅନାବଶ୍ୟକ ପର୍ବ ବୋଲି କଦାପି କହିବିନାହିଁ । ତଥାପି ତହିଁ ସଙ୍ଗେ ସଙ୍ଗେ ମୁଁ ଏକଥା ମଧ୍ୟ ଅବଶ୍ୟ କହିବି ଯେ, ମୋ’ ର ଧାରଣା ଭିତରେ ଆଜି ଗାନ୍ଧୀ କେବଳ ଗୋଟିଏ ଦେଶର ହୋଇ ରହିନାହିଁ, ମୋ’ ଲାଗି ସେ ସମସ୍ତ ପୃଥିବୀର ଏକ ପରମ ଧନରୂପେ ରୂପାନ୍ତରିତ ହୋଇଯାଇଚି । ଗାନ୍ଧୀ ବିଷୟରେ ଆଗରୁ ଥିବା ଅନେକ ଉତ୍ତେଜନା ମୁଁ ଅନୁଭବ କରିପାରୁନାହିଁ । କାରଣ ଗାନ୍ଧୀକୁ ମୁଁ ଆଜି ଅଧିକ ସମୀପବର୍ତ୍ତୀ ଭାବରେ ଅନୁଭବ କରୁଚି, ଅନ୍ତର ଭିତରେ ତାକୁ ମୋ’ର ନିକଟ ସାଥୀ ବୋଲି ଅନୁଭବ କରୁଚି । ପରିଚୟ ଅଧିକ ଅନ୍ତରଙ୍ଗ ହେଲେ ବାହାରୁ ସମସ୍ତ କୋଳାହଳ ବେଳେବେଳେ ବନ୍ଦ ହୋଇଆସେ । ଗାନ୍ଧୀର ପ୍ରେରଣାକୁ ଆଧୁନିକ ସମାଜ ଓ ଆଧୁନିକ ଜଗତରେ ମୋ’ର ଆପଣା ଜୀବନ ଲାଗି ମୁଁ କ୍ରମେ ଯେତିକି ଅପରିହାର୍ଯ୍ୟ ବୋଲି ମନେ କରୁଚି, ବାହାରୁ ଗାନ୍ଧୀଭକ୍ତିର ଆବରଣ ଗୁଡ଼ାକ ସେତିକି ଖସି ଖସି ଯାଉଚି । ଗାନ୍ଧୀ ନାମରେ ଚାଲୁଥିବା ଭେକ ଗୁଡ଼ାକର ମହତ୍ତ୍ଵ ମଧ୍ୟ ମୋତେ ସେତିକି ମହତ୍ତ୍ଵହୀନ ବୋଲି ମନେ ହେଉଚି । ଗାନ୍ଧୀକୁ ମୁଁ ମୋ’ର ଦୁର୍ବଳ ବିଶ୍ଵାସହୀନ ମନର ଗୋଟାଏ myth ହିସାବରେ ଗ୍ରହଣ କରିବାକୁ କେବେହେଲେ ଚେଷ୍ଟା କରିନାହିଁ । mythର ପ୍ରେରଣା ଠିକ୍ ନିଶା ପରି ଆପଣାଠାରୁ ଆପଣାକୁ ଭୁଲାଇ ନେଇଯାଏ । ସେଥିଲାଗି myth ସହିତ ସର୍ବଦା ଗୋଟାଏ ପ୍ରକାରର ଭାବଗତ ଉଗ୍ରତା ସଙ୍ଗେ ସଙ୍ଗେ ରହି ଗୋଟାଏ ମିଛ କର୍ମଠତାକୁ କର୍ମଠତାର ଭ୍ରମ ଦେଇ ଆଚ୍ଛନ୍ନ କରି ରଖିଥାଏ । ମୁଁ ସେହିସବୁ ଭ୍ରମର ପରସ୍ତକୁ ପାର ହୋଇ ଆସିଚି । ମୁଁ ଗାନ୍ଧୀକୁ ଶ୍ରଦ୍ଧା କରେ, ଗାନ୍ଧୀଜୀବନକୁ ଶ୍ରଦ୍ଧା କରେ, ମୋ’ର ଏହି ସଂସାରର ଅନେକ ଜୀବନାକାଙ୍‌କ୍ଷାରେ ମୁଁ ଗାନ୍ଧୀକୁ ଜଣେ ଅନ୍ତରଙ୍ଗ ସାଥୀ ବୋଲି ଗ୍ରହଣ କରେ, ବାଟ ଚାଲିଲାବେଳେ ତାହାରି ହାତ ଆଡ଼କୁ ହାତ ବଢ଼ାଇ ମୁଁ ଭାରି ଗୌରବାନ୍ଵିତ ହୁଏ ।

 

୩ । ୧୦ । ୬୧

 

ମୋ’ ର ବାଟ ମୋତେ ନିଜକୁ ହିଁ ପାଇବାକୁ ହେବ, ମୋ’ର ବାଟ ମୋତେ ନିଜକୁ ହିଁ ଚାଲିବାକୁ ପଡ଼ିବ । ଗାନ୍ଧୀକୁ ମୁଁ କେବେହେଲେ ଅବଲମ୍ବନ କରି ବାଟ ଚାଲିନଥିଲି; ତେଣୁ ଗାନ୍ଧୀ ବାଟରେ ଗଲେ ଆଧୁନିକ ପୃଥିବୀରେ କୌଣସି ଫଳ ମିଳିବନାହିଁ ବୋଲି କହିବାର ଧୃଷ୍ଟତା ମୋର କଦାପି ହେବନାହିଁ । ଗାନ୍ଧୀ ତା’ର ବାଟରେ ଯାଇଥିଲା, ଆପଣା ବାଟରେ ରହି ସେ ସମସ୍ତ ମାନବସମାଜର ଦୃଷ୍ଟି ଆକର୍ଷଣ କରିଥିଲା, ଜୀବନ ଉପରେ ଓ ମଣିଷ ଭିତରେ ଥିବା ଭଲ ଉପରେ ଅଟଳ ବିଶ୍ଵାସ ରଖି ସେ ଆପଣାର ସ୍ଵତନ୍ତ୍ର ବାଟ ପାଇ ପାରିଥିଲା;—ମୂଳତଃ ଏହି କାରଣରୁ ମୁଁ ଗାନ୍ଧୀକୁ ଏତେ ଆପଣାର ଓ ଏତେ ନିକଟର ବୋଲି ମନେ କରିଥାଏ । ହୁଏତ ଯିଏ ଗାନ୍ଧୀର ଅନୁସରଣ କଲେ ସବୁ କିଛି ପାଇଯିବ ବୋଲି ଭାରି ଆଶା କରି ଆପେ ଅଳସୁଆ ହୋଇ ବସିଥିଲା, ବାଟ ପାଇଥିବାର ପରମ ଭ୍ରମରେ ଯିଏ ନାନାପ୍ରକାର ଉତ୍ତେଜନାରେ ଆପଣାର ଆବିଷ୍କାର ପଥକୁ ବ୍ୟାହତ କରି ରଖିଥିଲା, ଗାନ୍ଧୀ ନାମରେ ଚାଲୁଥିବା କେତେଟା ଆଚାରକୁ ଆପଣାର ହୃଦୟସର୍ବସ୍ଵ କରି ଗ୍ରହଣ କରିଥିଲା, ଆଜି କେବଳ ସେଇ ଗାନ୍ଧୀକୁ ହରାଇ ବସିଚି, ଅଲିଅଳି ପିଲା ଗୁମାନ କରି ମାଆ ପାଖରୁ ପଳାଇ ଆସିବା ପରି ଆଜି ସେଇ ଗାନ୍ଧୀ ପାଖରୁ ପଳାଇ ଯାଉଚି, ଗାନ୍ଧୀ-ଆଚାରରେ ହତାଶ ହୋଇ ସିଏ ଆଉ ଅନ୍ୟ କୌଣସି ପ୍ରକାରର ଆଚାରସୂତ୍ରକୁ ବଞ୍ଚିବାର ଗଣ୍ଠିଧନ କରି ରଖିବାକୁ ନିଜକୁ ପ୍ରବର୍ତ୍ତାଇବାରେ ଲାଗିଚି । ଗାନ୍ଧୀ ଲାଗି ମୋ’ର କେବେହେଲେ ଅନ୍ଧଶ୍ରଦ୍ଧା ନଥିଲା, ତେଣୁ ଆଜି ମଧ୍ୟ ମୋ’ର ତା’ ପ୍ରତି ରହିଥିବା ଶ୍ରଦ୍ଧା ବଳବତ୍ତର ହେବାରେ ଲାଗିଚି । ଗାନ୍ଧୀ ମୋତେ ଆପଣାକୁ ଆବିଷ୍କାର କରିବାର ପ୍ରେରଣା ଦେଇଥିଲା, ଆଜି ମଧ୍ୟ ସେହି ପ୍ରେରଣା ଦେବାରେ ସେ କୌଣସି କୃପଣତା କରୁନାହିଁ ।

 

୪ । ୧୦ । ୬୧

 

ମୋ’ର ଏହି ନିଃସଙ୍ଗ ଜୀବନ ଦ୍ଵାରା ପୀଡ଼ିତ ହୋଇ ମୁଁ ବେଳେବେଳେ ଅତି ଆର୍ତ୍ତ ଓ ହୀନ ଭାବରେ ଏହି ସଂସାରରେ ସଙ୍ଗ ଖୋଜି ବାହାରୁଚି । ସେତେବେଳେ ମୋ’ରି ଭିତରେ ଏକ ଅତିପ୍ରବଳ ଉତ୍ତେଜନା ଅନୁଭବ କରି ମୁଁ ପ୍ରକୃତରେ ଭାରି ଭୟଭୀତ ହୋଇପଡ଼ୁଚି । ସତେ ଯେପରି ମୋ’ର ଆପଣାର ଘରଟା ସେତେବେଳେ ଆଉ କେଉଁ ଦୈତ୍ୟର ଦୁଃଶାସିତ ଘରରେ ପରିଣତ ହୋଇଯାଉଚି । ସେହି ଦୈତ୍ୟ ମୋ’ର ଭିତରୁ ହିଁ ଜନ୍ମଲାଭ କରୁଚି, ସେ କଥା ମୁଁ ଭଲକରି ଜାଣେ । ତଥାପି ଆପଣା ସହିତ ଏହି ଦୈତ୍ୟକୁ ମୁଁ କୌଣସି ପ୍ରକାରେ ଏକତ୍ର କରି ଦେଖି ପାରୁନାହିଁ । ଏହିପରି ଉତ୍ତେଜିତ ହୋଇ ବସିଥିବ ବେଳେ ମୁଁ ଆପଣାର ବଡ଼ ଅପମାନ କରୁଚି ଓ ସମସ୍ତ ସଂସାରର ମଧ୍ୟ ଅପମାନ କରୁଚି । ଆପଣାର ସମସ୍ତ ସମ୍ମାନସ୍ପଦ ପରିଚୟକୁ ମୁଁ ସେତେବେଳେ ଯେପରି ଭାଙ୍ଗି ଚୁରମାର କରି ପକାଉଚି । ସଂସାରରେ ଆଉ ସମସ୍ତଙ୍କ ଭିତରେ ଯେ ମଣିଷ ରହିଚି, ସେମାନଙ୍କର ଜୀବନ ବଞ୍ଚିବାରେ ଯେ ସ୍ଵକୀୟ ସ୍ଵତନ୍ତ୍ରତା ରହିଚି, ସେକଥା ମଧ୍ୟ ମୁଁ ସେହି ଉତ୍ତେଜିତ ମୁହୂର୍ତ୍ତରେ ଏକାବେଳେକେ ପାସୋରି ଯାଇଚି । ଭିତରେ ନାନା ବିଷୟରେ ଭାରି ଉପବାସୀ ହୋଇ ପଡ଼ିଚି ବୋଲି ଖୁବ୍ ସମ୍ଭବ ଏପରି ହେଉଚି । ସବୁ ଭରି ରହିଥିବା ଏହି ସଂସାରରେ ତଥାପି ମୁଁ କେବଳ ଆପଣାର ଉଗ୍ରତା ଗୁଡ଼ାକୁ ଆପଣା ଜୀବନର ସାଧନ କରି ରଖିଚି ବୋଲି ମୁଁ ଉପବାସୀ ହୋଇରହିଚି । ଏହି ଉଗ୍ରତା ଯେତେବେଳେ ଶାନ୍ତ ହୋଇଯାଉଚି, ମୁଁ ଯେତେବେଳେ କ୍ଷତବିକ୍ଷତ, ଆହତ ଓ ପରାହତ ହୋଇ ବଡ଼ସଙ୍ଗ ବିବର୍ଜିତ ଭାବରେ ପୁଣି ଆପଣା ଘରକୁ ଫେରିଆସୁଚି, ସେତେବେଳେ ଆପଣାର ଦଶା ଦେଖି ମୁଁ ଆପେ ମଧ୍ୟ ବଡ଼ ବିଚଳିତ ହୋଇପଡ଼ୁଚି । ଭିତରୁ କିଏ ଆର୍ତ୍ତନାଦ କରି କହି ଉଠୁଚି; ଏହି ଜ୍ଵାଳାକୁ ଦୂର କରିନିଅ, ଏହି ଦାରିଦ୍ର୍ୟ ଦୂର କରିନିଅ;—ମୋତେ ବିଶ୍ଵାସ ଦିଅ, ସଂସାରରେ ଖୁସୀ ହୋଇ ବଞ୍ଚିବାର ଶକ୍ତି ଦିଅ, ଶ୍ରଦ୍ଧା ଦିଅ । ମୁଁ ବଞ୍ଚିବାକୁ ଚାହେ, ମୁଁ ଭଲ ପାଇବାକୁ ଚାହେ, ମୁଁ ନିର୍ଭର କରି ରହିବାକୁ ଚାହେ ।

 

୫ । ୧୦ । ୬୧

 

ଅନେକ ଦିନ ପରେ କାଲି ସନ୍ଧ୍ୟାବେଳେ ବଗିଚାରେ କାମ ଆରମ୍ଭ କଲି । ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ କାମ କଲାପରେ କପାଳରୁ ଘମଘମ ହୋଇ ଝାଳ ବୋହି ଯାଉଥାଏ । ସେହି ଝାଳବିନ୍ଦୁ ସହିତ ମୋ’ର ହୃଦୟର ସକଳ ଖେଦ ମଧ୍ୟ ବିନ୍ଦୁ ବିନ୍ଦୁ ହୋଇ ବହିଯିବାରେ ଲାଗିଥାଏ । ମୋ’ର ମନର ଯେଉଁସବୁ ଗ୍ଳାନି ଓ ତଜ୍ଜନିତ ଉଗ୍ର ଅଭିମାନ କେବଳ ଏକ ଅସଭ୍ୟ ଅସନ୍ତୋଷ ହୋଇ ରହି ମୋତେ ପ୍ରପୀଡ଼ିତ କରି ଆସୁଥିଲା, ସେହି ଅଭିମାନ ମଧ୍ୟ ବିନ୍ଦୁ ବିନ୍ଦୁ ହୋଇ ବୋହି ଯାଉଥାଏ । ଏଥର ଶୀତଦିନର, କିଆରୀ ତିଆରି ହେବ, ପୁରୁଣା ଗଛ ଯାଇ ତା’ ଯାଗାରେ ନୂଆ ଫୁଲଗଛ ମୁକୁଳିତ ହୋଇଉଠିବ । ଶୀତଦିନରେ ଶିଶିରସିକ୍ତ ସକାଳେ ଏହି ବଗିଚାରେ କାମ କରୁକରୁ ମୁଁ ଏଥର କେତେ ଦିନ ସୂର୍ଯ୍ୟୋଦୟର ସଙ୍ଗଲାଭ କରିବି, ପକ୍ଷୀର ପ୍ରଥମ ସଙ୍ଗୀତର ସଙ୍ଗଲାଭ କରିବି । ଜୀବନର ସଙ୍ଗଲାଭ କରିବି, ସଂସାରର ସକଳ ପ୍ରକାର ସଙ୍ଗରେ ସ୍ନେହ ଭରାଇ ଦେଉଥିବା ପରମସଙ୍ଗୀର ସଙ୍ଗଲାଭ କରିବି । କାଲି ସନ୍ଧ୍ୟାବେଳେ ଆପଣାର ଅନେକ ଘାଆ ସତେଅବା ପୂରି ଆସୁଥିବା ପରି ମନେ ହେଲା, ପ୍ରାଣର ଅନେକ ପରାସ ସତେଅବା ଅପସରି ଯାଉଥିବା ପରି ମନେହେଲା । ଏଥର ମୁଁ ଆଉ କୌଣସି ମଣିଷ ଉପରେ କୌଣସି ଦୌରାତ୍ମ୍ୟ କରିବି ନାହିଁ, ସଙ୍ଗପାଇବାର ଅତ୍ୟୁଗ୍ର ଅକଟରେ ମୁଁ ଆଉ କାହାରି ଜୀବନପଥ ଓ ଜୀବନରୀତିକୁ ବ୍ୟତିବ୍ୟସ୍ତ କରିଦେବାକୁ ଯିବିନାହିଁ । ସ୍ନେହ ପାଇବାର ଓ ସ୍ଵୀକାର ପାଇବାର କାମନାରେ ମୁଁ ଆଉ ଭୀଷଣ ହୋଇ ପଡ଼ିବିନାହିଁ ।

 

୬ । ୧୦ । ୬୧

 

ଶୀତଦିନର ସକାଳ ହେଉଚି ମଣିଷର ହୃଦୟ ଲାଗି ପ୍ରକୃତରେ ଏକ ଅତ୍ୟର୍ଥ ମହୌଷଧ । କୌଣସି ବହି ପଢ଼ି ମୁଁ ଏପରି କଥା କହୁନାହିଁ, ମୁଁ ଆପଣାର ଜୀବନରେ ଅନୁଭବ କରିଥିବା କଥା ହିଁ କହୁଛି । ସେଇଥିଲାଗି ଶୀତଦିନ ଆସିବାର ସୂଚନା ମିଳିଗଲେ ମୋ’ ଭିତରେ ବଞ୍ଚି ରହିଥିବା ବାଳକମନଟି ଏପରି ଜୀବନୋଦବେଗରେ ଚଞ୍ଚଳ ହୋଇଉଠେ ଯେ, ତାର ସମସ୍ତ ପୁଲକ ଆକାଶ ଓ ପବନରେ ମିଶି ବିଶ୍ଵବ୍ୟାପୀ ହୋଇ ଗଲାପରି ମନେହୁଏ । ଆଖି ଆଗରେ କେତେ ଭାବଭରା କେତେ କେତେ ରଙ୍ଗକୁ ପ୍ରକଟ କରି ନାଲିରଙ୍ଗ ଉକୁଟି ଆସୁଥାଏ,—ହଠାତ୍ କେଉଁ ଦୂରରୁ କେଉଁ ବନ୍ଧୁ ପବନର ଶିହରଣ ଆସି ଚେତନାର ଜଳାଶ୍ରୟରେ ତରଙ୍ଗ ସୃଷ୍ଟି କରିଦିଏ-। ମନର ନାନା ବନ୍ଧ ଉପରେ ସେହିସବୁର ପରଶ ବାଜି ଜୀବନରେ ସତେ ଅବା କେଉଁ ପ୍ରିୟତମର ପ୍ରଥମ ପରଶ ପାଇଲା ପରି ମନେହୁଏ । ଦିଗନ୍ତ ବିସ୍ତୃତ ଶସ୍ୟକ୍ଷେତ ଉପରେ ପରିବ୍ୟାପ୍ତ ହୋଇରହିଥିବା ବହୁଦିନ ପରିଚିତ ଅସ୍ପଷ୍ଟତାକୁ ହୃଦୟଭରି ଅନୁଭବ କରିବା ମାତ୍ରକେ ଅନ୍ତର ଭିତରେ ସମସ୍ତ ଅପରିଚିତ ମୁହୂର୍ତ୍ତକ ଭିତରେ ବଡ଼ ଆପଣାର ମନେହୁଏ । ଆପଣା ଭିତରକୁ ଅନାଇ ଦେଲେ ଆଉ ମୋଟେ ଡର ମାଡ଼େନାହିଁ । ଆଖି ଉପରେ ସତେ ଅବା କେଉଁ ମୋହିନୀ ମାୟା ବିସ୍ତାର କରି ସକାଳର ଶିଶିର ଆସି ବାଜେ, ଅନ୍ତରର ସକଳ ଆଖିକୁ ଶୀତଳ କରି ଦେଇଯାଏ । ଘାସ ଉପରେ ବିଛାଇ ହୋଇ ରହିଥିବା ଶିଶିର ବିନ୍ଦୁର ପରସ୍ତମାନ ଆଖିରେ ସତେ ଯେପରି ଅଞ୍ଜନ ହୋଇ ବୋଳି ହୋଇ ଯିବା ପରି ମନେ ହୁଏ, ସୃଷ୍ଟିର ଦ୍ଵାରୋଦ୍‌ଘାଟନ ହୁଏ-। ମୋ’ର ହୃଦୟର ସମସ୍ତ ଦ୍ଵାର ଉଦ୍‌ଘାଟିତ ହୋଇଯାଏ, ସବୁ ଦ୍ଵାରରେ କେଉଁ ବ୍ରତତୀ ବନ୍ଧୁମାନଙ୍କର ଦଳ ସ୍ଵାଗତ ଗାଇଉଠନ୍ତି । ଏହି ସକାଳ ଭିତରେ ମୁଁ ସମସ୍ତଙ୍କୁ ପାଏ, ସବୁ ସମ୍ପଦର ଅଧିକାରୀ ହେବାର ନିର୍ଭର ମଧ୍ୟ ପାଏ । ଆପଣାର ପଥଯାତ୍ରାରେ ନୂତନ କରି ପୁଷ୍ପ ବୃଷ୍ଟି ହୁଏ । ମୁଁ ଭାବେ, ଆଜିର ଏହି ସକାଳଟି କ’ଣ ବିଶେଷ କରି ମୋ’ରି ପାଇଁ ଆସିଚି ?

 

୭ । ୧୦ । ୬୧

 

ଉତ୍ତର ପ୍ରଦେଶର କେତୋଟି ସହରରେ ଏହି କେତେଦିନ ହେଲା ସାମ୍ପ୍ରଦାୟିକ ଦଙ୍ଗା ଆରମ୍ଭ ହୋଇଚି । ହିନ୍ଦୁ ଓ ମୁସଲମାନଙ୍କ ଭିତରେ ଦୁଇଟା କାଳ୍ପନିକ ଅପଧର୍ମର ଦ୍ଵାହି ଦେଇ ଛୁରୀ ମାରିବାର ଖେଳ ଚାଲିଚି । ଏ ଦେଶରେ ହିନ୍ଦୁମାନଙ୍କର ସଂଖ୍ୟା ବେଶୀ, ତେଣୁ ମୁସଲମାନ ମାନଙ୍କ ଉପରେ ହିଁ ଛୁରାମାଡ଼ ବସୁଚି । ମୁସଲମାନ ପକ୍ଷରେ ଯେ ଛୁରୀ ମାରିବାର ଲୋକ ନାହାନ୍ତି, ସେପରି ନୁହେଁ । କିନ୍ତୁ ଏ ଦେଶରେ ସେମାନଙ୍କର ସଂଖ୍ୟା କମ୍ ହୋଇଥିବାରୁ ସେମାନଙ୍କର ଭୀରୁତା ସେମାନଙ୍କ ଭିତରେ ରହିଥିବାର ଆତତାୟୀକୁ ଯେକୌଣସି ପ୍ରକାରେ ସଂଯତ କରି ରଖିଚି-। ସଂଖ୍ୟା ଗରିଷ୍ଠତାର ସାହସ ପାଇଁ ହିନ୍ଦୁର ଭୀରୁମନ ହଠାତ୍ ଉତ୍ତେଜିତ ହୋଇଉଠିଚି । ସ୍ଵାଧୀନତା ପାଇଲାବେଳେ ନିତି ଯେଉଁସବୁ ଖବର ସମ୍ବାଦପତ୍ରମାନଙ୍କରେ ବାହାରୁଥିଲା ବର୍ତ୍ତମାନ ପୁଣି ସେହିପରି ଖବରମାନ ବାହାରୁଚି । ଶାନ୍ତ ସାମାଜିକ ମନରେ ସେହିପରି ଅଶାନ୍ତିଗୁଡ଼ାକର ଉକୁ ହେଉଚି । ନାନା ଦ୍ଵନ୍ଦ ଓ ଅସନ୍ତୋଷରେ ପ୍ରପୀଡ଼ିତ ହୋଇ ରହିଥିବା ମନ ହଠାତ୍ ଗୋଟାଏ ଦ୍ଵାର ପାଇ ବାହାରି ଆସିବାକୁ ସମସ୍ତ ପ୍ରକାର ଚେଷ୍ଟା କରିବ । ଏହି ଅସନ୍ତୋଷକୁ ଏପରି ଏକ ବିକୃତ ନିଷ୍କାସନଦ୍ଵାର ଯୋଗାଇ ଦେବାଲାଗି ହୁଏତ ଏ ଦେଶରେ ନୂଆପ୍ରକାରର ନେତୃତ୍ଵ ମଧ୍ୟ କ୍ରମେ ପ୍ରବଳ ହୋଇଉଠିବ । ଧର୍ମ ନାମରେ ବିଷର ଉଦ୍‌ଗାର ହେବ, ଘୃଣାର ଉଦ୍‌ଗାର ହେବ, ମୃତ୍ୟୁ ପ୍ରବୃତ୍ତିର ସବୁ ମାରାତ୍ମକତା ମନୁଷ୍ୟର ସକଳ ଭାବ ଓ ଭାବନାର ପ୍ରକୁପିତ କରି ରଖିବ-। ସେହିସବୁ କଥା ମନେ ପକାଇବା ବେଳୁ ଭିତରେ ରହିଥିବା ମଣିଷ ଯେପରି ତ୍ରସ୍ତ ଅଶ୍ଵସ୍ତ ହୋଇ ଉଠୁଚି । ଆଜି ନୋଆଖାଲିର ସାହସଯାତ୍ରା ମନେ ପଡ଼ୁଚି, ଆଜି ଗାନ୍ଧୀ କଥା ମନେ ପଡ଼ୁଚି-

 

୮ । ୧୦ । ୬୧

 

ହିନ୍ଦୁ ବୋଲାଇବାର ସମସ୍ତ ଉତ୍ତେଜନାକୁ ଏକତ୍ର କରି ମୁଁ ଭାବୁଚି, ଏ ଦେଶର ସବୁ ମୁସଲମାନଙ୍କୁ ମାରିଦେଲେ ଆଉ ଅଶାନ୍ତିର କୌଣସି କାରଣ ରହିବ ନାହିଁ । ମୁସଲମାନ ବୋଲାଇବାର ସକଳ ଉତ୍ତେଜନାକୁ ଏକାଠି କରି ହୁଏତ ତେଣେ ଆଉକିଏ ଭାବୁଚି ଯେ, କାଫେର୍ ହିନ୍ଦୁମାନଙ୍କୁ ମାରି ପକାଇଲେ ଯାଇ ଧରାତଳେ ଇସ୍‌ଲାମ୍‌ର ରାଜ୍ୟ ପ୍ରତିଷ୍ଠିତ ହୋଇ ପାରିବ, ଅର୍ଥାତ୍ ଶାନ୍ତିର ରାଜ୍ୟ ପ୍ରତିଷ୍ଠିତ ହୋଇପାରିବ । କିନ୍ତୁ ମଣିଷ ମାରିବା ବିଷୟରେ ଆମର ସମସ୍ତ ଚକ୍ରାନ୍ତ ସତ୍ତ୍ୱେ ଜଗତକୁ ତଥାପି ଅଶାନ୍ତି ଦୂର ହୋଇ ପାରୁନାହିଁ । ତଥାପି ମଣିଷ ମାରିବାର ପ୍ରବୃତ୍ତି ମଧ୍ୟ ସଂସାରରେ ଊଣା ହେବାର କୌଣସି ସୂଚନା ମିଳୁନାହିଁ । ଆପଣାର ଚାରିପାଖରେ ଘଟୁଥିବା ଘଟଣା ବିଷୟରେ ଭାବିବାକୁ ଆରମ୍ଭ କଲେ ସେଥିପାଇଁ ମୋତେ ବିସ୍ମିତ ହେବାକୁ ପଡ଼ୁଚି । ସଂସାରରେ ଧନସମ୍ପତ୍ତି ବଢ଼ୁଚି, ମଣିଷ ମଣିଷର ନିକଟତର ହେବାର ସାଧନମାନ ବଢ଼ୁଚି, ଜ୍ଞାନ ବଢ଼ାଇବାର ସାଧନମାନ ବଢ଼ୁଚି । କିନ୍ତୁ ତହିଁ ସଙ୍ଗେ ସଙ୍ଗେ ମଣିଷର ପାଶବିକତା ମଧ୍ୟ ବଢ଼ିବାରେ ଲାଗିଚି, ମଣିଷ ପ୍ରତି ମଣିଷର ଅବିଶ୍ଵାସ ମଧ୍ୟ ବଢ଼ିବାରେ ଲାଗିଚି, ମଣିଷ ଭିତରେ ଭୟ ବଢ଼ିବାରେ ଲାଗିଚି । ବାହାରର ସଜ୍ଜା ବଢ଼ିବା ସଙ୍ଗେ ସଙ୍ଗେ ଅନ୍ତରର ସୌନ୍ଦର୍ଯ୍ୟ ମରିଯିବାକୁ ଲାଗିଚି, ଆଉ କୌଣସି ପ୍ରକାର ଗର୍ହିତ କାର୍ଯ୍ୟ କରିବାକୁ ଓ କୌଣସି ପ୍ରକାରର ଗାତ ଭିତରକୁ ଖସି ଆସିବାକୁ ମଣିଷକୁ ଲାଜ ମଧ୍ୟ ଲାଗୁନାହିଁ । ଏପରି କାହିଁକି ହେଉଚି ? ପରିସ୍ଥିତି ଉପରେ ସମସ୍ତ ଦାୟିତ୍ଵକୁ ଲଦି ଦେଇ ମଣିଷ କିପରି ସବୁପ୍ରକାର କୁରୂପ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇଯାଉଚି ? ଏ ବିଷୟରେ ଭାବି ଭାବି ମୁଁ କୌଣସି ଅନ୍ତ ପାଏନାହିଁ । ଯେତିକି ଭାବେ, ସେତିକି ଦୁଃଖ ପାଏ । ତଥାପି ଏହି ଦୁଃଖ ଓ ଦୃଷ୍ଟାନ୍ତରୁ ରକ୍ଷା ପାଇବାର ବାହାନାରେ ଭାବିବାର ଆବଶ୍ୟକତାକୁ ମଧ୍ୟ ମୁଁ ଏଡ଼ି ଦେଇ ପାରେନାହିଁ । ସଂସାର ଖରାପ ହୋଇଗଲାଣି ବୋଲି କହି ନିଶ୍ଚିନ୍ତ ହୋଇ ବସିଯିବାକୁ ମଧ୍ୟ ମୋ’ର ସାହସ ହୁଏନାହିଁ ।

 

୯ । ୧୦ । ୬୧

 

ମୋର ଅସ୍ଥିର ଚିତ୍ତକୁ ସ୍ଥିର କରାଇବା ଲାଗି ଔଷଧ କୁଆଡ଼େ ଆସିବ ? ମୋ’ର ଦୁର୍ବଳ ହୃଦୟରେ ବଳ ଦେବା ଲାଗି ବଳ କୁଆଡ଼ୁ ଆସିବ ? ବେଳେବେଳେ ମନେ ହୁଏ, ସଂସାର ସହିତ ସମସ୍ତ ଡୋର କାଟି ପକାଇଲେ ହିଁ ସଂସାରର ସବୁ ଦୁଃଖରୁ ପରିତ୍ରାଣ ମିଳିବ । କିନ୍ତୁ ଏପରି ଏକ କଥାରେ ମନ ଜମାରୁ ମାନେନାହିଁ । ହୃଦୟ ପ୍ରତିବାଦ କରି କହେ, ମୋ’ର ଡୋର କଟିଯାଇଚି ବୋଲି ତ ମୋ’ର ଦୁଃଖ । ତେବେ ଆହୁରି କି ଡୋର କଟାଇ ମୁଁ ଏହି ଦୁଃଖରୁ ପରିତ୍ରାଣ ପାଇବି ବୋଲି ପ୍ରଲୁବ୍‌ଧ ହେଉଚି ? ପ୍ରକୃତରେ ଡୋର କଟିଯିବା ହିଁ ହେଉଚି ସବୁ ଦୁଃଖର ମୂଳ କାରଣ । ଗଛର ନିର୍ଭରରୁ ସ୍ଖଳିତ ହୋଇଆସିଥିବା ଗୋଟାଏ ପତର ପରି ଶୂନ୍ୟରେ ଉଡ଼ି ଉଡ଼ି ଯାଉଥିବାର ଯେଉଁ ଦୁଃଖ, ମୋର ସେହି ଦୁଃଖ । ମୋତେ ମଧ୍ୟ ଏହି ଛିଡ଼ି ଯାଇଥିବା ଡୋରକୁ ଲଗାଇବାକୁ ହେବ, ଛିଡ଼ି ଯାଇଥିବା ନିର୍ଭରକୁ ଫେରି ପାଇବାକୁ ହେବ । ମୋ’ର ହାତ ପାଆନ୍ତାରେ ରହିଥିବା ଅନ୍ୟମାନଙ୍କର ଜୀବନକୁ ଉପଦ୍ରୂତ କରି ନୁହେଁ, ଅନ୍ୟମାନଙ୍କ ଜୀବନର ଶାନ୍ତିକୁ ଭଙ୍ଗ କରି ନୁହେଁ, ଆପଣାର ଡୋର ଲଗାଇ ହିଁ ମୋତେ ଆପଣା ଘରକୁ ଫେରାଇ ଆଣିବାକୁ ହେବ ।

 

୧୦ । ୧୦ । ୬୧

 

ଦୋକାନୀର ଦୋକାନ ଭାଙ୍ଗିଗଲେ, ଭାଙ୍ଗିଗଲେ ଯେମିତି ଲାଗେ, ଆଈମାଆର ଗପ ସରିବା ପରେ ପିଲାମାନେ ଉଠି ଚାଲିଗଲେ ଆଈମାଆକୁ ଯେମିତି ଲାଗେ, ଆଜି ଛୁଟୀ ହୋଇଯିବା ପରେ ଠିକ୍ ଯେମିତି ଲାଗୁଚି । ଦଶହରା ଛୁଟୀରେ ପିଲାମାନେ ସମସ୍ତେ ଘରକୁ ଚାଲିଗଲେଣି । ସେଥିଲାଗି ଶିକ୍ଷକର ଘର ଆଜି ଭାରି ଖାଲି ଖାଲି ଲାଗୁଚି । ଆଜି କୋଉଠିହେଲେ ମନ ଲାଗୁନାହିଁ । ବହି ପଢ଼ିବାରେ ମଧ୍ୟ ମନ ଲାଗୁନାହିଁ । ଯେକୌଣସି କାର୍ଯ୍ୟରେ ଆପଣାକୁ ବସାଇ ରଖିବାକୁ ଯେତେ ଚେଷ୍ଟା କଲେ ମଧ୍ୟ କୋଉଠି କୋଉ ସେର ବା ମାଣ ଅପୂରା ରହିଗଲା ପରି ମନେ ହେଉଚି । ମୋ’ ଭିତରେ ରହିଥିବା ଶିକ୍ଷକକୁ ମୁଁ ଆଜି ଅଧିକ ସ୍ପଷ୍ଟ କରି ଅନୁଭବ କରିପାରୁଚି । ତାହାରି ମନୋବେଦନାରୁ ମୁଁ ତାହାର ସ୍ପଷ୍ଟତର ପରିଚୟ ପାଇପାରୁଚି । ଏହି ଉଦାସଭାବ ବା ବେଦନା ପଛରେ କୌଣସି ପ୍ରକାରର ମୋହ ବା ଉତ୍ତେଜନା ନାହିଁ, ଆପଣାର ଦୁର୍ଗ ଭିତରେ କାହାରିକୁ ବଶ କରି ରଖିବାର କୌଣସି ଲାଳସା ନାହିଁ । ଜୀବନର ଆବିଷ୍କାର-ଯାତ୍ରାରେ ଛାତ୍ରମାନେ ହେଉଚନ୍ତି ଶିକ୍ଷକର ପରମ ସାଥୀ । ଯେଉଁ ଶିକ୍ଷକ କେବଳ ପଇସା ଚାହେନାହିଁ, କେବଳ ସମ୍ମାନ ଓ ପଦବୀର ପ୍ରାର୍ଥୀ ହୋଇ ବୁଲେନାହିଁ, ଶିକ୍ଷାର ଯାବତୀୟ ପରିସରକୁ ପ୍ରକୃତରେ ଭଲପାଏ ବୋଲି ଯେଉଁ ଶିକ୍ଷକ ଆପଣାର ତାରୁଣ୍ୟ ନେଇ ଶିକ୍ଷକ ହେବାକୁ ଆସେ, ଛାତ୍ରମାନେ ହିଁ ସେହି ଶିକ୍ଷକର ପରମ ସାଥୀ । ଆଜି ହଠାତ୍ ପିଲାମାନେ ଘରକୁ ଚାଲିଯାଇ ଥିବାରୁ ମୋ’ ଭିତରର ସେହି ଶିକ୍ଷକ ଆପଣାର ପଥସାଥୀ ମାନଙ୍କୁ ହରାଇ ବସିଥିବ ପରି ଅନୁଭବ କରୁଚି । ମୋ’ର ମନ ବେଦନା ଆଜି ପ୍ରଧାନତଃ ସେହି ଶିକ୍ଷକର ହିଁ ମନୋବେଦନା-। ପିଲାମାନେ ଏଠି ଥିଲାବେଳେ ସେମାନଙ୍କୁ ପାଠ ପଢ଼ାଇବା ସଙ୍ଗେ ସଙ୍ଗେ ଆଗେ ପାଠ ପଢ଼ିବାକୁ ମଧ୍ୟ ମୁଁ ଅନେକ ପ୍ରେରଣା ପାଏ । ସେମାନଙ୍କ ଲାଗି ପ୍ରସ୍ତୁତ ହେବାର ଉତ୍ସାହରେ ମୁଁ ଆପଣା ପଥରେ ମଧ୍ୟ ଅଧିକ ପ୍ରସ୍ତୁତ ହେବାର ବଳ ପାଏ । ଏହିପରି ପ୍ରସ୍ତୁତ ହେବାକୁ ଭାରି ଭଲ ଲାଗେ ।

 

୧୧ । ୧୦ । ୬୧

 

ସତରେ ଏଠି ଏହି କେତେଦିନ ହେଲା ଭାରି ଏକୁଟିଆ ଲାଗୁଚି । ଯେତେବେଳେ ଏଠି ପିଲାମାନେ ଥାଆନ୍ତି, ସେତେବେଳେ ମୋ’ର ପଢ଼ାପଢ଼ି ମଧ୍ୟ ଠିକ୍ ଭାବରେ ହୁଏ । ନାନା କାର୍ଯ୍ୟରେ ଓ ନାନା ବିଚାର-ବିନିମୟରେ ସମୟ ଅତି ସ୍ଵାଭାବିକ ଭାବରେ ବିତିଯାଏ । ଜୀବନ ବଞ୍ଚିବାର ସଂପୂର୍ଣ୍ଣ ସନ୍ତୋଷ ମିଳେ । ଜୀବନରେ ମୋ’ର ଆପଣା ମାର୍ଗ ବିଷୟରେ ଯେତିକି ଅଭିଜ୍ଞତା ମିଳିଚି, ସେଥିରୁ ମୁଁ ଆପଣା ବିଷୟରେ ଅବଶ୍ୟ ଏତିକି କହି ପାରିବି ଯେ, ମୁଁ ଅନ୍ୟମାନଙ୍କ ସହିତ ଏକତ୍ର ସମ୍ମିଳିତ ହୋଇ ଜୀବନର ମାର୍ଗଟିକୁ ଚାଲିବାକୁ ଚାହେଁ । ଅବଶ୍ୟ ଏହାଦ୍ୱାରା ମୁଁ ଏକଥା ଚାହେଁନାହିଁ ଯେ ମୋ’ର ମାର୍ଗ ଆଉ କାହାର ମାର୍ଗକୁ ଗ୍ରାସ କରି ପକାଉ । ଯୋଉ ମଣିଷ କେବଳ ଆପଣା ଦୌରାତ୍ମ୍ୟର ପରିଚୟ ଦେଖାଇବାରେ ଲାଗିଚି, ସଂସାରରେ ସେପରି ମଣିଷର ସମ୍ପର୍କର ଆସି ମୁଁ କୌଣସି ପ୍ରେରଣା ପାଏନାହିଁ । ସେ ମୋତେ କୌଣସି ପ୍ରକାରେ ଅଭିଭୂତ କରି ପାରେନାହିଁ । ତା’ ବିଷୟରେ ମୋ’ର ମନରେ ଗୋଟାଏ ପ୍ରକାରର ଉଦାସୀନ କରୁଣାଭାବ ଜାତ ହୋଇଥାଏ । ଯିଏ ଅନ୍ୟ କାହାରି ଉପରେ ଭରା ନ ଦେଇ ଆପଣାର ବାଟ ଆପେ ଚାଲିଚି, ସେଇ ମୋତେ ଉଦ୍‌ବୁଦ୍ଧ କରାଏ, ମୋର ବାଟ ଫିଟାଇଦିଏ ।

Unknown

 

୧୨ । ୧୦ । ୬୧

 

ନିତି ସକାଳେ ଏହି ଖାତା ପାଖରେ ଆସି ବସିବାକୁ ମୁଁ ଆଜିକାଲି ଆପଣା ଭିତରେ ଗୋଟାଏ ପ୍ରକାର ଅନିଚ୍ଛା ଅନୁଭବ କରୁଚି । ଏବଂ ସେହି ଅନିଚ୍ଛାର କାରଣରୁ ହିଁ ମନ ଅସ୍ଥିର ହୋଇପଡ଼ୁଚି । ଦଣ୍ଡେ ଭାବି ଦଣ୍ଡେ ଥିର ହୋଇ ବସି ଲେଖିବାକୁ ମନର ଯେଉଁ ଶାନ୍ତି ଓ ହୃଦୟର ଯେଉଁ ଉତ୍ସୁକତା ଦରକାର, ସେହି ଶାନ୍ତି ଓ ସେହି ଉତ୍ସୁକତାକୁ ମୁଁ ଅନେକ ସମୟରେ ସ୍ଵତଃ ଅନୁଭବ କରି ପାରୁନାହିଁ । ଏହି ଲେଖିବା ଉପରୁ ଯେପରି କ୍ରମେ କ୍ରମେ ମୋ’ର ଆସ୍ଥା କମି କମି ଯାଉଚି । ଯେଉଁ ବୟସରେ ମୁଁ ଏହିସବୁ ଲେଖା ଆରମ୍ଭ କରିଥିଲି, ସେତେବେଳେ ମନ ଭାରି କଅଁଳ ଥିଲା । ମୋ’ର ମନର ଭାବକୁ ଲିପିବଦ୍ଧ କରି ମୁଁ ଅନେକକିଛି ସାଧନ କରିପାରିବି ବୋଲି ସେତେବେଳେ ବିଶ୍ଵାସ ମଧ୍ୟ ପ୍ରବଳ ଥିଲା । ସାହିତ୍ୟକୁ ହିଁ ମୁଁ ଜୀବନର ସର୍ବପ୍ରଧାନ ପ୍ରକାଶସାଧନ ବୋଲି ମନେ କରୁଥିଲି । ସେଥିଲାଗି ମନର କୌଣସି ଭାବକୁ ବା ହୃଦୟରେ କୌଣସି ଅନୁରକ୍ତିକୁ ନିପୁଣ ଭାବରେ ଭାଷାରେ ପ୍ରକଟ କରିଦେଇ ପାରିଲେ ସେତେବେଳେ ଭାରି ଆନନ୍ଦ ମିଳୁଥିଲା, ଆଗକୁ ବଢ଼ି ଯାଉଥିବାର ଉତ୍ସାହ ମଧ୍ୟ ମିଳୁଥିଲା । ଆଜି ସାହିତ୍ୟରୁ ହୁଏତ ମୁଁ ସେହି ଆନନ୍ଦ ବା ଉତ୍ସାହ ପାଇ ପାରୁନାହିଁ । ମୁଁ ଆଜିକାଲି ଭାବୁଚି, ଲେଖିବାଦ୍ଵାରା ମୁଁ ନିଜର ବା ସଂସାରର କୌଣସି ସମସ୍ୟାର ସମାଧାନ କରି ପାରିବିନାହିଁ । ସାହିତ୍ୟ କେବଳ ସାଧନମାତ୍ର । କିନ୍ତୁ କେବଳ ସାହିତ୍ୟ ଦ୍ଵାରା କୌଣସି ମୌଳିକ ପରିବର୍ତ୍ତନ ସମ୍ଭବ ନୁହେଁ । ସାହିତ୍ୟ ଭିତରେ ବରଂ ମଣିଷକୁ ଶୁଆଇ ପକାଇବାର ଗୋଟାଏ କୁପ୍ରବୃତ୍ତି ମଧ୍ୟ ରହିଚି, ସମସ୍ୟା ଭିତରୁ ବାହାରି ପଳାଇ ଯାଇ ଶାନ୍ତି ପାଇବାର ଏକ କୁଚକ୍ରାନ୍ତ ମଧ୍ୟ ରହିଚି ।

 

୧୩ । ୧୦ । ୬୧

 

ସାହିତ୍ୟ କୌଣସି ସମସ୍ୟାର ସମାଧାନ କରି ପାରିବନାହିଁ । ସାହିତ୍ୟ କୌଣସି ସମସ୍ୟାର ଅସଲ ମୂଳକୁ ସ୍ପର୍ଶ ହିଁ କରି ପାରିବନାହିଁ । ସାହିତ୍ୟ ଅନ୍ତର୍ଦୃଷ୍ଟି ଦେବ, ସାହିତ୍ୟ ବାଟର ନିର୍ଦ୍ଦେଶ ଦେବ, କିନ୍ତୁ ସାହିତ୍ୟ କୌଣସି ପରିବର୍ତ୍ତନ କରାଇ ପାରିବନାହିଁ । ବହି ପଢ଼ିଲେ ହିଁ କୌଣସି ସମସ୍ୟାର ସମାଧାନ ହୋଇଯାଏନାହିଁ । ସେହି କାରଣରୁ ବହିଟାଏ ଲେଖିଦେଲେ ହିଁ କୌଣସି ସମସ୍ୟାର ସମାଧାନ ହୋଇ ଯାଏନାହିଁ । କାରଣ, କେବଳ ଜାଣିଲେ ବା ଜଣାଇଦେଲେ ଭିତରେ ଅସଲ ଦ୍ଵାର ଖୋଲି ପାରେନାହିଁ । ସଂସାରରେ ଆଜି ସାହିତ୍ୟ ଲେଖିବା ଓ ସାହିତ୍ୟ ପଢ଼ିବା ହୁ’ ହୁ’ ହୋଇ ବଢ଼ିବାରେ ଲାଗିଚି, କିନ୍ତୁ ଏଣେ ସମସ୍ୟାମାନ ମଧ୍ୟ ଅଧିକରୁ ଅଧିକ ଜଟିଳ ହେବାରେ ଲାଗିଚି । ମଣିଷର ଭିତରେ ସମସ୍ୟାମାନ ଜଟିଳ ହେବାରେ ଲାଗିଚି, ବାହାରେ ମଧ୍ୟ ଜଟିଳ ହେବାରେ ଲାଗିଚି । ମୋ’ର ବିଶ୍ଵାସ ହେଉନାହିଁ ଯେ, କେବଳ ବହି ଲେଖି ବହି ପଢ଼ିବା କଥା କହି ଆମେ ଏହିସବୁ ସମସ୍ୟାର ସମାଧାନ କରି ପାରିବା । ସମସ୍ୟାର ସମାଧାନ ଓ ମଣିଷର ମନ ଭିତରେ ଓ ହୃଦୟ ଭିତରେ ହେବ । କେବଳ ସେହିଠାରେ ହିଁ ସମସ୍ୟା ଗୁଡ଼ିକର ସମ୍ମୁଖୀନ ହେବା ସମ୍ଭବ ହେବ, ସେହିଠାରୁ ହିଁ ଯଥାର୍ଥ ପରିବର୍ତ୍ତନ ଆରମ୍ଭ ହେବ । ସାହିତ୍ୟ ଏଥିଲାଗି ବଡ଼ ଅପାରଗ ବୋଲି ମନେ ହେଉଚି ।

 

୧୪ । ୧୦ । ୬୧

 

ଏହି ସକାଳ ଓ ଏହି ସନ୍ଧ୍ୟା ମୋ’ର ଅତି ଆପଣାର । କାଲି ସଞ୍ଜ ବୁଡ଼ିଗଲା ପରେ ମୁଁ ଆଗ୍ରାରେ କୌଣସି ରାସ୍ତା ଦେଇ ଆସୁଥିଲି । ସେତେବେଳେ ଚାରିଆଡ଼େ ଅନ୍ଧାର ହୋଇଗଲାଣି । ହଠାତ୍ ପଶ୍ଚିମ ଦିଗକୁ ଅନାଇ ଦେଖିଲି । ଦେଖିଲା ମାତ୍ରକେ ମନେ ହେଲା, ସତେଅବା କେଉଁ ସାଗରର ଜଳରାଶି ଦିଗନ୍ତ ବିସ୍ତାର କରି ରହିଚି, ସ୍ନିଗ୍‌ଧ ଜୀବନମୟ ଆଖିରେ କିଏ ଯେପରି ଏହି ଅନ୍ଧାର ଭିତରକୁ ଅନାଇ ରହିଚି । ତଳେ ଅନ୍ଧାର ଭିତରେ ବୁଡ଼ି ରହିଥିବା ନଗରର କଳା ଉଦ୍ଭିଦରେଖା, ଉପରେ ଆକାଶ ଆବୋରି ରହିଥିବା କଳା ମେଘର ପରସ୍ତମାନ;—ମଝିରେ ନାନା ରଙ୍ଗକୁ ଏକାଠି ଗୋଳାଇ କିଏ ସେପରି ଏକ ଅପରୂପ ଚେତନା ଓ ଅପରୂପ ନୀରବତାର କ୍ରୋଡ଼ ପ୍ରସାରି ରଖିଚି । ଏହି ଦୃଶ୍ୟ ମୋ’ର ଅତି ଆପଣାର । ସେଇଥିଲାଗି, ଯେତେଥର ଏହା ଦେଖିବାର ସୁଯୋଗ ପାଇଚି, ସେତେଥର ଅଭିଭୂତ ହୋଇପଡ଼ିଚି, ଆପଣା ଭିତରେ ପ୍ରସାରି ରହିଥିବା ଅତଳ ଜଳରାଶିର ରହସ୍ୟ ପାଖରେ ମୋ’ର ସମସ୍ତ ଦୃଷ୍ଟି ଯେପରି ଶ୍ରଦ୍ଧାନତ ହୋଇଆସିଚି । ଏହା କେବଳ ମୋ’ରି ବାହାରେ ଥିବା ପ୍ରକୃତିର ଏକ ଖୁନ୍ଦ ରୂପ ନୁହେଁ । ଏହା ଭିତରେ ଏକ ଉଜ୍ଜ୍ଵଳ ଉଦ୍‌ବୋଧକ ରୂପ ନିହିତ ହୋଇରହିଚି । ଆଜି ସକାଳେ ମଧ୍ୟ ବାହାରକୁ ଆସି ପୂର୍ବ ଦିଗରେ ସେହି ଉଦ୍‌ବୋଧନର ଅନୁଭବ କଲି । ସୂର୍ଯ୍ୟୋଦୟ ହେବାକୁ ଅନେକ ଡେରି ଅଛି, ଧରା ଉପରୁ ଭଲ କରି ଅନ୍ଧାର ଯାଇନାହିଁ । ଆଗକୁ ଅନାଇ ଦେଖିଲି, ପୂର୍ବଦିଗରେ କଳା ମେଘଖଣ୍ଡମାନ କଳା ପଥରର ପିଠି ପରି ଖଣ୍ଡ ଖଣ୍ଡ ହୋଇ ପଡ଼ିରହିଚି । ସେହି ପଥରଗୁଡ଼ିକୁ ବେକସରିକି ବୁଡ଼ାଇ ରଖି କେଉଁ ଉତ୍ସବମୟ ପୁରୁଷର ସ୍ନିଗ୍‌ଧ ଆଭାସ ଅତି ନୀରବ ଭାବରେ ପ୍ରସାରିତ ହୋଇରହିଚି । ମୋ’ର ସକାଳ ସାର୍ଥକ ହେଲା । ମୋ’ର ରାତ୍ର ମଧ୍ୟ ସାର୍ଥକ ହେଲା । ମୁଁ ଭାବୁଥିଲି, ଜଗତରେ ଯାହାର ବରାଦରେ ଉଦୟାସ୍ତ ହେଉଚି, ସିଏ କେବଳ ଜଣେ ନିୟାମକ ନୁହନ୍ତି, କେବଳ ହିସାବ ମାନି ସୃଷ୍ଟିର କ୍ରମ ସଜାଡ଼ୁଥିବା ହିସାବୀ ନୁହନ୍ତି; ସେ ସୁନ୍ଦର, ସେ ରସିକ, ସେ ରୂପାଗ୍ରହୀ । ରସେ ବୈ ସଃ,—ସେହି ମୋ’ର ଆରାଧ୍ୟ ।

 

୧୫ । ୧୦ । ୬୧

 

ସକାଳେ ସ୍ନାନ ସାରି ଏକ ଖାତା ପାଖରେ ବସିବାକୁ ଯାଉଚି, ହଠାତ୍ ପୂର୍ବଦିଗର କେଉଁ ପ୍ରସନ୍ନ ବନ୍ଧୁ ମୋ’ର ସମସ୍ତ ଧ୍ୟାନକୁ ଅପହରଣ କରି ନେଇଗଲା । ମୋ’ର ସମସ୍ତ କର୍ମବନ୍ଧନର ସମସ୍ତ ତାଗିଦା ପଛରେ ପକାଇଦେଇ ମୁଁ ଘଡ଼ିଏ କାଳ ସେହି ପୂର୍ବଦିଗକୁ ଅନାଇ ଦେଖିଲି । ଦେଖିଲି, କଳାମେଘର ଢେଲାଗୁଡ଼ାକୁ ହାତରେ ଠେଲିଦେଇ ଦିଗନ୍ତ ସେପାଖରୁ ରକ୍ତବର୍ଣ୍ଣ ସକାଳ ଉଦିତ ହୋଇଆସୁଚି । ନାଆ ଚାଲି ଯାଉଥିବାବେଳେ ଯେପରି ଆଗରେ ଥିବା ଶିଉଳିଗୁଡ଼ାକ ଦୁଇପାଖକୁ ପାଖେଇ ହୋଇଯାଏ, ନାଆକୁ ବାଟ ଛାଡ଼ିଦିଏ, ମେଘପୁଞ୍ଜର ଏହି ସ୍ତୂପଗୁଡ଼ାକ ସେହିପରି ସୂର୍ଯ୍ୟକୁ ବାଟ ଛାଡ଼ି ଦେଉଚି । ଅତ୍ୟନ୍ତ ଅଜାଣତରେ ଅଥଚ ମୋ’ର ସକଳ ଚେତନାର ସମର୍ଥନ ସହିତ ମୋ’ର ଦୁଇହାତ ଯୁକ୍ତ ହୋଇ ଉପରକୁ ଟେକି ହୋଇଗଲା । ମୁଁ ନବଜାତକ ସକାଳର ଶିଶୁଟି ଉଦ୍ଦେଶ୍ୟରେ ପ୍ରଣାମ ଜଣାଇଲି । ହଁ, ଅତ୍ୟନ୍ତ ସ୍ଵାଭାବିକ ଭାବରେ ମୋ’ର ଦୁଇହାତ ଉପରକୁ ଟେକି ହୋଇଗଲା । ହୃଦୟ ପ୍ରସ୍ତୁତ ଥିଲେ ଶରୀର ଯେତିକି ସ୍ଵାଭାବିକ ଭାବରେ ପ୍ରସ୍ତୁତ ହୋଇଯାଏ, ଠିକ୍ ସେତିକି ସ୍ଵାଭାବିକ ଭାବରେ ଗାଧୋଇ ସାରି ଧର୍ମକୁ ପାଣି ଦେଲାବେଳେ ବୋଉର ଦୁଇହାତ ଯେତିକି ସ୍ଵାଭାବିକ ଭାବରେ ଉପରକୁ ଟେକି ହୋଇଯାଏ, ଠିକ୍ ସେତିକି ସ୍ଵାଭାବିକ ଭାବରେ । ମୋ’ର ଏହି ପ୍ରଣାମ ଭିତରେ ବୁଦ୍ଧିର କୌଣସି ବ୍ୟାହତତା ନଥିଲା, କୌଣସି ପ୍ରୟୋଜନ ବୁଦ୍ଧି ନଥିଲା,—ମୋ’ ଭିତରର ଜୀବନ ଏହି ସକାଳରୂପୀ ବିଶ୍ଵଜୀବନକୁ ହିଁ ପ୍ରଣାମ ଜଣାଉଥିଲା ।

 

୧୬ । ୧୦ । ୬୧

 

ଯୁଗ ଯେତିକି ସମସ୍ୟାବହୁଳ ହେଉଚି, ମଣିଷର ବ୍ୟକ୍ତିଗତ ତଥା ସାମାଜିକ ଜୀବନରେ ଅନ୍ଧାର ଯେତିକି ଘନ ହେଉଚି, ଏଣେ ସାହିତ୍ୟ ରଚନାର ପରିମାଣ ମଧ୍ୟ ସେତିକି ବଢ଼ିବାରେ ଲାଗିଚି । ସମସ୍ୟା ଓ ସଂଶୟ ବଢ଼ିବା ସହିତ ଏହି ସାହିତ୍ୟଲେଖା ବଢ଼ିବାରେ ଏକ ଅନୁକ୍ରମିକ ସମ୍ବନ୍ଧ ରହିଚି କି, ? ମନ ଭିତରେ ଆଜି ଏହିପରି ଗୋଟିଏ ପ୍ରଶ୍ନର ଉଦୟ ହେଉଚି । ନିତିଦିନର ସତ ଜୀବନରୁ ସୌନ୍ଦର୍ଯ୍ୟ ଅପସରି ଗଲେ ସାହିତ୍ୟର ମଣ୍ଡନକୁ ଅଧିକରୁ ଅଧିକ କରି ସେଥିରୁ ଏକ ମିଛ ସାନ୍ତ୍ଵନା ପାଇବାର ପ୍ରବୃତ୍ତି ମଣିଷର ସତରେ ରହିଚି କି, ଆଜି ଭିତରେ ଏହିପରି ଏକ ସଂଶୟ ଜାତ ହେଉଚି । ଏବଂ, ଏହି ସଂଶୟ ଯେତିକି ବଢ଼ୁଚି, ଆପଣାର ସାହିତ୍ୟ ଲେଖିବା ବିଷୟରେ ଅନୁରାଗ ମଧ୍ୟ ସେତିକି ହ୍ରାସ ହେବାରେ ଲାଗିଚି । କାହିଁକି ଲେଖିଚି, ଲେଖିବା ଦ୍ଵାରା ମୁଁ ଆପଣାର ଦୁଆର ଖୋଲିବାକୁ ଆହୁରି ଅଧିକ ବିଳମ୍ବିତ କରିଦେବି ନାହିଁ ତ ? ସଂସାରରେ କେତେକେତେ ରଥୀ ଆଜି କେତେ ସାହିତ୍ୟ ଲେଖୁଚନ୍ତି । ଆପଣାର କଳ୍ପନା ଭିତରେ କେତେ ଚରିତ୍ର ଓ କେତେ ପ୍ରତୀକ ଗଢ଼ି ଥୋଇଦେଇ ସେମାନେ ସଂସାରକୁ ସୁନ୍ଦର ହେବାଲାଗି କେତେ ଉଦ୍‌ବୋଧନ ଦେଉଚନ୍ତି । କିନ୍ତୁ ଅଧିକାଂଶ କ୍ଷେତ୍ରରେ ସେମାନଙ୍କର ସାହିତ୍ୟ ବିନୋଦନସଭାର ମଧୁର ସାମଗ୍ରୀ ହୋଇରହୁଚି, ଶୋଇଥିବା ମଣିଷର ନିଜକୁ ଆହୁରି ଗାଢ଼ କରିବାରେ ଭାରି ସାହାଯ୍ୟ କରୁଚି । ଜୀବନ ଯେମିତି ଅଛି, ସେମିତି ପଡ଼ି ରହିଚି; ଅଥଚ ବୈଠକଖାନାରେ ସାହିତ୍ୟର ମଣ୍ଡନ ବଢ଼ି ଚାଲିଚି । ମଣିଷର ଦୁର୍ଦ୍ଦଶାକୁ ସ୍ଥାୟୀ କରି ରଖିବାରେ ଓ ମଣିଷକୁ ଅସୁନ୍ଦର କରି ରଖିବାରେ ମଣିଷର ସାହିତ୍ୟ ଅଫିମ ପରି କାର୍ଯ୍ୟ କରୁନାହିଁ ତ ? ମୁଁ ଭାବୁଚି, ସାହିତ୍ୟ କେବଳ ବିଶ୍ଳେଷଣ କରିବ, ସାହିତ୍ୟ କେବଳ ପଥର ଇଙ୍ଗିତ ହେବ, ସାହିତ୍ୟ ପ୍ରସ୍ତୁତ କରାଇବାକୁ ନାନା ଭାଗବତ ଅନୁସଙ୍ଗ ଖଞ୍ଜିଦେବ । କିନ୍ତୁ ପଥ ଚାଲିବ ସ୍ଵୟଂ ମଣିଷ, ଆପଣାର ଜୀବନକୁ ମଣିଷ ସ୍ଵୟଂ ସୁନ୍ଦର କରିବ । ସାହିତ୍ୟ ପାରିବନାହିଁ ।

 

୧୭ । ୧୦ । ୬୧

 

ଆପଣାକୁ ନିବେଦନ କରିଦେବା ବ୍ୟତୀତ ଆଉ ଅନ୍ୟ ପଥ ହିଁ ନାହିଁ । କେବଳ ସଂଗ୍ରହରେ କୌଣସି ସୁଖ ନାହିଁ, କେବଳ ସଞ୍ଚୟରେ କୌଣସି ସନ୍ତୋଷ ନାହିଁ । ମୁଁ ଯାହା ସବୁ ସଂଗ୍ରହ ବା ସଞ୍ଚୟ କରୁଚି, ନାନା ଭାବରେ ନାନା କ୍ଷେତ୍ରରେ ମୋତେ ସେହି ସବୁକୁ ନିବେଦନ କରି ଦେବାକୁ ହେବ । ମୁଁ ଖାଲି ଏହି ଜୀବନରେ ସଞ୍ଚିତ ହେଉଥିବା ସାମଗ୍ରୀ ଓ ସାଧନ କଥା କହୁନାହିଁ । ମୋ’ର ଭାଗବତ ଜୀବନର କଥା ମଧ୍ୟ କହୁଚି । ମୋ’ର ଜୀବନ ଭିତରେ ସଞ୍ଚିତ ସମସ୍ତ ସ୍ନେହ ଓ ଶ୍ରଦ୍ଧାକୁ ଏହି ସଂସାରର ମଣିଷ ଲାଗି ନିବେଦନ କରି ଦେବାକୁ ହେବ, ସୌନ୍ଦର୍ଯ୍ୟ ଉପଭୋଗ କରିବାର ସମସ୍ତ ଆକାଙ୍‌କ୍ଷାକୁ ଏହି ସକାଳ ଓ ସନ୍ଧ୍ୟାର ଆକାଶ ପାଖରେ ନିବେଦନ କରିଦେବାକୁ ହେବ, ମୋ’ର ହୃଦୟରେ ବିକଶିତ ହେଉଥିବା ସକଳ ଭକ୍ତିକୁ ମୋତେ ଖୁସୀ ହୋଇ ମୋ’ର ଭଗବାନଙ୍କ ପାଖରେ ନିବେଦନ କରିଦେବାକୁ ହେବ । ଏହି ନିବେଦନ କରିବାରେ କୌଣସି ପ୍ରକାର ଭୟ, ଲାଳସା ବା ପ୍ରମାଦ ରହିବନାହିଁ, କୌଣସି ପ୍ରକାର ପ୍ରୟୋଜନାକାଙ୍‌କ୍ଷା ମଧ୍ୟ ରହିବନାହିଁ । ବାହାରୁ କୌଣସି ପ୍ରକାର ଚାପ ଦ୍ଵାରା ବାଧ୍ୟ ହୋଇ ଜୀବନରେ ପ୍ରବୃତ୍ତ ହେବାର ରୀତିକୁ ମୁଁ ନିବେଦନ ବୋଲି କଦାପି କହି ପାରିବି ନାହିଁ । କାରଣ, ଏହି ନିବେଦନରେ ଜୀବନ ଭରିଉଠି ପାରେନାହିଁ, ଜୀବନ ବଡ଼ ସଙ୍କୁଚିତ ହୋଇଯାଏ, ଜୀବନ ନିରାନନ୍ଦମୟ ହୋଇଯାଏ, ଦୁର୍ବହ ହୋଇଯାଏ । ଭୟାର୍ତ୍ତ କ୍ରୀତଦାସର ନିବେଦନ ଭିତରେ ଜୀବନର କୌଣସି ଆବେଦନ ନଥାଏ । ମୋ’ର ନିବେଦନ ଅନ୍ୟ ପ୍ରକାରର । ଏଥିରେ କୌଣସି କୋଳାହଳ ନାହିଁ, କୌଣସି ଆର୍ତ୍ତଭାବ ନାହିଁ, କୌଣସି ମୋହ ନାହିଁ । କେବଳ ସହଜ ସମ୍ମିଳନ ରହିଚି, ସହଜ ଖୁସି ରହିଚି ।

 

୧୮ । ୧୦ । ୬୧

 

ଯେତିକିବେଳେ ଆପଣା ସ୍ଵାର୍ଥରେ ମୁଗ୍‌ଧ ହୋଇ ମୁଁ ସଂସାରକୁ କେବଳ ମୋ’ରି ଖେଳନାଘର ପରି ମନେକରି, ମନ ଇଚ୍ଛାର ମୁତାବକ ହାତ ଆଗରେ ଏଇଟା ସେଇଟାକୁ ଭାଙ୍ଗିବାର କିମ୍ବା ଫୋପାଡ଼ି ଦେବାର ନପାଇଲେ ରୁଷ୍ଟ ହୋଇପଡ଼େ, ଠିକ୍ ସେତିକିବେଳେ ମୋତେ ସଂସାରଟା ଦୁର୍ବହ ମନେହୁଏ । ସଂସାରଠାରୁ ମୁଁ ଯେତିକିବେଳେ ଏଇଟା ସେଇଟା ଚାହିଁ ବସେ, ଠିକ୍ ସେତିକିବେଳେ ସଂସାର ମୋତେ ଫେରାଇ ଦିଏ । ଯେତିକିବେଳେ ସଂସାରଟାକୁ ମୁଁ ଗୋଟାସୁଦ୍ଧା ମୋ’ର ବୋଲି ମନେ କରି ଆତ୍ମସାତ୍ କରିବାକୁ ବସେ, ଠିକ୍ ସେତିକିବେଳେ ସଂସାର ମୋତେ ପର କରି ଫୋପାଡ଼ି ଦେଇଯାଏ । କିନ୍ତୁ ଯେତେବେଳେ ସବୁପ୍ରକାର ପାଗଳାମି ଦୂର ହୋଇଯାଏ, ସ୍ଥିର ଶାନ୍ତ ଭକ୍ତର ହୃଦୟ ନେଇ ମୁଁ ଯେତେବେଳେ ସଂସାରକୁ ଯାଏ, ଯେତେବେଳେ ଶ୍ରଦ୍ଧାର ସହିତ ଦେଖିବାକୁ ଲାଗେ, ଶ୍ରଦ୍ଧାର ସହିତ ପାଖରେ ବସିବାକୁ ଲାଗେ, ସେତେବେଳେ ମୁଁ ସଂସାରକୁ ପାଏ, ସେତିକିବେଳେ ମୁଁ ଆପଣାକୁ ଓ ସଂସାରକୁ ଏକାଠି ଗୋଟିଏ ଜୀବନର ପ୍ରସାରିତ କ୍ରୋଡ଼ ଉପରେ ଧରିଥିବା ଦେବତାର ମହିମାକୁ ଅନୁଭବ କରିପାରେ, ସେତେବେଳେ ମୁଁ ପ୍ରତ୍ୟେକ ମଣିଷର ମହିମାକୁ ମଧ୍ୟ ଅନୁଭବ କରେ, ପ୍ରତ୍ୟେକ ଗଛ, ପତର ଓ ଫୁଲ ସେତେବେଳେ ମୋର ପରମ ବନ୍ଧୁ ପରି ମନେହୁଏ । ସେତେବେଳେ ସୂର୍ଯ୍ୟୋଦୟ ଦେଖି ହୃଦୟ ପୂରିଯାଏ, ଅନ୍ଧାର ଆକାଶରେ ବିଞ୍ଚିହୋଇ ପଡ଼ିଥିବା ତାରାପୁଞ୍ଜକୁ ଅନାଇ କାହାର ଉଚ୍ଚାଟ ଆହ୍ଵାନ ଶୁଣୁଥିଲା ପରି ମନେହୁଏ, ଜ୍ୟୋତ୍ସ୍ନା-ବିଧୌତ ଧରଣୀ ଆଡ଼କୁ ଅନାଇ କେଉଁ ବନ୍ଧୁର ସମୀପବର୍ତ୍ତୀ ହେଉଥିଲା ପରି ଲାଗେ । ସେତେବେଳେ ଏହି ସଂସାରରେ ଆପଣାକୁ ଆଦୌ ଶୂଦ୍ର ବୋଲି ମନେ ହୁଏନାହିଁ । ସମସ୍ତ ତୀର୍ଥରେ ସ୍ନାନ କରି ଆସିଥିବା ପୂଣ୍ୟବାନ୍ ମଣିଷ ପରି ମନେହୁଏ । ଏହି ଆବୋରି ଧରିବାର ଆକାଂକ୍ଷା, ଏହି ଆତ୍ମସାତ୍ କରିବାର ଜ୍ଵାଳା ହିଁ ହେଉଚି ମୋ’ର ସବୁ ଆତୁରତାର ସର୍ବପ୍ରଧାନ କାରଣ । ସଂସାରର ବିଶାଳତା ମଧ୍ୟରେ ଆପଣାକୁ ସ୍ଥାନ ଦେଇ ପାରିଲେ ହିଁ ମୁଁ ମୋ’ର ହୀନତା ଉପରେ ବିଜୟ ହାସଲ କରିପାରେ, ମୁଁ ଜନନୀର ଅଙ୍କରେ ବସିବାର ଅଧିକାର ପାଏ, ଧନ୍ୟ ହୁଏ ।

 

୧୯ । ୧୦ । ୬୧

 

ମୋ’ର ମନ ଭିତରେ ରହି ଯାଇଥିବା ଅତୃପ୍ତି ଗୁଡ଼ାକ ମୋ’ର କ୍ରୋଧ ହୋଇ ବେଳେବେଳେ ଭାରି ଅତ୍ୟାଚାର କରିବାକୁ ଆରମ୍ଭ କରେ । ସେତେବେଳେ ଆପଣାକୁ ଗୋଟାସୁଦ୍ଧା ଆପଣାର ଶତ୍ରୁ ବୋଲି ମନେହୁଏ । ତଥାପି ମୋତେ ବଡ଼ ସ୍ଥିର ହୋଇ ଆପଣାକୁ ଏହି ଦୁର୍ଦ୍ଦଶାରୁ ବଞ୍ଚାଇ ରଖିବାକୁ ହେବ । ତଥାପି ଆପଣାକୁ ସହାନୁଭୂତି ସହିତ ଗ୍ରହଣ କରିବାକୁ ହେବ । ନିଜ ସହିତ ନିଜ ଭିତରେ ଶତ୍ରୁତାର ଆଚରଣ କରି ବସିଲେ ବା ଆପଣାକୁ ଲୁଚାଇ ରଖିବାର ଦୌରାତ୍ମ୍ୟ କରି ବସିଲେ ମୋ’ ର ଜୀବନ ବଡ଼ ଛାରଖାର ହୋଇଯିବ । ଆପଣାକୁ ହୀନ ଓ ପତିତ ବୋଲି ଭାବିବାର କୌଣସି ଗ୍ଳାନି ଯେପରି ମୋ’ର କେବେ ନହେଉ । ଜୀବନରେ ମୁଁ ଖୁବ୍ ବେଶୀ କିଛି ଅର୍ଜ୍ଜନ କରି ପାରି ନାହିଁ, କୌଣସି ନୀତି ଦୃଷ୍ଟିରୁ ବିଚାର କଲେ ମୋ’ ଭିତରେ ଖୁବ୍ ବେଶୀ ଦୃଢ଼ତା ମଧ୍ୟ ନାହିଁ । କିନ୍ତୁ ତଥାପି ମୁଁ ଅନ୍ତତଃ ଏତିକି ଶିଖିଚି ଯେ, ମୁଁ ଆପଣାକୁ କଦାପି ଆପଣାର ବଇରି କରି ରଖିବି ନାହିଁ । କୋଉଠି ଖସିପଡ଼ିଲି ବା ଝୁଣ୍ଟି ପଡ଼ିଲି ବୋଲି କଦାପି ଆପଣାକୁ ଗାଳି ଦେବିନାହିଁ, ଆପଣା ଭିତରେ ଦୁଇଭାଗ ହୋଇ ମୁଁ କଦାପି ହତଶିରୀ ହୋଇ ବସିବିନାହିଁ । ଆପଣା ପ୍ରତି ଏତିକି ଶ୍ରଦ୍ଧା ରଖି ପାରିଚି ବୋଲି ସଂସାରରେ ଅନ୍ୟମାନଙ୍କ ପ୍ରତି ମଧ୍ୟ ମୁଁ ସହାନୁଭୂତି ସହିତ ବ୍ୟବହାର କରିବାକୁ ଶିଖି ପାରିଚି । କାହାକୁ ପାପୀ ବା ପତିତ ବୋଲି କହିବାର ଧୃଷ୍ଟତା ମଧ୍ୟ ମୋର ହୋଇନାହିଁ । ସଂସାରରେ ସବୁରି ଭିତରେ ଭଲ ରହିଚି, ମଣିଷ ହେବାର ମହିମା ମଧ୍ୟ ରହିଚି,–ଜୀବନ ବଞ୍ଚିବାର ବ୍ୟାପାରରେ ମୁଁ ଏହାକୁ ହିଁ ସବୁବେଳେ ପୁଞ୍ଜି କରି ରଖିଚି ।

 

୨୦ । ୧୦ । ୬୧

 

ମନ କ୍ରମେ ଶାନ୍ତ ହୋଇ ଆସୁଚି । କେଉଁ ତୀର୍ଥଜଳରେ ସ୍ନାନ କରିବାକୁ ଯାଉଥିଲା ପରି ହୃଦୟ ମଧ୍ୟ ସମାହିତ ହୋଇଆସୁଚି । ଆଜି ଆପଣା ଭିତରର ବନ୍ଧୁକୁ ସ୍ଵୀକାର କରି ନେଲାବେଳେ ଆପଣାର ମନୋମୟ ଜୀବନର ଏହି ଅତି ବିଚିତ୍ର ରୀତିରେ ମୁଁ ଆପେ ମଧ୍ୟ ଅତ୍ୟନ୍ତ ବିସ୍ମିତ ହୋଇପଡ଼ୁଚି । ମୋ’ ଭିତରେ ରହି ମୋତେ ଏତେ କନ୍ଦାଇବାକୁ କିଏ ଏତେ ସୁଖ ପାଏ, ମୋ’ରି ଭିତରେ ରହି ମୋ ସହିତ ଶତ୍ରୁତା ଆଚରଣ କରିବାର ଫନ୍ଦି କରି କିଏ ମଜା ଦେଖୁଥାଏ ? ଆପଣା ଭିତରେ ବେଳେବେଳେ କିଏ ଏପରି ନିଃସ୍ଵ ହୀନ କାଙ୍ଗାଳ ପରି ପଡ଼ି ରହିବାକୁ ଭଲ ପାଏ ? ସଂସାର ଗୋଟାକର ଅଧିକାରୀ ହୋଇ ସୁଦ୍ଧା କିଏ ଆପଣାକୁ ଏପରି ଏକୁଟିଆ ମନେ କରୁଥାଏ ? ବେଳେବେଳେ କାହାର ଆଖି ଏପରି ବନ୍ଦ ହୋଇଯାଏ ? ସେତେବେଳେ ମୁଁ କେତେ ବୁଦ୍ଧି ଖରଚ କରି କେତେ ରୀତିର ଆଶ୍ରୟ ନିଏ, କେତେ ଜନନୀ ପରି ହୋଇ ଆପଣା ଭିତରର ଦୁଷ୍ଟ ପିଲାକୁ ବୋଧ କରି ରଖିବାକୁ ଚେଷ୍ଟା କରେ, କେତେଥର ପରାଜୟ ସ୍ଵୀକାର କରି ଆପେ ଯାଇ ସେହି ଜାଲରେ ପଡ଼ିଯାଏ ଓ ସମସ୍ତ ଜୀବନ ବିରୁଦ୍ଧରେ ବଡ଼ ଉଗ୍ର ହୋଇଉଠେ, ସବୁ ଥାଇ ମଧ୍ୟ ଅତି ବ୍ୟାକୁଳ ଭାବରେ ସବୁ ହରାଇ ବସିଥିବାର ଆତୁର ଅଭିନୟ କରୁଥାଏ ? କିନ୍ତୁ ପୁଣି ବେଳେ ବେଳେ ସବୁ ପୂର୍ଣ୍ଣ ହୋଇଯାଏ, ଜୀବନ—ଧର୍ମର ସବୁ ରୀତି ମୋତେ ପରିପୂର୍ଣ୍ଣ କରି ଧରିରଖେ, ଏହି ସଂସାରରେ ସବୁ ଆପଣାର ମନେହୁଏ, ସକାଳର ଖରାଠାରୁ ଆରମ୍ଭ କରି ନାନା ମଣିଷର ନାନା ବିଚିତ୍ର କୋଳାହଳ ସେତେବେଳେ କେବଳ ଆନନ୍ଦ ହିଁ ଦେଇଯାଏ । ମନର ସମସ୍ତ ଜ୍ଵର ଦୂର ହୋଇଯାଏ । ଶାନ୍ତି ପାଇଁ ଆଉ ଅନ୍ଧାରରେ ବାଡ଼ି ବୁଲାଇ ଖୋଜିବାକୁ ପଡ଼େନାହିଁ, ସ୍ଵୀକୃତି ପାଇଁ ଆଉ କାହାର ଦୁଆରେ କାକୁସ୍ଥ କର ବାଡ଼େଇବାକୁ ପଡ଼େ ନାହିଁ । ଏପରି କିପରି ହୁଏ ? ସୂତ୍ର ଛିଡ଼ାଇନିଏ କିଏ, ପୁଣି ସୂତ୍ର ଧରାଇଦେଇ ଯାଏ କିଏ ? ଏକୁଟିଆ କରି ଛାଡ଼ିଦେଇ ଯାଏ କିଏ, ପୁଣି ହାତ ଧରି ବାଟ କଢ଼ାଇନିଏ କିଏ ? ମୁଁ କିଛି ଠିକ୍ କରି ପାରେନାହିଁ ।

 

୨୧ । ୧୦ । ୬୧

 

ଆସନସ୍ଥ ମଣିଷକୁ ଈର୍ଷା କରି ମୁଁ ମୋ’ ଜୀବନାସନର ସମ୍ମାନକୁ କ୍ଷୁନ୍ନ କରି ଦେବିନାହିଁ-। ବେଳେବେଳେ ଏକପ୍ରକାର ସମ୍ମାନ ଲାଳସା ମୋତେ ଆପଣା ଭିତରେ ବେଶ୍ ବିଚଳିତ କରି ପକାଏ । ହୁଏତ ଏହାକୁ ଠିକ୍ ସମ୍ମାନ ଲାଳସା ବୋଲି କୁହାଯାଇପାରିବନାହିଁ । କିନ୍ତୁ ଲାଳସା ବୋଲି ଅବଶ୍ୟ କୁହାଯିବ । ମୁଁ ଯାହା ଭାବୁଚି, ଲେଖୁଚି ବା କରୁଚି, ତାହାକୁ ସମସ୍ତେ ଜାଣୁଥାଆନ୍ତେ, ସମସ୍ତେ ତାହାର ଚର୍ଚ୍ଚା ଓ ଆଲୋଚନା କରୁଥାଆନ୍ତେ, ଏକ ବୃହତ୍ତର କ୍ଷେତ୍ରରେ ମୋ’ର କଥା, ମୋର ବିଚାର, ମୋର କୃତି ଉଚିତ ସ୍ଵୀକାର ପାଉଥାଆନ୍ତା । ବେଳେବେଳେ ଏହିସବୁ କଥା ଭାବି ମନ ଭିତରଟା ଭାରି ଅସ୍ଥିର ହୋଇପଡ଼େ । ଆଉ କିଏ ମୋ’ ଠାରୁ ଅଧିକ ଚତୁର ହୋଇ ଥିବାରୁ ମୋ’ ଠାରୁ ଅଧିକ ସମ୍ମାନ ବା ସ୍ଵୀକାର ପାଇଲା, କିଏ ମୋ’ ଠାରୁ ଅଧିକ ଆନୁଷ୍ଠାନିକ ଭାବରେ ଅଧିକ ଲୋକଙ୍କ ପାଖରେ ବିଦିତ ହୋଇ ପାରିଲା, ଏହିଗୁଡ଼ାକ ଭାବି ମୁଁ ବେଳେବେଳେ ବେଶ୍ ଉତ୍ୟକ୍ତ ଓ ଆହତ ହୋଇପଡ଼େ । ସେହି ହୀନମନରେ ଭାବେ, ଯେପରି ଏହି ସଂସାରରେ ମୋତେ ମୋ’ ଶ୍ରମର ଉଚିତ ମଜୁରି ମିଳୁନାହିଁ । କିନ୍ତୁ ତା’ ପରେ ଯେତେବେଳେ ମନ ଟିକିଏ ସ୍ଥିର ହୋଇ ଆସେ, ମୁଁ ପୁଣି ଆପଣା ପାଖକୁ ଫେରି ଆସେ, ସେତେବେଳେ ମୁଁ ସ୍ପଷ୍ଟ ଭାବରେ ଅନୁଭବ କରିପାରେ ଯେ; ଏହି ସମ୍ମାନ ବା ଏହି ସ୍ଵୀକୃତି ମୋତେ ପ୍ରକୃତରେ ଖୁସୀ କରି ପାରନ୍ତା ନାହିଁ । ବେଳେବେଳେ ଯେତେ ଲାଳସାର ବଶବର୍ତ୍ତୀ ହୋଇ ପଡ଼ୁଥିଲେ ମଧ୍ୟ ମୋ’ର ଅସଲ ମନ ଏସବୁ ଚାହେନାହିଁ । ମୁଁ କେବଳ ମୁକ୍ତ ଭାବରେ ମୋ’ର କର୍ତ୍ତବ୍ୟ କରିଯିବାକୁ ଚାହେ; ଆଉ କିଛି ଚାହେନାହିଁ ।

 

୨୨ । ୧୦ । ୬୧

 

ମନ ଯେତେବେଳେ ମନର କାମ କରେ, ସେତେବେଳେ ସେ ଖୁସୀ ହୋଇ ତାହା କରେ । କୌଣସି ପ୍ରୟୋଜନ ବୁଦ୍ଧି ରଖି ସେ ତାହା କରେନାହିଁ । କିନ୍ତୁ ମନ ଯେତେବେଳେ କାହାର ହୁକୁମ ମାନି କିଛି କରେ, ସେତେବେଳେ ସେ କଳ ହୋଇଯାଏ, ସେତେବେଳେ ସେ ମୂଲିଆ ହୋଇଯାଏ । ସେତିକିବେଳେ ସେ ମଜୁରି ଦାବୀ କରେ, ଫଳାଫଳ ଓ ଲାଭକ୍ଷତିର ବିଚାର କରେ । ସେଦିନ ରବୀନ୍ଦ୍ରନାଥ ଲେଖିଥିବା ଗୋଟିଏ ଚିଠିରେ ଏହି ମର୍ମରେ କେତୋଟି ବାକ୍ୟ ମୁଁ ପଢ଼ିବାକୁ ପାଇଲି । ଆଧୁନିକ ସମାଜରେ ମନର କାମ କରିବାକୁ ଅବସର କ୍ରମେ କମ୍ ହୋଇ ଯାଉଚି । ତେଣୁ ଜୀବନରେ ଖୁସୀର ଅବସର ମଧ୍ୟ କ୍ରମେ ଭାରି କମ୍ ହୋଇଯାଉଚି । ସବୁ କାମ ଲାଗି ଉପରୁ ନିର୍ଦ୍ଦେଶ ଆସୁଚି, ମଣିଷ ବାଧ୍ୟ ହୋଇ କାମ କରୁଚି, ବୋଲ ମାନି କାମ କରୁଚି । ତା’ ଲାଗି କେଉଁଟା ଭଲ କେଉଁଟା ମନ୍ଦ, ସେ ନିଜେ ଏକଥା ଠିକ୍ କରୁନାହିଁ । ତା’ ଲାଗି ଏହିସବୁ ଠିକ୍ କରିଦେବା ଲାଗି ନାନାପ୍ରକାର ଦୃଶ୍ୟ ଓ ଅଦୃଶ୍ୟ କର୍ତ୍ତୃତ୍ଵର ଦଣ୍ଡଧରି ଆଉମାନେ ସର୍ବଦା ମହଜୁଦ ରହିଚନ୍ତି । ପିଲାଟି ଦିନରୁ ସେ କର୍ତ୍ତୃତ୍ଵ ଉପରେ ହିଁ ନିର୍ଭର କରି ଶିଖୁଚି, ଆପଣାର ଦ୍ଵାରକୁ ଉଦ୍‌ଘାଟନ କରି ଆପଣା ଭିତରେ ପ୍ରବେଶ କରିବା ଆଉ ସମ୍ଭବ ହେଉନାହିଁ । ତେଣୁ ବଡ଼ ହୋଇ ପ୍ରଧାନତଃ ଏହି ଦୃଷ୍ଟିକୋଣ ନେଇ ସେ ସଂସାରରେ ପ୍ରବେଶ କରୁଚି । ଆପଣାର ଏକ ସ୍ଵତନ୍ତ୍ର ଇଚ୍ଛା ରହିଚି ବୋଲି କହିବାକୁ ମଧ୍ୟ ସେ ଭୟ କରୁଚି । ନିଜ ଭିତରେ କୌଣସି ପ୍ରେରକ ଶକ୍ତି ରହିଚି ବୋଲି ବିଶ୍ଵାସ କରିବାକୁ ମଧ୍ୟ ସେ ସଙ୍କୋଚ ପ୍ରକାଶ କରୁଚି । ତେଣୁ ଜୀବନସାରା ପ୍ରଧାନତଃ ଗୋଟାଏ କଳ ହେବାର ଦୁର୍ଭାଗ୍ୟ ଭୋଗ କରିବା ବ୍ୟତୀତ ତା’ର ଜୀବନରେ ଆଉ କିଛି ସମ୍ଭବ ହୋଇପାରୁନାହିଁ । ତେଣୁ ଭାରି ହୀନ ଭାବରେ ଜୀବନର ବଜାରରେ ସେ ଖୁସୀର ସଉଦା କରି ମଧ୍ୟ ବାହାରୁଛି । ଖୁସୀ ଲାଗି ମଧ୍ୟ ସେ କଳ ପରି ଆଚରଣ କରୁଚି । ପ୍ରୟୋଜନ-ପ୍ରେରିତ ହୋଇ ସେ ଖୁସୀ ହେବାର ଯୋଜନା କରୁଚି,—ତେଣୁ ତା’ର ଖୁସୀ ତାକୁ ଯଥାର୍ଥରେ ଖୁସୀ କରି ପାରୁନାହିଁ । ତା’ ଭିତରେ ଉପବାସର ଜ୍ଵାଳା ହିଁ ବଢ଼ାଇବାରେ ଲାଗିଚି, ଜ୍ଵର ବଢ଼େଇବାରେ ଲାଗିଚି, ଉତ୍ତେଜନା ବଢ଼ାଇବାରେ ଲାଗିଚି ।

 

୨୩ । ୧୦ । ୬୧

 

ସେଇଥିପାଇଁ ମୁଁ ଯେତେବେଳେ କଳର କାମ କରୁଥାଏ, ସେତେବେଳେ ପ୍ରକୃତରେ ଆପଣାକୁ ଭାରି ଅପମାନିତ ମନେ ହୁଏ । ସଂସାରର ସମସ୍ତ କଳଘର ଓ ସମସ୍ତ କର୍ତ୍ତୃତ୍ଵ ବିରୁଦ୍ଧରେ ମୋ’ର ମନ ବିଦ୍ରୋହ କରି ଉଠେ । ମୋ’ର ଅନ୍ୟ ସକଳ ଧର୍ମ ଛାଡ଼ି ମୁଁ ଏହି ଭାଙ୍ଗିବାକୁ ହିଁ ଜୀବନର ପ୍ରଧାନ ଧର୍ମ ବୋଲି ଗ୍ରହଣ କରିନିଏ । ମୁଁ ଭାବେ, ଯେପର୍ଯ୍ୟନ୍ତ ଏହି ସଂସାରରେ ମୁଁ ପ୍ରଧାନତଃ କଳ ପରି କାମ କରୁଥିବି, ସେପର୍ଯ୍ୟନ୍ତ ଯେତେ କ୍ଷେତ୍ରରେ ଯେତେପ୍ରକାର ନିପୁଣତା ହାସଲ କଲେ ମଧ୍ୟ ତଥାପି ମୋ’ ଦ୍ଵାରା ଜୀବନ କୌଣସି ପ୍ରକାରେ ଅଗ୍ରସର ହୋଇ ପାରିବ ନାହିଁ-। ସଂସାରରେ ମୋ’ର ଚତୁର୍ଦ୍ଦିଗରେ ମୁଁ କେତେ ବିଦ୍ୟାରେ ଧୁରନ୍ଧର କେତେକେତେ ନିପୁଣ ଲୋକଙ୍କୁ ଦେଖେ, କିନ୍ତୁ ସଂସାରରେ ପ୍ରବୃତ୍ତ ହେଲାବେଳେ ସେମାନଙ୍କର ପ୍ରବୃତ୍ତି ଏପରି ହୀନ ଭାବରେ ଯାନ୍ତ୍ରିକ ହୋଇଯାଏ ଯେ, ସେମାନଙ୍କର ଦୃଷ୍ଟାନ୍ତରୁ ମୁଁ କୌଣସି ପ୍ରେରଣା ପାଏନାହିଁ । ସେମାନଙ୍କର ସଂସ୍ପର୍ଶରେ ଆସି ମୋ’ର ମନେହୁଏ, ଏମାନଙ୍କ ଭିତରେ ଜୀବନର କୌଣସି କେନ୍ଦ୍ର ଏ ପର୍ଯ୍ୟନ୍ତ ମଧ୍ୟ ଆବିଷ୍କୃତ ହୋଇନାହିଁ । ଆପଣା ବାହାରେ ନାନାପ୍ରକାର ପ୍ରୟୋଜନ ଓ ଅପରିହାର୍ଯ୍ୟତାକୁ କେନ୍ଦ୍ର କରି ଏମାନେ କାର୍ଯ୍ୟ କରୁଚନ୍ତି । ସେଇଥିପାଇଁ ଏମାନେ ବାଧ୍ୟ ହୋଇ କାମ କରୁଚନ୍ତି, ଆପଣା ନିପୁଣତାର ଏତେ ବାହାଦୁରି କରୁଚନ୍ତି । ଉପରେ ବାଧ୍ୟ ହେଉ ନଥିଲେ, କେଉଁ ଦୃଶ୍ୟ ବା ଅଦୃଶ୍ୟ କର୍ତ୍ତୃତ୍ଵର ରଜ୍ଜୁରେ ବନ୍ଧାହୋଇ ନଥିଲେ ଏମାନେ ହୁଏତ ଆଦୌ କାମ କରୁ ନଥାନ୍ତେ । ଏମାନଙ୍କର କାମରେ କୌଣସି ଖୁସୀ ନାହିଁ, କେବଳ ପ୍ରମତ୍ତତା ରହିଚି; ଜୀବନରେ ଖୁସୀ ନାହିଁ, ଖାଲି ଉତ୍ତେଜନା ରହିଚି ।

 

୨୪ । ୧୦ । ୬୧

 

ସ୍ଵାଧୀନ ଭାରତବର୍ଷରେ ବାସ କରି ସମଗ୍ର ପୃଥିବୀରେ ଶାନ୍ତି ପ୍ରତିଷ୍ଠା ହେବ ବୋଲି କହିବାକୁ ଆଜି ଭାରି ସଙ୍କୋଚ ଲାଗୁଚି । ଆପଣାର କ୍ଷୁଦ୍ର ଗୃହ କୋଣରେ ନାନାହୀନ ପ୍ରମତ୍ତ ଆଚରଣରେ ନିମଗ୍ନ ରହି ବରଷକରେ ଦିନେ ମିଳିତ ଜାତିସଂଘର ଜନ୍ମ ଦିବସ ପାଳନ କରିବାରେ ହୁଏତ ଆନୁଷ୍ଠାନିକ ମତ୍ତତାରେ ଭୋଳ ଓ ଉଦାସୀନ ହୋଇ ରହିଥିବା ମଣିଷକୁ କୌଣସି ଦ୍ଵିଧା ଲାଗିବ ନାହିଁ । କିନ୍ତୁ ମୁଁ ଆଜି ଭାରି ସଙ୍କୁଚିତ ଅନୁଭବ କରୁଚି । ଗୋଟାଏ ଦେଶରେ ଆମେ ଧର୍ମ, ଜାତି, ପ୍ରଦେଶ ଓ ଭାଷାର ନିଆଁହୁଳା ଧରି ଏହି ଦେଶର ସମ୍ମିଳିତ ଜୀବନରେ ନିଆଁ ଲଗାଇ ଧ୍ଵଂସ କରିଦେବାକୁ ସବୁପ୍ରକାର ଫିସାଦ କରୁଚୁ, ତେଣେ ସାରା ପୃଥିବୀରେ ଶାନ୍ତି ପ୍ରତିଷ୍ଠିତ ହେବ କୁଆଡ଼ୁ ? ସ୍ଵାଧୀନତା ପରେ ଏହି ଜାତିର ଚେତନା ଆସିଥାନ୍ତା ସିନା, ଜ୍ଞାନର ପରିସର ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଏହି ଦେଶର ବିବେକିତା ବୃଦ୍ଧି ପାଇଥାନ୍ତା ସିନା, ମୋ’ର ଆଶଙ୍କା ହେଉଚି, ଆମେ ଆମର ମନ ମଧ୍ୟରେ ଯେପରି କୌଣସି ପଛ ବର୍ବର ଯୁଗକୁ ଫେରିଫେରୁ ଯାଉଚୁ । ଆମର ବୁଦ୍ଧି, ଆମର ପାଠ, ଆମର ରାଜନୀତିଜ୍ଞ ଜୀବନ ଯେପରି କେବଳ ଆମର ଅମଣିଷତାର ସାଧନ ହୋଇରହିଚନ୍ତି, ଆମର କୁକର୍ମରେ ଆମକୁ ଅଧିକ ଚତୁର କରିବାରେ ଲାଗିଚନ୍ତି । ମୋ’ର ଆପଣାର ଘରେ ଶାନ୍ତି ନଥିବା ବେଳେ ମୁଁ ସାରା ପୃଥିବୀ ବିଷୟରେ କି ଦମ୍ଭ ବା କି ଅହଂକାର କରିପାରିବି ? ଗୋଟାଏ ଦେଶର ପୁତ୍ର ବୋଲି ଅନୁଭବ କରି ଜୀବନ ବଞ୍ଚିବା ମୋ’ ଦ୍ଵାରା ସମ୍ଭବ ହେଉ ନଥିବା ବେଳେ ମୋ’ର ଜୀବନର ପୃଥିବୀପୁତ୍ର-ବାଚୀ ସଂଜ୍ଞା କ୍ରମେ ମରିମରି ଯାଉଚି । ମୁଁ ନିରାଶାବାଦୀ ନୁହେଁ, କିନ୍ତୁ ଶୂନ୍ୟ ଆଶାବାଦୀ ମଧ୍ୟ ନୁହେଁ । ମୋ’ର ଆଶାକୁ ଡେଣା କରି ମୁଁ କେବଳ ଆକାଶରେ ଉଡ଼ିବାକୁ ଚାହେନାହିଁ, ମୋ’ର ଆଶାକୁ ଜୀବନପ୍ରେରଣା କରି ମୁଁ ସେହି ପ୍ରେରଣାରେ ଆପଣା ପାଦକୁ ଆଗକୁ ଆଗକୁ ପକାଇବାକୁ ଚାହେ । ପୃଥିବୀ ଯେକୌଣସି ମୋହାନ୍ଧତାରେ ବୁଡ଼ିଥାଉ ପଛକେ, ମୁଁ ପ୍ରଥମେ ମଣିଷ ହିସାବରେ ଆପଣାର ବାଟ ଚାଲିବି । ଆଜି ସ୍ମରଣୀୟ ଦିବସରେ ମୁଁ ଏହି ସଂକଳ୍ପର ସ୍ମରଣ କରୁଚି ।

 

୨୫ । ୧୦ । ୬୧

 

ପାପକୁ ବେଶୀ ଡର ମାଡ଼ୁନାହିଁ, ଡୋର ଛିଡ଼ିଯିବାକୁ ହିଁ ଡର ମାଡ଼ୁଚି । ମୋ’ର ଦୋଷ, ମୋ’ର ଦୁର୍ବଳତା, ମୋ’ର ଭ୍ରମ ଓ ମୋ’ର ଭ୍ରାନ୍ତି ସକାଶେ ଯେପରି ମୁଁ କେବେହେଲେ ସକାଳର ସୂର୍ଯ୍ୟୋଦୟ ସହିତ ରୋଷ କରି ନବସେ,—ଆପଣାକୁ ସେହିପରି ଏକ ହୀନ ଦୁର୍ଦ୍ଦଶାରୁ ମୁକ୍ତ କରି ରଖିବାକୁ ମୁଁ ଆଜି ସବୁ ସୌନ୍ଦର୍ଯ୍ୟର କରତା ପାଖରେ ଅଳି ଜଣାଉଚି । ଯିଏ ଏହି ସୁନ୍ଦର ସଂସାର ବସାଇଚି, ଯିଏ ସୁନ୍ଦର ସକାଳ ସହିତ ସୂର୍ଯ୍ୟୋଦୟକୁ ଘଟଣ କରି ରଖିଚି, ମୋ’ର ହୃଦୟକୁ ସୁନ୍ଦର କରି ରଖିବାର ପ୍ରଧାନ ଶ୍ରେୟ କେବଳ ତାହାରି । ମୁଁ କେବେ ଭୁଲ୍‍ କରିବି ନାହିଁ, କେବେ ଅବାଟରେ ଯିବି ନାହିଁ, କେଉଁ ଭୋଗଖିଆ ଦେବତାଠାରୁ ମୁଁ ଏଥିପାଇଁ ଶକ୍ତି ମାଗିବାକୁ ଚାହେନାହିଁ-। ଭୁଲ୍‍ ମୁଁ ଅନେକବାର କରିଚି, ଅଶେଷ ବାର ଲାଗି ଭ୍ରମରୁ ଭ୍ରମାନ୍ତର ହୋଇ ବୁଲୁଥିବି,—ସେଥିପାଇଁ ମୋର କୌଣସି କାତରତା ନାହିଁ । କିନ୍ତୁ ଆପଣାର କ୍ଷୁଦ୍ରତାରେ କାତର ହୋଇପଡ଼ି ମୁଁ ଯେପରି ସଂସାର ଉପରୁ ବିଶ୍ଵାସ ହରାଇ ନବସେ; ଆଜି ରାତିର ଶୋଚନାରେ ଦଗ୍‌ଧ ହୋଇ ମୁଁ ଯେପରି କାଲି ସକାଳର ସୂର୍ଯ୍ୟୋଦୟ ଉପରେ ଶ୍ରଦ୍ଧା ହରାଇ ନବସେ, ଆପଣା ଭିତରେ ଆପଣାର କ୍ରୁଧ ଶାସକ ହୋଇ ମୁଁ ଯେପରି ଆପଣା ଉପରୁ ବିଶ୍ଵାସ ହରାଇ ନବସେ । ଆଜି ସକାଳେ ମୋ’ର ସମସ୍ତ ଦେହର ଗ୍ରହଣପାତ୍ର ଦେଇ ଏହି ଆଲୋକକୁ ହୃଦୟ ମୁହାଁ କରି ନେଉ ନେଉ ମୌନ ପ୍ରାର୍ଥନା ପରି ମୋ’ ଭିତରୁ ଏହି ନିବେଦନ ଉଚ୍ଚାରିତ ହୋଇଉଠୁଚି ।

 

୨୬ । ୧୦ । ୬୧

 

ଭିତରେ ଥାଇ କିଏ ଯେପରି ମୋତେ ବାରବାର ବିଶ୍ଵାସ ଦେଇଯାଉଚି ଯେ, ଏ ଡୋର କଦାପି ତୁଟିବ ନାହିଁ । ଏହି ଜଗତକୁ ଆସିବା ଦିନରୁ ହିଁ ମୋ’ର ଡୋର ଲାଗିବା ଆରମ୍ଭ ହୋଇଚି । ଏହି ଡୋର ଦେଇ ହିଁ ମୁଁ ସଂସାରକୁ ଚିହ୍ନିଚି, ମୋତେ ଆପଣାକୁ ଚିହ୍ନିଚି, ମଣିଷର ସମ୍ପର୍କକୁ ଚିହ୍ନିଚି, ସ୍ନେହ, ପ୍ରେମ, ମାୟା, ମମତାଭରା ଏହି ସମଗ୍ର ଜୀବନକୁ ମଧ୍ୟ ଚିହ୍ନିଚି । ଏହି ଚିହ୍ନିବାରୁ ହିଁ ମୋର ଭଲ ପାଇବା ଆରମ୍ଭ ହୋଇଚି । ଏହି ଚିହ୍ନିବାର ମହାନ୍ ସାଧନାକୁ ମୁଁ ଜୀବନସାଧନ ବୋଲି ଗ୍ରହଣ କରିଥିବାରୁ ମୁଁ ମଣିଷକୁ ଭଲପାଇଚି, ସଂସାରର ଏହି ବିଚିତ୍ର କୋଳାହଳମୟ ଜୀବନକୁ ମଧ୍ୟ ଭଲ ପାଇଚି, ଆପଣା ଭିତରେ ଥିବା ଏହି ଅତି ପିପାସୀର ପିପାସାକୁ ମଧ୍ୟ ମୁଁ ଭଲ ପାଇଚି । ଏହି ଡୋର ଲଗାଇ ପାରିନଥିଲେ ମୋ’ର ଜୀବନଟା ହୁଏତ ଅଧିକତଃ ଏକ ନାସ୍ତିବାଦୀ ନୀତିବାଦର ଶୁଖିଲା ପଡ଼ିଆ ହୋଇରହିଥାନ୍ତା, କ୍ରୋଧ, ବିରାଗ, ବିଦ୍ଵେଷ ଓ ଗ୍ଳାନି ହୁଏତ ବଞ୍ଚିବାର ପ୍ରଧାନ ଉପାଦାନ ହୋଇ ରହି ଥାଆନ୍ତା, —ଭୟ, ଘୃଣା ଓ ଅନ୍ତର୍ଦହନ ବ୍ୟତୀତ ହୁଏତ ମୁଁ ମୋର ଜୀବନରୁ ଅନ୍ୟ କୌଣସି ଲାଭ ପାଇ ପାରିନଥାନ୍ତି । କିନ୍ତୁ ଏହି ଡୋର ଲଗାଇ ମୁଁ ମୁକ୍ତି ପାଇଚି, ସବୁରି ଭିତରେ ବାନ୍ଧି ହୋଇ ରହିବାର ମୁକ୍ତି ପାଇଚି । ସବୁରି ଇସାରାରେ ଇସାରା ଦେଇ ପାରିବା ଭଳି ହୃଦୟର ଚକ୍ଷୁ ମୁଁ ପାଇଚି, ମୋ’ର ଦୁଃଖକୁ ଆକାଶର ଉଦାରତାର ରଙ୍ଗ ଦେଇ ଦେଖିବାର ମୁକ୍ତି ପାଇଚି । ମୁଁ ଜାଣେ, ସଂସାରଯାକ ଆଜି ନାନା କୌଶଳର ବଳରେ ନାନା ଡୋର କେବଳ ଛିଡ଼ିଛିଡ଼ି ଯାଉଚି, ନାନା ଅବିଶ୍ଵାସର ଅଭିସନ୍ଧି ଓ ଆଶଙ୍କାରେ ସବୁ ବିଶ୍ଵାସର ସବୁ ଦୃଢ଼ତା କେବଳ ହ୍ରାସ ହେବାରେ ଲାଗିଚି । ଜୀବନର ଯାବତୀୟ ଆଧାରଶିଳା ଚୂନା ହୋଇଯିବାର ନାନା ଚକ୍ରାନ୍ତ ଆଜି ପୃଥିବୀରେ ସବୁଠି ଚାଲିଚି । କେବଳ ବୁଦ୍ଧି ଦେଇ ଏହିସବୁକୁ ବୁଝିବାର ଚେଷ୍ଟା କରୁଥିଲେ ହୁଏତ ମୁଁ କେବଳ ହାରି ଯାଉଥାନ୍ତି; ଅଧିକ ମଣିଷ ଯେଉଁ ବିନାଶସୂତ୍ରରେ ପଡ଼ିଚନ୍ତି, ମୁଁ ମଧ୍ୟ ଏକ ଗାଣିତିକ ସନ୍ତର୍ପଣରେ ସେହି ସୂତ୍ର ଭିତରେ ଛନ୍ଦି ହୋଇଯାଇଥାନ୍ତି ଓ ଏହି ଛନ୍ଦି ହୋଇଯିବାକୁ ହିଁ ବାସ୍ତବ ଜୀବନର ସତ୍ୟ ବୋଲି ମାନିଥାନ୍ତୁ । କିନ୍ତୁ ମୋ’ ର ଡୋର ମୋତେ ଏହି ପ୍ରମାଦରୁ ବଞ୍ଚାଇ ରଖିଚି ।

 

୨୭ । ୧୦ । ୬୧

 

ଶିକ୍ଷକ ବା ଅଧ୍ୟାପକ ନିଯୁକ୍ତ କଲାବେଳେ ଆମେ କେବଳ ଡିଗ୍ରୀଟାକୁ ଦେଖୁଚୁ । ଅର୍ଥାତ୍, ସେ କ’ଣ ପାସ୍ କରିଚନ୍ତି, କେବଳ ସେଇଟାକୁ ଦେଖୁଚୁ । ଶିକ୍ଷକ ଯେ ଗୋଟାଏ ମଣିଷବ୍ୟକ୍ତି, ତାର ସ୍ଵଭାବ ରହିଚି, ଦୃଷ୍ଟିକୋଣ ରହିଚି, ଓ ଜୀବନ ତଥା ଜଗତର ମୂଲ୍ୟ ନିରୂପଣ କରିବାର ସ୍ଵତନ୍ତ୍ର ରୀତି ରହିଚି, ଏକଥା ଆମେ କେହି ଦେଖୁନାହିଁ । ଶିକ୍ଷକ ଅଳସୁଆ ହୋଇଥାଉ ପଛକେ, ଶ୍ରମକାତର ଓ ଜୀବନକାତର ହୋଇଥାଉ ପଛକେ, ଶିକ୍ଷକ ହିସାବରେ ଆପଣାର ଜୀବନମାର୍ଗକୁ ସେ ଯେତେ ଅଶ୍ରଦ୍ଧା କରୁଥାଉ ପଛକେ, ସେଥିରେ ଆମେ କୌଣସିପ୍ରକାର ଆଗ୍ରହ ଦେଖାଇବାର କୌଣସି ଆବଶ୍ୟକତା ଅନୁଭବ ହିଁ କରୁନାହିଁ । କେବଳ ଡିଗ୍ରୀଟାକୁ ଦେଖି ଆମେ ତାକୁ ଯୋଗ୍ୟ ବୋଲି ଗ୍ରହଣ କରି ଆମ ବିଦ୍ୟାଳୟର ଘରକୁ ନେଇ ଆସୁ । ସେ ଆମ ଘରକୁ ଆସି ପାଠ ପଢ଼ାଏ । ଅର୍ଥାତ୍ ପିଲାମାନଙ୍କୁ ପରୀକ୍ଷାରେ ପାସ୍ କରି ଜୀବନ ଓ ଜଗତକୁ ଠକିବାର କୌଶଳ କହିଦିଏ । ଅର୍ଥାତ୍‍ ପିଲାମାନଙ୍କୁ ପରୀକ୍ଷାରେ ପାସ୍‍ କରି ଜୀବନ ଓ ଜଗତକୁ ଠକିବାର କୌଶଳ କହିଦିଏ । ଚାକିରିର ନିର୍ଭରଟା ପାଇ ପାରିବା ପରେ ଶିକ୍ଷକ ସମସ୍ତ ସନ୍ତର୍ପଣର ଅଳସୁଆ ହୁଏ । ସମସ୍ତ ସନ୍ତର୍ପଣରେ ସେ ଆପଣାର ସମସ୍ତ ଉପାର୍ଜ୍ଜନ ଓ ଯୋଗ୍ୟତା ବିକି ସଂସାରରେ ବୁଢ଼ା ହେବାର ବ୍ୟାପାର ବିପଣି ମେଲାଇ ବସେ । ସେ ପିଲାଙ୍କ ପାଇଁ ଶୃଙ୍ଖଳା ଗଢ଼େ, ଭାରି ଗମ୍ଭୀର ମୁହଁରେ ଆସନରେ ବସି ଜୀବନ ବିଷୟରେ ଶୁଣିଥିବା କଥାମାନ କହେ, ଆପଣାକୁ ବଡ଼ ସତର୍କ ଭାବରେ ମଣିଷ ବୋଲି କହିବାକୁ ପ୍ରୟାସ କରେ । କିନ୍ତୁ ଶିକ୍ଷାର୍ଥୀ ଉପରେ ତା’ କଥାର କୌଣସି ପ୍ରଭାବ ପଡ଼େନାହିଁ; ତା ଆଳସ୍ୟର ପ୍ରଭାବ ପଡ଼େ, ବିଶୃଙ୍ଖଳତା ଓ ନିୟନ୍ତ୍ରଣଶୂନ୍ୟତାର ପ୍ରଭାବ ପଡ଼େ, ବୁଢ଼ା ହେବାର ପ୍ରଭାବ ପଡ଼େ ।

 

୨୮ । ୧୦ । ୬୧

 

ହଁ, ଅଳସୁଆ ଶିକ୍ଷକ ଶିକ୍ଷାର୍ଥୀକୁ ପ୍ରଧାନତଃ ଅଳସୁଆ ହେବାରେ ସାହାଯ୍ୟ କରେ । ପାଠ ପଢ଼ିବାଟାକୁ ମଧ୍ୟ ସେ ପ୍ରଧାନତଃ ଆଳସ୍ୟସମର୍ପିତ ଏକ ଜୀବନ କରିବା ଲାଗି ଏକ ସାଧନ ବୋଲି ସୂଚନା ଦେଇଥାଏ । ଯେଉଁ ଅନୁଷ୍ଠାନରେ ଏପରି ଶିକ୍ଷକ ଥାଆନ୍ତି, ସେହି ଅନୁଷ୍ଠାନରେ ପ୍ରଧାନତଃ ଆଳସ୍ୟରେ ହିଁ ବିତରଣ ହୋଇଥାଏ । ସେହି ଅନୁଷ୍ଠାନରେ କାମକୁ ବୋଝ ବୋଲି ଅନୁବାଦ କରାଯାଏ, ପାଠକୁ ବୋଝ ବୋଲି ଅନୁଭବ କରାଯାଏ, ଜାଣିବାକୁ ଏକ ଆବଶ୍ୟକ କଷ୍ଟସହଜ ରୂପେ ଗ୍ରହଣ କରାଯାଏ, ନିଷ୍ଠା ଆଉ ସାଧୁତାକୁ ପ୍ରଧାନତଃ ନିର୍ବୋଧତା ବୋଲି ଗ୍ରହଣ କରାଯାଏ । ଆଜି ଶିକ୍ଷାର ବିକାଶ କରିବାର ଉତ୍ତେଜିତ ଉତ୍ସାହରେ ଶିକ୍ଷାଳୟରେ ବହିରଙ୍ଗ ଆୟୋଜନ ଉପରେ ଯେତେ ମୁଣ୍ଡ ଖରଚ ହେଉଚି, ଶିକ୍ଷାର ଅନ୍ତରଙ୍ଗ ପ୍ରାଣବିକାଶ ଦିଗରେ କେହି ସେପରି କୌଣସି ଚିନ୍ତା କରୁଥିଲା ପରି ମନେ ହୁଏନାହିଁ । କିନ୍ତୁ ଅନ୍ତରଙ୍ଗ ପ୍ରାଣବିକାଶ ଦିଗଟିକୁ ଅବହେଳା କରୁଥିବା ଯାଏ ବହିରଙ୍ଗର ଆଡ଼ମ୍ବର ବଢ଼ାଇବା ଦ୍ଵାରା ଶିକ୍ଷାଳୟର ପ୍ରାଣଶୂନ୍ୟତାକୁ ବଢ଼ାଇବା ହିଁ କେବଳ ସାର ହେଉଚି । ଶିକ୍ଷାଳୟରେ ଅଳସୁଆ ଓ ଦେଖିଣିଆ ବାବା ହେବାକୁ ହିଁ ଅଧିକ ପ୍ରଶୟ ମିଳୁଛି । ବଡ଼ ଚତୁର ଓ ବୁଦ୍ଧି ସମ୍ପନ୍ନ ଭାବରେ ଆପଣାକୁ ତଥା ଆପଣାର ବାତାବରଣକୁ ଠକିକା ଲାଗି ଅଧିକ ବାଟ ଦିଶୁଚି, ଆମ ଦେଶରେ ଅଧିକାଂଶ ଶିକ୍ଷାଳୟରେ ଆଜି ପ୍ରଧାନତଃ ଏହିପରି ଦଶା ଆସି ପହଞ୍ଚିଚି । ମିଠାଇ ବିକିଲାବାଲା ମିଠାଇ ନଖାଇଲା ପରି ଶିକ୍ଷା ଦେଲାବାଲା ଶିକ୍ଷକ ଆପେ ଶିକ୍ଷାନୁକୂଳ ଦୃଷ୍ଟିକୋଣ ଓ ଆଗ୍ରହ ମନ ପୋଷଣ କରିବାର କୌଣସି ରୁଚି ଦେଖାଉନାହିଁ । ସେ ଗୋଟାଏ ଆସନ ପାଇ ସେଇଠି ଖାଲି ଅଳସୁଆ ହୋଇ ବସିଯାଇଚି । ଆପଣାର ଜୀବନ ଲାଗି ସେ ପାଠ ପଢ଼ାଇବାର ଘରେ ଆସି ଚାକିରିର ବୀମା କରିନେଇଚି ।

 

୨୯ । ୧୦ । ୬୧

 

ମୋ’ର ବାଟ ବେଳେବେଳେ ମୋତେ ଭାରି ପରିଷ୍କାର ଦେଖାଯାଉଚି । ମନେ ହେଉଚି, ଏହି ବାଟ ଚାଲିବା ଲାଗି ସଂପୂର୍ଣ୍ଣ ଶକ୍ତି ମୋ’ର ଅବଶ୍ୟ ରହିଚି ।ସେତିକିବେଳେ ଜୀବନର ସମସ୍ତ ବୋଝ ମୁଣ୍ଡ ଉପରୁ ଓହ୍ଲାଇ ଗଲାପରି ଲାଗୁଚି । ମୋ’ର ସମସ୍ତ ଜୀବନ ପ୍ରଧାନତଃ ଏକ ଉତ୍ସାହ ପରି ମନେ ହେଉଚି । କେବଳ ଆପଣାକୁ ସମର୍ପଣ କରିଦେବା ବ୍ୟତୀତ ସଂସାରରେ ଆଉ କୌଣସି ଧର୍ମ ଅଛି । ବୋଲି ମୋ’ର ମନେ ହେଉନାହିଁ । ମଣିଷକୁ ମୋ’ର ପରମସଙ୍ଗୀ ବୋଲି ଗ୍ରହଣ କରିବାକୁ ସେତେବେଳେ ଆଉ କୌଣସି ଦ୍ଵିଧା ଅନୁଭୂତ ହେଉନାହିଁ । ସମୟ ଆସି ମୋ’ର ଧ୍ୟାନମୟ ଜୀବନ ଉପରେ ବୋଝ ହୋଇ ବସିବାକୁ ଆଉ କୌଣସି ସାହସ କରୁନାହିଁ । ତା’ପରେ ଆଉ ଏକ ମୁହୂର୍ତ୍ତରେ ମୋ’ର ସବୁ ବାଟ ଯେପରି ଅନ୍ତର୍ଚକ୍ଷୁର କେଉଁ ଘୂର୍ଣ୍ଣିଭିତରେ କୁଆଡ଼େ ଅଦୃଶ୍ୟ ହୋଇଯାଉଚି । ଆପଣା ବାଟ ଉପରେ ଆଇ ଆପଣାର ପାଦକୁ ଚିହ୍ନି ହେଉନାହିଁ, ଆପଣା ଯାତ୍ରାପଥରେ ଆଉ ଆପଣାର ଆଗକୁ ବାଟ ଦେଖାଯାଉନାହିଁ । ଭିତରୁ ସକଳ ବିଶ୍ଵାସ ତୁଟି ତୁଟି ଯାଉଚି । ଆପଣାକୁ ବଡ଼ ଦୁର୍ବଳ ଲାଗୁଚି, ଆପଣାର ସମସ୍ତ ଭରସା ଓ ବଳକୁ ହଠାତ୍ ଉପହାସ କରିବାକୁ ମନ ହେଉଚି । ଠିକ୍ ସେହି ସମୟରେ ମୋ’ର ଭିତରେ ଥାଇ କିଏ ଯେପରି ବିଦ୍ରୋହ କରି ଉଠୁଚି । ସଂସାର ବିରୁଦ୍ଧରେ ନୁହେଁ, ଆପଣା ବିରୁଦ୍ଧରେ ହିଁ ବିଦ୍ରୋହ କରି ଉଠିଚି ।

 

୩୦ । ୧୦ । ୬୧

 

କୋଉଥିରେ ମୋ’ର ଭଲ ହେବ କି ଆଉ କୋଉଥିରେ ମୋ’ର ମନ୍ଦ ହେବ, ମୁଁ ସେକଥା ବିଚାର କରିବାକୁ ଚାହେନାହିଁ । ଏହି ସଂସାରରେ ମୁଁ ଆନନ୍ଦରେ ବଞ୍ଚିବାକୁ ଚାହେ । ଏହ ଭଗବାନ, ମୋତେ ସେହି ଆନନ୍ଦର ସହିତ ବଞ୍ଚିବାକୁ ଦିଅ । ଏହି ଆନନ୍ଦକୁ ଯାତ୍ରାପଥର ସାଥୀ କରି ରଖିବାକୁ ହେଲେ ମୋ’ର ହୃଦୟ ଭିତରେ ତୁମରି ନିର୍ଭର ରହିଥିବା ଦରକାର । ସବୁଦିନେ ସକାଳେ ଜଗତ ଭିତରେ ତୁମର ଆଗମନକୁ ଚିହ୍ନି ନେବାଲାଗି ମୋ’ର ଦୃଷ୍ଟି ରହିଥିବା ଦରକାର ସଂସାରର ଅନ୍ୟ ସମସ୍ତ ଲାଭଠାରୁ ଏହି ଲାଭକୁ ହିଁ ମୁଁ ଅଧିକ ମହତ୍ତ୍ୱପୂର୍ଣ୍ଣ ମନେ କରେ । ଆଜି ଏହି ସକାଳର ଶାନ୍ତ ଶୀତଳ ମୁହୂର୍ତ୍ତରେ ମୋ’ର ସମସ୍ତ ହୃଦୟ ମନ୍ଦିରକୁ ପୂର୍ଣ୍ଣ କରି ଯେପରି କିଏ ଏହିପରି ଏକ ପ୍ରାର୍ଥନାମନ୍ତ୍ର ଉଚ୍ଚାରଣ କରି ଉଠୁଚି । ମୁଁ ମୋ’ର ଦେହର ସମସ୍ତ ଲୋମକୂପ ଦେଇ ସେହି ମନ୍ତ୍ରର ପ୍ରବର୍ତ୍ତନ ସ୍ପର୍ଶକୁ ବେଶ୍ ଅନୁଭବ କରିପାରୁଚି । ତେଣେ ନୂତନ ସକାଳଟିର ଉଦୟ-ଆୟୋଜନ ଆରମ୍ଭ ହୋଇଆସିଲାଣି । ନାନାପ୍ରକାର ଶ୍ରୁତ ଓ ଅଶ୍ରୁତ ସଙ୍ଗୀତରେ ବିଶ୍ଵର ଯାତ୍ରାଟି ଝଙ୍କାରମୟ ହୋଇଆସୁଚି । କୌଣସି ପ୍ରକାର ଭୟ ବା ନୀତିବାଦର ବଶବର୍ତ୍ତୀ ନହୋଇ ମୋ’ ଭିତରେ କିଏ କହି ଉଠୁଚି, ମୋ’ର ଏହି ସଂସାରରେ ଆଉ କିଛି ଦରକାର ନାହିଁ । ମାନସମ୍ମାନର ଆକଙ୍‌କ୍ଷାକୁ ମୁଁ ଅନେକ ପଛରେ ଛାଡ଼ିଦେଇ ଆସିଚି, ଏହି ଜୀବନରେ ମୁଁ ଅନେକ କ୍ଷେତ୍ରରେ ଅନେକ ଜ୍ଵରରୁ ମୁକ୍ତ ହୋଇଆସିଚି । ମୋ’ର କେବଳ ଆନନ୍ଦ ଦରକାର । ଏହି ଆନନ୍ଦଟିକୁ ଅନୁଭବ କରିବାଲାଗି ମୁଁ କୌଣସି କୋଳାହଳ ଚାହେନାହିଁ । ମୁଁ ନୀରବ ରହି ଅନୁଭବ କରିବାକୁ ଚାହେ, ନୀରବ ରହି ଅନାଇ ରହିବାକୁ ଚାହେ । ସଂପୂର୍ଣ୍ଣ ବିଶ୍ଵାସ ଆସିଲେ ଯେପରି ନୀରବ ଓ ନିଶ୍ଚିନ୍ତ ଭାବରେ ଆଗକୁ ପାଦ ପଡ଼ି ପଡ଼ି ଯାଏ, ମୁଁ ସେହିପରି ନୀରବ ହୋଇ ମୋ’ର ସକଳ ମୁହୂର୍ତ୍ତକୁ ପରମ ମୁହୂର୍ତ୍ତରୂପେ ଆସ୍ଵାଦନ କରିବକୁ ଚାହେ। କୌଣସି ପ୍ରକାର ଅଳସ କବିତ୍ଵର ବଶବର୍ତ୍ତୀ ହୋଇ ମୁଁ ଏପରି କହୁନାହିଁ । ମୋ’ର ଜୀବନର ଲାଭକ୍ଷତିର ସେ ପାଖକୁ ଉତ୍‌କ୍ରାନ୍ତ ହୋଇ ମୋ’ ହୃଦୟମୂଳକୁ ଦେଖିବାର ଶକ୍ତି ଯାହାର ଅଛି, ମୋ’ ଭିତରେ ଥାଇ ସେହି କବି ଆଜି ଏହା କହୁଚି । ଆଜି ସକାଳର ଅଙ୍ଗନ ଉପରେ ଠିଆ ହୋଇ ସେହି କବି ଆପଣାକୁ ସମର୍ପଣ କରିଦେଉଚି ।

 

୩୧ । ୧୦ । ୬୧

 

ଜୀବନ ଓ ଜଗତ ଲାଗି ଆପଣାକୁ ସମପର୍ଣ କରିଦେବାର ଅର୍ଥ କଦାପି ମରଣ ପାଖରେ ଆତ୍ମସମର୍ପଣ କରିବା ବୋଲି କୁହାଯାଇନପାରେ । ଜୀବନକୁ ମୁଁ ଯେତିକି ନିବିଡ଼ ଭାବରେ ଚିହ୍ନିଚି, ସେତିକି ଏହି ତୀର୍ଥ ପାବଚ୍ଛରେ ଆପଣାକୁ ସମର୍ପଣ କରିଦେବାର ଅର୍ଥ ମୁଁ ବୁଝିବାକୁ ସମର୍ଥ ହୋଇଚି । ଆପଣାକୁ ନାତି ସତର୍କ ଭାବରେ ଅଲଗା କରି ରକ୍ଷା କରିବାର ଉୟାକୁଳ ପ୍ରୟାସ କରୁଥିବା ପର୍ଯ୍ୟନ୍ତ ଜୀବନ କେବଳ ବିନାଶର ପଥରେ ହିଁ ଗତି କରୁଥାଏ । ବାଇବେଲର ଏହି ଉକ୍ତିକୁ ମୁଁ ଖାଲି ଏକ ଧର୍ମସୂତ୍ର ବୋଲି ଗ୍ରହଣ କରିନାହିଁ । ଜୀବନର ଯାବତୀୟ ଯୋଗରେ ମୁଁ ଏହାର ହିଁ ମୋ’ର ସର୍ବପ୍ରଧାନ ବ୍ୟବହାରିକ ସୂତ୍ର ବୋଲି ଗ୍ରହଣ କରିବାକୁ ଚେଷ୍ଟା କରିଚି । ଯିଏ ସକଳ ଜୀବନ ଭିତରେ ଆପଣାକୁ । ଯୁକ୍ତି କରିଦେଇ ନପାରେ, ସେ ମରଣକୁ ମାନିନିଏ, ନାନା ସତର୍କତା, ଅବିଶ୍ଵାସ ଓ ଅନାସ୍ଥାର ପ୍ରମାଦରେ ଛନ୍ଦ ହୋଇ ସେ ମରଣଟାକୁ ହିଁ ଜୀବନ ବଞ୍ଚିବାର ବଡ଼ ଉତ୍‌ପ୍ରେରକ ବୋଲିଗ୍ରହଣ କରିନିଏ । କେବଳ ସେଇ ସଂସାରଠାରୁ ଅଲଗା ହୋଇଯାଏ, ସ୍ଵାର୍ଥବୁଦ୍ଧିରେ ପ୍ରପୀଡ଼ିତ ହେବାକୁ ଆପଣାର ପ୍ରଧାନ ଜୀବନପ୍ରୟାସ ବୋଲି ଗ୍ରହଣ କରେ । ମୁଁ ସେହି ପଥକୁ ଅତିକ୍ରମ ନକରି ଆସିଚି ।

 

୧ । ୧୧ । ୬୧

 

ବାହାର ପୃଥିବୀରେ ଯୁଦ୍ଧର ଆଶଙ୍କା ପ୍ରବଳତର ହେବାବେଳେ ତେଣେ ମୋ’ ଭିତରେ ଯେପରି ସକଳ ପ୍ରକାର ଯୁଦ୍ଧ କ୍ରମେ ଶାନ୍ତ ହୋଇ ଆସୁଚି । ବାହାର ପୃଥିବୀର ଜୀବନ ତେଣେ ନାନା ପ୍ରକାରର ଦହନରେ ଅସହିଷ୍ଣୁ ହୋଇ ଉଠୁଥିବା ବେଳେ ଏଣେ ମୋର ଅନ୍ତରଗ୍ରାମରେ ସବୁପ୍ରକାର ଦହନ ଓ ସବୁ ପ୍ରକାର ଜ୍ଵାଳା କ୍ରମେ ଉପଶାନ୍ତ ହୋଇଆସୁଚି । ସଂସାର ଉପରକୁ ଆଜି ମଣିଷ ତରଫରୁ ଯେଉଁ ପ୍ରମାଦମାନ ମାଡ଼ି ଆସୁଚି, ସେହି ପ୍ରମାଦଗୁଡ଼ାକୁ ଆଉ କେତେ ଆଦୌ ଡର ମାଡ଼ୁ ନାହିଁ । ସଂସାର ଭିତରୁ ଆଉ କେଉଁ ଶାନ୍ତ ସୁଶୀତଳ ସମସ୍ୟାହୀନ ମାନସିକ ଦ୍ଵୀପକୁ ପଳାଇଯାଇ ମୁଁ ଏହି ନିର୍ଭୟତାର ଛଳନା କରି ବସୁନାହିଁ । ମୋ’ର ଜୀବନରେ ମୁଁ ସକଳ ବିଶ୍ଵଜୀବନକୁ ଭଲ ପାଇବା ଓ ବିଶ୍ଵଜଗତରେ ବିଶ୍ଵାସର ସହିତ ଆପଣାର କରିଯିବାକୁ ଆପଣା ଜୀବନର ଧର୍ମରୂପେ ଗ୍ରହଣ କରିଚି ବୋଲି ଏହି ସଂସାରରେ ମୋତେ ଆଉ କିଛି ଡର ମାଡ଼ୁନାହିଁ । ପ୍ରତ୍ୟେକ ମଣିଷ ଭିତରେ ଏହି ନଷ୍ଟଭ୍ରଷ୍ଟ ବିଶ୍ଵାସର ପୁନଃସ୍ଥାପନା ହୋଇପାରିଲେ ଓ ପ୍ରତ୍ୟେକ ମଣିଷ ପର୍ଯ୍ୟାପ୍ତ ଜୀବନୋତ୍ସାହ ସହିତ ଆପଣାର କର୍ତ୍ତବ୍ୟ କରିପାରିଲେ ଯାଇ ସଂସାରର ସମସ୍ତ ଉତ୍ତେଜନା ଉଣା ହୋଇପାରିବ । ଏଥିପାଇଁ ଅନ୍ୟ ସମସ୍ୟାରେ ଆପଣାକୁ ଆଳସ୍ୟ ସହିତ ପୋତି ନପକାଇ ମୁଁ ମୋ’ର କର୍ତ୍ତବ୍ୟ କରି ବାହାରିଚି, ସଂସାରର ଘରେ ମୋ’ର ପୁତ୍ରତ୍ଵକୁ ଅନୁଭବ କରିବା ଲାଗି ଅନନ୍ତ ଭିତରେ ଯେଉଁ ବିଶ୍ଵାସ ଦରକାର, ମୁଁ ସେହି ବିଶ୍ଵାସକୁ ମୋ’ ଜୀବନ ବଞ୍ଚିବାର ସର୍ବପ୍ରଧାନ ଉତ୍‌ପ୍ରେରକ ବୋଲି ଗ୍ରହଣ କରିଚି । ଆଜି ବଡ଼ ସକାଳର ହସହସ ପୂର୍ବଦିଗକୁ ଅନାଇ ଏହି ଖାତାରେ ମୋ’ର ନୂତନ ସଦ୍ୟ ଜୀବନ ଆରମ୍ଭ କରୁଥିବାବେଳ ଠିକ୍ ଏହିପରି ଏକ ବିଶ୍ଵାସ ହିଁ ମୋ’ ର ଚେତନାକୁ ରଂଜିତ କରି ରଖିଚି ।

 

୨ । ୧୧ । ୬୧

 

ହଁ ସକାଳର ଏହି ପୂର୍ବଦିଗକୁ ଅନାଇ ମୁଁ ପ୍ରତିଦିନ ଜୀବନ ବଞ୍ଚିବାର ବିଶ୍ଵାସକୁ ଆପଣା ଭିତରେ ଭରାଇ ନେଇଚି । ନାଲିରଙ୍ଗ ଉକୁଟି ଆସିଥିବା ସେହି ପୂର୍ବ ଦିଗର ଉଦ୍‌ଭାସ ଉପରେ ସତେଅବା କେଉଁ ଶିଶୁମୋତେ ନିତି ନିତି ନୂତନ ଜୀବନର ଆହ୍ଵାନ ଜଣାଇବାକୁ ଆସିଚି, ପରିପୂର୍ଣ୍ଣ ଜୀବନର କେଉଁ ଉତ୍ସାହସଭାକୁ ସତେ ଯେପରି ସେ ମୋତେ ଡାକି ନେଇଯିବାକୁ ଆସିଚି । ତା’ର ଡାକ ଶୁଣି ମୋ’ର ସମସ୍ତ ବ୍ରତତୀ ସଦ୍ୟସ୍ନାତକ ମନ ପ୍ରସ୍ତୁତ ହୋଇ ଯାଇଚି । କୌଣସି ପ୍ରକାରର ବୁଦ୍ଧି ଓ ପ୍ରତିଶୋଚନାର କ୍ଲେଶ ମୋତେ ଅଟକାଇ ରଖି ପାରିନାହିଁ । ସଂସାରଟା ବିଗିଡ଼ି ଯାଇଚି ବୋଲି ଅଭିମାନ କରି ଆପେ ବିଗିଡ଼ି ରହିବାକୁ ଆଉ ମୁଁ କୌଣସି ପ୍ରକାର ଆକର୍ଷଣ ଅନୁଭବ କରିନାହିଁ । ମୋ’ ମୁଣ୍ଡ ଭିତରେ କୁହୁଳି ଉଠୁଥିବା ସମସ୍ତ ହତାଶ ହାର ମାନିଚି । ମୋ’ପ୍ରାଣକୁ ସର୍ବଦା ପୁଲକିତ ନକରି ରଖୁଥିବା ଶିଶୁ କେଉଁ ସଙ୍ଗୀର ଆହ୍ଵାନ ମାନି ନୂତନ ଜୀବନ ଲାଗି ପ୍ରସ୍ତୁତ ହୋଇ ବାହାରି ପଡ଼ିଚି । ସଂସାର ଭଲ ଲାଗିଚି, ମୋ’ର ଡାଳପତ୍ରରେ ହସ ଓ ଆନନ୍ଦରେ ତରଙ୍ଗ ଖେଳାଇ ଦେଇ କେଉଁ କଳି ହଠାତ୍ କୁସୁମିତ ହୋଇଉଠିଚି । ମୋ’ର ଅନ୍ତରଗହ୍ଵର କାହାର ରକ୍ତବର୍ଣ୍ଣ ଆଲୋକରେ ଆଲୋକିତ ହୋଇଉଠିଚି । ଜୀବନକୁ ନେଇ ରାତ୍ରି ଯାକ ସଞ୍ଚିତ ହୋଇରହିଥିବା ମୋ’ର ସମସ୍ତ ତ୍ରାସ ଓ ସମସ୍ତ ଭୟ ଅପସରି ଯାଇଚି । ମୋ’ ଭିତରେ ଥାଇ କେଉଁ ସାହାସିନୀ ଓ ବିଜୟିନୀ ଜନନୀ ଯେପରି କହି ଉଠିଚି, ଏହି ସଂସାରରେ ସବୁ ହେବ, ସବୁ କଳି ଫୁଲ ହୋଇ ଫୁଟି ଉଠିବ, ମୋ’ ଜୀବନରେ କିଛି ବ୍ୟର୍ଥ ହୋଇ ଯିବନାହିଁ ।

 

୩ । ୧୧ । ୬୧

 

ସେଦିନ ଜଣେ ବନ୍ଧୁ ମୋତେ cynic ବୋଲି କହିଲେ । ଏପର୍ଯ୍ୟନ୍ତ ସେ ମୋତେ ବୁଝି ପାରିନାହାନ୍ତି । ମୁଁ ଏ ଜୀବନକୁ ଭଲ ପାଏ, ଜୀବନର ଶାଶ୍ଵତ ମୂଲ୍ୟ ଗୁଡ଼ିକୁ ଉପରେ ମୁଁ ପରିପୂର୍ଣ୍ଣ ବିଶ୍ଵାସ ରଖି ହିଁ ସେହି ଅନୁସାରେ ଆପଣାର ସଂସାରକୁ ଗଢ଼ିବାକୁ ଚେଷ୍ଟା କରୁଥାଏ । ମୁଁ କର୍ମରେ ବିଶ୍ଵାସ କରେ, ଆଳସ୍ୟରେ ବିଶ୍ଵାସ କରେନାହିଁ । ସ୍ତୁତି ଓ ନିନ୍ଦା ଅପେକ୍ଷା ମୁଁ ପ୍ରତ୍ୟେକକୁ ବୁଝିବା ଉପରେ ଅଧିକ ନିର୍ଭର କରି ମୋ’ର ଆପେ ବିଗିଡ଼ି ବସିବାକୁ ଏକ ମାରାତ୍ମକ death instinct ବୋଲି ମନେ କରେ । ସଂସାର ଯେତେ ଯେଉଁଠି ବିଗିଡ଼ି ଯାଇଥାଉ ପଛକେ, ମୁଁ ଆପେ ମନ କଲେ ଓ ହୃଦୟର ଆଶ୍ରା ନେଇ ପାରିଲେ ଯେ ସଂସାରକୁ ସୁନ୍ଦର କରି ପାରିବାର ଅନେକ ସୁସଂଗତ ଉଦ୍ୟମ କରିପାରିବି, ଏଥିରେ ମଧ୍ୟ ମୋ’ର ପରିପୂର୍ଣ୍ଣ ବିଶ୍ଵାସ ରହିଚି । ତଥାପି ଯଦି ମୋତେ cynic ବୋଲି କୁହାଯାଏ, ତେବେ ଆଉ ମୋ’ର କିଛି ହେଲେ କହିବାର ନାହିଁ । ହଁ, ମୁଁ ସତ୍ୟକୁ ସତ୍ୟ ଓ ମିଥ୍ୟାକୁ ମିଥ୍ୟା ବୋଲି କହିବାକୁ କୌଣସି ଅନୁଶଙ୍କା ଅନୁଭବ କରେନାହିଁ । ଯେଉଁଠି ମୁଁ ପ୍ରତାରଣା ହେଉଚି ବୋଲି ଅନୁଭବ କରେ, ସେଠାରେ ତାହାକୁ ପ୍ରତାରଣା ବୋଲି ନକହିବାର କୌଣସି ଅଭିନୟ ମୁଁ କରି ପରେନାହିଁ, ଯେଉଁଠି ସବୁଶୂନ୍ୟ ପଡ଼ିଚି, ଯେଉଁଠି କେବଳ ଚିକଣ ଶବ୍ଦର ପ୍ରବଞ୍ଚନା ଦେଇ ଆପଣାର ବ୍ୟାଧିତତାକୁ ଘୋଡ଼ାଇ ରଖିବାର ପରିଶ୍ରମ କରାଯାଉଚି, ସେଠି ଆପଣାକୁ ଲିପ୍ତ କରି ରଖିବାକୁ ଜୀବନଶୂନ୍ୟତାକୁ ମୁଁ ସହଜରେ ଆଦରି ନେଇ ପାରେନାହିଁ । ଆଧୁନିକ ସମାଜରେ ଆମେ ଅଭିନୟର ମାତ୍ରା ଏପରି ବଢ଼ାଇ ଦେଲୁଣି ଯେ, ଆମର ଜୀବନମାତ୍ରାରେ ପ୍ରକୃତ ଜୀବନର ମାତ୍ରା ଅତି ବିରଳ ହେବାକୁ ବସିଲାଣି । ମୁଁ ଏହି ବିରଳତାକୁ ହିଁ ଜୀବନ ବୋଲି କହିବାକୁ କଦାପି ପ୍ରସ୍ତୁତ ନୁହେଁ । ଏହିପରି ଅଳସ ମଣିଷମାନଙ୍କର ଗୋଷ୍ଠୀରେ ମୁଁ ଗୋଠଛଡ଼ା ହୋଇ ହିଁ ରହିବାକୁ ଚାହେ ।

 

୪ । ୧୧ । ୬୧

 

ଯିଏ ଜୀବନକୁ ଭଲପାଉଚି, ଇଏ ଆପଣାର ପ୍ରତ୍ୟେକ ମୁହୂର୍ତ୍ତକୁ ଶ୍ରଦ୍ଧା ପୂର୍ଣ୍ଣ କର୍ମଦ୍ୱାରା ଭରିଦେବାକୁ ଚେଷ୍ଟା କରୁଚି, ଗୋଠ ଭିତରେ ଆପଣାର ମାନବିକ ଗୋତ୍ର ଭୁଲି ଯାଇଥିବ । ଲୋକମାନେ ତାହାକୁ ଯେ ଅବଶ୍ୟ ଗୋଠଖଣ୍ଡିଆ ବୋଲି କହିବେ, ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ଏଠି ଏହି ସମାଜରେ ସମସ୍ତେ କେବଳ ଦେଖାଇ ହେବାକୁ ଚାହାନ୍ତା । କଥାର ମିଷ୍ଟାନ୍ନ ପରଶି ଏମାନେ ସବୁ ମାନବିକ ସମସ୍ୟାର ସମାଧାନ କରିବାକୁ ଚାହାନ୍ତି । କାରଣ, ସମାଜରେ ଏମାନେ ଆପଣାକୁ privileged ଗେହ୍ଲାପୁଅ ବୋଲି ଗ୍ରହଣ କରି ନେଇଚନ୍ତି । ଏ ସମାଜ ବଦଳିବା ଉଚିତ ବୋଲି ନାଁ ଉଲୁଗୁଣା ଦେଇ କହିବାର ଚାତୁରୀ ଏମାନେ ନାନା ବହିରୁ ପଇଟାଇ ରଖିଚନ୍ତି । କିନ୍ତୁ ସମାଜ ବଦଳିବାକୁ ଧ୍ୟେୟ ରଖି ଆପଣାର ରୀତିରେ ରହି ଯେଏ ନିଷ୍ଠାର କଥା କହିଲା, ଯିଏ ଆପଣା ଜୀବନକୁ ଏଇ ମୁହୂର୍ତ୍ତରୁ କୌଣସି ନା କୌଣସି ସ୍ଵନିର୍ବାଚିତ ବୃହତ୍ତର ଓ ସୌମ୍ୟତାର ମୂଲ୍ୟ ଲାଗି ନିଯୁକ୍ତ କରିବାର କଥା କହିଲା, ଯିଏ ଏମାନଙ୍କର ବର୍ତ୍ତମାନ ଜୀବନସ୍ତରକୁ ଆଳସ୍ୟ ବିଡ଼ମ୍ବିତ ଶୂନ୍ୟ ବୋଲି କହିଲା, ଏମାନଙ୍କ ଜୀବନଯାତ୍ରାରେ ଶଠତାକୁ ଯିଏ ଶଠତା ବୋଲି କହିଲା, ତାହାକୁ ଏମାନେ ସହି ପାରିବେ କିପରି ? ଆପଣାର ଅଭିନୟକୁ ଗୋଟାଏ ଶବ୍ଦମୟ ସୁରକ୍ଷା ଦେଇ ଏମାନେ ଗୋଟାଏ ପ୍ରକାରର ଅଚଳାୟତନ ସୃଷ୍ଟିକରି ରଖିଚନ୍ତି-। ମୁଁ ସେହି ଅଚଳାୟତନରେ ଅମୁହାଁ ହୋଇ ଯିବାନାହିଁ ବୋଲି ପଣ କରିଚି ।

 

୫ । ୧୧ । ୬୧

 

ସଂସାରକୁ ଦେବାକୁ ହିଁ ମୁଁ ମୋ’ ଜୀବନର ପ୍ରଧାନ ଧର୍ମ ବୋଲି ଗ୍ରହଣ କରି ନେଇଚି । ସଂସାରର ଦ୍ଵାହି ଦେଇ ଆପଣାର ମନ୍ଦ ଲାଳସାଗୁଡ଼ାକୁ ଲଗାମ କାଟି ଛାଡ଼ିଦେବାକୁ ମୁଁ ସଂସାରକୁ ବ୍ୟବହାର କପରି ଶିଖିନାହିଁ । ସେଥିପାଇଁ ଏହି ସଂସାରରେ ଦୁଃଖ ପାରି ହେବାକୁ ମୋ’ର କୌଣସି ଉଦ୍‌ବେଗ ନାହିଁ, ସଂସାରରେ ପ୍ରଧାନତଃ ନିରାଶ ହେବାକୁ ମୋ’ପାଖରେ କୌଣସି ଆବେଗ ପ୍ରବଳ ଯୁକ୍ତି ମଧ୍ୟ ନାହିଁ । ଏହି ସଂସାର ଖରାପ ହୋଇଯାଉଚି । କିନ୍ତୁ ଏହିପରି ଏକ ଅନୁମାନକୁ ସମ୍ବଳ କରି ମୁଁ ଆପଣାକୁ ଖରାପ କରିବାର ଅର୍ଥାତ୍ ବଡ଼ କର୍ମହୀନ ଭାବରେ ଆପଣାକୁ ସନ୍ତପ୍ତ କରି ରଖିବାର କୌଣସି ପ୍ରଶୟ ପାଇବାକୁ ଚେଷ୍ଟା କରେନାହିଁ । ସଂସାର ଖରାପ ହୋଇ ଯାଉଥିବାର କାରଣ ସ୍ୱରୂପ ମୁଁ ଯାହାସବୁ ଅନୁଭବ କରେ, ସେହିସବୁ କାରଣ ଭିତରେ ଆପଣାକୁ ଛନ୍ଦି ନଦେବା ପାଇଁ ହିଁ ମୁଁ ସବୁବେଳେ ଚେଷ୍ଟା କରୁଥାଏ । ଏହି ଚେଷ୍ଟାରେ ମୁଁ କେତେବେଳେ ସଫଳ ହୁଏ, କେତେବେଳେ ବିଫଳ ମଧ୍ୟ ହୁଏ । କିନ୍ତୁ ମୋ’ର କେତେବେଳେ ସଫଳ ନହୁଏ, କେତେବେଳେ ବିଫଳ ମଧ୍ୟ ହୁଏ । କିନ୍ତୁ ମୋ’ର ଏହି ବିଫଳତା ଲାଗି ମୁଁ ସଂସାରକୁ ଦୋଷ ଦିଏନାହିଁ କିମ୍ବା ସଂସାରର କାଳ୍ପନିକ ଆଳ ଧରି ମୁଁ ଏହି ବିଫଳତାକୁ କଦାପି ଦେହସୁହା କରି ନିଏନାହିଁ । ମୋ’ର ବାଟରେ କେଉଁଠି ଭଲ ରହିଯାଉଚି, ମୋ’ର ବୁଝିବାରେ କେଉଁଠି ପ୍ରମାଦ ରହିଯାଉଚି, ମୋ’ର ବିଶ୍ଵାସରେ କେଉଁଠି ପ୍ରମତ୍ତତା ରହିଯାଉଚି, ମୁଁ ଏହିପରି ଅନୁଭବ କରିଥାଏ । ଏବଂ ଯେଉଁଠି ଯେଉଁପରି ବ୍ୟାଘାତ ଆସି ପହଞ୍ଚିଚି, ସେଇଠି ସେହି ବ୍ୟାଘାତକୁ ଦୂର କରିବାକୁ ମୁଁ ଚେଷ୍ଟା କରିଥାଏ ।

 

୬ । ୧୧ । ୬୧

 

ମୋ’ର ଏହି ସମପର୍ଣ କରିଦେବାରେ କୌଣସି ପ୍ରକାରେ death instinct ପ୍ରଚ୍ଛନ୍ନ ହୋଇ ରହିନାହିଁ । ବରଂ ସ୍ଵାର୍ଥରେ ହୋଇ ସ୍ଵାର୍ଥସଚେତ ଜୀବନଯାପନ କରିବାକୁ ହିଁ ମୁଁ death instinctର ଚରମ ଦୃଷ୍ଟାନ୍ତ ବୋଲି କହିବି । ଯିଏ ସଂସାରକୁ କେବଳ ଲାଭ ଖାଇବାକୁ ହାଟ ବୋଲି ମନେ କରେ, ସଂସାର ଯାକର ମଣିଷକୁ ଯିଏ କେବଳ ସାଧନ ବୋଲି ମନେକରେ, ସିଏ ସଂସାରରେ ରହି ମଧ୍ୟ କେବଳ ମୃତ୍ୟୁ ମଧ୍ୟରେ ବିଚରଣ କରିଥାଏ । ଆପଣାର ଅନ୍ତର ଭିତରେ ଯିଏ ରହି ସକଳ ଜୀବନ ସହିତ ଡୋର ଲଗାଇ ଦେଇପାରେ, ସେଇ ଜୀବନକୁ ପାଏ; କେବଳ ସେଇ ଜୀବନ ମଧ୍ୟରେ ଆପଣାକୁ ପାଏ, କେବଳ ସେଇ ଜୀବନର ଆନନ୍ଦ ମଧ୍ୟରେ ଆପଣାକୁ ଆବିଷ୍କାର କରେ । କୌଣସି ପ୍ରକାର ଭୟ ବା ଶଙ୍କାର ବଶବର୍ତ୍ତୀ ହୋଇ ନୁହେଁ, କୌଣସି ପ୍ରକାର ନୀତିବାଦୀ ନିୟନ୍ତ୍ରଣ ସୂତ୍ରରେ ବନ୍ଧା ହୋଇ ନୁହେଁ, ଆପଣା ଜୀବନର ସ୍ଵାଭାବିକ ରୀତି ହିସାବରେ ଯିଏ ଆପଣାକୁ ଏହି ସମସ୍ତଲାଗି ସମର୍ପଣ କରିଦେବାର ଜୀବନମନ୍ତ୍ର ଗ୍ରହଣ କରେ, ସେ ଆପଣାର ଜୀବନକୁ ପରିପୂର୍ଣ୍ଣ କରେ । ସେ ଯେଉଁ କ୍ଷେତ୍ରକୁ ଯାଏ, ସେହି କ୍ଷେତ୍ରରେ ମଧ୍ୟ ଜୀବନ ଭରିଦିଏ । ଜୀବନ ବାଟରେ ଏପର୍ଯ୍ୟନ୍ତ ମୋ’ର ଯେଉଁ ଅଭିଜ୍ଞତା ହୋଇଚି, ସେହି ଅଭିଜ୍ଞାତା ହିଁ ମୋତେ ଜୀବନ ବଞ୍ଚିବାର ଏହି ରୀତି ଶିଖାଇ ଦେଇଚି, ଅଧିକରୁ ଅଧିକ ଦେଇ ସିଏ ମୋତେ ଆପଣାକୁ ଦେବାର ଶୈଳୀ ଶିଖାଇଚି । ମୋ’ର ସମସ୍ତ ସତର୍କତା ଭାଙ୍ଗିଯାଇଚି, ମୋର ସମସ୍ତ ପ୍ରକାରର ନୀଡ଼ର ସବୁ ଆୟତନ ଭାଙ୍ଗି ଦେଇ ସେ ମୋତେ ମୋର ଅନ୍ତରା ଭିତରେ ସବୁରି ସହିତ ଏକନୀଡ଼ କରିଦେଇଯାଇଚି ।

 

୭ । ୧୧ । ୬୧

 

ରୁଷିଆରେ ଆଜି ଅନେକ ବିପ୍ଳବ ସଂଘଟିତ ହେଉଚି । ସେଠି ମଣିଷ ଲାଗି ଅଧିକ ଖାଇବା ଓ ଭୋଗ କରିବା ଖଞ୍ଜି ଦିଆଯାଉଚି । ସେଠି ନୂଆ କାରଖାନା ବସୁଚି, ମଣିଷର ମନୋରଞ୍ଜନ ଲାଗି ନୂଆ ନୂଆ ଅବସରମାନ ସୃଷ୍ଟି କରାଯାଉଚି । ସେଠାରେ ପୃଥିବୀରୁ ବାହାରକୁ ଯାଇ ଶୂନ୍ୟମଣ୍ଡଳରେ ଆବିଷ୍କାର କରାଯାଉଚି । କିନ୍ତୁ ମଣିଷ ଲାଗି ସେଠି କ’ଣ କରାଯାଉଚି ? ମଣିଷର ଜୀବନରେ ବିପ୍ଳବ ଆଣିବା ଲାଗି ସେଠାରେ କେଉଁ ନେତା କ’ଣ କରୁଚି ? ମଣିଷ କେବଳ ଯଥାଇଚ୍ଛା ଖାଇବାକୁ ପାଇବା ଓ ଯଥାଇଚ୍ଛା ଭୋଗ କପରି ପାରିବ ବୋଲି କାର୍ଲମାର୍କ୍‌ସ୍ ସାମ୍ୟବାଦର ଚିନ୍ତା କରି ନଥିଲେ । ପୂର୍ବତନ ପୁଞ୍ଜିବାଦୀ ସମାଜରେ ମଣିଷର ପରିପୂର୍ଣ୍ଣ ବିକାଶ ହୋଇପାରୁନାହିଁ, ନାନା କର୍ତ୍ତୃତ୍ଵ ମଧ୍ୟରେ ମଣିଷର ସବୁ ସାରଗୁଣ ମରି ଯାଉଚି, ଏଇଥିଲାଗି ପୁରୁଣା ପୁଞ୍ଜିବାଦୀ ସମାଜ ଭାଙ୍ଗି ନୂଆ ସମାଜବାଦୀ ସମାଜର ସ୍ଥାପନା ଦେବା ଆବଶ୍ୟକ ବୋଲି ସେ ପ୍ରଚାର କରିଥିଲେ । ପ୍ରଧାନତଃ ମଣିଷକୁ ସ୍ଵତନ୍ତ୍ର କରିବାଲାଗି ହିଁ ସାମ୍ୟବାଦର ଆହ୍ଵାନ ପ୍ରଚାରିତ ହୋଇଥିଲା । କିନ୍ତୁ ଆଜି ସାମ୍ୟବାଦ ନାଆଁରେ କେଉଁଠି କେଉଁ ମଣିଷ କେଉଁ ପ୍ରକାରେ ସ୍ଵାଧୀନ ହୋଇଚି, ତାହା ହିଁ ଆପଣାର ମନକୁ ପଚାରି ବସିଲେ ପ୍ରଧାନତଃ ନିରାଶ ହେବାକୁ ହୁଏ ମଣିଷର ଅନୁଚିନ୍ତାର ବଡ଼ ଚତୁର ସୁଯୋଗ ନେଇ ମଣିଷକୁ ଆଜି ନାନା ତ୍ରାସ ଓ ଭୟ ଭିତରେ ବାନ୍ଧ ଦିଆଯାଇଚି । ମଣିଷକୁ ନାନା ପ୍ରକାର କ୍ଷମତା ଭିତରେ ପ୍ରାୟ ନିଶ୍ଚଳ କରି ରଖାଯାଇଚି । ମଣିଷକୁ କେବଳ ମାନିବାର ଗଧ କରି ଦିଆଯାଇ ତାହାର ସମସ୍ତ ଭାବନା ଓ ବିକାଶର ସ୍ଵଭାବିକତାକୁ ଅପହରଣ କରି ନିଆଯାଇଚି । ଖାଲି ସମାଜର ପୁରୁଣା କାନ୍ଥାଗୁଡ଼ାକୁ ତଡ଼ାବାଡ଼ି ମାରି ଭାଙ୍ଗି ଦେଲେ ଯେ ମଣିଷ ବଦଳେ ନାହିଁ, ଏବଂ ତେଣୁ ସମାଜରେ ମଧ୍ୟ କୌଣସି ସାର୍ଥକ ପରିବର୍ତ୍ତନ ହୋଇ ପାରେ ନାହିଁ, ନଭେମ୍ବର ବିପ୍ଳବ ଯାହା ସେତିକି ପ୍ରମାଣ କରିବି ।

 

୮ । ୧୧ । ୬୧

 

ମୁଁ ସୁଖରେ ବିହ୍ଵଳ ହୋଇ ପଡ଼ିବିନାହିଁ କି ଦୁଃଖରେ ମଧ୍ୟ ବିହ୍ଵଳ ହୋଇ ପଡ଼ିବ ନାହିଁ । କାରଣ, ମଣିଷର ବିହ୍ଵଳ ହେବାର ପ୍ରମାଦ ସୁଖ ବା ଦୁଃଖ ଭୋଗ କରିବା ଉପରେ ଖୁବ୍ ବେଶୀ ନିର୍ଭର କରେ ନାହିଁ । ପାଖରେ ପାଇଥିବା ବେଳେ ମୋତେ ସଂସାରରେ ସବୁ ପାଇଥିବା ପରି ଲାଗୁଥିଲା, ଆଜି ପାଖରେ ନାହିଁ ବୋଲି ସଂସାରରେ ମୁଁ ସବୁଥିରୁ ବଞ୍ଚିତ ହୋଇଗଲି ବୋଲି ଗୋଟାଏ ପ୍ରକାର ଦ୍ଵେଷକ୍ଳିଷ୍ଟ ଅହଂକାର ମୋ’ର ମନକୁ ଗ୍ରାସ କରି ପକାଇବାକୁ ଆସୁଚି । କିନ୍ତୁ ମୋତେ ଏପରି । ଏକ ଦ୍ଵେଷଭାବନାକୁ ଆପଣାର ଅନ୍ତରା ଭିତରେ ଶାନ୍ତ କରି ରଖିବାକୁ ହେବ ମୋ’ର ସଙ୍ଗୀ ହେବାରେ ବା ଶ୍ରଦ୍ଧା କରିବାରେ ଯାବୁଡ଼ି ବାନ୍ଧି ରଖିବାର ଯେତିକି ମୋହ ନିହତ ହୋଇ ରହିଥିଲା ଭାରି ଚେଷ୍ଟା କରୁଚି । ନାନା ଅବକାଶରେ ନାନପ୍ରକାର ଦ୍ଵେଷର ବ୍ୟୂହ ରଚନା କରି ତାହାରି ଭିତରେ ଆବଦ୍ଧ ହୋଇ ରହିବାକୁ ଭାରି ଉପକ୍ରମ କରୁଚି । ଅନ୍ତରର ସ୍ନେହ ବଳରେ ମୋତେ ସେହି ଉତ୍ତାପକୁ ଶୀତଳ କରିବାକୁ ପଡ଼ିବ । ମୋତେ ଆଜି ଭାରି ନିଛାଟିଆ ଲାଗୁଚି । ଭାରି ଉଦାସୀନ ଲାଗୁଚି, ମନଭିତଟା ନାନା ସ୍ମୃତିରେ ଚକିତ ନୋ ଚଞ୍ଚଳ ହୋଇରହିଚି । ଏଥିରେ ଲେଶମାତ୍ର ଅସ୍ଵାଭାବିକତା ନାହିଁ । କିନ୍ତୁ ଏହି ନିର୍ଜନ ଅନୁଭବ କରିବାକୁ ଯେପରି ମୋ’ର ମନ ଭିତରେ କୌଣସି ପ୍ରମତ୍ତତା ଲାଗି କୌଣସି ସ୍ଥାନ ନରହେ ମୋ’ର ବିଶ୍ଵାସ ଓ ସମର୍ପଣେଚ୍ଛା ଆଜି ମୋତେ ବଳ ଦେଉ ।

 

୯ । ୧୧ । ୬୧

 

ମୋ’ର ଆଖି ସମ୍ମୁଖରେ ସେଠି ଆକାଶରେ ବେଳାରେ ସୂର୍ଯ୍ୟୋଦୟ ହେଉଚି । ଏଣେ ମୋର ଅନ୍ତର ଭିତରେ ମୁଁ କେଉଁ ଜୀବନସାଗରର ଉପରେ କାହାର ସଂଜୀବନ—କିରଣ ବିଚ୍ଛୁରିତ ହୋଇ ଗଲାପରି ଅନୁଭବ କରୁଚି । ଭିତରେ କେଉଁ ଶ୍ରଦ୍ଧାନତ ଭକ୍ତ ପରିପୂର୍ଣ୍ଣ ସମର୍ପଣର ଅଞ୍ଜିଳ ଧରି ନୀରବରେ ଦଣ୍ଡାୟମାନ ହୋଇରହିଚି । ସବୁଦିନେ ବାହାରେ ଆଉ ଭିତରେ ଏହି ଦୃଶ୍ୟକୁ ଅନୁଭବ କରୁଥିବା ପର୍ଯ୍ୟନ୍ତ ଜୀବନରେ ଆଉ କୌଣସି ସଂଶୟ ବା ଦ୍ଵନ୍ଦ୍ଵ ରହିବା ନାହିଁ ବୋଲି ମୋ’ର ମନ ହେଉଚି । ଏହି ଉତ୍ସାହ ବେଳରେ, ବାହାରେ ସହିତ ଭିତରର ଏହି ସ୍ପର୍ଶସଙ୍ଗମରେ ଶୁଭ ମୁହୂର୍ତ୍ତରେ ମୁଁ ଯଦି ଅଳସ ଓ ଅନ୍ୟମନସ୍କ ହୋଇ ଅନ୍ୟ କେଉଁଠି ଅପସରି ରହିଥାନ୍ତି, ତେବେ ତାହାହିଁ ମୋ’ର ଜୀବନର ପ୍ରଧାନ ଦୁର୍ଭାଗ୍ୟ ହୋଇଥାଆନ୍ତା । ଭିତରର ସଂଶୟଗୁଡ଼ାକୁ ସମାଧାନ କରି ଦେବାକୁ ଯେତିକି ମତ୍ତ ହୋଇ ଦଉଡ଼ୁ ଥାଆନ୍ତି, ମୋ’ର ଭିତରେ ଆପଣା ଉପରେ ବିରକ୍ତ ସେତିକି ବଢ଼ିବାରେ ଲାଗିଥାଆନ୍ତି, ଶ୍ରଦ୍ଧା ଓ ଉକ୍ତି ନାମରେ ମୁଁ ସେତିକି ଆତୁର ତାକୁ ମୋ’ର ଗଣ୍ଠିଧନ କରି ରଖିଥାଆନ୍ତି । ଉପରେ ନାନପ୍ରକାର ବିହ୍ଵଳତାର ସବୁ ଆଡ଼ମ୍ବର ଚାଲିଥାଆନ୍ତା, ଅଥଚ ଭିତରେ ମୁଁ ସର୍ବସ୍ଵାନ୍ତ ଭିକାରି ହୋଇ କେବଳ ଜୀବନ ଓ ଜଗତ ପରି ନାନପ୍ରକାର ନକରାତ୍ମକ ଉଗ୍ରତା ନେଇ ଉତ୍ତେଜିତ ହୋଇ ବସି ଥାଆନ୍ତି । ନାଇଁ,ସେ ରାସ୍ତା ମୋ’ର ରାସ୍ତା ନୁହେଁ-। ସକାଳ ଆକାଶର ଏହି ମେଘର ସଞ୍ଚୟ ଉପରେ ରକ୍ତରଙ୍ଗର ତରଳତାକୁ ଚହଲାଇ ଦେଇ ସୂର୍ଯ୍ୟ ଉଇଁ ଆସୁଚି, ଏହାରି ସତତାହିଁ ମୋ’ର ଅନ୍ତର ବନ୍ଧ ହୋଇରହିଚି, ଏହରି ଡୋର ଦେଇ ମୁଁ ସଂସାର ସହିତ ବାନ୍ଧହୋଇରହିଚି ।

 

୧୦ । ୧୧ । ୬୧

 

ଆଧୁନିକ ଜଗତରେ ଆଡ଼ମ୍ବର ଅଧିକ ହେଉଚି, ଏବଂ ଆଡ଼ମ୍ବର ଅଧିକ ହେବା ସଙ୍ଗେ ସଙ୍ଗେ ଅନୁଭୂତି ଉଣା ହୋଇଯାଉଚି । ଗୋଟାକର ବଢ଼ିବା ଓ ଆଉ ଗୋଟାକାର କମିବା ଭିତରେ କେତେ ଦୂର କାର୍ଯ୍ୟକାରଣ ସମ୍ପର୍କ ରହିଚି, ନ ସେକଥା ମୁଁ କହି ପାରିବିନାହିଁ । ତଥାପି ମୁଁ ଏତିକି ଜୋର କରିପାରିବି ଯେ, ମଣିଷ ନିଜେ ସଚେତ ରହିଲେ ଦୁହିଁଙ୍କ ମଧ୍ୟରେ ନିଜର ମର୍ଯ୍ୟାଦା ଅବଶ୍ୟ ଠିକ୍ କରିନେଇପାରିବ । ଜୀବନରେ ସଜ୍ଜା ଅବଶ୍ୟ ରହିବ, କିନ୍ତୁ ବାହାରର ସଜ୍ଜା ଯେପରି ଭିତରର ସଜ୍ଜୀବନତାକୁ ଘୋଡ଼ାଇ ନପକାଏ ବା ଗ୍ରାସ କରି ନପକାଏ ସେଥିପ୍ରତି ମଣିଷ ନିଜେ ସଚେତ ରହିବା । ସେ ମଝିରେ ଠିଆ ହୋଇ ମର୍ଯ୍ୟାଦା ମାନି ନେବ ଓ ଆପଣାକୁ ସେହି ଅନୁସାରେ ନିୟନ୍ତ୍ରିତ କରି ରଖିବ । ମଣିଷର ବୁଖିବା ଓ ଅନୁଭବ କରିବାକୁ ହିଁ ଜୀବନର ସର୍ବଶ୍ରେଷ୍ଠ ମୂଲ୍ୟ ବୋଲି ସେ ଗ୍ରହଣ କରିବ । ଆଧୁନିକ ସମାଜରେ ସଜ୍ଜାଟା ହିଁ ଅଧିକ ବଢ଼ୁଚି, ଏବଂ ଅନେକ ସମୟରେ ଏହି ସଜ୍ଜା ଭିତରେ ହିଁ ମଣିଷ ଆପଣାର ଅନୁଭବ କରିବାର ସାମର୍ଥ୍ୟହୀନତାକୁ ଘୋଡ଼ାଇ ରଖିବାକୁ ଚାହୁଚି । ସଜ୍ଜାର ବାଟ ହେଉଚି ସହଜ ବାଟ, କାରଣ ଏଥିରେ ଆପେ କିଛି ହେବା ଦରକାର ପଡ଼େନାହିଁ । ଆପଣ ଭିତରେ କୌଣସି ପ୍ରକାରର ପରିବର୍ତ୍ତନ ଦରକାର ପଡ଼େନାହିଁ । ଆଧୁନିକ ସମାଜର ମଣିଷ ବାହାର ଜୀବନର ଏହି ସହଜତା ଅଧିକ ଚାହୁଚି, ତେଣୁ ଭିତରେ ସେ କିଛି ହୋଇପାରୁନାହିଁ ।

 

୧୭ । ୧୧ । ୬୧

 

ଗତ କେତେଦିନ ହେଲା ଦିଲ୍ଲୀ ସହରରେ ସାହିତ୍ୟସଭା ଦେଖିବାକୁ ଯାଇଥିଲି । ରବୀନ୍ଦ୍ରନାଥଙ୍କର କବିଗୌରବ ଆଲୋଚନା କରିବା ପାଇଁ ସରକାର ସାହିତ୍ୟସଂସ୍ଥା ଏହି ସାହିତ୍ୟସଭା ଗୁଡ଼ିକର ଆୟୋଜନ କରିଥିଲା । ପୃଥିବୀର ଅନ୍ୟାନ୍ୟ ଦେଶରୁ ମଧ୍ୟ ଅନେକ ସାହିତ୍ୟକ ଓ ସାହିତ୍ୟରସିକ ଏହି ସଭାକୁ ନିମନ୍ତ୍ରିତ ହୋଇଆସିଲେ । କୌଣସି ମହାନ୍ କବିପ୍ରତିଭାର ସ୍ମରଣ କରାଗଲାବେଳେ ମୋ’ ମତରେ ଅଧିକ ଆତ୍ମ-ଅନୁସନ୍ଧାନ ହେବା ଉଚିତ । କୌଣସି ମହାନ୍ ସୃଷ୍ଟିଶୀଳତାର ଆଲୋଚନା କରାଗଲାବେଳେ ମୋ’ମତରେ ଆପଣା ଭିତରେ ପ୍ରଚ୍ଛନ୍ନ ହୋଇ ରହିଥିବା ସୃଷ୍ଟିଶୀଳ ପ୍ରବୃତ୍ତଗୁଡ଼ାକୁ ହିଁ ପ୍ରଧାନତଃ, ଉଦ୍‌ବୋଧନ ଦେଇପାରିବା ଉଚିତ । ତେବେଯାଇ ଏହିସବୁ ଅନୁଷ୍ଠାନ ବା ଉପଚାର ଦ୍ଵାରା ଆପଣା ଭିତରେ ମଧ୍ୟ କୌଣସି ସାର୍ଥନ ପରିବର୍ତ୍ତନ ସମ୍ଭବ ହୋଇପାରିବ । ଆପଣାର ମୋହ ଦୂର ହୋଇପାରିବ, ଆପଣାର ଭୟ ଓ ହୀନମାନ୍ୟତା ଦୂର ହୋଇପାରିବ । କିନ୍ତୁ ଦିଲ୍ଲୀର ସଭାରେ ମୁଁ ଏହି କଥାଟି ଖୁବ୍‌ବେଶୀ ଦେଖି ପାରିଲିନାହିଁ । ସେଠାରେ ଆତ୍ମା-ଉଦ୍‌ଘାଟନ ବା ଆତ୍ମ-ଉଦ୍‌ବୋଧନ ଅପେକ୍ଷା ଆତ୍ମଜ ଗୁପ୍‌ସାଟା ହିଁ ଯେପରି ଅତ୍ୟଧିକ ପରିମାଣରେ ପ୍ରଚଣ୍ଡ ହୋଇ ରାଜତ୍ଵ କରୁଥିଲା । ହଁ, ଏହି ଆତ୍ମଜୁଗୁପ୍‌ସାକୁ ସୁନ୍ଦର କରି ଦେଖାଇବା ଲାଗି ଅବଶ୍ୟ ଏକପ୍ରକାର ଭାବପ୍ରବଣତା ସର୍ବଦା ପ୍ରକାଶ ପାଉଥିଲା । ରବୀନ୍ଦ୍ରନାଥଙ୍କର ସୃଷ୍ଟି ମୋ’ର ଜୀବନର ସୃଷ୍ଟି ପ୍ରେରଣାକୁ ଜାଗୃତ କରିଚି ବୋଲି ମୁଁ ଯେପରି ତାଙ୍କ ବିଷୟରେ ଚର୍ଚ୍ଚା କରିବାକୁ ଆସି ନଥିଲା । ରବୀନ୍ଦ୍ର ସାହିତ୍ୟାଲୋଚନାର ଅବଶ୍ୟରେ ମୋ’ର ପାଣ୍ଡିତ୍ୟ ଓ ବଡ଼ପଣିଆ ଦେଖାଇବାର ଏକ ସୁବର୍ଣ୍ଣ ସୁଯୋଗ ମୋତେ ମିଳିଚି, ତାହାରି ଅନୁସ୍ମରଣରେ ଯେପରି ମୁଁ ଭାରି ଗଦଗଦ ହୋଇ ପଡ଼ୁଚି, ସଭାର ଆମନ୍ତ୍ରିତ ବଡ଼ ମଣିଷଙ୍କୁ ଦେଖିଲେ ଯେପରି ଏହି ଭାବଟା ଅଧିକ ପ୍ରକାଶ ପାଉଥିଲା । ମୋ’ ଭିତରେ କିଏ ଭାରି ନିରାଶ ହୋଇ ପଡ଼ୁଥିଲା ।

 

୧୮ । ୧୧ । ୬୧

 

ଆଜି ସକାଳୁ ଉଠିଲାବେଳେ ଭିତରଟା ଭାରି ଖାଲିଖାଲି ଲାଗୁଥିଲା ହଠାତ୍ ମନେହେଉଥିଲା ଯେପରି ମୋର ସଙ୍ଗେ ସଙ୍ଗେ ରହିଥିବା ମୋ’ର ସଙ୍ଗୀ ହଠାତ୍ ମୋ’ର ସାଙ୍ଗ ଛାଡ଼ି ଚାଲିଯାଇଚି, ହଠାତ୍ ଆପଣାର ସକଳ ସାଙ୍ଗରେ ସମସ୍ତ ସୂତ୍ର ଛାଡ଼ି ଯିବାପରି ମନେହେଲା । ସଂସାରର ସମ୍ପର୍କରେ କୌଣସି ସୂତ୍ର ଛିଡ଼ିଗଲେ ହଠାତ୍ ଯେପରି ମୋ’ ଭିତରେ ଥିବା ସଙ୍ଗଲୋଭୀ ମନ କାତର ହୋଇଉଠେ । କୌଣସି ଭୟାର୍ତ୍ତତାର ବଶବର୍ତ୍ତୀ ହୋଇ ନୁହେଁ, ଏକୁଟିଆ ସାଙ୍ଗଛଡ଼ା ହୋଇ ରହିବାକୁ ମୁଁ ମୋତେ ଜୀବନ ବୋଲି ଗ୍ରହଣ କରି ପାରେନାହିଁ ବୋଲି ମୋ’ର ଭିତରଟା ଏତେଦୂର ଅତୃପ୍ତ ହୋଇଉଠେ । କୌଣସି ପ୍ରକାରର ନୀତି ଓ କୌଣସି ପ୍ରକାରର ହାନିଲାଭର ପଥର ଉପରେ ମୋ’ର କୌଣସି ବନ୍ଧୁତାର ଅଧାରଟି ଆସି ଛେଚି ହୋଇଗଲେ ତାହାରି ପରିଣାମ ସ୍ଵରୂପ ମୁଁ ନିଜେ ହିଁ ତାହାର ଆଘାତକୁ ଆପଣାର ଅନ୍ତରା ଭିତରେ ଅନୁଭବ କରିଥାଏ । କୌଣସି ପ୍ରକାର କାରଣ ଦେଖାଇ ମଧ୍ୟ ମୁଁ କୌଣସି ମଣିଷଠାରୁ ଦୂରଛଡ଼ା ହୋଇଯିବାକୁ ଚାହେ ନାହିଁ କ୍ଷଣିକ ଉତ୍ତେଜନାରେ । ଯେତେ ଉତ୍ତପ୍ତ ହୋଇପଡ଼ିଲେ ମଧ୍ୟ ଏସବୁଥିରୁ ମୁଁ ପ୍ରକୃତରେ କୌଣସି ଆନନ୍ଦ ପାଇ ପାରେନାହିଁ । ମୋ’ର ଆଗ୍ରହ ସମସ୍ୟାଗୁଡ଼ିକର ସମାଧାନ କରିବାରେ, ସମସ୍ୟାର ଆଳ ଦେଖାଇ ମଣିଷଠାରୁ ଦୂରଛଡ଼ା ହୋଇରହିବାରେ ନୁହେଁ । ମଣିଷ ଶ୍ରଦ୍ଧାର ସହିତ ପରସ୍ପରର ନିକଟବର୍ତ୍ତୀ ହୋଇ ରହିପାରିଲେ ସିଏ ଅପ୍ରମତ୍ତ ହୋଇ ଅନେକ ସମସ୍ୟାର ସମାଧାନ କରିପାରିବ, ମୋ’ର ଏହି ଦୃଢ଼ ବିଶ୍ଵାସ ସବୁବେଳେ ରହିଚି । ସେଥିପାଇଁ ମଣିଷର ସାଙ୍ଗ ଛାଡ଼ିଗଲେ ସମସ୍ୟାଗୁଡ଼ାକ ଉପରେ ମୋ’ର ଆଉ କୌଣସି ବଳ ନରହିଲା ପରି ମନେ ହୁଏ, ଆପଣାକୁ ବଡ଼ ଦୁସ୍ଥ ମନେହୁଏ ।

 

୧୯ । ୧୦ । ୬୧

 

ମୋ’ର ସବୁ ଜ୍ଞାନ ଓ ସମ୍ମାନ ଛାଡ଼ି ଆସିବାକୁ ମୁଁ ପ୍ରସ୍ତୁତ ଅଛି, ମୋ’ର କେବଳ ଏତେଟିକଏ ଭଲ ପାଇବା । ଦରକାର । ମଣିଷର ସାନ୍ନିଧ୍ୟକୁ ମୁଁ କେତେବେଳେ ହେଲେ ଛାଡ଼ିବାକୁ ଚାହେନାହିଁ । ସେଇଥିପାଇଁ ସଂସାରରେ ଅନେକ କ୍ଷେତ୍ରରେ ନାନା ଆଡ଼ମ୍ବରସଭାରେ ମୁଁ ଅତି ଦୁର୍ଗତ ଓ ବହିର୍ଗତ ଭାବରେ ବାହାରେ ବାହାରେ ରହିଯାଏ । କୋଉଠି ମଣିଷ କ୍ଷମତାର ନିଶାରେ ଉନ୍ନତ୍ତ ଓ ଅଭିଶପ୍ତ ହୋଇବସିଥାଏ, ତା’ର ସମସ୍ତ କ୍ଷମତାର ସମସ୍ତ ମୋହାଡ଼ମ୍ବର ଭିତରେ ମୁଁ ତା’ର ମଣିଷପଣିଆର ସାନ୍ନିଧ୍ୟ ଲାଭ କରିବାକୁ ଚାହେ । ତାହାହିଁ ପାଏନାହିଁ ବୋଲି ମୁଁ ମନେ ମନେ ବଡ଼ ଆହତ ହୋଇପଡ଼େ । କାହାର ଦୁଆରେ ଅସ୍ଵୀକୃତ ହେଲା ପରି ମୁଁ ଲେଉଟି ଆସେ । ସହଜ ମଣିଷର କୋଳାହଳ ନାନା ଆଳସ୍ୟ ବିଳାସ ଓ ଅତିରଞ୍ଜନର ମଝିରେ ରହିଥିଲେ ମଧ୍ୟ ମୁଁ ଆପଣାକୁ ବଡ଼ ଏକାକୀ ଓ ବଡ଼ ବହିଷ୍କୃତି ଅନୁଭବ କରେ । ଆଉ କୋଉଠି ମଣିଷ ଅତି ଦାରିଦ୍ର୍ୟ ଭିତରେ ସମ୍ପୂର୍ଣ୍ଣ ବଳହୀନ ଓ ହରଷହୀନ ଭାବରେ ପଡ଼ି ରହିଥାଏ । ଆପଣାର ପେଟ ଓ ଭୋକ ବ୍ୟତୀତ ସେ ଜୀବନର ଆଉକିଛି ଜାଣିବାର ସୁଯୋଗ ପାଏନାହିଁ । ଆପଣାର ଅଭାବ ଓ ଦୁର୍ଦ୍ଦଶାକୁ ସେ ଭଗବାନ ଏବଂ ଭାଗ୍ୟ ବୋଲି ପୂଜା କରିବାର ଅଳସ ମୁଗ୍‌ଧ ଚେଷ୍ଟା କରୁଥାଏ । ସଂସାର ଭିତରେ ସେ ଆଉ କୌଣସି ମୂଲ୍ୟ ଅଛି ବୋଲି କଳ୍ପନା ମଧ୍ୟ କରି ପାରେନାହିଁ । ସେଠାରେ ମୁଁ ପ୍ରବଶେ କରି ପାରେନାହିଁ । ଏହି ସ୍ତରକୁ ଜୀବନସ୍ତର ବୋଲି ମାନିନେଇ ଭୁଲି ରହିବାକୁ ମୋ’ର ମନ ରାଜୀ ହୋଇ ପାରେନାହିଁ । ସେଠାରେ ମଧ୍ୟ ମୁଁ ବଡ଼ ଦୟନୀୟ ଭାବେ ହାରିଯାଏ ।

 

୨୦ । ୧୦ । ୬୧

 

ବୁଦ୍ଧିର ବଳ ପାଏନାହିଁ, କିନ୍ତୁ ହଦୟ ଚିହ୍ନେ । ବୁଦ୍ଧି ନାନପ୍ରକାର ରକ୍ଷାଚରଣ ସୃଷ୍ଟି କରି ଆପଣାକୁ ଲୁଚାଇ ରଖିବାକୁ ଚାହେଁ, କିନ୍ତୁ ଅନନ୍ତ ବଳ ଓ ଅନନ୍ତ ବିଶ୍ଵାସର ସହିତ ବାହାରି ଆସିବାକୁ ଅହରହ ଚେଷ୍ଟା କରୁଥାଏ । ବୁଦ୍ଧି ଆପଣାର ଲାଜଗୁଡ଼ାକୁ ଡରିଡ଼ରି ମରୁଥାଏ, ହୃଦୟ ଆପଣାର ସମସ୍ତ ଲାଜ ସତ୍ତ୍ୱେ ତଥାପି ଶ୍ରଦ୍ଧା ଦ୍ଵାରା ପାଖକୁ ଆସିବାକୁ ଚେଷ୍ଟା କରେ, ଶ୍ରଦ୍ଧାଦ୍ଵାରା ହିଁ ଶୁଦ୍ଧ ହେବାକୁ ଚେଷ୍ଟା କରେ । ବୁଦ୍ଧି ଆପଣାର ଅପାରଗତା ଓ ଦୁର୍ବଳତା ଗୁଡ଼ାକୁ ଏକ ସୈଦ୍ଧାନ୍ତିକ ସଂଶୟର ବଡ଼ିମା ଦେଇ ନ ତାହାରି ଭିତରେ ଆପଣାକୁ ଜଡ଼ ଓ ନିଷ୍କ୍ରିୟ କରି ରଖିବାର ଫନ୍ଦ କରେ, ହୃଦୟ ଅତି ନିର୍ଭୟ ଶିଶୁଟି ପରି ଆପଣାର ସକାଳ ସଞ୍ଚୟକୁ ସମର୍ପଣ କରିଦେଇ କାହାର ଚରଣପରଶରେ ଧନ୍ୟ ହେବାର ସୁଯୋଗ ଖୋଜି ବୁଲୁଥାଏ । ବ୍ୟବଧାନଗୁଡ଼ାକୁ ବିଷୟରେ ଆଗ ସତର୍କ ହୋଇ ବୁଦ୍ଧି ଆପଣାକୁ ଅସଂଲଗ୍ନ ଏକୁଟିଆ କରି ରଖୁଥାଏ, ହୃଦୟ ଆପଣାର ଏକାତ୍ମତାର ସୂତ୍ରଗୁଡ଼ାକୁ ଯୋଡ଼ିଦେଇ ଅନେକ ଦୂରକୁ ନିକଟ ଓ ଆପାଣାର କରିନେବାକୁ ଚେଷ୍ଟା କରେ । ହୃଦୟ ଦେଇ ଦେଖିପାରିଲେ ହିଁ ସକାଳର ଏହି ଆଲୋକବୋଇତକୁ ଅନାଉ ନୂତନ ଏକ ପ୍ରେରଣାମୟ ରାଜ୍ୟରେ ଆସି ପହଞ୍ଚିଲା ପରି ମନେହୁଏ । ସକାଳେ ଉଠି ନୂଆ ପ୍ରାଣସମୁଦ୍ରର ତରଙ୍ଗସ୍ପର୍ଶ କଲାପରି ଲାଗେ । ମୋ’ର ଜ୍ଞାନ ମୋ’ର ବୁଦ୍ଧି ଦ୍ଵାରା ବିକ୍ଷପ୍ତି ନହୋଇ ମୋ’ର ହୃଦୟର ସଙ୍ଗୀ ଓ ସାଧନ ହୋଇ ରହୁ ।

 

୨୧ । ୧୧ । ୬୧

 

ବାହାରର ଏହି ଆଡ଼ମ୍ବରରୁ ମନ ଯେତିକି ଯେତିକି ବିତୃଷ୍ଣ ହୋଇଯାଉଛି, ଭିତରେ ସକଳ ଜୀବନ ସହିତ ସେତିକି ସେତିକି ଆତ୍ମୀୟତା ବଢ଼ିବାରେ ଲାଗିଚି । ସବୁ ମଣିଷ ଭଲ ଲାଗୁଚନ୍ତି । ଏହି ଆକାଶ, ଏହି ଆଲୁଅ ଓ ଏହି ପବନ ଭଲ ଲାଗୁଚି । ଆଡ଼ମ୍ବରକୁ ମୁଁ ଅବଶ୍ୟ ପାପ ବୋଲି କହିବାକୁ ଯାଉନାହିଁ । ଆଡ଼ମ୍ବର ଭିତରେ ରହିଲେ ଯେ ମଣିଷର ସାର୍ଥକତା ନଷ୍ଟ ହୋଇଯାଏ, ମୁଁ ସେକଥା ମଧ୍ୟ କହିବାକୁ ଯାଉନାହିଁ । କିନ୍ତୁ ସାମଗ୍ରୀର ଆଡ଼ମ୍ବରକୁ ଯିଏ ଆପଣା ଜୀବନର ସର୍ବସ୍ଵ ସମ୍ବଳ ଓ ସଞ୍ଚୟ କରି ରଖେ, ଅପରଠାରୁ ଆପଣାକୁ କେବଳ ଏହି ସାମଗ୍ରୀର କୁଢ଼ ଦୃଷ୍ଟିରୁ ବଡ଼ ବୋଲି ଅନୁଭବ ନକରି ସାନ୍ତ୍ଵନା ପାଇବାକୁ ଚେଷ୍ଟା କରୁଥାଏ, ସମଗ୍ର ସାମଗ୍ରୀ ସତ୍ତ୍ୱେ ତାହାର ଜୀବନକୁ ମୁଁ ପ୍ରକୃତିରେ ବଡ଼ ଦରିଦ୍ର ବୋଲି ହିଁ କହିବି । ବିଶେଷତଃ ଏ ସଂସାରରେ ଯେତେବେଳେ ଅନେକ ମଣିଷ କାଙ୍ଗାଳ ହୋଇ ରହିଚନ୍ତି, ଆପଣା ପଶୁଜୀବନର ଆବଶ୍ୟକତା ଗୁଡ଼ାକୁ ମଧ୍ୟ ସଂପୂର୍ଣ୍ଣ କରିବା ଲାଗି ଯେତେବେଳେ ସଂସାରରେ ଅଧିକାଂଶ ମଣିଷଙ୍କ ପାଖରେ ସମ୍ବଳ ନାହିଁ, ସେତେବେଳେ ଅଧିକରୁ ଅଧିକ ସାମଗ୍ରୀ ଜମା କରି ରଖିବାର ପ୍ରବୃତ୍ତିକୁ ମୁଁ କେବଳ ଏକ ହୀନତାର ପାଶବିକତା ବୋଲି କହିବି । ସ୍ଵାଧୀନତା ପରେ ଏହି ପ୍ରବୃତ୍ତିଟା ଏ ଦେଶରେ ଅତିରିକ୍ତ ଭାବରେ ବଢ଼ିବାରେ ଲାଗିଚି । ସଭ୍ୟତା ଓ ସୁଖୀ ଜୀବନର ଦ୍ଵାହି ଦେଇ ଏହା ବଢ଼ିବାରେ ଲାଗିଚି । କାଙ୍ଗାଳ ଦେଶରେ ଆପଣାର ସ୍ତୁପୀକୃତ ସାମଗ୍ରୀଗୁଡ଼ାକୁ ହିଁ ଜୀବନର ପରମ ଧନ ବୋଲି ଦେଖାଇବାର ପ୍ରବୃତ୍ତି ବଢ଼ିବାରେ ଲାଗିଚି । ତାହାରି ଫଳରେ ସମାଜ ଭାଙ୍ଗିଯାଉଚି । ସାମାଜିକତା ନଷ୍ଟହୋଇ ଯାଉଚି, ପ୍ରଗତି ନାମରେ ପରସ୍ଵ-ଅପହରଣକୁ ପ୍ରଶ୍ରୟ ଦିଆଯାଉଚି । ଭୋଗ କରିବାର ଦ୍ଵାହି ଦେଇ ବ୍ୟାଘ୍ରବୃତ୍ତିର ବଡ଼ତି ହେବାରେ ଲାଗିଚି । ମଣିଷ ତା’ର ସାମାଜିକ ଭୂମିରୁ ଆପଣାକୁ ବିଚ୍ୟୁତ କରି ନେଇଗଲେ ଯେଉଁ ଦୁର୍ଦ୍ଦଶା ହୋଇଥାଏ, ଆମର ସେହି ଦୁର୍ଦ୍ଦଶା ହିଁ ହୋଇଚି । ସାମାଜିକତା ବିନା ଆମର ମାନବିକତା ମଧ୍ୟ ମରିମରି ଯାଉଚି ।

 

୨୨ । ୧୧ । ୬୧

 

ଏ ଦରିଦ୍ର ଦେଶରେ ମୁଁ ବଡ଼ଲୋକ ବୋଲି ଦେଖାଇ ହେବାକୁ ଚାହେନାହିଁ । ସର୍ବହରାଙ୍କର ପ୍ରତିବେଶୀ ହୋଇ ରହି ମୁଁ ମୋ’ ପାଖରେ ସବୁ ଜମା କରି ରଖିବାକୁ ଚାହେନାହିଁ । ଏହି ଜମା କରି ରଖିବାର ସନ୍ତ୍ରସ୍ତ ପ୍ରବୃତ୍ତିରୁ ହିଁ ଆମ ସଂସାରରେ ଅନେକ ପ୍ରମାଦର ଆରମ୍ଭ ହୋଇଚି । ଏହି ପ୍ରବୃତ୍ତିକୁ କାଳକ୍ରମେ ଚତୁର ସଞ୍ଚୟଲୋଭୀ ମଣିଷ ନାନା ପ୍ରକାର ସାଂସ୍କୃତିକ ପୁଟ ଦେଇ ସ୍ଵାଭାବିକ ଓ ସାମାଜିକ କରି ଦେଖାଇବାକୁ ଚେଷ୍ଟା କରିଚି । କିନ୍ତୁ ମୁଁ ତଥାପି କହିବି, ଯେ ଏହି ପ୍ରବୃତ୍ତିରେ କେବଳ ଅସ୍ଵାଭାବିକତା ଓ ଅସାଂସ୍କୃତିକତା ଭର୍ତ୍ତି ହୋଇରହିଚି, ସଞ୍ଚୟ ପରିବାର ଦୁଷ୍ପ୍ରବୃତ୍ତି ମଣିଷକୁ ମଣିଷଠାରୁ ଦୂରଛଡ଼ା କରି ନେଇଯାଉଚି । ମଣିଷକୁ ଆପଣାର ଗୌରବ ବିଷୟରେ ଅନେକ ଭ୍ରମ ଭିତରେ ପକାଇ ଦେଇଚି । ମଣିଷକୁ ବାହ୍ୟସଞ୍ଚୟର ସର୍ବଗ୍ରାସୀ ଉତ୍ତେଜନାରେ ଭିତରେ କୌଣସି ଧନ ସଞ୍ଚୟ କରିବାର ଆବଶ୍ୟକତା ଅବହେଳିତ ହୋଇରହିଚି । ଏହି ସଞ୍ଚୟଲାଳସାର ବଶବର୍ତ୍ତୀ ହୋଇ ମଣିଷ ଅପର ମଣିଷକୁ ଗୋଡ଼ିମାଟି ପରି ହତାଦର କରିବାରେ କୌଣସି ପ୍ରକାର ଲଜ୍ଜା ଅନୁଭବ କରିନାହିଁ । ମୁଁ ପ୍ରତ୍ୟେକ ମଣିଷକୁ ମୋ’ ଆପଣା ଜୀବନରେ ମଣିଷ ପରି ସ୍ଵୀକାର କରି ରଖିବାକୁ ଚାହେଁ । ସକଳ ସ୍ଵୀକାର ଅପେକ୍ଷା ଏହି ସ୍ଵୀକାରକୁ ମୁଁ ଜୀବନର ସର୍ବଶ୍ରେଷ୍ଠ ସ୍ଵୀକାର ହିସାବରେ ଗ୍ରହଣ କରିବାକୁ ଚାହେଁ । ସେଇଥିପାଇଁ ମୁଁ କହିବି, ସଂସାରର ହାଟରେ ମୁଁ ସାମଗ୍ରୀର ସଉଦା କରିବାକୁ ଚାହେଁନାହିଁ । ମୋ’ର ସାମଗ୍ରୀରେ ଲୋଡ଼ା ନାହିଁ । ଜୀବନର ହାଟରେ ମୋ’ର ମଣିଷର ଲୋଡ଼ା ଅଛି, ଜୀବନର ଲୋଡ଼ା ଅଛି ।

 

୨୩ । ୧୧ । ୬୧

 

ବେଳେବେଳେ ପଛ ଭାରି ଟାଣେ । ପଛକୁ ଆବୋରି ପଡ଼ି ରହିବାକୁ ଇଚ୍ଛା ହୁଏ । ପଛରେ ଯାହା ଥିଲା, ତାହାରି ସ୍ମୃତିରେ ହଠାତ୍ ମୁଁ ଗୋଟାଏ ପ୍ରକାର ଅସ୍ଥିରତା ଅନୁଭବ କରିଥାଏ-। ମୋ’ର ଭିତରଟା ହଠାତ୍ ଗୋଟାଏ ପ୍ରକାର ଦୁଃଖରେ ଦୁର୍ବଳରେ ଓ କୋମଳ ହୋଇଉଠେ, ବର୍ତ୍ତମାନର କ୍ଷେତ୍ରରୁ ଉଦାସୀନ ମନ ଛାଡ଼ି ଛାଡ଼ି ଯାଏ । କିନ୍ତୁ ଏଥିରେ ମୋ’ର ଆପଣା ଉପରେ କୌଣସି ପ୍ରକାରର ବିରକ୍ତ ଆସେନାହିଁ, ହରାଇ ବସିଥିବାର ଉତ୍ତେଜନାରେ ମୁଁ ସଂସାରର ଆଉ ଅନ୍ୟମାନଙ୍କ ପ୍ରତି କୌଣସି ପ୍ରକାରର ବିଦ୍ଵେଷ ଅନୁଭବ କରେନାହିଁ । ମୋ’ର ଦୁଃଖବେଳେ ମୁଁ ଅତି ଏକାନ୍ତ ଶିଶୁଟି ପରି ଆକାଶରୁ ଅନୁଭବ କରେ, ଆପଣାର ଶୂନ୍ୟସମ୍ବଳ ଦେହ ଉପରେ ପବନକୁ ଧୀରେ ଧୀରେ ଅନୁଭବ କରେ । ନୀରବ ହୋଇ ଆତ୍ମପ୍ରକାଶ କରୁଥିବା ଫୁଲଟି ଆଡ଼କୁ ଅନାଇ ରହେ, ମୋ’ର ଦୁଃଖ ମୋ’ର ଭିତରକୁ ଧୀରେ ଧୀରେ ବାଟ ଫିଟାଇଦିଏ, ବାହାରେ ହରାଇଥିବା ଧାନକୁ ମୁଁ ମୋ’ରି ଭିତରେ ଫେରିପାଏ । ସ୍ଵୀକୃତି ଜଣାଇ ମୋ’ର ଆଖିରୁ ଲୁହ ଗଡ଼ିଆସେ, ସ୍ପର୍ଶ ପାଇ ମୋ’ର ସର୍ବାଙ୍ଗ ରୋମାଞ୍ଚିତ ହୋଇଉଠେ, ମୋ’ର ସଂସାରରେ ମୁଁ ସକଳ ଉତ୍ତରାଧିକାରର ଖିଅ ପାଇଯାଏ । ମୋ’ର ଦୁଃଖ ମୋ’ର ଜୀବନର ପୂରକ ଭାବରେ କାର୍ଯ୍ୟ କରେ, ମୋ’ର ଦୁଃଖ ମୋ’ର ଜୀବନକୁ ଅଧିକ ପରିପୂର୍ଣ୍ଣ କରେ । କୌଣସି ବୁଦ୍ଧିବାଦୀ ସମାଜଶାସ୍ତ୍ରୀ ଜୀବନର ଏହି ଅଭିନବ ରୀତିକୁ କଦାପି ବୁଝି ପାରିବନାହିଁ, ଆପଣାର ଆରୋହୀ ଦଉଡ଼ିଗୁଡ଼ାକୁ ପକାଇ ସେ କଦାପି ଏହି ଜୀବନସତ୍ୟର ଅସ୍ତିତ୍ଵକୁ ଧରି ପାରିବନାହିଁ । ତଥାପି ମୋ’ର ଜୀବନର ସତ୍ୟକୁ ମୁଁ କେବଳ ସତ୍ୟ ବୋଲି ହିଁ କହିବି । ବେଳେବେଳେ ପଛ ଭିତରେ ଗୁରାଇ ତୁରାଇ ହୋଇ ରହିବାରେ ମୁଁ କୌଣସି ଲଜ୍ଜା ଅନୁଭବ କରେନାହିଁ । ମୋ’ର ଦୁଃଖକୁ, ମୋ’ର ପଛକୁ ମୁଁ ମୋ’ ଜୀବନର ପୂରକ ବୋଲି ହିଁ ଗ୍ରହଣ କରେ, ଆପଣାର କରି ଗ୍ରହଣ କରେ ।

 

୨୪ । ୧୧ । ୬୧

 

ଅନେକ ସମୟରେ ମୁଁ ଆପଣାକୁ ବଡ଼ ବିଚଳିତ ମନେ କରୁଚି । ଅନେକ ସମୟରେ ଜୀବନପାତ୍ର ଚହଲି ଗଲାପରି ଅଶାନ୍ତ ମନେ ହେଉଚି । ଅନନୁକୂଳ ବାତାଚରଣ ଭିତରେ ପଶି ହଠାତ୍ ଆପଣାକୁ ଅଣନିଃଶ୍ଵାସୀ ହୋଇ ଗଲାପରି ମନେ ହେଉଚି । ମୋ’ର ଚାରିପାଖରେ ଯେଉଁ ବୃଦ୍ଧମାନେ କେବଳ କ୍ଷମତାଧୀଶ ହୋଇ ବସିଚନ୍ତି, ମଣିଷ ଦୃଷ୍ଟିରୁ ଯେଉଁମାନେ ମରି ସାରିଲେଣି, ସେମାନଙ୍କର ସମ୍ମୁଖରେ ମୋ’ର ହୃଦୟର ସମସ୍ତ ପ୍ରତିବାଦ ଘୋଷଣା କରିବା ଲାଗି ମୁଁ ଏକପ୍ରକାର ଅସହ୍ୟତ ଅନୁଭବ କରୁଚି । ଏମାନେ ମଣିଷ ଚିହ୍ନନ୍ତି ନାହିଁ, ମଣିଷକୁ ଏମାନେ ମୂଳତଃ ଭଲ ପାଆନ୍ତି ନାହିଁ । ଏମାନେ ଆପଣା ଭିତରେ ମଧ୍ୟ କେବେହେଲେ ମଣିଷର ପରିଚୟ ପାଇନାହାନ୍ତି । ଆପଣାକୁ ଜୀବନରେ କଦାପି କୌଣସି ପ୍ରକାରର ସ୍ଵତନ୍ତ୍ରତା ଅନୁଭବ କରିନାହାନ୍ତି-। ଆପଣାକୁ ଏମାନେ ସଂସାରରେ ଅଧିକ ସ୍ଵୀକାର ପାଇବାଲାଗି ଚିରଦିନ ଗୋଡ଼ିମାଟି ପରି ବ୍ୟବହାର କରି ଆସିଚନ୍ତି, ତେଣୁ ଅନ୍ୟ ସମସ୍ତଙ୍କୁ ମଧ୍ୟ ଏମାନେ ପ୍ରଧାନତଃ ଗୋଡ଼ିମାଟି ପରି ହିଁ ଦେଖୁଚନ୍ତି, କ୍ଷମତା ଲାଗି, ଅଧିକ ପଇସା ଉପାର୍ଜନ କରିବା ଲାଗି ଅଧିକ ଉଚ୍ଚ ଆସନରେ ବସି ଅଧିକ ବଡ଼ ଦିଶିବା ଲାଗି ଏମାନେ ଆପଣାର ଜୀବନାଭିଳାଷରୁ କେବଳ ଏକ ସାଧନ ବୋଲି ବ୍ୟବହାର କରିଚନ୍ତି, ଆପଣାକୁ ଅତି କ୍ଷୁଦ୍ର କରି ପଳାଇଚନ୍ତି । ତେଣୁ ଅପରକୁ କେବଳ କ୍ଷୁଦ୍ର କ୍ଷୁଦ୍ର କରି ଏମାନେ ନିଜର ବଡ଼ପଣିଆ ଜାରି ରଖିବାକୁ ଚାହୁଚନ୍ତି ।

 

୨୫ । ୧୧ । ୬୧

 

ଭିତରେ ଅନେକ ଭାବନା ଏକ ସହଜ ପ୍ରସନ୍ନତାର ଆଚ୍ଛାଦନ ତଳେ ପ୍ରଚ୍ଛନ୍ନ ହୋଇରହିଚି । କିନ୍ତୁ ତଥାପି ଏଠି ଲେଖିବସିଲା ବେଳେ ହଠାତ୍ କ’ଣ ଲେଖିବି ତାହା ମନେ ହେଉନାହିଁ । ମୁଁ ଭଲକରି ଜାଣେ, ଅଙ୍ଗେ ନିଭାଇଥିବା ଜୀବନର ନାନା ଅବଶତା ମୋତେ ଆଦୌ ଅବଶ କରି ଦେଇନାହିଁ, ସଂସାରର ସବୁ ଜୀବନ କ୍ଷେତ୍ରକୁ ବୁଦ୍ଧିର ଦୌରାତ୍ମ୍ୟ ଦ୍ଵାରା ଆତ୍ମାହୀନ କରି ଦେଖିବାର କୌଣସି ଆଗ୍ରହ ମୋଟ ଏପର୍ଯ୍ୟନ୍ତ ହୋଇନାହିଁ । ସଂସାରରେ ମୋ’ର ଚାରିପାଖରେ ମୁଁ ଅନେକ ପ୍ରକାରର ନିରାଶାଦାୟକ ବାସ୍ତବତା ଦେଖୁଥିଲେ ଓ ନିରାଶାଦାୟକ କଥା ଶୁଣୁଥିଲେ ମଧ୍ୟ ତଥାପି ଜୀବନରେ ମୁଁ ନିରାଶାକୁ ହିଁ ପ୍ରଧାନ ପ୍ରେରକଧର୍ମ ବୋଲି କଦାପି ଗ୍ରହଣ କରି ନେଇନାହିଁ । ଏହାର ପ୍ରଧାନ କାରଣ ହେଉଚି, ମୁଁ ବାହାରର ବସ୍ତୁସ୍ଥିତି ଅପେକ୍ଷା ଆପଣା ଉପରେ ହିଁ ଅଧିକ ବିଶ୍ଵାସ ରଖିଚି, ମୋ’ର ଆପଣା ଭିତରେ ମୁଁ ସକଳ ସଂସାରର ଓ ସକଳ ଜୀବନର ଗତିକୁ ଅନୁଭବ କରିପାରିଚି । ଅପର ସମସ୍ତଙ୍କୁ ନିନ୍ଦା ଅପବାଦ ଦେଇ ଆପଣାର ନିଷ୍କ୍ରିୟତାକୁ ଏକ ନିରାପଦ କବଚ କରି ବାନ୍ଧି ରଖିବାର ଅପଧର୍ମ ମୁଁ ଏପର୍ଯ୍ୟନ୍ତ ଆୟତ୍ତ କରି ପାରିନାହିଁ । ସେଥିଲାଗି କୌଣସି କ୍ଷେତ୍ରରେ ଆପଣାକୁ କୌଣସି ପ୍ରକାରେ ହରାଇ ନଦେଇ ତଥାପି ସବୁ କ୍ଷେତ୍ରରେ ଆପଣାକୁ ସଚେତ ଓ ପ୍ରକ୍ରିୟା କରି ରଖିଚି । କୌଣସି ସ୍ରୋତମୁଖରେ ଆପଣାକୁ ଭସାଇ ନଦେଇ ମୁଁ ସବୁ ସ୍ରୋତର ଗତିକୁ ଆପଣା ଭିତରେ ନିରୀକ୍ଷଣ ଓ ଅନୁଭବ କରିବାର ପ୍ରୟାସ କରି ଆସିଚି । ଏହାରି ଫଳରେ ମୁଁ କେବେହେଲେ କାହାରି ପ୍ରତି କୌଣସି ଅଶ୍ରଦ୍ଧା ପ୍ରକଟ କରିବାକୁ କୌଣସି ପ୍ରକାରେ ଉତ୍ସାହିତ ହୋଇନାହିଁ । ହଁ, ଅସମ୍ମତି ଅବଶ୍ୟ ପ୍ରକାଶ କରିଚି, ମୋ’ର ମାର୍ଗ ଓ ମୋର ମତ ବିଷୟରେ ମୁଁ ସବୁଠାରେ ଆପଣାର କହିବା କଥାକୁ ନିର୍ଭୟ ହୋଇ କହିପାରିଚି, ତଥାପି ମୁଁ ହୀନ ବୋଲି କାହାକୁ ଛାଡ଼ି ଆସିନାହିଁ, ଅପାତ୍ର ବୋଲି କାହାରିକୁ ଫୋପାଡ଼ି ଦେଇନାହିଁ ଘୃଣା କରି ନାହିଁ ।

 

୨୬ । ୧୧ । ୬୧

 

ଜୀବନରେ ମୁଁ ଅନେକ ଗୁରୁ କରିଚି । ଅର୍ଥାତ୍, ଅନେକ ପ୍ରତିଭାର ସମ୍ପର୍କରେ ଆସି ହୃଦୟର ସମ୍ପୂର୍ଣ୍ଣ ସ୍ଵୀକର ସହିତ ଏକ ସ୍ଵାଭାବିକ ସହଜ ଶିଷ୍ୟତ୍ଵରେ ସେହିମାନଙ୍କର ଚରଣତଳେ ମୋ’ର ମସ୍ତକ ନତ ହୋଇଯାଇଚି । କିନ୍ତୁ ତଥାପି କୌଣସି ଗୁରୁକୁ ମୁଁ ଠାକୁର କରି କାନ୍ଧରେ ବସାଇ ସଂସାରର ବଜାରରେ କୀର୍ତ୍ତନ କରି ବାହାରିନାହିଁ, ନାନାପ୍ରକାର ଆକର୍ଷଣ ମୋହକ କଥା କହି ଅନ୍ୟ ସମସ୍ତଙ୍କର ସ୍ଵୀକୃତି ଆଦାୟ କରିବାକୁ ଯାଇନାହିଁ, ଆପଣା ଗୁରୁ ପାଖରେ ଅନ୍ୟ କୌଣସି ଗୁରୁକୁ ଗୌଣ କରି ଦେଖାଇବାରେ ମୁଁ କଦାପି ମନ ବଳାଇନାହିଁ । ଆଧୁନିକ ଭାରତର ତିନୋଟି ଗୁରୁତୀର୍ଥ, ସେବାଗ୍ରାମ, ଶାନ୍ତି ନିକେତନ ଓ ପଣ୍ଡିଚେରୀକୁ ମୁଁ ଯାଇଚି, ମୋ’ର ଭକ୍ତିଧର୍ମୀ ମନ ସବୁଠାରେ ଶିକ୍ଷ୍ୟତ୍ଵ ସ୍ଵୀକାର କରିଆସିଚି, ଆପଣା ଜୀବନର ଆଧାର ଗଢ଼ିବାରେ ସବୁଠାରେ ଶିଷ୍ୟତ୍ଵ ସ୍ଵୀକାର କରିଆସିଚି, ଆପଣ ଜୀବନର ଆଧାର ଗଢ଼ିବାରେ ମୁଁ ତିନୋଟିଯାକ ତୀର୍ଥକୁ ପ୍ରେରଣା ପାଇଚି କିନ୍ତୁ କୌଣସିଟିକୁ କଦାପି final ବୋଲି ମାନିବାର ଦୁଃସାହାସ ମୁଁ ଦେଖାଇନାହିଁ । ଆପଣାର ବିଚାର ଓ ଜୀବନ ଦୃଷ୍ଟିରେ ଏପରି ଏକ ଦୁଃସାହସ ଆଣି ଦେବାପାଇଁ ଭକ୍ତି ସହିତ ମୋହ ସମ୍ଭବ ହୋଇନାହିଁ । ସେ ମୋହ ଅର୍ଜନ କରିବା ଲାଗି ମଧ୍ୟ ମୁଁ କାଦପି କୌଣସି ଲାଳସା ଅନୁଭବ କରିନାହିଁ । କାରଣ, ଏହି ସଂସାରରେ ମୁଁ କୌଣସି ଯୁଦ୍ଧ ଜିତିବାକୁ ଆସିନାହିଁ, ଜଣକୁ ହଟାଇ ଆଉ ଜଣକୁ କାନ୍ଧରେ ବସାଇବାକୁ ଆସିନାହିଁ –ମୁଁ ଦେଖିବାକୁ ଆସିଚି, ମୁଁ ଅନୁଭବ କରିବାକୁ ଆସିଚି, ମୋ’ର ଅନୁଭୂତିର ପରମ ସମ୍ପଦରେ ମୁଁ ଧନ୍ୟ ହେବାକୁ ଆସିଚି । ମୁଁ ସ୍ଵୀକାର କରିବାକୁ ଆସିଚି ।

 

୨୭ । ୧୧ । ୬୧

 

ମୋ’ର ଜୀବନରେ ଶ୍ରଦ୍ଧା ବଢ଼ିଚି, ମୋହ କମିଚି । ମଣିଷ ପ୍ରତି ଓ ଜୀବନ ପ୍ରତି ଯେତିକି ଯେତିକି ଶ୍ରଦ୍ଧା ବଢ଼ି ବଢ଼ି ଯାଇଚି, ଆପଣାର ସମ୍ପର୍କ ପଥରେ ଅସହିଷ୍ଣୁତା ସେତିକି କମିବାରେ ଲାଗିଚି । ଆପଣାର ଜୀବନ ଦୃଷ୍ଟିରେ ସମସ୍ତଙ୍କୁ ସ୍ଵୀକାର କରିନେବା ସଙ୍ଗେ ସଙ୍ଗେ ମୋ’ର ପଥ ଆପଣା ଲାଗି ଅଧିକ ସ୍ପଷ୍ଟ ଓ ନିର୍ଦ୍ଦିଷ୍ଟ ହୋଇଯାଇଚି । ମୋ’ର ସ୍ଵଧର୍ମନିର୍ବାଚିତ ପଥରେ ମୋ’ର ଆପଣାର ବାଟ ଚାଲିବା ସଙ୍ଗେ ସଙ୍ଗେ ମଣିଷ ମାତ୍ରକେ ସବୁରି ପଥ ଓ ଦୃଷ୍ଟିକୋଣରୁ ସ୍ଵୀକାର କରିନେବାରେ ମୁଁ କୌଣସି ଅସଙ୍ଗତି ବା ଅସ୍ଵାଭାବିକତା ଅନୁଭବ କରିପାରିନାହିଁ । ବର୍ତ୍ତମାନ ବେଶ୍ ମନେ ପଡ଼ୁଚି, ମୁଁ ମଧ୍ୟ ଦିନେ ଗୋଟିଏ ଧକ୍‌କାରେ ବା ଉତ୍ତେଜନାରେ ସମସ୍ତ ପୃଥିବୀକୁ କେବଳ ଗୋଟାଏ ଆଚାର ସୁତ୍ରକୁ ସମସ୍ତଙ୍କର ଜୀବନଚାର ବୋଲି ଘୋଷଣା କରାଇବାରେ ଭାରି ଉତ୍ସାହ ଓ ଭାରି ଅନୁରକ୍ତ ଥିଲି । ସେହି ଉତ୍ସାହ ଓ ସେହି ଅନୁରକ୍ତିକୁ ମୁଁ ଆଜି କଦାପି କରିବିନାହିଁ । ତଥାପି ସେହି ଜୀବନର ବାଟରେ ଆଉ କେତେଟା ପାହୁଣ୍ଡ ଆଗକୁ ଆସି ମୁଁ ଜାଣିଚୁ, ସେତେବେଳେ ସମ୍ଭବତଃ ମୋହ ହିଁ ପ୍ରଧାନନ ଥିଲା; ଶ୍ରଦ୍ଧାର ଶ୍ରୀଗଣେଶ ହୋଇ ନଥିଲା । ମନେ ହେଉଚି, ଶ୍ରଦ୍ଧାର ଅନୁଶୀଳନ ହେବା ପୂର୍ବରୁ ମୋହରେ ହିଁ ଜୀବନାନୁଭୂତିର ଉନ୍ମେଷ ହୋଇଥାଏ । ମୋହ ପାର ହୋଇଯିବା ପରେ ଶ୍ରଦ୍ଧାର ଉତ୍‌କ୍ରାନ୍ତ ଦର୍ଶନ ମିଳେ । ଯାବୁଡ଼ି ଧରିବା ଅପେକ୍ଷା ଆପଣାକୁ ସମର୍ପ ଦେବାରେ ହିଁ ଅଧିକ ଆନନ୍ଦ ମିଳେ । ମାୟା ପାର ହୋଇ ସତ୍ୟର ପରିଚୟ ସମ୍ଭବ ହୁଏ ।

 

୨୮ । ୧୧ । ୬୧

 

ଜୀବନରେ କେତେ ବନ୍ଧୁ ଆସନ୍ତି, ପୁଣି କେତେ ବନ୍ଧୁ ଯାଅନ୍ତି । କେତେ ସମ୍ପର୍କ ବାନ୍ଧି ହୋଇଯାଏ, ପୁଣି କେତେ ସମ୍ପର୍କ ଛିଡ଼େ । କିନ୍ତୁ ସମସ୍ତ ଆଗମନ ଓ ଗମନ ସତ୍ତ୍ୱେ ବନ୍ଧୁ ବାନ୍ଧିବାର ଅଭିଳାଷ ସ୍ଥାୟୀ ହୋଇ ରହିଯାଏ । ଅଧିକରୁ ଅଧିକ ବନ୍ଧୁ ବାନ୍ଧିବା ସଙ୍ଗେ ସଙ୍ଗେ ଆହୁରି ବନ୍ଧୁ କରିବାର ଅଭିଳାଷ ବଢ଼ିବାରେ ଲାଗିଥାଏ, ହିଁ, ଗୋଟାଏ ଗୋଟାଏ ଥାନରେ ହୃଦୟ ଅଟକିଯାଏ, ଶ୍ରଦ୍ଧାର ନବୀ ଆପଣା ଲାଗି ଗୋଟାଏ ଆଶ୍ରୟ ପାଇଗଲା ପରି ଅନୁଭବ କରେ । ଅନ୍ତର ଭିତରେ ରହିଥିବା ଶ୍ରଦ୍ଧାଶୀଳ ଭକ୍ତି ସେଇଠି ତା’ର ତୀର୍ଥସ୍ଥାନ ବାଢ଼ିନିଏ, ଆପଣାର ଧ୍ୟାନମାଳରେ ସେହି ମାଳିଟିକୁ ଏକ ବିଶେଷ ମାଳି ବୋଲି ଗ୍ରହଣ କରିନିଏ । ଗତ ବର୍ଷ ଏହିଦିନ ମୋ’ର ଜୀବନରେ ଠିକ୍ ଏହିପରି ଘଟିଚି । ଗତ ବରଷଟା ଯାକର କଥା ମନେ ପକାଇ ମୁଁ ଆପଣା ଉପରେ ଅପ୍ରସନ୍ନ ହେବାର କୌଣସି କାରଣ ଦେଖି ପାରୁନାହିଁ । କାରଣ, ଏଠି ଆଶ୍ରୟ ପାଇ ମୁଁ ତଥାପି ଅଟକି ଯାଇନାହିଁ, ଏଇଠି ତୀର୍ଥଟିଏ ତୋଳି ମୁଁ ତଥାପି ଯାତ୍ରା ବନ୍ଦ କରି ଦେଇନାହିଁ । ମୋ’ର ସମର୍ପଣର ଆଉଏକ ଅବସର ପାଇଁ ମୁଁ ଆପଣାକୁ ଆହୁରି ମୋହମୁକ୍ତ କରିବାର ଉତ୍ସାହ ମଧ୍ୟ ପାଇଚି । ଗୋଟିଏ ସାଙ୍ଗ ଜରିଆରେ ଆହୁରି ଅନେକ ମଣିଷ, ଅନେକ ସ୍ଥାନ ଓ ଭାବନାକୁ ଆପଣାର ପ୍ରିୟ କରିନେଇ ପାରିଚି । ହାତରେ ଯାବୁଡ଼ି, ରଖିବାର ମୋହନଥିବା ପର୍ଯ୍ୟନ୍ତ ଆପଣା ଶ୍ରଦ୍ଧାରେ ଗୋଟାଏ ଗୋଟାଏ ସ୍ଥଳରେ ଏପରି ବେଢ଼ ବୁଲାଇ ଦେବାରେ କୌଣସି ପ୍ରମାଦ ନାହିଁ, ଜୀବନର ପ୍ରଧାନ ଭାବଗୁଡ଼ିକୁ ଉଷ୍ମ ଓ ମାନବିକ କରି ରଖିବାକୁ ଏହାର ଅତି ଆବଶ୍ୟକତା ମଧ୍ୟ ରହିଚି ।

 

୨୯ । ୧୧ । ୬୧

 

ମୋ’ର ବାସନାରେ ଏପର୍ଯ୍ୟନ୍ତ ଭରି ରହିଥିବା ସକଳ ମଳିଧୂଳି ମୋତେ ଆଘାତ ଦେଉ ବା ମୋତେ ବିଫଳ କରାଉ ପଛକେ, କିନ୍ତୁ ଏହାଦ୍ଵାରା ଯେପରି ଆଉ କେହି କୌଣସି ପ୍ରକାରେ ବିପର୍ଯ୍ୟସ୍ତ ନହେଉ, ଯେପରି ଆଉ କାହାର ଜୀବନରେ ତାହାର ଓ ବିକାଶରେ କୌଣସି ଆଘାତ ନବାଜୁ । ଏହି ମଳିଧୂଳି ଗୁଡ଼ାକ ସହିତ ମୋ’ର ବେଶ୍ ପରିଚୟ ରହିଚି । ଏଗୁଡ଼ାକୁ ମୋତେ ଅହରହ ନାନା ଅସନ୍ତୋଷରେ ଭରି ରଖିଚନ୍ତି । ଆବୋରି ରଖିଥିବା ଆବରଣ ଗୁଡ଼ାକୁ ଛାଡ଼ି ଦେଇ ଯିବାପାଇଁ ଯେଉଁ ବିଭାଗ ଦରକାର, ମୋ’ ଭିତରେ ସେହି ବିରାଗ ସୃଷ୍ଟି କରିଚନ୍ତି, ସେଗୁଡ଼ାକୁ ମୁଁ ମୋ’ର ଜୀବନରେ ସ୍ଵୀକାର କରି ନେଇଚି—ସବୁଦିନେ ମୋ’ ଭିତରେ ଘର କରି ରଖିବାର ମିତ୍ର ହିସାବରେ ନୁହେଁ, ମୋ’ର ଅପୂର୍ଣ୍ଣତା ବିଷୟରେ ମୋତେ ସୂଚାଇ ଦେଇ ଆହୁରି ନଗକୁ ଯିବାର ଓ ଆହୁରି ଶୁଦ୍ଧ ହେବାର ପ୍ରେରଣା ଦେଇଥିବା ଉପାଦାନ ହିସାବରେ ମୁଁ ଏଗୁଡ଼ାକୁ ସ୍ଵୀକାର କରିନେଇଚି, ତଥାପି, ଏଗୁଡ଼ାକୁ ନେଇ ମୁଁ ଆଉ କାହାକୁ କୌଣସି ପ୍ରକାରେ ବ୍ୟତିବ୍ୟସ୍ତ କରିବାକୁ ଚାହେନାହିଁ । ଆଉ କାହାରି ଘରେ କୌଣସି ପ୍ରକାରର କୋଳାହଳ ସୃଷ୍ଟି କରିବାକୁ ଚାହେନାହିଁ । ଆପଣାର ଜୀବନରେ ଆପଣାର ମଳିଧୂଳି ଗୁଡ଼ାକରେ ସମ୍ମୁଖୀନ ହେଲାବେଳେ ମୁଁ କୌଣସି ପ୍ରକାରର ତ୍ରାସ ବା ଗ୍ଳାନି ଅନୁଭବ କରେନାହିଁ । କିନ୍ତୁ ମୋ’ର ମଳିଧୂଳି ଯଦି ଆଉକାହାରି ଜୀବନରେ କୌଣସି ପ୍ରକାର ଆବରଣ ସୃଷ୍ଟି କରେ, କୌଣସି ପ୍ରକାରେ ଆଉ କାହାରି ଦୃଷ୍ଟିକୁ ଆଚ୍ଛନ୍ନ କରି ରଖିବାର ଷଡ଼ଯନ୍ତ୍ର କରେ, ଆଉ କାହାରିକୁ କୌଣସି ପ୍ରକାରେ ଅଟକାଇ ରଖିବାର ଫନ୍ଦ କରେ ମୁଁ ସେତିକିବେଳେ ଭାରି ଭୟ ପାଏ, ସେତିକିବେଳେ ଆପଣାକୁ ବଡ଼ ଅପାଂକ୍ତେୟ ବୋଲି ମନେହୁଏ । ଏପରି ପ୍ରମାଦ ଯେପରି ମୋ’ର କଦାପି ନହେଉ, ମୋ’ର ଶ୍ରଦ୍ଧାରେ ପଥ ଯେପରି କାଦାପି ବାରିତ ହୋଇ ନଯାଉ ।

 

୩୦ । ୧୧ । ୬୧

 

କ୍ଷମତା ଭିତରେ ଏମାନେ ପ୍ରକୃତରେ କେତେ ଛୋଟ ହୋଇ ବସିଚନ୍ତି ଅସଲ ସତକଥା କହିବାକୁ ଗଲେ, ଏମାନେ ଚିରଦିନ ହିଁ ଏହାର ଛୋଟ ଥିଲେ ଏବଂ, ଆପଣା ଏହି ଛୋଟ ହେବାର ଲାଜକୁ ଲୁଚାଇବାକୁ ଯାଇ ଏମାନେ କ୍ଷମତାର ଉପାୟକୁ ଆତ୍ମସାତ କରି ବସିଚନ୍ତି । ଗୋଟାଏ ଡିଗ୍ରୀ ହାସଲ କରି ଏମାନେ ମଣିଷପଣିଆର ନିମ୍ନତମ ଡିଗ୍ରୀକୁ ଖସି ପଡ଼ିଚନ୍ତି ମୂଳତଃ ଏମାନେ ମଣିଷକୁ ଭଲ ପାଆନ୍ତିନାହିଁ, ଜୀବନକୁ ଭଲ ପାଆନ୍ତି ନାହିଁ । ବିକାଶମାନ ଜୀବନ ପ୍ରତି ଏମାନଙ୍କର ଏକ ଅତି ଗଭୀର ଦ୍ଵେଷଭାବ ରହିଚି, ଏମାନେ କେବଳ ଆତ୍ମବୃଦ୍ଧିକୁ ହିଁ ଭଲ ପାଆନ୍ତି । ଆପଣାର କ୍ଷମତା ଦ୍ଵାରା ଏହି ସଂସାରରେ ସବୁଠାରେ ହାତ ବଜାଇ ଆସିବାକୁ ଇଚ୍ଛା କରନ୍ତି । ମୋ’ର ଅନୁଭୂତି କହୁଚି, ଅପର ପାଞ୍ଚଜଣଙ୍କ ସହିତ ଏକାଠି ବସି, ସେମାନଙ୍କ ସହିତ ବିଚାରବିନିମୟ କରାଇ ସମସ୍ତଙ୍କୁ ସାଙ୍ଗରେ ନେଇ କୌଣସି କାର୍ଯ୍ୟ କରିବାକୁ ଯେକୌଣସି ସୁସ୍ଥ ମଣିଷର ସ୍ଵଭାବତଃ ଲାଭ ଲାଗିବାର କଥା । ଅନ୍ୟମାନଙ୍କ ଠାରୁ କିଛି ଶିଖିବାକୁ ମଧ୍ୟ ସୁସ୍ଥ ଲୋକର ସ୍ଵଭାବତଃ ଆଗ୍ରହ ରହିବା କଥା । କିନ୍ତୁ କ୍ଷମତାର ବଡ଼ପଣରେ ଆପଣାର ବୋଲକୁ କରି ରଖିଥିବା-। ଏମାନେ ସେଥିରେ ବିଶ୍ଵାସ କରି ପାରନ୍ତିନାହିଁ । ଆପଣାର ବୋଲକୁ ମଣିଷ ଉପରେ ମଡ଼ାଇ ନେବାରେ ହିଁ ଏମାନେ ଆତ୍ମପ୍ରସନ୍ନତା ଅନୁଭବ କରନ୍ତି । ଆପଣାର ଜୀବନରେ କିଛି ଶିଖିବା ଲାଗି ଏମାନଙ୍କର କୌଣସି ମତଲବ ନଥାଏ । ଅପର ସମସ୍ତେ ଏହିମାନଙ୍କର କଥାଗଡ଼ାକୁ କେବଳ ହୁକୁମ ମନେ କରି ମାନିନେଲେ ହିଁ ଏମାନଙ୍କୁ ସବୁଠାରୁ ଅଧିକ ଭଲ ଲାଗେ । ଏହିମାନଙ୍କ ହାତରେ କୌଣସି ଶିକ୍ଷାନୁଷ୍ଠାନର ଦାୟିତ୍ଵ ରହିଥିଲେ ମଧ୍ୟ ଏମାନେ ଆପଣାର ଗ୍ରାସବୃତ୍ତିକୁ ଆଦୌ ଶିକ୍ଷିତ କରିପାରନ୍ତିନାହିଁ ।

 

୧ । ୧୨ । ୬୧

 

ଏ ଦେଶରେ ଲେଖକକୁ ପ୍ରକାଶକ ହାତରେ ଯେମିତି ଦଶା ଭୋଗିବାକୁ ପଡ଼େ, ଏଦେଶର ଶିକ୍ଷକକୁ ମଧ୍ୟ କର୍ତ୍ତାମାନଙ୍କ ହାତରୁ ସେହିପରି ଦଶା ଭୋଗିବାକୁ ପଡ଼େ । କର୍ତ୍ତା, ଅର୍ଥାତ୍‍ କର୍ତ୍ତୃତ୍ୱ ଚଳାଇବାର ଲୋକ । ଏହି କର୍ତ୍ତୃତ୍ଵ ବ୍ୟତୀତ ଯେପରି ସେମାନଙ୍କଠାରେ ଆଉ କିଛି ଉପକରଣ ବା ଉପାଦାନ ନଥାଏ ମଣିଷ ସହିତ ମଣିଷ ହୋଇ ରହିବାର ସମସ୍ତ ପ୍ରବୃତ୍ତିକୁ ଏମାନେ କର୍ତ୍ତୃତ୍ଵର ତୀକ୍ଷ୍‌ଣ ଦାଢ଼ରେ ଟିକିଟିକି କରି କାଟି ସାରିଚନ୍ତି । ଏମାନଙ୍କ ଲାଗି ଆଉ ଶିଖିବାର କିଛି ନାହିଁ, ଅନ୍ତରା ଭିତରେ ନିର୍ମାଣ କରିବାର କିଛି ନାହିଁ । ଏମାନେ କେବଳ ଶାସନ କରିବେ, ଆପଣାର ଇଚ୍ଛାକୁ ଆଉ ଦଶଜଣଙ୍କ ଉପରେ ମଡ଼ାଇବେ, ଏବଂ ସେହି କ୍ଷମତାର ହିଁ ପରମ ଆତ୍ମସମର୍ଥନ ଓ ଆତ୍ମପ୍ରସାଦ ଲାଭ କରିବେ । କିନ୍ତୁ ବେଳେବେଳେ ଏମାନଙ୍କ କ୍ଷମତାର ଦୌରାତ୍ମ୍ୟଟାକୁ ହିଁ ଏମାନଙ୍କ ଜୀବନର ସବୁଠାରୁ ଅଧିକ ହାସ୍ୟାସ୍ପଦ ବ୍ୟାପାର ବୋଲି ମନେ କରିଥାଏ । ବାହାରର ଏହି ସମସ୍ତ ତୋଡ଼ଚମକ ସତ୍ତ୍ୱେ ଏମାନଙ୍କର ଭିତରଟା କେଡ଼େ ଭୀରୁ, ଏହିକଥା ଭାବି ଅନେକ ସମୟରେ ମୁଁ ଅବାକ୍ ହୋଇଯାଏ । ଏମାନଙ୍କର ଭିତରକୁ ଅନାଇ ମୁଁ ଗୋଟାଏ ପ୍ରକାରର ଅସମର୍ଥତା ନିରୀକ୍ଷଣ କରିଥାଏ । ଜୀବନର ଗତି ସହିତ ସମାଗତ ହୋଇ ଚାଳିବା ଲାଗି ଏମାନେ ସମର୍ଥ ନୁହନ୍ତି, ମଣିଷ ସହିତ ଦେବା ନେବାର ସହଜ ତୀର୍ଥରେ ଆସି ସମବେତ ହେବାକୁ ଏମାନେ ସମର୍ଥ ନୁହନ୍ତି । ନୂତନ ଦୃଷ୍ଟି ଓ ଗ୍ରହଣଶୀଳ ମନୋବୃତ୍ତି ନେଇ କିଛି ଶିଖିବାଲାଗି ମଧ୍ୟ ଏମାନେ ସମର୍ଥ ନୁହନ୍ତି,ଏବଂ ଆପଣାର ଏହି ଅସମର୍ଥତାର ଅବସାଦ ଗୁଡ଼ାକୁ ଲୁଚାଇବା ଲାଗି ଏମାନେ କର୍ତ୍ତୃତ୍ଵର ବାଘଚମ ପିନ୍ଧି ବସିଚନ୍ତି । ଖେଳରୁ ବାହାରି ଯାଇଥିବା ଓ ଖେଳିବାକୁ ଅସମର୍ଥ ହେଉଥିବା ପିଲା ବାହାରେ ଅତ୍ୟୁଗ୍ର ଆଚରଣ କରୁଥିବା ପରି ଏମାନଙ୍କର ଜୀବନଲଜ୍ଜା ଏମାନଙ୍କୁ ବଡ଼ ଉଗ୍ର କପରି ରଖିଚି, ଉଦ୍ଧତ କରି ରଖିଚି ।

 

୨ । ୧୨ । ୬୧

 

ଯଦି କେବଳ ଚାକିରୀ କରି ପେଟ ପୋଷିବାର କଥା, ତେବେ ଏହି ଦେଶରେ ଚାକିରି କରିବାରେ ମୋ’ର କୌଣସି ମୋହ ନାହିଁ । ମୁଁ ଏହି ଦେଶରେ ଜନ୍ମ ହୋଇଚି, ଏହି ଦେଶକୁ ମୁଁ ମୋ’ର ବୋଲି କହି ଭଲପାଉଚି, ଗୌରବ ଅନୁଭବ କରୁଚି । ସଂସାର ଅନ୍ୟସବୁ ଦେଶ ଅପେକ୍ଷା ଏହି ଦେଶ ସହିତ ମୋ’ର ମୁଁ ସବୁଠାରୁ ଅଧିକ ଘନିଷ୍ଟ ଏବଂ ଅନ୍ତରଙ୍ଗ ପରିଚୟ ଏହି ଦେଶଠାରୁ ହିଁ ମୁଁ ଜୀବନରେ ସବୁଠାରୁ ଅଧିକ ପାଇଚି,—ଜୀବନରେ ସବୁଠାରୁ ଅଧିକ ଦେୟ ମୋ’ର କେବଳ ଏହି ଦେଶ ପ୍ରତି ହିଁ ରହିଚି । କିନ୍ତୁ ସୁନ୍ଦର କପରି କିଛି ଦେବାକୁ ହେଲେ ଯେଉଁ ସ୍ଵାଧୀନତା ଦରକାର, ସେହି ସ୍ଵାଧୀନତା ଏହି ଦେଶରେ ବଡ଼ ଦୁଷ୍ପ୍ରାପ୍ୟ ହୋଇପଡ଼ିଚି । ଆପଣାର ସକଳ ସେବାକୁ ସମର୍ପଣ କରି ଦେବାକୁ ହେଲେ ମଧ୍ୟ ଯେଉଁ ସ୍ଵାଧୀନତା ଦରକାର, ସେହି ସ୍ଵାଧୀନତା ଏହି ଦେଶରେ ବଡ଼ ଦୁଷ୍ପ୍ରାପ୍ୟ ହୋଇପଡ଼ିଚି, କ୍ଷମତାହୀନ ମଣିଷ ଆଜି ସବୁ କ୍ଷେତ୍ରରେ ଏହି ଦେଶରେ ଆପଣାକୁ ବ୍ରାହ୍ମଣ ବୋଲାଉଚି, ତାହାରି ବୋଲ ମାନିବା, ତାହାକୁ ହିଁ ଭୟ କରି ହଁ ଭରିବା ଯଦି ଏହି ଦେଶରେ ଏକମାତ୍ର ସମ୍ଭାବନା ହୋଇରହେ, ତେବେ ମୁଁ ସେହି ସମ୍ଭାବନା ଓ ସେହି କ୍ଷେତ୍ରର ସୀମାକୁ ମାନି ରଖିବାକୁ ଚାହେନାହିଁ । ପେଟ ପୋଷିବା ଜୀବନର ଏକ ଆବଶ୍ୟକତା ବୋଲି ମୁଁ ସବୁଦିନେ ମାନିଚି । ଅପର ଉପରେ ନିର୍ଭରକରି ରହିବାକୁ ମୁଁ ସବୁଦିନେ ଲଜ୍ଜା ଅନୁଭବ କରିଚି, କିନ୍ତୁ ପେଟ ପୋଷିବାଟାକୁ ହିଁ ଜୀବନର ଏକମାତ୍ର ଧର୍ମ ବୋଲି ମୁଁ କାଦାପି ଗ୍ରହଣ କରି ପାରିନାହିଁ । ପାରିବି ମଧ୍ୟ ନାହିଁ ।

 

୩ । ୧୨ । ୬୧

 

ଶିକ୍ଷାର ବେଢ଼ା ଭିତରେ ରହି ବେଳେବେଳେ ଆପଣାକୁ ବଡ଼ ଅଶିକ୍ଷିତ ବୋଧ ହେଉଚି-। ଏହି ପଦ୍ଧତିର ପାଂଶ ଭିତରେ ମୁଁ ଆପଣାକୁ ଯେତିକି ସେତିକି ଆବଦ୍ଧ କରି ପକାଇବାରେ ଲାଗିଚି, ସେତିକି ସେତିକି ଆପଣା ଭିତରର ଶିକ୍ଷୋତ୍ସାହୀ ମନ ମରିମରି ଗଲା ପରି ମନେ ହେଉଚି-। ମୋ’ ଭିତରର ମଣିଷ ସେତିକି ସେତିକି ଅବହେଳିତ ହୋଇପଡ଼ୁଥିଲା ପରି ମନେ ହେଉଚି-। ଏଠାରେ ନିର୍ଦ୍ଦେଶ ଦେବାକୁ ଯେଉଁମାନେ ଅଛନ୍ତି, ହୁଏତ ସେମାନେ ଆପଣା ଭିତର ମଣିଷକୁ ମଧ୍ୟ ଏପର୍ଯ୍ୟନ୍ତ ଚିହ୍ନି ଶିଖିନାହାନ୍ତି । ଅନ୍ୟ ଭିତରେ ରହିଥିବା ମଣିଷକୁ ଚିହ୍ନିବାର ପ୍ରଶ୍ନହିଁ ସେମାନଙ୍କ ପ୍ରସଙ୍ଗରେ ଉଠିବାର ଅବକାଶ ନାହିଁ । ଏମାନେ କର୍ତ୍ତୃତ୍ଵ ଦେଖାଇବାକୁ ହିଁ ଆପଣା ଜୀବନର ଆଧାର ବୋଲି ମାନିଚନ୍ତି । ଆପଣାର ସକଳ ଅଯୋଗ୍ୟତାକୁ ଏମାନେ ବାହାର କର୍ତ୍ତୃତ୍ଵ ମଧ୍ୟରେ ଘୋଡ଼ାଇ ରଖିବାକୁ ଚାହୁଚନ୍ତି । ମୋ’ଭିତରର ମଣିଷ କେବଳ ନାନାସ୍ତରରେ ଉତ୍ତେଜିତ ହୋଇ ପଡ଼ିବା ହିଁ ସାରା ହେଉଚି । ନ୍ୟାୟ କ’ଣ ଜାଣିଥିଲେ ମଧ୍ୟ ଅନ୍ୟାୟ ପାଖରେ ହିଁ ମାରିବାକୁ ହେଉଚି-। ଶିକ୍ଷାର ମାର୍ଗ କ’ଣ ହେବା ଉଚିତ, ସେକଥା ଜାଣିଥିଲେ ମଧ୍ୟ ଅଶିକ୍ଷିତ କର୍ତ୍ତାର ଖିଆଲ ମାନି ଚୁପ୍ ରହିଯିବାକୁ ପଡ଼ୁଚି । ମଣିଷପଣିଆ କ’ଣ ଜାଣିଥିଲେ ମଧ୍ୟ ଅମଣିଷ ମାନଙ୍କର କର୍ତ୍ତୃତ୍ଵକୁ ସହିଯିବାକୁ ପଡ଼ୁଚି । ଏପରି କରିବାଦ୍ଵାରା ମୋ’ ଭିତରର ଶିକ୍ଷକ କ୍ରମେ ଆଜ୍ଞାବହ ଅଧସ୍ତନର ସ୍ତରକୁ ଖସି ପଡ଼ିବାକୁ ଆରମ୍ଭ କରୁଚି । ସଂସାରରେ ଆପଣାକୁ ଖାପ ଖୁଆଇ ଚଳାଇ ନେବାର ଅଧର୍ମ ସହିତ ସାହାବସ୍ଥାନର ଚୁକ୍ତି କରିବାର ଅପମାନରେ ଜୀବନର ସକଳ ପ୍ରକାରର ଧର୍ମ କ୍ରମେ ଭ୍ରଷ୍ଟ ହେବାକୁ ବସିଚି । ଯଦି ଭିତରେ ମୁଁ ନିର୍ଭୟ ହୋଇନପାରିଲି, ମଣିଷର ଗୌରବ ସହିତ ଅନ୍ୟ ସକଳ ମଣିଷର ନିକଟବର୍ତ୍ତୀ ହୋଇନପାରିଲି, ତେବେ ଏହି ଶିକ୍ଷା ଓ ଶିକ୍ଷା ହେବାରେ ଏହି ଆଡ଼ମ୍ବର ଆଉ କେଉଁଥିଲାଗି ? ବାହାରେ ସବୁ ଚମତ୍କାର ଚଳିଯାଉଚି, କିନ୍ତୁ ଭିତରେ ଅସନ୍ତୋଷ ଅସ୍ଥିର କରି ପକାଉଚି ।

 

୪ । ୧୨ । ୬୧

 

ଏହି ଶିକ୍ଷାର ଆୟତନକୁ ମୁଁ ପ୍ରଧାନତଃ ଅଶିକ୍ଷିତ ଆୟତନ ବୋଲି ହିଁ କହିବ । ଅବଶ୍ୟ ଶିକ୍ଷକ ମଧ୍ୟ ଶିକ୍ଷକତା କରି ପଇସା ପାଏ, ଆପଣାର ଜୀବନନିର୍ବାହ ଲାଗି ସେ ଏହି ଶିକ୍ଷକତା ଉପରେ ନିର୍ଭର କରି ରହେ । ଆମର ଏହି ଶିକ୍ଷାନୁଷ୍ଠାନରେ ଯେତେ ଯିଏ ଅଛନ୍ତି, ସେମାନେ ସମସ୍ତେ ଦରମା ପାଆନ୍ତି । କିଏ କମ୍ ପାଏ କିଏ ବେଶୀ ପାଏ । ମୁଁ ଏଥିରେ ମଧ୍ୟ କୌଣସି ଆପତ୍ତି କରିବାକୁ ଯିବିନାହିଁ । କିନ୍ତୁ ଶିକ୍ଷକର ବେତନ ପାଇବା ଅନୁସାରେ ଶିକ୍ଷାୟତନର ଅନ୍ୟାନ୍ୟ ସମ୍ପର୍କ ମଧ୍ୟ ନିୟନ୍ତ୍ରିତ ଓ ନିର୍ଦ୍ଧାରିତ ହେବା ଉଚିତ ନୁହେଁ । ଜଣେ କେବଳ ବେଶୀ ଦରମା ପାଉଚି ବୋଲି ଯେ ତାହାରି ଯୋଗ୍ୟତା ସମସ୍ତଙ୍କଠାରୁ ଅଧିକ ହୋଇଥିବ, ତାହାରି ମତଟାକୁ ଯେ ସମସ୍ତେ ଦେବତାଦେଶ ମନେ କରି ମାନିବାରୁ ବାଧ୍ୟ ହେବେ, ଏହି ପଦ୍ଧତିଟାକୁ ମୁଁ ପ୍ରକୃତରେ ବଡ଼ ଅଶିକ୍ଷିତ ପଦ୍ଧତି ବୋଲି କହିବି । ଶିକ୍ଷାଳୟର ସବୁ ସୂତ୍ର ମଧ୍ୟରେ ଏକ କାର୍ଯ୍ୟକାରୀ ଏକତା ସ୍ଥାପନ କରିବାଲାଗି ଉପରେ ଜଣେ ଦାୟିତ୍ଵ ନେଇ ରହିବା ଉଚିତ । କିନ୍ତୁ ତାହା ବୋଲି ଯେ ସେ କ୍ଷେତ୍ରରେ ଅକ୍ଷେତ୍ରରେ ସ୍ଵେଚ୍ଛାଚାରୀ ହୋଇ ଦାୟିତ୍ଵହୀନତା ଦେଖାଇବ, ବଡ଼ ଥାନାରେ ବସିଛି ବୋଲି ଯେ ଆପଣାର କ୍ଷୁଦ୍ରତାଗୁଡ଼ାକୁ ଜାରି କରିବାଲାଗି ଅବାରିତ ପ୍ରଶ୍ରୟ ପାଇବା, ଏହାକୁ ମୁଁ ଖାଲି ଅଶିକ୍ଷିତ ରୀତି ବୋଲି କହିବି ଯେଉଁ ମଣିଷ ଯେତେ ବଡ଼ ଦାୟିତ୍ଵରେ ରହେ, ତାହାର ସ୍ଵେଚ୍ଛାଚାରୀ ହେବାରେ ସେତିକି କୁଣ୍ଠା ରହିବା ଉଚିତ । କିନ୍ତୁ ଯେଉଁଠି ଡିଗ୍ରୀ ଅନୁସାରେ ମଣିଷ ବଡ଼ ଜାଗା ମାଡ଼ିବସେ, ସେଠି ଏସବୁ ପ୍ରଶ୍ନ ଉଠୁଚି କୁଆଡ଼ୁ ?

 

୫ । ୧୨ । ୬୧

 

ନଗିନ୍ ଭାଇଙ୍କୁ ମୁଁ ଅତି ଆପଣାର ଲୋକ ବୋଲି ଗ୍ରହଣ କରି ନେଇଥିଲି ସେ ଅତି ବଡ଼ ଧନୀ ଘରେ ମଣିଷ ହୋଇଥିଲେ। ବିଦେଶରୁ ପାଠପଢ଼ି ଆସିଥିଲେ । ଇଚ୍ଛା କରିଥିଲେ ସେ ଏହି ଦେଶରେ କେଡ଼େ ବଡ଼ ବାବୁ ହୋଇ ପାରିଥାନ୍ତେ । ଏଠି ସେ ଭାରି ବଡ଼ ଚାକିରୀ କରି ଆରମରେ ରହି ପାରିଥାନ୍ତେ । କିନ୍ତୁ ବମ୍ବେ ସହରର ସମସ୍ତ ସୁଖଭୋଗ ଛାଡ଼ି, ସେ ଓଡ଼ିଶାର କୋରାପୁଟ, ଜିଲ୍ଲାକୁ ଆପଣାର କର୍ମକ୍ଷେତ୍ର ହିସାବରେ ନିର୍ବାଚିତ କରିଥିଲେ । କୌଣସି ପ୍ରକାରର ପ୍ରୟୋଜନର ବଶବର୍ତ୍ତୀ ହୋଇ ନୁହେଁ, ଜୀବନରୁ ଦୂରକୁ ପଳାଇ ଯିବାର କୌଣସି ପ୍ରକାର ଆସ୍ଵାଭାବିକ ଉତ୍ତେଜନା ସହିତ ନୁହେଁ, ନାନା ପଥରୁ ବିଚାରର ସହିତ ଗୋଟାଏ । ପଥ ନିର୍ବାଚନ କଲାପରି ସେ ଆପଣା ଜୀବନର କର୍ମପଥ ନିର୍ବାଚିତ କରି ନେଇଥିଲେ । କୋରାପୁଟରେ ନିର୍ମାଣ କାମର ହୋ’ ହୋ’ ଲାଗି ରହିଥିଲା ବେଳେ ସେଠାରେ କାମ କରିବାକୁ କେତେବେଳେ ସାନ ଓ ବଡ଼ ମହାରଥୀମାନେ ଆସି ପହଞ୍ଚିଥିଲେ, ଦୁଇ ମାସ ବା ଦୁଇ ବରଷ ଏଥିରେ ସେଥିରେ ହାତ ଯାଇ କିଏ କୁଆଡ଼େ ଫେରିଗଲେ, କିନ୍ତୁ ନଗିନ୍ ଭାଇ ଆପଣାର ଆସ୍ଥାନରେ ଶେଷ ପର୍ଯ୍ୟନ୍ତ ରହିଥିଲେ । ନିର୍ମାଣ କାମ ସହିତ ସେ ଆପଣାର ମନ ଆପଣାର ଆଗ୍ରହକୁ ମଧ୍ୟ ସେହି କୋରାପୁଟରେ ବସାଇ ନେଇଥିଲେ । କାଲି ତାଙ୍କର ଦେହାନ୍ତ ହୋଇଯାଇଥିବାର ସମ୍ବାଦ ପାଇ ସେଇଥିଲାଗି ମୁଁ ମର୍ମାହତ ହୋଇପଡ଼ିଲି । ଅତି ଆପଣାର ମଣିଷ ସାଙ୍ଗ ଛାଡ଼ି ଚାଲିଗଲେ ହଠାତ୍ ଆଘାତ ଲାଗେ, ସେହିପରି ଆଘାତ ଲାଗିଲା । ତାଙ୍କ ସହିତ ମୁଁ ତାଙ୍କର ବମ୍ବେରେ ଥିବା ଘରେ ରହିଚି ସେଠାରେ ଖଞ୍ଜା ହୋଇଥିବା ସୁଖ ଓ ସମ୍ଭୋଗ ଭିତରେ ତାଙ୍କୁ କିପରି ଅଶ୍ଵସ୍ତ ବୋଧ ହୁଏ, ଏକଥା ସେ ମୋତେ କେତେଥର କହିଚନ୍ତି । ସେ ଆପଣାର ଘରଠାରୁ ଆପଣାର କର୍ମଭୂମିକୁ ଅଧିକ ଭଲ ପାଉଥିଲେ । ସେହି କର୍ମଭୂମିରେ ତାଙ୍କ ଜୀବନର ସମାପ୍ତି ଘଟିଲା ତାଙ୍କର କର୍ମର ସମାପ୍ତ ହୋଇ ନଯାଉ, ଭଗବାନଙ୍କଠାରେ ମୋ’ର ଏହି ପ୍ରାର୍ଥନା ।

 

୬ । ୧୨ । ୬୧

 

ଏ ସଂସାରରୁ ଦିନେ ନା ଦିନେ ସମସ୍ତେ ବିଦା ହୋଇଯିବେ । ଆପଣାର ଇଚ୍ଛା ବା ଅନିଚ୍ଛାକୁ କୌଣସି ପ୍ରକାରର ସ୍ଵୀକୃତି ନଦେଇ ଅତି ଆକସ୍ମିକ ଭାବରେ ମୃତ୍ୟୁ ଆମ ସମସ୍ତଙ୍କୁ ଏହି ସଂସାର ଭିତରୁ ଟାଣି ନେଇଯିବ । ତଥାପି ଏହି ସଂସାରର ଜୀବନକୁ ମୁଁ କାଦାପି ମିଥ୍ୟା ବା ମାୟା ବୋଲି କହିବିନାହିଁ । ଏହି ସଂସାରରେ ଅର୍ଜନ କରା ଯାଇଥିବା ସ୍ନେହ ଓ ଶ୍ରଦ୍ଧାକୁ ମୁଁ ମିଥ୍ୟା ବୋଲି କହିବି ନାହିଁ । ଏହି ମର ଧାମରେ ହିଁ ମୁଁ ଅମର ଧାମର ପରିଚୟ ପାଇଚି । ଏହି ତମ ଆଖିରେ ଜଗତକୁ ଦେଖୁ ଦେଖୁ ମୁଁ ବିଶ୍ୱତୋଦୃଷ୍ଟି ହେବାର ବରଦାନ ପାଇଚି । ମଣିଷକୁ ଭଲ ପାଇ ମୁଁ ଭଗବାନଙ୍କର ସାନ୍ନିଧ୍ୟ ଅନୁଭବ କରିଚି । ଜୀବନ ବଞ୍ଚିବାର ଏହିସବୁ ମହାମୂଲ୍ୟ ସାଧନଗୁଡ଼ିକୁ ଯେ କେବଳ ଏହି ଜୀବିତାବସ୍ଥାରେ ସୀମାବଦ୍ଧ ହୋଇଥିବ, ସେକଥା ମୁଁ କଦାପି ବିଶ୍ଵାସ କରି ପାରିବିନାହିଁ । ଜୀବନର ପର୍ଯ୍ୟାୟ ପରେ ମୋ’ର ଜୀବନ ଆଉ କେଉଁ ପର୍ଯ୍ୟାୟରେ ପହଞ୍ଚିବ, ମୁଁ ସେ ବିଷୟରେ କିଛି ଜାଣିନାହିଁ । ତଥାପି, ଏହି ଜୀବନରେ ଯେଉଁସବୁ ସାଧନ ମୋତେ ଏତେ ଆନନ୍ଦ ଦେଇଚି, ମୋ’ର ପାତ୍ରଟିକୁ ଏତେ ସମ୍ପଦଶାଳୀ କରି ଭରି ଦେଇଚି, ପରବର୍ତ୍ତୀ ଯେ କୌଣସି ପର୍ଯ୍ୟାୟରେ ମଧ୍ୟ ସେହିଗୁଡ଼ିକୁ ହିଁ ମୋ’ର ସାଧନ ହୋଇରହିବ । ଏହି ବିଶ୍ଵାସ ମୋ’ର ଜୀବନର ପରମ ଲାଭ । ଏହାହିଁ ମୋତେ ଏହି ସଂସାରରେ ପରମ ପ୍ରସାଦର ଅଧିକାରୀ କରିଚି ।

 

୭ । ୧୨ । ୬୧

 

ମୋ’ର ଜୀବନରେ ମୁଁ ମୋ’ର ଉଦ୍ଦେଶ୍ୟ ପାଇଚି । ପାଇଚି ବୋଲି କହିଲେ ତାହା ଅତିରଞ୍ଜନ ହେବ, ମୋ’ର ଉଦ୍ଦେଶ୍ୟକୁ ମୋ’ ଜୀବନରେ ମୁଁ ଅନୁଭବ କରିପାରିଚି । ଏହି ଅନୁଭବ କରିବାରେ ମୋ’ର କୌଣସି ଉତ୍ତେଜନା ନାହିଁ । ଆଉ କୌଣସି ଉଦ୍ଦେଶ୍ୟ ବା ପଥ ବିରୁଦ୍ଧରେ ମୋ’ର କୌଣସି ଲଢ଼ାଇ ଲଢ଼ିବାକୁ ନାହିଁ । ସଂସାରକୁ ମୋ’ର ଉଦ୍ଦେଶ୍ୟ ପାଖକୁ ଟାଣି ଆଣିବା ଲାଗି କୌଣସି ପ୍ରକାର ଭ୍ରଷ୍ଟ ଉତ୍ସାହ ଏଥିରେ ନାହିଁ । ମୋ’ର ଆପଣା ଉଦ୍ଦେଶ୍ୟ ସତ୍ୟ ସ୍ପଷ୍ଟ କରି ଅନୁଭବ ନକରି ପାରିଥିବା ପର୍ଯ୍ୟନ୍ତ ମୋ’ ଭିତରେ ସେହିସବୁ ଉଦ୍‌ବେଗ ଓ ଉତ୍ତେଜନା ଯଥେଷ୍ଟ ଥିଲା । ସେଥିଲାଗି ହୃଦୟ ଜାଣିବା ପୂର୍ବରୁ ମୁଁ ମୁଖର କଥାରେ ପାଇଚି ପାଇଚି ବୋଲି ସବୁରି ଆଗରେ ବଡ଼ିମା କରି ବୁଲୁଥିଲା । ଆପେ ଚମତ୍କୃତ ହେବା ଆଗରୁ ଅନ୍ୟମାନଙ୍କୁ ମୋ’ ବିଷୟରେ ଚମତ୍କୃତ କରି ଦେବାର ଉତ୍ସାହ ମୋ’ର ସେତେବେଳେ ଥିଲା । ସେହି ପର୍ଯ୍ୟାୟକୁ ମୁଁ ନିନ୍ଦା କରୁନାହିଁ । ଜୀବନର ପ୍ରଥମ ସୋପାନରେ ଆବେଗରେ ସ୍ଥାନ ଅବଶ୍ୟ ରହିଚି, କିନ୍ତୁ ଆଜି ମୁଁ ସ୍ଥିର ହୋଇଯାଇଚି, ମୋ’ ପଥ ଆବିଷ୍କାର କରି ତାହାରି ଉପରେ ଚଳିବାକୁ ହିଁ ମୁଁ ଜୀବନ ପରମୋଧର୍ମ ବୋଲି ଗ୍ରହଣ କରିନେଇଚି । ତେଣୁ ଏହି ପଥ ଉପରେ ମଧ୍ୟ ଘରେ ଆସି ପହଞ୍ଚି ଯିବାର ଶାନ୍ତି ମୁଁ ଅନୁଭବ କରିପାରୁଚି । ବିସ୍ତୀର୍ଣ୍ଣ ଗହୀରବାଟ ଚାଲିବା ବେଳେ ଦୂରରୁ କୋଣାର୍କ ମନ୍ଦିରର ଚୂଡ଼ା ଦେଖି ଚନ୍ଦ୍ରଭାଗାର ଯାତ୍ରୀ ଯେଉଁ ନିର୍ଭର ପାଇଥାଏ, ଆଜି ମୋ’ର ହୃଦୟ ଭିତରେ ମୁଁ ସେହିପରି ଏକ ନିର୍ଭର ଅନୁଭବ କରିପାରୁଚି । ଏହି ସଂସାର ସେଥିଲାଗି ମୋ’ର ଆପଣାର ଘର ପରି ମନେ ହେଉଚି, ବଗିଚାର ଫୁଲଠାରୁ ଆକାଶର ଚଢ଼େଇ ପର୍ଯ୍ୟନ୍ତ ମୋ’ର ଆପଣା ସହଚର ପରି ମନେ ହେଉଚନ୍ତି । ମଣିଷକୁ ଦେଖି ଆଉ କୌଣସି ଦ୍ଵେଷ ହେଉନାହିଁ, ତା’ଭିତରେ ମୁଁ ମୋ’ ବନ୍ଧୁର ଦର୍ଶନ ପାଉଚି ।

 

୮ । ୧୨ । ୬୧

 

ହଁ, ମଣିଷକୁ ମୁଁ ମୋ’ର ଯାତ୍ରା ସହଚର ବୋଲି ଗ୍ରହଣ କରି ନେଇଚି, ପ୍ରତିଦ୍ଵନ୍ଦୀ ହିସାବରେ ଗ୍ରହଣ କରିନାହିଁ । ଅପର କାହାକୁ ତା’ର ଆପଣାର ପଥରେ ଯାଉଥିବାର ଦେଖିଲେ ମୁଁ ତା’ପ୍ରତି କୌଣସି ପ୍ରକାର ଦ୍ଵେଷ ଅନୁଭବ କରିନାହିଁ । ତାକୁ ବଳାତ୍କାର କରି ମୋ’ର ରାସ୍ତା ଉପରକୁ ଟାଣି ଆଣିବାକୁ ମୁଁ କୌଣସି ଚେଷ୍ଟା କରିନାହିଁ । ତା’ ପ୍ରତି ମୁଁ ମୋର ଶ୍ରଦ୍ଧା ଜଣାଇଚି । ଯେତେ ବିଭିନ୍ନ ହେଲେ ମଧ୍ୟ ତା’ର ମାର୍ଗଚାରୀ ଜୀବନ ଉଦ୍ଦେଶ୍ୟରେ ମୋ’ର ମନ ସ୍ଵତଃ ପ୍ରଣତ ହୋଇପଡ଼ିଚି । ତା’ର ଜୀବନ ବେଗ ମୋ’ର ଆପଣା ଜୀବନରେ ମଧ୍ୟ ବେଗ ଭରିଦେଇ ଯାଇଚି, ତା’ର ପ୍ରେରଣା ଦେଇଯାଇଚି । ମୁଁ ମୋ’ର ଆପଣା ଉଦ୍ଦେଶ୍ୟ ଆପଣା ଜୀବନରେ ଅନୁଭବ କରି ପାରିଚି ବୋଲି ଅପର ଜୀବନ ପ୍ରତି ଈର୍ଷା କରିବାର ଅଭିଶାପରୁ ଆପଣାକୁ ରକ୍ଷା କରିପାରିଚି । ମୋ’ଠାରୁ କିଏ ଆଗକୁ ବଢ଼ିଗଲା ବୋଲି ମୋ’ ହୃଦୟରେ ମୁଁ କେବେହେଲେ କୌଣସି ପ୍ରକାର ଦହନ ଅନୁଭବ କରିନାହିଁ । ଯିଏ ଏକମାତ୍ର ରାସ୍ତା ପାଇଚି ବୋଲି ସବୁରି ଆଗରେ ଦମ୍ଭ କରିଚି, ଆପଣା ପଥରେ ସମ୍ପୂର୍ଣ୍ଣ ଶ୍ରଦ୍ଧାର ନିବେଦନ କରି ନପାରି ଯିଏ ଅପରକୁ ମଧ୍ୟ ସେହି ପଥକୁ ଟାଣିବାର ଉଗ୍ରତା ଦେଖାଇଚି, ଜଗତଟାକୁ ପରିମାଣ କରିବାର ଅଶ୍ରଦ୍ଧ ଅଜ୍ଞାନତା ଯିଏ ଦେଖାଇ ବୁଲୁଚ, କେବଳ ସେଇଠି ମୁଁ ମୋ’ର ଅନ୍ତରର ସମର୍ଥନ ଜଣାଇ ପାରିନାହିଁ । ସେହି ପ୍ରବୃତ୍ତିଟିକୁ ମୁଁ ସ୍ଵୀକାର କରି ପାରିନାହିଁ ।

 

୯ । ୧୨ । ୬୧

 

ସେଇଥିଲା ମଣିଷ ସହିତ ଏକାଠି ମିଳି କାମ କରିବାରେ ମୁଁ ଏତେ ଆନନ୍ଦ ପାଏ, ସବୁ ମଣିଷ ସହିତ ସମ୍ମିଳିତ ହୋଇ ଖୁସୀ ହୋଇ କୌଣସି କାମ କରିବାକୁ ମୁଁ ଭଗବାନଙ୍କର କାର୍ଯ୍ୟ ବୋଲି ଅନୁଭବ କରେ । ଭାରି ସହଜ ଓ ସ୍ଵାଭାବିକ ଭାବରେ ମୋ’ ଭିତରର ସମ୍ମିଳନଲୋଭୀ ହୃଦୟ ଏହିପରି କ୍ଷେତ୍ରରେ ଆପଣାକୁ ନିବେଦନ କରିବାରେ ସମର୍ଥ ହୁଏ । କିନ୍ତୁ, ଯେଉଁଠି ମଣିଷକୁ ଦ୍ଵେଷ କରାଯାଏ, ମଣିଷକୁ ମଣିଷ ବୋଲି ସ୍ଵୀକାର କରାଯାଏନାହିଁ, ଯେଉଁଠି ଜଣେ ବା କେତେଜଣ ମଣିଷ ଅତିରିକ୍ତ ଭାବରେ କ୍ଷମତାସଚେତ ହୋଇ ଅପର ସମସ୍ତଙ୍କୁ କେବଳ ଅଧସ୍ତନ ଓ ଆଜ୍ଞାବହ ବୋଲି ବ୍ୟବହାର କରିବାର ଅବଗୁଣ ଦେଖାଇ ବାହାରନ୍ତି ଏବଂ ଯେଉଁଠାରେ ଏହିମାନଙ୍କରେ ଦୁଷ୍ପ୍ରବୃତ୍ତି ହିଁ ସାମାଜିକ ନ୍ୟାୟ ବୋଲି ମାନି ନିଆଯାଏ, ମୁଁ ସେଠାରେ ବଡ଼ ଅସ୍ଥିର ହୋଇପଡ଼େ, ସେଠିପହଞ୍ଚି ମୋ’ର ସକଳ ଧ୍ୟାନ ଭାଙ୍ଗି ଯାଏ, ମୋ’ର ସକଳ ଶ୍ରଦ୍ଧା ଇତସ୍ତତଃ ହୋଇପଡ଼େ, ସେଠାରେ ମୁଁ ସୁନାପୁଅ ହୋଇ ସକଳ ବିଧାନକୁ ସ୍ଵୀକାର କରିନେଇ ପାରେନାହିଁ । ଏପରି ଏକ କ୍ଷମତାକଳୁଷିତ ବାତାବରଣ ଭିତରେ ମଣିଷର କିଛି କଲ୍ୟାଣ ହୋଇ ପାରିବ ବୋଲି ମୁଁ ବିଶ୍ଵାସ କରି ପାରେ ନାହିଁ । ଫୁଲ ଆହୁରି ଅନେକ ଫୁଲଙ୍କ ଭିତରେ ଫୁଟି ଉଠିବାର କୌଣସି ଦ୍ଵେଷ କରୁଥିବ ? ମୁଁ କ୍ଷମତାସଚେତନ ମଣିଷମାନଙ୍କର କ୍ଷୁଦ୍ରତାର ଅନ୍ତ ଖୋଜି ପାଏନାହିଁ, ସେମାନଙ୍କର ଅନ୍ତରତଳ କେଉଁଠି କି ଦୁଃଖର ବୀଜ ରହି ବାହାରେ ସେମାନଙ୍କୁ ଏତେ ଉଗ୍ର ଓ ଦ୍ଵେଷଦୁଷ୍ଟ କରି ପକାଉଚି, ସେହି କଥାଭାବି ମୁଁ ଆଶ୍ଚର୍ଯ୍ୟ ହୁଏ । ଏହି ସଂସାରରେ ସେହି ପରମ ଦୁଃଖୀମାନେ ସଂସାରର ଦୁଃଖ ହିଁ ବଢ଼ାନ୍ତି ।

 

୧୦ । ୧୨ । ୬୧

 

ହଁ, ସେମାନଙ୍କୁ ମୁଁ ପ୍ରଧାନତଃ ଦୁଃଖୀ ବୋଲି ହିଁ କହିବି । ବାହାରେ ସେମାନଙ୍କର ସମସ୍ତ ପ୍ରଚଣ୍ଡତା ଓ ପରାକ୍ରମ ସତ୍ତ୍ୱେ ମୁଁ ସେମାନଙ୍କୁ ଦୁଃଖୀ ବୋଲି କହିବି । ସେମାନଙ୍କର ପିଲାବେଳେ ହୁଏତ ଅତି ଦୁଃଖରେ କଟିଚି, ସେମାନଙ୍କର ବିକାଶକୁ ନାନାପ୍ରକାରେ ବିନଷ୍ଟ କରି ଦିଆଯାଇଚି । ତେଣୁ ଆପଣା ଦ୍ଵାରର ଉଦ୍‍ଘାଟନ କରି ଶିଖିବା ପରିବର୍ତ୍ତରେ ସେମାନେ ସତ୍ତାର ଦଉଡ଼ ଧରି ସଂସାରଟା ଉପରେ ପ୍ରତିଶୋଧ ନେବେ ବୋଲି ବେଶୀ ଉତ୍ସାହିତ ହୋଇଚନ୍ତି । ଆପଣାର ବିକାଶଧର୍ମୀ ମଣିଷଟି ପ୍ରତି ସେମାନଙ୍କର କେବେ କୌଣସି ସହାନୁଭୂତି ହୋଇନାହିଁ, ତେଣୁ ଅପର ମଣିଷକୁ ମଣିଷ ପରି ଦେଖିବାର ସହାନୁଭୂତି ଏମାନଙ୍କର ଅର୍ଜନଶକ୍ତି ବହିର୍ଗତ ହୋଇରହିଚି । ଆପଣା ଭିତରର ମାନବିକ ଗୁଣଗୁଡ଼ିକର ବିକାଶ କରିବାରୁ ହୁଏତ ଏମାନେ ଖାଲି ରଖିବାକୁ ହିଁ ଏମାନେ ପାରୁପର୍ଯ୍ୟନ୍ତ ଚେଷ୍ଟା କରି ଆସିଚନ୍ତି । ଆପେ ପିନ୍ଧିଥିବା ମୁଖାଟାକୁ ହିଁ ଏମାନେ ଆପଣାର ସତ୍ୟପରିଚୟ ବୋଲି ପ୍ରମାଣ କରିବାକୁ ନାନାମନ୍ତେ ପରିଶ୍ରମ କରିବାରେ ବ୍ୟସ୍ତ ଅଛନ୍ତି । ସେଥିଲାଗି ଏମାନଙ୍କର ଲାଲ ଆଖିର ଅଭିନୟ ତଳେ ମୁଁ ଏମାନଙ୍କର ଦୁଃଖୀ ହୃଦୟର ଦୁର୍ଦ୍ଦଶାକୁ ବେଶୀ ଅନୁଭବ କରିଚି ।

 

୧୧ । ୧୨ । ୬୧

 

ଯିଏ ଶିକ୍ଷାଳୟରେ ‘ଶିକ୍ଷାଧୀଶ ହୋଇବସିଚି, ତାହାର ହୃଦୟ ଭିତରେ କୌଣସିପ୍ରକାର ବିଦ୍ଵେଷ ରହିବା ଉଚିତ ନୁହେଁ । ଛାତ୍ରମାନଙ୍କର ବିକାଶରେ ହିଁ ତା’ର ସବୁଠାରୁ ଅଧିକ ଆନନ୍ଦ ଅନୁଭବ କରିବା ଉଚିତ । କିନ୍ତୁ ସିଏ ଯଦି ଆପଣା କ୍ଷୁଦ୍ରତାର ବଶବର୍ତ୍ତୀ ହୋଇ ଛାତ୍ରମାନଙ୍କୁ ପଦେ ପଦେ କେବଳ ଖୁଣିବାରେ ଲାଗିବ, କେବଳ ଆପଣାର କୃତିତ୍ଵର ଦଉଡ଼ି ପିଟି ସେମାନଙ୍କୁ ଆଘାତ କରିବାକୁ ଆରମ୍ଭ କରିବ, ତେବେ ତାହାକୁ ଆମ ସମାଜର ଅତି ଦୁର୍ଦ୍ଦଶା ବୋଲି କହିବାକୁ ହେବ । ଏବଂ, ଏହି ଦେଶର ସମୟରେ ଆମ ଶିକ୍ଷାଳୟମାନଙ୍କର ଅଧିକାଂଶ କ୍ଷେତ୍ରରେ ପ୍ରଧାନତଃ ସତ୍ତାଲୋଭୀ ବିଦ୍ଵେଷୀ ସତ୍ତାଧୀଶମାନେ ହିଁ ଗାଦି ମାଡ଼ି ବସିଚନ୍ତି । ସେମାନଙ୍କର ମନ ଭିତରେ ଯେଉଁସବୁ ଅତୃପ୍ତି ସେମାନଙ୍କୁ ନାନାପ୍ରକାରେ ଆହତ ଓ ଅସୁନ୍ଦର କରି ରଖିଚି, ସେହି ଅତୃପ୍ତିର ଜ୍ଵାଳାକୁ ଭୁଲିବା ଲାଗି ସେମାନେ କ୍ଷମତାର ଅମାନୁଷିକ ଜାଲ ବିଛାଇ ରଖିଚନ୍ତି । ଜୀବନ ପ୍ରତି ସେମାନଙ୍କର କୌଣସି ଶ୍ରଦ୍ଧା ନାହିଁ, ବିକାଶ ପ୍ରତି ସେମାନଙ୍କର କୌଣସି ଶ୍ରଦ୍ଧା ନାହିଁ । ସେମାନେ ଆପେ କୌଣସି ପଥ ଆବିଷ୍କାର କରିବାର କୌଣସି ଉତ୍ସାହ ଅନୁଭବ କରୁନାହାନ୍ତି, ତେଣୁ ଅପର ମଣିଷ ସହିତ ପ୍ରସନ୍ନ ଭାବରେ କୌଣସି ସମ୍ପର୍କ ରଖିବାରେ ସେମାନକର କୌଣସି ଉତ୍ସାହ ମଧ୍ୟ ନାହିଁ । ସେମାନଙ୍କୁ ଠିକ୍ ଶିକ୍ଷିତ ବୋଲି କୁହାଯାଇପାରିବନାହିଁ । ଆପେ ପାଠ ପଢ଼ୁଥିବା ବେଳେ ହୁଏତ ସେମାନେ କିଛି ପାଠ ପଢ଼ିଥିଲେ । ବର୍ତ୍ତମାନ ସେହି ସ୍ତରରେ ସେମାନେ ଅଟକି ରହିଚନ୍ତି ଏବଂ ଆପଣା କ୍ଷମତାବୃତ୍ତିର ଅନ୍ଧକାର ଭିତରେ ସମସ୍ତ ପ୍ରକାର ବିଦ୍ୟାଗ୍ରହକୁ ହରାଇ ବସିଚନ୍ତି । ସେଥିଲାଗି ସମ୍ଭବମାନ ଜୀବନକୁ ବୁଝିବା ଲାଗି, ତାହାର ସହାୟକ ହେବାଲାଗି ଏମାନଙ୍କ ପାଖରେ କୌଣସି ଧୈର୍ଯ୍ୟ ନାହିଁ, କୌଣସି ଯୋଗ୍ୟତା ମଧ୍ୟ ନାହିଁ ।

 

୧୨ । ୧୨ । ୬୧

 

ବୟସ ଥାଉଁ ମଣିଷର ସଂସାର ଦେଖି ବାହାରିବା ଉଚିତ । ସାରା ଜୀବନ ଚାକିରୀ କରି ସାରିବା ପରେ ଓ ଅନେକ ଟଙ୍କା ଜମା କରି ସାରିବା ପରେ ଅନେକ ଦେଶ ଦେଖି ବାହାରନ୍ତି । ବଡ଼ ବଡ଼ ସହରରେ ସେମାନେ ବଡ଼ ବଡ଼ ହୋଟେଲରେ ରହନ୍ତି, ଅନେକ ବର୍ଷରେ ସଞ୍ଚୟକୁ ଖରଚ କରି ସେମାନେ ସଂସାରର ଦାଣ୍ଡରେ ବଡ଼ଲୋକୀ କରି ବାହାରନ୍ତି । ସେମାନେ ବୁଢ଼ା ବୟସରେ ସଂସାରରେ ପ୍ରକୃତରେ କ’ଣ ଦେଖନ୍ତି, ତାହା କେବଳ ସେଇମାନଙ୍କୁ ଜଣାଥିବ; କିନ୍ତୁ ବୁଢ଼ାମନର ଖାତାରେ ସାଇତି ଲେଖି ରଖିବା ଲାଗି ସେମାନେ ଅନେକ ବିଳାସ କରିବାର ସୁଯୋଗ ପାଆନ୍ତି । ସଂସାରର ଜୀବନରେ ପ୍ରବେଶ କରିବାକୁ ହେଲେ ବୁଢ଼ା ବୟସରେ ସଂସାର ଦେଖି ବାହାରିବା ମୋଟେ ପୋଷାଏ ନାହିଁ । ସମସ୍ତ ସଂସାରକୁ ଅନୁଭବ କରିବାକୁ ହେଲେ ଜୀବନର ଯୌବନସମୟକୁ ହିଁ ମୁଁ ସବୁଠାରୁ ପ୍ରଶସ୍ତ ସମୟ ବୋଲି କହିବି । ସଂସାରକୁ ଦେଖି ମୁଁ ମୋ’ର ଆପଣା ଦୃଷ୍ଟିମାର୍ଗ ନିର୍ଦ୍ଧାରଣ କରିବି, ଆପଣା ଜୀବନଯାତ୍ରାରେ ମାର୍ଗ ନିର୍ଦ୍ଧାରଣ କରିବି । ମୋ’ର ଜୀବନର ପରିସୀମା ସଂସାରର ସକଳ ଜୀବନସୀମାକୁ ସ୍ପର୍ଶ କରିପାରିବି । ଏଥିପାଇଁ ଜୀବନରେ ଯଥେଷ୍ଟ ବୟସ ରହିଥିବା ଉଚିତ, ହୃଦୟ ଭିତରେ ଗ୍ରହଣ କରିବାର ଦୁର୍ଦ୍ଧର୍ଷ ପ୍ରବୃତ୍ତି ଥିବା ଉଚିତ, ତୀର୍ଥ ଦେଖି ବାହାରିଥିବା ଆଖି ଭିତରେ ଯଥେଷ୍ଟ ଉତ୍ସାହ ରହିଥିବା ଉଚିତ, ମଣିଷର ସନ୍ନିଧିକୁ ଆସି ମଣିଷକୁ ମଣିଷର ମୂଲ୍ୟ ଦେଇ ଚିହ୍ନିବାର ସାହସ ଥିବା ଉଚିତ । ନହେଲେ କୌଣସି ଦେଖା ସାର୍ଥକ ହୁଏନାହିଁ ।

 

୧୩ । ୧୨ । ୬୧

 

କାଲି ସମସ୍ତ ପୃଥିବୀକୁ ମୋ’ର ପଡ଼ୋଶୀ ପରି ଯାଇଥିବା ଭଳି ଅନୁଭବ କରୁଥିଲି । ମୋ’ ବଗିଚାର ଫୁଲ, ମୋ’ ଘରେ ଜଳୁଥିବା ଅଗରବତୀର ଧୂପ,—ଏସବୁ କାଲି ସମସ୍ତ ପୃଥିବୀକୁ ସ୍ଵାଗତ କରି ଆଣୁଥିବା ପରି ମନେହେଲା । ମୋ’ର ଘରର କବାଟ କାଲି ମଣିଷ ମାତ୍ରକେ ସମସ୍ତଙ୍କୁ ନିମନ୍ତ୍ରଣ କରି ଆଣୁଥିବା ପରି ମନେ ହେଲା, ସବୁ ମଣିଷଙ୍କୁ କେବଳ ବନ୍ଧୁ କରି ଡାକି ଆଣୁଥିବା ପରି ମନେହେଲା । ଦରିଦ୍ର ଭାରତବର୍ଷର ଗୋଟାଏ କ୍ଷୁଦ୍ର ଥାନରେ ମୋ’ର ଏହି କ୍ଷୁଦ୍ର ନିବାସଟି, ତଥାପି ଏହାରି ମଧ୍ୟରେ କାଲି ମୁଁ ବିଶ୍ଵନିବାସ ଅବସ୍ଥାନ କରୁଥିବା ପରି ଅନୁଭବ କରୁଥିଲି । କାଲି ଦିନମାନର ଅଭିଜ୍ଞତା ମଧ୍ୟରେ ଆହୁରିଥରେ ବୁଝିଲି ଯେ, ମୋଟେ ଏପର୍ଯ୍ୟନ୍ତ କୌଣସି ପ୍ରକାର ଅସ୍ପୃଶ୍ୟତା ସ୍ପର୍ଶ କରି ପାରିନାହିଁ । ଭାରତବର୍ଷର ଜୀବନରେ ନାନାପ୍ରକାର ସାମାଜିକ ଅସ୍ପୃଶ୍ୟତା ଖୁନ୍ଦି ହୋଇରହିଚି, ଆଧୁନିକ ମଣିଷ ସମାଜରେ ନାନାପ୍ରକାର ମାନସିକ ଅସ୍ପୃଶ୍ୟତା ରହି ମନୁଷ୍ୟର ସମ୍ପର୍କକୁ ନାନାପ୍ରକାରେ ଦୁର୍ଗନ୍ଧପୂର୍ଣ୍ଣ କରି ରଖିଚି । ମୋ’ରି ଘର ପାହାରେ ଯିଏ ପ୍ରକୃପିତ ଆଡ଼ମ୍ବର ଦେଖାଇ ଜାତି, ଧର୍ମ, ସଂସ୍କାର ଓ ରାଜନୀତି ନାମାନରେ ଅସ୍ପୃଶ୍ୟତାର ପ୍ରଚାର କରୁଚି, ମୁଁ ତାକୁ ଯେପରି ଆଦୌ ବୁଝି ପାରୁନାହିଁ, ତାକୁ ମୋ’ର ଆପଣାର ନିକଟବର୍ତ୍ତୀ ବୋଲି ଅନୁଭବ କରିପାରୁନାହିଁ । କିନ୍ତୁ ସଂସାରର ଆଡ଼ ପାଖରୁ ଯିଏ ସବୁ ପ୍ରକାରର ବାରଣକୁ ଅସ୍ଵୀକାର କରି କେବଳ ବନ୍ଧୁ ଭାବରେ ମୋ’ ଆଡ଼କୁ ହାତ ବଢ଼ାଇଚି, ମୋ’ର ମୁକ୍ତ ବାତାୟନ ଦେଇ ମୁଁ ସେହି ବନ୍ଧୁର ଦର୍ଶନ କରିପାରୁଚି ।

 

୧୪ । ୧୨ । ୬୧

 

ପାଖ ଗାଆଁରେ ଗୋଟିଏ ମାଇନର ସ୍କୁଲର ପ୍ରଧାନ ଶିକ୍ଷକ, କାଲି କଥା ପ୍ରସଙ୍ଗରେ ଜାଣିବାକୁ ପାଇଲି ଯେ, ଏହି କାମ କରି ତାଙ୍କର ଅଡ଼ତିରିଶି ବର୍ଷ କଟିଗଲା । ଆଉ ବରଷେ ଗଲେ ହୁଏତ ସେ ଆପଣାର କାର୍ଯ୍ୟରୁ ଅବସର ଗ୍ରହଣ କରିବେ । ଗୋଟିଏ ବିଦ୍ୟାଳୟରେ ଏତେ ଦୀର୍ଘକାଳ କାର୍ଯ୍ୟ କରି ତାଙ୍କର ଏହି ଅନୁଷ୍ଠାନ ପ୍ରତି ଭାରି ମମତା ଆସି ଯାଇଚି । ଆପଣାର ଜନ୍ମସ୍ଥାନ ଛାଡ଼ି ସେ ଏହିଠାରେ ହିଁ ଆପଣାର ଘର ତିଆରି କରି ନେଇଚନ୍ତି । ତଥାପି ତାଙ୍କର କଥାରୁ ବୁଝିଲି ଯେ, ସେ ଆପଣା କାର୍ଯ୍ୟରୁ ସଂପୂର୍ଣ୍ଣ ସନ୍ତୋଷ ପାଇ ପାରିନାହାନ୍ତି । ଆପଣା ମନର କଳ୍ପନା ଅନୁସାରେ ସେ ବିଦ୍ୟାଳୟଟିକୁ ଗଢ଼ି ପାରିନାହାନ୍ତି । ପ୍ରାୟ ତିନି ବର୍ଷ ହେଲା ତୋଫାନରେ ଗୋଟିଏ ଘରର ଛାତ ଉଡ଼ିଯାଇଚି, ତଥାପି ସେ ତାହାର ମରାମତ କରି ପାରିନାହାନ୍ତି । ଉପର ହାକିମମାନଙ୍କର ନୂତନ ପ୍ରୟୋଗ କରି ଦେଖାଇବାର ପ୍ରଶ୍ନ ହିଁ ଉଠୁନାହିଁ । ସେଥିଲାଗି ଶିକ୍ଷକର ଯେଉଁ ସ୍ଵତନ୍ତ୍ରତା ଓ ଆତ୍ମନିର୍ଭରତା ପ୍ରଶ୍ନ ହିଁ ଉଠୁନାହିଁ । ସେଥିଲାଗି ଶିକ୍ଷକର ଯେଉଁ ସ୍ଵତନ୍ତ୍ରତା ଓ ଆତ୍ମନିର୍ଭରତାର ବାତାବରଣ ଦରକାର, ତାହା ସେ ଏପର୍ଯ୍ୟନ୍ତ ପାଇ ନାହାନ୍ତି । ତାଙ୍କର ହୃଦୟ ଭିତରକୁ ନିରୀକ୍ଷଣ କରି ଯେପରି ମୁଁ ଏକ ହତାଶ ମଣିଷକୁ ଅନୁଭବ କରି ପାରିଲି । ଅଡ଼ତିରିଶ ବରଷ ପରେ ମଧ୍ୟ ଏହି ସମାଜ ତାଙ୍କୁ କଳ କରି ରଖିଚି, ମଣିଷ ପରି ବ୍ୟବହାର କରିନି ।

 

୧୫ । ୧୨ । ୬୧

 

ଶୀତଶଙ୍କିତ ହାତ ସଂଶୟ ପ୍ରକାଶ କରି କହୁଚି, କ’ଣ ବିଶ୍ଵାସ କମି ଯାଉଚି କି ? ଏଣେ ହୃଦୟ ଶଙ୍କାସମାଧାନ କରି ଉତ୍ତର ଦେଉଚି, ନାଇଁ, ବିଶ୍ଵାସ କମି କମି ଯାଉନାହିଁ, ଅଶ୍ଵସ୍ତି ହିଁ ବଢ଼ି ବଢ଼ି ଯାଉଚି । ଭିତରର ଅଶ୍ଵସ୍ତି ହାତର ସଂଞ୍ଚାଳନରେ ମଧ୍ୟ ପ୍ରକାଶ ପାଇବାକୁ ଆରମ୍ଭ କଲାଣି । ତେଣୁ ଏହି ହାତର ଲେଖା ଅକ୍ଷରରୁ ମଧ୍ୟ ତାହାର ପ୍ରମାଣ ମିଳିବାକୁ ଆରମ୍ଭ କଲାଣି । ଏହି ଅଶ୍ଵସ୍ତିର ନାନା କାରଣ ରହିଚି । ଆପଣା ଭିତରକୁ ଅନାଇ ମୁଁ ନାନା ଥାନରେ ନାନା କ୍ଷତର ବେଶ୍ ନିରୂପଣ କରି ପାରୁଚି । କିନ୍ତୁ ସବୁଠାରୁ ବଡ଼ ଅଶ୍ଵସ୍ତି ହେଉଚି, ବାତାବରଣର ଅଶ୍ଵସ୍ତି । ଆପଣାର କାମରେ ଆପଣାକୁ ଯେତେ ନିମଗ୍ନ କରି ରଖିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତଥାପି ମୁଁ ବାହାରକୁ ଅନାଇ ବଡ଼ ଅନ୍ୟମନସ୍କ ଓ ବିଚରିତ ହୋଇପଡ଼ୁଚି । ମନେ ହେଉଚି, ଯେପରି କେବଳ ଅର୍ଥୋପାର୍ଜନ ଲାଗି ମୋଟେ ବାଧ୍ୟ ହୋଇ ଏଠି ଶିକ୍ଷକର କାମ କରିବାକୁ ହେଉଚି । ଆପଣା ଭିତରେ ଥିବା ମଣିଷକୁ ଅବହେଳିତ କରି ଉପବାସୀ ରଖି ତଥାପି ଯେ ଅର୍ଥୋପାର୍ଜନ କରିବାକୁ ହେବ, ଏ ବିଷୟରେ ମୁଁ ମୋ’ର ଅବୋଧ ତାରୁଣ୍ୟକୁ କୌଣସି ବୋଧ ଦେଇ ପାରୁନାହିଁ । ବାରବାର ମୁଁ ଅଶ୍ଵସ୍ତ ହୋଇ ଭାବୁଚି, ମଣିଷକୁ ବଞ୍ଚିତ କରି ତଥାପି ଏ ଆଡ଼ମ୍ବର କାହିଁକି, ଶ୍ରଦ୍ଧାକୁ ବଞ୍ଚିତ ରଖି ତଥାପି ଏହି କର୍ତ୍ତୃତ୍ଵ କାହିଁକି, ହୃଦୟକୁ ଅଶିକ୍ଷିତ ରଖି ତଥାପି ଏହି ଶିକ୍ଷାର ଆଡ଼ମ୍ବର କାହିଁକି ? ଏତେ ଭୟ କାହିଁକି, ଏତେ ସତର୍କତା କାହିଁକି, ଅପର ମଣିଷର ବିକାଶ ପ୍ରତି ଏ ଦ୍ଵେଷ କାହିଁକି ? ଜୀବନରେ ଯେଉଁ ମୂଲ୍ୟୋପାଦାନଗୁଡ଼ିକ ଉପରେ ଆଧାର କରି ମୁଁ ମୋ’ର ଦୃଷ୍ଟିକୁ ବିକଶିତ କରି ଆସିଥିଲି, ଚାରିଆଡ଼କୁ ଅନାଇ ମୁଁ ସେହି ଦୃଷ୍ଟିର ଅନୁପସ୍ଥିତି ହିଁ ଅନୁଭବ କରୁଚି । ସେହି ଦୃଷ୍ଟି ଉପରେ ବିଶ୍ଵାସ ବଢ଼ିବା ସଙ୍ଗେ ସଙ୍ଗେ ବାହାର ସ୍ଥିତି ବିଷୟରେ ମୋ’ର ସେତିକି ଅଶ୍ଵସ୍ତି ବଢ଼ି ବଢ଼ି ଯାଉଚି । ଆପଣାକୁ ମୁଁ ଅଶ୍ଵସ୍ତ ହୋଇ ପଚାରୁଚି, ମୋ’ର କ’ଣ କିଛି କରିବାର ନାହିଁ, ବ୍ୟକ୍ତିର କ’ଣ କିଛି କରିବାର ନାହିଁ ?

 

୧୬ । ୧୨ । ୬୧

 

କଅଁଳ ଯୌବନ ବୟସରେ ପ୍ରଧାନତଃ ମୁଗ୍‌ଧ ହୋଇ ମୁଁ ମଣିଷକୁ ଆପଣା ଜୀବନରେ ସ୍ଵୀକାର କରି ନେଇଥିଲି । ସେହି ଘଟଣାର ପ୍ରାୟ କୋଡ଼ିଏବର୍ଷ ପରେ ଆଜି ମୁଁ ସେହି ସ୍ଵୀକାରକୁ ଖାଲି ନିର୍ବୋଧତା ବୋଲି କଦାପି ଉଡ଼ାଇ ଦେବିନାହିଁ । ମୁଁ କହିବି ଯେ, ମୋ’ର ସମସ୍ତ ଜୀବନଦୃଷ୍ଟି ହିଁ ସେହି ସ୍ୱୀକାରର ଆଧାରଶିଳା ଉପରେ ନ୍ୟସ୍ତ ହୋଇରହିଚି । ମୋ’ର ଧର୍ମ ଦୃଷ୍ଟି ଓ ମୋ’ର ଶ୍ରଦ୍ଧାମୂଳ ଜୀବନବିଚାର ମୋ’ର ବୟସ ଓ ମୋ’ର ଅଭିଜ୍ଞତା ପରିପକ୍ଵ ହୋଇ ଯାଉଥିବା ସଙ୍ଗେସଙ୍ଗେ ଅଧିକରୁ ଅଧିକ ସ୍ଵୀକାରତ୍ମକ ହେବାରେ ଲାଗିଚି । ଜୀବନଟାକୁ ଯେ ମୁଁ କେବେ ଶୂନ୍ୟ ବୋଲି ବିଚାର କରିବି, ଏହି ଜଗତଟାକୁ ଯେ ମୁଁ କେବେ ଶୂନ୍ୟ ବୋଲି ବିଚାର କରିବି, ଏହି ଜଗତଟାକୁ ଯେ ମୁଁ କେବେ ମୂଲ୍ୟନିରପେକ୍ଷ ଉଦ୍ଦେଶ୍ୟହୀନ ନିଃସାରତା ବୋଲି ଗ୍ରହଣ କରିବି, ବର୍ତ୍ତମାନ ମୁଁ ତାହା କଳ୍ପନା ମଧ୍ୟ କରି ପାରୁନାହିଁ । ଏପର୍ଯ୍ୟନ୍ତ ମଣିଷ ନିର୍ବିଶେଷରେ ମୁଁ ସମସ୍ତଙ୍କୁ ଶ୍ରଦ୍ଧା କରି ଆସିଚି, ମନୁଷ୍ୟତ୍ଵର ନିବେଦନ ହିଁ ମୋ’ର ମୋହବିଶ୍ଵାସ ଗୁଡ଼ିକର ସର୍ବପ୍ରଧାନ ଦ୍ରାବକ ହୋଇ ରହିଚି ।ରି ପାରିନାହିଁ, କିନ୍ତୁ ମଣିଷକୁ ଅଧିକ ସତ୍ୟ କରି ପାରିବାର ଉତ୍ସାହରେ ହିଁ ମୁଁ ଅନ୍ୟାୟ ପ୍ରତି ଅସହିଷ୍ଣୁ ହୋଇପଡ଼ିଚି । ସଭିଙ୍କୁ ଜୀବନପଥରେ ସମ୍ମାନିତ ଯାତ୍ରାସହଚର କରି ଦେଖିବା ଆଗ୍ରହରେ ହିଁ ମୁଁ ଅଶିକ୍ଷିତ କ୍ଷମତାଲାଳସାକୁ ସହ୍ୟ କରି ପାରିନାହିଁ । ମଣିଷକୁ ମୁଁ ଟଙ୍କା ବା ସୁନାରୂପାର ମୂଳ ଦେଇ ତଉଲି ପାରିନାହିଁ, କେବଳ ମଣିଷର ମୂଲ ନଦେଇ ତଉଲିଚି ।

 

୧୭ । ୧୨ । ୬୧

 

ଆମ ଦେଶରେ ଗ୍ରାମଜୀବନରେ ଯେଉଁ ସହଜତା ଅତି ପାରମ୍ପରିକ ଭାବରେ ଅଥଚ ସ୍ଵାଭାବିକ ଭାବରେ ରହିଥିଲା, ଆଧୁନିକ ସଭ୍ୟତାର ହାଉଆ ବାଜି ତାହା କ୍ରମେ ନଷ୍ଟ ହୋଇଯାଉଚି-। ଗାଁକୁ ଯିବା ମାତ୍ରକେ ମନେ ହେଉଚି, ସେଠି ଯେପରି କେଡ଼େ ସ୍ଵାଭାବିକ ଭାବରେ ମଣିଷର କେତେ ଶ୍ରଦ୍ଧା ଓ କେତେ ଖୁସୀ ଅପେକ୍ଷା କରି ରହିଚି । ଏହି ଶ୍ରଦ୍ଧା ଓ ଖୁସୀକୁ କେବଳ ଅଜ୍ଞତା ବା ଆଦିମ ନିରୀହତା କହି ଉଡ଼ାଇ ଦେଇ ହେବ ନାହିଁ । ଆଧୁନିକ ସମାଜର ଚତୁରତା ଓ ଧୂର୍ତ୍ତତା ଗୁଡ଼ାକୁ ଏମାନେ ଜାଣିନାହାନ୍ତି ବୋଲି ଯେ ଗ୍ରାମବାସୀମାନେ ଏତେ ସରଳ ବ୍ୟବହାର ଦେଖାଉଚନ୍ତି, ତା ନୁହେଁ । ଗ୍ରାମଜୀବନର ସାମାଜିକ ସଂଗଠନ ଭିତରେ ଏପରି ଏକ ପ୍ରାଣମୟତା ରହିଚି, ଯାହାକି ସେମାନଙ୍କର ଜୀବନକୁ ଏତେ ସହଜ ଓ ପ୍ରାଣମୟତା ରହିଚି, ଯାହାକି ସେମାନଙ୍କର ଜୀବନକୁ ଏତେ ସହଜ ଓ ପ୍ରାଣମୟ କରି ରଖିଚି । ମଣିଷର ସମ୍ପର୍କରେ ଆସିବା ମାତ୍ରକେ ସେମାନେ ସତର୍କ ହେବାର ବା ଶଠତା କରିବାର କୌଣସି ଆବଶ୍ୟକତା ଅନୁଭବ କରୁନାହାନ୍ତି । ବରଂ ମୁଁ ତ କହିବି, ଆମ ଦେଶରେ ଗ୍ରାମଜୀବନ ତା’ର ଆପଣାର ଉପାୟରେ ସହର ସଭ୍ୟତା ଭିତରେ ରହିଥିବା କୃତ୍ରିମତା ଓ ସଚେତନାର ପ୍ରତିରୋଧ ମଧ୍ୟ କରୁଚି, କିନ୍ତୁ ପାରୁନାହିଁ । ସହରର ଜୀବନକୁ ପ୍ରକଟିତ କରୁଥିବା ପ୍ରବଳ ପ୍ରତିଦ୍ଵନ୍ଦିତା-ବୃତ୍ତି ଆଜି ସମଗ୍ର ସାମାଜିକ ଜୀବନକୁ ଏପରି ନିବିଡ଼ ଓ ବ୍ୟାପକ ଭାବରେ ନିୟନ୍ତ୍ରିତ ଯେ, ଗ୍ରାମଜୀବନ ମଧ୍ୟ ତାହାର ସମକ୍ଷରେ ଆପଣାର ସ୍ଵକୀୟତା ସହିତ ବଞ୍ଚି ରହି ପାରୁନାହିଁ । ସଂସାରରେ ତିଷ୍ଠି ରହିବାକୁ ହେଲେ ତାକୁ କ୍ରମେ ସହରର ବ୍ୟାପାରରୀତିକୁ ଶିଖିବାକୁ ହିଁ ପଡ଼ୁଚି, ଏହି ଜୀବନ ସଂଗ୍ରାମରେ ବୋକା ନହେବାର ଭୟରେ ସେ ଆପଣାର ସକଳ ସାଂସ୍କୃତିକ ଚେରକୁ ଛଡ଼ାଇ ଆଧୁନିକ ହେଉଚି-

 

୧୮ । ୧୨ । ୬୧

 

ଆଜି ସକାଳର ଏହି ମଧୁର ମୁହୂର୍ତ୍ତରେ ମୋର ଜୀବନ ଯେପରି ସକଳ ଜୀବନ ସମ୍ପର୍କସ୍ପର୍ଶରେ ଭରି ଉଠିଥିବା ପରି ମନେ ହେଉଚି । ଭୌତିକ ପୃଥିବୀର ସମସ୍ତ ଶୀତଜର୍ଜରତା ସତ୍ତ୍ୱେ ମୋର ହୃଦୟ ଭିତରେ ମୁଁ ପ୍ରାଣମୟ ପୃଥିବୀର ସକଳ ଉଷ୍ମତାକୁ ଅନୁଭବ କରିପାରୁଚି । ଭିତରେ କାହାର ନିର୍ଭର ପାଇ ଯେପରି ମୋର ମନ କହିଉଠୁଚି ଯେ, ସଂସାରର ବାଟରେ ଏକୁଟିଆ ହୋଇରହିବା ଲାଗି ଆଉ କୌଣସି ଶଙ୍କା ନାହିଁ, ବୁଢ଼ା ହୋଇ ଯିବାର କୌଣସି ଭୟ ନାହିଁ । ଆପଣାର ଦ୍ଵେଷ ହିଁ ମଣିଷକୁ ବୁଢ଼ା କରି ପକାଏ, ଆପଣା ଦ୍ଵେଷର ଅତିକାୟ ଓ ଅତିସ୍ଫୀତ ବନ୍ଧମାନ ପକାଇ ମଣିଷ ସଂସାରରୁ ଅଲଗା ହୋଇଯାଏ । ସେପରି କୌଣସି ଦ୍ଵେଷ ପୋଷଣ କରି ମୁଁ ଜୀବନରେ ମଦଖାଇ ବସିବାର କୌଣସି ଆବଶ୍ୟକତା ଅନୁଭବ କରିନାହିଁ । ହାରିଯିବାରେ ମୋର କୌଣସି ଭୟନାହିଁ । କାରଣ କେଉଁଠି କାହାଠାରୁ ପାଦେ ବଳିଯାଇ କେଉଁ ଗଡ଼ ଜିତି ଆଣିବା ଲାଗି ମୋ’ ଭିତରେ କୌଣସି ଉଦ୍‌ବେଗ ନାହିଁ । ମୁଁ ଜୀବନଟାକୁ ବା ହାରିବାର ଯୁଦ୍ଧଭୂଇଁ ବୋଲି ମନେ କରେନାହିଁ । ଜୀବନରେ ସମ୍ମାନ ହାସଲ କରିବାଲାଗି ମୁଁ ହୃଦୟକୁ ଅଣନିଃଶ୍ଵାସୀ କରାଇ ନାନା ତୃପ୍ତ ଓ ଅତୃପ୍ତ କର୍ତ୍ତୃତ୍ଵ ମୋହରେ ଦଂଶନ କରି ବୁଲିବାକୁ ଚାହେ ନାହିଁ । ଏହି ସଂସାରରେ ମୁଁ ଆପଣାକୁ ମୋ’ର ଜୀବନବିଧାୟକର ପୁତ୍ର ବୋଲି ମନେ କରେ, ଏ ବିରାଟ ବିଶ୍ଵକୁ ମୁଁ ମୋର ଉତ୍ତରାଧିକାର ବୋଲି ଗ୍ରହଣ କରେ । ତେବେ ଆପଣା ଘରେ ମୁଁ ଏତେ ଡରିମରି ଉଚ୍ଛନ୍ନ ହେବି କାହିଁକି ?

 

୧୯ । ୧୨ । ୬୧

 

ଆପଣା ଦେଶରେ ଅଭିନୟ କରିବାର ଅର୍ଥ ହେଉଚି ଆପଣାକୁ ଠକିବା । ମଣିଷର ମନଃସମ୍ପର୍କରେ ସାରା ପୃଥିବୀ ମଧ୍ୟ ଗୋଟିଏ ଦେଶ ବା ଗୋଟିଏ ପ୍ରତିବେଶ ପରି କ୍ଷୁଦ୍ରାୟତନ ହୋଇ ଆସୁଥିବା ବେଳେ ଏହି ପୃଥିବୀର ଯେକୌଣସି କ୍ଷେତ୍ରରେ ଅଭିନୟ କରିବାର ଅର୍ଥ ହେଉଚି, ଆପଣାକୁ ହିଁ ଠକିବା । ଆପଣା ଭିତରେ ନାନାପ୍ରକାର ଅସାଧୁତାକୁ ଅବାରିତ ପ୍ରଶୟ ଦେଇ ଅନେକ ସମୟରେ ଆମେ ବାହାରେ ଅତି ସାଧୁ ବା ଅତି ଭଦ୍ର ପରି ବ୍ୟବହାର ଦେଖାଉଥାଉ । ନିଜ ଭିତରେ ନାନପ୍ରକାର ଶଙ୍କା ଓ ସ୍ଵାର୍ଥ ବୁଦ୍ଧିଜନିତ କ୍ଷୁଦ୍ର ବୁଦ୍ଧି ଦ୍ଵାରା ପ୍ରଚଳିତ ହୋଇ ତଥାପି ଆମେ ବାହାରେ ନାନା ମହାନ୍ ଦାୟିତ୍ଵ ତୁଲାଉ ଥିବାର ଅଭିନୟ କରୁଥାଉ । ଭିତରେ କେବଳ ସଂକୀର୍ଣ୍ଣ ଆପଣାଲାଗି ସତର୍କ ଓ ତୁଷ୍ଟ ଜୀବନ ବଞ୍ଚୁଥିବାର ଆଡ଼ମ୍ବର କରିଥାଉ । ଆମ ଦେଶର ଶିକ୍ଷାକ୍ଷେତ୍ର ମଧ୍ୟ ଆଜି ଏହିପରି ଏକ ଦୁଷ୍ଟତାର ଦୋଷରେ ବଡ଼ ଜର୍ଜର ହୋଇରହିଚି-। ଶିକ୍ଷାଳୟରେ ଶିକ୍ଷକର ଏକ ମହାନ୍ ଦାୟିତ୍ଵ ରହିଚି, କର୍ତ୍ତାମାନଙ୍କର ମଧ୍ୟ ମହାନ୍ ଦାୟିତ୍ଵ ରହିଚି-। କିନ୍ତୁ କର୍ତ୍ତା ଯେତେବେଳେ ଆପଣାର କର୍ତ୍ତବ୍ୟ ବିଷୟରେ ସଂପୂର୍ଣ୍ଣ ଅସଚେତନ ରହି କେବଳ ଆପଣାର କର୍ତ୍ତୃତ୍ଵ ଜାରି କରିବାରେ ମସ୍ତ ହୋଇରହେ, ସେତେବେଳେ ସେ ଆପଣାର ଅହଂକାରଟାକୁ ନେଇ ଯେତେ ଅଭିନୟ କରୁଥାଉ ପଛକେ, ସେ ଶିକ୍ଷାଳୟର କେବଳ କ୍ଷତି ହିଁ କରେ । ଯେତେବେଳେ ଶିକ୍ଷକ ଆପଣାର ଶିକ୍ଷିତ ଦାୟିତ୍ଵମାନ ଭୁଲି କେବଳ ପଇସା କମାଉଚି ବୋଲି ଆପଣାର କାମଟାକୁ ଯେକୌଣସି ପ୍ରକାରେ ତୁଲାଇ ନେବାର ମନ୍ଦଚେଷ୍ଟା କରେ, ସେତେବେଳେ ସେ ସମାଜ ପାଖରେ ଏକ ଘୋର ଅପରାଧରେ ଅପରାଧୀ ହୋଇରହେ-। ଏହାଦ୍ୱାରା ବିଦ୍ୟାଦାନ ନାମରେ ବିଦ୍ୟାଳୟରେ କେବଳ ବିଦ୍ୟାବିହୀନ ବ୍ୟାପାର ହିଁ ଚାଲେ-। ଏହାଦ୍ୱାରା କାହାରି ଜୀବନ କୌଣସି ପ୍ରକାରେ ଗଢ଼ା ହୁଏନାହିଁ । ଶିକ୍ଷକ ଗୋଲାମ ହୋଇଯାଏ, କର୍ତ୍ତାର ସମସ୍ତ କର୍ତ୍ତୃତ୍ଵ କେବଳ ତାହାକୁ ହିଁ ଅଧିକ ଅନ୍ଧ କରି ରଖେ । ମଣିଷର ଭିତରେ ସେ ଅଧିକରୁ ଅଧିକ ଶୂନ୍ୟ ହେବାରେ ଲାଗେ, ହାସ୍ୟାସ୍ପଦ ହୋଇ ରହିବାର ଦୈନ୍ୟ ବଢ଼େ ।

 

୨୦ । ୧୨ । ୬୧

 

ଇଂଲଣ୍ଡ ଆଉ ଆମେରିକାର ସମ୍ପର୍କରେ ଆସି ଆମେ ଭାରତବର୍ଷରେ ଗଣତନ୍ତ୍ର ପ୍ରତିଷ୍ଠା କରିବାର ପ୍ରେରଣା ପାଇଚୁ, ମଣିଷ ହିସାବରେ ଆପଣାର ସମ୍ମାନ ଓ ସ୍ଵତନ୍ତ୍ରତା ସହିତ ଜୀବନ ବଞ୍ଚିବାର ପ୍ରେରଣା ପାଇଚୁ । ଆବ୍ରାହମ୍ ଲିଙ୍କନଙ୍କୁ ମହାତ୍ମା ଗାନ୍ଧୀଙ୍କର ସମକକ୍ଷ ଆସନରେ ବସାଇବାଲାଗି ଏ ଦେଶରେ ଅନେକ ମଣିଷ ନିଶ୍ଚୟ କୌଣସି ପ୍ରକାରେ କୁଣ୍ଠିତ ହେବେନାହିଁ । କିନ୍ତୁ ତଥାପି ଆପଣାର ସମସ୍ତ ପ୍ରେରଣାକୁ କର୍କଶ ଆଘାତ ଦେଇ ସେହି ଦୁଇ ଦେଶରେ ଯେପରି ଏକ ଆଦିମ ଅମାନବିକ ପ୍ରବୃତ୍ତି ଅତି ଅସୁନ୍ଦର ଭାବରେ ପ୍ରକଟ ହୋଇଉଠେ । ମନେହୁଏ, ଯେପରି ତଥାପି ସେହି ଦୁଇ ଦେଶରେ ବିଚାର ଭିତରେ ପୁଣି ଦୁଇ ତିନି ଶତାବ୍ଦୀ ପଛକୁ ଫେରି ଯିବାର ଏକ ପ୍ରବଳ ପ୍ରବୃତ୍ତି ଏପର୍ଯ୍ୟନ୍ତ ମଧ୍ୟ ବଞ୍ଚି ହୋଇ ସଂସାରକୁ ବାହାରିଥିଲେ, ଆଜି ମଧ୍ୟ ନାନା ଆକାର ଓ ନାନା ପ୍ରକାରରେ ସେମାନଙ୍କର ଏହି ପରିଚୟଟା ବଡ଼ ସ୍ପଷ୍ଟ ଭାବରେ ଅବଶିଷ୍ଟ ରହିଯାଇଚି । ବେଳେବେଳେ ଏହି ପ୍ରବୃତ୍ତିଟା ହିଁ ଅନ୍ୟ ସକଳ ମାନବିକ ପ୍ରବୃତ୍ତିକୁ ଦୂରକୁ ଫିଙ୍ଗିଦେଇ ସବୁଠାରୁ ଅଧିକ ପ୍ରବଳ ହୋଇଉଠେ । ସେମାନଙ୍କର କାର୍ଯ୍ୟକଳାପରୁ ବାରବାର ଏହି ମତଲବ ପ୍ରକାଶ ପାଏ, ଯେପରି ସେମାନେ ଆଜି ମଧ୍ୟ ସାରା ସଂସାରର ମହାଜନ ଓ ମାଲିକ ହୋଇ ରହିବାକୁ ଇଚ୍ଛା କରୁଚନ୍ତି, ସାରା ସଂସାରଟାକୁ ଯେପରି ଆଜି ମଧ୍ୟ ସେମାନେ ଆପଣାର ଜମିଦାରେ ବୋଲି ବିଚାର କରୁଚନ୍ତି । ଏହି ସ୍ଵାର୍ଥୋତ୍ତେଜିତ ପର୍ଯ୍ୟାୟରେ ସେମାନଙ୍କର ଗଣତାନ୍ତ୍ରିକ ଓ ମାନବିକ ଭାବନାଗୁଡ଼ିକ କୁଆଡ଼େ ମରି ଉଡ଼ିଯାଏ । ମନୋବିଜ୍ଞାନରେ ପଛକୁ ଫେରିଯିବାର ପ୍ରବୃତ୍ତିକୁ regression ବୋଲି କହନ୍ତି । ଇଂଲଣ୍ଡ ଓ ଆମେରିକାର ଏହି ପ୍ରବୃତ୍ତିକୁ ଜାତୀୟ ସ୍ତରରେ ଏକ regression ବୋଲି କୁହାଯାଇପାରେ ।

 

୨୧ । ୧୨ । ୬୧

 

ଜମିଦାରୀ ଚାଲି ଗଲାପରେ ମଧ୍ୟ ଏଦେଶରେ ଅନେକ ଆସନଚ୍ୟୁତ ଜମିଦାରଙ୍କର ମନ ଭିତରେ ଜମିଦାରୀ ମନୋଭାବ ଏପର୍ଯ୍ୟନ୍ତ ବଞ୍ଚି ରହିଚି । ଠିକ୍ ସେହିପରି ଉପନିବେଶ ଚାଲି ଗଲାପରେ ମଧ୍ୟ ଇଂଲଣ୍ଡ ଓ ଫ୍ରାନ୍‌ସ ପ୍ରଭୃତି ଦେଶର ପ୍ରବୃତି ଭିତରେ ସଂସାରରେ ମାଲିକ ବୋଲି ଗଣ୍ୟ ହେବାର ମନୋଭାବ ଏପର୍ଯ୍ୟନ୍ତ ବଞ୍ଚି ରହିଚି । ଗତ କେତେବର୍ଷ ହେଲା ଆମେରିକା ମଧ୍ୟ ପୃଥିବୀର ବଜାରରେ ମହାଜନ ହୋଇ ବସି ରହିଚି । ପୃଥିବୀର ନାନା ଦେଶରେ ନାନା ହିତୈଷିତାର ଯୋଜନା ମେଲି ଦେଇ ଆମେରିକା ଆପଣାକୁ ପୂଣ୍ୟବାନ୍ ସେଠ ବୋଲି ବିଚାରୁଚି । ସେ ଭାବୁଚି, ସଂସାରରେ ସବୁଦିନ ଏହିପରି ଦାରିଦ୍ର୍ୟ ଓ ପରନିର୍ଭରତା ଲାଗି ରହିଥିବ, ସବୁଦିନ କେତେଟା ଦେଶ ଅଧସ୍ତନ ହୋଇ ସାହାଯ୍ୟର ଅପେକ୍ଷା ରଖୁଥିବେ, ଆଉ ସିଏ ଉଦାର କଲ୍ୟାଣକାଙ୍‌କ୍ଷୀ ଦାନୀ ବୋଲାଇବାର ଅବସର ସବୁଦିନେ ପାଉଥିବ । ପୃଥିବୀଟା ଯେ ଏକାବେଳେକେ ବଦଳି ଯାଉଚି, ଗତ ଦୁଇଶହ ବରଷର ଆର୍ଥିକ ଓ ରାଜନୀତିକ ପଶାଖେଳ ଯେ ଭାଙ୍ଗି ଭାଙ୍ଗି ଯାଉଚି, କାଲି ମାଲିକ ହୋଇବସିଥିବା ଇଂଲଣ୍ଡ ବା ଆଜି ମାଲିକ ହୋଇ ରହିବାର ନିଶା ଖାଇଥିବା ଆମେରିକା ସେକଥା ସହଜରେ ହୃଦୟଙ୍ଗମ କରି ପାରୁନାହାନ୍ତି, ଇତିହାସର ସତ୍ୟକୁ ହଜମ କରି ପାରିବା ଆଦୌ ସହଜ ବ୍ୟାପାର ନୁହେଁ । ତାହା ହଜମ କରିବାକୁ ହେଲେ ପୁରାତନ ଅନେକ ଦିନରୁ ସାଇତି ରଖିଥିବା ଅନେକ ମିଥ୍ୟା ଓ ଅନେକ ଭ୍ରମକୁ ଛାଡ଼ି ଆସିବା ଲାଗି ପ୍ରସ୍ତୁତ ହେବାକୁ ପଡ଼ିବ । ଆପଣା ଭିତରେ ରହିଥିବା ଅନେକ ମୋହ ଓ ଅନେକ ଅଭିମାନ ଛାଡ଼ି ଆସିବାକୁ ପଡ଼ିବ । ସବୁ ମଣିଷକୁ ମଣିଷର ସମ୍ମାନ ଦେଇ ସ୍ଵୀକାର କରିବାଲାଗି ପ୍ରସ୍ତୁତ ହେବାକୁ ପଡ଼ିବ । ଆଜିର ନୂଆ ପୃଥିବୀରେ ବଞ୍ଚି ରହିବାକୁ ହେଲେ କୂଟନୀତି କୌଣସି କାମ ଦେବନାହିଁ, ବ୍ୟାପାର ବୁଦ୍ଧି କୌଣସି ସାହାଯ୍ୟ କରି ପାରିବନାହିଁ ।

 

୨୨ । ୧୨ । ୬୧

 

ପୃଥିବୀ ବଦଳି ଯାଉଚି । ମଣିଷର ଯୁଗ ଆସୁଚି । ଜାତି ନାମରେ ବା ଦେଶ ନାମରେ, ସଭ୍ୟତା ବା ଅର୍ଥରେ ବଳୀୟାରପଣ ଦେଖାଇ ଏହି ପରିବର୍ତ୍ତନକୁ କେହି ଅଟକାଇ ପାରିବନାହିଁ । କୌଣସି ମତବାଦର ପଥର ଦ୍ଵାରା କେହି ଏହି ପଥକୁ ବ୍ୟାହତ କରି ରଖି ପାରିବନାହିଁ । ଆମେରିକା ଅଟକାଇ ପାରିବ ନାହିଁ କି ଋଷିଆ ମଧ୍ୟ ଅଟକାଇ ପାରିବ ନାହିଁ । ଏପରି ପରିସ୍ଥିତିରେ ଇଂଲଣ୍ଡ ଆଉ ଫ୍ରାନ୍‌ସ ଯେପରି ଆଦିମ ଆଚରଣ କରୁଚନ୍ତି, ବିଚାର ଦୃଷ୍ଟିରୁ ଦେଖିଲେ ଇତିହାସର ସଂଗ୍ରହାଳୟରେ ହିଁ ସଭ୍ୟତା ନାମରେ ମଣିଷ ମାରିଚନ୍ତି, ଅତିରିକ୍ତ ଅସଭ୍ୟ ଆଚରଣମାନ କରିଚନ୍ତି-। ପୃଥିବୀର ପରିବର୍ତ୍ତିତ ପରିସ୍ଥିତିରୁ ଏମାନଙ୍କର ଯଥେଷ୍ଟ ଶିଖିବାର ଉଚିତ ଥିଲା । ତଥାପି ଏମାନେ ସେହି ପୁରୁଣା ଭ୍ରମଗୁଡ଼ାକର ବ୍ୟୁହ ଭିତରେ ରହି ଆପଣାକୁ ସୁରକ୍ଷିତ କରି ରଖିବାର ଅପଚେଷ୍ଟା କରୁଚନ୍ତି । ସଂସାରର ନୂତନ ଜାଗରଣ ଏହି ବ୍ୟୁହକୁ ଅବଶ୍ୟ ଭାଙ୍ଗି ପକାଇବ, ମଣିଷ ନୂତନ ଯୁଗର ଆହ୍ଵାନ ଆଗରେ ଏମାନେ ବେଶୀ ଦିନ ଆତ୍ମଗୋପନ କରି ରହି ପାରିବନାହିଁ । ବିଂଶ ଶତାବ୍ଦୀର ବିଜ୍ଞାନଯୁଗରେ ମଧ୍ୟ ଏମାନେ ଅଷ୍ଟାଦଶ ଶତାବ୍ଦୀର ଉପନିବେଶବାଦକୁ ଆଶ୍ରୟ କରି ରହିଚନ୍ତି । ଏହି ଆଶ୍ରୟର ମୋହ ଭାଙ୍ଗିବାକୁ ଆଉ ବେଶୀ ଦିନ ଡେରି ହେବନାହିଁ-

 

୨୩ । ୧୨ । ୬୧

 

ଆଜିଠାରୁ ବଡ଼ଦିନ ଆରମ୍ଭ ହେଲା । ମୋ’ର ଜୀବନର ପ୍ରତ୍ୟେକ ବରଷ ଏହି କେତୋଟି ଦିନ ହେଉଚି ପ୍ରକୃତରେ ବଡ଼ଦିନ । ଏହି ମହାନ୍ ପର୍ବର ପାଦଦେଶରେ ପହଞ୍ଚି ଆପଣାକୁ ଏକ ପୃଥିବୀର ପ୍ରତିବେଶୀ ବୋଲି ମନେହୁଏ । ଆପଣା ହୃଦୟର ବଜାର ଭିତରେ ମୁଁ ଜୀବନ-ଉତ୍ସବର ସ୍ପନ୍ଦନ ଅନୁଭବ କରିବାକୁ ଆରମ୍ଭ କରେ । ଏକ ଛୋଟ ଗାଁରେ ଏକ ଅତି ଅନାମଧେୟ ପରିବାରରେ ମୋ’ର ଜନ୍ମ ହୋଇଥିଲା । ସେହିଠାରେ ଠାକୁର ମନ୍ଦିରରେ ମୋ’ର ଭଗବତ୍‌ଭାବନା ସହିତ ପ୍ରଥମ ପରିଚୟ ହୋଇଥିଲା । ଆଜି ମଧ୍ୟ ମନେ ଅଛି, ମୁଁ କେଡ଼େ ଅନାବିଳ ଉତ୍ସାହର ସହିତ ବୋଉ ସହିତ ଠାକୁର ମନ୍ଦିରରେ ସଞ୍ଜ ଦେବାକୁ ଯାଉଥିଲି, ମହାଦେବ ମନ୍ଦିରକୁ ଭୋଗଡ଼ାଲା ନେଇ ଯାଉଥିଲା । ବୟସରେ ବଡ଼ ହେବା ସଙ୍ଗେସଙ୍ଗେ ଧର୍ମ ବିଷୟରେ ମୋ’ର ଜ୍ଞାନ ବଢ଼ିଲା । କିନ୍ତୁ ଜ୍ଞାନ ବଢ଼ିବା ସଙ୍ଗେ ସଙ୍ଗେ ଯେ ତେଣେ ହୃଦୟ ଯେ ଅଧିକ ପ୍ରଶସ୍ତ ଓ ଅଧିକ ଗ୍ରହଣଶୀଳ ହୋଇଯାଉଥିବ, ଏପରି ଅନୁମାନ କରିବାର କୌଣସି କାରଣ ନାହିଁ । କାରଣ, ସଂସାରରେ ମୁଁ ଅନେକ ମହାଜ୍ଞାନୀ ଓ ମହାପଣ୍ଡିତ ଦେଖିଚି, ଯେଉଁମାନଙ୍କର ହୃଦୟ ଅତ୍ୟନ୍ତ ସଂକୀର୍ଣ୍ଣ, ଆପଣାର ପ୍ରିୟ ଓ ପରିଚିତ ଧର୍ମ, ମାର୍ଗ ଓ ମତବାଦ ଭିତରୁ ଭ୍ରମି ନଯିବା ଲାଗି ସେମାନେ ଆପଣାକୁ କିପରି ସତର୍କ କରି ରଖିଥାନ୍ତି, ଅନ୍ୟ କୌଣସି ଧର୍ମ ଭାବନାର ଉଷ୍ମତାକୁ ଆପଣା ଭିତରେ ଅନୁଭବ ନକରିବାକୁ ସେମାନେ ଆପଣାର ହୃଦୟକୁ କିପରି କାଷ୍ଠବତ୍ କରି ରଖିଥାନ୍ତି, ଏ ସଂସାରରେ ମୁଁ ତାହାର ଅନେକ ଦୃଷ୍ଟାନ୍ତ ଦେଖିଚି । କିନ୍ତୁ ମୋ’ ଜୀବନରେ ଏପର୍ଯ୍ୟନ୍ତ ସେପରି ଘଟିନାହିଁ । ସବୁଠାରେ ଆପଣା ପ୍ରଭୁର ଦର୍ଶନ ଲାଭ କରୁଥିବା ଭାଗ୍ୟବାନ୍ ଭକ୍ତ ପରି ମୁଁ ଆମ ଗା ଦେଉଳଠାରୁ ଡେନମାର୍କର ଗୀର୍ଜାଘର ପର୍ଯ୍ୟନ୍ତ ସବୁଠାରେ ଏକ ପବିତ୍ର ସାନ୍ନିଧ୍ୟରେ ପରଶ ପାଇଚି, କୌଣସି ଥାନରେ ମୋ’ର ଇନ୍ଦ୍ରିୟଗୁଡ଼ାକ ଭୂଗୋଳର କୌଣସି ବାଡ଼ ମାନିନାହାନ୍ତି, ସବୁଠାରେ ମୋ’ର ହୃଦୟ ବିସ୍ତାରିତ ହୋଇଯାଇଚି, ମୋ’ର ଜୀବନର ମାର୍ଗରେ ମୁଁ ଏକ ଅଦ୍‌ଭୁତ ବେଗ ଅନୁଭବ କରି ସବୁଠି ମୁଁ ଧନ୍ୟ ହୋଇଚି ।

 

୨୪ । ୧୨ । ୬୧

 

ଧର୍ମଟି ଆଧୁନିକ ଜଣେ ଶାସ୍ତ୍ରକାର ଅଫିମ ବୋଲି କହିଚନ୍ତି । ଆଧୁନିକ ସମାଜରେ ତଥାକଥିତ ଆଧୁନିକ ରୁଚିସମ୍ପନ୍ନ ମଣିଷମାନେ ଧର୍ମକୁ ସକଳ ପ୍ରକାର ଅଜ୍ଞାନ ଓ ଦୁର୍ଦ୍ଦଶାର ପ୍ରଧାନ କାରଣ ବୋଲି କହିବେ । କିନ୍ତୁ ଧର୍ମକୁ ମୁଁ ମୋ’ର ଜୀବନରେ ହୃଦୟ ବିସ୍ତାରର ଭୂମି ବୋଲି ମାନି ନେଇଚି । ଧର୍ମକୁ ମୁଁ ସକଳ ପରିଚୟର ସଂଯୋଗସୂତ୍ର ରୂପେ ଅନୁଭବ କରିପାରିଚି । ଧର୍ମ ଜରିଆରେ ହଁ ମୁଁ ଏହି ସଂସାରର ନିବିଡ଼ତର ପରିଚୟ ପାଇଚି । ଧର୍ମ ସହିତ ଅନ୍ଧବିଶ୍ଵାସର କୌଣସି ସମ୍ପର୍କ ନାହିଁ, ଅଜ୍ଞାନ ସହିତ ଧର୍ମର କୌଣସି କାର୍ଯ୍ୟକାରଣମୂଳକ ସମ୍ପର୍କ ନାହିଁ । ଧର୍ମକୁ କୌଣସି ପ୍ରକାରେ ସ୍ଵୀକାର କରୁ ନଥିବା ଅନେକ ଅନ୍ଧବିଶ୍ଵାସୀ ଓ ଜ୍ଞାନହୀନ ମଣିଷ ଏ ସଂସାରରେ ଅଛନ୍ତି । ମଣିଷ ବା ମଣିଷସମୂହର ହୃଦୟରୁ ଅସଲ ଧର୍ମର ଭାବ ଅପସରି ଗଲେ ହିଁ ଦେବତା ଓ ଔପଚାରିକତାକୁ ଆଳ କରି ସଂସାରରେ ବ୍ୟଭାଚାର ଆରମ୍ଭ କରିବାକୁ ଦୁଃସାହସ କରିଥାଏ । ଧର୍ମ ହଟିଗଲେ ମଣିଷ ଆଦର୍ଶ ନାମରେ ନାନା ଅପଦେବତାକୁ ସାଧନରୂପେ ବ୍ୟବହାର କରି କ୍ଷମତାର ନିଶା ଖାଇବାକୁ ଯାଏ । ଧର୍ମ ରହିଥିବା ପର୍ଯ୍ୟନ୍ତ ଶ୍ରଦ୍ଧା ରହିଥାଏ, ଶ୍ରଦ୍ଧା ମଣିଷକୁ ସକଳ ପ୍ରକାରର ଉଗ୍ରତାରୁ ରକ୍ଷା କରି ରଖେ । ଧର୍ମ ମଣିଷକୁ ତା’ର ଭବଜୀବନର ସଂକୀର୍ଣ୍ଣ ସୀମା ଡିଆଁଇ ଦେଇ ଏକ ବୃହତ୍ତର ସଂଯୋଗ ଲାଗି ଯୋଗ୍ୟ କରାଏ, ହୃଦୟର ଯାବତୀୟ ଅନୁରକ୍ତିକୁ ଶୁଦ୍ଧ କରି ସେଗୁଡ଼ିକୁ ବିଶ୍ଵଦରବାରର ଯୋଗ୍ୟ କରାଏ । ମୋର ଆପଣା ଜୀବନରେ ମୁଁ ଧର୍ମଦ୍ଵାରା ପ୍ରଧାନତଃ ଏହିପରି ଭାବରେ ଉପକୃତ ହୋଇଚି । ଗୋଟିଏ ଦେଶ ଓ ଅଭିଧାର ବାଡ଼ ଡିଆଁଇ ଧର୍ମ ମୋତେ ସବୁରି ଯୋଗ୍ୟ କରି ପାରିଚି ।

 

୨୫ । ୧୨ । ୬୧

 

ଯୀଶୁଙ୍କର ଜନ୍ମଦିନକୁ ମୁଁ ଆଜି ନୂତନ ମଣିଷର ନବଜନ୍ମ ବୋଲି ଅନୁଭବ କରିବି । ପ୍ରତ୍ୟେକ ମଣିଷ ନୂତନ ବିଶ୍ଵାସର ଜନ୍ମଦିନ ବୋଲି ଅନୁଭବ କରିବି । ମୋର ଆପଣା ଭିତରେ ନୂତନ ମଣିଷ ଓ ନୂତନ ଜୀବନର ଜନ୍ମଦିନ ବୋଲି ଅନୁଭବ କରିବି । ବାହାର କେଉଁ ସ୍ଵର୍ଗରୁ କେଉଁ ବଡ଼ ଭଗବାନର ବୋଲ ମାନି ଏହି ସଂସାରରେ ଦରିଦ୍ରତାର ଆବିର୍ଭାବ ହେବନାହିଁ, ଜଗତର ପାପ କ୍ଷାଳନ କରି ନେବାଲାଗି ବାହାରୁ କୌଣସି ଭଗବତ୍‌ପୁତ୍ରର ଅବତରଣ ହେବନାହିଁ । ଜୀବନର ନବୀକରଣ ମଣିଷର ଆପଣା ଭିତରେ ହିଁ ହେବ, ତାହାର ସକଳ ପାପର ପରିତ୍ରାଣ କରିବାର ନିମିତ୍ତ ମଣିଷ ଆପେ ହେବ, ତାହାରି ଭିତରେ ହିଁ ନୂତନ ବିଶ୍ଵାସ ଏବଂ ପରିବର୍ତ୍ତନ ଲାଗି ନୂତନ ବ୍ୟାକୁଳତା ଅବତାର ଗ୍ରହଣ କରିବି । ଆରୋହଣ ବିନା ମୁଁ କୌଣସି ଏକ ପାଖିଆ ଅବତରଣ କଳ୍ପନା କରି ପାରେନାହିଁ, ଧର୍ମ ଜୀବନରେ ମୁଁ ଏପରି ଏକପାଖିଆ କରୁଣା-ପ୍ରଦର୍ଶନକୁ ଏକ ବିଡ଼ମ୍ବନା ବୋଲି ମନେକରେ । ମୋର ଦୁଆର ଖୋଲିବା ଓ ତା’ର ଗୃହ ଭିତରେ ପ୍ରବେଶ କରିବା ମଧ୍ୟରେ ମୁଁ କୌଣସି ହିଁ ମୋର ମାଟିରୁ ସକଳ ଶ୍ରଦ୍ଧା ଦେବତାର ସମ୍ଭବ କରାଏ । ପାପର କ୍ଷାଳନ ହୁଏ, ଆଖି ଉପରୁ ସମସ୍ତ ମୋହ ଧୋଇ ହୋଇଯାଏ, ଦେହ ଦେବାଳୟ ହେବାର ଯୋଗ୍ୟ ହୁଏ । ଆଜିର ଜନ୍ମଦିନଟି ଆପଣା ଭିତରେ ସେହିପରି ଏକ ରୂପାନ୍ତର ଓ ନବୀକରଣକୁ ସତ୍ୟାରୂପେ ଅନୁଭବ କରି ପାରିବାଲାଗି ଏକ ପବିତ୍ର ଦିନ । ଏହି ଅନୁଭୂତି ଭିତରେ କୌଣସି ପ୍ରକାର ସୂତ୍ର, ବାନ୍ଧି ମୁଁ ତାକୁ ଅଶୁଦ୍ଧ ଓ ବୁଦ୍ଧି ବ୍ୟସ୍ତ କରିଦେବାକୁ ଚାହେନାହିଁ । ମୋର ଧର୍ମରେ theology ନାହିଁ, ଖାଲି ସତ୍ୟାନୁଭୂତିର ଶ୍ରଦ୍ଧା ରହିଚି ।

 

୨୬ । ୧୨ । ୬୧

 

ସଂସାରରେ ସବୁ ଧର୍ମଗୁରୁଙ୍କର ପୂଜା ସବୁଘରେ ହେବ । ଯେତେବେଳେ ମଣିଷ ମାତ୍ରକେ ସମସ୍ତଙ୍କୁ ମଣିଷର ସମ୍ମାନ ଓ ସ୍ଵୀକାର ମିଳିବ, କେବଳ ସେହିଦିନ ଏହା ସମ୍ଭବ ହୋଇପାରିବ । ସେହି ସୁଖଦିନ ସଂସାରକୁ କେବେ ଆସିବ, ସେକଥା ମୁଁ କହି ପାରୁନାହିଁ । କିନ୍ତୁ ମୋର ହୃଦୟର ଘରେ ମୁଁ ସେହି ସାର୍ବଜନୀନ ଓ ବିଶ୍ଵଜନୀନ ପୂଜା ଅନେକ ଦିନରୁ ଆରମ୍ଭ କରିଦେଇଚି । ଏହି ପୂଜା କରିବା, ଆପଣାର ଅନୁଭୂତି ଓ ଭାବଭୂମିକୁ ଯଥେଷ୍ଟ ପ୍ରସାରିତ କରି ଏହି ସ୍ଵୀକୃତି ଦେଇପାରିବା କେତେଦୂର ଉଚିତ ବା ଅନୁଚିତ, ତଦ୍ଦ୍ଵାରା କେତେଦୂର କି ଫଳ ଫଳିବ ବା ନଫଳିବ, ସେକଥା ମୁଁ ଜାଣେନାହିଁ । ଏହା ମୂଳତଃ ଏକ ବିଶ୍ଵାସର ବ୍ୟାପାର । ଠିକ୍ ଧର୍ମର ଯାବତୀୟ ବ୍ୟାପାର ପରି ଏହାର ଏହାର ସପକ୍ଷରେ ବା ବିପକ୍ଷରେ ବିଚାରର ଲଢ଼ାଇ ଲଢ଼ି ବସିବା କେବଳ ନିର୍ବୋଧତା ହିଁ ହେବ । ପ୍ରାୟ ପନ୍ଦରବର୍ଷ ତଳେ ଶାନ୍ତିନିକେତନରେ ମୋର ହୃଦୟ ଭିତରେ ଏହି ବିଶ୍ଵାସ ଜନ୍ମଲାଭ କରିଥିଲା । ସେହି ଦିନଠାରୁ ଏହି ବିଶ୍ଵାସ ମୋ’ ଜୀବନର ସକଳ ଜ୍ଞାନନୁସନ୍ଧାନ, ଜିଜ୍ଞାସା ଓ ସକଳ ପରିଚୟକୁ ବଡ଼ ସରସ ଓ ବଳିଷ୍ଠ କରି ଆସିଚି । ଇଉରୋପରେ ନାନା ସାଙ୍ଗ ଓ ଅନୁସଙ୍ଗରେ ଜୀବନର ନିବିଡ଼ତର ପରିଚୟରେ ଆସି ମୋର ଏହି ବିଶ୍ଵାସ ଅଧିକ ପୁଷ୍ଟ ହୋଇଚି । ସେଥିଲାଗି ବଡ଼ଦିନ ଉତ୍ସବରେ ଆଜି ମୋର ଘର ଏପରି ଭରି ଉଠିଥିଲା ପରି ମନେହେଉଚି ।

 

୨୭ । ୧୨ । ୬୧

 

ଖ୍ରୀଷ୍ଟିଆନ୍ ଧର୍ମ ଭିତରୁ ଯେତେ ଯେତେ ଭାବସାମଗ୍ରୀକୁ ମୁଁ ଆର ମନେକରି ଗ୍ରହଣ କରି ନେଇଚି, ଏହି ଧର୍ମର ଯେତେ ଉପାଖ୍ୟାନ ବା ଉପାଦାନକୁ ମୁଁ ଶ୍ରଦ୍ଧାର ସହିତ ଆତ୍ମସ୍ଥ କରି ରଖିଚି ସେଗୁଡ଼ିକୁ ଆଜି ମୁଁ କେବଳ ଖ୍ରୀଷ୍ଟିଆନ୍ ଧର୍ମର ବୋଲି କହିବି ନାହିଁ । ସେସବୁ ମୋର ଆପଣାର ଜୀବନଧର୍ମରେ ରୂପାନ୍ତରିତ ହୋଇଯାଇଚି । ଅର୍ଥାତ୍, ସେଗୁଡ଼ିକ ମୋ’ ଲାଗି କେବଳ ଏକ ଧର୍ମପୁସ୍ତକ ବା ଐତିହାସିକ ଧର୍ମପରମ୍ପରାର ସମ୍ପତ୍ତି ହୋଇ ରହିନାହିଁ, ମୋର ଜୀବନ ଭିତରେ ମୁଁ ସେଗୁଡ଼ିକୁ ମୋ’ ଜୀବନଦୃଷ୍ଟିର ସମ୍ବର୍ଦ୍ଧନ ହିସାବରେ ପରିଣତ କରି ରଖିଚି । ପ୍ରତ୍ୟେକ ଧର୍ମାବଲମ୍ବନର ମାର୍ଗ ଠିକ୍ ଏହିପରି ହେବା ଉଚିତ । ହୃଦୟ ଭିତରେ ଦୀକ୍ଷାଗ୍ରହଣ ହୋଇଯିବାପରେ ଧର୍ମର କୌଣସି ବାହ୍ୟ ଔପଚାରିକତା ଧର୍ମାନୁଭୂତିର ବାଡ଼ ହୋଇ ରହିବା ଉଚିତ ନୁହେଁ । କୌଣସି ପ୍ରକାର ଭେକ ବା କୌଣସି ପ୍ରକାର ଅଭିଧା ହୃଦୟ ରାଜ୍ୟରେ ବୁଦ୍ଧିଗତ ଅତ୍ୟାଚାର ଆରମ୍ଭ କରି ଜୀବନ ଦୃଷ୍ଟିରେ କୌଣସି ପ୍ରକାର ବ୍ୟବଧାନ ସୃଷ୍ଟି କରିବା ଉଚିତ ନୁହେଁ । ଅନୁଭୂତ ସବୁ ଧର୍ମର ପରିଚିତ ହୃଦୟ ଭିତରେ ପ୍ରବେଶ କରି ପ୍ରତ୍ୟେକ ମଣିଷର ଆପଣା ଜୀବନଧର୍ମରେ ପରିଣତ ହୋଇଯିବା ଉଚିତ । ଅନେକ ଖ୍ରୀଷ୍ଟିଆନ୍ ପାଦ୍ରୀ ମହାତ୍ମାଗାନ୍ଧୀ ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ କରିବେ ବୋଲି ଭାରି ଆଶା କରି ବସିଥିଲେ । ସେମାନଙ୍କୁ ଧର୍ମରାଜ୍ୟରେ ମୁଁ ପ୍ରଧାନତଃ ନିର୍ବୋଧ ବୋଲି କହିବି । ଧର୍ମରାଜ୍ୟରେ ବ୍ୟାପାରରେ ସେମାନେ ବୁଦ୍ଧିର ମାପକ ଦେଇ ଗାନ୍ଧୀକୁ ବୁଝିବାକୁ ଚେଷ୍ଟା କରୁଥିଲେ ବୋଲି ଗାନ୍ଧୀ ଉଚିତ ପ୍ରକାରେ ବୁଝିବାକୁ ସମର୍ଥ ହୋଇନଥିଲେ । ଖ୍ରୀଷ୍ଟିଆନ୍ ଧର୍ମର ଅନେକ ଉପାଦାନକୁ ମହାତ୍ମା ଗାନ୍ଧୀ ଆପଣା ଜୀବନର ଧର୍ମରେ ରୂପାନ୍ତରିତ କରିଥିଲେ । ସେହିପରି ହିନ୍ଦୁ, ବୌଦ୍ଧ ଓ ଇସଲାମ୍ ଧର୍ମର ଅନେକ ଉପାଦାନକୁ ମଧ୍ୟ ସେ ଆତ୍ମସ୍ଥ କରିଥିଲେ । କିନ୍ତୁ ସେ ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିଆନ୍ କେବଳ କୌଣସିଟି ନଥିଲେ ।

 

୨୮ । ୧୨ । ୬୧

 

ଇଉରୋପରେ ଥିଲାବେଳେ ମୁଁ ଏକାଧିକ ବାର ଗୀର୍ଜାପ୍ରାର୍ଥନାକୁ ଯାଇଚି । ସୁଯୋଗ ମିଳିଲେ ଅତ୍ୟନ୍ତ ଉତ୍ସାହର ସହିତ ମୁଁ ଅନ୍ୟ ସହିତ ଭଗବତ୍‌ପ୍ରାର୍ଥନାରେ ଯୋଗ ଦେଇଚି । ଗୀର୍ଜାଘରେ ମଧ୍ୟ ମନ୍ଦିରରେ ବସିଥିବା ପରି ଅନୁଭବ କରିଚି, ସେଠାରେ ସମସ୍ତ ଶ୍ରଦ୍ଧାରେ ସହିତ ଆପଣାକୁ ନିବେଦନ କରିପାରିଚି, ସମସ୍ତଙ୍କ ସହିତ ଆପଣାର ସକଳ ଉତ୍ସାହ ସହିତ ମୁଁ ପ୍ରାର୍ଥନା ସଙ୍ଗୀତ ଗାଁ କରିପାରିଚି । କୌଣସି ଥାନରେ ମୁଁ କେବେହେଲେ କୌଣସି ଜାତି ବାରିନାହିଁ । ଗୋଟାଏ ଧର୍ମମନ୍ଦିରରେ ବସିଥିବା ବେଳେ ମୁଁ କଦାପି ଆଉ କୌଣସି ଧର୍ମ ବା ଧର୍ମମନ୍ଦିର ପ୍ରତି କୌଣସି ପ୍ରକାର ବିଦ୍ଵେଷଭାବ ଅନୁଭବ କରିନାହିଁ । କୌଣସି ଧର୍ମପାଇଁ ବା କୌଣସି ଧର୍ମ ବିରୁଦ୍ଧରେ ମୁଁ କୌଣସି ପ୍ରକାର ମୋହ ଅନୁଭବ କରିନାହିଁ । କୌଣସି ଧର୍ମ ପାଇଁ ବା କୌଣସି ଧର୍ମ ବିରୁଦ୍ଧରେ ମୁଁ କୌଣସି ପ୍ରକାର କୁଣ୍ଠିତତା ଅନୁଭବ କରିନାହିଁ । ଧର୍ମମାର୍ଗରେ ମୋ’ର ଦୀକ୍ଷା ଏକ ଅତି ସ୍ଵକୀୟ ପ୍ରକାରର । କୌଣସି ଧର୍ମର ବାହ୍ୟୋଚୋର ଗୁଡ଼ାକ ସହିତ କୌଣସି ଆସକ୍ତିରେ ବାନ୍ଧି ନହୋଇ ମୁଁ ମୋ’ର ଅନ୍ତର ଭିତରେ ଧର୍ମମାର୍ଗରେ ଦୀକ୍ଷିତ ହୋଇଚାଲିଚି । ଏହି ଦୀକ୍ଷାରେ ମନ୍ଦିର ଓ ଗୀର୍ଜାର ମଧ୍ୟ ସମାନ ଭାଗ ରହିଚି । ସମାନ ଶ୍ରେୟ ରହିଚି ।

 

୨୯ । ୧୨ । ୬୧

 

ଆପଣାର ଧର୍ମକୁ ନେଇ ଅନେକ କଳି କରନ୍ତି, ଅନ୍ୟମାନଙ୍କ ଠାରୁ ଆପଣାକୁ ଭିନ୍ନ ବୋଲି ଦେଖାଇ ବେଶ୍ ଗୌରବ ଅନୁଭବ କରନ୍ତି । ଧର୍ମକୁ ସେମାନେ ଅନେକ ଅଭିମାନର ଆଶ୍ରୟ ବୋଲି ମନେ କରନ୍ତି । ସେମାନଙ୍କର ଏହି ମନୋଦୃଷ୍ଟିକୁ ମୁଁ ବେଶ୍ ବୁଝିପାରେ । କିନ୍ତୁ ସେମାନଙ୍କର ଧର୍ମକୁ ମୁଁ ଧର୍ମ ବୋଲି ଆଦୌ ଗ୍ରହଣ କରିପାରେନାହିଁ । ମୋର ଆଚରିତ ଧର୍ମ ମୋତେ ଅନ୍ୟମାନଙ୍କ ସହିତ ଏକ ଅବର୍ଣ୍ଣନୀୟ ସ୍ନେହର ସୂତ୍ରରେ ବାନ୍ଧୀ ଏକତ୍ର କରିଆଣେ । ସଂସାରରେ ମୋତେ ସମସ୍ତଙ୍କର ଦୁଆରେ ପ୍ରବେଶାଧିକାର ଦେଇଥାଏ, ସମସ୍ତଙ୍କର ପ୍ରବେଶସ୍ପର୍ଶ ଦ୍ଵାରା ଆପଣାର ଦୁଆରକୁ ପବିତ୍ର ଓ ଧନ୍ୟ କରାଏ । ଆପଣାକୁ ମୁଁ ଖ୍ରୀଷ୍ଟିଆନ୍ ବୋଲି କହିବାର ଦମ୍ଭ କରିବାକୁ ଚେଷ୍ଟା କରିବି ନାହିଁ । କିନ୍ତୁ ଯୀଶୁଖ୍ରୀଷ୍ଟଙ୍କର କାହାଣୀ ପଢ଼ିଲାବେଳେ ମୁଁ ମୋର ସମସ୍ତ ଧ୍ୟାନଶରୀରରେ ଏକ ଅଦ୍ଭୁତ ରୋମାଞ୍ଚ ଅନୁଭବ କରିଥାଏ, କୌଣସି ଗୀର୍ଜାଘରେ ପ୍ରବେଶ କଲାମାତ୍ରକେ ମୋର ଅନ୍ତର ଭିତରେ କେଉଁ ପ୍ରସନ୍ନ ଓ ଉଦାର ଦେବତା ପାଖରେ ମୋ’ର ସମସ୍ତ ମନ ସମର୍ପିତ ହୋଇଆସେ । ମୁଁ ଏହି ସଂସାରର କୌଣସି ବାରଣ ମାନି ପାରେ ନାହିଁ, କୌଣସି ପ୍ରକାରର ଅଳ୍ପବୃଦ୍ଧି ଭେଦଦୃଷ୍ଟି ମୋ’ର ଜ୍ଞାନକୁ କୁଣ୍ଠିତ କରି ରଖି ପାରେନାହିଁ, କୌଣସି ଶୁଷ୍କ ହୃଦୟ ପଣ୍ଡିତର କୌଣସି କୁହା ମୁଁ ମାନି ପାରେନାହିଁ । ସେଥିପାଇଁ ପ୍ରତ୍ୟେକ ବର୍ଷ ବଡ଼ଦିନ ପର୍ବରେ ମୋ’ ଭିତରେ ବାଛି ରହିଥିବା କେଉଁ ଭକ୍ତ ମନ ଏକ ଅପୂର୍ବ ପୁଲକରେ ପୁଲକିତ ହୋଇଉଠେ । କୌଣସି ପ୍ରକାର ଉଗ୍ର ପକ୍ଷଲାଳସା ବ ଉପାଚାର ଆସକ୍ତିରେ ମୁଗ୍ଧ ହୋଇ ବ ଉତ୍ତେଜିତ ହୋଇନୁହେଁ, ଏକ ସହଜ ଭକ୍ତି ଓ ସହଜ ଉପଲବ୍ଧିରେ ମୁଁ ସତେଅବା ଭରି ଉଠିଲା ପରି ଅନୁଭବ କରେ, ଏହି ମନୁଷ୍ୟ ଦେହରେ ହିଁ ମୁଁ ପୁନର୍ଜନ୍ମ ଲାଭ କରେ ।

 

୩୦ । ୧୨ । ୬୧

 

ମଣିଷ ଧର୍ମକୁ ନେଇ ଅନେକ ଅନେକ ଦୁରାଚାର କରିଚି । କିନ୍ତୁ ତାହା ଧର୍ମର ଦୋଷ ନୁହେଁ, ତାହା ହେଉଚି ମଣିଷର ନିଜର ଦୋଷ । ବିଜ୍ଞାନକୁ ନେଇ ମଧ୍ୟ ମଣିଷ ସଂସାରରେ ଅନେକ ଦୁରାଚାର କରିଚି, ଆଜି ମଧ୍ୟ କରୁଚି । କିନ୍ତୁ ସେହି ଦୁରାଚାର ଲାଗି ବିଜ୍ଞାନକୁ ଦୋଷ ଦେବା କେବଳ ନିର୍ବୋଧତା ହିଁ ହେବ । ପଥ ଚାଲି ନଜାଣି ଦୋଷ ଦେବା ଯେପରି ନିର୍ବୋଧତା ହୁଏ, ଠିକ୍ ସେହିପରି । ସେଥିଲାଗି ସଂସାରର ଦୁର୍ଦ୍ଦଶା ଲାଗି ମୁଁ ଧର୍ମକୁ କଦାପି ଦୋଷ ଦେବିନାହିଁ । ମଣିଷ ଭିତରେ ଯେଉଁ ଅନ୍ଧବିଶ୍ଵାସ ରହିଚି, ନାନାପ୍ରକାରା ଉଗ୍ର ମୋହଗ୍ରସ୍ତତାର ପ୍ରଶ୍ରୟ ପାଇ ତା’ ଭିତରେ ଯେଉଁ ଅନ୍ଧବିଶ୍ଵାସ ପ୍ରବଳ ହୋଇଉଠୁଚି, ତାହାହିଁ ତା’ର ସଂସାରରେ ଓ ତା’ର ଜୀବନରେ ସବୁଠାରୁ ଭୟଙ୍କର ପ୍ରମାଦ ହୋଇରହିଚି । କେବଳ ଧର୍ମକ୍ଷେତ୍ରରେ ନୁହେଁ, ତା’ର ଜ୍ଞାନକ୍ଷେତ୍ରରେ, ତା’ର ଆସକ୍ତି ଓ ଅନୁରକ୍ତି କ୍ଷେତ୍ରରେ, ତା’ର ସମ୍ବନ୍ଧ କ୍ଷେତ୍ରରେ ଏହାହିଁ ପ୍ରମାଦ ହୋଇରହିଚି । ଏହି ଅନ୍ଧବିଶ୍ଵାସ ଫଳରେ ତା’ର ସକଳ ଧର୍ମ ପ୍ରଧାନତଃ ଏକ ସତର୍କ ଆନୁଷ୍ଠାନିକତାରେ ପରିଣତ ହୋଇଯାଉଚି, ତା’ର ସମସ୍ତ ଶ୍ରଦ୍ଧାର ପଥ ବଡ଼ ଦୟନୀୟ ଭାବରେ ବାରିତ ହୋଇଯାଉଚି, ଏହି ସୁନ୍ଦର ସଂସାରରେ ମଧ୍ୟ ସେ ବାହାରେ ଏବଂ ଭିତରେ ନାନାଭାବେ ପୀଡ଼ିତ ହୋଇ ରହୁଚି । ଏଥିଲାଗି ମୁଁ ଧର୍ମର ଭାବମୟ ଭୂମିକୁ କଦାପି ଦୋଷ ଦେବିନାହିଁ, ଏହି ଭୂମିକୁ ଅସ୍ଵୀକାର କରିବି ନାହିଁ ।

 

୩୧ । ୧୨ । ୬୧

 

ଏଇ ବରଷର ଶେଷ ଦିନ । କିନ୍ତୁ ଆଜି ସକାଳର ସୂର୍ଯ୍ୟୋଦୟ ଦେଖି ଆସିବା ପରେ ହୃଦୟ ଭିତରେ କିଏ ପରିହାସ କଲାପରି କହି ଉଠୁଚି, ଯେ କିଛି କେଉଁଠି ହେଲେ ଶେଷ ହୋଇଯାଉନାହିଁ । ଏ ଜୀବନର ଶେଷ ନାହିଁ, କି ଏହି ମରଣର ଶେଷ ନାହିଁ । ଏହି ପରିଚୟର ଶେଷ ନାହିଁ, ଏହି ଚିହ୍ନିବାର କୌଣସି ଶେଷ ନାହିଁ । ଯାହା ଶେଷ ହୋଇଗଲା, ଆଜି ତା’ ଲାଗି ମୁଁ କୌଣସି ପ୍ରକାର ଦୁଃଖ ଅନୁଭବ କରିପାରୁନାହିଁ । କାରଣ, ବାହାରେ ଯାହା ଚାଲିଯାଉଚି, ମୋ’ରି ଭିତରେ ଥାଇ ତାହା ଅତି ଆପଣାର ହୋଇ ସ୍ପଷ୍ଟ ଭାବରେ ପ୍ରକାଶିତ ହୋଇଉଠୁଚି । ଆଗେ ମୁଁ ଭାରି କ୍ଷୁବ୍ଧ ହୋଇ ପଡ଼ୁଥିଲି, ହରାଇ ବସିଲି ଭାରି ଦୁଃଖ କରୁଥିଲି, ଜୀବନର ବ୍ୟବସାୟରେ ହାରିଗଲି ବସିଲି ବୋଲି ଭାରି ଦୁଃଖ କରୁଥିଲି, ଜୀବନର ବ୍ୟବସାୟରେ ହାରିଗଲି ବୋଲି ଭାରି ଉତ୍ତେଜିତ ହୋଇ ପଡ଼ୁଥିଲି ଓ ଆପଣାର ସବୁକୁ ସଞ୍ଚୟ କରି ରଖିବାର ଚତୁର ଲାଳସାରେ ସଂସାରର ଆହୁରି ଅନେକ ଜୀବନକ୍ଷେତ୍ରକୁ ବ୍ୟସ୍ତ କରି ପକାଇବାରେ ମୁଁ କୌଣସି ଶଙ୍କା ବା ସଙ୍କୋଚ ଅନୁଭବ କରୁନଥିଲି । କିନ୍ତୁ ଆଜି ସଂସାରର ଅଭିଜ୍ଞତା ମୋତେ ଅନେକ ମଣ କରିପାରିଚି, ମୋତେ ଅନେକ ଅନ୍ତର୍ମୁଖୀ କରି ପାରିଚି । ଅନ୍ତର ଭିତରର ବିଶ୍ଵାସ ମୋତେ ଅନେକ ଆଶାବାଦୀ କରିପାରିଚି । ସଂସାରରେ ଆପଣା ଉପରୁ ମୋ’ର ଆଶା ତୁଟି ଯାଇନାହିଁ, ମୋ’ର ଜୀବନକୁ ମୁଁ ଅସ୍ତିତ୍ଵର ଏକ ନିରର୍ଥକ ପରିହାସ ବୋଲି ଏପର୍ଯ୍ୟନ୍ତ ଭାବିବାକୁ ଶିଖିନାହିଁ । ତେଣୁ, ସଂସାରରେ ଭଲ ଉପୁଜିବ ବୋଲି ମୋ’ର ସମସ୍ତ ସଚେତ ଓ ଅଚେତ କ୍ରିୟାଶୀଳତା ମଧ୍ୟରେ ଏକ ବିଶ୍ଵାସ ଭାରି ଦୃଢ଼ ହୋଇରହିଚି । ସେହି ବିଶ୍ଵାସ ମୋତେ ଆଗକୁ ଆହ୍ଵାନ କରି ନେଉଚି, ବିରକ୍ତ ବ୍ୟସ୍ତ ନୀତିବାଦୀ ହୋଇ ସବୁ କଥାରେ ଖାଲି ଭର୍ତ୍ସନା କରି ଆସିବାର ପ୍ରମାଦରୁ ତାହା ମୋତେ ବଞ୍ଚାଇ ଆସିଚି, ମୋ’ର ପଥ ଉପରେ ଆଗକୁ ଆଗକୁ ବାଟ କଢ଼ା ହେବାରେ ଲାଗିଚି । ତେଣୁ ମୋ’ର ଜୀବନରେ କୌଣସି ପ୍ରକାରେ କିଛି ସରି ଯାଉନାହିଁ, କିଛି ହଜି ଯାଉନାହିଁ, ମୋ’ର ଜୀବନ ପ୍ରେରଣା କୌଣସି ପ୍ରକାରେ ମନ୍ଦ ହୋଇ ଯାଉନାହିଁ ।

Image

 

Unknown

୧୯୬୨

୧ । ୧ । ୬୨

 

ମୋ’ର ଜୀବନରେ ଆଜି ମୁଁ ଏହି ନୂତନ ବରଷକୁ ଅଭିନନ୍ଦନ ଜଣାଉଚି । ମୋ’ର ଚାରି ଦିଗରେ ପଡ଼ି ରହିଥିବା ପୁରାତନ ପୃଥିବୀରେ ତଥାପି ମୁଁ ନୂତନ ହେବାର ପ୍ରୟାସ ଓ ପ୍ରୟୋଗ କରୁଥିବି, ନୂତନ ବରଷର ଅଧିଷ୍ଠାତା ପାଖରେ ଆଜି ମୁଁ ଏହି ପ୍ରାର୍ଥନା ଜଣାଉଚି । ମୋ’ ଜୀବନର ପୁରୁଣା ଭୂମି ଉପରେ ନୂତନ ସୃଷ୍ଟି ସମ୍ଭବ ହେଉ ଲାଗିବାର ସୂତ୍ରପାତ ହେଉ । ଆଜି ନୂଆ ହୋଇ ଉଠି ଆସୁଥିବା ଏହି ସୂର୍ଯ୍ୟ ପରି ନବଜନ୍ମର ନାନା ଅଭିଳାଷ-ଉଚ୍ଛ୍ଵସିତ ରଙ୍ଗରେ ମୋ’ର ଜୀବନ ଝଟକି ଉଠୁ, ଏହି ନୂତନ ହେବାର ଉତ୍ସାହରେ ମୋ’ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଓ ପ୍ରତ୍ୟେକ ପଦକ୍ଷେପ ପ୍ରେରଣାମୟ ହୋଇଉଠୁ । ଜୀବନ-ଦେବତାର ସବୁ ଆଶୀର୍ବାଦ ମୋର ଜୀବନର ଆଶା ହୋଇ ପ୍ରକଟିତ ହୋଇଉଠୁ, ମୋ’ର ଜୀବନରେ ବିଶ୍ଵାସ ବଢ଼ି ବଢ଼ି ଯାଉଥାଉ । ଭାରତବର୍ଷରେ ଜ୍ୟୋତିଷ ବିଦ୍ୟା ଜାଣିଥିବା ପଣ୍ଡିତମାନେ ଭୟ ଦେଖାଇ କହୁଚନ୍ତି ଯେ, ଏବର୍ଷ କୁଆଡ଼େ ଗ୍ରହମାନଙ୍କର କୋପଦୃଷ୍ଟି ପଡ଼ି ପୃଥିବୀ ବିଲୁପ୍ତ ହୋଇଯିବ । ସଂସାରର ନାନା ଜାଗାରେ ଲାଗିଥିବା ସ୍ଵାର୍ଥର ସଂଘାତଗୁଡ଼ାକ ବିଷୟରେ ବିଚାର କଲେ ଜ୍ୟୋତିଷମାନଙ୍କର କଥା ହୁଏତ ମିଥ୍ୟା ହେବନାହିଁ ବୋଲି ମଣ ଭିତରେ ପାପ ଛୁଇଁଯାଉଚି । ତଥାପି, ଭିତରେ ନୂଆ ହୋଇ ନିଦରୁ ଉଠିଥିବା କେଉଁ ନବଜାତ ମଣିଷ ଭରଷା ଦେଇ କହି ଉଠୁଚି, ନା–ଏ ଜୀବନର ବିନାଶ ନାହିଁ, ଏ ସ୍ନେହ ଶ୍ରଦ୍ଧାର ବିନାଶ ନାହିଁ, ମୋ’ର ବିନାଶ ନାହିଁ ।

 

୨ । ୧ । ୬୨

 

ଜୀବନ ଓ ଜଗତ୍‌ସମ୍ବନ୍ଧି ମୋ’ର ମନୋଦୃଷ୍ଟିରେ ମୋତେ ଯାହାସବୁ ଅପ୍ରସନ୍ନ କୁଣ୍ଠିତ କରି ରଖିଚି, ହେ ନବବର୍ଷର ଅଧିଷ୍ଠାତା, ତୁମେ ମୋ’ର ଦୃଷ୍ଟି ପଥରୁ ସେହିସବୁ ମ୍ଳାନତାକୁ ଅପସାରିତ କରି ନେଇଯାଅ । ମୋତେ ସେପାଖରେ ଅନୁଭୂତି ଦେଇ ମଧ୍ୟ ଏପାଖର ଏକାକୀ ଘରେ ବିଚ୍ଛିନ୍ନ ଓ ବ୍ୟାହତ ଭାବରେ ବନ୍ଦ କରି ରଖିଚି, ତୁମେ ସେହିସବୁ ବାଧାକୁ ଅପସାରିତ କରି ନେଇଯାଅ । ସଂସାରରେ ମୁଁ ତୁମକୁ ପ୍ରଧାନତଃ ସାଥୀ କରି ପାଇବାକୁ ଚାହେଁ, ମୋ’ର ଅନ୍ତର ଭିତରେ ମୋତେ ଗ୍ରାସ କରିବାକୁ ଗୋଡ଼ାଉଥିବା ଶୂନ୍ୟତାକୁ ମୁଁ ତୁମରି ସନ୍ନିଧାନର ସତତ ଅନୁଭୂତି ଦ୍ଵାରା ଜୟ କରିବାକୁ ଚାହେଁ । ବାଟ ଚାଲିବାକୁ ମୁଁ ପ୍ରସ୍ତୁତ ଅଛି, ତୁମର ସକଳ କର୍ମର ଦାୟିତ୍ଵ ବହନ କରିବାକୁ ମୁଁ ପ୍ରସ୍ତୁତ ଅଛି, ତୁମେ କେବଳ ମୋ’ର ସାଙ୍ଗ ହୋଇ ହାତ ଧରି ବାଟ ଚାଲ ସଂସାରରେ ବାଟ ଚାଲିବାବେଳେ ବୁଦ୍ଧିପ୍ରସୂତ ଯେତେ ଯେତେ ବିତୃଷ୍ଣା ମୋ’ର ସମସ୍ତ ପଦକ୍ଷେପକୁ ବଡ଼ ବିକଳ କରି ରଖିଚି, ମୋତେ ନାନା ପ୍ରକାର ସଂଶୟର ପାଶରେ ବଡ଼ ଆବଦ୍ଧ କରି ରଖିଚି, ଆପଣାର ବଉଦ ସଙ୍ଗ ଦ୍ଵାରା ତୁମେ ସେହିସବୁ ବିତୃଷ୍ଣାକୁ ଅଧିକ ଜୀବନର ତୃଷ୍ଣାରେ ରୂପାନ୍ତରିତ କରିନିଅ । କୌଣସି ପ୍ରକାର ଆର୍ତ୍ତତାର ବଶବର୍ତ୍ତୀ ହୋଇ ମୁଁ ଏହି ଗୁହାରି ଜଣାଉନାହିଁ, ଆପଣାକୁ ଲୁଚାଇ ରଖିବାଲାଗି ମୁଁ ତୁମର ଆଶ୍ରୟ ମାଗୁନାହିଁ । ତୁମର ସଂସାର ଭିତରେ ଆପଣାର ବାଟ ଚାଲିବାବେଳେ ତୁମରି ସଙ୍ଗ ହିଁ ମୁଁ ଭିକ୍ଷା କରୁଚି । ନୂଆ ବରଷରେ ସମସ୍ତେ ସବୁରି ପାଖରେ କେବଳ ଅଭିବାଦନ ଦେଇ ଆସୁଚନ୍ତି, ମୁଁ ମୋ’ର ସମସ୍ତ ଅଭିଳାଷକୁ ଏକତ୍ର କରି ଧରି ତୁମ ପାଖରେ ଏତିକି ମାଗିବାକୁ ଆସିଚି । ମୋତେ ତୁମର ସଙ୍ଗ ଦିଅ, ମୋତେ ତୁମରି ନିର୍ଭର ଦିଅ, ମୋ’ରି ଚାରି ପାଖରେ ଉଚ୍ଛ୍ଵସିତ ହୋଇ ଉଠୁଥିବା ଆଲୋକମୟ ଜୀବନ ସହିତ ବଞ୍ଚିବା ଲାଗି ମୋତେ ବଳ ଦିଅ ।

 

୩ । ୧ । ୬୨

 

ପ୍ରତ୍ୟେକ ମଣିଷ ଆପଣା ଭିତରେ ସମସ୍ତ ଜଗତକୁ ସ୍ଵୀକାର କରିନେବ, ଏହାହିଁ ହେଉଚି, ଏ ଯୁଗର ସର୍ବପ୍ରଧାନ ଆବଶ୍ୟକତା । କାଲି କଥା ପ୍ରସଙ୍ଗରେ ମୋ’ର ଜଣେ ସହକର୍ମୀ ବନ୍ଧୁ ଉତ୍ସାହିତ ହୋଇ କହୁଥିଲେ ଯେ, ଦେଶର ପ୍ରତ୍ୟେକ ଛାତ୍ରକୁ ସାମରିକ ଶିକ୍ଷା ଦେଇ ପ୍ରସ୍ତୁତ କରି ରଖିବା ହେଉଚି ବର୍ତ୍ତମାନ ଭାରତର ଏକ ଅତିବଡ଼ ଆବଶ୍ୟକତା । ତାହା ଶୁଣି ମୋ’ର ମଣ କହି ପକାଇଲା, ନାଇଁ, ଯୁଦ୍ଧ ଲାଗି ପ୍ରସ୍ତୁତ ହେବା ବା ଅପରକୁ ପ୍ରସ୍ତୁତ କରାଇବା କୌଣସି ଯୁଗରେ କୌଣସି ମଣିଷର ଆବଶ୍ୟକତା କଦାପି ହୋଇନପାରେ । ଯେଉଁ ଆଧାରଭୂତ କାରଣ ସକାଶେ ସଂସାରରେ ଯୁଦ୍ଧ ହେଉଚି, ମଣିଷର ସମ୍ପର୍କ ଭିତରେ ଦୈତ୍ୟସମ ବିଦ୍ଵେଷ ନାନା ଆନୁଷ୍ଠାନିକ ଅଭିମାନରେ ଅତି ଦୁଷ୍ଟ ଓ ଅତି ଭୀଷଣ ହୋଇ ବଢ଼ିବାରେ ଲାଗିଚି, ଯେଉଁ କାରଣଗୁଡ଼ିକ ସକାଶେ ସଂସାରରେ ଭୟ ବଢ଼ୁଚି, ସେହି କାରଣପୁଞ୍ଜକୁ ଦୂର କରିବା ଲାଗି ଆପଣାର ଜୀବନରେ ପ୍ରସ୍ତୁତ ହେବା ହେଉଚି, ବର୍ତ୍ତମାନ ପୃଥିବୀରେ ସର୍ବପ୍ରଧାନ ଆବଶ୍ୟକତା । ଆଜି ଆମେ ସମସ୍ତେ ଏକ ସ୍ଵାଭାବିକ ଭୟାର୍ତ୍ତତାର ବଶବର୍ତ୍ତୀ ହୋଇ ସାରା ସଂସାରକୁ ଶତ୍ରୁପ୍ରାୟ ମଣି ଆପଣା ଦ୍ୱୀପରେ ନିର୍ବାସିତ ହୋଇରହିଚୁ, ଆଉ କାହାରି ଅସ୍ତିତ୍ଵକୁ ସ୍ଵୀକାର କରିବାକୁ ମଧ୍ୟ ଆମେ ପ୍ରସ୍ତୁତ ନୋହୁ । ଆମ ଆପଣା ପ୍ରତି ମଧ୍ୟ ଆମର କୌଣସି ସମ୍ମାନ ନାହିଁ, ଆପଣାକୁ ମଧ୍ୟ ଆମେ ଏକ ଜାଗ୍ରତ ମନୁଷ୍ୟୋଚିତ ସ୍ଵୀକାର ଦେଇ ଜୀବନ ବଞ୍ଚିବାକୁ ଏପର୍ଯ୍ୟନ୍ତ ନିର୍ଭୟ ଭାବରେ ଠିଆହୋଇ ପାରିନାହୁଁ, ତେଣୁ ଅନ୍ୟକୁ ସ୍ଵୀକାର କରିବାର ସାମର୍ଥ୍ୟ ମଧ୍ୟ ଆମର ନାହିଁ । ଏହି ସାମର୍ଥ୍ୟ ଅର୍ଜନ କରିବା, ଆପଣାକୁ ମନୁଷ୍ୟର ସମ୍ମାନ ଦେବା ହେଉଚି ଆମର ସର୍ବପ୍ରଧାନ ଆବଶ୍ୟକତା ।

 

୪ । ୧ । ୬୨

 

ଏହି ଦେଶରେ ଗଣତନ୍ତ୍ରର ସ୍ଥାପନା କରିବାକୁ ହେଲେ ପ୍ରତ୍ୟେକ କ୍ଷେତ୍ରରେ ଆମକୁ ନାନା ଲଢ଼ାଇ ଲଢ଼ିବାକୁ ପଡ଼ିବ । କୌଣସି ମଣିଷ ବା କୌଣସି ବିଶେଷ ବର୍ଗ ବିରୁଦ୍ଧରେ ନୁହେଁ, ପୁରାତନ ଓ ପାରମ୍ପରିକ ନାନା ସ୍ଵେଚ୍ଛାଚାରୀ ପ୍ରବୃତ୍ତି ବିରୁଦ୍ଧରେ ଲଢ଼ାଇ ଲଢ଼ିବାକୁ ପଡ଼ିବ । ଯିଏ ଗଣତନ୍ତ୍ର ଉପରେ ପ୍ରକୃତରେ ବିଶ୍ଵାସ ରଖିଚି, ଗଣତନ୍ତ୍ରକୁ କେବଳ ଏକ ରାଜନୀତିକ ଆବରଣ ହିସାବରେ ନୁହେଁ, ମାତ୍ର ଏକ ଜୀବନଦୃଷ୍ଟି ଓ ଆଚରଣ ପଥ ବୋଲି ଯିଏ ଗ୍ରହଣ କାରୀଚି, ତାକୁ ବିଶେଷତଃ ଏହି ଦେଶରେ ଅନେକ କ୍ଷେତ୍ରରେ ଅସହିଷ୍ଣୁ ହେବାକୁ ପଡ଼ିବ । ସଂସାରରେ ନାନା ଛଦ୍ମ ସମାଜ ଓ ପରମ୍ପରା-ସମର୍ଥିତ ବେଶରେ ଛୋଟ ଛୋଟ ସ୍ଵେଚ୍ଛାଚାରୀମାନେ ରହିଥିବା ପର୍ଯ୍ୟନ୍ତ ଆମେ ବଡ଼ ବଡ଼ ସ୍ଵେଚ୍ଛାଚାରକୁ କଦାପି ଦୂର କରି ପାରିବାନାହିଁ । ମୁଁ ତ ଭାବୁଚି, ଛୋଟ ଛୋଟ କ୍ଷେତ୍ରରେ ଯେଉଁମାନେ ସ୍ଵେଚ୍ଛାଚାରୀ ଆଚରଣ ଉପରେ ଆସ୍ଥା ରଖିଚନ୍ତି ଓ ନିର୍ବୋଧ ଭାବରେ ସ୍ଵେଚ୍ଛାଚାରୀ ଆଚରଣ କରୁଚନ୍ତି, ସେହିମାନେ ହିଁ ପରୋକ୍ଷରେ ବା ପ୍ରତ୍ୟକ୍ଷରେ ବଡ଼ ବଡ଼ ଆନୁଷ୍ଠାନିକ ବା ଔପଚାରିକ ସ୍ଵେଚ୍ଛାଚାରକୁ ଜଗତରେ ପ୍ରଶ୍ରୟ ଦେଇ ରଖିଚନ୍ତି । ଆମ ଦେଶରେ ପରିବାରମାନଙ୍କରେ ଛୋଟ ଛୋଟ ସ୍ଵେଚ୍ଛାଚାରୀ ବାପମାଆଙ୍କ ବେଶ ପିନ୍ଧି ବସିଚନ୍ତି, ଗ୍ରାମ ଓ ସହରସମାଜରେ ଛୋଟ ସ୍ଵେଚ୍ଛାଚାରୀମାନେ ନେତା ଓ ହିତାକାଙ୍‌କ୍ଷୀର ବେଶ ପିନ୍ଧି ବସିଚନ୍ତି, ସ୍କୁଲ ଓ କଲେଜମାନଙ୍କରେ କର୍ତ୍ତା ଓ ଶିକ୍ଷକଙ୍କ ବେଶରେ ଅନେକ ସ୍ଵେଚ୍ଛାଚାରୀ ଶିକ୍ଷା ଦେବାର ସହଜ ବାହାନା ଧରି କେବଳ ଆପଣାର ଭୟଦୂଷିତ ଉଗ୍ରତାକୁ ଚରିତାର୍ଥ କରିବାଲାଗି ଲୁଚି ରହିଚନ୍ତି । ପ୍ରଧାନତଃ ଏହିମାନଙ୍କ ସକାଶେ ଦେଶରେ ସ୍ଵେଚ୍ଛାଚାରୀ ବର୍ତ୍ତି ରହିଛି, ବାହାରକୁ ଆମେ ଗଣତନ୍ତ୍ରର ଛାଞ୍ଚକୁ ନିଜର ସାମୂହିକ ଛାଞ୍ଚ ବୋଲି ମାନି ନେଇଥିଲେ ମଧ୍ୟ ଅନେକ ସ୍ଵେଚ୍ଛାର ଏପର୍ଯ୍ୟନ୍ତ ବଞ୍ଚି ରହିଚି । ଆମେ ସମସ୍ତେ ସେଗୁଡ଼ାକୁ ସହିଯାଉଚୁ ବୋଲି ସେଗୁଡ଼ାକ ବଞ୍ଚି ରହିଚି ।

 

୫ । ୧ । ୬୨

 

ଆମ ଦେଶରେ ଶିକ୍ଷାନୁଷ୍ଠାନମାନଙ୍କ ଦ୍ଵାରା କାହିଁକି ଦେଶରେ ଖୁବ୍ ବେଶୀ କଲ୍ୟାଣ ହୋଇ ପାରୁନାହିଁ ଶିକ୍ଷାନୁଷ୍ଠାନ ଭିତରେ ପଶିଲେବ ଯାଇ ତାହାର କାରଣ ବିଷୟରେ ଅନେକ କଥା ବୁଝିହୁଏ । ଆମ ଦେଶର ଶିକ୍ଷା ଏ ଦେଶରେ ଜାଗ୍ରତ, ସୁନ୍ଦର ଓ ବିମୁକ୍ତ ମଣିଷ ଗଢ଼ିବାରେ କାହିଁକି ସଫଳ ହୋଇପାରୁନାହିଁ, ଶିକ୍ଷାନୁଷ୍ଠାନ ଗୁଡ଼ିକର କର୍ମାନ୍ଵିତ ଛାଞ୍ଚଭିତରେ ଆସି ପଶିଲେ ସେହି ବିଷୟରେ ଅନେକ ଅନ୍ତର୍ଦୃଷ୍ଟି ଲବ୍‌ଧ ହୋଇଥାଏ । ଗୋଟିଏ ଶିକ୍ଷାନୁଷ୍ଠାନରେ ତିନିବର୍ଷ ପଶି କାମ କରି ସାରିଲା ପରେ ମୁଁ ଆଜି ଏକଥା ଦେଖୁଚି । ଆପଣାର ମନ ଭିତରେ କୌଣସି ପ୍ରାକର ମୋହମିଶ୍ରିତ ଭାବୁକତା ନରଖି ମୁଁ ଔପଚାରିକ ଓ ଅନୌପଚାରିକ ନାନା ଅବସରରେ ଏହି ଉଦ୍ଦେଶ୍ୟକୁ ନେଇ ଅନେକ ଗର୍ବ କରିବାରେ ଲାଗିଚୁ । କିନ୍ତୁ ଆପଣା ଭିତରେ ଏପର୍ଯ୍ୟନ୍ତ ଅନେକ ପ୍ରକାର ଅସହିଷ୍ଣୁତା ଓ ଅଶିକ୍ଷାର ଦୁଷ୍ଟ ଦୈତ୍ୟ ଆପଣାର ଦୌରାତ୍ମ୍ୟ ଗୁଡ଼ାକ ଉପରେ ହିଁ ବିଶ୍ଵାସ କରି ବଞ୍ଚିରହିଚି । ଆମେ ଉପରେ ମଣିଷ ଗଢ଼ିବୁ ବୋଲି କହି ନାନା ହିତୈଷୀ କୋଶରୁ ଅର୍ଥ ଆଣୁଚୁ, କିନ୍ତୁ ଏଣେ ଆପଣାର ଅତି ଅଶିକ୍ଷିତ ପ୍ରବୃତ୍ତି ଗୁଡ଼ାକର ଖିଆଲ ଗୁଡ଼ାକୁ ଶୃଙ୍ଖଳା ବୋଲି କହି ଆମେ ସେହି ଅର୍ଥର ବିନିଯୋଗରେ ନାନା ଅନର୍ଥ ଭିଆଇବାରେ ବେଶ୍ ମଜ୍ଜି କରି ରହିଚୁ । ଶିକ୍ଷାଦାନ ଓ ଶିକ୍ଷାବ୍ୟବସ୍ଥା ନାମରେ କେବଳ ଆପଣାର ଦୁରାତ୍ମତା ତୃପ୍ତି କରି ଚାଲିଚୁ ।

 

୬ । ୧ । ୬୨

 

ମଣିଷକୁ ମୁଁ ମଣିଷ ଭାବରେ ଦେଖିବାକୁ ଚାହେ । ମଣିଷ ଯେତେବେଳେ ଆପଣାର ସମସ୍ତ ମନୁଷ୍ୟୋଚିତ ଭୂମିକୁ ଆଚ୍ଛନ୍ନ କରି ରଖି କେବଳ କର୍ତ୍ତୃତ୍ଵର ଆଘାତରେ ମୋତେ ବ୍ୟସ୍ତ ଓ ବିଚଳିତ କରିବାକୁ ଆସେ, ସେତେବେଳେ ମୋ’ଭିତରେ ତାହାକୁ ଅତି ଉଦାସୀନ ଭାବରେ ପ୍ରତ୍ୟାଖ୍ୟାନ କରି ଚାଲି ଆସିବାର ଏକ ପ୍ରବଳ ପ୍ରବୃତ୍ତି ଜାଗୃତ ହୁଏ । ମୁଁ ସତ୍ୟକୁ କର୍ତ୍ତା ମାନିବାକୁ ରାଜୀ ଅଛି, ସବୁ ମଣିଷର ମଣିଷପଣିଆକୁ ସ୍ଵୀକାର କରି ସେହି ଅନୁସାରେ ଆପଣାର ଆଚରଣକୁ ପରିଚାଳିତ କରୁଥିବା ଆସନସ୍ଥ ବ୍ୟକ୍ତିର କର୍ତ୍ତୃତ୍ଵ ମଧ୍ୟ ମାନିବାକୁ ମୁଁ ରାଜୀ ଅଛି, କିନ୍ତୁ ଆପଣାର କ୍ଷୁଦ୍ରତାକୁ ଅତି ହାସ୍ୟାସ୍ପଦ ଭାବରେ ଘୋଡ଼ାଇ ରଖିବାକୁ ଚେଷ୍ଟା କରି କର୍ତ୍ତୃତ୍ଵର ପାଗଳାମିରେ ସଂସାରଟାକୁ ନିର୍ବୋଧ ବୋଲି ଗଣ୍ୟ କରୁଥିବା ବ୍ୟକ୍ତିର ଆଚରଣକୁ ପ୍ରତ୍ୟାଖ୍ୟାନ କରିବା ବ୍ୟତୀତ ମୁଁ ଆଉ କୌଣସି ପନ୍ଥା ଦେଖି ପାରୁନାହିଁ । ମଣିଷ ମଣିଷ ଭିତରେ ହିଁ କେବଳ ସହଯୋଗ ସମ୍ଭବ ହୁଏ, କିନ୍ତୁ ଅନ୍ୟ ସମସ୍ତଙ୍କୁ କେବଳ ଆପଣାର ଅଧସ୍ତନ ବୋଲି ମନେ କରୁଥିବା ଅଧମ ପ୍ରଭୁ ସହିତ ସହଯୋଗ କରିବାର ବାଟ ମୁଁ ଏପର୍ଯ୍ୟନ୍ତ ପାଇନାହିଁ, ଓ ମୋର ଏହି ଅସମର୍ଥତା ସକାଶେ ମୁଁ କୌଣସି ପ୍ରକାର ଶୋଚନା କରି ପାରୁନାହିଁ । ସଂସାରରେ ସବୁ ମଣିଷକୁ ସହଯୋଗୀ ଭାବେ ଅର୍ଜନ କରିବାର ଚେଷ୍ଟା କରିବାକୁ ହେବ, ଏକଥା ବେଶ୍ ସ୍ଵୀକାର କରିବାକୁ ହେବ । କିନ୍ତୁ ଯେଉଁ ମଣିଷର ଦୁଷ୍ପ୍ରବୃତ୍ତ ସକଳ ପ୍ରକାର ସହଯୋଗ ଓ ମନୁଷ୍ୟୋଚିତ ସ୍ଵୀକାରକୁ ସମୂଳେ ଲୋପ କରିବାର ଷଡ଼ଯନ୍ତ୍ର କରେ, ତାହାର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ିବ, ସାହସର ସହିତ ତା’ର ଅନ୍ୟାୟକୁ ଅନ୍ୟାୟ ବୋଲି କହିବାକୁ ହେବ । ଏହା ମଧ୍ୟ ମୋ’ର କର୍ତ୍ତବ୍ୟ ।

 

୭ । ୧ । ୬୨

 

ଆମ ଦେଶରେ ଶିକ୍ଷାପ୍ରଣାଳୀ ଭିତରେ ଅନେକ ପ୍ରକାରର ଦୋଷ ରହିଚି । କିନ୍ତୁ ଅଧିକାଂଶ ସ୍ଥାନରେ ଶିକ୍ଷାର ପରିସର ଭିତରେ ଅଶିକ୍ଷିତ କର୍ତ୍ତୃତ୍ଵର ଯେଉଁ ପ୍ରବଳ ପରାକ୍ରମ ଏପର୍ଯ୍ୟନ୍ତ ଜାରି ରହିଚି, ଏ ଦେଶରେ ଶିକ୍ଷାର ବିକଶିତ ହେବା ପଥରେ ମୁଁ ତାହାକୁ ହିଁ ସବୁଠାରୁ ବଡ଼ ବିଘ୍ନ ମନେ କରୁଚି, ଏହି ବିଘ୍ନ ଶିକ୍ଷାପ୍ରଣାଳୀ ଭିତରେ ଅନ୍ତର୍ନିହିତ ହୋଇ ରହିନାହିଁ । ଆମ ଦେଶରେ ଆଚରିତ ସାମାଜିକ ସଂସ୍କୃତି ଏହିପରି କର୍ତ୍ତୃତ୍ଵକୁ ସମର୍ଥନ କରୁଚି ଓ ପ୍ରଶ୍ରୟ ଦେଇରଖିଚି ବୋଲି ଏପରି ହେଉଚି । ବାହାରେ ପାଠ୍ୟକ୍ରମ ବଦଳୁଛି, ଶିକ୍ଷାଳୟର ଚେହେରା ବଦଳୁଚି, କିନ୍ତୁ ଶିକ୍ଷାର ବ୍ୟବସ୍ଥା କରୁଥିବା କର୍ତ୍ତୃତ୍ଵ ବାହାରର ସବୁ ଛାଞ୍ଚ ସତ୍ତ୍ୱେ ପୁରାତନ ବ୍ୟବସ୍ଥାକୁ ହିଁ କାୟମ କରି ରଖିଚି । ଶିକ୍ଷାଳୟରେ ଭୟ ରହିଥିବ, ଆପଣା ଆପଣାର ବେତନଦ୍ଵାର ଅନୁସାରେ ପ୍ରତ୍ୟେକେ ଆପଣାର ସ୍ପଷ୍ଟ ମତ ଦେବା କୌଣସି ସ୍ଥିତିରେ ମୁଁ ଖୋଲିବାକୁ ଆରମ୍ଭ କଲେ ପଦେ ପଦେ ପ୍ରମାଦ ପଡ଼ୁଥିବ,—ତେଣୁ ବହିପାଠର ବଡ଼ ବଡ଼ କଥାକୁ କେବଳ ପଢ଼ାଘର ଭିତରେ କହି ବାହାରେ ବଡ଼ ଶାନ୍ତ ଭାବରେ ଦାସ ହୋଇ ରହିବାକୁ ପଡ଼ିବ,—ଆମ ଦେଶର ଅଧିକାଂଶ ଶିକ୍ଷାସଂସ୍ଥାରେ ଏବେ ଏହି ଅବସ୍ଥା ରହିଚି । କର୍ତ୍ତୃତ୍ଵର ତନ୍ତ୍ରରେ ସକଳ ପ୍ରକାର ମାନବିକ ତନ୍ତ୍ର କ୍ରମେ ମରି ମରି ଯାଉଚି, ମଣିଷ ମରି ମରି ଯାଉଚି ।

 

୮ । ୧ । ୬୨

 

ଜୀବନର ବାଟରୁ ପ୍ରତିରୋଧମାନ ହଟାଉ ହଟାଉ ତ ଜୀବନର ଅଧେ ଯିବାକୁ ବସିଲାଣି, ତେବେ ଜୀବନ ଗଢ଼ାହେବ ଆଉ କେତେବେଳେ ? ବେଳେବେଳେ ମୋ’ର ସମସ୍ତ ଚେତାନାର ଅନ୍ତଃସ୍ଥଳରେ ମୁଁ ଏହି କାରଣରୁ ଗୋଟାଏ ପ୍ରକାରର ଅତି ମର୍ମନ୍ତୁଦ ଦୁଃଖ ଅନୁଭବ କରିଥାଏ । ବଡ଼ ନିରାଶ ଅନୁଭବ କରିଥାଏ । ଜୀବନର ପଥରେ କେବଳ ପଥକ୍ଳାନ୍ତଟା ହିଁ ସାର ହୋଇ ରହିଲା ପରି ଅନୁଭୂତ ହୋଇଥାଏ । ଆପଣା ଜୀବନର ଅପୂର୍ଣ୍ଣତା ଗୁଡ଼ାକୁ ନେଇ ଏହି ପ୍ରୟୋଗ ଆଉ କେତେଦିନ ଚାଲିବ ? କେତେଦିନ କାଳ ମୁଁ କେବଳ ମୋ’ର ଅଭିଜ୍ଞତା ଗୁଡ଼ାକର ଶିଖୁଥିବ ? ବେଳେବେଳେ ଆପଣା ଭିତରର ପଥଚାରୀକୁ ଅନେକ ଦୁଃଖୀ କରି ମଧ୍ୟ ଆପଣାକୁ ଏହି ପ୍ରଶ୍ନ ପଚାରିବାକୁ ଇଚ୍ଛା ହୁଏ । ମୁଁ ତଥାପି କୌଣସି ଉତ୍ତର ପାଇ ପାରେନାହିଁ । ମୋ’ର ଚାରିପାଖରେ ଘେରି ରହିଥିବା ପ୍ରତିବନ୍ଧ ଗୁଡ଼ାକୁ ଅନାଇ ଆଉ ବଳ ପାଏନାହିଁ । ମୋ’ରି ଭିତରେ ମୋତେ ପଛକୁ ଟାଣି ଧରିବାର ଷଡ଼ଯନ୍ତ୍ର କରିବାରେ ଲାଗିଥିବା ନାନା ପ୍ରବୃତ୍ତିଗୁଡ଼ାକୁ ଦେଖିଲାବେଳେ ଆଉ ବଳ ପାଏନାହିଁ,—ହଠାତ୍ କେତେଟା ମୁହୂର୍ତ୍ତ ଲାଗି ଆପଣା ଜୀବନର ସକଳ ଭାର କେବଳ ନିଃସାର ବୋଲି ମନେହୁଏ । ମୁଁ ଅନୁଭବ କରେ, ଯେପରି ତଥାପି ମୁଁ ବାଟ ପାଇଲି ନାହିଁ, ଯେପରି ତଥାପି ମୁଁ ବଳ ପାଇଲି ନାହିଁ । କେବଳ ଗୋଟାଏ ବିଶ୍ଵାସରେ ସିନା ମୁଁ ସହସ୍ରବାର ବିଫଳ ହୋଇ ସୁଦ୍ଧା ବଞ୍ଚି ରହିବାକୁ ଚେଷ୍ଟା କରୁଚି, ମୋ’ର ଭିତରେ ଓ ମୋ’ର ଚାରିପାଖର ସବୁ ଭାଙ୍ଗି ପଡ଼ୁଥିବା ବେଳେ ମୁଁ ତଥାପି କିଛି ପାଇବି ଓ ମୋ’ର ଶୂନ୍ୟଗୁଡ଼ାକୁ ପାରିବି ବୋଲି ଦମ୍ଭ କରି ବସୁଚି, କିନ୍ତୁ ଏହି ବିଶ୍ଵାସ କେତେଦିନ ପର୍ଯ୍ୟନ୍ତ ଲଢ଼ିପାରିବ, କେତେଦିନ ପର୍ଯ୍ୟନ୍ତ ସବୁ ପ୍ରତିରୋଧ ସତ୍ତ୍ୱେ ବଞ୍ଚି ରହିଥିବ ? ଦିନେ ଦୁର୍ଗମ ପଥ ଉପରେ ଏହି କରି ପକାଇବ ନାହିଁ କି-? ଆଉ ଅଧିକ ଭାବିବାକୁ ଭୟ ଲାଗେ । ସେ ପାଖକୁ ଅନାଇବାକୁ ଭୟ ଲାଗେ, ଆପଣାର ଏହି ଚୂଡ଼ାନ୍ତା ଶୂନ୍ୟତାର ସମ୍ମୁଖୀନ ହବାକୁ ଭୟ ଲାଗେ, ମୁଁ ପରାସ୍ତ ହୋଇଯାଏ ।

 

୯ । ୧ । ୬୨

 

ପୁଣି ବେଳେବେଳେ ମୁଁ ଭାବେ, ଏହି ଅନୁଭୂତିଟି ହିଁ ତ ଜୀବନ ! ଏହି ବାଟ ଚାଲିବା ହିଁ ତ ଜୀବନ ! ପଥ ଉପରେ ରହିଥିବା ପ୍ରତିବନ୍ଧକ ଗୁଡ଼ାକୁ ଦେଖି ମୁଁ ଅଟକି ରହେନାହିଁ, ମୁଁ ଭାଗ୍ୟ ଆଦରି ବା ସନ୍ତୁଷ୍ଟ ହୋଇ ବସିଯାଏନାହିଁ । ମୁଁ ପ୍ରତିବନ୍ଧକ ଗୁଡ଼ାକୁ ପ୍ରତିବନ୍ଧକ ବୋଲି ଗ୍ରହଣ କରିନିଏ, ସେଗୁଡ଼ିକ ସମୁଖୀନ ହେବାଲାଗି ମୁଁ ପ୍ରସ୍ତୁତ ହୁଏ,—ଅର୍ଥାତ୍ ଜୀବନରେ ମୋ’ର ଏକ positive ପ୍ରାଣଭୂମି ରହିଥାଏ ବୋଲି ଏଗୁଡ଼ାକ ଦେଖି ମୁଁ ସହିଯାଇ ରହିପାରେନାହିଁ । ମୋ’ ପ୍ରାଣଭୂମି ଉପରେ ମୋ’ର ଅଟଳ ବିଶ୍ଵାସ ହିଁ ତୋତେ ନିର୍ଭୟ କରେ । ଗୋଟାକ ପରେ ଗୋଟାଏ ଭୟର ଅପସାରଣ କରିବା ସଙ୍ଗେ ସଙ୍ଗେ ମୁଁ ଅଧିକରୁ ଅଧିକ ସମ୍ପଦବାନ୍ ହେବାରେ ଲାଗିଥାଏ । ଏହାହିଁ ତ ଜୀବନର ପରମ ଆନନ୍ଦ । ଆପଣା ବିଶ୍ଵାସ ଭିତରେ ବନ୍ଦ ହୋଇ ବସି ନଯାଇ ତଥାପି ଏକ ବିଶ୍ଵ ସମ୍ବଳ ଜୀବନଦୃଷ୍ଟି ସହିତ ଜୀବନରେ ନୂତନ ନୂତନ ସମ୍ପଦର ଅଭିଳାଷ ରଖିଥିବା ଓ ସେଥିପ୍ରତି ସତତ ପ୍ରୟାସ କରୁଥିବା,—ଏବଂ ଏହି ପ୍ରୟାସ ସହିତ ଜୀବନର positive ମୂଲ୍ୟଗୁଡ଼ିକୁ ଆପଣା ଭିତରେ ଅନୁଭବ କରୁଥିବା,—ଜୀବନରେ ଏହାଠାରୁ ବଳି ମୋତେ ଉଚ୍ଚତର ଆନନ୍ଦ ଆଉ କ’ଣ ମିଳୁନଥାନ୍ତା ? ଅବଶ୍ୟ ମୁଁ ଜାଣେ, ବେଳେବେଳେ କିଛି ପାଇବା ଅପେକ୍ଷା ହରାଇ ବସିବାର ଦୁଃଖଟା ମୋତେ ଅଧିକ ଆକ୍ରାନ୍ତ କରି ପକାଏ, କୌଣସି ଆସ୍ଥାନରେ ଯାଇ ପହଞ୍ଚିବା ଅପେକ୍ଷା କେବଳ ପଥଶ୍ରାନ୍ତି ହିଁ ମୋତେ ଅଧିକ ମ୍ରିୟମାଣ ଓ ଆହତ କରି ପକାଏ । କିନ୍ତୁ ତାହା କେବଳ କ୍ଷଣିକ । ମୋତେ ଆହୁରି ଅନେକ ବାଟ ଯିବାକୁ ହେବ, ଆହୁରି ଅନେକ ପାଇବାକୁ ହେବ, ଏହା କେବଳ ତାହାରି ସୂଚକ ।

 

୧୦ । ୧ । ୬୨

 

ଖାଲି ବିପଦରେ ପଡ଼ିଲେ ଯାଇ ଭଗବାନଙ୍କୁ ଡାକିବା ମୋ’ର ପ୍ରକୃତି ନୁହେଁ । କାରଣ, ଭଗବାନଙ୍କୁ ମୁଁ ପ୍ରଧାନତଃ ଭୟ କରେ ନାହିଁ, ଭଲପାଏ । ମୋ’ର ହୃଦୟ ମଧ୍ୟ କହେ ଯେ, ଭଗବାନ ମୋତେ ଶାସନ କରିବାକୁ ମୋ’ ଜୀବନରେ ଅନୁଭୂତ ହୁଅନ୍ତି ନାହିଁ, ସେ ମୋତେ ପ୍ରଧାନତଃ ଭଲ ପାଆନ୍ତି ବୋଲି ବାରବାର ମୋତେ ଆପଣାର ସ୍ପର୍ଶ ଦିଅନ୍ତି । ମୁଁ ଭୁଲ୍‍ କରେ, ଭ୍ରମରେ ପଡ଼ିଯାଏ, ବାଟ ଭୁଲିଯାଏ, ଉଗ୍ର ହୋଇ ମୁଗ୍‌ଧ ହୋଇ ଅଜାଣତରେ ଆଖି ବୁଝିଦିଏ, ଗୋଡ଼ ଖସାଇଦିଏ; ତଥାପି ସିଏ ମୋତେ ଛାଡ଼ି ଚାଲି ଯାଆନ୍ତିନାହିଁ । ମୋ’ର ଦୁର୍ଦ୍ଦଶାରେ ସେ କୌଣସି ପ୍ରକାରେ ଖୁସୀ ହୁଅନ୍ତି ନାହିଁ, କାରଣ ମୋ’ଠାରେ ପ୍ରତିଶୋଧ ନେଇ ତାଙ୍କର କୌଣସି ପ୍ରକାର ଉଦ୍ଦେଶ୍ୟ ସିଦ୍ଧ ହୁଏନାହିଁ । ସେ ମୋ’ର ଭୁଲ୍‍କୁ ଭଲ ପାଆନ୍ତିନାହିଁ, ମୋର ଉଗ୍ରତା ଓ ମୋହଗୁଡ଼ାକୁ ମଧ୍ୟ ସେ କଦାପି ସମର୍ଥନ କରନ୍ତିନାହିଁ । ମାତ୍ର ସେ ମୋତେ ଭଲ ପାଆନ୍ତି, ମୋ’ର ଜୀବନର ନାନା ସମ୍ଭାବନାକୁ ସେ ଗ୍ରହଣ କରନ୍ତି, ମୋ’ଠାରେ ସେ ବିଶ୍ଵାସ ରଖନ୍ତି । ମୋ’ ଭିତରର ଅନନ୍ତ ପଥଚାରୀକୁ ସେ ଆପଣାର ବୋଲି ସ୍ଵୀକାର କରନ୍ତି । ସେଇଥିଲାଗି ସବୁ ନିରାଶା ଭିତରେ ତଥାପି ମୁଁ ମୋ’ର ଅନ୍ତର ଭିତରେ ନୂତନ ଆଶାର ଅନୁଭବ କରେ । ସେଥିଲାଗି ଘୋର ଅନ୍ଧାର ଭିତରେ ତଥାପି ଆଉଗୋଟିଏ ପାହୁଣ୍ଡ ପକାଇବା ଭଳି ଆଲୁଅ ମୋତେ ଦିଶିଯାଏ, ସେଥିଲାଗି ବୁଦ୍ଧିର ସମସ୍ତ ଅବିଶ୍ଵାସ ସତ୍ତ୍ୱେ ଭିତରୁ ଅସୀମ ଓ ଅବାରିତ ବିଶ୍ଵାସର ନିର୍ଭର ମୋତେ ନାନାପ୍ରକାର ଭୟ ସତ୍ତ୍ୱେ ତଥାପି ନିର୍ଭୟ କରି ରଖେ । ମୁଁ ଭଗବାନଙ୍କୁ ମୋର ଜୀବନର ବନ୍ଧୁ ବୋଲି ମନେକରେ, ସେହି ସମ୍ବନ୍ଧ ଦେଇ ମୁଁ ତାଙ୍କୁ ମୋ’ର ଜୀବନରେ ଗ୍ରହଣ କରେ । କୌଣସି ଧର୍ମପୁସ୍ତକ ବା ଧର୍ମମତ ତାଙ୍କୁ କିପରି କଳ୍ପନା କରିଚି ବା ନକରିଚି, ସେ ‘ବିଷୟରେ ମୁଁ କିଛିଦିନ ଜାଣିବାର ଆଗ୍ରହ ରଖିଥିଲେ ମଧ୍ୟ ତଥାପି ସେହି ଜାଣିବା ମୋ’ ଅନ୍ତରର ସ୍ଵୀକୃତିକୁ ଆଦୌ ନିୟନ୍ତ୍ରିତ କରେନାହିଁ ।

 

୧୧ । ୧ । ୬୨

 

ବାହାରେ ସମସ୍ତଙ୍କ ପାଖରେ ଭୟଶୂନ୍ୟ ହେବାକୁ ହେଲେ ମୋତେ ମୋର ଭଗବାନଙ୍କ ପାଖରେ ମଧ୍ୟ ଭୟଶୂନ୍ୟ ହେବାକୁ ପଡ଼ିବ, ଅର୍ଥାତ୍ ଭିତରେ ଆପଣା ପାଖରେ ମଧ୍ୟ ମୋତେ ଭୟଶୂନ୍ୟ ହେବାକୁ ପଡ଼ିବ । କିନ୍ତୁ ମୋ’ର ଅନୁଭୂତିରୁ ମୁଁ କହିବି ଯେ, ବାହାରେ ଆପଣକୁ ଭୟଶୂନ୍ୟ ବୋଲି ଦେଖାଇବା ହୁଏତ ସହଜରେ ସମ୍ଭବ ହୋଇପାରେ, କିନ୍ତୁ ଆପଣା ଭିତରେ ଭୟଶୂନ୍ୟ ହେବାକୁ ହେଲେ ସକାଳ ଭୟକୁ ପ୍ରକୃତରେ ଅପସରାଇ ଦେବାକୁ ପଡ଼ିବ । ଆପଣା ଭିତରେ ଆପଣା ଜୀବନ ସହିତ ପ୍ରତ୍ୟେକ ସମ୍ବନ୍ଧରେ ବରାଭୟ ଅନୁଭବ କରିବାକୁ ପଡ଼ିବ । ଏଥିଲାଗି ମୋ’ର ଦୃଷ୍ଟିରେ ପରିବର୍ତ୍ତନ ଦରକାର, ମୋ’ର ବାସନା ଆଉ କାମନାରେ ପରିବର୍ତ୍ତନ ହେବା ଉଚିତ, ବିନା ପ୍ରୟୋଜନରେ, ବିନା କାରଣରେ ଅତି ସ୍ଵାଭାବିକ ଭାବରେ ମୋ’ର ନିର୍ଭୟ ହେବା ଉଚିତ । ଆପଣାକୁ ମୁଁ ସଂସାର ସହିତ ଯେତିକି ଏକାତ୍ମ କରିପାରିବି, ଆପଣା ଭିତରେ ତେଣେ ମୁଁ ଯେତିକି ଆତ୍ମସ୍ଥ ହୋଇପାରିବି, ଏହି ସ୍ଵାଭାବିକତା ମୋ’ ଭିତରେ ସେତିକି ସତ୍ୟ ଭାବରେ ବିକଶିତ ହୋଇପାରିବ । ମୋର ଜୀବନରୁ ସକଳ ପ୍ରକାର ଆର୍ତ୍ତତା ଦୂର ହୋଇଯାଉ, ସକଳ ଦ୍ଵନ୍ଦ ସତ୍ତ୍ୱେ ତଥାପି ସକଳ ପ୍ରକାର ମୋହାନ୍ଧତା ଦୂର ହୋଇଯାଉ, ସକଳ ଜୀବନସକ୍ତି ସତ୍ତ୍ୱେ ତଥାପି ସକାଳ ଉତ୍ତେଜନା ଦୂର ହୋଇଯାଉ;—ମୋ’ ଭିତରେ ସମର୍ପଣର ସମୃଦ୍ଧି ହେଉ, ବିଶ୍ଵାସର ସମୃଦ୍ଧ ହେଉ, ସବୁ ମଣିଷକୁ ମଣିଷ ହିସାବରେ ଅର୍ଥାତ୍ ଆପଣା ସହୋଦର ଭାବରେ ଅନୁଭବ କରିବାର ସମୃଦ୍ଧି ହେଉ, ତେବେଯାଇ ମୋ’ ଆସ୍ଥାନରେ ଭଗବାନଙ୍କ ଲାଗି ଥାନ ହୋଇପାରିବ ।

 

୧୨ । ୧ । ୬୨

 

ମଣିଷମାନଙ୍କ ଠାରୁ ମୁଁ ନିନ୍ଦା ଚାହେନାହିଁ, ପ୍ରଶଂସା ମଧ୍ୟ ଚାହେନାହିଁ । କୌଣସି ମଣିଷର ନିନ୍ଦା ବା ପ୍ରଶଂସା କରି ମୁଁ ମଧ୍ୟ କୌଣସି ସନ୍ତୋଷ ବା ଆଶ୍ଵାସନା ପାଇ ପାରେନାହିଁ । ମୁଁ ମଣିଷର ସୌହାର୍ଦ୍ଦ୍ୟ ଚାହେ, ମଣିଷ ପାଖରେ ମଣିଷ ହୃଦୟର ସକାଳ ଉଷ୍ଣତା ଓ ଉତ୍ସାହ ନେଇ ବସିବାକୁ ଚାହେ, ମଣିଷ ଲାଗି ଆପଣା ଦୁଆର ପାଖରେ ଅପେକ୍ଷା କରି ବସି ରହିବାକୁ ଚାହେ । ସେଦିନ ସଭା ହେଲା, ସଭାପରେ ପରିଚିତ ଓ ଅପରିଚିତ ଅନେକ ବନ୍ଧୁ ଆସି ପ୍ରଶଂସା କରି କହିଗଲେ ଯେ, ମୋର ଲେଖାଟି ଭାରି ଭଲ ହୋଇଚି; କେହି କେହି ଉଚ୍ଛ୍ଵସିତ ହୋଇ କହିଲେ ଯେ, ସେଇଟି ସବୁଠୁଁ ବଢ଼ିଆ ହୋଇଚି । ସେମାନଙ୍କର ଉଚ୍ଛାସକୁ ମୁଁ ଅବଶ୍ୟ ବିନୀତ ହୋଇ ସ୍ଵୀକାର କରିନେଲି, କିନ୍ତୁ ତଥାପି ମୋ’ର ଭିତରେ ସତେ ଯେପରି କିଏ ଅସନ୍ତୁଷ୍ଟ ରହିଗଲା । ମୁଁ ଆହୁରି କିଛି ଚାହେ, ମୌଖିକ ଶବ୍ଦର ସ୍ତରରୁ ମୁଁ ହୃଦୟର ସ୍ତରକୁ ଯିବାକୁ ଚାହେ । କାହାକୁ ମୁଗ୍‌ଧ ଉତ୍ତେଜିତ କରି କୁଆଡ଼େ ଉଡ଼ାଇ ନେବାଲାଗି ନୁହେଁ, ମୁଁ ଆପଣାର ହୃଦୟ ଖୋଲିଦେଇ ସବୁରି ପାଖରେ ବସିବାକୁ ଚାହେ । ମୁଁ ମଣିଷ; ମୋ’ର ଗୁଣ ଅଛି, ଦୋଷ ମଧ୍ୟ ଅଛି । ବଳ ଅଛି, ଦୁର୍ବଳତା ମଧ୍ୟ ଅଛି, ସବୁ ମଣିଷକୁ ମୁଁ ଠିକ୍ ଏହିପରି ଏକ ଭୂମି ଉପରେ ହିଁ ଗ୍ରହଣ କରିଥାଏ । ତଥାପି ମୁଁ ଆଗକୁ ଯିବାକୁ ଆଗ୍ରହ ରଖିଚି, ଆହୁରି ଗଭୀରତର ସ୍ତରକୁ ଯାଇ ବୁଝିବାର ଆଗ୍ରହ ରଖିଚି । ସବୁ ମଣିଷ ଭିତରେ ନିଶ୍ଚୟ ଏହି ଆଗ୍ରହ ରହିଥିବ ବୋଲି ମୁଁ ମୋର ବିଚାର ଭିତରେ ସ୍ଵୀକାର କରି ନେଇଚି । ଆମର ନାନା ମୋହ ସକାଶେ ଆମେ ଆପଣାର ଅବଗୁଣ ଗୁଡ଼ାକ ଅଧିକ ଉତ୍ତେଜିତ କରି ସଂସାରରେ ନାନା ସମସ୍ୟା ସୃଷ୍ଟି କରି ରଖିଚୁ । ଖାଲି ବଢ଼ିଆ କଥା ଲେଖିଲେ ବା ବଢ଼ିଆ କଥା କହିଲେ ଆମେ ଏହିସବୁ ସମସ୍ୟାକୁ ଦୂର କରି ପାରିବା ନାହିଁ । ସେଇଥିଲାଗି ହୃଦୟ ଆକୁଳ ହୋଇକହେ, ଚାଲି ମଣିଷ ହିସାବରେ ବସିବା, ସାଥୀ ଓ ସୁହୃତ୍ ହିସାବରେ ବସିବା, ପରସ୍ପରକୁ ଅବଲୋକନ କରିବା, ଅନୁଭବ କରିବା,—ହୁଏତ ଆଗକୁ ଯିବାକୁ ବାଟ ମିଳିଯିବ ।

 

୧୩ । ୧ । ୬୨

 

ଆଜି ଆଗ୍ରାରେ ସମାବର୍ତ୍ତନ ଦେଖି ଠିକ୍ ଗୋଟାଏ ସୁଆଙ୍ଗ ଦେଖିଲା ପରି ଲାଗିଲା । ସେଠି ମଣିଷର ଅଦ୍ଭୁତ ବେଶଭୂଷାଠାରୁ ଆରମ୍ଭ କରି ଅଦ୍ଭୁତ ପାରମ୍ପରିକତା ପର୍ଯ୍ୟନ୍ତ କୌଣସିଥିରେ କୌଣସି ପ୍ରକାର ଶିକ୍ଷିତପଣିଆ ରହିଥିବା ପରି ମୋ’ର ମନେହେଲା ନାହିଁ । ଏହାକୁ କେବଳ ଏକ ଅନ୍ଧବିଶ୍ଵାସ କହିଲେ ଏହା ବିଷୟରେ ଯଥେଷ୍ଟ କୁହା ଗଲାବୋଲି କଦାପି କହି ହେବନାହିଁ । ମୋ’ର ବୋଉ ଚଉରା ମୂଲରେ ଓଳିକି ହେଲାବେଳେ ମନେମନେ ଯେଉଁ ଦେବତା ପାଖରେ ମନର କାମନାଗୁଡ଼ିକୁ ଜଣାଏ, ସେହି ଦେବତାଙ୍କୁ ସେ ବିଶ୍ଵାସ କରେ । ମାସକରେ ଆଠଦିନ ବ୍ରତ ଉପାସ କରି ସେ ଦେବତାର ମନକୁ ପ୍ରସନ୍ନ କରିପାରିବ ବୋଲି ପ୍ରକୃତରେ ବିଶ୍ଵାସ କରେ । ତାହାର ଏହି ବିଶ୍ଵାସ ପଛରେ କୌଣସି ପ୍ରକାର ଆତ୍ମସଚେତନତା ନଥାଏ, ଚତୁର ହୋଇ କାହାକୁ କୌଣସି ପ୍ରକାର ପ୍ରବଞ୍ଚନା କରୁଥିବାର କୌଣସି ମତଲବ ନଥାଏ । କିନ୍ତୁ ଆଜି ଯେଉଁମାନେ ସମସ୍ତ ସନ୍ତର୍ପଣ ସହିତ ସମାବର୍ତ୍ତନର ସଂସ୍କାର ଓ ପାରମ୍ପରିକତାର ପାଳନ କରୁଥିଲେ, ଏମାନଙ୍କର କୌଣସିଥିରେ କୌଣସି ବିଶ୍ଵାସ ନଥିଲା । ଏମାନେ ମୁହଁ ଉପରେ ଯେଉଁସବୁ ବାକ୍ୟର ଆବୃତ୍ତି ଓ ଉଚ୍ଚାରଣ କରୁଥିଲେ, ସେହିସବୁର ବାସ୍ତବ ଜୀବନରେ କୌଣସି ଅର୍ଥ ବା ମହତ୍ତ୍ଵ ନାହିଁ ବୋଲି ଏମାନେ ଭଲକରି ଜାଣିଥିଲେ । ଆତ୍ମସଚେତନତା ଓ ଆପଣାର ଉଦ୍ଦେଶ୍ୟସିଦ୍ଧି ଏହି ଅଭିନୟରେ ପ୍ରଧାନ ଲକ୍ଷଣ ଥିଲା । ଭଲ ଅଭିନେତା ଅଭିନୟ କଲାବେଳେ ଆପଣାକୁ ଏକାବେଳେକେ ଭୁଲିଯାଏ ବୋଲି ଶୁଣିଚି । କିନ୍ତୁ ଏମାନେ ଉପରର ସମସ୍ତ ଅଭିନୟ ସତ୍ତ୍ୱେ ପ୍ରଧାନତଃ ଆପଣାର ଅଭିନୟ ବିଷୟରେ ହିଁ ସବୁଠାରୁ ଅଧିକ ସଚେତ ଥିଲେ । ତଥାପି ମୁଁ ଏମାନଙ୍କୁ ମନ୍ଦ ଅଭିନେତା ବୋଲି ମଧ୍ୟ କଦାପି କହିବାକୁ ଯିବିନାହିଁ ।

 

୧୪ । ୧ । ୬୨

 

ଏମାନେ ଦେଶକୁ ଚିହ୍ନିନାହାନ୍ତି, କେବଳ ଆପଣାର ଆତ୍ମସମ୍ମାନ ଓ ଆତ୍ମାଅଭିମାନ ଗୁଡ଼ାକୁ ଚିହ୍ନିଚନ୍ତି । ଏମାନେ ମଣିଷକୁ ଚିହ୍ନି ନାହାନ୍ତି, କେବଳ ଆପଣାର ଲାଳସା ଗୁଡ଼ାକୁ ଚରିତାର୍ଥ କରିବାଲାଗି ମଣିଷକୁ ଆପଣାର ପ୍ରୟୋଜନରେ ଲଗାଇ ଶିଖିଚନ୍ତି । ତେଣୁ ଏଡେ ବଡ଼ ଆଡ଼ମ୍ବର ଭିତରେ ଏମାନେ ସବୁଠାରେ ଯେଉଁ ଶିକ୍ଷାର ପସରା ମେଲାଇ ବସିଚନ୍ତି, ତଦ୍ଦ୍ଵାରା ଶିକ୍ଷାର କୌଣସି ବିକାଶ ହେଉ ନାହିଁ । ମଣିଷ ଗଢ଼ା ହେଉନାହିଁ, ଏମାନଙ୍କର କ୍ଷମତା ଜାରି ରହିବାରେ ଲାଗିଚି । ଖାସ୍ ଏଇଥିଲାଗି ଶିକ୍ଷା ନାମରେ ଏହି ଆଡ଼ମ୍ବର ମଧ୍ୟ ବଢ଼ି ଚାଲିଚି । ଆଜି ଦେଶରେ ଚାରିଆଡ଼େ ଛାତ୍ରମାନଙ୍କ ଭିତରେ ଅନେକ ପ୍ରଳାର ବିଶୃଙ୍ଖଳା ବଢ଼ି ବଢ଼ି ଚାଲିଚି,—ସେମାନେ କୌଣସିଠାରେ କିଛି ଗଢ଼ିବା ଅପେକ୍ଷା କେବଳ ଭାଙ୍ଗ ଭାଙ୍ଗି ଚାଲିଚନ୍ତି । ଏଠାରେ ଗତ କେତେ ବର୍ଷ ହେଲା କାମ କରିବାପରେ ମୁଁ ଅନୁଭବ କରୁଚି ଯେ, ସେମାନଙ୍କର ବିଶୃଙ୍ଖଳ ହେବା ହିଁ ଅତ୍ୟନ୍ତ ସ୍ଵାଭାବିକ । ଆମେ ସେମାନଙ୍କ ଲାଗି ଯେପରି ବାତାବରଣ ଗଢ଼ି ରଖିଚୁ, ସେମାନଙ୍କୁ ଯେତେପ୍ରକାର ଅସତ୍ ପ୍ରେରଣା ଦେଉଚୁ, ମଣିଷ ହିସାବରେ ସେମାନଙ୍କୁ ଯାବତୀୟ ପ୍ରକାରେ ଅସ୍ଵୀକାର କରି ସେମାନଙ୍କୁ ଯେପରି ଅପଦାର୍ଥ ମାଡ଼ିଗୋଡ଼ି ପରି ବ୍ୟବହାର କରିବାକୁ ଆରମ୍ଭ କରିଚୁ ଓ ଏହିସବୁ ଅଶିକ୍ଷିତ ଆଚରଣଗୁରକୁ ହିଁ ଶୃଙ୍ଖଳା ବୋଲି କହୁଚୁ, ସେହିସବୁର ପରିଣାମ ସ୍ଵରୂପ ଆମର ଛାତ୍ରମାନେ ବିଶୃଙ୍ଖଳ ହେବା ବ୍ୟତୀତ ଆଉ କିଛି ହୋଇ ପାରିନଥାନ୍ତେ । ମୁଁ ଯେତିକି ଦେଖୁଚି, ସେତିକି ଯେପରି ମୋ’ ଭିତରେ ଲୁଚି ରହିଥିବା ଛାତ୍ର ଅଧିକରୁ ଅଧିକ ବିଦ୍ରୋହୀ ହୋଇଉଠୁଚି । ମୋ’ ଭିତରେ ଶିକ୍ଷକକୁ ବଞ୍ଚାଇ ରଖିବାଲାଗି ମୁଁ ଯେଉଁ ଶିକ୍ଷାର୍ଥୀର ମନକୁ ମଧ୍ୟ ବିକଶିତ କରିରଖିଚି, ସେହି ମନ ଆଜି ଏହି ବ୍ୟୁହ ଭିତରେ ପଶି ଭାରି ଅଶ୍ଵସ୍ତ ଅନୁଭବ କରୁଚି,—ଏହି ବ୍ୟବସ୍ଥାକୁ ବ୍ୟଭିଚାର ବୋଲି ଅନୁଭବ କରୁଚି ।

 

୧୫ । ୧ । ୬୨

 

ଲକ୍ଷ୍ୟ ସାମ୍ୟବାଦ ନୁହେଁ, ଲକ୍ଷ୍ୟ ହେଉଚି ମଣିଷ । ସାମ୍ୟବାଦ ସ୍ଥାପନ କରିବା ଜୀବନର ବା ସମାଜର ଲକ୍ଷ୍ୟ ନୁହେଁ, ମନୁଷ୍ୟତ୍ଵର ବିକାଶ କରିବା ହେଉଚି ଲକ୍ଷ୍ୟ । ସମତାର ବିକାଶ ହେଲେ ମନୁଷ୍ୟର ମଧ୍ୟ ବିକାଶ ହେବ, ସେଇଥିଲାଗି ହିଁ ସମତା ହେଉଛି ମଣିଷର କାମ୍ୟ । କିନ୍ତୁ ଯେକୌଣସି ପ୍ରକାରେ ସମତାର ସ୍ଥାପନା କରିବାଲାଗି ଯେଉଁଠି ମଣିଷର ଜୀବନକୁ ନାନାପ୍ରକାରେ କର୍ହିତ ଓ ବିକୃତ କରି ଦିଆଯାଏ, ସେଠାରେ ବିକାଶର ସମସ୍ତ ଭାରସାମ୍ୟକୁ ବଡ଼ ଅସ୍ଵାଭାବିକ ଭାବରେ ନଷ୍ଟ କରି ଦିଆଯାଏ । ସମୟରେ ଯେକୌଣସି ଉପାୟରେ ସମତା ପ୍ରତିଷ୍ଠା କରିବା ଲାଗି ଯେଉଁମାନେ ପାଗଳ ହୋଇଉଠନ୍ତି, ଯେକୌଣସି ଉଗ୍ରବାଦୀ ଅନ୍ଧବିଶ୍ଵାସୀଙ୍କ ପରି ସେମାନଙ୍କ ଦ୍ଵାରା ମଧ୍ୟ ସମାଜ ଓ ସମାଜିକତାର ଅନେକ କ୍ଷତି ହୁଏ । ସେମାନେ ଆପଣା ଭିତରେ ଥିବା ଗୋଟାଏ ପାଶବିକ କ୍ଷମତା ମୋହର ବଶବର୍ତ୍ତୀ ହୋଇ ଆଦର୍ଶକୁ ଆପଣାର ଇଚ୍ଛା ସହିତ ସମତୁଲ କରିଦିଅନ୍ତି, ସକଳ ପ୍ରକାର ମାନବିକ ରଚନାତ୍ମକତା ଆଡ଼କୁ ଆଖି ବୁଜି ଦିଅନ୍ତି, ଓ ଜୀବନର ସବୁ କ୍ଷେତ୍ରକୁ ବିପର୍ଯ୍ୟସ୍ତ କରିବାକୁ ମାଡ଼ିଆସନ୍ତି । ଏମାନଙ୍କର ଶାସନାରେ ଉତ୍ତେଜନା ବେଶ୍ ବଢ଼େ, କିନ୍ତୁ ରଚନାତ୍ମକତାର ନିର୍ଭୟ ପ୍ରବୃତ୍ତିମାନ ମରିଯାଏ । ମଣିଷକୁ ମଝିରେ ରଖି ମଣିଷ ତା’ର ଆଦର୍ଶବାଦର ବିଚାରଣ କରୁ, ହୁଏତ ସେଥିରେ କୌଣସି ବିପଦ ନାହିଁ । ଆପଣ ଭିତରେ ରହିଥିବା ମଣିଷର ବିକାଶ ଲାଗି ହିଁ ସେ ଆପଣା ସମାଜର ସକଳ ତନ୍ତ୍ରକୁ ନିୟନ୍ତ୍ରିତ କରୁ । ଏହାହିଁ ବାଟ ।

 

୧୬ । ୧ । ୬୨

 

ଏଠାରେ ନାନା ଆଡ଼ମ୍ବର ଭିତରେ ବସି ଖାଲି ହାମ୍‌ଲେଟ୍‌ର ଅଭିନୟ କରିବାକୁ ଏଣିକି ବଡ଼ ଅସଭ୍ୟ ବୋଧ ହେଉଚି । ମୋ’ର ଚାରିପାଖକୁ ଅଣାଇବା ମାତ୍ରକେ ମୁଁ ଅନୁଭବ କରୁଚି, ଯେପରି କେବଳ ହାମ୍‌ଲେଟ୍‌ର ଅଭିନୟ କରିବା ବ୍ୟତୀତ ଏ ଦେଶର ଶିକ୍ଷକ ଲାଗି କୌଣସି ଗତ୍ୟନ୍ତର ନାହିଁ । ହାମ୍‌ଲେଟ୍‌ର ଚିନ୍ତାଶକ୍ତି ଅତି ପ୍ରବଳ ଥିଲା । କେତେବେଳେ କ’ଣ କରିବା ଉଚିତ ବା ଅନୁଚିତ, ସେକଥା ସେ ଆପଣା ଭିତରେ ବେଶ୍‍ ବୁଝି ପାରୁଥିଲା । ଆପଣା ଭିତରେ ଆପଣାର ଗୁରୁଜନ ସାଜି ସେ ଆପଣାର କର୍ତ୍ତବ୍ୟ ବିଷୟରେ ଆପଣାକୁ ଉପଦେଶ ଦେବାର କୌଣସି ତ୍ରୁଟି କରୁନଥିଲା । ଏବଂ ଆପଣ ସହିତ ଏହି ଅନ୍ତର୍ଗତ କଥୋପକଥନ ଦ୍ଵାରା ସେ ଏକପ୍ରକାର ସାନ୍ତ୍ଵନା ପାଉଥିଲା, ଆପଣ ଜୀବନକୁ ବଞ୍ଚୁଥିବାର ଏକ ଉତ୍ତେଜନା ମଧ୍ୟ ସେ ବେଶ୍ ଅନୁଭବ କରୁଥିଲା । ବର୍ତ୍ତମାନ ଶିକ୍ଷାଳୟ ମାନଙ୍କରେ ଶିକ୍ଷକର ଦଶା ଠିକ୍ ତାହାହିଁ ହୋଇଚି । ଶିକ୍ଷକ କ୍ଳାସ୍ ଭିତରେ ବଡ଼ ବଡ଼ କଥା କହୁଚି, ଆପଣ ଜୀବନକ୍ଷେତ୍ରର ପରିସରଠାରୁ ଅନେକ ବଡ଼ ବିଚାରମାନ ସେ ବାଢ଼ିବାରେ ଲାଗିଚି । କିନ୍ତୁ ଏଣେ ତା’ର କର୍ତ୍ତାମାନଙ୍କର ହାତରେ ସେ ପ୍ରଧାନତଃ ଏକ ବୋଲ ମାନିବାର ଦାସ ହୋଇରହିଚି, ସେମାନଙ୍କ ହାତରେ କ୍ରୀଡ଼ନକ ହୋଇରହିଚି । ଉଚ୍ଚରୁ ଅତି ଉଚ୍ଚ ବିଚାରକୁ ସେ କେବଳ ବିନା ମନନରେ ଯନ୍ତ୍ରବତ୍ ଉତ୍କୃଷ୍ଟ ପଦ୍ଧତିରେ ଛାତ୍ରମାନଙ୍କ ଆଗରେ କହି ଚାଲିବ; ବାସ ତା’ପରେ ଆଉ କିଛି ଭାବିବାଲାଗି ତାହାର କୌଣସି ଅଧିକାର ଦ୍ଵାରା ସେହିସବୁ ବିଚାରର ନିତ୍ୟ ଅପମାନ ହେଉଥିବ, ତଥାପି ସେ କିଛି କରି ପାରିବନାହିଁ, କେବଳ କାମ କରିଯିବ-। ବିଦ୍ୟାଳୟର କର୍ତ୍ତାମାନେ ସବୁପ୍ରକାର କର୍ତ୍ତୃତ୍ଵ ପ୍ରକୁପିତ ଉପାୟ ଦ୍ଵାରା ବିଦ୍ୟାର୍ଥୀ ଓ ବିଦ୍ୟାଳୟର ଜୀବନକୁ ବ୍ୟସ୍ତ ଓ ଆହତ କରିଦେବାର କୌଣସି ତ୍ରୁଟି କରୁନଥିବେ, ତଥାପି ଏଣେ ଶିକ୍ଷକ ବିଦ୍ୟାର୍ଥୀର ଜୀବନକୁ ବିଦ୍ୟାନୁରୂପ କରି ଗଢ଼ିବାକୁ ଚେଷ୍ଟା କରୁଥିବ । କିନ୍ତୁ ଏହା ସମ୍ଭବ ହେବ କିପରି ?

 

୧୭ । ୧ । ୬୨

 

ହାମ୍‌ଲେଟ୍ ଯାହା କରୁଥିଲା, ଆପଣାର ପ୍ରବୃତ୍ତିଗତ ଭାବରେ ହିଁ ତାହା କରୁଥିଲା । କିନ୍ତୁ ଆଜି ଶିକ୍ଷକ ଏଦେଶରେ ଯାହା କରୁଚି, ଅନେକ ସମୟରେ ଆପଣା ପ୍ରବୃତ୍ତିର ବିରୁଦ୍ଧରେ ବାଧ୍ୟ ହୋଇ ତାହା କରୁଚି । କ’ଣ କରିବା ଉଚିତ ସେ ବେଶ ଜାଣିଚି । ତା’ ଭିତରେ ଇଚ୍ଛା ଅଛି, କର୍ମପ୍ରେରଣା ଅଛି, କର୍ତ୍ତବ୍ୟବୋଧ ମଧ୍ୟ ଅଛି । ସେ ଶିଖିବାକୁ ଚାହେ, ନୂଆ ନୂଆ ପ୍ରୟୋଗ କରି ସେ ଆପଣାର ଶିକ୍ଷଣମାର୍ଗରେ ମଧ୍ୟ ନୂତନ ପରିବର୍ତ୍ତନ କରିବାକୁ ଚାହେ । କିନ୍ତୁ ତା’ର ଇଚ୍ଛା ବା ତା’ର ପ୍ରେରଣା ଲାଗି ଶିକ୍ଷାଳୟର ବଜାରରେ ଗ୍ରାହକକର୍ତ୍ତା କୌଣସି ସ୍ଵୀକୃତି ଦେଉନାହିଁ । ସେ ଶିଖୁ, ବା ସେ ନିଜ ଇଚ୍ଛା ଓ ଉଦ୍ୟମରେ କୌଣସି ପ୍ରକାର ପ୍ରୟୋଗ କରୁ ବୋଲି କର୍ତ୍ତା ଚାହେନାହିଁ-। କର୍ତ୍ତା ଚାହେ, ସେ କେବଳ ବୋଲ ମାନୁ । ତାକୁ ଭଲ ବୋଲ ବତାହେଲେ ସେ ଖୁସାମତି କରୁ ଓ ଖରାପ ବୋଲି ବତାହେଲେ ଖୁସାମତି ନକରୁ ପଛକେ, ଅନ୍ତତଃ ଚୂପ ରହିଯାଉ ସୁନାପୁଅ ପରି ତାକୁ ମାନିଯାଉ । ଜଣେ ଶିକ୍ଷକ ହିସାବରେ ମୁଁ ଯାହା କରିବି ବୋଲି ଭାବୁଚି, ତାହା କରି ପାରୁନାହିଁ; ମୋ’ର ଭାବିବାଟା କେତେଦୂର ଠିକ୍ ବା ଭୁଲ୍‍, ଅନ୍ୟମାନଙ୍କ ସହିତ ଆଲୋଚନା କରି ତାହା ବୁଝିବାଲାଗି ମଧ୍ୟ ମୁଁ କୌଣସି ନିର୍ଭର ପାଉନାହିଁ । ଯାହାକୁ ମୁଁ ଠିକ୍ ବୋଲି ଭାବୁନାହିଁ, ତାକୁ ମଧ୍ୟ ମୁଁ କର୍ତ୍ତାର ବୋଲ ମାନି କରିବାକୁ ବାଧ୍ୟ ହେଉଚି । ଅର୍ଥାତ୍, ମଣିଷ ହିସାବରେ ମୁଁ ମରି ଯାଉଚି । ଆପଣ ଭିତରେ ନାନା ଦ୍ଵନ୍ଦ୍ଵର ଅସନ୍ତୋଷରେ ମୁଁ କ୍ରମେ ଅତି ବିରକ୍ତ ଓ ଅତି ଉଦାସୀନ ଭାବରେ ବସି ଯାଉଚି । ମୋ’ର କଥା ଶୁଣିବାକୁ କେହି ନାହିଁ, ମୋ’ର କ୍ଷେତ୍ରରେ ମୋ’ର କଥାର କୌଣସି ମୂଲ୍ୟ ନାହିଁ, ଏହିପରି ଆପଣା ସମ୍ବନ୍ଧରେ ଏକ ଅକିଞ୍ଚନ ଭାବ ମୋତେ ଖାଇଖାଇ ଯାଉଚି ।

 

୧୮ । ୧ । ୬୨

 

ଏହି କ୍ଷେତ୍ରରେ କର୍ତ୍ତାମାନେ ଚାହୁଚନ୍ତି, ମୁଁ କେବଳ ବୋଲ ମାନିକରି ରହେ । କେବଳ ଦାସ୍‍ ହୋଇ ରହେ,-ସେମାନେ ଯାହାକୁ ଭଲ ବୋଲି ବିଚାରୁଚନ୍ତି, ତାହାକୁ ହିଁ ମୁଁ ମଧ୍ୟ ମୁଁ ସେହିଗୁଡ଼ାକୁ ଭଲ ବୋଲି କହିବୁଲେ । ଏବଂ ମୋ’ର ପ୍ରକୃତ ଓ ପ୍ରବୃତ୍ତିଗୁଡ଼ାକୁ ମୁଁ ଯେତେଦୂର ଚିହ୍ନିଚି, ମୁଁ ଭଲ କରି ଜାଣୁଚି, ଯେ, ମୋ’ର ଦ୍ଵାରା ଏ ନୂତନ ବିଦ୍ୟା ଆୟତ୍ତ କରିବା ଆଦୌ ସମ୍ଭବ ନୁହେଁ । ବାହାରେ ଯେତିକି ଯେତିକି ମୁଁ ସେମାନଙ୍କର ଅଶିକ୍ଷିତ କ୍ଷମତାଚର୍ଯ୍ୟା ଦେଉଚି, ମୋ’ର ଭିତରେ ସେତିକି ସେତିକି ଅସନ୍ତୋଷ ବଢ଼ିବାରେ ଲାଗୁଚି । ଏହି ଅସନ୍ତୋଷ ଫଳରେ ଏଠାରେ ଚାଲିଥିବା ସକଳ କାର୍ଯ୍ୟକଳାପ ପ୍ରତି ମୁଁ ଗୋଟାଏ ପ୍ରକାର ଅନାସକ୍ତି ଅନୁଭବ କରୁଚି । ମୋ’ ଭିତରେ ଯେଉଁ ଶିକ୍ଷକ ଅନେକ ଉତ୍ସାହରେ ଆପଣାକୁ ଏହି କ୍ଷେତ୍ରରେ କାଲି ସମର୍ପିତ କରି ଦେଇଥିଲା, ମଦୁଆ ଅମଣିଷ କର୍ତ୍ତାମାନଙ୍କର ହାତରେ ପାତ୍ର ହୋଇ ମଦ୍ୟପରିବେଷଣର ସାଧନ ହେବାଲାଗି ତା’ର ମନ ଯାଉନାହିଁ । ଏକ ଅନ୍ତର୍ଗତ ଅସହିଷ୍ଣୁତା କ୍ରମେ ଏହି କ୍ଷେତରୁ ମୋ’ର ସମସ୍ତ ଛଡ଼ାଇ ଦେଇ ଗଲାପରି ଲାଗୁଚି । ଭାରି ଦୁଃଖ ହେଉଚି, ଏଠି ମୁଁ କେବଳ ଆପଣାକୁ ଠକୁ ନାହିଁ ସମସ୍ତ ଦେଶକୁ ଠକୁଚି, ଆମର ପୃଥିବୀକୁ ଅଧିକ ଭଲ କରି ଗଢ଼ିବାରେ ସମସ୍ତ ସାଧୁ ଯୋଜନାକୁ ଠକୁଚି,—ଉପରେ ବଡ଼ ମାର୍କା ଦେଇ ସାମାଜିକ କ୍ଷେତ୍ରଗୁଡ଼ୁକୁ କେବଳ ଆପଣା ହାକିମୀର ଚରିତାର୍ଥ କରିବାର ଏଠି ଯେଉଁ ଅଭିନୟ ଚାଲିଚି, ମୁଁ ସେହି ଅଭିନୟରେ ସହଯୋଗ କରୁଚି । ଏହାହିଁ ଆଜି ମୋ’ର ଚରମ ଇଚ୍ଛା ହୋଇ ମୋର ଅସନ୍ତୋଷ ବଢ଼ାଉଚି । ଏ ଲଜ୍ଜାରୁ ବଞ୍ଚିବା ଲାଗି ମୋତେ ବଳ ଦେବ କିଏ, ବାଟ ବତାଇବ କିଏ ?

 

୧୯ । ୧ । ୬୨

 

କାଲି ଆଗ୍ରାରେ ଗୋଟିଏ ଶିକ୍ଷାସଂସ୍ଥାରେ କୌଣସି ଏକ ବିଷୟ ଉପରେ ପ୍ରାୟ ଘଣ୍ଟାଏ କାଳ କହିବାର ସୁଯୋଗ ପାଇଥିଲି । ବିଷୟ ମନୋବିଜ୍ଞାନର ବିଷୟ ଥିଲା । ହିନ୍ଦୀଭାଷାରେ କହିବାକୁ ପଡ଼ିଥିଲା । ଆଗରୁ ମୋ’ ମନ ଭିତରେ ଏହି ବିଷୟରେ ଦେଶ ଟିକିଏ ଭୟ ଥିଲା । ମୁଁ ଆଗରୁ କେବେ ଏପରି ଔପଚାରିକ ଭାବରେ ହିନ୍ଦୀଭାଷାରେ ଭାଷଣ ଦେଇ ନଥିଲି । ମନୋବିଜ୍ଞାନ ସମ୍ବନ୍ଧରେ ମୁଁ ଆଜି ପର୍ଯ୍ୟନ୍ତ ଯାହା ଅଧ୍ୟୟନ କରିଚି, ତାହା କେବଳ ଅହିନ୍ଦି ଭାଷାରେ କରିଚି । ଏଣୁ ମୋତେ ଦିଆଯାଇଥିବା ଦାୟିତ୍ଵକୁ ମୁଁ କେତେଦୂର ସୁଯୋଗ୍ୟ ଓ ସୂଚାରୁରୂପେ ତୁଲାଇ ପାରିବି, ସେ ବିଷୟରେ ମୋ’ ନିଜର ମନରେ ମଧ୍ୟ ଭାରି ସଙ୍କୋଚ ଥିଲା । କିନ୍ତୁ ପ୍ରକୃତ କଥା କହିବାକୁ ଗଲେ, ଭାଷଣ କକ୍ଷରେ ପ୍ରବେଶ କଲା ମାତ୍ରକେ ସମସ୍ତଙ୍କ ଗହଣରେ ଆପଣାକୁ ଦେଖି ଅତି ଅସଚେତ ଭାବରେ ମୋର ସକଳ ସଙ୍କୋଚ କୁଆଡ଼େ ଅପସାରିତ ହୋଇଗଲା । ସେମାନେ ସମସ୍ତେ ମୋର ମିତ୍ର ପରି ମନେହେଲେ । ଭାଷଣ ଶେଷରେ ମଧ୍ୟ ମୁଁ ସମସ୍ତଙ୍କଠାରୁ ଏହି ମିତ୍ରତାର ପ୍ରମାଣ ପାଇଲି । ଯେଉଁଠି ସମସ୍ତେ, ଅର୍ଥାତ୍ ତଥାକଥିତ ବକ୍ତା ଓ ତଥାକଥିତ ଶ୍ରୋତା ଜାଣିବାର ଓ ଶିଖିବାର ଆଗ୍ରହ ନେଇ ଆସିଥାଆନ୍ତି, ସେଠାରେ ଭାଷା କୌଣସି ପ୍ରକାର ବାଧା ସୃଷ୍ଟି କରି ପାରେନାହିଁ ! ମୁଁ ବାଟରେ ଘରକୁ ଫେରିବାବେଳେ ଭାବୁଥିଲି, ଯେଉଁମାନେ ଭାରତବର୍ଷରେ ଭାଷାନେଇ କଜିଆ କରନ୍ତି, ଘୃଣାର ପ୍ରସାର କରନ୍ତି, ସେମାନଙ୍କ ଭିତରେ କ’ଣ ଏପରି କୌଣସି ଆଗ୍ରହ କରନ୍ତି, ଘୃଣାର ପ୍ରସାର କରନ୍ତି, ସେମାନଙ୍କ ଭିତରେ କ’ଣ ଏପରି କୌଣସି ଆଗ୍ରହ ନାହିଁ ? ତେବେ ମଣିଷ ସହିତ ଏକାଠି ବସିଲାବେଳେ ଏମାନେ ଭେଦଟାକୁ ଏଡ଼େ ବଡ଼ କରି ଦେଖନ୍ତି କାହିଁକି ?

 

୨୦ । ୧ । ୬୨

 

ଆପଣାକୁ ତିରସ୍କାର କରିବାଲାଗି ମୋର ମୋର ମନ ବାରବାର ଉତ୍ତେଜିତ ହୋଇଉଠୁଚି । ବରାବର ମନ ହେଉଚି, ସବୁଆଡ଼କୁ ଆଖି ବୁଜିଦେଇ ମୁଁ କେବଳ ଆପଣାକୁ ଶାସ୍ତି ଦେବି, ଆପଣାର ଗ୍ଳାନିରେ ଦଗ୍‌ଧ ହେବି, ଆପଣା ସହିତ ଶତ୍ରୁତା ଆଚରଣ କରି ଆପଣାର ପ୍ରତିଶୋଧ ନେବି । ପାଠଶାଳାରେ ପିଲା ଦୋଷ କଲେ ଗୁରୁଜନ ଦୋଷାଗ୍ରହୀ ଶିକ୍ଷକ ଯେପରି ଉତ୍ତେଜିତ ହୋଇ କେବଳ ଶାସ୍ତି ଦେଇ ସଂସାରର ସମସ୍ତ ସମସ୍ୟାର ସମାଧାନ କରିବାକୁ ବାହାରିପଡ଼େ, ମୋ’ମନଟା ବାରବାର ସେହିପରି ଉତ୍ତେଜିତ ହୋଇଉଠେ । ସେତିକିବେଳେ, ଅର୍ଥାତ୍ ଆପଣା ଭିତରେ କେଉଁ କ୍ରୂର ଶାସକର ଦୃଷ୍ଟି ଆଗରେ ଅସହାୟା ଦ୍ରୌପଦୀ ପରି ଠିଆ ହୋଇଥିବା ସମୟରେ ଆହୁରି ଭିତରେ ଥାଇ କିଏ ମୋର ଆହୁରି ଆପଣାର ହୋଇ ମୋତେ ସାନ୍ତ୍ଵନା ଦେବାକୁ ଆସେ । ଆପଣା ସହିତ ଆହୁରି ଧୈର୍ଯ୍ୟ ଅବଲମ୍ବନ କରିବାକୁ ପ୍ରେରଣା ଦେଇଥାଏ, ସ୍ଥିର ହୋଇ ବାଟ ଚାଲିବାକୁ ବଳ ଦେଇଯାଏ । ମୋତେ ଶ୍ରଦ୍ଧାର ବାଟ ବତାଇ ଦେଇଯାଏ । ସଂସାର ଭିତରେ ପୁଣି ସବୁ ଭଲ ଲାଗେ, ମୋର ଶୂନ୍ୟଭଣ୍ଡାର ପୁଣି ଭରି ଉଠିଲାପରି ଲାଗେ, ମୋର ନିଃସ୍ଵ ପଥିକ ପାଖରେ ପାଥେୟ ଆସି ଜୁଟିଯାଏ । ସଂସାର ପ୍ରତି ସହିଷ୍ଣୁ ହେବାକୁ ହେଲେ ଆପଣା ପ୍ରତି ଅତ୍ୟନ୍ତ ସହିଷ୍ଣୁ ହେବାକୁ ପଡ଼ିବ, ସଂସାର ପ୍ରତି ଶ୍ରଦ୍ଧାର ଭାବ ରଖିବାକୁ ହେଲେ ଆପଣାପ୍ରତି ମଧ୍ୟ ଶ୍ରଦ୍ଧାର ଭାବ ରଖିବାକୁ ହେବ; ଆପଣା ଭିତରେ ସଂସାରର ଅପୂର୍ଣ୍ଣତା ପ୍ରତି ରହିଥିବା ଦୃଷ୍ଟିକୁ ଆପଣାପ୍ରତି ମଧ୍ୟ ପ୍ରୟୋଗ କରିବାକୁ ହେବ,–ଜୀବନରେ ଅଭିଜ୍ଞତା ବଢ଼ିବା ସଙ୍ଗେ ସଙ୍ଗେ ମୋର ଏହି ଅନୁଭୂତି ମଧ୍ୟ ବଢ଼ିବାକୁ ଲାଗିଚି । ଆପଣାକୁ ଗାଳି ଦେଇ ମୁଁ ମୋ ଭିତରେ କୌଣସି ପରିବର୍ତ୍ତନ ସମ୍ଭବ କରି ପାରିବିନାହିଁ । ବୁଝିବା ହେଉଚି ଏକମାତ୍ର ବାଟ ।

 

୨୧ । ୧ । ୬୨

 

ସମସ୍ତେ କହୁଚନ୍ତି, ଏହି ପନ୍ଦରଦିନ ଭିତରେ ପୃଥିବୀ ପ୍ରଳୟ ହୋଇଯିବ । ଗତ କେତେଦିନ ହେଲା ଚାରିଆଡ଼େ ଯେଉଁ ପ୍ରବଳ ଶୀତ ପଡ଼ିଚି, ଅନେକ ଲୋକ ତାହାକୁ ପ୍ରଳୟର ପୂର୍ବସୂଚନା ବୋଲି ମଧ୍ୟ ଆଶଙ୍କା କରୁଚନ୍ତି । ଏ ବିଷୟରେ ମୋ’ର ପକ୍ଷରେ ବା ବିପକ୍ଷରେ କିଛିହେଲେ କହିବାର ନାହିଁ । କିନ୍ତୁ ମୁଁ ସତକଥା କହୁଚି ଯେ, ଏସବୁ ସମ୍ବନ୍ଧରେ ଶୁଣିଲାବେଳେ ମୋ’ ମନରେ କୌଣସି ପ୍ରକାର ଭୟଭାବନା ଜାତ ହେଉନାହିଁ । ତାର ସର୍ବପ୍ରଧାନ କାରଣ ହେଉଚି ଯେ, ସୃଷ୍ଟିର ବିଧାନ ଓ ଜୀବନର ବିଧାୟକ ଉପରେ ମୋର ପୂର୍ଣ୍ଣ ବିଶ୍ଵାସ ରହିଚି । ଅବଶ୍ୟ ଏପରି ଶୁଣି ଯେପରି କେହି ଅର୍ଥ ନକରନ୍ତି ଯେ ଭଗବାନଙ୍କର ମୁଁ ହେଉଚି ଗେହ୍ଲା ପୁଅ, ତେଣୁ ଯେ କୌଣସି ବିପର୍ଯ୍ୟୟ ପଡ଼ିଲେ ଭଗବାନ ଆଉ ସମସ୍ତଙ୍କୁ ଛାଡ଼ିଦେବେ ପଛକେ, ମାତ୍ର ମୋତେ ନିଶ୍ଚୟ ବଞ୍ଚାଇ ରଖିବେ । ମୁଁ ଏପରି କଥା ଆଦୌ କହୁନାହିଁ । ମାରିବାକୁ ମୋର ଡର ନାହିଁ, କାରଣ ଏହି ଜୀବନରେ ମୋର ଯାହାକିଛି କରିବାର କଥା, ମୁଁ ତାହା ଖୁସୀ ହୋଇ କରିଯାଉଚି । ଏହି ଜୀବନର ଲୀଳାନନ୍ଦମୟତାକୁ ଯେଉଁମାନେ କେବଳ ଏହି ଜୀବନର ଆୟୁଃସୀମା ଭିତରେ ସୀମାବଦ୍ଧ କରି ରଖନ୍ତି, ସେହିମାନେ ହିଁ ମରଣକୁ ଭୟ କରନ୍ତି, ସେହିମାନେ ନାନା ଭୟଶଙ୍କିତ ସ୍ଵାର୍ଥବୁଦ୍ଧିର ପରିବଶ ହୋଇ ଏହି ଜୀବନରେ ସେ ପାଖରେ ନାନା ଦୁର୍ଗତି ରହିଚି ବୋଲି ଭାବି ଅବଶ ହୋଇ ପଡ଼ନ୍ତି । ମୁଁ ସେପରି କଦାପି ହୁଏନାହିଁ । ଆଜି ସକାଳର ସୂର୍ଯ୍ୟୋଦୟ ମୋତେ ସବୁ ସକାଳର ନିର୍ଭର ଦେଇଯାଏ । ମୋ’ର ଏହି ମନୋଦୃଷ୍ଟିକୁ ମୁଁ ଠିକ୍ ବୋଲି ପ୍ରମାଣ କରି ପାରିବ ନାହିଁ । ଏହା ମୋ’ର ବିଶ୍ଵାସପ୍ରସୂତ ।

 

୨୨ । ୧ । ୬୨

 

କିନ୍ତୁ ଗୋଟାଏ କଥାରେ ମୋ’ର ନିଶ୍ଚୟ ଆପତ୍ତି ଅଛି । ପୃଥିବୀ ଯଦି ପ୍ରକୃତରେ କେବେ ନଷ୍ଟ ଓ ସମାପ୍ତ ହୋଇଯାଏ, ତେବେ ତାହା ଗ୍ରହମାନଙ୍କର କୁଟଚକ୍ରାନ୍ତ ଦ୍ଵାରା ହେବନାହିଁ, ଏହି ପୃଥିବୀରେ ବାସ କରୁଥିବା ମଣିଷମାନଙ୍କର ମରଣୋଦ୍ଦିଷ୍ଟ ଆଚରଣ ଦ୍ଵାରା ହିଁ ହେବ, ଆମ ନିଜର ନିର୍ବୋଧତା ଦ୍ଵାରାହିଁ ହେବ । ଜ୍ୟୋତିଷଶାସ୍ତ୍ରରେ ମୋ’ର ବିଶ୍ଵାସ କେତେଦୂର ଅଛି ବା ନଅଛି, ଏହି କଥା ଜାଣିବାଲାଗି ମୁଁ କେବେହେଲେ ଖୁବ୍ ବେଶୀ ଉତ୍ସାହ ପ୍ରକାଶ କରିନାହିଁ । ଆକାଶର ଗ୍ରହ ମଣିଷ ସହିତ ବାଦ କରିବେ ବା ମଣିଷର ଭକ୍ତି ଆଦାୟ କରିବା ଲାଗି ତା’ଉପରେ ଦାଉ ସାଧିବେ, ମୁଁ ସେ କଥା ବିଶ୍ଵାସ କରି ପାରେନାହିଁ । ଆକାଶର ଗ୍ରହତାରା ଉପରେ ଥାଇ ମଣିଷର ଜୀବନକୁ ସେଇଠୁ ନିୟନ୍ତ୍ରଣ କରିବେ, ଏହି ଯୁକ୍ତିକୁ ମୁଁ କଦାପି ମାନିନେଇ ପାରେନାହିଁ । କୌଣସି ଭଗବାନ ମଧ୍ୟ ବାହାରେ ଥାଇ ମଣିଷର ଜୀବନକୁ ଉଠାଇବାରେ ଓ ପକାଇବାରେ ଏତେ ଆଗ୍ରହ ରଖୁଥିବେ, ମୁଁ ସେକଥା ମଧ୍ୟ ଗ୍ରହଣ କରି ପାରେନାହିଁ । ମୋ’ର ଭାଗ୍ୟ ଗ୍ରହମାନଙ୍କର ଅନୁଗ୍ରହ ଦ୍ଵାରା ନିୟନ୍ତ୍ରିତ ହୁଏ,—ଏପରି ବିଶ୍ଵାସ କରି ମୁଁ ଆପଣାକୁ କେବଳ ଅଧିକରୁ ଅଧିକ ଲୁଚାଇ ରଖିବାରେ ହିଁ ସାହାଯ୍ୟ କରିଥାଏ । ଏଥିରେ ମୁଁ ମୋ’ର ଦୁର୍ବଳତାଗୁଡ଼ାକୁ ସାନ୍ତ୍ଵନା ଦେଇ ରଖିଥାଏ । ଏହି ମନୋବୃତ୍ତିକୁ ମୁଁ କଦାପି ବିଶ୍ଵାସ ବୋଲି କହିବିନାହିଁ । ବିଶ୍ଵାସ ମଣିଷକୁ ବଳଦିଏ, ବିଶ୍ଵାସ ମଣିଷର ଚିତ୍ତରେ ନିର୍ଭରତା ବଢ଼ାଏ,—ମଣିଷ ଭିତରେ ଆଧାତ୍ମିକ ଆଳସ୍ୟକୁ ସେ କୌଣସି ପ୍ରଶୟ ଦିଏନାହିଁ । ବିଶ୍ଵାସ ମଣିଷର ଦାୟିତ୍ଵକୁ ଆପେ ବହନ କରିବାର ସାହସ ଓ ଇଚ୍ଛା ଆଣିଦିଏ ।

 

୨୩ । ୧ । ୬୨

 

ସଂସାର ବିଲୁପ୍ତ ହୋଇ ଯାଉ ପଛକେ, କିନ୍ତୁ ମୋ’ର ଶେଷ ଚେତନା କଣା ରହିଥିବା ପର୍ଯ୍ୟନ୍ତ ମୋ’ର ଏହି ଜୀବନ ପ୍ରତି ବିଶ୍ଵାସ ହିଁ ବଳବତ୍ତର ହୋଇ ରହିଥାଉ । ଏଇଥର ପୃଥିବୀ ଶେଷ ହୋଇଯିବ, ମୋ’ର ଆପଣା ଜୀବନରେ ଆହୁରି ପାଇବା ବାକୀ ରହିଗଲା ବୋଲି ଯେ ମୋ’ରି ଠାରୁ ଜୀବନ ସମାପ୍ତ ହୋଇଯିବ, ମୋ’ର ସନ୍ଧାନ କରିବାରେ ଶିଥିଳତା ଆସିଗଲା ବୋଲି ଯେ ଜୀବନର ଯାତ୍ରାରେ ସମସ୍ତ ସନ୍ଧାନପ୍ରକ୍ରିୟା ଏଇଠୁ ବନ୍ଦ ହୋଇଯିବ, ଏପରି ଭାବିବାଲାଗି ମଧ୍ୟ ମୋ’ର କୌଣସି ଅଧିକାର ନାହିଁ । ଏପରି ଭାବିବା ମଧ୍ୟରେ ଏକ ଭୟଙ୍କର ନାସ୍ତିକତା ଅନ୍ତର୍ନିହିତ ହୋଇରହିଚି । ଭଗବାନ ଅଛନ୍ତି କି ନାହିଁର ବାଦବିବାଦକୁ ତର୍କର ପୁଞ୍ଜି କରି ସାଧାରଣତଃ ଆମେ ଯେଉଁ ନାସ୍ତିକ ତାର ଚର୍ଚ୍ଚା କରିଥାଉ, ଏହି ନାସ୍ତିକତା ହେଉଚି ତା’ ଠାରୁ ଅନେକ ପରିମାଣରେ ଅଧିକ ଭୟାବହ । ଏ ହେଉଚି ଜୀବନ ବିଷୟରେ ନାସ୍ତିକତା, ଆପଣା ବିଷୟରେ ନାସ୍ତିକତା । ଏହି ନାସ୍ତିକତାରୁ ଯେଉଁ ସର୍ବନାଶର ଉଗ୍ରତା ଜନ୍ମିଥାଏ, ସେହି ଉଗ୍ରତାର ବଶବର୍ତ୍ତୀ ହୋଇ ମଣିଷ ଖେଳନା ଭାଙ୍ଗି ପକାଉଥିବା ନିର୍ବୋଧ ପିଲାପରି କେବଳ ସବୁ ଭାଙ୍ଗି ଦେବାରେ ସେ କୌଣସି ଦୁଃଖ ଅନୁଭବ କରେନାହିଁ । ଏହି ଦୁର୍ଦ୍ଦଶାଠାରୁ ବଳି ମୋ’ର ଜୀବନ ଲାଗି ଆଉ କୌଣସି ପ୍ରମାଦ ଅଛି ବୋଲି ମୁଁ ମନେ କରି ପାରୁନାହିଁ । ଏହି ପ୍ରମାଦକୁ ହିଁ ମୋ’ର ସବୁଠାରୁ ବେଶୀ ଭୟ ।

 

୨୪ । ୧ । ୬୨

 

The will to find a meaning,— ଏହାହିଁ ହେଉଚି ଜୀବନର ସର୍ବପ୍ରଧାନ ଜୀବିକା, ଏଥିରେ ହିଁ ଜୀବନରେ ସର୍ବପ୍ରଧାନ ସନ୍ତୋଷ । କାଲି ଗୋଟିଏ ପତ୍ରିକାରେ ଏହି କଥାଟି ପଢ଼ିବାକୁ ପାଇଲି । ମୋ’ର ସମସ୍ତ ମନ ଓ ହୃଦୟ ଦେଇ ମୁଁ ଏହି କଥାଟି ଗ୍ରହଣ କରି ନେଲାପରି ଅନୁଭବ କଲି । meaningର ଅର୍ଥ ଏଠାରେ କେବଳ ଶବ୍ଦାର୍ଥ ନୁହେଁ; କେବଳ ବୁଦ୍ଧି ସାହାଯ୍ୟରେ ଯେଉଁ ଜଣାଯାଏ, ଏହା ସେ ଅର୍ଥ ନୁହେଁ । ସବୁ କାର୍ଯ୍ୟ ଓ ସବୁ ଅସ୍ତିତ୍ଵକୁ ଯିଏ ସାର୍ଥକ କରି ଦେଖାଇଦିଏ, ଏ ହେଉଚି ସେ ଅର୍ଥ । ମୋ’ର ଆପଣା ଜୀବନ କେବଳ ଦିନ ପରେ ଆଉ ଗୋଟିଏ ଦିନର ପୁନରାବୃତ୍ତି ନୁହେଁ, କେବଳ ଏଠୁ ସେଠୁ ସାଉଁଟି ଆଣିଥିବା ପଦାର୍ଥର ଭଣ୍ଡାରଘର ନୁହେଁ,—ପ୍ରତ୍ୟେକ ଦିନର ଅନୁଭୂତି ଓ ସଞ୍ଚୟକୁ ଏକସୂତ୍ରରେ ଗୁନ୍ଥିଦେଇ ମୁଁ ଯେତେବେଳେ ସମଗ୍ର ଭାବରେ ମୋ’ର ଜୀବନକୁ ମୋ’ର ବୋଲି ଜାଣେ, ଯେତେବେଳେ ମୋ’ର ଆପଣା ଜୀବନକୁ ମୁଁ ଏହି ସମଗ୍ର ଜୀବନର ଏକ ସଲଗ୍ନ ଅଂଶ ବୋଲି ଅନୁଭବ କରେ, ସେତେବେଳେ ମୋ’ର ଆପଣା ଜୀବନକୁ ବଞ୍ଚିବାର ଉତ୍ସାହରେ ମୁଁ ସମଗ୍ର ଜୀବନର ନିର୍ଭରସ୍ପର୍ଶ ପାଏ, କୌଣସି ପ୍ରକାରେ ଆପଣାକୁ ବଞ୍ଚିତ ବା ଅନାହୁତ ବୋଲି ଅନୁଭବ କରେନାହିଁ, ସେତିକିବେଳେ ମୁଁ ଅର୍ଥକୁ ଅନୁଭବ କରିପାରେ । ସେତେବେଳେ ଏହି ଜୀବନରେ ପାଇଥିବା ଅର୍ଥ ଅପ୍ରାପ୍ତ ଆହୁରି ଅନେକ ଅର୍ଥର ସନ୍ଧାନ ଲାଗି ଦ୍ଵାରୋଦ୍‌ଘାଟନ କରି ଦେଇଯାଏ । ଜୀବନରେ ଚାଲିଥିବା ରାସ୍ତା ନଚାଲିବାରେ ଆହୁରି ଅନେକ ରାସ୍ତାର ଆକର୍ଷଣ ହୋଇ ମୋତେ ଆଗକୁ ଟାଣି ନେଇଯାଏ, ଜୀବନରେ ଲାଭ କରିଥିବା ଅନେକ ପରିଚୟ ଅପରିଚିତ ଆହୁରି ଅନେକଙ୍କର ସାନ୍ନିଧ୍ୟକୁ ହୃଦୟର ସ୍ପନ୍ଦନ ଭିତରେ ସୂଚାଇ ଦେଇଯାଏ, ସେମାନଙ୍କ ଲାଗି ମୋତେ ବ୍ୟାକୁଳ କରିଯାଏ । ମୋ’ର ବାଟ ସରେନାହିଁ, ଏ ଜୀବନରେ ମୁଁ ସୁଖ ପାଇଲି ବା ନପାଇଲି, ତାହା ଭାବି କ୍ଷୁବ୍‌ଧ ହେବାକୁ ମୋ’ର ବେଳ ହୁଏନାହିଁ, କିଏ ମୋ’ଠାରୁ ଆଗ ଚାଲିଗଲା ବୋଲି ଦ୍ଵେଷ ହୁଏନାହିଁ । ମୋ’ର ଆପଣାର ଅନ୍ତର୍ଗତ ବେଗ ମୋତେ ଆଗକୁ ନେଇ ଯାଉଥାଏ ।

 

୨୫ । ୧ । ୬୨

 

ଯାହାକୁ ମୁଁ ଆପଣାର ବେଗ ବୋଲି କଲି କହିଥିଲି, ଆଜି ତାହାକୁ ହିଁ ମୁଁ ମୋ’ ଭିତରେ ଜୀବନର ବେଗ ବୋଲି ଅନୁଭବ କରୁଚି । ମୋ’ର ଜୀବନ କହିଲେ ମୁଁ କୌଣସି ଅଚଳାୟତନ ଆବଦ୍ଧ କାରାଗାର ପରି ମନେ କରେନାହିଁ । ମୋ’ର ଜୀବନକୁ ମୁଁ ଏହି ସମଗ୍ର ଜୀବନରେ ଏକ ପ୍ରେରଣାଧାର ବୋଲି ଗ୍ରହଣ କରିଥାଏ । ଆପଣାକୁ ଏହି ପରି ଭାବରେ ଅନୁଭବ କରି ହିଁ ଆନନ୍ଦ ପାଏ, ଗୌରବ ପାଏ । ଏଇଥିଲାଗି ସୂର୍ଯ୍ୟର ଉଦୟତୋରଣ ଆଡ଼କୁ ଅନାଇବା ମାତ୍ରକେ ଆଖିରେ ଭାରି ଉଠୁଥିବା ସମ୍ପଦକୁ ମୁଁ ହୃଦୟ ଭିତରେ ଅନୁଭବ କରେ, ଫୁଟି ଉଠୁଥିବା ପ୍ରତ୍ୟେକ ଫୁଲ ପାଖରେ ମୁଁ ଆପଣାକୁ ସହୋଦର ଭାଇ ବୋଲି ଅନୁଭବ କରେ । ଉଡ଼ି ଯାଉଥିବା ପ୍ରତ୍ୟେକ ପକ୍ଷୀକୁ ଚାହିଁଦେଲା ମାତ୍ରକେ ମୁଁ କେଉଁ ଆନନ୍ଦମୟ ଯାତ୍ରାରେ ଆପଣାକୁ ତା’ର ସହଚାରୀ ବନ୍ଧୁ ଭାବରେ ଅନୁଭବ କରେ । ସେଇଥିପାଇଁ ମଣିଷର ସମ୍ପର୍କ ମୋତେ ଭଲ ଲାଗେ । ସେଇଥିପାଇଁ ଏତେ ଆଡ଼ମ୍ବର ସହିତ ଅନେକ ବୁଦ୍ଧି ଓ ଅନେକ ମୋହ ଦେଇ ଗଢ଼ା ହୋଇଥିବା ଜାତି, ଧର୍ମ, ଦେଶ ଓ ଭାଷାର ସମସ୍ତ ଆବରଣାତ୍ମକ ଚମତ୍କାରଗୁଡ଼ାକୁ ଅସ୍ଵୀକାର କରି ମୁଁ ସିଧା ଯାଇ ମଣିଷର ଏକାନ୍ତ ଅଥଚ ବିଶ୍ଵଜନୀନ ହୃଦୟତଳେ ପହଞ୍ଚିବା ଲାଗି ଏପରି ବ୍ୟାକୁଳତା ଅନୁଭବ କରେ । ଏସବୁ ଯାହା, ମୁଁ ମଧ୍ୟ ସେଇଆ । ମୋ’ର ଜୀବନରେ ମୁଁ ତତ୍ତ୍ଵମସିର ମନ୍ତ୍ରଦର୍ଶନ ଲାଭ କରେ । ତା’ପରେ ଆଉ ଆପଣାକୁ ଅଲଗା କରି ଦେଖିବାର ବାଟ ନଥାଏ । ଆପଣାକୁ ସମର୍ପଣ କରି, ଆପଣାର ବାଟ ଚାଲି ମୁଁ ଆପଣାକୁ ଗୌରବାନ୍ଵିତ ମନେକରେ ।

 

୨୬ । ୧ । ୬୨

 

ଗଣତନ୍ତ୍ର ଦିବସରେ ଆଜି ମୁଁ ଅଧିକ ସ୍ପଷ୍ଟ କରି ଅନୁଭବ କରୁଚି ଯେ, ମୁଁ ଆତ୍ମତନ୍ତ୍ର ବ୍ୟତୀତ ଅନ୍ୟ କୌଣସି ତନ୍ତ୍ରକୁ ଜୀବନର ଧେୟ ବୋଲି ମାନି ନେବିନାହିଁ । ଆତ୍ମତନ୍ତ୍ରର ମାର୍ଗରେ ମୋତେ ଅଧିକ ଉଦ୍ୟତ ଓ ପ୍ରେରିତ କରିବା ଲାଗି ହିଁ ଗଣତନ୍ତ୍ରର ସବୁଠାରୁ ବଡ଼ ଆବଶ୍ୟକତା ରହିଚି । ମଣିଷକୁ ମେଣ୍ଢା କରି ଦେବାକୁ, ମାତ୍ର କେତେଜଣକୁ ସମସ୍ତଙ୍କର ପ୍ରଭୁ ବୋଲି ପ୍ରତିଷ୍ଠିତ କରି ସାମାଜିକ ଓ ସାମୂହିକ ଜୀବନରୁ ସକଳ ପ୍ରକାର ମାନବିକ ଅଭିଳାଷ ଅପହରଣ କରାଇ ନେବାକୁ ଗଣତନ୍ତ୍ରର ଆବିର୍ଭାବ ହୋଇନଥିଲା । ଏକ କାଳ୍ପନିକ ସାମୂହିକ ଜୀବନର ଖୋଳ ଭିତରେ ସବୁ ମଣିଷକୁ ଜବରଦସ୍ତି ଭର୍ତ୍ତି କରି ରଖିବାରେ ଏକ ଉଗ୍ର ମୋହର ଅତ୍ୟାଚାରକୁ ଜାରି ରଖିବା ଲାଗି ଗଣତନ୍ତ୍ର କଦାପି ଜନ୍ମଲାଭ କରି ନଥିଲା । ରାଜନୀତିକ ଉଦ୍ଦେଶ୍ୟସିଦ୍ଧିକୁ ମୁଁ ଗଣତନ୍ତ୍ରର ଆଧାରଶିଳା ବୋଲି ଗ୍ରହଣ କରିବାକୁ କଦାପି ରାଜି ହେବିନାହିଁ । ବ୍ୟକ୍ତିକୁ ଆଧାର କରି ଓ ବ୍ୟକ୍ତିର ବିକାଶକୁ ଆପଣାର ଧ୍ୟେୟ କରି ହିଁ ଗଣତନ୍ତ୍ର ଆପଣାର ଅସ୍ତିତ୍ଵକୁ ସମାଜରେ ସମର୍ଥିତ କରାଇପାରିବି । ତା’ନହେଲେ ଇତିହାସରେ ଆହୁରି ଅନେକ ତନ୍ତ୍ର ପରି ଏହି ଗଣତନ୍ତ ମଧ୍ୟ ସଂସାରରେ ଅଧିକ କୁତାନ୍ତ୍ରିକତାର ସଂକ୍ରମଣ କରିବାରେ କେବଳ ଏକ ସାଧନ ରୂପେ ବ୍ୟବହୃତ ହେବ । ଅଧିକ ମୋହ ବଢ଼ାଇବ, ସାମାଜିକ ଜୀବନକୁ ଅଧିକ ଅନ୍ଧକାରମୟ କରି ରଖିବି । ବିଶେଷ କରି ଗତ ପଚାଶ ବର୍ଷର ମାନବିକ ଇତିହାସ ଆମ ଆଗରେ ଏହି ଅପ୍ରିୟ ସାମାଜିକ ଗତିକ ଅତି ସ୍ପଷ୍ଟ ଭାବରେ ପ୍ରମାଣିତ କରି ଦେଇଚି । ଗଣତନ୍ତ୍ର ସଂସାରରେ ଗୁଣ ବଢ଼ାଇ । ହିଁ, ବିକାଶରେ ବାଧା ପହୁଞ୍ଚାଇଚି ।

 

୨୭ । ୧ । ୬୨

 

ପ୍ରଥମତଃ ଜଣେ ମନୁଷ୍ୟବ୍ୟକ୍ତି ହିସାବରେ ମୁଁ କାଲି ମୋ’ ଦେଶର ପତାକାକୁ ସମ୍ମାନ ଜଣାଇଲି । ଏହି ଚରମଧେୟ ହିସାବରେ ନୁହେ, ମଣିଷ ଜୀବନକୁ ସ୍ଵଚ୍ଛତର ଓ ସୁନ୍ଦରତର କରି ନିର୍ମାଣ କରିବାରେ ଏକ ସମ୍ମାନ ରୂପେ ମୁଁ କାଲି ସେହି ପତାକା ଉଦ୍ଦେଶ୍ୟରେ ମୋ’ର ଶ୍ରଦ୍ଧା ନିବେଦନ କରିଥିଲି । ଏ ଦେଶରେ ଜୀବନରେ ଯେଉଁଠି ଯେତେ ଦାରିଦ୍ର୍ୟ ରହିଚି, ସେତେ ମଳିନତା ରହିଚି, ଯେତେ ଅନ୍ୟାନ୍ୟ ଓ ସୁନ୍ଦରତା ରହିଚି, ସେହିସବୁକୁ ଦୂର କରିବା ଲାଗି ଆମେ ସମସ୍ତେ ଯେଉଁ ସଂକଳ୍ପ କରିଚୁ, ସେହି ସଂକଳ୍ପକୁ ହିଁ ମୁଁ ଏ ଦେଶରେ ସ୍ଵତନ୍ତ୍ରତା ବୋଲି ଗ୍ରହଣ କରିଚି । ଆପଣାର ବହୁଧା କର୍ମ ଓ ବହୁଧା ଅନୁରକ୍ତିକୁ ନିୟନ୍ତ୍ରିତ କରିବାକୁ ହିଁ ମୁଁ ଏ ଦେଶରେ ସ୍ଵତନ୍ତ୍ରତା ବୋଲି ଗ୍ରହଣ କରିଚି । ମୋ’ ଦେଶରେ ପତାକାକୁ ମୁଁ ପ୍ରଧାନତଃ ସେହି ସଂକଳ୍ପର ପ୍ରତୀକ ବୋଲି ଗ୍ରହଣ କରିଚି । ଏହିସବୁ ବିଚାର କରି ଯଦି ମୋତେ କିଏ ଏହି ଜାତିର ଘରେ ଅଜାତିଆ ବୋଲି ନିନ୍ଦା କରିବା, ତେବେ ସେଥିରେ ମୋ’ର କୌଣସି ଆପତ୍ତି ନାହିଁ । ଏତେ ମଣିଷଙ୍କୁ ଦରିଦ୍ର, ଅଶିକ୍ଷିତ ଓ ଦୁର୍ଦ୍ଦଶାଗ୍ରସ୍ତ ରଖି ଆପେ ରାଜତନ୍ତ୍ର ପରି ଭୋଗ କରିବାର ଶୋଷଣବୃତ୍ତିକୁ ଯେଉଁମାନେ ସ୍ଵତନ୍ତ୍ରତା ବୋଲି କହନ୍ତି, ଓ ସେହି ମୋହଗ୍ରସ୍ତ ଆଚରଣକୁ ସ୍ଵତନ୍ତ୍ର ଦେଶର ଯୋଗ୍ୟ ଆଚରଣ ବୋଲି କହନ୍ତି, ସେମାନଙ୍କ ଭିତରେ ମୁଁ ଅଜାତିଆ ହୋଇ ରହିବାକୁ ଚାହେ, ସେମାନଙ୍କ ଆୟତନର ବାହାରେ ରହିବାକୁ ହିଁ ମୁଁ ଏ ଦେଶରେ ମୋର ପରମ ସୌଭାଗ୍ୟ ବୋଲି ଗ୍ରହଣ କରିଥାଏ ।

 

୨୮ । ୧ । ୬୨

 

ଆମେ ସମସ୍ତେ ପାପୀ, ତଥାପି ଜୀବନ ଉପରେ ଆମ ସମସ୍ତଙ୍କର ବିଶ୍ଵାସ ରହିଚି । ଆମେ ସମସ୍ତେ ଦିନେ ନ ଦିନେ ଅବଶ୍ୟ ମରିବା, ତଥାପି ଏହି ସଂସାରର ସ୍ଵର୍ଗୀୟତା ସମ୍ବନ୍ଧରେ ଆମ ସମସ୍ତଙ୍କର ବିଶ୍ଵାସ ରହିଚି । ଏବଂ ଏହି ବିଶ୍ଵାସ ହେଉଚି ଧର୍ମ । ଏହି ବିଶ୍ଵାସ ଯେତିକି ସେତିକି ବଢ଼େ । ଆପଣା ଉପରେ ଭରସା ମଧ୍ୟ ସେତିକି ବଢ଼େ । ଏହି ବିଶ୍ଵାସ ଚାଲିଗଲେ ଜୀବନ ଶୂନ୍ୟ ହୋଇଯାଏ, ବଞ୍ଚି ରହିବାର ପ୍ରତ୍ୟେକଟି କ୍ଷଣ ଅସାର ହୋଇଯାଏ । ସେଥିପାଇଁ, ପାପ କରିବାକୁ ମୁଁ ସେତେ ଭୟ କରେନାହିଁ । କାରଣ, ପାପର ଭୟ ରହିଥିବା ପର୍ଯ୍ୟନ୍ତ ମୁଁ ମୋ’ ଜୀବନରୁ ପାପକୁ କେବେହେଲେ ହଟାଇ ପାରିବି ନାହିଁ । ଯେତେ ଭୟଙ୍କର ହେଲେ ମଧ୍ୟ ମୋତେ ପାପର ସମ୍ମୁଖୀନ ହେବାକୁ ହିଁ ପଡ଼ିବ । ଜୀବନରେ ଏହି ପାପ କରିବାଟା ଯେ ଆଦୌ ବଡ଼ କଥା ନୁହେଁ, ଏହି ବିଶ୍ୱାସର ସହିତ ମୋତେ ପାପର ସମ୍ମୁଖୀନ ହେବାକୁ ପଡ଼ିବ । ପାପ ଏକ privative ଶବ୍ଦ, ଏହା କେବଳ ଜୀବନାଗ୍ରହର ଅନୁପସ୍ଥିତିକୁ ହିଁ ବୁଝାଏ । ଜୀବନର ଆଗ୍ରହ ହ୍ରାସ ହୋଇ ଯାଉଥିଲେ ଅତୃପ୍ତ ‘ମୁଁ’ ନାନାପ୍ରକାର ପାପମୟତା ଦ୍ୱାରା ଆପଣାର ଅସ୍ତିତ୍ଵକୁ ସାବ୍ୟସ୍ତ କରିବାକୁ ଚାହେ । ଭଗବାନଙ୍କ ଉପରେ ବିଶ୍ଵାସ ଚାଲିଗଲେ ମଣିଷ ହଠାତ୍ ସତେଅବା କେଉଁଆଡ଼ର କେତେ ଭୟରେ ଉତ୍ତେଜିତ ହୋଇ ନାନା ପାପ କରିବାକୁ ମନ ବଳାଏ । ତେଣୁ ଜୀବନ ପ୍ରତି ଆଗ୍ରହ ବଢ଼ାଇବାକୁହେବ;କୌଣସି ପ୍ରକାର ଲୟ ଦ୍ୱାରା ପ୍ରଣୋଦିତ ହୋଇ ନୁହେଁ , ଜୀବନପ୍ରେରଣାର ସ୍ଵାଭାବିକ ଆନନ୍ଦରେ ହିଁ ଜୀବନରେ ପ୍ରବୃତ୍ତି ହେବାକୁ ପଡ଼ିବ । ଏଥିଲାଗି ଚତୁରତା ଦରକାର ନାହିଁ, ଏଥି ପାଇଁ ସତର୍କତା ମଧ୍ୟ ଦରକାର ନାହିଁ । ଏଥିଲାଗି ବିଶ୍ଵାସ ଦରକାର-। ଆପଣା ଉପରେ ବିଶ୍ଵାସ ଦରକାର, ଆପଣାର ଜୀବନକ୍ଷେତ୍ର ଉପରେ ବିଶ୍ୱାସ ଦରକାର । ସଂସାରର ସମସ୍ତ ମିଥ୍ୟା ସତ୍ତ୍ୱେ ସତ ଉପୁଜିବ ବୋଲି ଏକ ଅଟଳ ବିଶ୍ୱାସ ଦରକାର-

 

୨୯ । ୧ । ୬୨

 

କାଲି ଯାହା ଲେଖିଥିଲି, ତାହା ମୁଁ ବଡ଼ ଅବିନ୍ୟସ୍ତ ଭାବରେ ଲେଖି ପକାଇଥିଲି । କାରଣ କାଲି ଯାହା ଲେଖିଥିଲି ତାହାକୁ ମୁଁ ବଡ଼ ଅଥୟ ଚିତ୍ତରେ ଲେଖିଥିଲି । ବେଳେ ମୋ’ର ସମସ୍ତ ଚିତ୍ତ ଏହିପରି ଅଥୟ ହୋଇପଡ଼େ ସମସ୍ତ ଧ୍ୟାନ ଭାଙ୍ଗିଯାଏ । ମୋ’ର ଗୋଡ଼ତଳୁ ସମସ୍ତ ଭୂମି କୁଆଡ଼େ ଖସି ଗଲାପରି ମନେହୁଏ । ଏହି ସ୍ନେହମୟ ସଂସାର ସହିତ ରହିଥିବା ସମସ୍ତ ଆବେଗସୂତ୍ର ଛିଡ଼ି ଯାଏ । ସମସ୍ତ ଜୀବନ କଥା ଛାଡ଼ିଦିଅ, ଗୋଟାଏ କ୍ଷଣ ମଧ୍ୟ ଜୀବନ ବଞ୍ଚିବାକୁ ସେତେବେଳେ ଭାରି ଭୟ ଲାଗେ । ଆଉ ଭୟାଚ୍ଛନ୍ନ ଚିତ୍ତଥୟ ହୋଇ ପାରିବ କିପରି ? ସଂସାରରୁ ପଳାଇଯାଇ ଅନେକ ଚିତ୍ତକୁ ଥିର କରିବାର ଚେଷ୍ଟା କରନ୍ତି । ସଂସାର ସହିତ ସମସ୍ତ ଡୋର ଓ ବନ୍ଧନ ଛିଡ଼ାଇ ଦେଇ ଅନେକ ଶାନ୍ତି ପାଆନ୍ତି । ମୋ’ର ରୀତି ସେମାନଙ୍କର ରୀତିଠାରୁ ସମ୍ପୂର୍ଣ୍ଣ ବିଭିନ୍ନ । ସଂସାର ଭିତରେ ହିଁ ସମସ୍ତଙ୍କ ସହିତ ନାନା ଡୋରରେ ବନ୍ଧା ହୋଇ ମୁଁ ଶାନ୍ତ ପାଏ । ଏହି ସଂସାର ଭିତରେ ସମସ୍ତଙ୍କୁ ମୋ’ର ସାଥୀ କରି ପାଇ ମୁଁ ଭଗବାନଙ୍କୁ ସାଥୀ କରି ପାଇଚି ବୋଲି ଅନୁଭବ କରେ । ଏହାକୁ ତୁମେ ମାୟା କାହା ବା ମିଛବନ୍ଧନ କହ, ଏହାହିଁ ହେଉଚି ମୋ’ର ରୀତି । ଆକାଶର ସୂର୍ଯ୍ୟ ଓ ଦେହ ସ୍ପର୍ଶ କରି ଯାଉଥିବା ପବନ ମୋ’ର ହୃଦୟ ଭିତରେ ଯେଉଁ ଭାବାନ୍ତରର ଆଲୋଡ଼ନ ସୃଷ୍ଟି କରି ଦେଇଯାଏ, ମୋ’ର ଆଖି ଭିତରେ ଯେଉଁ ଚମକ ଲଗାଇଦେଇ ଯାଏ, ମଣିଷର ସଙ୍ଗ, ମଣିଷର ସାନ୍ନିଧ୍ୟ ମଧ୍ୟ ମୋତେ ସେହି ଆଲୋଡ଼ନ ଓ ଚମକ ଭିତରେ ଜାଗୃତ କରିଦେଇଯାଏ ।

 

୩୦ । ୧ । ୬୨

 

ଗାନ୍ଧୀବାଦି ଠାରୁ ଗାନ୍ଧୀଜୀବନରେ ହିଁ ମୋ’ର ଅଧିକ ଆଗ୍ରହ । ମୋ’ର ନିତ୍ୟଜୀବନରେ ମୁଁ ଗାନ୍ଧୀଜୀବନରୁ ହିଁ ଅଧିକ ପ୍ରେରଣା ପାଇଥାଏ, ଗାନ୍ଧୀବାଦରୁ ନୁହେଁ । ଗାନ୍ଧୀବାଦତ ବହିର ଜିନିଷ, ବୁଦ୍ଧି ଦ୍ଵାରା ସଜଡ଼ା ହୋଇ ରନ୍ଧା ହୋଇ ତିଆରି ହୋଇଛି । ବୁଦ୍ଧିର ବୁଝିବାଭଳି ପଣ୍ଡିତମାନେ ଗାନ୍ଧୀ ବିଚାରକୁ ସେମାନେ ଯେପରି ସୂତ୍ରବଦ୍ଧ କରି ସମସ୍ତଙ୍କ ଆଗରେ ଥୋଇ ଦେଇଛନ୍ତି, ତାହାହିଁ ହେଉଚି ଗାନ୍ଧୀବାଦ । ଗାନ୍ଧୀ ସଂସାରରେ ଥିଲାବେଳେ ଏହି ଶବ୍ଦଟାରେ କେବେ ପ୍ରସନ୍ନତା ଅନୁଭବ କରୁଥିଲେ ବୋଲି ମୋ’ର ମନେ ନାହିଁ । ଆଜି ମଧ୍ୟ ଏଦେଶରେ ଓ ଦେଶର ବାହାରେ ଅନେକେ ଗାନ୍ଧୀବାଦୀ ରହିଚନ୍ତି । ଗାନ୍ଧୀବାଦର ବିରୋଧୀ ମଧ୍ୟ ଅନେକ ଅଛନ୍ତି-। ମୁଁ ମୋ’ର ସ୍ଵାଭାବିକ ରୀତିରେ ଦୁହିଁଙ୍କଠାରୁ ଦୂରରେ ରହିବାକୁ ଚେଷ୍ଟା କରେ । ଦୁହିଁଙ୍କ ସହିତ କୌଣସି ସଭାରେ ଏକତ୍ର ବସି ମୁଁ ଯେପରି ତଥାପି ଗୋଟାଏ ପ୍ରକାରର ଶୂନ୍ୟତା ଅନୁଭବ କରିଥାଏ ମୋ’ର ଭୟ ହୁଏ, ଗାନ୍ଧୀକୁ ପ୍ରଧାନ କରି ନଦେଖି ସେମାନେ ଯେପରି ଏକ ସୂତ୍ରବଦ୍ଧ ବିଚାରକୁ ପ୍ରଧାନ କରି ଦେଖନ୍ତି । ସେମାନଙ୍କର ସୂତ୍ରପ୍ରଧାନତା ଓ ସଂସ୍କାର ପ୍ରଧାନତା ମୋତେ ଯେପରି ଅତି ବିପଦ୍‌ଜନକ ବୋଲି ମନେ ହୋଇଥାଏ । ମୁଁ ଭାବେ, ସେମାନେ ତଥାପି ଅସଲ ପ୍ରେରଣା ପାଇନାହାନ୍ତି । ସେମାନେ ତଥାପି ଅସଲ ପ୍ରସାଦ ପାଇନାହାନ୍ତି । ସେଥିଲାଗି ଶୂନ୍ୟପାତ୍ରଟିକୁ ଜୋରରେ ବାଡ଼େଇ କେବଳ ଶବ୍ଦ କରିବାରେ ସେମାନେ ଏତେଦୂର ଆତ୍ମପ୍ରସାଦ ଲାଭ କରୁଚନ୍ତି । ଗାନ୍ଧୀବାଦର ସଂସ୍କାରଗତ ବା ବୌଦ୍ଧିକ ବିଚାର କରି ସେମାନେ ଗାନ୍ଧୀର ଅସଲ ଆହ୍ୱାନକୁ ଏଡ଼ି ଦେବାରେ ଚେଷ୍ଟା କରୁଚନ୍ତି, ଆପଣା ଜୀବନର ଅସଲ ଆହ୍ଵାନକୁ ଏଡ଼ିବାରେ ଚେଷ୍ଟା କରୁଛନ୍ତି । ଗାନ୍ଧୀର ଆହ୍ଵାନ କେବଳ ବୁଦ୍ଧିର କ୍ଷେତ୍ରରେ ନୁହେଁ, ଏହା ଆମ ପ୍ରତ୍ୟେକଙ୍କର ଜୀବନର କ୍ଷେତ୍ରର ।

 

୩୧ । ୧ । ୬୨

 

ସମସ୍ତେ କହୁଚନ୍ତି, ଆଉ ଚାରି ପାଞ୍ଚଦିନ ଗଲେ ପୃଥିବୀ ପ୍ରଳୟ ହୋଇଯିବ । ମୋ’ର ମନ କହୁଚି ଯେ, ଯେଉଁମାନଙ୍କର ଭଗବାନଙ୍କ ଉପରେ ବିଶ୍ଵାସ ନାହିଁ, କେବଳ ସେହିମାନେ ହିଁ ଏପରି କଥା ଭାବିବାକୁ ସାହସ କରି ପାରିବେ । ଯିଏ ଭଗବାନଙ୍କ ପାଖରେ ବିଶ୍ଵାସ ରଖି ନପାରେ, କେବଳ ସେହି ମଣିଷ ହିଁ ଭୀରୁ ହୁଏ। ଗୋଟିଏ ପ୍ରକାରର ଆଧାରଭୂତ ମୃତ୍ୟୁଶଙ୍କା ତାକୁ ଇତସ୍ତତଃ ନାନା ଆଶଙ୍କା ଭିତରେ ବ୍ୟାକୁଳ କରି ରଖିଥାଏ । ନିଜ ଭିତରେ ଆପଣା ଜୀବନର ନିର୍ଭର ପାଇ ନପାରି ସେ ଆପଣାର ଦୁର୍ବିପାକ ଲାଗି ଦୋଷ ଦେବାକୁ ବାହାର ଆଡ଼କୁ ହାତ ବଢ଼ାଏ । ଗ୍ରହକୁ ଦୋଷ ଦିଏ, ଯୁଗକୁ ଦୋଷ ଦିଏ ବିଜ୍ଞାନକୁ ଦୋଷ ଦିଏ, ସ୍ଵାଧିନତାକୁ ଦୋଷ ଦିଏ-। ଭଗବାନ କହିଲେ ମୁଁ ଠିକ୍ କ’ଣ ବୁଝୁଚି ବୋଲି ବୁଝାଇ କହିବାକୁ ମୁଁ ଆପଣାଙ୍କୁ ସେତିକି ବେଶୀ ଅସମର୍ଥ ବୋଲି ଅନୁଭବ କରୁଚି । ତଥାପି ଭିତରେ ଭାରି ଦମ୍ଭ ସହକାରେ କିଏ ବାରବାର କହିଉଠୁଚି ଯେ, ଏହି ଜୀବନରେ ଅନ୍ତ ନାହିଁ, ଏହି ସମର୍ପଣ ଓ ନିବେଦନର ମଧ୍ୟ ଅନ୍ତ ନାହିଁ, ଏହି ପ୍ରେମ ଓ ଶ୍ରଦ୍ଧାନୁସନ୍ଧାନର ଶେଷ ନାହିଁ । ସକଳ ପ୍ରକାର ମୃତ୍ୟୁକୁ ଅତିକ୍ରମ କରି ଆମର ଜୀବନ ବିରାଜିତ ରହିଚି, ସକଳ ଅବିଶ୍ଵାସକୁ ଅତିକ୍ରମ କରି ବିଶ୍ଵାସ ବିରାଜିତ ରହିଚି, ସମସ୍ତ ଭୟକୁ ଅତିକ୍ରମ କରି ଖାଲି ତାହାରି ଅଭୟ ବିରାଜିତ ହେବ ।

 

୧ । ୨ । ୬୨

 

ଖବର କାଗଜରେ ବିବୃତ୍ତି ଦେଇ ଜ୍ୟୋତିଷଶାସ୍ତ୍ରର ପଣ୍ଡିତମାନେ କହିଚନ୍ତି ଯେ, ଆଗାମୀ ସୋମବାର ଦିନ ଆଉ ସକାଳ ହେବନାହିଁ । ରବିବାର ଦିନ ହିଁ କୌଣସି ଦୁର୍ବିପାକ ଘଟି ଖଣ୍ଡପ୍ରଳୟ ହୋଇଯାଇଥିବ । ତେଣୁ ସୋମବାରକୁ ସୂର୍ଯ୍ୟ ଉଠିବାଲାଗି ଆଉ କୌଣସି ଅବକାଶ ନଥିବ ଏସବୁ ଡରକଥା ଶୁଣି ମୋତେ ଡର ଲାଗୁନି ନାହିଁ, ହସ ମାଡ଼ୁଚି । କ’ଣ ଘଟିବ ନଘଟିବ, ସେ ବିଷୟରେ ମୋତେ ହସ ମାଡ଼ୁନାହିଁ; ପଣ୍ଡିତମାନଙ୍କର ଡରୁଆ ମନର ଦୁର୍ଦ୍ଦଶା କଥା ଭାବି ମୋତେ ହସ ମାଡ଼ୁଚି, ଏବଂ ମୁଁ ବାରବାର ଅନୁଭବ କରୁଚି ଯେ, ସେମାନଙ୍କର ଏହି ଡର ପଛରେ ଏକ ପ୍ରକାର ଅବିଶ୍ଵାସ ପ୍ରଚ୍ଛନ୍ନ ହୋଇରହିଚି । ଆଜିଯାଏ ସଂସାରରେ ଯେଉଁ ମଣିଷମାନେ ନାନା ପ୍ରକାର ସ୍ଵାର୍ଥ ଭାବନାରେ ଆପେ ଜର୍ଜର ହୋଇ ନାନା ସ୍ଵାର୍ଥଚାରରେ ସମସ୍ତ ଜାଗତିକ ପରିବେଶକୁ କେବଳ ଆହତ ହିଁ କରି ରଖିଥିଲେ, ସଂସାରରେ କେଉଁଠି କେଉଁ ସତ୍ୟ ବା ଭଗବାନ ଅଛି ବୋଲି ଯେଉଁମାନେ ଆପଣା ଜୀବନରେ ସ୍ଵୀକାର ମଧ୍ୟ କରୁନଥିଲେ ଆଜି ସେହିମାନେ ହିଁ ସଂସାର ଶେଷ ହୋଇଯିବ ଭାବି ବେଶୀ ଡରୁଚନ୍ତି । ଧାରା ପଡ଼ିବାର ବେଳ ଆସି ପହଞ୍ଚିଲେ ଚୋରମାନଙ୍କର ଦଳ ଯେପରି ଭାବରେ ତ୍ରସ୍ତଶଙ୍କିତ ହୋଇପଡ଼ନ୍ତି, ଏମାନେ ଠିକ୍ ସେହିପରି ଶଙ୍କିତ ହୋଇ ପଡ଼ିଚନ୍ତି । ସେମାନଙ୍କର ସମସ୍ତ ଜପ, ଯଜ୍ଞ, କୀର୍ତ୍ତନ ଓ ଆରାଧନାକୁ ମୁଁ ପ୍ରଧାନତଃ ଭୟପ୍ରସୂତ ବୋଲି ହିଁ କହିବି । ଆଜି ଅନେକ ସ୍ଥାନରେ ଯେଉଁ ନାମଯଜ୍ଞମାନ ହେଉଚି, ସଂସାରକୁ ପରିତ୍ରାଣ କରାଇ ରଖିବାକୁ ଯେଉଁ ପୂଜାସ୍ତୁତିମାନ ହେଉଚି, ତାହାପଛକେ ଭଗବାନଙ୍କ ଉପରେ ବିଶ୍ଵାସ ଯେତେଦୂର ନାହିଁ, ଭଗବାନଙ୍କ ପ୍ରତି ଭୟ ଅର୍ଥାତ୍ ଜୀବନ ପ୍ରତି ଭୟ ତାହାଠାରୁ ଅନେକେ ଅଧିକ ପ୍ରଚ୍ଛନ୍ନ ହୋଇରହିଚି । ଅପରାଧୀ ମଣିଷ ସଂସାରକୁ ବର୍ତ୍ତାଇ ରଖି ପାରିବନାହିଁ, ମୃତ୍ୟୁଭୟର ଭୀତିରେ ଭଗବାନଙ୍କର ନାମ ନେବାକୁ ପ୍ରବୃତ୍ତି ହେଉଥିବା ମଣିଷ ସଂସାରର ଜୀବନଯାତ୍ରାରେ ମହାଜୀବନର ସାଙ୍ଗ ପାଇ ପାରିବନାହିଁ । ଏହି ସଙ୍ଗ ପାଇବାଲାଗି କୌଣସି ଭୟପ୍ରଣୋଦିତ ଔପଚାରିକତା ଲୋଡ଼ା ନାହିଁ;—ବିଶ୍ଵାସର ଲୋଡ଼ା ଅଛି, ନିର୍ଭୟ ହେବାରେ ଲୋଡ଼ା ଅଛି ।

 

୨ । ୨ । ୬୨

 

ଏ ଖାତାରେ ମୁଁ କେବଳ ଆପଣା ବିଷୟରେ ହିଁ ଲେଖି ଆସିଚି । କୌଣସି ପ୍ରବନ୍ଧ ଲେଖିନାହିଁ, ସଜାଇ ବଢ଼ାଇ କୌଣସି ଉପଦେଶ ଦେଇନାହିଁ ଆଡ଼ମ୍ବର କରି କୌଣସି ଭୀଷଣ ମଧ୍ୟ ଦେଇନାହିଁ । ଆପଣାର ଜୀବନକ୍ଷେତ୍ର ଉପରେ ମୁଁ ଯେପରି ଭାବରେ ଆପଣାର ସମ୍ମୁଖୀନ ହୋଇଚି ଓ ଆପଣାକୁ ନେଇ ମୁଁ ଯେପରି ଭାବରେ ବୃହତ୍ତର ଓ ସମଗ୍ରତର ଜଗତ ଓ ଜୀବନ କ୍ଷେତ୍ରର ସମ୍ମୁଖୀନ ହୋଇଛି ତାହାର ଅନ୍ତରଙ୍ଗ କାହାଣୀ ମୁଁ ଏହି ଖାତାରେ ଲେଖି ରଖିଚି । ଏଠି ମୁଁ କୌଣସି ପ୍ରକାରେ ଅଭିନୟ କରିନାହିଁ, ଖରାପ ଗୁଡ଼ାକୁ ଲୁଚାଇ ରଖି ଭଲ ଗୁଡ଼ାକୁ ଉପରେ ଅତିରଞ୍ଜନ ଲେଖି ଦେଖାଇବାକୁ ମୁଁ କୌଣସି ଚେଷ୍ଟା ଏଠି କରିନାହିଁ । ଆପଣାର ଜନନୀ ପାଖରେ ଶିଶୁ ଯେପରି ଆପଣାର ସମସ୍ତ ଆବେଗ, ଉଦ୍‌ବେଗ ଓ ଇଚ୍ଛାର ଦ୍ଵାର ଖୋଲିଦେଇ ଆପଣାକୁ ନିବେଦନ କରିଥାଏ, ମୁଁ ଆପଣା ପାଖରେ ସେହିପରି ଆପଣାର ସମସ୍ତ ନିବେଦନ କରିଚି । ମୋ’ରି ଭିତରର ଜନନୀ ପାଖରେ ଏକ ବିକାଶମାନ ଶିଶୁପରି ମୁଁ ଆପଣାର ନିବେଦନ କରିଦେଇଚି । ଏହି ଲେଖାରେ ମୋ’ର ଦୁର୍ବଳତା ଓ ମୋ’ର ହତାଶଗୁଡ଼ାକ ହିଁ ବେଶୀ ପ୍ରକାଶ ପାଇଚି । ମୁଁ ସେକଥା ଭଲ କରି ଜାଣେ । ମୋ’ ଭିତରେ ମୁଁ ବଡ଼ ଦୁର୍ବଳ ବଡ଼ ନରମ । ମୁଁ ସେହିପରି ଦୁର୍ବଳ ଓ ନରମ ହୋଇ ରହିବାକୁ ଚାହେ । ମୁଁ ଶକ୍ତ ଓ ସବଳ ହାଉ ଆପଣାର ଚାରି ପାଖରେ କୌଣସି ଆବରଣ ରଖିବାକୁ ଚାହେନାହିଁ । ଆପଣାର ଜନନୀ ପାଖରେ ଆପଣାର ପୁତ୍ରକୁ ସ୍ଵୀକାର କରି ନେଇଚି ବୋଲି ମୁଁ ଏ ପର୍ଯ୍ୟନ୍ତ ବଢ଼ି ଚାଲିଚି, ଏପର୍ଯ୍ୟନ୍ତ ମୋ’ର ଦ୍ଵାରା ଉନ୍ମୁକ୍ତ ରହିଚି, ମୁଁ ଏପର୍ଯ୍ୟନ୍ତ ନିର୍ଭର ଭାବରେ ଜୀବନରେ ସମ୍ମୁଖୀନ ହୋଇଚି ।

 

୩ । ୨ । ୬୨

 

କାଲି ପଢ଼ୁଥିଲି, ମରଣ ଲାଗି ମଣିଷର ହୃଦୟରେ ଯେପରି ପୀଡ଼ା ଜାତି ହୁଏ, ଜୀବନ ଲାଗି ମଧ୍ୟ ସେହିପରି ପୀଡ଼ା ଜାତ ହୁଏ । ଇଉରୋପରେ ସାହିତ୍ୟରେ ଏହାକୁ Sicknesss unto life ବୋଲି କୁହାଯାଇଚି । ମୋ’ର ହୃଦୟର ଅନେକ ପୀଡ଼ାର ମୁଁ ଯେପରି କାରଣ ଖୋଜି ପାଇଲି । ସଂସାର ସହିତ ଛନ୍ଦଛଡ଼ା ହୋଇ ଗଲାବେଳେ ମୁଁ ଅନେକ ସମୟରେ ବଡ଼ ମ୍ରିୟମାଣ ହୋଇପଡ଼େ । ସଂସାର ଭିତରେ ଥାଇ ସଂସାର ସହିତ ଖିଅ ଛଡ଼ି ଯାଇଥିବା ପରି ଆକୁଳ ହୋଇପଡ଼େ । ମୁଁ ଜାଣିବାକୁ ଚାହେଁ, ଜାଣି ପାରେନାହିଁ । ମୁଁ ଯିବାକୁ ଚାହେଁ, କିନ୍ତୁ ଦୁଆର ଖୋଲି ପାରେନାହିଁ । ମୁଁ କହିବାକୁ ଚାହେଁ, କିନ୍ତୁ ତଥାପି କହିପାରେ ନାହିଁ । ଜୀବନର ସଭା ଭିତରେ ଠିଆ ହୋଇ ତଥାପି ଆପଣାକୁ ଅସ୍ଵୀକୃତ ଓ ବଞ୍ଚିତ ହୋଇ ରହିଗଲା ପରି ଲାଗେ । ଏହି ଦୃଶ୍ୟ, ଏହି ବିଶ୍ଵମୟ ବେଦନା ଓ ଆକଙ୍‍କ୍ଷା ମୋ’ର ଚତୁର୍ଦ୍ଦିଗରେ ଅନନ୍ତ ମାର୍ଗରେ ଉଛୁଳି ପଡ଼ୁଥିବା ଏହି ଜୀବନମୟତା,—ଏହି ସବୁର ଅତି ପାଖରେ ଠିଆ ହୋଇ ତଥାପି ଯେପରି ମୁଁ ସକଳ ଉତ୍ତରାଧିକାରରୁ ବିଚ୍ୟୁତ ହୋଇରହିଯାଏ । ସେତିକିବେଳେ ମୁଁ ସମସ୍ତ ହୃଦୟ ଭାରି କାନ୍ଦିଉଠେ । ମୁଁ ଆହୁରି ନିକଟକୁ ଆସିବାକୁ ଚାହେ, ମୁଁ ଦୁଆର ଖୋଲି ରଖିବାକୁ ଚାହେ, ମୁଁ ପ୍ରାଣ ଖୋଲି ମୋ’ର କଥା କହିବାକୁ ଚାହେ । ଏହି ଆକୁଳ ଆକାଙ୍‌କ୍ଷା ଅସହ୍ୟ ପୀଡ଼ା ହୋଇ ମୋ’ର ଅସ୍ତିତ୍ଵର ସମସ୍ତ ଯଥାର୍ଥତାକୁ ଆଘାତ କରିଦେଇ ଗଲାପରି ମନେହୁଏ । ଏହା ଆପଣାକୁ ଲୁଚାଇ ରଖିବାର ପୀଡ଼ା ନୁହେଁ । ଏହା ଜଗତ ପ୍ରତି ବିତୃଷ୍ଣ ବିରକ୍ତ ହୋଇ ଆପଣାର ଦୁଃଖ ଓ କ୍ଷୁବ୍‍ଧତାର ଅହଙ୍କାରରେ ଜାଳି ହୋଇ ମରିବାର ପୀଡ଼ା ନୁହେଁ । ଏହା ଜୀବନର ପୀଡ଼ା, ଅଧିକ ଜୀବନ ଲାଗି ପୀଡ଼ା, ଅଧିକ ସମ୍ମିଳିନ ଲାଗି ପୀଡ଼ା, sickness unto life; ଏବଂ ଏହି ପୀଡ଼ାର ଅନ୍ତନାହିଁ ।

 

୪ । ୨ । ୬୨

 

ଏ ପ୍ରସ୍ତୁତି ତ ପ୍ରଳୟର ପ୍ରସ୍ତୁତି କଦାପି ନୁହେଁ । ଅଷ୍ଟଗ୍ରହ ଏକାଠି ହେଉ ଥିବାରୁ ତାହରି ପ୍ରସାଦରେ ଆଜି ଏହି ସଂସାରରେ ପ୍ରଳୟ ହେବ ବୋଲି ଆଗରୁ ଚେତାବନୀ ଦିଆଯାଇଚି । ପୂର୍ବଦିଗ ଉପରୁ ଉଇଁ ଆସୁଥିବା ସୂର୍ଯ୍ୟକୁ ଅନାଇ ମୋ’ର ହୃଦୟ କହିଉଠୁଚି, ଆଠୋଟିଯାକ ଗ୍ରହର ପ୍ରସାଦ ଏକାଠି ହୋଇ ଆଜି ସକାଳଟିକୁ ଏପରି ସୁଦୃଶ୍ୟ ଓ ସୁନ୍ଦର କରି ଫୁଟାଇ ଦେଇ ପାରିଚି । ଆଠୋଟିଯାକ ଗ୍ରହ ଏକାଠି ହୋଇ ଏକ ସୁନିପୁଣ କାରିଗରର ହସ୍ତ କୌଶଳରେ ଆଜିର ସକାଳଟିକୁ ଏପରି ପ୍ରାଣମୟ ଓ ରୂପମୟ କରି ଗଢ଼ିଚନ୍ତି । ଚତୁର୍ଦ୍ଦିଗର ଆକାଶ ଏକାବେଳକେ ପରିଷ୍କାର—କାହାର ଆବାହନ ଲାଗି ସତେ ଯେପରି ସ୍ଵଚ୍ଛ ଏକ ପୂଜାବେଦୀଟି ପରି ଅପେକ୍ଷା କରି ରହିଚି । ଉଦୟ ତୋରଣର ଚାରିପାଖରେ ମେଘର ଛଟାମାନ ବିଞ୍ଚି ହୋଇପଡ଼ିଚି । ଆଉ ତାହାରି ଭିତରୁ ମୋ’ର ସକାଳ ଆଖିକୁ ଧନ୍ୟ କରି ସୂର୍ଯ୍ୟୋଦୟ ହୋଇଆସୁଚି, ମୋ’ର ସମସ୍ତ ପାତ୍ରକୁ ପୂର୍ଣ୍ଣ କରି ଜୀବନର ସ୍ପନ୍ଦନମୟ ବରଦାନ ଅଜାଡ଼ି ହୋଇପଡ଼ୁଚି । ମୋ’ର ବିଶ୍ୱାସକୁ କାହାର ପ୍ରସନ୍ନ ଅସ୍ତିତ୍ଵର ନିର୍ଭର ଦେଇ ସେ ସହସ୍ର ଗୁଣ ସୁଦୃଢ଼ କରିଦେଉଚି । ନା,ଏ ମୃତ୍ୟୁର ଲକ୍ଷଣ ନୁହେଁ, ଜୀବନର । ଏହା ଶଙ୍କିତ ହୋଇ କ୍ଷୁନ୍ନ ହୋଇ ବିଚ୍ୟୁତ ହୋଇ ଯିବାର ଚେତାବନୀ ନୁହେଁ, ଏହା ଭରିକରି ରଖିବାର ପରମ ସମ୍ପଦ । ଏହାହିଁ ମୋତେ ଅନ୍ଧାର ଭିତରୁ ଆଲୋକକୁ ନେଇଯିବ, ଅସତ୍‌ରୁ ସତ୍‌କୁ ନେଇଯିବ । ମୃତ୍ୟୁ ଡିଆଇଁ ଅମୃତ ଅର୍ଥାତ୍ ଜୀବନ ଭିତରକୁ ନେଇଯିବ ।

 

୫ । ୨ । ୬୨

 

ସୋମବାର ଦିନ ସକାଳ ହେବନାହିଁ ବୋଲି ଖବରକାଗଜରେ ଜ୍ୟୋତିଷଶାସ୍ତ୍ରରେ ଅବିଶ୍ଵାସୀ ପଣ୍ଡିତମାନେ ଚେତାବନୀ ଶୁଣାଇ ଦେଇଥିଲେ । କିନ୍ତୁ ତଥାପି ସେମାନଙ୍କର ସମସ୍ତ ଅବିଶ୍ଵାସ ସତ୍ତ୍ୱେ ଆଉ ମାତ୍ର ଅଳ୍ପ କେତେ ମୁହୂର୍ତ୍ତ ପରେ ଆଜି ସକାଳ ହେବାକୁ ଯାଉଚି । ମୋ’ର ଭକ୍ତମାନ କହିଉଠୁଚି, ଭଲ ହେଲା, ମଣିଷର ସବୁ ଅବିଶ୍ଵାସ ଉପରେ ବିଶ୍ଵାସର ଜୟା ହେଲା, ବିକୃତ ଭଗବତ୍ କଳ୍ପନା ଉପରେ ଭଗବାନ୍‌ଙ୍କର ହିଁ ଜୟ ହେଲା । ଭଗବାନ୍ ଏହି ଜଗତକୁ ଭୟ ଦେଖାଇବାକୁ ଆସନ୍ତି ନାହିଁ, ତାଙ୍କରି ଜଗତକୁ ଚିରନ୍ତନ କାଳ ଲାଗି ଭଲ ପାଆନ୍ତି । କୌଣସି କଳାବିତ୍ ଆପଣା କଳାକୃତିକୁ ଯେପରି ଭଲପାଏ, ଠିକ୍ ସେହିପରି । ମାଆ ତା’ର ସନ୍ତାନମାନଙ୍କୁ ଯେପରି ଭଲ ପାଏ, ସେହିପରି । ଅବିଶ୍ଵାସୀ ଭୟାକୂଳ ମଣିଷଙ୍କର ଗଣନା ଅନୁସାରେ ଆଜି କୁଆଡ଼େ ଖାଲି ଅନ୍ଧାର ହୋଇଥାନ୍ତା, ଝଡ଼ ତୋଫାନ ହୋଇଥାନ୍ତା, ଭୂକମ୍ପ ଓ ବଜ୍ରପାତ ହୋଇଥାଆନ୍ତା । ଆଜି ସକାଳର ଆକାଶକୁ ଅନାଇ ମୁଁ ଏହିସବୁର ଅଶୁଭର କୌଣସି ସୂଚନା ଦେଖିବାକୁ ପାଉନାହିଁ । ହଁ, ପୂର୍ବ ଆକାଶରେ ଆଜି ମେଘ ଘୋଡ଼ାଇ ରହିଚି କିନ୍ତୁ ସେ କୌଣସି ପ୍ରକାର ପ୍ରମାଦ ସୃଷ୍ଟି କରିବାକୁ ନୁହେଁ, ଆଜି ସକାଳର ପ୍ରଥମ କିରଣକୁ ଅଧିକ ଶୋଭାମଣ୍ଡିତ କରାଇ ସମସ୍ତ ଦିଗ ଚହଟାଇ ଦେବାଲାଗି ରାତିର ଶେଷ ପହରରୁ କେତେଖଣ୍ଡ ମେଘ ଆସି ସେଠାରେ ଅପେକ୍ଷା କରି ରହିଚି । ବର୍ତ୍ତମାନ ମୋ’ର ଚତୁର୍ଦ୍ଦିଗରେ ପକ୍ଷୀମାନଙ୍କର କୂଜନ ଶବ୍ଦରେ ଜୀବନର ନିର୍ଭର ନିନାଦିତ ହୋଇ ଉଠୁଚି । ବିଛଣାରୁ ଉଠିଲାବେଳେ ମଧ୍ୟ ମୁଁ ଆଜି ମଧ୍ୟ ପ୍ରଥମ ପକ୍ଷୀର ଜୀବନମୟ ଆବାହନ ଶୁଣି ଉଠୁଥିଲା । ଜୀବନକୁ ପ୍ରଣାମ ଜଣାଇ ଉଠିଥିଲି ।

 

୬ । ୨ । ୬୨

 

ମୋ’ର ଜୀବନର ବିଶ୍ଵାସ ମୁଁ ଏହି ସକାଳର ସୂର୍ଯ୍ୟଠାରୁ ପାଇଚି । ମୋ’ର ଜୀବନର ବିଶ୍ଵାସ ମୁଁ ସଞ୍ଜ ଆଉ ସକାଳ ସମୟରେ ଜୀବନମୟ ନିର୍ଭର ଦେଇ ଯାଉଥିବା ପବନରୁ ପାଇଚି । ଏହି ଜୀବନର ବିଶ୍ଵାସ କ୍ରମେ ଆପଣା ଉପରେ ବିଶ୍ୱାସରେ ପରିଣତ ହୋଇଚି । ଏହି ଆତ୍ମବିଶ୍ଵାସର ଆଧାରକୁ ମୋ’ର ଭକ୍ତ ମନ ଭଗବାନଙ୍କ ଉପରେ ବିଶ୍ଵାସ ବୋଲି ଗ୍ରହଣ କରିଚି । ସେଥିପାଇଁ ମୋ’ର ଏହି ବିଶ୍ଵାସ ଭିତରେ କୌଣସି ପ୍ରକାର ମୋହ ନାହିଁ, କୌଣସି ପ୍ରକାର ଉଗ୍ରତା ନାହିଁ । ଏହି ବିଶ୍ଵାସ ମୋତେ ଦୋଷଦୁଷ୍ଟ ଭାବରେ କାହାରିଠାରୁ ବା କୌଣସି କ୍ଷେତ୍ରରୁ ବିଚ୍ୟୁତ କରି ରଖିବାକୁ କୌଣସି ଷଡ଼ଯନ୍ତ୍ର କରେନାହିଁ । ମୋତେ କୌଣସି ପ୍ରକାର ଭୟସଙ୍କୁଳ ପ୍ରାଚୀରର ଆୟତନ ଭିତରେ ଆବଦ୍ଧ କରି ରଖିବାର କୌଣସି ପ୍ରରୋଚନା ଦିଏ ନାହିଁ । ଶାନ୍ତିନିକେତନରେ ଥିବାବେଳେ ମୁଁ ବଡ଼ିସକାଳୁ ମୋ’ର ସ୍ନାନାଦି ସମାପ୍ତ କରି ବଡ଼ ଶାନ୍ତ ଓ ବଡ଼ ଏକାନ୍ତ ମନରେ ବୁଲି ବାହାରି ଯାଉଥିଲି । ମନୋଲୟ ଓ ମନଃପ୍ରସନ୍ନତାରେ ଅନେକ ସମୟ ସେହିପରି ବୁଲିବାପରେ ମୋ’ର ଆଖିର ସମ୍ମୁଖରେ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ହେଉଥିଲା, ମୋ’ର ସମସ୍ତ ଦେଖାକୁ ଧନ୍ୟ କରି ସୂର୍ଯୋଦୟ ହେଉଥିଲା । ମୋ’ର ସମସ୍ତ ଖୋଜିବାକୁ ପବିତ୍ର କରି ସୂର୍ଯ୍ୟୋଦୟ ହେଉଥିଲା । ଦିନ ପରେ ଦିନର ସେହି ଅଭିଜ୍ଞତା ମୋ’ର ଜୀବନର ଭଣ୍ଡାର ଭିତରେ ପରମସମ୍ପଦ ରୂପେ ସାଇତା ହୋଇରହିଚି । ସେହି ସଞ୍ଚୟ ମୋ’ଜୀବନରେ ବିଶ୍ଵାସ ରୂପେ ସଞ୍ଚିତ ହୋଇରହିଚି । ସେଥିପାଇଁ ସଂସାରରେ ଭୟ ଲାଗୁନାହିଁ । ଆପଣାକୁ ମଧ୍ୟ ଭୟ ଲାଗୁନାହିଁ । ଆପଣାକୁ ଲୁଚାଇ ରଖିବାଲାଗି କେବେହେଲେ କୌଣସି ଆଗ୍ରହ ହେଉନାହିଁ, ମଣିଷ ଦେଖିଲେ ମିତ୍ର ପରି ମନେ ହେଉଚି ।

 

୭ । ୨ । ୬୨

 

ଏହି ଆଳସ୍ୟ ମୋର ସର୍ବପ୍ରଧାନ ବଇରି । ଆଜି ସକାଳୁ ଠିକ୍ ସାଢ଼େ ଚାରିଟାବେଳେ ନିଦ ଭାଙ୍ଗିଥିଲା । ତଥାପି, ଆଉ କେତେ କ୍ଷଣ ଶୋଇ ରହିଲେ କୌଣସି କ୍ଷତି ହେବନାହିଁ ବୋଲି ଆପଣା ମନକୁ ବୋଧ ଦେଇ ମୁଁ ପୁଣି ଶୋଇ ପଡ଼ିଲି । ଶୋଇପଡ଼ିଲି ବୋଲି କହିଲେ ଭୁଲ୍‍ ହେବ, ଅଧା ଚେଇଁବା ଆଉ ଅଧା ଶୋଇବା ମଧ୍ୟରେ ମୁଁ ବିଛଣା ଉପରେ ପଡ଼ି ରହି ସମୟ କଟାଇ ଦେବାକୁ ଲାଗିଲି । ଏବଂ ଏହିପରି ଭାବରେ ବଡ଼ ଆରାମରେ ଦୁଇ ଘଣ୍ଟା ସମୟ କଟିଗଲା । ମଝିରେ ଦୁଇତିନି ଥର ଉଠିବାକୁ ମନ ହୋଇଚି । ସେତିକିବେଳେ ମୋ’ରି ଭିତରେ ଥିବା କେଉଁ ଅଳସୁଆ ବନ୍ଧୁ ପରି ପୁଣି ମୋତେ ବୁଝାଇ କହିଚି,—ଉ ହୁଁ, ବର୍ତ୍ତମାନ ଉଠିବାର ବେଳ ହୋଇନାହିଁ, ଏତେ ଚଞ୍ଚଳ ଉଠି ତୁ କ’ଣ କରିବୁ ? ଏହିପରି ଆଶ୍ଵାସନା ପାଇ ମୋତେ ପୁଣି ନିଦ ମାଡ଼ିଯାଇଚି । ଶେଷକୁ ଯେତେବେଳେ ଉଠିବି ବୋଲି ନିଷ୍ପତ୍ତି କରି ବିଛଣାରୁ ଉଠିଲି, ସେତେବେଳେ ମଧ୍ୟ ମନେ ହେଉଥାଏ, ଯେପରି ମୁଁ ସବୁଦିନର ତୁଳନାରେ ଆଜି ଅନେକ ଆଗରୁ ଉଠିବାକୁ ଯାଉଚି । କିନ୍ତୁ ବୁଲିପଡ଼ି ଦେଖିଲି ଘଡ଼ିରେ ସାଢ଼େ ଛଅଟା ବାଜିଚି । ସବୁଦିନ ଏତେବେଳକୁ ମୁଁ ସାଧାରଣତଃ ସ୍ନାନ ସାରି ଆପଣା କାମରେ ବସିବାକୁ ପ୍ରସ୍ତୁତ ହୋଇଯାଇଥାଏ । ବିଛଣା ଛାଡ଼ିବା ବେଳକୁ ବିରକ୍ତ ହୋଇ ଉଠିଲେ ହୁଏତ ଆଜି ସାରାଦିନ ମନଟା ଖଟା ହୋଇ ରହିବ ବୋଲି ଆଶଙ୍କା କରି ମୁଁ ଉଠି ସୁନାପୁଅଟି ପରି ଆପଣାର ନିତ୍ୟକର୍ମରେ ବାହାରି ଗଲି । ସତେ ଯେପରି କୌଣସି ପ୍ରକାରେ କୌଣସି ବ୍ୟତିକ୍ରମ ହୋଇନାହିଁ, ଏହିପରି ଭାବରେ ଆପଣାକୁ ବୁଝାଇବାକୁ ଲାଗିଲି । ବର୍ତ୍ତମାନ ଆସି ଦିବସର କର୍ମାରମ୍ଭ କରିବା ଲାଗି ଏଠାରେ ବସିବା ମାତ୍ରକେ ମୁଁ ଭାବୁଚି, ମୋ’ ଭିତରର ଏହି ଆଳସ୍ୟ ପ୍ରକୃତରେ ମୋ’ର ଜୀବନକ୍ରମର ଏକ ଅଂଶ ନା ଏହା ବାହାରୁ ଆସିଥିବା ପରି ମୋତେ ଆକ୍ରମଣ କରି ବସୁଥିବା ଏକ ସାମୟିକ ପ୍ରଲୋଭନ ? ମୁଁ ଠିକ୍ ଉତ୍ତର ପାଇ ପାରୁନାହିଁ ।

 

୮ । ୨ । ୬୨

 

ଇଏ ଖାଲି ଦେହର ଆଳସ୍ୟ ନୁହେଁ, ମୋ’ର ମନ, ମୋ’ର ହୃଦୟ ଓ ମୋ’ର ଜୀବନ ଦୃଷ୍ଟିରେ ମଧ୍ୟ ଅନେକ ପ୍ରକାରର ଆଳସ୍ୟ ଅନେକ ସମୟରେ ମୋତେ ଆପଣାର କାବୁ କରି ରଖୁଚି । ଅନେକ ସମୟରେ ମୁଁ କ’ଣ କହିବି ବୋଲି ଭାବୁଚି, ମୋ’ର ସମସ୍ତ ଭୟ ତ୍ୟାଗକରି ସତ୍ୟର ହିଁ ପ୍ରକାଶ କରିବି ବୋଲି ଭାବୁଚି, ତଥାପି ପ୍ରକାଶ କରି ପାରୁନାହିଁ, ମୋ’ର ଭୟ ଓ ମୋ’ର ସଙ୍କୁଚିତ ସଚେତନତା ମୋତେ ନାନା ପ୍ରକାର ମିଛ ଆଶ୍ଵାସନା ଦେଇ ଅଟକାଇ ରଖୁଚି । ଏହା ଆଳସ୍ୟ । ଅନେକ ସମୟରେ ମୋ’ର ଭିତରେ କିଏ ଧ୍ୟାନସ୍ଥ ହୋଇ ବସିବାକୁ ଚାହୁଚି, ରାତ୍ରି ନୀଡ଼ର ପକ୍ଷୀ ପରି କିଏ ଆପଣାର ସମସ୍ତ ଡେଣାକୁ ସମାହିତ କରି ଆଣି ଗୋଟିଏ ସମସ୍ତ ଚକ୍ଷୁର ପାତ୍ରରେ ସମସ୍ତ ବିଶ୍ଵକୁ ପ୍ରତିଫଳିତ କରି ଦେଖିବ ବୋଲି ଚାହୁଚି । କିନ୍ତୁ ସେତେବେଳେ ମୁଁ ସ୍ଥିର ହୋଇପାରୁନାହିଁ, ନାନା ପ୍ରୟୋଜନର ନାନା ଅସ୍ଥିରତା ମୋତେ ଭାରି ଚହଲାଇ ରଖୁଚି । ମୁଁ ଥିର ହୋଇ ବସି ପାରୁନାହିଁ । ଏହା ଆଳସ୍ୟ । ବେଳେବେଳେ ନାନା ପ୍ରକାରର ରୋଷ ଆଉ ଅଭିମାନ ମୋତେ ନାନାପ୍ରକାର କାରାଗାରରେ ବନ୍ଦ କରି ରଖୁଚି । ନାନା ସୂତ୍ର ସହିତ ମୋ’ର ସମ୍ପର୍କ ଛିନ୍ନକରି ନାନାପ୍ରକାର ମୂଢ଼ ଓ ମୁଗ୍‌ଧ ଉଗ୍ରତାରେ ମୋତେ ବଡ଼ ହୀନ କରି ରଖୁଚି । ସେତେବେଳେ ସାରା ସଂସାର ବିରୁଦ୍ଧରେ ଖାଲି ଅଭିଯୋଗର ବଡ଼ାଇ କରିବା ବ୍ୟତୀତ ମୁଁ କିଛି କରି ପାରୁନାହିଁ । ଏହା ମଧ୍ୟ ଆଳସ୍ୟ । ଏହା ଜଡ଼ତା ।

 

୯ । ୨ । ୬୨

 

ମୁଁ ଭଗବାନଙ୍କୁ ବିଶ୍ଵାସ କରେ । ମଣିଷକୁ ମଧ୍ୟ ବିଶ୍ଵାସ କରେ । ଏବଂ ଦୁଇ ବିଶ୍ଵାସ ମଧ୍ୟରେ ମୁଁ କୌଣସି ବ୍ୟତିକ୍ରମ ରହିଚି ବୋଲି ଅନୁଭବ କରେ ନାହିଁ । ମୁଁ ବରଂ କହିଚି ଯେ, ଭଗବାନଙ୍କ ଉପରେ ରହିଥିବା ମୋ’ର ବିଶ୍ଵାସ ମୋତେ ମଣିଷକୁ ଅଧିକ ବିଶ୍ଵାସ କରିବାକୁ ପ୍ରବୃତ୍ତ କରେ ଏବଂ ମଣିଷ ଉପରେ ରହିଥିବା ମୋ’ର ବିଶ୍ଵାସ ମୋତେ ଭଗବାନଙ୍କ ଉପରେ ଅଧିକ ନିର୍ଭର ରଖିବାକୁ ପ୍ରବୃତ୍ତ କରେ । ଏହି ଦୁଇଟି ନିର୍ଭରର ଆଧାରସ୍ତମ୍ଭ ଉପରେ ମୁଁ ମୋ’ର ଜୀବନ ନିର୍ଭରକୁ ପ୍ରତିଷ୍ଠିତ କରି ରଖିଥାଏ । ଭଗବାନଙ୍କ ନାମରେ ଯେଉଁଠି ମଣିଷକୁ ଘୃଣା କରାଯାଏ, ଭଗବାନଙ୍କୁ ସର୍ବଶକ୍ତିମାନ ବୋଲି ପ୍ରମାଣ କରିବାଲାଗି ଯେଉଁଠି ମଣିଷକୁ ଅଶକ୍ତ ବୋଲି ଦେଖାଇବାର ଫିସାଦ ହୁଏ, ଭଗବାନଙ୍କର ରାଜ୍ୟ ପ୍ରତିଷ୍ଠା କରିବାର ଦ୍ଵାହି ଦେଇ ଯେଉଁଠି ମଣିଷ ଆଉ ମଣିଷ ଭିତରେ ନାନା ପ୍ରକାର ବିଭେଦକ ପ୍ରାଚୀର ଠିଆ କରି ରଖାଯାଏ, ମୁଁ ସେଠାରେ ପ୍ରବେଶ କରିବାକୁ ଶଙ୍କା ବୋଧ କରେ, ସେହି ମନୋଦୃଷ୍ଟିର ରାଜ୍ୟରେ ମୁଁ କିଛି ବୁଝିପାରେ ନାହିଁ । ପୁଣି, ଯେଉଁଠାରେ ମଣିଷକୁ ସମୃଦ୍ଧ ଓ ସମ୍ପନ୍ନ କରିବାର ଉତ୍ତେଜନାରେ ଭଗବାନଙ୍କୁ ବହିଷ୍କୃତ କରି ଦିଆଯାଏ, ଯେଉଁଠି ମଣିଷକୁ ନୂଆ ଅଫିମ ଖୁଆଇ ବଶ କରିବାଲାଗି ଭଗବାନଙ୍କୁ ଅଫିମ ବୋଲି ଘୋଷଣା କରାଯାଏ, ସେଠି ମଧ୍ୟ ମୁଁ ଅତିମୂର୍ଖ ପରି ବାହାରେ ବାହାରେ ରହିଯାଏ । ମୋ’ର ଅନୁମାନ ହୁଏ ଦୁଇପକ୍ଷ କେବଳ ବୁଦ୍ଧି ଦେଇ ଭଗବାନଙ୍କୁ ଓ ମଣିଷକୁ ବୁଝିବାର ପ୍ରମତ୍ତତା ଦେଖାଇଥାନ୍ତି । ମୋ’ର ବୁଝିବାର ରୀତି ସେମାନଙ୍କଠାରୁ ଅତି ବିଭିନ୍ନ । ଭଗବାନଙ୍କୁ ବିଶ୍ଵାସ କରି ମୁଁ ଆପଣାକୁ ସବୁରି ସନ୍ନିଧାନ କରି ପାଏ । ମଣିଷକୁ ବିଶ୍ଵାସ କରି ଭଗବାନଙ୍କୁ ମଧ୍ୟ ଆପଣା ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଓ ପ୍ରତ୍ୟେକ ମୁହୂର୍ତ୍ତରେ ଅନୁଭବ କରେ । ଭଗବଦ୍‌ବିଶ୍ଵାସ ମୋ’ର ଅନ୍ତର ଭିତରୁ ସକଳ ଜଡ଼ତା ଅପହରଣ କରିନିଏ । ମଣିଷ ଉପରେ ବିଶ୍ଵାସ ମୋ’ ଭିତରୁ ସକଳ ଦୂରତାର ଭାବନା ଅପହରଣ କରିନିଏ ।

 

୧୦ । ୨ । ୬୨

 

କାଲି ପୂଜା ହେଲା, ଦିନ ଭରି କେତେ ପ୍ରକାର ଆନନ୍ଦ ଉତ୍ସବ ହେଲା । ସବୁରି ସହିତ ଏକାଠି ମିଶି କାଲି ସମସ୍ତ ଦିନଟି ଭାରି ଖୁସୀରେ ଅତିବାହିତ ହୋଇଗଲା । ସରସ୍ଵତୀଙ୍କ ପୂଜା ଉପଲକ୍ଷରେ ବସନ୍ତ ପଞ୍ଚମୀ ପାଳନ କରିବା ଲାଗି ଆମେ ଶିକ୍ଷକ ଓ ଛାତ୍ର ହୋଇ ପ୍ରାୟ ପନ୍ଦରଜଣ ଏକାଠି ହୋଇଥିଲୁ । ବିଦ୍ୟାପୀଠର ଔପଚାରିକ କାର୍ଯ୍ୟକ୍ରମରେ ସାଧାରଣତଃ ଯେଉଁ ବ୍ୟବଧାନ ଥାଏ, କାଲି ଦିନମାନ ସେହି ବ୍ୟବଧାନ ନଥିଲା । ମୋ’ର ମନେହେଲା, ଦେବତାର ପୂଜାଟା କେବଳ ନିମିତ୍ତ ବା ଉପଲକ୍ଷ ମାତ୍ର । ମଣିଷ ମଣିଷ ସହିତ ଏକତ୍ର ସମବେତ ହେବ, ଆପଣା ଅନ୍ତର ସମର୍ପଣରେ ମଣିଷକୁ ଅଧିଷ୍ଠିତ କରାଇବ, ଏହା ହେଉଚି ଧ୍ୟେୟ । ପୁଣି ମନେହେଲା, ଅନ୍ୟ ଦିଗଟା ମଧ୍ୟ କୌଣସି ପ୍ରକାରେ କମ୍ ସତ୍ୟ ନୁହେଁ । ମଣିଷ ମଣିଷ ସହିତ ସମ୍ମିଳିତ ହେବାର ଯେତେପ୍ରକାର ପରମ୍ପରା ସବୁ ସମାଜରେ କାଳକାଳ ରହି ଆସିଚି, ତାହା କେବଳ ନିମିତ୍ତ ମାତ୍ର । ଆମ ସମସ୍ତଙ୍କର ଜୀବନରେ ଦେବତାର ସାନ୍ନିଧ୍ୟକୁ ଅନୁଭୂତ କରାଇବାକୁ ଓ ଏ ସଂସାରର ସମସ୍ତ ସମ୍ପର୍କକୁ ସେହି ପରମ ସମ୍ପର୍କର ବ୍ୟଞ୍ଜନାରେ ଅବିନାଶୀ କରି ରଖିବାକୁ ହିଁ ସେସବୁର ଉଦ୍‌ଭବ ହୋଇଚି । କିଏ କାର୍ଯ୍ୟ ଓ କିଏ କାରଣ, ତାହା ଭାବିଚିନ୍ତି କହିବା ବୋଧହୁଏ ଆଦୌ ସମ୍ଭବ ନୁହେଁ-। ହୁଏତ ଦୁଇଟିଯାକ କାର୍ଯ୍ୟ ପୁଣି ଦୁଇଟିଯାକ କାରଣ ମଧ୍ୟ । ଯିଏ କାର୍ଯ୍ୟ ବା ଯିଏ କାରଣ ହେଉ ପଛକେ, ମୋ’ର ଜୀବନଦୃଷ୍ଟି ଭିତରେ ଦୁଇଟିଯାକର ସମାନ ସ୍ଥାନ ରହିଚି । ଗୋଟିକୁ ଛାଡ଼ି ମୁଁ ଅନ୍ୟଟିର କଳ୍ପନା ମଧ୍ୟ କରି ପାରେନାହିଁ । ଦେବତାକୁ ଛାଡ଼ି ମଣିଷର କଳ୍ପନା କରି ପାରେନାହିଁ କିମ୍ବା ମଣିଷକୁ ଛାଡ଼ି ଦେବତାର ମଧ୍ୟ କଳ୍ପନା କରି ପାରେନାହିଁ । ମୋ’ ଗ୍ରହଣର ରୀତି ଏହିପରି-

 

୧୧ । ୨ । ୬୨

 

ଗାନ୍ଧୀବାଦ କହିଲେ ଯିଏ ଯାହା ବୁଝୁ ପଛକେ, ଦୟା ଦେଖାଇବାକୁ ମୁଁ କଦାପି ଗାନ୍ଧୀବାଦ ବୋଲି କହିବାକୁ ରାଜୀ ହେବିନାହିଁ । ସଂସାରରେ ଅନେକ ଲୋକ ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଚନ୍ତି, ମୋ’ ଦେଶରେ ବା ମୋ’ ପ୍ରତିଦେଶରେ ଲକ୍ଷ ଲକ୍ଷ ମଣିଷ ଦୁଃଖ ଓ ଅନାହାରରେ ସନ୍ତପ୍ତ ହୋଇ ରହିଚନ୍ତି; ତେଣୁ ସେମାନଙ୍କ ଲାଗି ମୋ’ର କିଛି ଦାନ କରିବା ଉଚିତ ବା ତ୍ୟାଗ କରିବା ଉଚିତ—,ଏହି ବିଚାରକୁ ଯିଏ ଗାନ୍ଧୀବିଚାର ବୋଲି କହିବାର ଚେଷ୍ଟା କରୁଥାଉ ପଛକେ ମୁଁ ଏହାକୁ ଆଦୌ ସୁସ୍ଥ ବିଚାର ବୋଲି କହିବାର କୌଣସି ଛଳନା କରିବିନାହିଁ । ଭିକାରୀକୁ ଦାନ ଦେଇ ମୁଁ କଦାପି ସଂସାରରୁ ଦାରିଦ୍ର୍ୟ ଦୂର କରି ପାରିବିନାହିଁ । ଆପେ ସଚ୍ଛଳ ସୌଭାଗ୍ୟବନ୍ତ ହିସାବରେ ଜନ୍ମଲାଭ କରିଚି ବୋଲି ଏକପ୍ରକାର ଅମନୁଷ୍ୟୋଚିତ ଅଭିମାନରୁ ଦାନ ଓ ତ୍ୟାଗ, ଦୟା ଓ ଉଦାରତାର ନିରର୍ଥକ କାର୍ଯ୍ୟକ୍ରମ ଭିତରେ ଲୁଚାଇ ରଖିବାର ଛଳନା କରି ମଣିଷ ହେବାରେ କେବେହେଲେ ସାହାଯ୍ୟ କରି ପାରିବିନାହିଁ । ଏଣେ ଗୋଟାଏ ହାତରେ ମୁଁ ଦାନ କରୁଥିବି, ତେଣେ ଆଉ ଗୋଟାଏ ହାତରେ ଅନ୍ୟ ଅନେକଙ୍କ ଠାରୁ ଅପହରଣ କରି ଆଣୁଥିବି, ଏଣେ ସଂସାରର ମ୍ଳେଚ୍ଛମେଳାରେ ମୁଁ ଦାନର ମାହାତ୍ମ୍ୟ ଗାନ କରୁଥିବି, ତେଣେ ସଂସାରରେ ଅନେକ ଦାରିଦ୍ର୍ୟ ଲାଗି ମୁଇଁ କାରଣ ହୋଇରହିଥିବି,—ମୋ’ର ଜୀବନଦୃଷ୍ଟି ଓ ମୋ’ର ଜୀବନ ମୂଲ୍ୟାୟନ ସଂସାରରେ ନାନାବିଧ ଦାରିଦ୍ର୍ୟ ବଢ଼ାଇବାରେ ନାନାଭାବେ ସାହାଯ୍ୟ କରୁଥିବ,—ମୋ’ର ଏହି ଜୀବନାଚାରକୁ କଦାପି ଗାନ୍ଧୀବାଦ ଆଚାର ବୋଲି କୁହାଯାଇ ପାରିବନାହିଁ । ଗାନ୍ଧୀ ଯାହାକୁ ଅସତ୍ୟ ବୋଲି ଜାଣୁଥିଲେ, ତାହାକୁ ସେ ଆଗ ଆପଣାର ଜୀବନରୁ ଦୂର କରି ଦେଉଥିଲେ । କୌଣସି ପ୍ରକାର କର୍ମ ଆଚରଣରେ ସେ ସେହି ଅସତ୍ୟକୁ ଜାରି କରି ରଖିବାର କାରଣ ହେଉନଥିଲେ ।

 

୧୨ । ୨ । ୬୨

 

ଭୂମିଦାନ କରିବାକୁ ଯେଉଁମାନେ ଭୂଦାନ ବା ସର୍ବୋଦୟ ଆନ୍ଦୋଳନର ସର୍ବସାର ବୋଲି ଗ୍ରହଣ କରନ୍ତି, ସେମାନଙ୍କର ପାଖରେ ମଧ୍ୟ ମୁଁ କୌଣସି ପ୍ରକାରେ ସହମତ ହୋଇପାରେ ନାହିଁ । ମୋ’ର ଅନେକ ଭୂମି ରହିଚି, ସେଥିରୁ ଦୟା ପରବଶ ହୋଇ ମୁଁ କିଛି ଭୂମି ଦରିଦ୍ର ଭୂମିହୀନଙ୍କ ଲାଗି ଦାନ କରିଦେଲେ କେବଳ ସେଇଥିରେ ସଂସାରର ଦାରିଦ୍ର୍ୟ ଘୁଞ୍ଚି ଯିବନାହିଁ । ମୋ’ର ବିଚାର ଓ ଜୀବନ ଦୃଷ୍ଟିରେ କୌଣସି ପରିବର୍ତ୍ତନ ନଘଟାଇ ମଧ୍ୟ ମୁଁ ଏହି ଦାନ କରିପାରେ, ଖାଲି ଲୋକ ଦେଖିବାକୁ ମଧ୍ୟ ମୁଁ ଏହି ଦାନ କରିପାରେ, ଖାଲି ଲୋକ ଦେଖିବାକୁ ମଧ୍ୟ ମୁଁ ଏହା କରିପାରେ, ମୋ’ର ଅନ୍ୟ କୌଣସି ମତଲବ ହାସଲ କରିବାଲାଗି ମଧ୍ୟ ମୁଁ ଏହା କରିପାରେ । ମୋ’ ପାଖରେ ଆହୁରି ଅତିରିକ୍ତ ଭୂମି ଅନେକ ରହିଚି, ତା’ଉପରୁ ଲୋକମାନଙ୍କର ବିଦ୍ଵେଷଦୃଷ୍ଟି ଅପସାରିତ କରି ରଖିବାପାଇଁ ମଧ୍ୟ ମୁଁ କିଛି ଦାନ କରି ଭଲ ଲୋକ ପରି ଦେଖାଯିବାର ଚେଷ୍ଟା କରିପାରେ । ଗତ କେତେ ବର୍ଷର ଭୂଦାନ ଆନ୍ଦୋଳନର ଇତିହାସରେ ଏପରି ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିବ । ଦରିଦ୍ରଙ୍କ ଲାଗି କେବଳ ଦାନ କରିବା ସର୍ବୋଦୟ ଆନ୍ଦୋଳନର ମୂଳ କଥା ନୁହେଁ । ସଂସାରରେ ଆଜି ମଣିଷର ଶୋଷଣ ଯେତେପ୍ରକାର ଚାଲିଚି, ମୋ’ର ଆପଣା ଜୀବନରୁ ସେହି ଶୋଷଣର ନିଦାନମାନ ଦୂର କରିବା ହେଉଚି ସର୍ବୋଦୟ ଲାଗି ଆପଣାର ସମର୍ଥନ ଜଣାଇବା । ଆପଣାର ଜୀବନକୁ ଶୋଷଣମୁକ୍ତ କରିବା ହେଉଚି ସର୍ବୋଦୟର ଅସଲ ଉଦ୍ଦେଶ୍ୟ ।

 

୧୩ । ୨ । ୬୨

 

ମୋ’ର ଦୁଃଖ ମୋତେ ଭଗବାନଙ୍କର ଆହୁରି ନିକଟବର୍ତ୍ତୀ କରାଇ ଆଣିଲା ପରି ମନେ ହୁଏ । ସଂସାରରେ ଦୁଃଖ ପାଇଲେ ଅନେକ ଲୋକ ଭଗବାନଙ୍କ ପାଖରୁ ମନ ଛଡ଼ାଇ ଆଣନ୍ତି । ଭଗବାନଙ୍କ ପାଖରୁ ସେମାନେ ଯାହା କାମନା କରିଥିଲେ, ତାହା ନପାଇବାରୁ ସେମାନେ ଏତେଦୂର କ୍ଷୁବ୍‌ଧ ହୋଇପଡ଼ନ୍ତି ଯେ, ସେହି କ୍ଷୋଭ ସେମାନଙ୍କର ସମସ୍ତ ବିଶ୍ଵାସର ମୂଳଗୁଡ଼ିକୁ ଏକାବେଳେକେ ଦୋହଲାଇ ଦେଇଯାଏ । ଗୋଟାଏ ନିର୍ଭର ପାଖରୁ ନିରାଶ ହୋଇ ସେମାନେ ଆଉ କୌଣସି ଅଧିକ ନିର୍ଭରଯୋଗ୍ୟ ଆଶ୍ରୟ ଖୋଜିବାରେ ଲାଗନ୍ତି । ଏହି ଖୋଜିବାର ଅଧୀରତାରେ ସେମାନଙ୍କର ସମସ୍ତ ଚିତ୍ତସ୍ଥିରତା ଭାଙ୍ଗିଯାଏ । କେବଳ ଆପଣାର ସୁଖଦୁଃଖର ମାନଦଣ୍ଡ ଉପରେ ସେମାନେ ସଂସାରରେ ଚାଲିବାର ମାର୍ଗ ନିରୂପଣ କରିବସନ୍ତି, ଆପଣା ଲାଭକ୍ଷତିର ହିସାବ ଉପରେ ସେମାନେ ଭଗବାନଙ୍କ ପ୍ରତି ସେମାନଙ୍କର ଅନୁରକ୍ତିକୁ ନିର୍ଦ୍ଧାରଣ କରିଥା’ନ୍ତି । ଏପରି କୌଣସି ପ୍ରକାର ଆତ୍ମସ୍ଵାର୍ଥ ଦୂଷିତ theology କୁ ମୁଁ ମୋ’ର ଜୀବନରେ କୌଣସି ସ୍ଥାନ ଦେଇନାହିଁ । ମୁଁ ଜାଣେ ମୋ’ର ଦୁଃଖ ସଂସାରର ଏହି ବିଶାଳ ଦୁଃଖସମୁଦ୍ରରେ କେବଳ ଗୋଟିଏ ବିନ୍ଦୁ ପରି । ସଂସାରକୁ ଆବୋରି ରହିଥିବା ଏହି ଦୁଃଖରାଶି ପଛରେ କେଉଁ ବିଧାତାର କୌଣସି ଉଦ୍ଦେଶ୍ୟ ନିହିତ ହୋଇରହିଚି କି ନାହିଁ, ମୁଁ ସେକଥା ବୁଝାଇ କହି ପାରିବିନାହିଁ-। କିନ୍ତୁ ମୁଁ ତଥାପି କହିବି ଯେ, ସମସ୍ତ ସଂସାର ଏତେପ୍ରକାର ଦୁଃଖରେ ଆଲୋଡ଼ିତ ହେଉଥିବା ବେଳେ ମୋ’ର ଆପଣାର କିଞ୍ଚିତ୍ ଦୁଃଖକୁ ମୁଁ ଏତେବଡ଼ କରି ଦେଖିଚି, ତାହାକୁ ଅବଲମ୍ବନ କରି ମୁଁ ଏତେଦୂର କ୍ଳିଷ୍ଟ ଓ ମୁଗ୍‌ଧ ହୋଇରହିଚି, ତାହାକୁ ନେଇ ସଂସାର, ସୁଖଦୁଃଖ ଓ ଭଗବାନ ବିଷୟରେ ସାଧାରଣ ତତ୍ତ୍ଵମାନ ବାହାର କରିବାର ଦୁଃସାହସ କରିବ, ଏହା ଆଦୌ ସୁନ୍ଦର ହେବନାହିଁ । ଏପରି ଏକ ମନୋଦୃଷ୍ଟି ଦ୍ଵାରା ଚାଳିତ ହେଉଥିବା ପର୍ଯ୍ୟନ୍ତ ଏହି ସଂସାର ଭିତରେ ଥାଇ ମଧ୍ୟ ଜୀବନର ଅନେକ participationରୁ କେବଳ ବଞ୍ଚିତ ହୋଇରହିଥିବି, ଦୂରଛଡ଼ା ହୋଇ ରହିଥିବି ।

 

୧୪ । ୨ । ୬୨

 

ମୁଁ ଅନେକଥର କହିଚି, ଆପଣାର ଦୁଃଖର ଦର୍ପଣଉପରେ ସାରା ସଂସାରଟାକୁ ଦେଖିବା କେବଳ ଆପଣା ବିଷୟରେ ଏକ ଦମ୍ଭ ବା ଅଭିମାନ ପ୍ରକଟ କରିବା ମାତ୍ର । ସଂସାରର ଦର୍ପଣ ଉପରେ ଆପଣାର ଦୁଃଖକୁ ଦେଖି ଶିଖିବାକୁ ହେବ । ଏହି ଶିକ୍ଷା ସହଜରେ ହୁଏନାହିଁ, ସେକଥା ମଧ୍ୟ ମୁଁ ବେଶ୍ ଭଲକରି ଜାଣିଚି । ଏହା ବୁଦ୍ଧିର ଶିକ୍ଷା ନୁହେଁ, ଉଚିତ କ’ଣ ବା ଅନୁଚିତ କ’ଣ ଜାଣିଲେ ଏହି ଶିକ୍ଷା ହୋଇଯାଏନାହିଁ । ଏହି ଶିକ୍ଷାକୁ ମୁଁ ଜୀବନର ଆଧ୍ୟାତ୍ମିକ ସ୍ତରରେ ଏକ ଶିକ୍ଷା ବୋଲି କହିବି । ଆପଣା ଜୀବନ ମଧ୍ୟରେ ସକଳ ଜୀବନର ଅସ୍ତିତ୍ଵକୁ ଅନୁଭବ କରି ପାରିଲେ ଯାଇ ଏହି ଶିକ୍ଷାର ଅଧିକାର ମିଳେ । ଆପଣାର ହୃଦୟଭିତରେ ସମସ୍ତ ବିଶ୍ଵକୁ ସ୍ଥାନ ଦେଇପାରିଲେ ଯାଇ ଏହି ଶିକ୍ଷା ହୋଇଥାଏ । ଦୁଃଖ ଆସି ନପହଞ୍ଚିବା ପର୍ଯ୍ୟନ୍ତ ମନରେ ଦମ୍ଭଥାଏ ଯେ ଏହି ପରୀକ୍ଷା ଆସିଲେ ମୁଁ ନିଶ୍ଚୟ ମୋ’ର ଶିକ୍ଷାର ପରିଚୟ ଦେଇପାରିବି । ବୁଦ୍ଧି ମଧ୍ୟ ଭାରି ଗର୍ବ କରି କହେ ଯେ ସିଏ ମଧ୍ୟ ଏହି ପରୀକ୍ଷାରେ ଭାରି ସାହାଯ୍ୟ କରିବ । ଏହି ଦମ୍ଭରେ ମଣିଷ ଅପରକୁ କେତେବେଳେ ଉପଦେଶ ଦିଏ, ବାହାରେ ଥାଇ ଆଉ ଜଣକୁ ବାଟ ବତାଇ ପାରୁଚି ବୋଲି କେତେ ଆତ୍ମଶ୍ଳାଘା ଅନୁଭବ କରେ । କିନ୍ତୁ ଦୁଃଖ ଆସି ପହଞ୍ଚିବା ମାତ୍ରକେ ସବୁ ଦମ୍ଭ ଚୂନା ହୋଇଯାଏ, ଅବସରବାଜୀ ବୁଦ୍ଧି ସଙ୍ଗେ ସଙ୍ଗେ ଦୁଃଖର ପରାକ୍ରମ ପାଖରେ ବଶ୍ୟତା ମାନି ତାହାରି ଆଡ଼କୁ ଆଉଜି ପଡ଼େ । ଆପଣାର ଦୁଃଖକୁ କେବଳ ଆପଣାର ବୋଝ ପରି ମନେହୁଏ, ସଂସାରଠାରୁ ସୂତ୍ର ଛିଡ଼ିଯାଏ । ଆଧ୍ୟାତ୍ମିକ ସାହାସ ଥିଲେ ଯାଇ ଏହି ଦୁଃଖର ସମ୍ମୁଖୀନ ହେବା ସମ୍ଭବ ହୁଏ ।

 

୧୫ । ୨ । ୬୨

 

ଆଜି ଭାରି ଡେରି ହୋଇଗଲାଣି । ଏଠାରେ ଆସି ବସିଲା ବେଳକୁ ଖରା ପଡ଼ି ସାରିଲାଣି । ସେଥିଲାଗି ଆଜି ଭାରି ଅଶ୍ଵସ୍ତ ମନେହେଉଚି । ବେଳେବେଳେ ଆପଣାକୁ ଚାହାଳୀ ଚୋର ପରି ଲାଗୁଚି । ଚାହାଳୀ ଆରମ୍ଭ ହୋଇଯିବାର ଅନେକ ସମୟ ପରେ ଚାଟଶାଳୀରେ ଆସି ପହଞ୍ଚିଲେ ଯେପରି ଲାଗେ, ଠିକ୍ ସେହିପରି ଲାଗୁଚି । ପୂଜାରୀର ଡେରି ହେଲେ ଚଳିବ କିପରି ? ସକାଳର ମନ୍ଦିରପାବଚ୍ଛ ଉପରେ ବସି ସକାଳର ଆଲୋକକୁ ଆପଣାର ଜୀବନ ଭିତରକୁ ଆବାହାନ କରି ଆଣିବାକୁ ମୁଁ ଗତ ଅନେକ ବର୍ଷ ହେଲା ଆପଣା ଜୀବନର ପରମ ଉପଚାର ରୂପେ ପାଳନ କରି ଆସିଚି । ଅତି ନୀରବରେ ଅଥଚ ଅତି ସନ୍ତର୍ପଣରେ ମୁଁ ଏହା ପାଳନ କରିଆସିଚି । ଏହି ଉପଚାରଟି ମୋତେ ଅନେକ ଆନନ୍ଦ ଦେଇଚି । ସଂସାରର ସକଳ ଆନନ୍ଦ ସହିତ ମୋତେ ଅତି ସହଜ ଅଥଚ ଅନୌପଚାରିକ ଭାବରେ ସମ୍ମିଳିତ କରିଦେଇପାରିଚି । ମନ ଓ ବୁଦ୍ଧି ଦେଇ ମୁଁ ଯେତେପ୍ରକାରେ ବିଚ୍ଛିନ୍ନ ହୋଇଯିବାର କଳ୍ପନାରେ ଦୂରଛଡ଼ା ହୋଇଯିବାର ଫନ୍ଦି କରିଚି, ନାନା ସଂଶୟ ଓ ସନ୍ଦିଗ୍ଧତାର ପ୍ରମାଦରେ ପଡ଼ି ଯେତେବେଳେ ମୁଁ ନାନା ତ୍ରାସ ଓ ଭୟରେ ଜୀବନର ଦୃଷ୍ଟିକୁ କଳୁଷିତ କରିଦେବାକୁ ବସିଚି, ସେତିକିବେଳେ ଏହି ସକାଳର କେତୋଟି ମୁହୂର୍ତ୍ତ ମୋତେ ପରିପୂର୍ଣ୍ଣ ନିର୍ଭର ସହିତ ସମଗ୍ର ଜୀବନ ସହିତ ଗୁନ୍ଥିଦେଇଯାଇଚି, ମୋତେ ଆପଣା ଘରେ ପ୍ରବେଶ କରିବାର ବାଟ ବତାଇ ଦେଇଯାଇଚି । ମୋ’ର ସକଳ ଅବିଶ୍ଵାସ ଓ ଅଧା ବିଶ୍ଵାସର ଚକ୍ରାନ୍ତ ସତ୍ତ୍ୱେ ମୋତେ ବିଶ୍ଵାସ ଦେଇଯାଇଚି । ଶାନ୍ତିନିକେତନରେ ଆପଣାର ବୋଲି ଚିହ୍ନିନେଇ ଥିବାର ଏହି ସକାଳକୁ ମୁଁ ଆଜି ମଧ୍ୟ ପରମ ଆପଣାର କରି ରଖିଚି । ଏହି ସୂର୍ଯ୍ୟ ଆଜି ମଧ୍ୟ ମୋ’ର ପରମ ବନ୍ଧୁ ହୋଇରହିଚି । ଏହା ମୋ’ର ନୟନର ଜ୍ୟୋତି ହୋଇରହିଚି, ସକଳ ପ୍ରେରଣାର ଉତ୍ସ ହୋଇରହିଚି ।

 

୧୬ । ୨ । ୬୨

 

ଜୀବନରେ ସୁଖ ଏଇଠି ଅଛି । ସକାଳର ଶୁଭ ମୁହୂର୍ତ୍ତରେ ଏଇଠି ବସି ଉଦୟ ହେଉଥିବା ସୂର୍ଯ୍ୟକୁ ଦେଖୁ ଦେଖୁ ଆପଣା ଭିତରର ମହାଜୀବନକୁ ଅନୁଭବ କରି ପାରୁଥିବ, ସଂସାରରେ ଆପଣାର ସମସ୍ତ ବନ୍ଧୁଙ୍କର ସ୍ମରଣ କରି ସବୁଠି ସବୁରି ସହିତ ଏକତ୍ର ହୋଇଯାଉଥିବା ପରି ଅନୁଭବ କରୁଥିବ, ଆପଣାକୁ ସମର୍ପଣ କରିବାର ସଂକଳ୍ପ ନେଉ ନେଉ ସଂସାରର ସବୁ ଭଗବାନଙ୍କର ଚରଣ ତଳେ ଆସି ପହଞ୍ଚି ଯିବାର ପ୍ରମାଦ ପ୍ରାପ୍ତ ହୋଇଯାଉଥିବ, ଏହି ରୂପ ଓ ସଙ୍ଗଲାଭର ଆନନ୍ଦକୁ ଜୀବନପାତ୍ରରେ ମାପି ନେଉ ନେଉ ସଂସାରର ସବୁ ଆନନ୍ଦର ଆଶୀର୍ବାଦ ଆସି ଅଜାଡ଼ି ହୋଇ ଗଲାପରି ମନେ ହେଉଥିବ । ଆଉ କେଉଁ ସଂସାରରେ ଆଉ କେଉଁଠି ଏହାଠାରୁ ଅଧିକ ଆନନ୍ଦ ମିଳେ କି ନାହିଁ, ମୁଁ ସେକଥା କହି ପାରିବିନାହିଁ; କିନ୍ତୁ ଏହି ସଂସାରରେ ମୋତେ ଆଜି ପର୍ଯ୍ୟନ୍ତ ଯାହା ମିଳୁଚି, ମୋ’ର ପାଇବାର ତରାଜୁରେ ମୁଁ ତାହାକୁ କେବଳ ଅମାପ ଓ ଅତୁଳନୀୟ ବୋଲି କହିବି । ସ୍ଵର୍ଗ ଅନେକ ଦୂରରେ ଅଛି ବୋଲି ଅନେକ ଶାସ୍ତ୍ରରୁ ପଢ଼ିଚି । ମୋ’ର ଜୀବନରେ ଏହି ଉଦ୍‌ଘାଟନ-ମୁହୂର୍ତ୍ତମାନଙ୍କରେ ମନେ ହୁଏ, ଯେପରି ଏହିଠାରେ ହିଁ ମୋତେ ସ୍ଵର୍ଗର ଉତ୍ତରାଧିକାର ମିଳିଯାଉଚି । ଭଗବାନଙ୍କ ଦ୍ଵାରା ସୁରକ୍ଷିତ ହୋଇଥିବା ଆଉ କେଉଁଠାରେ କେଉଁ ସୁଖାବତୀବ୍ୟୁହ ଅଛି ବୋଲି ମୁଁ ଜାଣେନାହିଁ,—ଏହି ସକାଳର ଉନ୍ମୁକ୍ତତା ହିଁ ମୋତେ ସବୁ ଦେଇଯାଏ ।

 

୧୭ । ୨ । ୬୨

 

ଅନେକ ବର୍ଷ ପୂର୍ବେ ଏହି ସଂସାରରେ ମୁଁ ବନ୍ଧୁ କରି ବାହାରିଥିଲି । ସେତେବେଳେ ସମସ୍ତଙ୍କୁ କେବଳ ଆପଣାର ପାଖକୁ ଟାଣି ଆଣିବାର ମୋହ ବଡ଼ ପ୍ରଧାନ ହୋଇରହିଥିଲା । ଜୀବନ ବିଷୟରେ କେବଳ ଏକ ମୁଗ୍‌ଧତା ହିଁ ପ୍ରଧାନ ଥିଲା । ସଂସାରର ସବୁ ବାଟର ସବୁ ସମସ୍ୟା ମୁହୂର୍ତ୍ତକ ମଧ୍ୟରେ ମୋ’ର ମନର ଆନନ୍ଦ ଆଉ ହୃଦୟର ଉତ୍ସାହରେ ସମାହିତ ହୋଇଯାଉଥିଲା । ଆଜି ମୁଁ ଯଥେଷ୍ଟ ବଡ଼ ହୋଇଚି, ମୋ’ର ଜୀବନକୁ ଓ ସଂସାରକୁ ମୁଁ ଯଥେଷ୍ଟ ଅଧିକ ବ୍ୟାପକ ଓ ଗଭୀର କରି ଚିହ୍ନିବା ଲାଗି ଅନେକ ସୁଯୋଗ ପାଇଚି । ସଂସାରର ଜଟିଳତା ବିଷୟରେ ମଧ୍ୟ ଅନେକ ଅନ୍ତଦୃଷ୍ଟି ଲାଭ କରିଚି । କିନ୍ତୁ ତଥାପି ଏହି ବନ୍ଧୁ ଖୋଜି ବାହାରିବାର ଦୃଷ୍ଟି ମୋ’ର ଜୀବନରେ ସର୍ବପ୍ରଧାନ ଦୃଷ୍ଟି ହୋଇରହିଚି । ହଁ ମୁଁ ଜୀବନରେ ପ୍ରଧାନତଃ ବନ୍ଧୁ ଖୋଜି ବାହାରିଚି । ଆଜି ପାଖକୁ ଟାଣି ଆଣିବାର କୌଣସି ମୋହ ନାହିଁ, ଜୀବନର ଯାତ୍ରାରେ ସେଦିନର ସହଜ ଓ ନିରୀହ ମୁଗ୍‌ଧଦୃଷ୍ଟି ମଧ୍ୟ ଅନେକ ପରିମାଣରେ ଶୋଧିତ ହୋଇଯାଇଚି । ତଥାପି ମୁଁ ବନ୍ଧୁ ହିଁ ଖୋଜି ବାହାରିଚି । ଏହି ଜୀବନର ପାତ୍ରରେ ଏହି ବନ୍ଧୁତାର ବରଦାନ ହିଁ ସଂଗ୍ରହ କରି ବାହାରିଚି । ଯେଉଁଠି ଯାହା ପାଇଚି, ତାହାକୁ ମୁଁ ପ୍ରଧାନତଃ ବନ୍ଧୁ ପରି ପାଇଚି । ଏହି ସକାଳ ଆଉ ସନ୍ଧ୍ୟା, ଏହି ଆକାଶ ଆଉ ଆଲୁଅ, ଏହି ଜୀବନ ଆଉ ଭୁବନଭରା ଦୃଶ୍ୟପୁଲକ,ଏ ସକଳ ସମ୍ପଦକୁ ମୁଁ କୌଣସି ଦିନ ଉପଭୋଗର ସମ୍ପତ୍ତି ବୋଲି ଗ୍ରହଣ କରିନାହିଁ, ଏ ସମ୍ପଦ ସକଳକୁ ମୁଁ ଆପଣାର ହୃଦୟ ଭିତରେ ଅତି ଆପଣାର କରି ଅନୁଭବ କରିଚି । ସଂସାରର ସବୁ ମଣିଷଙ୍କୁ ମୁଁ ସବୁବେଳେ ପ୍ରଧାନତଃ ବନ୍ଧୁ ହିସାବରେ ଆପଣା ଭିତରକୁ ଡାକି ଆଣିବାକୁ ମନ ବଳାଇଚି । ସେମାନଙ୍କ ଲାଗି କୌଣସି ମୁହୂର୍ତ୍ତରେ ମଧ୍ୟ ମୋ’ର କୌଣସି ଦୁଆର ବନ୍ଦ କରି ରଖିବାର କୌଣସି ଧୃଷ୍ଟତା ଦେଖାଇନାହିଁ । ସବୁଠାରୁ ବଡ଼ କଥା ହେଉଚି, ମୁଁ ଆପଣାକୁ ମଧ୍ୟ ବନ୍ଧୁ ପରି ଗ୍ରହଣ କରିଚି; ବନ୍ଧୁର ସ୍ଥୈର୍ଯ୍ୟ ଓ ସହାନୁଭୂତି ଦେଇ ମୁଁ ଆପଣାର ଦୁଷ୍ଟ ଶିଷ୍ଟ ପରି ମନେ ହେଉଥିବା ସମଗ୍ର ପ୍ରବୃତ୍ତି ଓ ବାସନାକୁ ବୁଝିବାର ଚେଷ୍ଟା କରିଚି,—ଫୋପାଡ଼ି ଦେଇନାହିଁ ।

 

୧୮ । ୨ । ୬୨

 

ମୋ’ର ଏହି ଜୀବନ ଆଉ କେଉଁ ମହତ୍ତର ଜୀବନ ଲାଗି କେବଳ ଏକ ପ୍ରସ୍ତୁତି ମାତ୍ର ନୁହେଁ । ଏହି ଜୀବନ ମାୟା ନୁହେଁ, ମିଥ୍ୟା ମଧ୍ୟ ନୁହେଁ । ଏହି ଜୀବନରେ ହିଁ ମୁଁ ଭଗବତ୍ ଜୀବନର ସକଳ ମହିମା ଅନୁଭବ କରେ, ଏଇଠି ଚମହାଡ଼ର ଗଢ଼ା ମଣିଷର ସାନ୍ନିଧ୍ୟରେ ବସି ହିଁ ମୁଁ ଭଗବତ୍ ସାନ୍ନିଧ୍ୟ ଅନୁଭବ କରିଥାଏ । ସକାଳର ସୂର୍ଯ୍ୟକିରଣରେ ଠିଆ ହୋଇ ମୁଁ ଯେତେବେଳେ ପବନରେ ପୁଲକିତ ହୋଇ ଶିହରି ଉଠୁଥିବା ଫୁଲକୁ ଆପଣାର ସହୋଦର କରି ଅନୁଭବ କରୁଥାଏ, ସେତେବେଳେ ଏହି ଶରୀରଟା କେବଳ କାହା ମନ୍ଦିରର ଏକ ତୋରଣ ପରି ମନେହୁଏ;—ମୋ’ରି ଭିତରେ କାହାର ମନ୍ଦିରର ଦ୍ଵାର ଖୋଲିଯାଏ । ଏହି ଶରୀରକୁ କାହିଁକି ଯେ ଏକ ବାଡ଼ ବା ବାଧା ବୋଲି କୁହାଯାଇଚି, ଏହି ଜଗତକୁ କାହିଁକି ଯେ ମିଥ୍ୟା ବୋଲି କୁହାଯାଇଚି, ସେତେବେଳେ ମୁଁ ତାହା ଆଦୌ ବୁଝି ପାରେନାହିଁ । ରାତିର ଅନ୍ଧାର ଭିତରେ ମୁଁ ଯେତେବେଳେ ଏକାକୀ ଠିଆ ହୋଇ ଆପଣାର ଗଭୀର ଜୀବନାକାଶରେ ଆକାଶର ଏହି ତାରା ଗୁଡ଼ିକର ସନ୍ଧାନ କରୁଥାଏ, ସେତେବେଳେ ଆପଣାର କଳନା କରିବାକୁ ମୁଁ କୌଣସି ପରିମାପକ ପାଏନାହିଁ, ଆପଣାର ଆଧାର ଭିତରେ ଆପଣାକୁ ମୁଁ ଧାରଣ କରି ରଖିପାରେନାହିଁ । ମଣିଷ ସହିତ ଏକାଠି ବସି ବଞ୍ଚୁଥିବା ଜୀବନର ଆନନ୍ଦ ଆଉ ନିରାନନ୍ଦକୁ ଅନୁଭବ କରୁଥିବାବେଳେ ଏହି ଦୁଇଟା ଆଖିର ଅନନ୍ତ ମହିମାରେ ମୁଁ ବିସ୍ମିତ ହୋଇଯାଏ । ଏ ଆଖି ଯେପରି ସବୁ ଚିହ୍ନିପାରେ, ସବୁ କାଳକୁ କେବଳ ଏକ ହଠାତ୍ ବର୍ତ୍ତମାନ କାଳର ପରିଚୟରେ ପରିଣତ କରି ଦେଇପାରେ, ସବୁ ପରସ୍ତକୁ ଭେଦ କରି ଓ ସବୁ ଗ୍ରନ୍ଥିକୁ ଛିନ୍ନ କରି ସେ ହୃଦୟ ଭିତରେ ପ୍ରବେଶ କରିପାରେ ।

 

୧୯ । ୨ । ୬୨

 

ହିନ୍ଦୁ ଧର୍ମରେ ଏହି ସଂସାରକୁ ମିଥ୍ୟା ବୋଲି କୁହାଯାଇଚି । ହିନ୍ଦୁ ଧର୍ମର ଫୁଲପାଣିରେ ଆପଣାର ଜୀବନକୁ ଅନେକ ପରିମାଣରେ ସିଞ୍ଚାଇ ରଖିଥିଲେ ମଧ୍ୟ ତଥାପି ମୁଁ ସଂସାରକୁ ମିଥ୍ୟା ବୋଲି କହିବିନାହିଁ । ମଣିଷ ସହିତ ମଣିଷର ପରିଚୟକୁ ମୁଁ ତଥାପି କ୍ଷଣିକ ମୋହ ବା ଭ୍ରମ ବୋଲି କହିବିନାହିଁ । ମଣିଷ ସହିତ ଏକତ୍ର ସମ୍ମିଳିତ ହୋଇ ହିଁ ଭଗବାନଙ୍କ ପାଖକୁ ମୁଁ ବାଟ ପାଇଚି । ଭଗବାନଙ୍କ ପାଖକୁ ପଡ଼ିଥିବା ମୋ’ର ବାଟ ସିଧା ମଣିଷ ଭିତରଦେଇ ପଡ଼ିଚି । ଏହି ସକାଳର ଆଲୁଅ, ଆକାଶର ଆକର୍ଷଣ, ପ୍ରକୃତିର ସୌନ୍ଦର୍ଯ୍ୟ ମୋତେ ମଣିଷଠାରୁ ଦୂରଛଡ଼ା କରି ନେଇଯିବା ପରିବର୍ତ୍ତରେ ମୋତେ ମଣିଷର ନିକଟବର୍ତ୍ତୀ କରି ଚାଲିଚି । ମଣିଷ ପାଖରୁ ପଳାଇ ଯିବାର ଫନ୍ଦି କରି ମୁଁ ପ୍ରକୃତି ଭିତରକୁ ପଳାଇ ଯିବାର ଚେଷ୍ଟା କରିନାହିଁ । ମଣିଷର ଜୀବନକୁ ଅସାର ବୋଲି କହିବାକୁ ମୁଁ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାର ସୋପାନ ବୋଲି କେବେହେଲେ ମନେ କରିନାହିଁ । ମଣିଷକୁ ଅଧିକ ଆପଣାର କରି ଚିହ୍ନିବାର ମାର୍ଗ ଦେଇ ମୁଁ ଧର୍ମକୁ ମଧ୍ୟ ଚିହ୍ନିଚି । ଭଗବାନଙ୍କର ସନ୍ନିଧାନରେ ବସିଲାବେଳେ ମଣିଷ ପାଖରୁ ମୁଁ କୌଣସି ବିଚ୍ୟୁତି ଅନୁଭବ କରିନାହିଁ, ମଣିଷ ପାଖରେ ବସିଥିଲା ବେଳେ ଭଗବାନଙ୍କ ପାଖରୁ ମଧ୍ୟ ମୁଁ କୌଣସି ବିଚ୍ୟୁତି ଅନୁଭବ କରିନାହିଁ । କେଉଁ ପଥ ଦେଇ ମୁଁ କାହା ପାଖକୁ ଆସିଚି, ସେକଥା ମଧ୍ୟ ମୁଁ ଠିକ୍ କରି କହି ପାରିବିନାହିଁ । ହୁଏତ ଦୁହିଁଙ୍କର ପଥ ଦେଇ ଦୁହିଁଙ୍କ ପାଖକୁ ପଥ ପଡ଼ିଚି । ଜୀବନର ପରିଚୟ ମାର୍ଗରେ ଆହୁରି ଆଗକୁ ଗଲେ ହୁଏତ ଦୁଇ ପଥକୁ ଗୋଟିଏ ବୋଲି ଅନୁଭବ କରିବାର ଦୃଷ୍ଟି ପ୍ରାପ୍ତ ହୋଇଥାଏ । ମଣିଷକୁ ବନ୍ଧୁ ପରି ପାଇ ମୁଁ ଭଗବାନଙ୍କୁ ମଧ୍ୟ ବନ୍ଧୁ କରି ପାଇଚି । ମଣିଷକୁ ସମଗ୍ର ଭାବରେ ସ୍ଵୀକାର କରିନେଇ ମୁଁ ଭଗବାନଙ୍କର ସୂତ୍ରକୁ ମଧ୍ୟ ସମଗ୍ର ଭାବରେ ସ୍ଵୀକାର କରିନେଇ ପାରିଚି । ସେହି କାରଣରୁ ଭଗବାନଙ୍କୁ ଭୟ କରିବାର ପ୍ରମାଦରୁ ମଧ୍ୟ ମୁଁ ରକ୍ଷା ପାଇଚି, ଭଗବାନଙ୍କ ଠାରୁ ଲୁଚି ସଂସାର ଭିତରେ କେଉଁ କୋଣରେ ଘଡ଼ିକ ଲାଗି ଆପଣାର ଦୌରାତ୍ମ୍ୟ ଲଗାଇବାକୁ ମୁଁ କୌଣସି ଉତ୍ସାହ ଅନୁଭବ କରିନାହିଁ । ମୁଁ ମୋ’ର ଦୋଷକୁ ଘୋଡ଼ାଇ ରଖିବାଲାଗି କଦାପି ଭଗବାନଙ୍କର ବେଶ ପିନ୍ଧିନାହିଁ ।

 

୨୦ । ୨ । ୬୨

 

ଆଜି ସକାଳର ଆଲୁଅ ମୋତେ କହିଯାଉଚି, ଅନ୍ଧାର ଲାଗି ଆପଣାକୁ ହତଭାଗ୍ୟ ବୋଲି ମାନିନେଲେ ଚଳିବ ନାହିଁ । ଆଲୁଅ ଲାଗି ପ୍ରସ୍ତୁତ ହୋଇ ନରହିବାଟା ହିଁ ହେଉଚି ଅନ୍ଧାର, ଆଲୁଅ ଉପରେ ବିଶ୍ଵାସ ସ୍ଥାପନ ନକରିବା ହିଁ ହେଉଚି ଅନ୍ଧାର । ସାଧାରଣତଃ ମଣିଷ ସମାଜରେ ଆଲୁଅଠାରୁ ଅନ୍ଧାରଟାକୁ ହିଁ ଅଧିକ ପ୍ରଧାନ କରି ଦେଖାଇବାର ପ୍ରବୃତ୍ତି ପରିଦୃଷ୍ଟ ହୋଇଥାଏ । ଆଲୁଅକୁ ଶ୍ରଦ୍ଧା କରିବା ଅପେକ୍ଷା ଅନ୍ଧାରକୁ ଭୟ କରିବାଟା ଅଧିକ ବଡ଼ କରି ଦେଖାଇ ଦିଆଯାଇଥାଏ, ଅନ୍ଧାରଠାରୁ ସାବଧାନ ରହିବାକୁ ଅଧିକ ସୁସଂବଦ୍ଧ ଭାବରେ କହି ଦିଆ ଯାଇଥାଏ-। ମଣିଷର ହୃଦୟ ଭିତରେ ଶ୍ରଦ୍ଧାର ଅନୁଶୀଳନ ଯଥେଷ୍ଟ ହୋଇଥିଲେ ସମ୍ଭବତଃ ଏପରି ହେଉନଥାନ୍ତା । ମଣିଷ ତା’ର ଜୀବନରେ ଅଧିକ ଶ୍ରଦ୍ଧା ପାଉଥିଲେ ଏପରି କଦାପି ହେଉ ନଥାନ୍ତା-। ଆମ ସଂସାରଟାର ଇତିହାସ ପ୍ରଧାନତଃ ଶ୍ରଦ୍ଧାର ଇତିହାସ ନୁହେଁ, ବିଶ୍ଵାସର ଇତିହାସ ନୁହେଁ-। ଏହା ପ୍ରଧାନତଃ ଅବିଶ୍ଵାସର ଇତିହାସ, ଭୟର ଇତିହାସ । ଭୟ କରିବାର ଇତିହାସ ଓ ଅପରକୁ ଭୟ ଦେଖାଇବାର ଇତିହାସ । ଜୀବନର ମାର୍ଗରେ ପୂର୍ଣ୍ଣ ଉତ୍ସାହରେ ପ୍ରବୃତ୍ତ ନହୋଇ ନାନା ଭୟର ଦୌରାତ୍ମ୍ୟରେ ଦୁରାତ୍ମ ହୋଇ ରହିବାର ଇତିହାସ । ମୁଁ ମୋ’ର ଆପଣା ଜୀବନରେ ଏହି ଇତିହାସକୁ ଅସ୍ଵୀକାର କରିବାକୁ ଚେଷ୍ଟା କରିଚି । ଏହି ଇତିହାସ ପାଖରୁ ପଳାଇଯାଇ ନୁହେଁ, ଶ୍ରଦ୍ଧା ପ୍ରତି ଅଚଳ ବିଶ୍ଵାସ ରଖି ଜୀବନର ସମ୍ମୁଖୀନ ହୋଇ ମଣିଷର ନିକଟବର୍ତ୍ତୀ ହୋଇ ମୁଁ ଏହାକୁ ଅସ୍ଵୀକାର କରିଚି ।

 

୨୧ । ୧ । ୬୨

 

ମଣିଷକୁ ହିଁ ମୁଁ ଜଗତରେ ସବୁଠାରୁ ଅଧିକ ମୂଲ୍ୟବାନ୍ ସମ୍ପଦ ବୋଲି ଗ୍ରହଣ କରେ । ସେଥିଲାଗି, ମଣିଷକୁ ଧ୍ୟେୟ କରି ଗ୍ରହଣ କରୁଥିବା ଗଣତନ୍ତ୍ର ଉପରେ ମୋ’ର ସଂପୂର୍ଣ୍ଣ ଆସ୍ଥା ରହିଚି । ଏହି ସଂସାରରେ ଯେଉଁଠି ଯାହା ଯଥାର୍ଥ ପରିବର୍ତ୍ତନ ହେବ, ତାହା ମଣିଷଦ୍ଵାରା ହିଁ ହେବ-। ତେଣୁ, ଶାସନର ଦୌରାତ୍ମ୍ୟ ଦ୍ଵାରା ମଣିଷକୁ ସାବାଡ଼ କରି ତା’ର ଚିନ୍ତା, ବିଚାର ଓ ସ୍ଵାଧୀନ ପ୍ରକାଶଇଚ୍ଛାକୁ ଖର୍ବ କରି ଯେଉଁଠି ସତ୍ତାଧୀଶମାନେ ମଣିଷ ଲାଗି ସୁଖର ସାମ୍ରାଜ୍ୟ ପ୍ରତିଷ୍ଠିତ କରିବେ ବୋଲି ବାହାରନ୍ତି ଓ ସେମାନଙ୍କର ଏହି ପ୍ରବୃତ୍ତିକୁ ସିଦ୍ଧାନ୍ତର ଏକ ଆକର୍ଷକ ଭିତ୍ତି ଉପରେ ଦେଖାଇବାକୁ ଚେଷ୍ଟା କରିଥାନ୍ତି, ସେଠାରେ ସେମାନଙ୍କ ଭିତରେ ମୁଁ ଏକ ଅତି ଅସଂସ୍କୃତି ପ୍ରବୃତ୍ତିର ଗନ୍ଧପାଏ । କୋଉଠି କମୁନିଷ୍ଟବାଦର ନାମ ନି, କୋଉଠି ଜାତୀୟ ସମୃଦ୍ଧିର ନାମ ନେଇ, ପୁଣି କେଉଁଠି ତୁଚ୍ଛା ପରମ୍ପରାର ନାମ ନେଇ ମଣିଷର ମୁହଁରେ ତୁଣ୍ଡି ବାନ୍ଧି ରଖିବାର ନାନା ଅପଚେଷ୍ଟା କରାଯାଏ । ମଣିଷକୁ ମାରି ମଣିଷସମାଜକୁ ଉନମତ କରିବାର ମିଥ୍ୟା-ପ୍ରବଞ୍ଚନା ମଧ୍ୟ କରାଯାଏ । ମଣିଷର ସବୁପ୍ରକାର ଭୟ ଦୂର କରିବାର ଲୋଭ ଦେଖାଇ ମଣିଷକୁ ସବୁପ୍ରକାର ଭୀତ ଓ ଖଣ୍ଡିତ କରି ରଖାଯାଏ । ଏହି ସବୁଠାରେ ହିଁ ମୁଁ ଏକ ଅବାଞ୍ଛିତ ଆଦିମ ପ୍ରବୃତ୍ତିର ଗନ୍ଧ ପାଏ;—ଯେଉଁମାନେ ଆପଣାର ଦୃଷ୍ଟି ଭିତରେ ଏପରି ସିଦ୍ଧାନ୍ତକୁ ସ୍ଥାନ ଦିଅନ୍ତି, ସେମାନେ ସଂସାରକୁ ପଛକୁ ନେଇଯିବାକୁ ଚେଷ୍ଟା କରନ୍ତି । ସେମାନେ ମଣିଷକୁ ଘୃଣା କରନ୍ତି, ମଣିଷକୁ ଭୟ ମଧ୍ୟ କରନ୍ତି । ସେମାନେ ଆପଣାକୁ ଏକ ବର୍ବରତାର ବନ୍ଦୀଶାଳା ଭିତରେ ଆବଦ୍ଧ କରି ରଖନ୍ତି, ଆପଣା ଭିତରେ ଆପଣ ବର୍ବରତାର ଦାସ ହୋଇରହନ୍ତି । ଭାରତବର୍ଷରେ ଆଜି ଖାଇବାକୁ ମିଳୁନାହିଁ, ମଣିଷର ଲାଜ ଲୁଚିବାକୁ ଆଜି ଅନେକ ଲୋକଙ୍କ ପାଖରେ ନ୍ୟୁନତମ ସମ୍ବଳ ମଧ୍ୟ ନାହିଁ । ଏହି ଦେଶରେ ଅଶିକ୍ଷା ରହିଚି, ଅନ୍ୟାୟ ରହିଚି; ନାନା ପ୍ରକାରର ଅନ୍ଧାର ମଧ୍ୟ ରହିଚି । ଏହିସବୁ ବାଧା ସହିତ ଆମକୁ ସଂଗ୍ରାମ ହିଁ ହେବ । ନୂଆ ସମାଜର ପ୍ରତିଷ୍ଠା କରିବାକୁ ହିଁ ହେବ । କିନ୍ତୁ, ମଣିଷକୁ ମାରି ବା ମଣିଷ-ବ୍ୟକ୍ତିକୁ ଅସ୍ଵୀକାର କରି ଏହି ସମାଜ ପ୍ରତିଷ୍ଠା କରିବା କେବଳ ଏକ ସୈଦ୍ଧାନ୍ତିକ ବିଡ଼ମ୍ୱନା ହୋଇ ରହିବି । ମଣିଷର କରିବାକୁ ହେଲେ ତାକୁ ଧ୍ୟେୟ ବୋଲି ଗ୍ରହଣ କରିବାକୁ ହେବ, ସ୍ଵତନ୍ତ୍ରତା ଦେବାକୁ ହେବ ।

 

୨୨ । ୨ । ୬୨

 

ମୁଁ ସବୁ, ଅଥଚ ମୁଁ କହି ନୁହେଁ । ସକାଳର ଏହି ଆଲୋକ ଓ ଅପେକ୍ଷାମାଣ ଆକାଶ ସହିତ ସୂତ୍ରସ୍ଥାପନ କରି ପାରିଲେ ମୁଁ ସବୁ, ଅଥଚ ଆପଣା ଦୁଃଖାଭିମାନର ନାନା ଖର୍ବତାରେ ଏହି ଘରର ଚାରିକାନ୍ଥ ଭିତରେ ଯେତେ ପ୍ରକାରେ ଆପଣାର ମୋହରେ ସକଳ ବିଚରଣ ଭୂମିକୁ ଜର୍ଜର କରି ବସିବାବେଳେ ମୁଁ କିଛି ନୁହେଁ । ସବୁ ମଣିଷକୁ ଶ୍ରଦ୍ଧାର ଏହି କ୍ଷେତ୍ରରେ ସ୍ଵୀକାର କରି କରି ନେଇପାରିଲେ ମୁଁ ସବୁ, ଅଥଚ ନାନପ୍ରକାର ଦ୍ଵେଷ ଓ ଭୟ ପ୍ରପୀଡ଼ିତ ବିଭେଦ ଭାବନାରେ ସବୁରି କ୍ଷେତ୍ରକୁ ଆଘାତ କରି ଆସିବାର କୁପରାକ୍ରମ ଦେଖାଇବାର ଧୃଷ୍ଟତା କରୁଥିବା ପର୍ଯ୍ୟନ୍ତ ମୁଁ କିଛି ନୁହେଁ । ରାତ୍ରିର ଶଯ୍ୟା ଉପରେ ନାନା ସ୍ଵପ୍ନବାସନାର ଅର୍ଦ୍ଧାବଚେତ ଆକୁଳତା ଭିତରେ ବିକଳର ହାତଗୋଡ଼ ଛାଟିପିଟି ହେଉଥିବା ସମୟରେ ମୁଁ କିଛି ନୁହେଁ, ଅଥଚ ସକାଳ ହେବା ପୂର୍ବରୁ ଏହିଠାରେ ବସି ଆପଣାର ଆଖି ଭିତରେ ଏହି ନିତ୍ୟନବ ଜନ୍ମଟିକୁ ଆମନ୍ତ୍ରଣ କରି ନେଉଥିବା ବେଳେ ମୁଁ ସବୁ । ଯେଉଁଠି ଯାହା ହରାଇ ଆସିଚି, ଯେଉଁଠି ଯେତେପ୍ରକାର ବିଚ୍ୟୁତ ଓ ବଞ୍ଚିତ ହୋଇଚି, ସେହି ଗୁଡ଼ାକର ପଶ୍ଚାତ୍‌ଚିନ୍ତାରେ ଅସ୍ଥିର ଓ ଅଶାନ୍ତ ହୋଇ ଆପଣାର କ୍ରୂର ପଦକ୍ଷେପରେ ଜୀବନର ଭାରସାମ୍ୟକୁ ବ୍ୟାହତ କରି ଦେଉଥିବା ବେଳେ ମୁଁ କିଛି ନୁହେଁ । ଅଥଚ, ବର୍ତ୍ତମାନର ସ୍ଥିର ଓ ଶାନ୍ତ ଉପାସନା ମୁହୂର୍ତ୍ତରେ ଆପଣାର ସମର୍ପିତ ମନଟାକୁ ସକଳ ସଂସାରର ସମସ୍ତ ଭୂମି ଭିତରକୁ ବାହାର କରି ନେଉଥିବା ବେଳେ ଅତି ସହଜରେ ମୁଁ ସବୁ । ମୁଁ ଏହି ସକଳ ସଂସାରର ଅଧିକାରୀ, ସକଳ ଜୀବନର ଅଧିକାରୀ;—ଆକାଶ ମୋ’ର ପିତା, ପୃଥିବୀ ମୋ’ର ଜନନୀ ।

 

୨୩ । ୨ । ୬୨

 

ଆଜି ପାକିସ୍ଥାନରେ ମଣିଷର ନିଦ ଭାଙ୍ଗୁଚି । ସେ ଦେଶର ଛାତ୍ର, ଓ ଯୁବକ ଏହି ନିଦ ଭାଙ୍ଗିବା ପର୍ଯ୍ୟାୟର ନେତୃତ୍ଵ ଗ୍ରହଣ କରିଚି । ଭାରତବର୍ଷ ଯେଉଁ ମିଥ୍ୟାର ଭୂମି ଉପରେ ରାଜନୀତିକ ସ୍ଵାଧୀନତା ହାସଲ କରିଥିଲା, ଆଜି ସେହି ମିଥ୍ୟାର ସମସ୍ତ ଆନୁଷ୍ଠାନିକ ଭିତ୍ତିମାନ ଦୋହଲି ଗଲାପରି ମନେ ହେଉଚି, ଭାରତବର୍ଷ ଏକ, ଅବିଭାଜ୍ୟ, ଏହାର ଗୋଟିଏ ପ୍ରାଣ, ବହିରାଗତ ସକଳ ସ୍ରୋତଠାରୁ ଆପଣାକୁ ଅଲଗା ରଖି ନୁହେଁ, ସବୁ ସ୍ରୋତକୁ ଆପଣାର ସ୍ରୋତ ସହିତ ସମନ୍ଵିତ କରି ଭାରତର ସଂସ୍କୃତି ବିକଶିତ ହୋଇଉଠିଚି ଆପଣାର ସ୍ରୋତ ସହିତ ସମନ୍ଵିତ କରି ଭାରତର ସଂସ୍କୃତି ବିକଶିତ ହୋଇଉଠିଚି, ଭାରତବର୍ଷର ଜୀବନଧର୍ମ ବିକଶିତ ହୋଇଉଠିଚି, ଏହି ଇତିହାସକୁ ଅସ୍ଵୀକାର କରି ଯେଉଁ ମିଥ୍ୟା ରାଜନୀତିର ନାମରେ ଗତ ଦୀର୍ଘ ୧୬ ବରଷ ହେଲା ପାକିସ୍ଥାନରେ ଘର କରି ରହିଥିଲା, ଆଜି ସେହି ମିଥ୍ୟାର ଉତ୍ପାଟନ ହେବାକୁ ଯାଉଚି । ଗତ ଷୋଳବରଷ ଭିତରେ ଅନେକ ଘଟଣା ଘଟି ଯାଇଚି, ଅନେକ ଘୃଣା ଓ ଅନେକ ଦ୍ଵେଷ ବଢ଼ିଚି, ରାଜନୀତି ସତ୍ତାକୁ ବଞ୍ଚାଇ ରଖିବା ମତଲବରେ ସେଠି ଅନେକ ଅନ୍ୟାୟ ଆଉ ଅନେକ ଅମାନୁଷିକତାକୁ ପ୍ରଶ୍ରୟ ଦିଆଯାଇଚି । ଧର୍ମ ଓ ଉଗ୍ରତାର ନାନା ଅନ୍ଧବିଶ୍ଵାସର ଦୁଆ ଧରି ସେଠି ପଛକୁ ନେଇଯିବାର ଅନେକ ଧୃଷ୍ଟତା ପ୍ରଦର୍ଶନ କରାଯାଇଚି । ଶାସନ ଓ ରାଜନୀତି ଦୃଷ୍ଟିରୁ ଭାରତବର୍ଷ ଓ ପାକିସ୍ଥାନ ଦୁଇଟା ଅଲଗା ଦେଶ ହୋଇ ରହୁ, ସେଥିରେ ମୋ’ର କୌଣସି ଆପତ୍ତି ନାହିଁ । କିନ୍ତୁ ଏହି ଦୁଇ ଦେଶ ପରସ୍ପରର ବନ୍ଧୁ ହୋଇରହନ୍ତୁ, ପରସ୍ପରର ଉଦ୍ୟମରେ ସହଯୋଗୀ ସାଥୀ ହୋଇରହନ୍ତୁ । ଦୁଇ ଦେଶରେ ଆଉ ଘୃଣା ଆଉ ଦ୍ଵେଷରେ ପ୍ରଚାର ନହେଉ । ଧର୍ମର ଅଫିମ ଖାଇ ଏମାନେ ଘୃଣାର ଶିକାର ହୋଇ ନରହନ୍ତୁ । ଲୋକନୀତିର ଯୁଗରେ ଏମାନେ କ୍ରୂର ଏକତନ୍ତ୍ରର ଅନ୍ଧାର ଭିତରେ ମାତାଲ ହୋଇ ତାହାକୁ ଜୀବନ ବୋଲି ଗ୍ରହଣ ନ କରନ୍ତୁ ।

 

୨୪ । ୨ । ୬୨

 

ମଣିଷ ମରିବ, ଏହା ହେଉଚି ପ୍ରକୃତିର ବିଧି । ତଥାପି ମଣିଷ ଅଧିକରୁ ଅଧିକ ଜୀବନର ଅଭିମୁଖରେ ପ୍ରବୃତ୍ତ ହେବ, ଏହା ହେଉଚି ମଣିଷର ବିଧି । ଏ ଜୀବନ ଦିନେ ସଂସାର ପୃଷ୍ଠରୁ ସମାପ୍ତ ହୋଇଯିବ, ସବୁ ଲୀଳା ଓ ସବୁ ଦ୍ଵନ୍ଦ୍ଵ ସମାପ୍ତ ହୋଇଯିବ, ଏହା ହେଉଚି ପ୍ରକୃତିର ବିଧି; କିନ୍ତୁ ତଥାପି ମଣିଷ ଜୀବନର ହିଁ ସ୍ଵପ୍ନ ଦେଖିବ, ଜୀବନ ପ୍ରତି ହିଁ ଶ୍ରଦ୍ଧା ରଖିବ, ମରଣର କଳନାସୀମାକୁ ଡେଇଁ ସେ ଜୀବନକୁ ହିଁ ସ୍ଵୀକାର କରିନେବ, ଏହା ହେଉଚି ମଣିଷର ବିଧି, ମଣିଷ ଭିତରେ ରହି ଆପଣାକୁ ପ୍ରକାଶ କରିଥିବା ମହାଜୀବନର ବିଧି, ମଣିଷ ଭିତରେ ରହି ପ୍ରେରିତ ହେଉଥିବା ଭଗବାନଙ୍କର ବିଧି । ସଂସାରରେ ସବୁଦିନ ମଣିଷ ମରୁଚନ୍ତି, ପାଚିଲାଫଳ ଗଛରୁ ଡାଳରୁ ଖସି ତଳେ ପଡ଼ିଗଲା ପରି କେତେ କେତେ ମଣିଷ ବୁଢ଼ା ହୋଇ ଜୀବନର ଡାଳରୁ ଖସି ପଡ଼ୁଛନ୍ତି, ତଥାପି ମଣିଷ ଭିତରେ ଜୀବନର ପ୍ରବୃତ୍ତି ଆପଣା ପଥରୁ ବିଶ୍ଵାସ ହରାଉନାହିଁ, ଆପଣା ସମ୍ବନ୍ଧ ଓ ଶ୍ରଦ୍ଧା ଉପରୁ ଉପରୁ ବିଶ୍ଵାସ ହରାଉ ନାହିଁ । ତଥାପି ମଣିଷର ଆଖି ଭିତରେ ସୌନ୍ଦର୍ଯ୍ୟ ଲାଗି ସମର୍ଥନ ଜଣାଇବାର ଆଖି ରହିଚି, ସବୁରି ସହିତ ଏକତ୍ର ହୋଇ ନାନା ଶ୍ରଦ୍ଧାର ନିର୍ଭର ଭିତରେ ବଞ୍ଚି ରହିବାର ଅଭିଳାଷ ରଖିଥିବା ସମର୍ପିତ ହୃଦୟ ମଧ୍ୟ ରହିଚି । ଏହି ଦୁର୍ଦମତା ହେଉଛି ଏହି ଜୀବନର ସବୁଠାରୁ ବଡ଼ କଥା । ସବୁ ଅବିଶ୍ଵାସ ଉପରେ ଏହି ବିଶ୍ଵାସ ହେଉଛି ବଡ଼ କଥା, ସବୁ ଅସ୍ଵୀକାର ଉପରେ ଏହି ସ୍ଵୀକାର ହେଉଚି ବଡ଼ କଥା, ମଣିଷ ହେବାର ପରମ ପୁରଷ୍କାର ।

 

୨୫ । ୨ । ୬୨

 

ପାକିସ୍ତାନ ଭାରତରେ ମିଶିଯାଉ, ଏପରି କୌଣସି ଜାତୀୟ ଆଗ୍ରହ ମୋ’ର କେବେ ହୋଇନାହିଁ । ମଣିଷର ଜୀବନ ଓ ଦୃଷ୍ଟିକୋଣ ବ୍ୟାପକ ଓ ସଂହତ ହୋଇପାରିଲେ ଯାଇ ଜାତୀୟ ସଂହତି ଓ ସମୃଦ୍ଧି ସମ୍ଭବ ହୋଇପାରିବ, ମୋ’ର ଏହିପରି ଏକ ଦୃଢ଼ ବିଶ୍ଵାସ ରହିଚି । କିନ୍ତୁ ମୋ’ର ଅଭିଯୋଗ ଅନ୍ୟ ପ୍ରକାରର । କୌଣସି ପ୍ରକାରର ଜାତୀୟ ଯୋଜନା ନେଇ ପାକିସ୍ତାନ ଗଢ଼ା ହୋଇନଥିଲା । ସେଠି ଯେଉଁମାନେ ଦେଶର ସ୍ଵାଧୀନତା ପାଇଁ ଲଢ଼ୁଥିଲେ, ସେମାନେ ଭାରତକୁ ଦୁଇଖଣ୍ଡ କରିଦେବାର କୌଣସି ଇଚ୍ଛା ପ୍ରକାଶ କରିନଥିଲେ । ସେମାନେ ମୁସଲମାନ ଧର୍ମ ନେଇ କଦାପି ଏକ ସ୍ଵତନ୍ତ୍ର ରାଜ୍ୟ ଦାବୀ କରି ନଥିଲେ । ଯେଉଁମାନେ ସ୍ଵାଧୀନତା ଚାହୁଁ ନଥିଲେ, ସେହିପରି ପ୍ରତିକ୍ରିୟାଶୀଳ ଲୋକମାନଙ୍କୁ ନେଇ ବ୍ରିଟିଶ୍ ସରକାର ସ୍ଵାଧୀନତାର ମାର୍ଗରେ ନାନା ବାଧା ସୃଷ୍ଟି କରିବାକୁ ଯେଉଁ ଖେଳ ଆରମ୍ଭ କରିଥିଲା, ପାକିସ୍ତାନ ହେଉଚି ସେହି ଖଳ ପ୍ରବୃତ୍ତିର ଅସୁନ୍ଦର ପରିଣତି । ଜଗତ ଆଗକୁ ଯାଉଥିବା ସମୟରେ ଧର୍ମ ଓ ସାମ୍ପ୍ରଦାୟିକତାର ନିଶା ଖାଇବାକୁ ଯେଉଁମାନେ ଗୋଟାଏ ରାଜନୀତିକ ମଜା ବୋଲି ମନେ କରୁଥିଲେ, ଚତୁର ଇଂରାଜୀ ସେହିମାନଙ୍କୁ ସବୁ ମୁସଲମାନଙ୍କର ପ୍ରତିନିଧି ବୋଲି ସ୍ଵୀକାର କରିଥିଲା । ଏ ଦେଶ ଛାଡ଼ିବା ପୂର୍ବରୁ ସେ ସେହିମାନଙ୍କୁ ହିଁ ସମଗ୍ର ଭାରତ ବର୍ଷର ଭାଗ୍ୟ ଉପରେ ଏକ କ୍ରୂର ଶେଳ ପରି ବିଦ୍ଧ କରି ଦେଇଗଲା । ଦୁଇ ଦେଶ ଭିତରେ ସେହି ଦିନଠାରୁ କେବଳ ବିଦ୍ଵେଷ ହିଁ ଲାଗିଆସିଚି । ପାକିସ୍ତାନରେ କେବଳ ଭାରତ ବିରୁଦ୍ଧରେ ବିଦ୍ଵେଷ ହିଁ ପ୍ରଚାର କରାଯାଇଚି । ଭାରତ ବିରୁଦ୍ଧରେ ଘୃଣା ବଢ଼ାଇବା ଉଦ୍ଦେଶ୍ୟରେ ଧର୍ମକୁ ହତିଆର କରି ବ୍ୟବହାର କରାଯାଇ ସେଠି ମଣିଷର ଅସଲ ଭେକଗୁଡ଼ାକୁ ଭୁଲାଇ ରକ୍ଷା ଯାଇଚି, ମଣିଷକୁ ନିଶା ଖୁଆଇ ତା’ର ଅପମାନ କରାଯାଇଚି; ସଂସାର ଆଗକୁ ଯାଉଥିବା ସମୟରେ ପାକିସ୍ତାନ ପଛକୁ ଯାଉଚି, ସଂସାର ଲୋକ ଶକ୍ତିକୁ ସ୍ଵୀକାର କରି ନେବାକୁ ଶିଖୁଥିବା ସମୟରେ ପାକିସ୍ତାନରେ ସତ୍ତାଧୀଶମାନେ ନାନାପ୍ରକାର ଉତ୍ତେଜନା ସୃଷ୍ଟି କରି ଏକତାନ୍ତ୍ରିକ କ୍ରୂରଶକ୍ତିକୁ ବଞ୍ଚାଇ ରଖିଚନ୍ତି । ଭାରତର ଦ୍ଵାରଦେଶରେ ଏପରି ଏକ ବୈରଶକ୍ତି ଆଜି ବିଦେଶୀ ଅନେକ କୁମତଲବରେ ଅର୍ଥ ଓ ସମର୍ଥନର ସାହାଯ୍ୟ ପାଇ ବଞ୍ଚି ରହିଚି । ଦେଶ ଦୁଇଟା ହେଉ ପଛକେ, ଦୁଇ ଦେଶରେ ମଣିଷ ହିଁ ବଞ୍ଚି ରହୁ, ମୁଁ ଏହାହିଁ ଇଚ୍ଛା କରେ ।

 

୨୬ । ୨ । ୬୨

 

ଆଜି ସକାଳର ଆଲୋକ ମୋ’ ହୃଦୟର ସମସ୍ତ ନୟନକୁ ଧୌତ କରିଦେଇ ଯାଉଚି । ମୋ’ର ନୟନର ସକଳ ସୁଷୁପ୍ତିକୁ ଭାଙ୍ଗି ଦେଇଯାଉଚି । ସଂସାରରେ ସବୁ ମହଜୁଦ ରହିଚି, ଅଥଚ ସକଳ ବର୍ତ୍ତମାନକୁ ଅସ୍ଵୀକାର କଲାପରି ମୁଁ ଏହି ସମସ୍ତ ଜୀବନପ୍ରେରଣା ସତ୍ତ୍ୱେ କେଉଁ ଆଳସ୍ୟର ନିଦ ଭିତରେ ଶୋଇ ରହିଚି,-ଆଉ କେଉଁ କଳ୍ପନାର ଅବାସ୍ତବକୁ ପାଇବି ବୋଲି ଏହି ସକଳ ନିର୍ଭର ଓ ସକଳ ଉତ୍ତରାଧିକାର ସତ୍ତ୍ୱେ ମୁଁ ଶଙ୍କିତ ଓ ଅପ୍ରସନ୍ନ ହୋଇରହିଚି । ଏହା ମୋ’ର ପରମ ଦୁର୍ଭାଗ୍ୟ । ଏହି ଅବାସ୍ତବର ଆସକ୍ତି, ବର୍ତ୍ତମାନକୁ ଅସ୍ଵୀକାର କରି ଅସ୍ଥିର ମନରେ କେବଳ ଅପ୍ରସନ୍ନ ହୋଇରହିବା ବୋଧହୁଏ ପରମାସକ୍ତିର ସର୍ବପ୍ରଧାନ ବଇରି । ଆଜି ସକାଳୁ ଉଠି ମୁଁ ଠିକ୍ ତାହାହିଁ ଅନୁଭବ କରୁଚି । ମୋ’ର ସମସ୍ତ ଅପ୍ରସନ୍ନତାର କାରଣ ଯେପରି ମୋ’ର ଆଖି ଆଗରେ ମୋତେ ଜଳଜଳ ହୋଇ ଦିଶି ଯାଉଚି । ମୋ’ର ସମସ୍ତ ଅଡ଼ୁଆ ଯେପରି ମୋ’ର ହୃଦୟର ବିମୁକ୍ତ ଗ୍ରହଣୋତ୍ସବର ଆନନ୍ଦରେ ସମାହିତ ହୋଇଯାଉଚି । ହଁ ଏହା ପ୍ରକୃତରେ ଗ୍ରହଣର ହିଁ ଉତ୍ସବ । ଏଥିରେ ଛାଡ଼ିଯିବାର କୌଣସି ପ୍ରପୀଡ଼ନ ନାହିଁ, ପଳାଇ ଯିବାର କୌଣସି ବ୍ୟାଧିରତା ନାହିଁ । ହାରିଯିବାର କିଛି ଭୟ ନାହିଁ, ବଞ୍ଚିତ ହୋଇ ରହିବାର କୌଣସି ଦୁର୍ବାସନ ନାହିଁ; ଜୀବନ ମଧ୍ୟରେ ଅଧିକତର ଜୀବନ ଲାଗି ଆପଣାକୁ ସମର୍ପିତ କେଇଦେବା ହିଁ ମୋତେ ମୋ’ର ସ୍ଵକୀୟ ଧର୍ମ ବୋଲି ମନେହେଉଚି । ଏହି ଆଲୋକ, ଏହି ଆନନ୍ଦ, ଚତୁର୍ଦ୍ଦିଗର ଏହି ଜୀବନମୟତା ଯେପରି ଏହି ଧର୍ମର ମନ୍ଦିରପାବଚ୍ଛ, ମୋ’ର ହୃଦୟର ଦ୍ଵାର ହେଉଚି ଯେପରି ଏହି ମନ୍ଦିରର ସିଂହଦ୍ଵାର ।

 

୨୭ । ୨ । ୬୨

 

ହଠାତ୍ କଲମ ଧରି ବସିବା ବେଳକୁ ମନେହେଉଚି, ଆଜି ବୋଧହୁଏ ଲେଖିବାକୁ କିଛି ନାହିଁ । ପୁଣି ଭାବୁଚି, ଲେଖିବାକୁ ନାହିଁ କିପରି ? ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ କେତେ କେତେ କଥା ମୋ’ର ଅଲେଖା ହୋଇ ରହିଯାଉଚି, ସବୁଦିନ ଦେଖୁଥିବା କେତେ କେତେ କଥା ଅଦେଖା ରହିଯାଉଚି, ପାଇଥିବା କେତେକେତେ ସଙ୍ଗ ଓ ସମ୍ପଦ ତଥାପି ଆହୁରି ନପାଇଥିବା ଅନେକ ସଙ୍ଗ ଓ ସମ୍ପଦ ଲାଗି ମୋତେ ଉତ୍ସାହିତ କରୁଚି, ଉଦ୍‌ଧାବିତ କରୁଚି । ହାତ ପାଖରେ ସଂସାରକୁ ପାଇଚି ବୋଲି ଅନୁଭବ କରୁ କରୁ ହାତ ପାଖରେ ନଥିବା ଆହୁରି ଦ୍ରବ୍ୟ ମୋତେ ବଡ଼ ଆହୁଳ କରି ପକାଉଚି । ଏସବୁ କ’ଣ ଏହି ଖାତା ଉପରେ ଲେଖି ରଖିବା କଥା ? ମୁଁ ଜାଣେନା, ତଥାପି ଲେଖି ନପାରିଲେ ଯେପରି ମନ ଭିତରେ ଏକ ଅସହ୍ୟ ଅସନ୍ତୋଷ ମୋତେ ବଡ଼ ପୀଡ଼ିତ କରି ପକାଉଚି-। ମ୍ମୋ’ ମନର ଭାବକୁ ମୁଁ କାହାରି ପାଖରେ ପ୍ରକାଶ କରିବାର ସୁଯୋଗ ନପାଇଲେ ସଂସାରରେ ଆପଣାକୁ ବଡ଼ ବିଚ୍ୟୁତ ବୋଲି ଅନୁଭବ କରୁଚି । ମୋ’ର ଦୁଃଖ, ମୋ’ର ସୁଖ, ମୋ’ର ବ୍ୟଥା ଓ ମୋ’ର ବୈରାଗ୍ୟ, ମୋ’ର ଆନନ୍ଦ ଓ ମୋ’ର ନିଶ୍ଵାସ,–କୌଣସି ଗୋଟିକୁ ମଧ୍ୟ ମୁଁ ବାଦ ଦେବାକୁ ଚାହେନାହିଁ,–ଗୋଟାଏ ନିର୍ଭରରେ ଆପଣକୁ ଅବଲମ୍ବନଶୀଳ କରି ରଖିବି ବୋଲି ମୁଁ ଆଉ କେଉଁ କ୍ଷେତ୍ରରୁ ପଳାଇ ଆସିବାକୁ ଇଚ୍ଛା କରେନାହିଁ । ମୋ’ର ଆଖିର ଲୁହ ମୋ’ର କୁଣ୍ଠିତତା ମୋ’ର ବାଟ ଚାଲିବାର ବଇରି ନୁହେଁ । ମୋ’ର ସବୁ ଅଭିଜ୍ଞତା ଓ ଅନୁଭୂତିକୁ ମୁଁ ମୋ’ର ଜୀବନପ୍ରେରଣାର ସରାଚ ଦେଇ ଏକତ୍ର କରି ସମଭାରି ରଖିବାକୁ ଚାହେ । ମୋ’ ଜୀବନର କୌଣସି ଏକ ପାଖକୁ ମୁଁ ଲୁଚାଇ ରଖିବାକୁ ଚାହେନାହିଁ; କାରଣ କୌଣସି ଏକଦେଶୀୟ ସିଦ୍ଧାନ୍ତକୁ ମୁଁ ଜୀବନର ନିର୍ଣ୍ଣାୟକ ବୋଲି ମାନିନେବାରୁ ଚାହେନାହିଁ । ମୋ’ର ଏହି ବିଶ୍ଵାସକୁ ବଞ୍ଚିବା ଲାଗି ମୁଁ କ୍ଷେତ୍ର ଚାହେ, ଏହି ବିଶ୍ଵାସକୁ ପ୍ରକାଶ କରିବାକୁ ମୁଁ କ୍ଷେତ୍ର ଚାହେ ।

 

୨୮ । ୨ । ୬୨

 

ମୋ’ର ଅନେକ କାମ ବାକୀ ରହିଗଲାଣି ବୋଲି ଏହି କେତେଦିନ ହେଲା ଭାରି ଅସ୍ଥିର ଲାଗୁଚି । ଅସ୍ଥିର ଲାଗିବାର ଅର୍ଥ ହେଉଚି । ଏହି କାର୍ଯ୍ୟବ୍ୟସ୍ତତାର ଦିନେ ସଂପୂର୍ଣ୍ଣ ଭାବରେ ମୁକ୍ତି ବା ଛୁଟି ମିଳିବ ବୋଲି ମୋ’ ମନରେ ହୁଏତ ଗୋଟାଏ ଭ୍ରମ ରହିଚି । ଅଫିସରେ କାମ କରୁଥିବା ଇଂରାଜୀ ମୂଳତଃ ଆପଣାର କାମକୁ ଭଲ ପାଏନାହିଁ । ସେଥିଲାଗି କିପରି ଯେତେ ଶୀଘ୍ର ସମ୍ଭବ କାମ ଶେଷ କରି ଛୁଟି ପାଇବ ବୋଲି ସେ ଅସ୍ଥିର ହେଉଥାଏ । ଆପଣା କାମରୁ ସେ କୌଣସି ଆନନ୍ଦ ପାଏନାହିଁ । ଏବଂ, ଏହି କଥାକୁ ସେ ଯେତିକି ସଚେତନ ଭାବରେ ଅନୁଭବ କରିପାରେ, ସେ ସେତିକି ଅସ୍ଥିର ହେବାରେ ଲାଗେ । ମୁଁ ମୋ’ର କାମକୁ ଆଉ ଭଲ ପାଉନାହିଁ କି ? ମୁଁ କ’ଣ ଆଉ ମୋ’ର କ୍ଷେତ୍ରକୁ ଭଲ ପାଉନାହିଁ କି ? ମୁଁ ଏହି କ୍ଷେତ୍ରରେ ଗୋଟିଏ ବ୍ୟୁହ ଭିତରେ ପଡ଼ିଯାଇଥିବା ପରି ଅନୁଭବ କରୁଚି କି ? ମୋ’ର ମୂଲ୍ୟବୋଧ ସହିତ ମୁଁ ମୋ’ର କ୍ଷେତ୍ରକୁ ଏକ ସଙ୍ଗତ ସୂତ୍ରରେ ବାନ୍ଧିପାରୁନାହିଁ କି ? ଏହି ବିଷୟରେ ମୋତେ ଆହୁରି ଗମ୍ଭୀର ଭାବରେ ବିଚାର କରିବାକୁ ହେବ । କାରଣ, ଯେତେବେଳେ ପର୍ଯ୍ୟନ୍ତ କାମରୁ ଆନନ୍ଦ ମିଳୁଥିବ, ସେତେଦିନ ପର୍ଯ୍ୟନ୍ତ ଆପଣାର କ୍ଷେତ୍ର ପରି ମନେ ହେଉଥିବ, ସେତେଦିନ ଯାଏ ଏପରି ଅସ୍ଥିର ଅନୁଭବ କରିବାର କୌଣସି କାରଣ ହିଁ ନଥିବ । ସେତେଦିନ ପର୍ଯ୍ୟନ୍ତ କଠିନରୁ କଠିନ କାମ ମଧ୍ୟ ସହଜ ଲାଗୁଥିବ, କାରଣ ତାହା ଆପଣାର ପୁନିର୍ବାଚିତ କ୍ଷେତ୍ରରେ ଆପଣାର ସୁନିର୍ବାଚିତ କାର୍ଯ୍ୟ ବୋଲି ଲାଗୁଥିବ । ସେତେବେଳେ ପ୍ରତ୍ୟେକ କାର୍ଯ୍ୟକୁ ଭଗବତ ସମର୍ପଣ ଭାବରେ ଗ୍ରହଣ କରିବା ସମ୍ଭବ ହୋଇ ପାରିବ । ତେଣୁ କାର୍ଯ୍ୟରୁ ଆନନ୍ଦ ମିଳିବ, କାମ ସାରି ଦଉଡ଼ି ପଳାଇବାର କୌଣସି ଅସ୍ଥିରତା ଆସିବ ନାହିଁ ।

 

୧ । ୩ । ୬୨

 

Unknown

ନାନା ଅପୂରଣୀୟ ଇଚ୍ଛାର ଗ୍ଳାନି ମୋତେ ଗତ କେତେଦିନ ହେଲା ଭାରି ଅସ୍ଥିର କରି ରଖିଚି । ବାହାରେ ମୁ ସବୁଠିଁ ଅଛି, କିନ୍ତୁ ସତରେ ମୁଁ କେଉଁଠି ହେଲେ ନାହିଁ । ମୋ’ର ଏହି କାର୍ଯ୍ୟକ୍ଷେତ୍ରରେ ମଧ୍ୟ ମୁଁ ନାହିଁ । ଆପଣାର ମନକୁ ବାଆଁରେଇ ରଖି ଆପଣା କାମରେ ମନୋନିବେଶ କରିବାର ଯେତେ ଚେଷ୍ଟା କଲେ ମଧ୍ୟ ତଥାପି ଅନେକ ସମୟରେ ଆପଣାକୁ ଏକ ଦରମାଖିଆ ଚାକର ବୋଲି ମନେ ହେଉଚି । ମୁଁ ମାସକୁ ମାସ ଦରମା ପାଉଚି ସତ, କିନ୍ତୁ ଶିକ୍ଷକ ହିସାବରେ ଆପଣାର କାର୍ଯ୍ୟ କରି ମୁଁ ତାହା ପାଉନାହିଁ । ଯନ୍ତ୍ର ପରି କର୍ତ୍ତୃତ୍ଵ ଦ୍ଵାରା ଆନୁଷ୍ଠାନିକ ଭାବରେ ଲଦା ହୋଇଥିବା ରୁଟିନ୍ ମାନି ରହିଥିବାରୁ ମୁଁ ଦରମା ପାଉଚି । ସେଥିଲାଗି ପ୍ରତ୍ୟେକ ମାସରେ ଦରମା ଗଣି ନେଉଥିବା ବେଳେ ଆପଣାକୁ ପ୍ରଧାନତଃ ଚୋର ମନେହେଉଚି । ମୁଁ କ’ଣ ପ୍ରକୃତରେ ଜଣେ ଶିକ୍ଷିତ ମଣିଷ ହିସାବରେ ଆପଣାର କର୍ତ୍ତବ୍ୟ କରିପାରୁଚି, ପ୍ରକୃତରେ କ’ଣ ମୁଁ କୌଣସି ଜଣେହେଲେ ଶିକ୍ଷାର୍ଥୀ ଭିତରେ ଶିକ୍ଷାର ଆକାଙ୍‌କ୍ଷା ଜନ୍ମାଇ ପାରୁଚି ? ଏହାର ଉତ୍ତର ଖୋଜି ବସିଲେ ହଠାତ୍ ବଡ଼ ନିରାଶ ମନ ହେଉଚି । ଉପରେ ରହିଥିବା କର୍ତ୍ତୃତ୍ଵର ଅଧୀନରେ କେବଳ ଗୋଟାଏ ଗଧ ପରି ରହି ମୁଁ କାହା ଭିତରେ କେଉଁ ଶିକ୍ଷାର ଆକାଙ୍‌କ୍ଷା ଜାଗୃତ କରିପାରିବ ? ପରୀକ୍ଷା ଲାଗି ଯେତିକି ପାଠ ପଢ଼ିବା ଦରକାର, ସେତିକି ଛଡ଼ା ଏଠି ଶିକ୍ଷାର୍ଥୀ ମନରେ ଆଉ କିଛି ଜାଣିବା ବା ହେବାର କୌଣସି ଆଗ୍ରହ ନାହିଁ । ଆପଣାର ଦରମାଟା ପାଇବା ଲାଗି ସୁନାପୁଅ ହୋଇ ଯେତିକି କାମ କରିବା କଥା, ଏଠି ଶିକ୍ଷକ ମଧ୍ୟରେ ସେତିକି କାମ କରିବା ବ୍ୟତୀତ ଅନ୍ୟ ଆଗ୍ରହ ନାହିଁ । ଶାସନ ଓ କର୍ତ୍ତୃତ୍ଵର କାରଖାନା ଚାଲୁ ରଖିବାକୁ ହେଲେ ଯେତିକି ପହରା ଦେବାର କଥା ଓ ଯେତିକି ସଚେତ ରହିବା କଥା, ସେତିକି ବ୍ୟତୀତ ଅନ୍ୟ କୌଣସି ବିକାଶର କୌଣସି ଆଗ୍ରହ ଏଠି କର୍ତ୍ତାମାନଙ୍କ ଭିତରେ ନାହିଁ । ଏ ତିନିପକ୍ଷଯାକ କେହି ମଣିଷ ନୁହନ୍ତି, ତେଣୁ ଅନ୍ୟକୁ ମଧ୍ୟ ମଣିଷ ପରି ଗଣ୍ୟ କରିବାର କୌଣସି ଆଗ୍ରହ ଏମାନଙ୍କର ନାହିଁ । ଏଠାକୁ ଆସିବା ପୂର୍ବରୁ ପ୍ରଧାନତଃ ଅନ୍ୟପ୍ରକାର କ୍ଷେତ୍ରରେ ଅନ୍ୟପ୍ରକାର ଆଗ୍ରହ ରଖି ବଢ଼ିଥିବାରୁ ଓ ଜୀବନରେ ଅନ୍ୟ ମୂଲ୍ୟୋପଲବ୍‌ଧିର ସ୍ଵପ୍ନ ଦେଖି ଆସିଥିବାରୁ ମୋତେ ଏଠାରେ ପ୍ରଧାନତଃ କୌଣସି ଏକ ଦଣ୍ଡ ଭୋଗ କରୁଥିବା ପରି ମନେ ହେଉଚି, ଏହି ଗୋଠରେ ମୁଁ ସହଜରେ ମିଶିଯାଇ ପାରୁନାହିଁ ।

 

୨ । ୩ । ୬୨

 

ମଣିଷ ବିରୁଦ୍ଧରେ ମୋ’ର କୌଣସି ଅଭିଯୋଗ ନାହିଁ, ମୋ’ର ଅଭିଯୋଗ ତାହାର ଏହି ଆଳସ୍ୟ ବିରୁଦ୍ଧରେ । ତା’ର ଶରୀରରେ ନାନା ଆଳସ୍ୟ, ମାନସିକ ଜୀବନରେ ଏତେ ଆଳସ୍ୟ, ତା’ର ହୃଦୟ ଭିତରେ ଏତେ ଆଳସ୍ୟ । ଆଳସ୍ୟ ହେତୁ ତା’ର ସମସ୍ତ ଜୀବନଭୂମି ଉପରେ ଯେଉଁ ଭୟ ଆଚ୍ଛାଦିତ ହୋଇରହିଚି, ସେହି ଭୟ ତାକୁ ଉଗ୍ର କରି ପକାଉଚି, ତାକୁ କର୍ତ୍ତୃତ୍ଵର ଦାସ କରି ପକାଉଚି, ତାକୁ କ୍ଷମତାର ଲାଳସାପୀଡ଼ିତ କୀଟ କରି ପକାଉଚି, ତାକୁ ଅଯୋଗ୍ୟ କରି ପକାଉଚି, ତାକୁ ସବୁ କ୍ଷେତ୍ରରେ ଏପରି ହାସ୍ୟାସ୍ପଦ କରି ପକାଉଚି । ତା’ ପାଖରେ ଜ୍ଞାନ ଅଛି, ତା’ପାଖରେ ସାଧନ ରହିଚି, ତା’ର ଭିତରେ ମହାନ୍ ମହାନ୍ ସ୍ଵପ୍ନ ରହିଚି, ତଥାପି ଏହି ସକଳ ସମ୍ପଦ ସତ୍ତ୍ୱେ ମଣିଷ ନାନା ପ୍ରକାର ଜଡ଼ତାରେ ଏପରି ତ୍ରସ୍ତସଚେତ ହୋଇ ପଡ଼ିଚି ଯେ, ସେ ତା’ର ଆଶଙ୍କା ଓ ଆସ୍ପର୍ଦ୍ଧାର ସଂକୀର୍ଣ୍ଣ ସୀମା ଡେଇଁ ବାହାରକୁ ଆସି ପାରୁନାହିଁ । ମଣିଷ ସହ ଦେହ ଘଷାଘଷି ହେଲାପରି ରହିଥିଲେ ମଧ୍ୟ ସେ ମଣିଷର ସାନ୍ନିଧ୍ୟକୁ ଅନୁଭବ କରି ପାରୁନାହିଁ ବୋଲି ସେ ନାନା କର୍ତ୍ତୃତ୍ଵର ଫାଶରେ ତାକୁ ବାନ୍ଧିରଖି, ନାନା ଶାସନରେ ତାକୁ ପ୍ରପୀଡ଼ିତ କରି ତାକୁ ଆପଣାର ଅଧୀନସ୍ଥ କରି ରଖିବାକୁ ଚେଷ୍ଟା କରୁଚି, ତା’ର ଏହି ବ୍ୟାଧିତ ବାସନା ହେତୁ ସେ ଅପର ସମସ୍ତଙ୍କ ପାଖରେ ବଡ଼ ଅଗ୍ରାହ୍ୟ ହୋଇ ରହିଯାଉଚି, ଅପର ସମସ୍ତଙ୍କୁ ମଧ୍ୟ ଆପଣା ପାଖରେ ଅଗ୍ରାହ୍ୟ କରି ରଖୁଚି । ବାହାରେ କେତେପ୍ରକାର ସହଯୋଗ ଓ ସହକାରିତାର କେତେ ଅଭିନୟ ହେଉଚି; ତଥାପି ଏହି ଆଳସ୍ୟ, ଏହି ଭୟ ଓ ଏହି ଶାସନଲାଳସାର ଧୃଷ୍ଟତାରେ ସବୁ ଆୟୋଜନ ଖାଲି ବ୍ୟର୍ଥ ହିଁ ହେଉଚି ।

 

୩ । ୩ । ୬୨

 

ଆଜି ଏହି ସମସ୍ତ ଜଗତକୁ ମୁଁ ମୋ’ର ପ୍ରତିବେଶୀ ବୋଲି ଅନୁଭବ କରୁଚି । ସକଳ ମନୁଷ୍ୟର ସମସ୍ୟାକୁ ମୁଁ ମୋ’ର ଆପଣାର ସମସ୍ୟା ବୋଲି ଅନୁଭବ କରୁଚି । ଗୋଟାଏ ଛୋଟିଆ ଗାଆଁରେ ମୋ’ର ଜନ୍ମ ହୋଇଥିଲା । ଗୋଟାଏ ଭାଷାରେ ମୁଁ ପ୍ରଥମେ ମୋ’ର ଭାବପ୍ରକାଶ କରି ଶିଖିଥିଲି । ମୋ’ର ବ୍ୟକ୍ତିଗତ ସଂସାରର ମାୟା, ମମତା, ସ୍ନେହ ଓ ଶ୍ରଦ୍ଧା ନେଇ ମୁଁ ଜୀବନର ପଥରେ ପ୍ରବେଶ କରିଥିଲି । ଭାରତବର୍ଷର ଜାତୀୟ ଆନ୍ଦୋଳନରେ ଯୋଗଦେବା ସଙ୍ଗେସଙ୍ଗେ ମୋ’ର ସ୍ଥାନୀୟ ବା ଆଞ୍ଚଳିକ ଅନୁରକ୍ତି ଏକ ଜାତୀୟ ଅନୁରକ୍ତିରେ ରୂପାନ୍ତରିତ ହୋଇଥିଲା । ମୋ’ର ଭାବଭୂମି ଉପରେ ସମସ୍ତ ଭାରତବର୍ଷ ଜନନୀରୂପେ ଅବତୀର୍ଣ୍ଣ ହୋଇଥିଲା-। ଭାରତର ସବୁ ଭାଷା, ସବୁ ସାମାଜିକ ସଂସ୍କୃତି ଓ ସବୁ ମଣିଷର ଅଭିଳାଷକୁ ମୁଁ ସେହି କିଶୋର ବୟସରେ ଅତି ଆପଣାର କରି ନେଇଥିଲି । ଭାରତର ଧର୍ମ ଓ ଭାରତର ସଂସ୍କୃତିକୁ ଅଧିକରୁ ଅଧିକ ବୁଝିବା ସଙ୍ଗେସଙ୍ଗେ ମୋ’ ଭିତରେ କେବଳ ଭାରତୀୟତାର ସୀମାଗୁଡ଼ିକ କ୍ରମେ ଭାଙ୍ଗିବାକୁ ଆରମ୍ଭ କଲା, ସେଗୁଡ଼ାକ କ୍ରମେ ଏକ ସର୍ବମାନବୀୟ ସୀମାକୁ ସମ୍ପ୍ରସାରିତ ହେବାକୁ ଆରମ୍ଭ କଲା-। ଏଥିରେ ମୁଁ କୌଣସି ପ୍ରକାର ଖେଦ ଅନୁଭବ କରିନଥିଲି, ଅତି ସହଜ ଭାବରେ ମୁଁ ଏହି ପରିବର୍ତ୍ତନକୁ ଗ୍ରହଣ କରି ନେଇଥିଲି । ଗୋଟାଏ ଦେଶରେ ମୁକ୍ତିର ଆକାଙ୍‌କ୍ଷା ରଖି ଯେପରି ମୁଁ ବିମୁକ୍ତ ହୋଇ ପୃଥିବୀର ସକଳ ମଣିଷ ସହିତ ସମ୍ମିଳିତ ହୋଇପାରିଥିଲି । ସ୍ଵାଧୀନତା ଲାଭ କରିବାର ଅର୍ଥ ଗୋଟାଏ ଭୌଗାଳିକ ଚତୁଃସୀମା ଭିତରେ ଆପଣାକୁ ଆବଦ୍ଧ କହି ରଖିବା ନୁହେଁ, ଏହାର ଅର୍ଥ ହେଉଛି ସକଳ ସଂସ୍କୃତି ଓ ସକଳ ମାନବିକ ସାନ୍ନିଧ୍ୟ ଲାଗି ଆପଣାର ଦ୍ଵାରା ଉନ୍ମୁକ୍ତ କରିଦେବା ମୋ’ର ଜୀବନର ଅତି ମହତ୍ତ୍ଵପୂର୍ଣ୍ଣ ଓ ପ୍ରେରଣାପୂର୍ଣ୍ଣ କେତୋଟି ବରଷରେ ମୁଁ ଏହି ସତ୍ୟର ଉପଲବ୍ଧି କରିଥିଲେ । ସେହି ଉପଲବ୍ଧି ମୋ’ର ଜ୍ଞାନ ଓ ସମସ୍ତ ଜୀବନଦୃଷ୍ଟିକୁ ଧନ୍ୟ କରି ଦେଇଥିଲା ।

 

୪ । ୩ । ୬୨

 

ପୃଥିବୀରେ କୌଣସି ଦେଶର ଭାଷାକୁ ମୁଁ ହୀନ ବୋଲି ମନେ କରେନହିଁ । କୌଣସି ଦେଶର ମଣିଷକୁ ମୁଁ ଇତର ବା ଅପର ବୋଲି କଦାପି ଅନୁଭବ କରେନାହିଁ । ସବୁ ଭାଷା କେବଳ ମଣିଷର ଭାଷା, ମଣିଷର ନାନା ସ୍ନେହ ଓ ସଂବେଦନାକୁ ପ୍ରକାଶ କରିବାର ମାଧ୍ୟମ । କୌଣସି ଦେଶର ଭାଷା ସେହି ଦେଶ ପକ୍ଷରେ ଆଦୌ ଆକସ୍ମିକ ନୁହେଁ; ସେହି ଦେଶର ସ୍ଵକୀୟ ଇତିହାସ, ସ୍ଵକୀୟ ସାଂସ୍କୃତିକ ପରମ୍ପରା ହିଁ ସେହି ଦେଶର ଭାଷା ଲାଗି ଏକ ବିଶେଷ ଓ ବିଚିତ୍ର ବିକାଶମାର୍ଗ ତିଆରି କରିଚି । ତେଣୁ ଗୋଟିଏ ଦେଶର ଭାଷା ଜାଣି ମୁଁ ସେହି ଦେଶର ବିଶେଷ ରୀତିଟିକୁ ଜାଣିଚି, ବିଶେଷ ଦୃଷ୍ଟିଟିକୁ ମଧ୍ୟ ଜାଣିପାରିଚି । ଭାଷାର ମାର୍ଗ ଦେଇ ମୁଁ ସେହି ଦେଶର ମଣିଷ ସଂସାରର ଅଧିକ ଦେଶର ଭାଷା ଅଦ୍‌ଭୁତ ବା କିମ୍ଭୂତ ବୋଲି ମନେ ହୁଏନାହିଁ । କୌଣସି ଦେଶର ଭାଷାକୁ ଶିଖିବାଲାଗି ମୁଁ ବିଶେଷ କଷ୍ଟକର ବୋଲି ମନେ କରେନାହିଁ । ସେହିପରି କୌଣସି ଦେଶର ଧର୍ମକୁ ମଧ୍ୟ ବିଶେଷ ଦୁରୂହ ବୋଲି ଅନୁଭବ କରି ପାରେନାହିଁ । ଆପଣାର ସଂସ୍କୃତି ଓ ଧର୍ମ ଐତିହ୍ୟ ମଧ୍ୟରେ ମୋ’ର ଆପଣାର ଶ୍ରଦ୍ଧାର ମାର୍ଗ ଆବିଷ୍କାର କରି ନେଇଥିବାରୁ ଅନ୍ୟ ଧର୍ମ ଓ ଅନ୍ୟ ସଂସ୍କୃତିରେ ମଧ୍ୟ ଏହି ଶ୍ରଦ୍ଧାମାର୍ଗଟି ଅନୁଭବ କରିବାରେ ମୁଁ କୌଣସି ଅସୁବିଧା ଅନୁଭବ କରେନାହିଁ । ନିଜ ଧର୍ମ ଓ ସଂସ୍କୃତି ଭିତରେ ସାର ଓ ଅସାର ବାରି ଦେଖିବାର ନିର୍ମଳ ଦୃଷ୍ଟି ରଖିଥିବାରୁ ଅନ୍ୟ ଧର୍ମ ଓ ସଂସ୍କୃତିରେ ସାର ଓ ଅସାର ବାଛି ଦେଖିବାରେ ମୁଁ କୌଣସି ଅସୁବିଧା ଅନୁଭବ କରେନାହିଁ ।

 

୫ । ୩ । ୬୨

 

କାଲି ସାହାରା ଗାଆଁରୁ ଗୋଟିଏ ପିଲା ମୋ’ପାଖକୁ ଆସିଥିଲା । ବାଟରେ ଏକା ଆସିବାକୁ ଡର ମାଡ଼ିବ ବୋଲି ତା’ର ବାପା ମଧ୍ୟ ତା’ ସଙ୍ଗରେ ଆସିଥିଲେ । ବାହାରୁ ପିଲାଟିର ଡାକ ଶୁଣି ମୁଁ କବାଟ ଫିଟାଇ ବାହାରକୁ ଗଲି । ଦେଖି ବୃଦ୍ଧ ଭଦ୍ରଲୋକଙ୍କୁ ପିଲାଟିର ବାପା ବୋଲି ଅନୁମାନ କରିନେଲେ । ପିଲାଟିକୁ କହିଲି ଭିତରକୁ ଆସିବାକୁ । ବାପା, ମଧ୍ୟ ପିଲାଟିର ସାଙ୍ଗରେ ଘରକୁ ଆସିବାର କଥା । କିନ୍ତୁ ବାପା ହଠାତ୍ ଏକ ସ୍ଵାଭାବିକ ସଙ୍କୋଚର ସହିତ ପିଣ୍ଡା ଉପରକୁ ନଉଠି ବାହାରେ ସେହି ମାଟି ଉପରେ ବସିପଡ଼ିଲେ, ମୁଁ ତାଙ୍କୁ ଅଲଗା କରି ଘର ଭିତରକୁ ଆସିବାକୁ କହିଲି, ଘର ଭିତରେ ମୋଡ଼ା ଉପରେ ବସିବାକୁ କହିଲି । ଅତ୍ୟନ୍ତ ସଙ୍କୋଚର ସହିତ ସେ ମୋ କଥା ମାନିଲେ । ତଥାପି ଅନେକ ସମୟ ପର୍ଯ୍ୟନ୍ତ ଭାରି ଅଶ୍ଵସ୍ତ ବୋଧ କରୁଥାନ୍ତି ଓ ଆପଣା ପ୍ରତି ପ୍ରଦର୍ଶିତ ହୋଇଥିବା ବ୍ୟବହାର ଲାଗି ସମ୍ଭବତଃ ଭାରି ଅବାକ୍ ହୋଇ ପଡ଼ୁଥାନ୍ତି । ସେତେବେଳେ ତାଙ୍କର ବ୍ୟବହାର ଓ ମୁଖମଣ୍ଡଳରେ ଯେଉଁସବୁ ଭାବ ପ୍ରକଟ ହୋଇ ଉଠୁଥିଲା ମୁଁ ତାକୁ ଭାଷା ଦେଇ କହି ପାରିବନାହିଁ । ଭାବକୁ ଭାଷାର ସଜ୍ଜିତ ମଣ୍ଡନ ଦେଇ ପ୍ରକାଶ କରିବାର ଚେଷ୍ଟା କଲେ ଅନେକ ସମୟର ତାହା ବଡ଼ କୃତ୍ରିମ ହୋଇପଡ଼େ । ସେହି ଗୋଟିଏ ମୁହୂର୍ତ୍ତ ସମ୍ବନ୍ଧରେ ମୋ’ର ଅନ୍ତରପଟରେ ଯେଉଁ ଚିତ୍ରାନୁଭୂତିଟି ଏପର୍ଯ୍ୟନ୍ତ ଜୀବନ୍ତ ହୋଇରହିଚି, ଭାଷାର ବର୍ଣ୍ଣନା ଦେଇ କହିବାର ଅତିରିକ୍ତ ଚେଷ୍ଟା କରି ମୁଁ ତାହାକୁ ଚହଲାଇ ଦେବାକୁ ଚାହେନାହିଁ । କିନ୍ତୁ ଏହି ଅନୁଭୂତିଟି ମୋତେ ଅନେକ ବିଷୟରେ ଅନେକ ଭାବରେ ସଚେତ କରିଦେଇଚି । ମୁଁ ମଣିଷ, ସେ ମଧ୍ୟ ମଣିଷ । ମୁଁ ଯେପରି ସଂସାରରେ ସମ୍ମାନ ଚାହେ, ସେ ମଧ୍ୟ ସଂସାରରେ ସବୁଠାରେ ସେହିପରି ସମ୍ମାନ ଓ ସ୍ଵୀକାର ଚାହିବା ସ୍ଵାଭାବିକ । ମୋ’ ଭିତରେ ମୁଁ ଯେଉଁ ମହତ୍ତର ମାନବିକ ସତ୍ତାର ଅନୁଭବ କରେ, ସେ ମଧ୍ୟ ଆପଣା ମଧ୍ୟରେ ସେହିପରି ଅନୁଭବ କରିବା ସ୍ଵାଭାବିକ । କିନ୍ତୁ ଏ ଦେଶରେ ଏ ଦୁର୍ଦ୍ଦଶା କାହିଁକି ହେଲା, ମଣିଷ ଆପଣାକୁ ମଣିଷ ବୋଲି ଅନୁଭବ କରିବାର ଯେଉଁ ସ୍ଵାଭାବିକ ଅଭୟ ଅନୁଭବ କରିବା କଥା, ସେହି ଅଭୟ ତା’ଠାରୁ କିଏ କାହିଁକି ଅପହରଣ କରିନେଲା ? ଏହି ଦୁର୍ଦ୍ଦଶା ଲାଗି ଜଣେ ଶିକ୍ଷିତ ହିସାବରେ ମୁଁ ମଧ୍ୟ କ’ଣ ଦାୟୀ ନୁହେଁ ?

 

୬ । ୩ । ୬୨

 

ଜାଣିବାର ପରିମାଣ ବଢ଼ିବା ସଙ୍ଗେ ସଙ୍ଗେ ଯେପରି ମୋ’ର ହୃଦୟ ଶୁଷ୍କ ହୋଇ ନଯାଉ । କାଲି ଭାଉଜୋଉ ପାଖରୁ ଆସିଥିବା ଚିଠିଟି ପଢ଼ୁ ପଢ଼ୁ ମୋ’ର ଆଖିରେ ଅଜାଣତରେ ଲୁହ ଭରି ଆସିଲା । ଅଜାଣତରେ ବୋଲି କହିବି ନାହିଁ । ବଡ଼ ଅସଚେତ ଭାବରେ ଅର୍ଥାତ୍ ବଡ଼ ସ୍ଵାଭାବିକ ଭାବରେ ଲୁହ ଭରି ଆସିଲା । ଏହାକୁ ମୁଁ ଦୁର୍ବଳତା ବୋଲି କହିବିନାହିଁ, ସୁସ୍ଥ ହୃଦୟର ପ୍ରମାଣ ବୋଲି କହିବି । ମଣିଷ ଯେତିକି ଅଧିକ ଜାଣେ, ସେ କୁଆଡ଼େ ସେତିକି ଅଧିକ ସଂଯମୀ ହୁଏ, ସେତିକି ଅଧିକ ଚତୁର ହୁଏ । ଅର୍ଥାତ୍, ଆପଣା ହୃଦୟର ଭାବମାନଙ୍କୁ ସେ ସେତିକି ଅଧିକ କୁଶଳ ଭାବରେ ଆପଣାର ଆୟତ୍ତରେ ରଖିପାରେ । ଆପଣାକୁ ସଂସାର ପାଖରେ ଜାଣିବାକୁ ଦିଏନାହିଁ, ହୁଏତ ଆପଣା ପାଖରେ ମଧ୍ୟ ଜାଣିବାକୁ ଦିଏନାହିଁ । ମୁଁ ଅତି ଆନନ୍ଦର ସହିତ ସ୍ଵୀକାର କରୁଚି ଯେ, ମୋ’ର ଜ୍ଞାନ ମୋତେ ଅଧିକ ସଂଯତ କରି ପାରିନାହିଁ, ଅଧିକ ଚତୁର ବା କୁଶଳ କରି ପାରିନାହିଁ । ଆପଣାକୁ ଲୁଚାଇ ରଖିବା ପାଇଁ ମୋ’ର କାନ ମୋତେ କୌଣସି ପ୍ରକାରେ ସାହାଯ୍ୟ କରିନାହିଁ । ଜ୍ଞାନ ବଢ଼ିବା ସଙ୍ଗେ ସଙ୍ଗେ ସଂସାର ପ୍ରତି ମୋ’ର ଶ୍ରଦ୍ଧା ବଢ଼ିଚି, ଜୀବନ ପ୍ରତି ମୋ’ର ମାୟା ବଢ଼ିଚି, ମଣିଷ ପ୍ରତି ମଧ୍ୟ ମୋ’ର ମାୟା ବଢ଼ିଚି । ସଂସାରର ସମ୍ପତ୍ତିକୁ ସର୍ବସାର କରି ଗ୍ରହଣ କରିବାର ଜ୍ଞାନବୃତ୍ତି ବଢ଼ିବା ସଙ୍ଗେସଙ୍ଗେ ଜୀବନର ଗଭୀରତର ସ୍ତରରେ ମଣିଷ ଓ ସଂସାରକୁ ଚିହ୍ନିବାର ସାଧନ ମୋତେ ମିଳିଚି । ମୋ’ର ବିଶ୍ଵାସ ଆହୁରି ଅଧିକ ବଢ଼ିଚି । ହୃଦୟ ଅଧିକ ସ୍ଥିର ହୋଇଚି । ମୁଁ ଆହୁରି ଅଧିକ ସ୍ଵାଭାବିକ ହସିକାନ୍ଦି ଶିଖିଚି, ଅନୁଭବ ମଧ୍ୟ କରି ଶିଖିଚି ।

 

୭ । ୩ । ୬୨

 

ବାହାରେ ଅସ୍ଥିର ଅଧୀର ମନଟା ନାନାପ୍ରକାର ଅତୃପ୍ତି ଓ ସଙ୍ଗହୀନତାର ତାଡ଼ନାରେ ଯେତିକି ମୁଗ୍‌ଧ ଓ ଉତ୍ତେଜିତ ହୋଇ ଉଠୁଚି, ଭିତରେ ଥାଇ କେଉଁ ଅନ୍ତରଙ୍ଗ ବନ୍ଧୁ ମୋତେ ତଥାପି ଧୈର୍ଯ୍ୟ ଧରି ରହିବାକୁ ଆବେଦନ କରିଯାଉଚି । ମୋ’ର ସମସ୍ତ ଚେତନଶରୀରରେ ମୁଁ ଆଜି ତାହାରି ନିର୍ଭରପୂର୍ଣ୍ଣ ହାତର ସ୍ପର୍ଶ ହିଁ ଅନୁଭବ କରୁଚି । ସେହି ଭିତରେ ଥାଇ ମୋତେ ପୁଣି ନାନା ସଙ୍ଗ ଓ ସମ୍ପର୍କ ଦ୍ଵାରା ଏହି ସଂସାର ଓ ଏହି ସ୍ନେହମୟ ବନ୍ଧୁ ବୋଲି ଅନୁଭବ କରିଥାଏ । ଭିତରେ ଆଉ ବାହାରେ ସବୁ ଦ୍ଵାର ଫିଟାଇଦେଇ ମୋ’ର ବନ୍ଧୁ ମୋର ନିଃସ୍ଵ ମନଟାକୁ ପୁଣି ଥଇଥାନ କରିଦେଇଯାଏ । ମୋ’ର ଭକ୍ତି ଆର୍ତ୍ତଜନର ଭକ୍ତି ନୁହେଁ । ମୋ’ର ଭକ୍ତି ପଛରେ କୌଣସି ଭୟ ନାହିଁ । ଏହି ଭକ୍ତିରେ ଶ୍ରଦ୍ଧା ହିଁ ରହିଚି, ବିଶ୍ଵାସହିଁ ରହିଚି; ତେଣୁ ମୋ’ର ସକଳ ପ୍ରମାଦ ଓ ବିପତ୍ତି ସମୟରେ ମୁଁ ଏହି ବିଶ୍ଵାସକୁ ଅବଲମ୍ବନ କରି ରହିପାରୁଚି । ସକାଳର ସୂର୍ଯ୍ୟକୁ ଦେଖି ମୁଁ ଏହି ଶ୍ରଦ୍ଧାର ନିର୍ଭର ପାଉଚି, ସକାଳର ଆକାଶ ଭିତରୁ ସେହି ବନ୍ଧୁ କେବଳ ଶ୍ରଦ୍ଧାର ନିର୍ଭର ଦେଇ ମୋ’ର ଚେତନା ଭିତରେ ପ୍ରବେଶ କରୁଚି । ପ୍ରତ୍ୟେକ ଦିନ ମୁଁ ଏହା ଅନୁଭବ କରୁଚି । ପ୍ରତ୍ୟେକ ଦିନ ମୋ’ର ଭଙ୍ଗାଘର ପୁଣି ନୂତନ ଆଗ୍ରହ ଓ ନୂତନ ଉଷ୍ମତାରେ ଭରିଉଠୁଚି, ପ୍ରତିଦିନ ମୋ’ର ନିଃସ୍ଵ ଅଣ୍ଟି ପୁଣି ପୂର୍ଣ୍ଣ ଓ ସମ୍ପଦବାନ୍ ହୋଇଉଠୁଚି । ଏହି ଶ୍ରଦ୍ଧାମୟ ଅବଲମ୍ବନ ହିଁ ଧର୍ମ ହୋଇ ମୋତେ ଧାରଣ କରି ରଖିଚି, ମୋ’ର ଜୀବନର ସର୍ବପ୍ରଧାନ ଭୂମି ଓ ସର୍ବପ୍ରଧାନ ନୀଡ଼ ହୋଇରହିଚି । ମଣିଷ ପାଖରେ ମୋତେ ମୁକ୍ତ କରି ଦେଇଚି, ହୃଦୟ ଭିତରେ ମୋତେ ନିର୍ମଳ ଓ ନିର୍ଭୟ କରି ରଖିଚି । ଏହି ଶ୍ରଦ୍ଧାର ଅବଲମ୍ବନ ସାହାଯ୍ୟରେ ମୁଁ ଆପଣାକୁ ଅନେକ ବିନାଶରୁ ସୁରକ୍ଷିତ ରଖିଚି । ମୋ’ ସମ୍ମୁଖରେ ବିଶ୍ଵାସ ହରାଇବାର ନାନା ଷଡ଼ଯନ୍ତ୍ର ହେଉଥିଲେ ମଧ୍ୟ ତଥାପି ମୁଁ ମୋ’ର ବିଶ୍ଵାସ ସହିତ ହିଁ ଅଗ୍ରସର ହେଉଚି ।

 

୮ । ୩ । ୬୨

 

ବାହାରେ ହୁଏତ ମୁଁ ଠିକ୍ ଅଛି, ବାହାର ମଣିଷର ଆଖିରେ ମୁଁ ବେଶ୍ ଆପଣାର କର୍ତ୍ତବ୍ୟକାର୍ଯ୍ୟମାନ କରିଯାଉଚି । କିନ୍ତୁ ମୁଇଁ ଜାଣେ ଯେ, ଏପର୍ଯ୍ୟନ୍ତ ମଧ୍ୟ ମୁଁ ଠିକଣା ଥାନରେ ପହଞ୍ଚି ପାରିନାହିଁ । ଏପର୍ଯ୍ୟନ୍ତ ଆଳସ୍ୟ ଯାଇନାହିଁ, ଏପର୍ଯ୍ୟନ୍ତ ଆପଣାକୁ ଲୁଚାଇ ରଖିବାର ନାନା ପ୍ରବୃତ୍ତି ମୋତେ ମୋ’ର ଆପଣା ପାଖରେ ବଡ଼ ଦୟନୀୟ ଓ ବଡ଼ ବିକଳ ପରି ରଖିଚି । ଠିକଣା ଥାନ ମୋ’ଲାଗି ଯେ ଆଗରୁ ଠିକ୍ ହୋଇରହିଚି, ମୁଁ ସେକଥା ଅବଶ୍ୟ ବିଶ୍ଵାସ କରେନାହିଁ । କିନ୍ତୁ ଜୀବନର ବାଟ ଉପରେ ଆଗକୁ ଯେତେଦୂର ପର୍ଯ୍ୟନ୍ତ ସବୁ ସ୍ପଷ୍ଟକର ଦେଖାଯାଉଚି, ଯେଉଁ ପର୍ଯ୍ୟନ୍ତ ଯାଇପାରନ୍ତି ବୋଲି ମୁଁ ବେଶ୍ ଭଲ କରି ଅନୁଭବ କରିପାରୁଚି, ସେଠାରେ ପହଞ୍ଚିବା ଲାଗି ମଧ୍ୟ ଆଜି ମୁଁ ନିଜକୁ ପ୍ରସ୍ତୁତ କରାଇପାରୁନାହିଁ । ମୋ’ ହାତରୁ ସମୟ ଖସି ଚାଲିଯାଉଚି, ପାଖରେ ଠିଆ ହୋଇଥିବା ମଣିଷ ମଧ୍ୟ ଅତିଦୂରରେ ରହିଥିଲା ପରି ଶଙ୍କା ହେଉଚି, ହୃଦୟର ସକଳ ନିବେଦନ-ବାସନା କୌଣସି କ୍ଷେତ୍ର ନପାଇ ଯେପରି ବଡ଼ ଅବହେଳିତ ଓ ଅପମାନିତ ହୋଇରହିଚି । ବାହାରର ମଣିଷ ଏସବୁର ଖବର ରଖିବାକୁ ଯିବ କାହିଁକି ? ବାହାର ମଣିଷ ମୋ’ର ଭିତରର ଅସନ୍ତୋଷକୁ ବୁଝିପାରିବ ବା କାହିଁକି ? ବାହାରେ ନାନାପ୍ରକାର ଚତୁର adjustment ଦ୍ଵାରା ଆପଣାକୁ ଭରି ମଣାଇ ରଖିଥିଲେ ମଧ୍ୟ ଭିତରେ ମୁଁ ବଡ଼ ଖଣ୍ଡିଆଖାବରା ହୋଇବସିଚି । ମନେ ହେଉଚି, ଯେପରି ମୁଁ ଆହୁରି କିଛି ହେବାକୁ ମନ କରିଥିଲି, ପରିସ୍ଥିତିର ଦୌରାତ୍ମ୍ୟ ମୋତେ ଆଉ କିଛି ହେବାକୁ ବାଧ୍ୟ କରି ରଖିଚି । ମୋ’ର ସମସ୍ତ ବିତୃଷ୍ଣା ସତ୍ତ୍ୱେ ତଥାପି ଯେପରି ମୁଁ ଛାଡ଼ିଯାଇ ପାରୁନାହିଁ । ଏହି ନହୋଇ ପାରିବାର ଗ୍ଳାନି ମୋତେ ବଡ଼ ଅତୃପ୍ତ ଓ ମ୍ରିୟମାଣ କରି ରଖିଚି, ମୁଁ ଆଗକୁ ଯାଇ ପାରୁନାହିଁ, ମୁକ୍ତ ହୋଇ ପାରୁନାହିଁ ।

 

୯ । ୩ । ୬୨

 

ଆଳସ୍ୟ ଆଉ ଅସନ୍ତୋଷ ମୋ’ର ଭିତରେ ଚାଲିଥିବା ସକଳ ଦୌରାତ୍ମ୍ୟ ଲାଗି ମୁଁ ଏହି ପ୍ରବୃତ୍ତି ଦୁଇଟିକୁ ଦାୟୀ କରିବି । ଏଯୁଗରେ ଅସନ୍ତୋଷ ହେବା ହିଁ ଅତି ସ୍ଵାଭାବିକ । ଚାରିଆଡ଼କୁ ଅନାଇ ତଥାପି ଯିଏ ଆଜି ଏହି ପୃଥିବୀରେ ସନ୍ତୁଷ୍ଟ ରହିଚି, ମୁଁ କହିବି ସେ ଆଖିଥାଇ ଦେଖୁନାହିଁ, ସେ ଜାଣିଶୁଣି ଆଖି ବୁଜି ଦେଇଚି । ମୁଁ ମୋ’ର ଏହି ସର୍ବଦାହୀ ଅସନ୍ତୋଷକୁ ଅତି ସ୍ଵାଭାବିକ ବୋଲି ଗ୍ରହଣ କରି ନେଇଚି । ତା’ର ଦାହନ ଯେ ମୋତେ ସହ୍ୟ କରିବାକୁ ହେଉଚି, ସେକଥା ମୁଁ ଭଲକରି ଜାଣେ । କିନ୍ତୁ ମୁଁ ଆପେ ଶାନ୍ତିରେ ବା ସୁଖରେ ରହିବି ବୋଲି ମୋ’ର ଚାରିପାଖରେ ଚାଲିଥିବା ପ୍ରପୀଡ଼ନ ଓ ଅନ୍ୟାୟକୁ ସ୍ଵାଭାବିକ ବୋଲି ମାନିନେବି, ଗୋଟାଏ ପ୍ରକାର ଆଧୁନିକ କର୍ମବାଦୀ ମନ ଦେଇ ଆପଣାର ପେଟ ପୂରିଗଲେ ଚୁପ୍ ହୋଇ ରହିଯିବି, ମୋ’ ଦ୍ଵାରା ଏକଥା ହୋଇ ପାରିବନାହିଁ । ମୋ’ର ହୃଦୟ ଏପର୍ଯ୍ୟନ୍ତ ସେତେଦୂର ଶକ୍ତ ହୋଇନାହିଁ । ଏବଂ ସେଥିଲାଗି ମୁଁ ଏତେଟିକିଏ ମଧ୍ୟ ଲଜ୍ଜିତ ନୁହେଁ । ମୋ’ର ଚତୁର୍ଦ୍ଦିଗରେ ଅନ୍ୟାୟ ଦେଖିଲେ ମୁଁ ତାହାକୁ ଅନ୍ୟାୟ ବୋଲି କହିବି, କୌଣସି ଉତ୍‌ଶୃଙ୍ଖଳ ହୋଇ ମଣିଷ ଉପରେ ତାଡ଼ନା କରି ବସିଲେ ମୁଁ ତାହା ବିରୁଦ୍ଧରେ ମୋ’ର ପ୍ରତିବାଦ ଜଣାଇବି; ମଣିଷ ଯେଉଁଠି ମଣିଷର ବ୍ୟବହାର ନପାଉଚି, ସେଠି ମୁଁ ମୋ’ର ନିଜର ଅପମାନ ହେଉଥିବା ପରି ଅନୁଭବ କରିବି । ଏବଂ ଏପରି ଆଚରଣକୁ ମୋ’ର ସ୍ଵଧର୍ମ ବୋଲି ମାନି ନେଇଥିଲା ପର୍ଯ୍ୟନ୍ତ ମୁଁ ମୋ’ ଭିତରେ ଅସନ୍ତୋଷର ଦାହନ ସହ୍ୟ କରି ଯାଉଥିବ । କିନ୍ତୁ ଏ ଆଳସ୍ୟ କାହିଁକି ? ଜୀବନ ଉପରୁ ବିଶ୍ଵାସ ତୁଟିଗଲେ ଆଳସ୍ୟ ଆସେ, ଆପଣାର ଜୀବନସାଧନ ଗୁଡ଼ିକ ଉପରୁ ବିଶ୍ଵାସ ତୁଟିଗଲେ ଆଳସ୍ୟ ଆସେ । ଚାରିପାଖରେ ସ୍ଫଳିତ ହୋଇଉଠୁଥିବା ଜୀବନ ସହିତ ସୂତ୍ର ଛିଡ଼ିଗଲେ ଏଣେ ଆଳସ୍ୟ ଗ୍ରାସ କରି ବସେ । ଯାହା ଅଛି, ତାହାକୁ ହିଁ ଅପରିବର୍ତ୍ତନୀୟ ବୋଲି ମାନିନେଲେ ଆଳସ୍ୟ ଆସେ । ଏହି ଆଳସ୍ୟର ପଛରେ ନିରାଶା ରହିଚି, ଏହି ଆଳସ୍ୟର ପଛରେ ଏକ କ୍ଷୟକାରୀ ବୈରାଗ୍ୟ ରହିଚି; ଭବିଷ୍ୟ ପ୍ରତି ଅନିସ୍ଥା ରହିଚି, ଅର୍ଥାତ୍ ବର୍ତ୍ତମାନ ପ୍ରତି ମଧ୍ୟ ଅନାସ୍ଥା ରହିଚି; —ଆପଣା ପ୍ରତି ଅନାସ୍ଥ ରହିଚି। ଏହାର ପ୍ରତିକାର କ’ଣ ହେବ ?

 

୧୦ । ୩ । ୬୨

 

ମନ ଯେତିକି ଯେତିକି ମଣିଷର ମନ ହେବାକୁ ଆକାଙ୍‌କ୍ଷିତ ହୋଇଉଠୁଚି, ହୃଦୟ ଯେତିକି ଯେତିକି ମଣିଷର ହୃଦୟ ପରି ତିଆରି ହେବାକୁ ସଜ ହେଉଚି, ଉପରେ ରହିଥିବା କର୍ତ୍ତୃତ୍ଵ ସେତିକି ବାଟ ଉଗାଳି ବସୁଚି । କହୁଚି, ଏ କ୍ଷେତ୍ରରେ ମୋ’ର ମଣିଷ ହେବାର ଅଧିକାର ନାହିଁ, ଏହି ସଂସାରର କ୍ଷେତ୍ରରେ ଖୁସୀ ହୋଇ ଆପଣାକୁ ନିବେଦନ କରିଦେବାର ଅଧିକାର ନାହିଁ । ଏଥିକି ଆସି ଗତ କେତେବର୍ଷ ଭିତରେ ଏମାନଙ୍କର ରୀତିନୀତି ଦେଖି ମୁଁ ପ୍ରକୃତରେ ବଡ଼ ଅବାକ୍ ହୋଇଗଲିଣି । ଉପରେ ଦେଖିବାକୁ ବଡ଼ ବଡ଼ କୋଠାଘର ତିଆରି କରି ଭିତରେ ଏମାନେ ଏପରି କୁତ୍ସିତ ଓ ନାନା ଲାଳସାରେ କର୍ଦ୍ଦମାକ୍ତ ହୋଇ ବସିଚନ୍ତି । ଉପରେ ଜାଣିବାକୁ ବଡ଼ ବଡ଼ ଡିଗ୍ରୀ ଧରି ଭିତରେ ଏମାନେ କେଡ଼େ ଅଶିକ୍ଷିତ, ଅସୁନ୍ଦର ଓ ନାନା ଭୟରେ ରୀତ ହୋଇ ବସିଚନ୍ତି । ଉପରେ ଅପରକୁ ବଡ଼ ବଡ଼ କଥାମାନ ଶୁଣାଇଦେଇ ଭିତରେ ଏମାନେ କେଡ଼େ ଶୂନ୍ୟଗର୍ଭ ହୋଇରହିଚନ୍ତି-। ସମୟ ଅନୁସାରେ ଆପଣାର ରଙ୍ଗ ବଦଳାଇ ସମୟକୁ ଠକିବାଟାକୁ ହିଁ ଏମାନେ ଆପଣାର ପରମଧର୍ମ ବୋଲି ଗ୍ରହଣ କରିଚନ୍ତି । ଏବଂ, ଏହି ଆଚରିତ ଧର୍ମର ଅଭିସନ୍ଧିମୂଳକ ଶାସନ ତଳେ ସକଳପ୍ରକାର ଶିକ୍ଷାକୁ କେବଳ ବିଲୁପ୍ତ କରି ଦିଆଯାଉଚି । ମୁଁ ପ୍ରକୃତରେ ଅବାକ୍ ହୋଇ ଯାଉଚି । ଏମାନଙ୍କ ଭିତରେ କ’ଣ ମନୁଷ୍ୟ ନାହିଁ ? ସମୟ ଓ ସୁବିଧା ଅନୁସାରେ ଚତୁରତା ସହିତ ଆପଣାକୁ ସଜାଇବାରେ ସମସ୍ତ ଆଗ୍ରହ ଖରଚ କରି ଏମାନେ କ’ଣ ପ୍ରକୃତରେ ଆପଣାର ମନୁଷ୍ୟୋଚିତ ବାସନାଗୁଡ଼ିକୁ ସନ୍ତୁଷ୍ଟ କରି ପାରୁଚନ୍ତି, ଆପଣା ଭିତରର ମଣିଷକୁ ସନ୍ତୁଷ୍ଟ କରି ପାରୁଚନ୍ତି ?

 

୧୧ । ୩ । ୬୨

 

କାଲି ଜଣେ ବନ୍ଧୁ କହିଲେ, ମୋ’ର ପୁଣି ରାଜନୀତି—କ୍ଷେତ୍ରରେ ପ୍ରବେଶ କରିବା ଉଚିତ । ମୁଁ ଭାବୁଥିଲି, ମୁଁ କେବେହେଲେ ରାଜନୀତିର କ୍ଷେତ୍ରକୁ ଛାଡ଼ି ଆସିନାହିଁ; କିନ୍ତୁ ସେ ବନ୍ଧୁ ଜଣକ ଯେଉଁ ରାଜନୀତି-କ୍ଷେତ୍ରର କଥା ଭାବୁଥିଲେ, ମୁଁ ସେହି ରାଜନୀତି-କ୍ଷେତ୍ରରେ କେବେହେଲେ ପ୍ରବେଶ କରିନାହିଁ । ୧୯୪୨ ମସିହାରେ ଭାରତଛାଡ଼ ଆନ୍ଦୋଳନରେ ମୁଁ କଲେଜ ଛାଡ଼ିଥିଲି; କିନ୍ତୁ ପଢ଼ା ଛାଡ଼ି ରାଜନୀତିକୁ ଡେଇଁ ନଥିଲି । ସେହି ସ୍ଵାଧୀନତା ଆନ୍ଦୋଳନରେ ଜଣେ ଯୁବକ ହିସାବରେ ମୋ’ର ଯେତିକି କରିବାର ଥିଲା, ମୁଁ ସେତିକି କରିବାକୁ ମୋ’ର ଅବଶ୍ୟ କର୍ତ୍ତବ୍ୟ ରୂପେ ଗ୍ରହଣ କରିଥିଲି । କିନ୍ତୁ ଜେଲରେ ଯାଇ ପହଞ୍ଚିବା ପରେ ମୋ’ର ବିଦ୍ୟାର୍ଥୀ ମନ ପୁଣି ଆପଣାର ସ୍ଵଧର୍ମର ଆଚରଣକୁ ଗ୍ରହଣ କରି ଶାନ୍ତ ହୋଇଗଲା । ମୁଁ ତ କହିବି, ଜେଲ ଭିତରେ ଯାଇ ମୁଁ ମୋ’ର ବିଦ୍ୟାର୍ଥୀ ଜୀବନର ଏକ ପୂର୍ଣ୍ଣତାର ପରିଚୟ ପାଇଲି । ବିଦ୍ୟାର ବ୍ୟାପକତା ଓ ଗଭୀରତକୁ ଆପଣା ଜୀବନର ପାତ୍ର ଉପରେ ବଡ଼ ଅନ୍ତରଙ୍ଗ ଓ ବ୍ୟକ୍ତିଗତ ଭାବରେ ଅନୁଭବ କରିଥିଲି । ଆପଣା ଜ୍ଞାନ ଆହରଣର ଇତିହାସରେ ମୁଁ ଜେଲ୍ ଜୀବନର ସେହି କେତେ ବର୍ଷକୁ ମୋ’ର romantic ଯୁଗ ବୋଲି କହିବି । ସେହି କେତେ ବର୍ଷ ମୁଁ ଭୀମର ଉତ୍ସାହରେ ଯେତେ ପାରିଲି, ସବୁ ମୁହୂର୍ତ୍ତ ଦେଇ ଆପଣାକୁ ବିଦ୍ୟାର୍ଥୀ ହିସାବରେ ପ୍ରସ୍ତୁତ କରିବାରେ ଲାଗି ପଡ଼ିଥିଲି । ମୋ’ର ଆଉ ସକଳ ଗ୍ରହଣ ଓ ଉତ୍ସରଣ ପଥକୁ ଆପାତତଃ ବନ୍ଦ କରିଦେଇ ମୁଁ ସେହି ଗୋଟିଏ ପଥରେ ଆପଣାକୁ ନେବାର ଓ ନେବାର ସୂତ୍ର ଆବିଷ୍କାର କରିଥିଲି । କୌଣସି ଡିଗ୍ରୀ ଲାଗି ପାଠ ପଢ଼ିଲେ ହୁଏତ ମୋ’ ଭିତରର ଅସଲ ପ୍ରବୃତ୍ତିକୁ ମୁଁ ବିକୃତ କରିପକାଇବି, ବଣିଆ ହୋଇ ମୋ’ର ପାଠକୁ ବଜାରରେ ବିକିବାର ଧୃଷ୍ଟତା କରିବି, ଏହି ଆଶଙ୍କାରେ ମୁଁ ବାରବାର ସୁବିଧା ମଧ୍ୟ ସେହି ବାଟରୁ ଦୂରରେ ରହିଲି । ମୋ’ର ବାଟ ମୁଁ ଧରିଲି ।

 

୧୨ । ୩ । ୬୨

 

ରାଜନୀତିରେ ମୋ’ର ଚିରଦିନ ଆଗ୍ରହ ରହିଛି । ମୋ’ର ଚତୁର୍ଦ୍ଦିଗରେ ମଣିଷକୁ ନେଇ ଯାହା ଘଟୁଚି, ତା’ର ସମାଜରେ ଯାହାସବୁ ଶାସନତାନ୍ତ୍ରିକ ଓ ସଂସ୍କାରତାନ୍ତ୍ରିକ ଭାବରେ ରହି ମଣିଷର ଜୀବନକୁ ନିୟନ୍ତ୍ରିତ କରୁଚି, ତାହାକୁ ହିଁ ମୁଁ ମୋଟାମୋଟି ଭାବରେ ରାଜନୀତି ବୋଲି ମାନିଥାଏ ଏବଂ ଏହି ରାଜନୀତି ପ୍ରତି ମୋ’ର ଚିରଦିନ ଆଗ୍ରହ ରହିଆସିଚି । ମୋ’ର ଜୀବନମାର୍ଗରେ ମୁଁ ମୋ’ର ମାନବିକ ଆଗ୍ରହଗୁଡ଼ିକୁ ସର୍ବପ୍ରଧାନ ଆଗ୍ରହ ବୋଲି ଗ୍ରହ କରି ଆସିଚି-। ମୋ’ର ସମସ୍ତ ଜିଜ୍ଞାସାରେ ମଣିଷ ବିଷୟରେ ଜିଜ୍ଞାସା ହିଁ ମୋତେ ସବୁଠାରୁ ଅଧିକ ପ୍ରେରିତ କରି ରଖିଚି । ମୋ’ର ସବୁପ୍ରକାର ଅନାସକ୍ତି ମଣିଷ ପ୍ରତି ମୋତେ ତଥାପି କୌଣସି ପ୍ରକାରେ ଅନାସକ୍ତ କରି ପାରିନାହିଁ । ମୋ’ର ସମସ୍ତ ପ୍ରକାର ନିର୍ଲିପ୍ତତା ମୋତେ ମଣିଷଠାରୁ ତଥାପି ନିର୍ଲିପ୍ତ ରଖି ପାରିନାହିଁ । ମଣିଷ ପ୍ରତି ମୋ’ର ଆଗ୍ରହ ହିଁ ମୋତେ କୋଡ଼ିଏ ବରଷ ପୂର୍ବେ ସ୍ଵାଧୀନତାର ଆନ୍ଦୋଳନ ଭିତରେ ଲିପ୍ତ କରାଇ ଦେଇଥିଲା । ପରେ କୌଣସି ପ୍ରକାର ଭୋଗ ବା ପଦର ଅଧିକାରୀ ହେବାର କୌଣସି କାମନା ମୋତେ ଏବାଟରେ ବାହାର କରିନଥିଲା । ଆଜି ମଧ୍ୟ ସବୁ ମଣିଷ ସହିତ ଆପଣାର ଭାଗ୍ୟରୁ ସଂଯୁକ୍ତ ବୋଲି ଜାଣିଥିବାରୁ ମୁଁ ରାଜନୀତିରେ ଆଗ୍ରହ ରଖିଚି-। ସଂସାରରେ ଘଟୁଥିବା ସମସ୍ତ ରାଜନୀତିକ ଆଚାର ଓ ଅତ୍ୟାଚାର ବିଷୟରେ ଆଗ୍ରହ ରଖିଚି-। ମଣିଷକୁ ଯେଉଁଠି ଗୋଡ଼ିପଥର ପରି ଅବଜ୍ଞା କରାଯାଉଚି, ଯେଉଁଠି ତାକୁ ନାନାପ୍ରକାରେ ମୁଗ୍‌ଧ ହେବାର ନିଶା ଖୁଆଇ ବଶ କରି ରକ୍ଷାଯାଉଚି, ସେଠାରେ ମୁଁ ମଧ୍ୟ ପ୍ରମାଦ ଗଣୁଚି; ଯେଉଁଠି ମଣିଷ ସବୁ ମୁଗ୍‌ଧତାର ବେଡ଼ୀ ଭିତରୁ ସ୍ଵାଧୀନ ଅପ୍ରମତ୍ତ ଭାବରେ ଅସହିଷ୍ଣୁତା ପ୍ରକାଶ କରି ବାହାରୁଚି, ସେଠି ତାହାରି ଅନୁଭୂତି ମୋ’ ଭିତରେ ଆନନ୍ଦ ହୋଇ ପ୍ରକାଶିତ ହୋଇଉଠୁଚି ।

 

୧୩ । ୩ । ୬୨

 

କାଲି ସନ୍ଧ୍ୟାବେଳେ ବଗିଚାରେ ମାଟି ହାଣିବାବେଳେ ଭିତରୁ କିଏ ପ୍ରାର୍ଥନା କଲାପରି କହିଉଠିଲା ମୋତେ କର୍ମକ୍ଷେତ୍ର ଯୋଗାଇଦିଅ, ଭଲ ପାଇବାର କ୍ଷେତ୍ର ମୁଁ ଆପେ ଆପେ ଯୋଗାଡ଼ କରିନେବି । କର୍ମ ଭିତରେ ଆପଣାକୁ ନିବେଦନ କରି ପାରିଲେ ହିଁ ସେଇଥିରୁ ଶ୍ରଦ୍ଧା ଉତ୍ପନ୍ନ ହେବ ଏବଂ ସେହି ଶ୍ରଦ୍ଧା ମୋତେ ସଂସାରର ନାନା ସ୍ଥାନରେ ବାନ୍ଧି ରଖିବ ଓ ସେହି ବନ୍ଧନ ହିଁ ମୋର ମୁକ୍ତିର କାରଣ ହେବ । ଗତ ସାତଦିନ ହେଲା ପ୍ରାୟ ପ୍ରତିଦିନ ସନ୍ଧ୍ୟାବେଳେ ମୁଁ ବଗିଚାରେ ମାଟି ହାଣିଚି, ମାଟି ହାଣିବା ସମୟରେ ଫୁଲର ସ୍ଵପ୍ନ ଦେଖିଚି । ଆଜି ସଜଡ଼ା ହେଥିବା ମାଟି କାଲି ଫୁଲଶଯ୍ୟାରେ ପରିଣତ ହେବ, କେତେ ପ୍ରକାରର ଫୁଲରେ ଏହି ଥାନଟି ପୁଲକିତ ହୋଇ ଉଠିବ, ଧରଣୀର ଧୂଳି କୃତାର୍ଥ ହେବ, ଆଉ ଏହାକୁ ଦେଖି ମୋର ଅନେକ ଦେଖିବା ସାର୍ଥକ ହେବ, ମୋ’ର ଅନେକ ଅନୁଭବ କରିବା ମଧ୍ୟ ସାର୍ଥକ ହେବ । ଏହି ଦେଖିବା ଏବଂ ଏହି ଅନୁଭବ କରିବାରୁ ଯେଉଁ ଶ୍ରଦ୍ଧା ମୁଁ ସଞ୍ଚୟ କରିବି, ତାହାହିଁ ମୋ ଜୀବନର ପରମ ଲାଭ ହେବ । ସଂସାରରେ ମଧ୍ୟ ଠିକ୍ ତାହାହିଁ ହୁଏ । ଯେତେବେଳେ ପର୍ଯ୍ୟନ୍ତ କର୍ମହୀନ ନାନାପ୍ରକାର ଆଳସ୍ୟ ହୃଦୟଟାକୁ ଭାରି କରି ରଖିଥାଏ, ମନଟାକୁ ଗରମ କରି ରଖିଥାଏ, ସେତେବେଳେ ପର୍ଯ୍ୟନ୍ତ କୌଣସି ପ୍ରକାର ଶ୍ରଦ୍ଧା ସମ୍ଭବ ହୁଏ ନାହିଁ, ହୃଦୟଟା କେବଳ ବଞ୍ଚିତ ହୋଇ ରହିଥାଏ, ମନଟା ନାନାଭାବେ ବିଚ୍ଛିନ୍ନ ହୋଇ ରହିଥାଏ । ଜୀବନ ବିରୁଦ୍ଧରେ ଅର୍ଥାତ୍ ଆପଣା ବିରୁଦ୍ଧରେ ଏକପ୍ରକାର ଦ୍ରୋହଭାବ ସହସ୍ତ ଚେତନାକୁ ବଡ଼ ମଳିନ ଓ ଆଚ୍ଛନ୍ନ କରି ରଖିଥାଏ । ହଠାତ୍ ବାଟ ମିଳିଗଲେ, ହଠାତ୍ କ୍ଷେତ୍ର ମିଳିଗଲେ ଭିତରେ ଚାରିପାଖର ବନ୍ଧ ଭାଙ୍ଗିଯାଏ, ପୁଷ୍କରିଣୀର ଆବଦ୍ଧ ଅବହେଳିତ ଜଳ ନଦୀସ୍ରୋତ ହୋଇ ବହିବାକୁ ଲାଗେ, ନାନପ୍ରକାର ଜର୍ଜରତାରେ ହଠାତ୍ ନୂତନ ଜୀବନର ସଂଚାର ହୁଏ । ଆଖି ଆଗରେ ବାଟ ଫିଟିଯାଏ, ହୃଦୟ ଖୋଲିଯାଏ, ଶରୀରଟା ମଧ୍ୟ ଏହି ଉତ୍ସାହ ଯାତ୍ରାରେ ସହଯୋଗ କରିବା ଲାଗି ରାଜୀ ହୋଇ ବାହାରି ପଡ଼େ । ସଂସାରର ସବୁ କ୍ଷେତ୍ର ସହିତ, ସବୁ ମଣିଷ ସହଜ ସୂତ୍ର ଲାଗିଯାଏ । ଏହି ସୂତ୍ର ଲାଗିଯିବାରୁ ହିଁ ଶ୍ରଦ୍ଧା ଉତ୍ପନ୍ନ ହୁଏ । କର୍ମ ଜରିଆରେ ଶ୍ରଦ୍ଧା, ଏହାହିଁ ମୋ’ର ପଥ । ମୁଁ ବସି ବସି ବୌଦ୍ଧିକ ଶ୍ରଦ୍ଧାର ଶିରା କାଢ଼ିବାକୁ ଚାହେନାହିଁ ।

 

୧୪ । ୩ । ୬୨

 

ହଁ, ମୁଁ ମୋ’ର କର୍ମ କରିଯିବ । ଆପଣା ମନରେ କୌଣସି ଲାଳସା ନରଖି ମୁଁ ଆପଣା କ୍ଷେତ୍ରରେ ଆପଣାକୁ ନିବେଦନ କରିଯିବି । ଏହିତିରୁ ହିଁ ଶ୍ରଦ୍ଧା ଉତ୍ପନ୍ନ ହେବ । ସେଥିପାଇଁ ମୁଁ କହେ ଯେ, ମୋ’ର କ୍ଷେତ୍ର ଦରକାର । ମୁଁ ଶିକ୍ଷକ, ମୁଁ ଶିକ୍ଷାକ୍ଷେତ୍ରରେ ଆପଣାକୁ ସମର୍ପଣ କରିଦେବାକୁ ଚାହେଁ । କୌଣସି ପ୍ରକାର messiahର ଦୁଷ୍ପ୍ରବୃତ୍ତି ନେଇ କୌଣସି ଅଭିମାନ ଦେଖାଇବା ଲାଗି ନୁହେଁ, ଶିଖିବାର ନାନା ସମ୍ଭାବନାକୁ ନିଜର ଜୀବନରେ ଉଦ୍‌ଘାଟନ କରି ଦେଖିବା ପାଇଁ ମୁଁ ଶିକ୍ଷାର କ୍ଷେତ୍ରରେ ହିଁ ରହିବାକୁ ଚାହେ । ପ୍ରଧାନତଃ ଏହି କାରଣ ସକାଶେ ବୋଧହୁଏ ମୁଁ ଏହି କ୍ଷେତ୍ରକୁ ଆପଣାର କ୍ଷେତ୍ର ବୋଲି ଗ୍ରହଣ କରି ନେଇଚି । ତେଣୁ, ଏହି କ୍ଷେତ୍ରରେ କାର୍ଯ୍ୟ କରିବାର ସ୍ଵାଧୀନତା ମୁଁ ଚାହେଁ । କିନ୍ତୁ ମୋ’ ଉପରେ ଯେତେବେଳେ ନାନପ୍ରକାର ଫିସାଦ କରି କର୍ତ୍ତାର କର୍ତ୍ତୃତ୍ଵ ରାଜା ହେବାକୁ ଆସେ, ପଦେପଦେ ମୋ’ର କର୍ମସୂତ୍ରରେ ଗଣ୍ଠି ପକାଇ ଦେବାକୁ ଦୌରାତ୍ମ୍ୟ ଆରମ୍ଭ କରେ, ସେତିକିଭେଲେ ମୋ’ର ଭିତରେ ରହିଥିବା ଶିକ୍ଷକ ବିଦ୍ରୋହ କରି ଉଠେ । ହଁ, ମୋ’ର କର୍ମରୀତିରେ କେହି ଆସି ଭୁଲ୍‍ ଠିକ୍ ବାଛିଦେଉ, ମୋ’ର ମାର୍ଗ ବିଷୟରେ ଅଧିକ ଅନ୍ତର୍ଦୃଷ୍ଟି ଲାଭ କରିବା ପାଇଁ ମୋତେ କିଏ ସାହାଯ୍ୟ କରୁ । ମୁଁ ତାକୁ ସବୁବେଳେ ସ୍ଵାଗତ କରିବି କିନ୍ତୁ ସେ ମଣିଷ ହିସାବରେ ମୋ’ ପାଖକୁ ଆସୁ, ଅଧିକ ଅଭିଜ୍ଞାତା ସମ୍ପନ୍ନ ଅଥଚ ଜିଜ୍ଞାସୁ ମନ ନେଇ ସେ ମୋ’ ପାଖକୁ ଆସୁ । ତା’ର କଥା ଶୁଣିବା ପାଇଁ ଓ ବୁଝିପାରିଲେ ତା’ର କଥା ମାନିବାପାଇଁ ମଧ୍ୟ ମୁଁ ପ୍ରସ୍ତୁତ ଅଛି । କିନ୍ତୁ, କାହା ପାଖରେ ଗୋଟାଏ ବଡ଼ ଡିଗ୍ରୀର ବଢ଼ିଣା ରହିଚି ବୋଲି ସେ ବାରବାର ଆସି ମୋ’ କ୍ଷେତ୍ରରେ ତାକୁ ବୁଲାଇବାକୁ ବସିବ, କିଏ ଅଧିକ ବେତନ ପାଉଚି ବୋଲି ମୋ’ ଉପରେ ଆସି ଦୁଃଶାସନ ଆରମ୍ଭ କରିବ, ମୋ’ର କାର୍ଯ୍ୟରେ ବିଘ୍ନ ପହଞ୍ଚାଇବ, ମୋ’ର ଧ୍ୟାନଭଙ୍ଗ କରାଇବ, ଏହି ଅଶୁଭକୁ ମୁଁ ସହ୍ୟ କରି ପାରେନାହିଁ ।

 

୧୫ । ୩ । ୬୨

 

Ideology ଏବଂ Dogma କୁ ମୁଁ ସମାନ ବୋଲି କହିବି ନାହିଁ । କାଲି ଗୋଟାଏ ତହିରେ ଦୁହିଁଙ୍କୁ ଏକ ବୋଲି ପ୍ରତିପାଦିତ କରିବାର ଏକ ଉଦାହରଣ ପଢ଼ିବାକୁ ପାଇଲି । ଲେଖକ ଦୁଇଟିଯାକ conceptକୁ ବିଜ୍ଞାନର ବାଧକ ବୋଲି ଦେଖାଇବାକୁ ଚେଷ୍ଟା କରିଚନ୍ତି । ଅର୍ଥାତ୍ ମନୋବିକାଶର ବାଧକ ବୋଲି କହିବାକୁ ଚେଷ୍ଟା କରିଚନ୍ତି । କିନ୍ତୁ ଏପରି ଏକ ଦୃଷ୍ଟିକୋଣକୁ ଉଚିତ ବୋଲି ଗ୍ରହଣ କରି ପାରିଲିନାହିଁ । ବରଂ ମୁଁ ବେଳେବେଳେ ଓଲଟା ଚିନ୍ତା କରିଥାଏ । Ideologyର ମାର୍ଗରେ ମଣିଷ ଯେତିକି ଯେତିକି ଅଗ୍ରସର ହୁଏ, ସେ ସେତିକି ସେତିକି Dogmaର ଆବଦ୍ଧତା ଭିତରୁ ମୁକ୍ତ ହୁଏ । Ideologyକୁ Final କରି ମାନିନେବା ମାତ୍ରକେ Ideology ମରିଯାଏ ଓ Dogma ତାହାର ସ୍ଥାନ ଅଧିକାର କରି ବସ । ସେତିକିବେଳେ ସମସ୍ତ ପ୍ରକାର ବିକାଶର ଦ୍ଵାର ବନ୍ଦ ହୋଇଯାଏ । ଉଗ୍ରତା ବଢ଼େ, ଆପଣାକୁ ପ୍ରକାଶ କରିବା ବିଷୟରେ ନାନା କୃତ୍ରିମ ସଙ୍କୋଚ ମଧ୍ୟ ବଢ଼େ, Dogmaର ଆବରଣ ଭିତରେ ହୃଦୟର ସକଳ ପ୍ରବୃତ୍ତି ବଡ଼ ଦୁର୍ଦ୍ଦଶାଗ୍ରସ୍ତ ଭାବରେ ପଡ଼ିରହେ । Ideology ଓ Finalism ଏକ କଥା ନୁହେଁ । Finalism ଓ Dogmaକୁ ହିଁ ମୁଁ ସମାଜ ପର୍ଯ୍ୟାୟର ବିନଷ୍ଟି ବୋଲି କହିବି । Ideal ଆମକୁ ପ୍ରେରଣ କରି ନିଏ, Ideal ଅନୁଭବ କରିବାର ପାଖୁଡ଼ାକୁ ଗୋଟିକ ପରେ ଗୋଟିଏ କରି ଖୋଲିଦିଏ, ସବୁପ୍ରକାର ଜୁଗୁପ୍‌ସାକୁ ନଷ୍ଟ କରି ନଦେବା ଯାଏ Ideal ଶାନ୍ତ ହୋଇ ପାରେନାହିଁ । କିନ୍ତୁ Dogma ବାନ୍ଧିପକାଏ, Dogma ବିଚ୍ଛିନ୍ନ କରି ରଖେ, ଦ୍ଵାର ରୁଦ୍ଧ କରିଦେଇ ତାହାରି ଭିତରେ ସମସ୍ତ ମନକୁ ଉତ୍ତପ୍ତ କରି ରଖେ, ସମସ୍ତ ଲୟକୁ ଅସ୍ଥିର ଓ ପରାହତ କରି ରଖେ । Ideal ଓ Science ଉଭୟ ଭିତରେ Finalismର ବିଷ ଗୋଳିଦେଇ ତାହ Dogma ରେ ପରିଣତ ହୁଏ । ତେଣୁ Ideology Scienceର ଶତ୍ରୁ ନୁହେଁ;Dogma ହେଉଚି Science ଓ Ideology ଉଭୟର ଶତ୍ରୁ, Finalism ଉଭୟରୁ ଶତ୍ରୁ ।

 

୧୬ । ୩ । ୬୨

 

କିଏ କହୁଚି, ମଣିଷଠାରୁ ଭଗବାନ ବଡ଼, ପୁଣି ଆଉ କିଏ କହୁଚି, ଯେ ଭଗବାନଠାରୁ ମଣିଷ ବଡ଼, ଜଣେ ଆପଣାକୁ ଆଦର୍ଶବାଦୀ ବୋଲି କହୁଚି ତ ଆଉ ଜଣେ ଆପଣାକୁ ମାନବିକତାବାଦୀ ବୋଲି କହୁଚି । ସେହିବାଦର ବିବାଦରେ ପଡ଼ି ଆଦର୍ଶବାଦୀ ମାନବତାବାଦୀକୁ ଭ୍ରାନ୍ତ ବୋଲି କହୁଚି, ପୁଣି ମାନବତାବାଦୀ ଆଦର୍ଶବାଦୀକୁ ମଧ୍ୟ ଭ୍ରାନ୍ତ ବୋଲି କହୁଚି । କିଏ ଭୁଲ୍‍ କିଏ ଠିକ୍ ସେକଥା ଜାଣିବାର ଉପାୟ ନାହିଁ । କେବଳ ବିଚାର ବା ବାଦର ଗଡ଼ ଜିତିବା ଜୋରସୋରରେ ଚାଲିଚି । କିନ୍ତୁ ସତ୍ୟ ସେହିପରି ଦୁରୂହ ରହିଚି । ଅସଲ କଥା ହେଉଚି ଯେ ସେମାନେ ଆପଣା ଆପଣାର ଅଭିଜ୍ଞତାରୁ ଆପଣାର ମତବାଦରେ ଆସି ଉପନୀତ ହୋଇଛନ୍ତି । ଆଗ ଜୀବନକୁ ଅଙ୍ଗେ ନିଭାଇଚନ୍ତି, ସେଇଥିରୁ ସିଦ୍ଧାନ୍ତ କାଢ଼ିଚନ୍ତି ଓ ସେହି ସିଦ୍ଧାନ୍ତକୁ ଅବଲମ୍ବନ କରି ବଞ୍ଚି ରହିଚନ୍ତି । ଏ ବିଷୟରେ ମୁଁ ମଧ୍ୟ ଯାହା କହିବି, ତାହା ମୋ’ର ଅଭିଜ୍ଞତାରୁ କହିବି । ମୁଁ କହିବି ଯେ, ମଣିଷକୁ ଚିହ୍ନିବା ଲାଗି ମୋତେ ଭଗବାନଙ୍କ ଠାରୁ ଦୂର ହୋଇ ଯିବାକୁ ପଡ଼ିନାହିଁ କି ଭଗବାନଙ୍କୁ ଅନ୍ତରଙ୍ଗ କରି ଅନୁଭବ କରିବା ଲାଗି ମୋତେ ମଣିଷର ସାଙ୍ଗ ଛାଡ଼ି ଯିବାକୁ ପଡ଼ିନାହିଁ-। ଦୁହିଁଙ୍କୁ ଅଧିକ ଆପଣାର କରି ଚିହ୍ନିବାରେ ମୋତେ ଦୁହେଁ ସାହାଯ୍ୟ କରିଚନ୍ତି, ମୁଁ ଦୁହିଁଙ୍କୁ ମୋ’ ହୃଦୟର ବନ୍ଧୁକରି ରଖିଚି । ଏବଂ, ଏହି ଉପଲବ୍ଧ ସତ୍ୟକୁ ହିଁ ମୁଁ ମୋ’ ଜୀବନର ଅବଲମ୍ବନ କରି ରଖିଚି ।

 

୧୭ । ୩ । ୬୨

 

ଖାଲି ବେତନ ଭୋଗ କରିବା ଲାଗି ମୁଁ ଶିକ୍ଷକ ହେବିନାହିଁ । ମୁଁ ଯାହା ଦେବି, ତାହାକୁ ମୁଁ ଶ୍ରଦ୍ଧାର ସହିତ ଦାନ କରିବି । ଆପଣ ଭିତରେ କୌଣସି ପ୍ରକାର ସତର୍କତା ନରଖି ମୁଁ ତାହା ଦାନ କରିବି, କୌଣସି ଅଭିମାନ ନରଖି ତାହା ଦାନ କରିବି, କୌଣସି ଦିନ କୌଣସି ପ୍ରକାର ଛଳନାରେ ଭୁଲି ଯିବିନାହିଁ । ମୋ’ର ଶିକ୍ଷାଦାନ ଫଳରେ ଶିକ୍ଷାର୍ଥୀର ମନ ଓ ହୃଦୟ ଜଣେ ମଣିଷର ମନ ଓ ହୃଦୟ ହିସାବରେ ଯେତିକି ବିକଶିତ ହେବ, କେବଳ ତାହାକୁ ହିଁ ମୁଁ ମୋ’ର ଶିକ୍ଷାଦାନର ସୁଫଳ ବୋଲି ବିଚାର କରିବି । କିନ୍ତୁ ମୋ’ ପାଖରେ ଆସି ଶିକ୍ଷାର୍ଥୀ ଯଦି ମୋତେ ସ୍ତୁତି କରିବାର ଛଳନା କରେ, ଯଦି ସେ କୌଣସି ପ୍ରକାରେ ମୁଗ୍‌ଧ ହୋଇ ଆପଣାକୁ ଲୁକ୍‌କାୟିତ କରି ରଖେ, ତେବେ ତାହାକୁ, ମୁଁ ମୋ’ର ଦୁର୍ଭାଗ୍ୟ ବୋଲି କହିବି । ଏ ଅଭିନୟ ମୋତେ ଭଲ ଲାଗେନାହିଁ । ଅଭିନୟ ଦେଖିଲେ ସେଥିପାଇଁ ମୁଁ ବଡ଼ ଅଶ୍ଵସ୍ତ ହୋଇପଡ଼େ । ଉପର ମୁହଁରେ କିଏ ମୋ’ର ଗୁଣଗାନ କରୁଚି ଶୁଣିଲେ ମୁଁ ଭୀତତ୍ରସ୍ତ ହୋଇଉଠେ । ମୋ’ର ଆପଣାର ଶିକ୍ଷାର୍ଥୀ ପାଖରେ ମୋ’ର ସମସ୍ତ ଶିକ୍ଷକତ୍ଵ କେବଳ ପରାଭୂତ ହୋଇଚିବୋଲି ମୁଁ ଅନୁଭବ କରେ । ସ୍ତୃତି କରିବା ଶିକ୍ଷାର୍ଥୀର ସ୍ଵାଭାବିକ ଧର୍ମ ନୁହେଁ, ମଣିଷ ହୋଇ ନିର୍ଭୀକ ହୋଇ ଆପଣାକୁ କ୍ରମବିକଶିତ କରିବା ହେଉଚି ତା’ର ଅସଲ ଧର୍ମ । ଆପଣାର ବିକାଶ କରିବା ଉପରେ ଯଥାର୍ଥ ଧ୍ୟାନ ନଦେଇ ଯଦି ଛାତ୍ର କେବଳ ଶିକ୍ଷକର ଗୁଣଗାନ କରିବାରେ ଓ ତାହାକୁ ନେଇ ଆନୁଷ୍ଠାନିକ ଅଭିନୟ କରିବାରେ ଆପଣାର ଶକ୍ତି ନଷ୍ଟ କରେ, ତେବେ ମୁଁ କହିବି, ଶିକ୍ଷକର ସମସ୍ତ ଚେଷ୍ଟା ସେଠାରେ ବିଫଳ ହିଁ ହୋଇଚି, ଶିକ୍ଷାର ସମସ୍ତ ଉଦ୍ୟମ ସେଠାରେ ବିଫଳ ହିଁ ହୋଇଚି । ସେଠାରେ ଶିକ୍ଷା ହାର ମାନି ଯାଇଚି । ଯେଉଁଠି ଯଥାର୍ଥରେ ଦ୍ଵାର ଉଦ୍‌ଘାଟନ ହେବା କଥା, ସେଠି ତାହା ହୋଇନାହିଁ, ସମସ୍ତ ପ୍ରକାର ପ୍ରଗଳ୍‌ଭତା ସତ୍ତ୍ୱେ ସେଠି ମଣିଷର ଦ୍ଵାର ବନ୍ଦ ହୋଇରହିଚି ।

 

୧୮ । ୩ । ୬୨

 

ମେଘ ଭିତରୁ ସୂର୍ଯ୍ୟ ଉଠି ଆସୁଚି । ଭୂବନ ଭରି ନାନା ଶବ୍ଦର ଇଙ୍ଗିତ ଭିତର ଦେଇ ମୋ’ର ହୃଦୟ ଭିତରେ ଏହି ଉଦୟୋତ୍ସବର ଝଙ୍କାର ନିନାଦିତ ହୋଇଉଠୁଚି । ମୁଁ ସ୍ନାନ ସାରି ଏହି ଖାତା ପାଖରେ ବସିବାକୁ ଯାଉଥିଲି । ମୋ’ର ମନ ଏହି ନିତ୍ୟନୈମିତ୍ତିକ କାର୍ଯ୍ୟଟିକୁ କେନ୍ଦ୍ରକରି ସ୍ଥିର ଓ ଆତ୍ମସ୍ଥ ହୋଇରହିଥିଲା । ହଠାତ୍ ବାହାରେ ଆଖି ପଡ଼ିଯିବାରୁ ମୁଁ ଦେଖିଲି, ଘରର ଛାତ ଉପରଯାଏ ମାଡ଼ିଥିବା ଲତାଟି କାଲି ରାତିର ପବନର ଆଘାତ ତଳକୁ ଖସିପଡ଼ିଚି । ଲତାଟିକୁ ରୂପ ଆଉ ଜୀବନରେ ଉଚ୍ଛଳିତ କରି ରଖିଥିବା ଉଜ୍ଜ୍ଵଳ ନାଲିରଙ୍ଗର ଫୁଲକାନ୍ଦି ଗୁଡ଼ିକ ବଡ଼ କରୁଣ ଭାବରେ ଦୋହଲି ରହିଚି । ମୋ’ର ପ୍ରଥମ କାର୍ଯ୍ୟକୁ ପ୍ରଥମେ କରିବା ଆଉ ସମ୍ଭବ ହେଲାନାହିଁ । ନିୟମାନୁବର୍ତ୍ତୀ ମନର ନିୟମ ଭାଙ୍ଗିଲା । ଆତ୍ମୀୟତାର ସହଜ ପ୍ରାଣଗତ ନିୟମର ରକ୍ଷା କରିବାକୁ ଯାଇ ମୁଁ ବାହାରର ଏହି ରୁଟିନ୍‌କୁ ବଡ଼ ସ୍ଵାଭାବିକ ଭାବରେ ଭାଙ୍ଗି ଦେଇ ପାରିଲି । ତା’ ପରେ ଚହଲି ଯାଇଥିବା ହୃଦୟ ଥିର ହେଲା, ମୁଁ ଘର ଭିତରକୁ ଫେରିଆସି ମୋ’ର କାର୍ଯ୍ୟ ଆରମ୍ଭ କଲି । ଏ ଫୁଲ, ଏ ଗଛ, ଏ ରୂପ ଆଉ ଏହି ପ୍ରକୃତି ସହିତ ମୋ’ର ଏଡେ ଆତ୍ମୀୟତା ହେଲା କିପରି କେଜାଣି ? ମଣିଷ ପାଖରେ ଅଙ୍ଗେ ନିଭାଇଥିବା କୌଣସି ଦୁଃଖର ଆଘାତ ଭୁଲିବାକୁ ମୁଁ ପ୍ରକୃତିକୁ ଭଲ ପାଇବାକୁ ଚେଷ୍ଟା କରିନାହିଁ । ଫୁଲ ଓ ଗଛକୁ ମୋ’ର ଭଲ ପାଇବାର ସଂସାର ଭିତରେ ମୁଁ ସମ୍ମିଳିତ କରି ଚିହ୍ନିଚି । ମୋ’ର ଆପଣାକୁ ମୁଁ ଏହି ସମସ୍ତ ମଧ୍ୟରେ ପ୍ରସାରିତ କରିଚି, ଧନ୍ୟ ହୋଇଚି । ମୋ’ର ଜୀବନର ଧର୍ମକୁ ଅଧିକ ସତ୍ୟ କରି ବୁଝିଚି । ଆପଣାର ଦ୍ଵାର ଖୋଲି ରଖିଚି ।

 

୧୯ । ୩ । ୬୨

 

ନାନା ସଙ୍ଗ ଓ ନାନା ଭାବର ଅନୁଭୂତିରେ ଏହି ହୃଦୟ ବାରବାର ପୂର୍ଣ୍ଣ ହୋଇଉଠୁଚି । ତଥାପି ଅନେକ ସମୟରେ ଏକ ନିର୍ମମ ଶୂନ୍ୟତା ମୋତେ ବଡ଼ ବିଚଳିତ କରି ପକାଉଚି । ମୋ’ର ଜୀବନବାସନାର ନାନା ପ୍ରକାର ଆଘାତ ମୋତେ ସତେଯେପରି ମ୍ରିୟମାଣ କରି ପକାଉଚି । ଅର୍ଥ ପ୍ରତି ଲୋଭ ଥିଲେ ମୁଁ ହୁଏତ ଏହି ସଂସାରରେ ନାନାଭାବେ ଭୁଲି ରହି ପାରୁଥାନ୍ତା । କିନ୍ତୁ ଆପଣାକୁ କଳନା କରି ମୁଁ ବେଶ୍ ଜାଣିପାରୁଚି ଯେ, ମୋ’ ଭିତରେ ଅର୍ଥର ଆକର୍ଷଣ ହିଁ ନାହିଁ, ଆର୍ଥିକ ଯେତେବଳେ ଯାହା ଅଛି, ତାହାହିଁ ମୋ’ ଲାଗି ଯଥେଷ୍ଟ । କ୍ଷମତା ଓ ସମ୍ମାନର ଲାଳସାକୁ ମଧ୍ୟ ଯେପରି ମୁଁ ଅନେକ ପଛରେ ପକାଇଦେଇ ଆସିଚି । ଏହି ଦୁଇଟାକୁ ନେଇ ସଂସାରରେ ନାନାପ୍ରକାର ଆସ୍ଫାଳନ ଓ ଆଡ଼ମ୍ବର ଲାଗି ରହିଥିଲେ ମଧ୍ୟ ମୁଁ ସେଥିରୁ କୌଣସି ଉତ୍ସାହ ପାଇ ପାରୁନାହିଁ । ଜୀବନର ଉତ୍‌ପ୍ରେରକ ହିସାବରେ ସେଗୁଡ଼ିକ ମୋତେ ଭାରି ହାସ୍ୟାସ୍ପଦ ବୋଲି ମନେ ହେଉଚି । କୌଣସି ମତବାଦକୁ ଆଦର୍ଶ ବା ଚରମବାଦ ବୋଲି ବିଶ୍ଵାସ ନକରି ତାହାରି ନାମରେ ନିଶା ଖାଇ ଭୁଲି ରହିବା ମଧ୍ୟ ଆଉ ମୋ’ ପକ୍ଷରେ ସମ୍ଭବ ହେଉନାହିଁ । କେବେ କିଶୋର ବୟସରେ ହୁଏତ ଏପରି ଏକ ଉତ୍ସାହ ମୋତେ କେତେକ ପରିମାଣରେ ଅଭିଭୂତ କରି ପାରୁଥିଲା, କିନ୍ତୁ ଏବେ ତାହା ହେଉନାହିଁ, ତାହା ଆଉ କେବେ ହୋଇ ପାରିବାର ମଧ୍ୟ କୌଣସି ସମ୍ଭାବନା ନାହିଁ । ତେବେ ମୁଁ କାହାକୁ ଆଶ୍ରୟ କରି ରହିବି, ଜୀବନର ପ୍ରେରକଶକ୍ତି ହିସାବରେ ମୁଁ ଆଉ କାହା ଉପରେ ନିର୍ଭର କରି ରହିବି ? ଯେଉଁଠି ମନ ଲାଗି ପାରନ୍ତା, ଯେଉଁଠି ମୁଁ ଆପଣା ଘରପରି ରହିପାରନ୍ତି, ଯାହା ମୋତେ ମୋ’ ଜୀବନାଭୂତିର ଆଧାରଶିଳାକୁ ଯୋଗାଇଦେଇ ପାରନ୍ତା, ମୁଁ ତାହାରି ସନ୍ଧାନ ପାଇଁ ପାରୁନାହିଁ । ମୁଁ ସେଇଥିପାଇଁ ଦୁଃଖ ଭୋଗୁଚି । ସେଇଥିପାଇଁ କାତର ହୋଇପଡ଼ୁଚି, ଏକ ମାନସିକ ଜରାରେ ଜର୍ଜର ହୋଇପଡ଼ୁଚି ।

 

୨୦ । ୩ । ୬୨

 

ଅନେକ ସମୟରେ ଏହି ଜୀବନଟାକୁ ଟାଣି ଟାଣି ନେବାକୁ ପଡ଼େ । ପୁଣି ଆହୁରି ଅନେକ ସମୟରେ ଜୀବନର ପରମ ଉତ୍ସାହରେ ମୋ’ର ସମସ୍ତ କିଛି ଟାଣି ଟାଣି ଆଗକୁ ନେଇଯାଏ । କେଉଁଟା ସତ୍ୟ ବା କେଉଁଟା ମାୟା ବୋଲି ବାଛିବାର ଆଳସ୍ୟ ମୁଁ କଦାପି ଦେଖାଇବାକୁ ଯିବିନାହିଁ । ମୋ’ର ଅଙ୍ଗେ ନିଭାଇଥିବା ବାଟ କହୁଚି ଯେ, ଜୀବନର ଦୁଇଟିଯାକର ସମାନ ମହତ୍ତ୍ଵ ରହିଚି, ହୁଏତ ସମାନ ମହତ୍ତ୍ଵ ରହିଚି, ହୁଏତ ସମାନ ଆବଶ୍ୟକତା ମଧ୍ୟ ରହିଚି । ଏହି ଦୃଷ୍ଟିରୁ ଦେଖିଲେ ମୁଁ ସୁଖବାଦୀ ନୁହେଁ । କାରଣ ଦୁଃଖକୁ ମଧ୍ୟ ମୁଁ ଜୀବନବିକାଶର ଏକ ନିର୍ଭରଯୋଗ୍ୟ ଅବଲମ୍ବନ ବୋଲି ସ୍ଵୀକାର କରିଥାଏ । ବେଳେବେଳେ ଏହି ଆନନ୍ଦମୟ ଭୁବନରେ ଭିତରେ ତଥାପି ମୁଁ ଦୁଆର ଖୋଲିଦେଇ ପାରେନାହିଁ । ଆପଣା ଉପରେ ପ୍ରତିଶୋଧ ନେଲାପରି ନାନପ୍ରକାର ଉଗ୍ର ଆଳସ୍ୟରେ ମୁଁ ଆପଣାକୁ କେବଳ ଅପସରାଇ ରଖେ, କେବଳ ଲୁଚାଇ ରଖେ, ସେତେବେଳେ ଭାରି ବିକଳ ଲାଗେ, ଭାରି ବ୍ୟାକୁଳ ଲାଗେ, ଆପଣାର ସମସ୍ତ ହୃଦୟ ଥରିଉଠେ । କିନ୍ତୁ ତା’ପରେ ପୁଣି ଦୁଆର ଖୋଲିଯାଏ, ତା’ପରେ ସବୁ ସଫା ହୋଇଯାଏ, ସବୁ ଆଳସ୍ୟ ଓ ଅଭିମାନ ଭାଙ୍ଗିଯାଏ । ସମସ୍ତ ପ୍ରକାର ଜୁଗୁପ୍‌ସା ଭୁଲି ମୁଁ ପୁଣି ସମର୍ପଣ ଲାଗି ପ୍ରସ୍ତୁତ ହୋଇଯାଏ-। ମୁଁ ଭକ୍ତ ହୋଇ ବାହାରିଯାଏ ।

 

୨୧ । ୩ । ୬୨

 

ମୁଁ ପ୍ରକାଶ ଚାହେ । ପଇସା ଚାହେନାହିଁ । ମୋ’ର ସାହିତ୍ୟଚର୍ଚ୍ଚା ଓ ସାହିତ୍ୟଲେଖାକୁ ମଧ୍ୟ ମୁଁ ପ୍ରକାଶର ମାଧ୍ୟମ ବୋଲି ଗ୍ରହଣ କରିଥାଏ । ମୋ’ର ଲେଖା ଦ୍ଵାରା ମୋତେ ପଇସା ନମିଳିଲେ ମୋ’ର ଆଦୌ କୌଣସି ଦୁଃଖ ହୁଏନାହିଁ । କିନ୍ତୁ ମୋ’ର ସାହିତ୍ୟିକ ରଚନାମାନ ପ୍ରକାଶିତ ନହୋଇ ପଡ଼ିରହିଲେ ମୁଁ ବଡ଼ ଆହତ ଅନୁଭବ କରେ, ମୁଁ ହଠାତ୍ ଅଟକି ଗଲାପରି ଅନୁଭବ କରେ । Martin Buberଙ୍କ ପରି ମୁଁ ଜୀବନକୁ ପ୍ରଧାନତଃ Dialogue ହିସାବରେ ଗ୍ରହଣ କରିଥାଏ, Communicationକୁ ଜୀବନ ବଞ୍ଚିବାର ମୂଳତମ ସୂତ୍ର ବୋଲି ଗ୍ରହଣ କରିଥାଏ । ମୁଁ ଯାହା ଭାବୁଚି, ଯାହା ମୋତେ ଅନ୍ତର ଭିତରେ ଅଥୟ କରି ରଖିଥାଏ, ତାହାକୁ ମୁଁ ଅନ୍ୟମାନଙ୍କ ଆଗରେ କହିବାକୁ ଚାହେ । ଅନ୍ୟ କାହାକୁ କୌଣସି ପ୍ରକାର ଅପମାନିତ କରି ନୁହେଁ, ସାହିତ୍ୟିକ ଓ ସୁନ୍ଦର ଭାବରେ ମୁଁ ତାହାକୁ ଅନ୍ୟମାନଙ୍କ ଆଗରେ କହିବାକୁ ଚାହେ । ଏହି କହିବାଦ୍ଵାରା ମୁଁ ଅନ୍ୟମାନଙ୍କୁ କଳିବାକୁ ଚାହେ, ଆପଣାକୁ କଳିବାକୁ ଚାହେ ଏବଂ ଆପଣାର ଜୀବନର ଯଥାର୍ଥତା ଏବଂ ଗଭୀରତାକୁ ମଧ୍ୟ କଳିବାକୁ ଚାହେ। ଏହିପରି ଆପଣାର କଳନା କରି ଓ ପୁଣି ପରିବର୍ତ୍ତିତ ଭୂମି ଉପରେ ଆପଣାର କଥା କହିବାକୁ ଚେଷ୍ଟା କରି ମୁଁ ପ୍ରକାଶିତ ହୋଇ ଚାଲିଥିବା ପରି ଅନୁଭବ କରେ, ଏହିପରି ଭାବରେ ହିଁ ମୋ’ର ବିକାଶ ହୁଏ । ମୋ’ର କଥାତକ କହିଦେଇ ହିଁ ମୁକ୍ତି ପାଏ, ମୋ’ର କଥାତକ ଶୁଣାଇଦେଇ ହଁ ଠିକ୍ ଏକ ଜନନୀର ଆନନ୍ଦ ଅନୁଭବ କରିଥାଏ । କିନ୍ତୁ ମୁଁ ଖାଲି ଲେଖି ଯାଉଥିବି, ତାହା ଅନ୍ୟମାନଙ୍କ ପାଖରେ ପହଞ୍ଚିଲା କି ନାହିଁ, ସେ ବିଷୟରେ କୌଣସି ବିଚାର କରୁନଥିବି, ଏପରି ସାହିତ୍ୟଲେଖାକୁ ମୁଁ ସାହିତ୍ୟଲେଖା ବୋଲି ବିଶ୍ଵାସ ମଧ୍ୟ କରେନାହିଁ । ମୁଁ ଭାବେ କେବଳ ଏକ ବ୍ୟାଧିତ ଓ uncommunicative ମନ ନହେଲେ କେହି କେବଳ ଏତିକିରେ ସନ୍ତୁଷ୍ଟ ହୋଇ ରହି ପାରିବନାହିଁ । ଅନ୍ୟମାନଙ୍କ ସହିତ ଚିନ୍ତାର ବିନିମୟ ହେଲେ ସିନା ଚିନ୍ତାର ବିକାଶ ହେବ । ଏହି ଦୃଷ୍ଟିରୁ ଦେଖିଲେ ମୁଁ ସାହିତ୍ୟକୁ ଏକ ପ୍ରୟୋଜନହୀନ ବିଳାସ ବା ବିନୋଦ ବୋଲି ଗ୍ରହଣ କରେନାହିଁ । ଜୀବନରେ ଲୁଚି ରହିବାର ଏକ ସାଧନ ବୋଲି ଗ୍ରହଣ କରେନାହିଁ । ମୋ’ର ସାହିତ୍ୟ ଜରିଆରେ ହିଁ ମୁଁ ଜୀବନରେ ସମ୍ମିଳିତ ହେବାର ଆନନ୍ଦ ପାଏ, ସାହିତ୍ୟକୁ ମୁଁ ଅଧିକତର ସମ୍ମିଳନ ଓ ଅଧିକତର ଜୀବନାଭୂତିର ସାଧନ ଭାବେ ହିଁ ଗ୍ରହଣ କରିଥାଏ ।

 

୨୨ । ୩ । ୬୨

 

ମଣିଷକୁ ଏହି ଜୀବନକୁ ଯଥେଷ୍ଟ ଭଲପାଏ ନାହିଁ ବୋଲି ସଂସାରରେ ଯୁଦ୍ଧ ହୁଏ । ଯୁଦ୍ଧକୁ କେହି ମୃତ୍ୟୁପ୍ରବୃତ୍ତି ବୋଲି ମଧ୍ୟ କହିଚନ୍ତି । ଜୀବନରୁ ବିରକ୍ତ ହୋଇ ମଣିଷ ସବୁ ଭାଙ୍ଗିଦେବାକୁ ବସେ, ସେ ଆପଣା ଜୀବନର ଅଟ୍ଟାଳିଟିକୁ ମଧ୍ୟ ଭାଙ୍ଗିଦେବାକୁ ବସେ । ଆପଣା ଭାବମୟ ଜୀବନ ଓ ମୂଲ୍ୟବୋଧର ଅଟ୍ଟାଳିକାକୁ ଭାଙ୍ଗିଦେବାକୁ ଉଗ୍ର ହୋଇଉଠେ । ବୋଧହୁଏ ସେତିକିବେଳେ ସେ କୌଣସି ମତବାଦର ଦୌରାତ୍ମ୍ୟ ପାଖରେ ଆପଣାକୁ ସମର୍ପଣ କରିଦିଏ । ମତବାଦକୁ ହିଁ ମଣିଷଠାରୁ ଅଧିକ ମୂଲ୍ୟବାନ୍ ବୋଲି ଭାବେ, ମତବାଦକୁ ଆପଣାଠାରୁ ମଧ୍ୟ ଅଧିକ ମୂଲ୍ୟବାନ ବୋଲି ଭାବେ, ମତବାଦକୁ ଆପଣାଠାରୁ ମଧ୍ୟ ଅଧିକ ମୂଲ୍ୟବାନ୍ ବୋଲି ଭାବେ-। ଏ ଜୀବନ ପ୍ରତି ଅସନ୍ତୁଷ୍ଟ ହୋଇ ସେ ଭବିଷ୍ୟତରେ କୌଣସି ସାମାଜିକ ବ୍ୟବସ୍ଥା କାୟମ୍ ହୋଇଗଲେ ଜୀବନର ସବୁ ଦୁଃଖ ଓ ସବୁ ସମସ୍ୟା ଆପଣା ଛାଏଁ ସମାହିତ ହୋଇଯିବ ବୋଲି ବିଶ୍ଵାସ କରେ । ହିନ୍ଦୁଧର୍ମରେ ଗୋଟାଏ ନିର୍ଦ୍ଦିଷ୍ଟ ମତବାଦ ମଧ୍ୟ ଜୀବନକୁ ମାୟା ବୋଲି କହୁଥିଲା, ଏହି ସଂସାରକୁ ମିଥ୍ୟା ବୋଲି କହୁଥିଲା । ତେଣୁ ଏହି ଜୀବନ ବା ଏହି ସଂସାର ବିଷୟରେ ସେ ସର୍ବଦା ବିତୃଷ୍ଣ ହୋଇରହିବାକୁ ପରମୋଧର୍ମ ବୋଲି ବିଚାର କରୁଥିଲା, ବୋଧହୁଏ ତାହାରି ଫଳରେ ଏହି ସଂସାରରେ ତା’ର ଜୀବନସ୍ତର ନାନାଭାବେ ଅଧୋଗତ ହୋଇରହିଲା । ବର୍ତ୍ତମାନ ଆମ ସମାଜରେ ମଧ୍ୟ ସେହିପରି ଏକ ଅଶ୍ରଦ୍ଧା ଏହି ଜୀବନ ପ୍ରତି ରହିଚି । ଏହି ଜୀବନରେ ସମସ୍ୟା ରହିଚି, ଏହି ଜୀବନରେ ବାଧାବିଘ୍ନ ରହିଚି,ଆମେ ସେହିଗୁଡ଼ାକର ସମ୍ମୁଖୀନ ନହୋଇ ଓଲଟି ଏତେ frustrated ହୋଇପଡ଼ୁଚୁ ଯେ, ଆମେ ଜୀବନରୁ ପଳାଇ ଯିବାକୁ ଚାହୁଚୁ-। ଜୀବନ ପ୍ରତି ମୂଳତଃ ଆମର କୌଣସି ଶ୍ରଦ୍ଧା ନାହିଁ । ଜୀବନକୁ ଆମେ ପ୍ରଧାନତଃ ଗୋଡ଼ିପଥର ପରି ଦେଖୁଚୁ,ଏହାକୁ ଭୂମି ବୋଲି ସ୍ଵୀକାର କରି ପାରୁନାହୁଁ । ତେଣୁ, ଶ୍ରଦ୍ଧାଦ୍ଵାରା ଏହି ସଂସାରରେ ଯେଉଁ ସମ୍ବନ୍ଧସୂତ୍ର ସ୍ଥାପିତ ହୋଇପାରନ୍ତା, ଆପଣାର ଭାବବିକୃତ ଦ୍ଵାରା ଆମେ ସେହି ସୂତ୍ର ହରାଇ ବସୁଚୁ ।

 

୨୩ । ୩ । ୬୨

 

ଆମ ଦେଶରେ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରୁଥିବା ଶିକ୍ଷକ ଓ ଅଧ୍ୟାପକମାନେ ରାଜନୀତିକ ଦଳ ବିଷୟରେ ଭାରି ଚର୍ଚ୍ଚା କରନ୍ତି । ରାଜନୀତି ଅଥବା ଦେଶର ରାଜନୀତିକ ଭାଗ୍ୟ ବିଷୟରେ ଚର୍ଚ୍ଚା କରୁଥିଲେ ମୁଁ ଭାରି ଖୁସୀ ହେଉଥାନ୍ତି, ପ୍ରସନ୍ନ ମନରେ ମୁଁ ନିଜେ ଏହି ସବୁ ଚର୍ଚ୍ଚାରେ ଭାଗ ନେଇପାରନ୍ତି । କିନ୍ତୁ କୋଉ ରାଜନୀତିକ ନେତା ଦଳ ଭିତରେ କେତେ ପ୍ରକାରେ ମିଥ୍ୟା ବା ଦୁର୍ନୀତିର ଆଚରଣ କଲା, କୋଉ ରାଜନୀତିକ ଦଳ ଭିତରେ କେତେ ଦୋଷ ବା ଦୂଷିତତା ରହିଚି; ପ୍ରଧାନତଃ ଏହି ବିଷୟରେ ହିଁ ଏମାନଙ୍କର ଅଧିକତର ଆଲୋଚନା ହୋଇଥାଏ । ଏବଂ, ଏହିପରି ଆଲୋଚନାରୁ ଏମାନେ ଭାରି ଆନନ୍ଦ ପାଇଲାପରି ମନେହୁଏ । ଅଧିକାଂଶ ସମୟରେ ଏହାକୁ ମାଧ୍ୟମ କରି ହିଁ ଏମାନେ ଅବସର-ବିନୋଦନ କରିଥାଆନ୍ତି । ପ୍ରଥମେ ପ୍ରଥମେ ମୁଁ ଏସବୁ ଶୁଣି ଭାରି ଆଶ୍ଚର୍ଯ୍ୟ ହେଉଥିଲି । ଏହି ଆଚରଣ ପଛରେ ପ୍ରଚ୍ଛନ୍ନ ରହିଥିବା ପ୍ରବୃତ୍ତିଟିକୁ ମୁଁ ବୁଝି ପାରୁନଥିଲି । ଏବେ ଭାବୁଚି, ଏପରି ଏକ ପ୍ରବୃତ୍ତି ପଛରେ ଖୁବ୍ ସମ୍ଭବ ଗୋଟିଏ କାରଣ ରହିଚି । ଆମ ଦେଶର ଶିକ୍ଷକ ଆଉ ଅଧ୍ୟାପକ ଆଜି ରାଜନୀତିକ କ୍ଷେତ୍ରର ସଫଳ ଯୋଦ୍ଧାକୁ ଅନୁସରଣ କରୁଚି, ସେ ପ୍ରଧାନତଃ ତାହାକୁ ହିଁ ଆଦର୍ଶ କରି ରଖିଚି । ସେ ତାହାରି ପରି ବଡ଼ଲୋକ ହୁଅନ୍ତା, ସମ୍ମାନ ପାଆନ୍ତା, ବଢ଼ିଆ ଘର ତିଆରି କରନ୍ତା, ମଟରରେ ବୁଲନ୍ତା, ଅତି ଶସ୍ତାରେ ସଫଳ ଜୀବନ ହାସଲ କରିଥାନ୍ତା, ଏହିପରି ନାନାପ୍ରକାର ମନୋରମ ଇଚ୍ଛାମାନ ତା’ର ଅଭିଳାଷପ୍ରବଣ ଅବଚେତନ ମନକୁ ମୁଗ୍‌ଧ କରି ରଖିଚି । ତେଣୁ ବାହାର ମନରେ ରାଜନୀତିକ କ୍ଷେତରେ ବିଚରଣ କରୁଥିବା ବ୍ୟକ୍ତିମାନଙ୍କୁ ସେ ଈର୍ଷା କରୁଚି, ସେମାନଙ୍କ ପରି ଭୋଗର ପୂର୍ଣ୍ଣାବସର ପାଇ ପାରି ନଥିବାର ଅତୃପ୍ତି ତାକୁ ଅହରହ ଯେଉଁ ଉତ୍ପୀଡ଼ନ କରୁଚି, ତାହାରି ଫଳରେ ସେ ରାଜନୀତିକ କ୍ଷେତ୍ରରେ ଲୋକମାନଙ୍କୁ ଯାକ ଉଚ୍ଛନ୍ନ ହୋଇଗଲା ବୋଲି ସେ ପାଟି କରି କହି ଭାରି ଆନନ୍ଦ ଅନୁଭବ କରୁଚି । ସେହିମାନଙ୍କୁ ଚୋର ବୋଲି କହି ସେ ଆପଣା ଲାଗି କୌଣସି ଦାୟିତ୍ଵ ନଥିବାରୁ ଭ୍ରମ କରୁଚି ।

 

୨୪ । ୩ । ୬୨

 

ରାଜନୀତିକ ନେତା ଆଜି ଶିକ୍ଷକର ଆଦର୍ଶ ହୋଇଚି । ରାଜନୀତିକ ନେତା ଆଜି ଜାତୀୟ ଜୀବନର ଯାବତୀୟ କ୍ଷେତ୍ରରେ ମଣିଷର ଆଦର୍ଶ ହୋଇଚି । କାରଣ ସମସ୍ତେ ଶସ୍ତା ଉପଭୋଗ ଚାହୁଚନ୍ତି, ସମସ୍ତେ କ୍ଷମତାରେ ରହିବାକୁ ଚାହୁଚନ୍ତି । ଏହି ଆଦର୍ଶର ପରିପୂରଣ ହୋଇ ନପାରିବାରୁ ଶିକ୍ଷକ ବା ଅଧ୍ୟାପକ ଆଜି ରାଜନୀତିକ ନେତାକୁ ଈର୍ଷା କରୁଚି । ତା’ ଭିତରେ ରହିଥିବା ଗୁଣ ଅପେକ୍ଷା ତା’ର ଦୋଷଗୁଡ଼ାକୁ ହିଁ ତାକୁ ଭାରି ଜଳଜଳ ହୋଇ ଦେଖାଯାଉଚି । ରାଜନୀତିକ ନେତା ଓ ଆପଣାର ମନୋଦୃଷ୍ଟି ଓ ମୂଲ୍ୟବୋଧ ଭିତରେ ସେପରି କୌଣସି ପ୍ରଭେଦ ନଥିଲେ ମଧ୍ୟ ଅଧ୍ୟାପକ ବା ଶିକ୍ଷକ ଆପଣାର ସକଳ ଦୋଷ ଓ ସକଳ ଅପୂର୍ଣ୍ଣତାକୁ ରାଜନୀତି କ୍ଷେତ୍ରରେ ବଡ଼ ନେତା ଉପରେ ଲଦି ଦେଇ ଆରମ ପାଉଚି । ଶିକ୍ଷକ ବା ଅଧ୍ୟାପକମାନେ ଯେତେବେଳେ ଆପଣା ଭିତରେ କୌଣସି କଥା ପକାଉଚନ୍ତି । ଆପଣା କ୍ଷେତ୍ରରେ ଅର୍ଥାତ୍ ବିଦ୍ୟାଲାଭ ଓ ବିଦ୍ୟାଦାନ କ୍ଷେତରେ ଯେଉଁସବୁ ସମସ୍ୟା ରହିଚି, ସେସବୁର ଆଲୋଚନା କ୍ଵଚିତ୍ ହେଉଚି । ବିଦ୍ୟାଦାନର କ୍ଷେତ୍ରକୁ ତ ସେମାନେ କେବଳ ଏକ ନିମିତ୍ତମାତ୍ର କରି ଗ୍ରହଣ କରିଚନ୍ତି । ରାଜନୀତିକ ନେତା ଜାତୀୟ କ୍ଷେତ୍ରକୁ ବା ଦେଶନିର୍ମାଣର କ୍ଷେତ୍ରକୁ ଯେପରି ନିମିତ୍ତ ଭଳି ଗ୍ରହଣ କରିଚି, ଠିକ୍ ସେହିପରି । ଉଦ୍ଦେଶ୍ୟ ହେଉଚି ଲାଭ, ଉଦ୍ଦେଶ୍ୟ ହେଉଚି କ୍ଷମତା, ଉଦ୍ଦେଶ୍ୟ ହେଉଚି ବହୁତର ମନୁଷ୍ୟସଂଖ୍ୟାର ସ୍ଵୀକୃତି ଅର୍ଜନ କରିବା । ମୁଁ ବେଶୀ ପଇସା ପାଇବି, ମୁଁ ଉଚ୍ଚ ସୋପାନରେ ଅଧିକ ଅଳସୁଆ ହୋଇ ବସିବି, ଆଉ ତଥାପି ମୋତେ ଅଧିକ ଲୋକ ମାନିବେ;ଏହାହିଁ ଉଦ୍ଦେଶ୍ୟ । ଆସ୍ଥାନଟା କେବଳ ଶିକ୍ଷାର ଆସ୍ଥାନ ମାତ୍ର ।

 

୨୫ । ୩ । ୬୨

 

ସାମାଜିକ ନ୍ୟାୟର ପ୍ରତିଷ୍ଠା କରିବା ହେଉଚି ଆମ ଦେଶର ଯୋଜନାର ସର୍ବପ୍ରଧାନ ଲକ୍ଷ୍ୟ, କାଲି ରେଡ଼ିଓରେ ପଣ୍ଡିତ ଜବାହାରଲାଲଙ୍କର ଏହି କଥାଟି ଶୁଣିବାକୁ ପାଇଲି । କଥାରେ ସାମାଜିକ ନ୍ୟାୟର ପ୍ରଶଂସା କରି କାର୍ଯ୍ୟରେ ଅନେକ ଅନ୍ୟାୟକୁ ପ୍ରଶ୍ରୟ ନେବାର ଯେଉଁ କପଟତା ଆମ ଦେଶରେ ଚାଲିଚି, ସେ ବିଷୟରେ ମୁଁ ଆଜି ଭାବୁନାହିଁ । ରୁଷିଆଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ଏହି କପଟତା ଅଳ୍ପବହୁତ ସବୁ ଦେଶରେ ଚାଲିଚି । କିନ୍ତୁ ଗୋଟାଏ କଥା ଏଠାରେ ଭାରି ଲକ୍ଷ୍ୟ କରି ରଖିବାର କଥା ଯେ, ଆଜି ସମସ୍ତେ ସାମାଜିକ ନ୍ୟାୟକୁ ଆପଣାର କାର୍ଯ୍ୟକ୍ରମରେ ପ୍ରାଥମିକତା ଦେବାକୁ ବାଧ୍ୟ ହେଉଚନ୍ତି । ପ୍ରତ୍ୟେକ ମଣିଷ ଏହି ପୃଥିବୀରେ ମଣିଷ ପରି ରହିବ, ମଣିଷର ଯୋଗ୍ୟ ଅବକାଶ ଓ ସୁଯୋଗ ପାଇବ, କର୍ମ ବା ଭାଗ୍ୟର ଦ୍ଵାହି ଦେଇ ଆଉ ସମାଜରେ ଦଳେ ମଣିଷ ଆଉଦଳେ ମଣିଷଙ୍କ ଉପରେ ଦୌରାତ୍ମ୍ୟ ଚଳାଇବେ ନାହିଁ,ଏହାହିଁ ହେଉଚି ଏ ଯୁଗର ବାଣୀ । ଯେକୌଣସି ପ୍ରକାର ଜାତୀୟତା ଅପେକ୍ଷା ଆଜି ସାମାଜିକ ନ୍ୟାୟର ଆଦର୍ଶର ଜଗତର ଜନମାନରେ ଅଧିକ ସତ୍ୟ ହିସାବରେ ପ୍ରତିଷ୍ଠିତ ହୋଇପାରିଚି । ସାମାଜିକ ନ୍ୟାୟର ମୂଳଦୁଆ ବ୍ୟତୀତ ଆଜି ଜାତୀୟତାବାଦ ପ୍ରତି କେହି ସେପରି ଆକର୍ଷଣ ଅନୁଭବ କରୁନାହାନ୍ତି । ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବାର କୌଣସି କାର୍ଯ୍ୟକ୍ରମ ହାତରେ ନଥିଲେ କୌଣସି ରାଜନୀତିକ ଦଳ ବା ନେତା ଆଜି ଜନସମର୍ଥନ ପାଇ ପାରୁନାହାନ୍ତି । ଏଦେଶରେ ମଧ୍ୟ ଜନସାଧାରଣ ଆଜି ସାମାଜିକ ନ୍ୟାୟର ସାମାଜିକ ଧର୍ମରେ ଆଜି ତୁମୁଳ ପରିବର୍ତ୍ତନ ହେବାକୁ ଯାଉଚି । ଯୋଉ ବାଟରେ ହେଉ ପଛକେ, ମଣିଷ ମଣିଷରୂପେ ଆପଣାର ଜୀବନକୁ ପ୍ରତିଷ୍ଠିତ କରି ରଖିବାକୁ ଚାହେ । ଭାରତବର୍ଷରେ ଏହି ଚେତନାକୁ ହିଁ ମୁଁ ଆଜି ସବୁଠାରୁ ବଡ଼ କଥା ବୋଲି କହିବି । ଭାରତବର୍ଷକୁ ଆଜି ନିର୍ଦ୍ଦିଷ୍ଟରୂପେ ସେହି ମାର୍ଗରେ ଅଗ୍ରସର ହୋଇ ଯିବାକୁ ହେବ, ସମସ୍ତ ପୃଥିବୀକୁ ମଧ୍ୟ ସେହି ମାର୍ଗରେ ଯିବାକୁ ହେବ ।

 

୨୬ । ୩ । ୬୨

 

ଏତେ ଭୟ କାହିଁକି, ଭବିଷ୍ୟତ ସମ୍ବନ୍ଧରେ ଏ ଆଶଙ୍କା କାହିଁକି ? ଏ କ’ଣ ମୃତ୍ୟୁଭୟ ? ନା ଜୀବନପ୍ରତି ଅବିଶ୍ଵାସ ? କାଲି ଅଳସ ମନଟା ଭିତରେ କେତେ କ’ଣ ଯେ ଭାବୁଥିଲି, ଆଜି ସେକଥା ମନେ ପକାଇଲା ବେଳକୁ ଭାରି ଆଶ୍ଚର୍ଯ୍ୟ ଲାଗୁଚି । ଆଉ କେତେବର୍ଷ ଗଲେ ମୋ’ର ବୟସ ଅଧିକ ହୋଇଯିବ, ଦେହ ଓ ମନର ଏହି ବଳ ସେତେବେଳେ ଆଉ ରହିବନାହିଁ । ମୁଁ ସେତେବେଳେ କ’ଣ କରିବି ? ଗୋଟାଏ ପ୍ରକାର ଆଶଙ୍କା ଭୟଙ୍କର ରୂପ ଧରି ମୋତେ ବଡ଼ କାତର କରି ପକାଉଥିଲା । ଦୁର୍ବଳ ଭାବନାର ବଶବର୍ତ୍ତୀ ହୋଇ ଭାବୁଥିଲି, ଯେଉଁମାନେ ସମାଜର ସ୍ଵୀକୃତ ପଥରେ ଯାଉଚନ୍ତି, ବଡ଼ ହେଲେ ସେମାନଙ୍କୁ ହୁଏତ କୌଣସି କଷ୍ଟ ଭୋଗ କରିବାକୁ ପଡ଼ିବନାହିଁ । ସେମାନେ ଡିଗ୍ରୀ ପାଇଚନ୍ତି, ସେମାନେ ରୋଜଗାର କରୁଚନ୍ତି,ଏହି ସଂସାରରେ ସେମାନଙ୍କ ଲାଗି କୌଣସି ଅନିଶ୍ଚୟତା ନାହିଁ । ସଂସାରର ସଫଳପଥକୁ ସେମାନେ ଭାରି କୁଶଳ ଭାବରେ ଆୟତ୍ତ କରି ପାରିଚନ୍ତି । ମୁଁ ସ୍ଵୀକାର ପାଇବା ଲାଗି କୌଣସି ଦିନ କୌଣସି ଚେଷ୍ଟା କରିନାହିଁ । ମୁଁ ଆପଣାର ଅନ୍ତନିର୍ଦ୍ଦେଶକୁ ମାନି ଆପଣା ପଥରେ ଯାଇଚି । ମୋ’ର ହୃଦୟର ତାରୁଣ୍ୟ ମୋତେ ଏପର୍ଯ୍ୟନ୍ତ ଆଗକୁ ବାଟ କଢ଼ାଇ ନେଇଚି । ଶରୀରଟା ବୁଢ଼ା ହୋଇଗଲେ ତଥାପି ଏହି ତାରୁଣ୍ୟ ମୋତେ ଛାଡ଼ି ଚାଲି ଯିବନାହିଁ ତ ? ଆପଣାକୁ ଅନ୍ୟମାନଙ୍କ ସହିତ ତୁଳନା କରି ଆପଣା ଭିତରେ ମୁଁ କୌଣସି ଦିନ ମ୍ରିୟମାଣ ହୋଇ ପଡ଼ିବନାହିଁ ତ ? ଆଜି ଅତି ସ୍ଵାଭାବିକ ନିର୍ଭର ସହିତ ବାଟ କଢ଼ାଇ ନେଉଥିବା ଶ୍ରଦ୍ଧା ଓ ବିଶ୍ଵାସ ଚିରଦିନ ମୋ’ର ସହଚର ହୋଇ ରହିବ ତ ? ଏହିସବୁ ପ୍ରଶ୍ନର ଉତ୍ତର ମୁଁ ସେହି ଅନ୍ତର ଭିତରୁ ହିଁ ପାଇବି । ଆକାଶର ସମସ୍ତ ମେଘାବରଣ ସତ୍ତ୍ୱେ ପୂର୍ବଦିଗରେ ତଥାପି ଆଲୋକପଥର ଆୟୋଜନ କରୁଥିବା ସୂର୍ଯ୍ୟ ପାଖରେ ମୋ’ର ସଙ୍ଗଲାଳସା ଯାଇ ପହଞ୍ଚିଗଲା ପରି ମନେ ହେଉଚି; ଏହି ସୂର୍ଯ୍ୟର ସଙ୍ଗ ହିଁ ମୋତେ ମୁକ୍ତି ଦେବ ।

 

୨୭ । ୩ । ୬୨

 

ବର୍ତ୍ତମାନ ହାତରେ ଅନେକ କାମ । ଏ ହେଉଚି ସାହିତ୍ୟର କାମ, ଆନନ୍ଦ-ବିତରଣର କାମ, ଅନୁଭୂତିବିତରଣର କାମ । ଏହାକୁ ଭଗବାନଙ୍କର କାମ ମନେ କରି ଶାନ୍ତି ହୋଇଯିବାକୁ ପଡ଼ିବ । କାଲିଠାରୁ ମୁଁ ପ୍ରଧାନତଃ ଏହି କଥା ହିଁ ଭାବୁଚି । ଆଳସ୍ୟରୁ ଅନେକ ପ୍ରକାର ଅସ୍ଥିରତା ଆସି ଗ୍ରାସ କରେ । କୌଣସି କାମରୁ ଭଗବାନଙ୍କର କାମ ବୋଲି ଗ୍ରହଣ କରି ନପାରିବା ପର୍ଯ୍ୟନ୍ତ ଅନେକ ଅସ୍ଥିରତା ଆସି ଗ୍ରାସ କରେ, ଆପଣା ବିଷୟରେ ଅନେକ ପ୍ରକାରର ଅସହିଷ୍ଣୁତା ସକଳ ହୃଦୟକୁ ଜର୍ଜର କରି ରଖେ, ଧ୍ୟାନୀ ମନର ସକଳ ଧ୍ୟାନକୁ ଭାଙ୍ଗିଦିଏ । ମୋ’ର ଜୀବନରେ ମୁଁ ବାରବାର ଏହି ଅନୁଭୂତି ହିଁ ପାଇଚି । ଆପଣାର ଅଙ୍ଗେ ନିଭାଇଥିବା ଅନେକ ଅସ୍ଥିରତା ଜନିତ ଦୁଃଖ ମୋତେ ଏହି ଶିକ୍ଷା ଦେଇଯାଇଚି । କିନ୍ତୁ ଆଜି ସବୁସ୍ଥିର ହୋଇଯାଉ । ଆପଣାକୁ ସମର୍ପଣ କରିଦେବାର ସୁମୁହୂର୍ତ୍ତ ଆସି ପହଞ୍ଚିଚି, ଏଥିପାଇଁ ମୋ’ର ଉକ୍ତ ମନ ହିଁ ମୋ’ର ସକଳ ଇଚ୍ଛା ସକଳ ଧ୍ୟାନକୁ ଅନୁପ୍ରେରିତ କରୁ । ମୋ’ର ପ୍ରବୃତ୍ତି ମୂଳତଃ ଭକ୍ତିର ପ୍ରବୃତ୍ତି । ତଥାପି ସମସ୍ତ କର୍ମକୁ ବାଦ ଦେଇ ଏହି ଭକ୍ତି ବିକଶିତ ହୋଇ ପାରେନାହିଁ । ଆର୍ତ୍ତ ଆତୁର ଦିନଜଣ ଭାବରେ ମୁଁ ଆପଣାକୁ ହରାଇ ଦେବାରେ କୌଣସି କୃତାର୍ଥତା ଲାଭ ପାରେନାହିଁ, ମୋ’ର ଭକ୍ତି ଅର୍ଥାତ୍ ମୋ’ର ଶ୍ରଦ୍ଧା ଦ୍ଵାରା ମୁଁ ଆପଣାକୁ ଜାଣିବାର ମଧ୍ୟ ସୌଭାଗ୍ୟ ପାଏ । ଆପଣାକୁ ମହାନ୍ କରି ଜାଣେ, ଦେବାଳୟ କରି ଜାଣେ, ଏବଂ ଏହି ଜ୍ଞାନ ମୋତେ ଶ୍ରଦ୍ଧା ସହିତ ନାନା କ୍ଷେତ୍ରରେ ନାନାଭାବେ ପ୍ରବୃତ୍ତ କରେ, ନାନପ୍ରକାର କାର୍ଯ୍ୟରେ ଅତି ସହଜ ଭାବରେ ବାହାର କରି ନେଇଯାଏ । ଏହି ମାର୍ଗରେ ବାଟ ଚାଲି ମୁଁ ଭକ୍ତି, କର୍ମ ଆଉ ଜ୍ଞାନ ଭିତରେ କୌଣସି ବିଭେଦ କରି ପାରେନାହିଁ ଏବଂ ଏହି କାରଣରୁ ମୁଁ ତିନୋଟି ଭିତରୁ କୌଣସି ଗୋଟିକୁ ଅବଲମ୍ବନ କରି ଅନ୍ୟ ଦୁଇଟିକୁ ଛାଡ଼ିଥିବାର ପ୍ରମାଦରୁ ରକ୍ଷାପାଏ । ତିନୋଟି ବାଟକୁ ଆପଣାର କରିଥିବା ହେତୁ ମୋ’ ଭିତରେ ଥାଇ ଜୀବନର ହିଁ ଜୟ ହୁଏ ।

 

୨୮ । ୩ । ୬୨

 

ଆଜି ସକାଳେ ଉଠିବା ବେଳକୁ ସବୁସ୍ଥିର ଲାଗୁଥିଲା । ମୋ’ର ଚତୁର୍ଦ୍ଦିଗର ସଂସାର ପରି ଅଥଚ ଜୀବନମୟ ହୋଇ ରହିଥିଲା । ଏହାହିଁ ବୋଧହୁଏ ନବଜନ୍ମ ଲାଭ କରିବାର ଲକ୍ଷଣ । ଏହିପରି ଏକ ମଙ୍ଗଳମୟ ମୁହୂର୍ତ୍ତରେ ସମସ୍ତ ସଙ୍ଗ ଏ ସନ୍ନିଧାନକୁ ଆପଣା ହୃଦୟର ପାବଚ୍ଛ ଉପରେ ଲାଭ କଲାପରି ଅନୁଭୂତ ହୁଏ । ଭିତରେ ବଡ଼ ଏକାନ୍ତ ଭାବରେ ଆପଣା ଧ୍ୟାନ ଭିତରେ ସମସ୍ତ ଜୀବନରୁ ଅନୁଭବ କରୁଥିବା ପରି ଲାଗେ । ଏହି ଧ୍ୟାନ ଭିତରେ ସେତେବେଳେ କୌଣସି ମଳିନତା ନଥାଏ, କୌଣସି ଗ୍ଳାନି ନଥାଏ, କୌଣସି ପ୍ରକାର ଦ୍ଵେଷ ବା ଦହନ ନଥାଏ । ଅଭିଳାଷ ଥାଏ, ତଥାପି ଅତୃପ୍ତି ନଥାଏ; ବାସନା ଥାଏ ତଥାପି ଆସକ୍ତି ନଥାଏ । ଅନେକ ଦିନ ସକାଳେ ଉଠି ମୁଁ ଏହିପରି ଅନୁଭବ କରିଚି । ଆଜି ମଧ୍ୟ ଠିକ୍ ସେହିପରି ଅନୁଭବ କରୁଥିଲି, ଆପଣାର ଭାବମୟ ଓ ଧ୍ୟାନମୟ ଜୀବନରୁ ସକଳ ପ୍ରକାର ମୃତ୍ୟୁ ପ୍ରବୃତ୍ତି ବିଦୂରିତ ହୋଇଗଲେ, ଆପଣାର ଅନୁରକ୍ତି ଭିତରୁ ସମସ୍ତ ପ୍ରକାର ଅବିଶ୍ଵାସ ଦୂର ହୋଇଗଲେ ଯାଇ ଏପରି ଏକ ପ୍ରସନ୍ନ ଅବସ୍ଥା ସମୟରେ ହଠାତ୍ ଇଚ୍ଛା ହେଲା, ଗୁଣୁଗୁଣୁ କରି ପଦେ ଗୀତ ଗାଇବି । କିନ୍ତୁ ସେହି ଭିତରେ ଥାଇ କିଏ ମୋତେ ସଂବୃତ କରି ରଖିଲା । ନା,ବର୍ତ୍ତମାନ ଆଉ ଅନ୍ୟ କୌଣସି ଶବ୍ଦ ନୁହେଁ, ଅନ୍ୟ କୌଣସି ସ୍ପନ୍ଦନ ନୁହେଁ । ସବୁ ଶବ୍ଦ କେବଳ ଆପଣାକୁ ସେହି ନିଃଶବ୍ଦତା ଭିତରେ ନିଲୀନ ଓ ବ୍ୟାପ୍ତ କରି ଦେବାପାଇଁ, ସବୁ ଗୀତ କେବଳ ଆପଣାକୁ ସେହି ସ୍ଵୀକାରମୟ ଛନ୍ଦ ଭିତରେ ନିର୍ଭର ଦେଇ ରଖିବାପାଇଁ, ମୁଁ ଧନ୍ୟ ହେଲି ।

 

୨୯ । ୩ । ୬୨

 

ଈଶ୍ଵରରାଜ୍ୟର ସୂତ୍ରପାତନ କରାଇଥିବା ତୀକ୍ଷ୍ମମତି Calvin ଗୋଟିଏ ଜାଗାରେ ଲେଖିଚନ୍ତି, Till we escape out of the world, we are absent from the Lord;ମୁଁ ପଣ୍ଡିତ Calvinଙ୍କର ଅବଜ୍ଞା କରିବାକୁ ଚାହେନାହିଁ । ତାଙ୍କ ମତିପ୍ରଧାନତାର ମୁଁ ନିନ୍ଦା କରିବାକୁ ଚାହେନାହିଁ କିନ୍ତୁ ମୁଁ କେବଳ ଏତିକି କହିବି ଯେ, ଏ ପଥ ମୋ’ର ନୁହେଁ । ଭଗବାନଙ୍କ ପାଖରେ ଉପସ୍ଥିତ ରହିବା ଲାଗି ମୋତେ ଏହି ସଂସାରରୁ ଅସପରି ଯିବାକୁ ହୁଏନାହିଁ-। ଆପଣା ଗ୍ରହଣଦ୍ଵାର ଓ ନିବେଦନ ଦ୍ୱାରମାନ କିଳିଦେଇ ଅପସରି ଯିବାକୁ ମୁଁ ଧର୍ମ ବୋଲି ଗ୍ରହଣ କରି ପାରେନାହିଁ । ଏହି ସଂସାର ଭିତରେ ହିଁ ମୁଁ ଭଗବାନଙ୍କୁ ଅନୁଭବ କରିଥାଏ । ଯେତେବେଳେ ତାଙ୍କୁ ହରାଏ, ସେତେବେଳେ ଏହି ସଂସାର ମଧ୍ୟରେ ହିଁ ଲଗାଏ । ବଡ଼ ବ୍ୟାକୁଳ ଭାବରେ ମୁଁ ତାଙ୍କୁ ଏହି ସଂସାର ଭିତରେ ହିଁ ଖୋଜିବାକୁ ଲାଗେ । ପୁଣି ଯେତେବେଳେ ତାକୁ ଫେରିପାଏ, ଏହି ସଂସାର ଭିତରେ ହିଁ ତାଙ୍କୁ ଖୋଜିବାକୁ ଲାଗେ । ପୁଣି ଯେତେବେଳେ ତାଙ୍କୁ ଫେରିଯାଏ, ଏହି ସଂସାର ଭିତରେ ହିଁ ତାଙ୍କୁ ଫେରିପାଏ । ମୋ’ର ଦେଖିବାରେ କୌଣସି ପ୍ରକାର ଖଣ୍ଡିତତା ନରହିଲେ ହିଁ ମୁଁ ତାଙ୍କୁ ଦେଖିବାକୁ ପାଏ, ମୋ’ର ଅଭିଳାଷ ଭିତରେ କୌଣସି ପ୍ରକାର ମୋହ ବା ପ୍ରମତ୍ତତା ନ ରହିଲେ ହିଁ ମୁଁ ସେହି ଅଭିଳାଷର ମାର୍ଗ ଦେଇ ତାଙ୍କୁ ପାଏ । ମୋ’ର ଦେଖିବା ଧନ୍ୟ ହୁଏ, ମୋ’ର ଅଭିଳାଷ ଧନ୍ୟ ହୁଏ, ମୋ’ର ଚତୁର୍ଦ୍ଦିଗର ସଂସାର ଉପରୁ ସେତେବେଳେ ସକଳ ପ୍ରକାର ମାୟାବାରଣ ଅପସରି ଯାଏ । ଏହି ସଂସାରକୁ ବାଦ ଦେଇ ଆଉ କୌଣସି ସଂସାର ନାହିଁ, ଏହି ସାନ୍ନିଧ୍ୟକୁ ବାଦ୍‍ ମହଦୟା ଆଉ କୌଣସି ସାନ୍ନିଧ୍ୟ ନାହିଁ । ଆଜି ସକାଳେ ଉଇଁ ଆସୁଥିବା ସୂର୍ଯ୍ୟର ଅନୁଭବ କରୁଥିବା ସଙ୍ଗେସଙ୍ଗେ ମୁଁ ସେହି ଭଗବାନଙ୍କର ସାନ୍ନିଧ୍ୟ ହିଁ ଅନୁଭବ କରୁଚି-। କେଉଁ ବୁଦ୍ଧିପ୍ରସୂତ ସୂତ୍ରବଦ୍ଧ ପରକାଳର ସ୍ୱର୍ଗରେ ଭଗବାନଙ୍କୁ ଲାଭ କରିବାର ଲାଳସାରେ ମୁଁ ଏହି ଉଦୟପୂର୍ବକୁ ତୁଚ୍ଛ ମଣି, ଏହି ଅପୂର୍ବ ସାନ୍ନିଧ୍ୟକୁ ଅସ୍ଵୀକାର କରି ଆଉ କେଉଁଠାକୁ ଅପସରି ଯାଉଥିଲେ ମୁଁ ବଡ଼ ନିର୍ବୋଧତାର କାର୍ଯ୍ୟ କରୁଥାନ୍ତି । ଏହି ସଂସାରର ଉତ୍ସବକୁ ହୃଦୟ ଭିତରେ ଭରିନେଇ ହିଁ ମୁଁ ଭଗବାନଙ୍କର ଉପାସନା କରିବି, ଏହି ଉତ୍ସବକୁ ଅସ୍ଵୀକାର କରି ନୁହେଁ ।

 

୩୦ । ୩ । ୬୨

 

କାଲି ପାସ୍‌ପୋର୍ଟ୍ ଲାଗି ଫଟୋ ନେବାକୁ ବାହାରିଚି, ଜଣେ ବନ୍ଧୁ କହିଲେ, ଆପଣ ପାଇଜାମା ପିନ୍ଧି ପାସ୍‌ପୋର୍ଟ୍ ଲାଗି ଫଟୋ ଉଠାଇବେ ? ଆପଣକୁ ସୁଟ୍ ପିନ୍ଧିବାକୁ ହେବ, ବେକରେ ଟାଇ ଲଗାଇବାକୁ ପଡ଼ିବ । ତାଙ୍କର ମତଲବ ବୁଝି ପାରିଲି, ସେ କେଉଁ ମନୋଦୃଷ୍ଟିର ବଶବର୍ତ୍ତୀ ହୋଇ ଏପରି କହିଲେ, ସେକଥା ମଧ୍ୟ ଅଳ୍ପ ବହୁତ ବୁଝିଲି । କିନ୍ତୁ ତଥାପି ମୋ’ର ମନ ଭିତରେ ଦୁଇଟି କଥା ଅନେକ ସମୟଯାଏ ମୋତେ ଟିକିଏ ବ୍ୟସ୍ତ କରି ରଖିଥିଲା । ସୁଟ୍, ପ୍ୟାଣ୍ଟ ଆଉ ଟାଇ ଇଉରୋପୀୟ ଦେଶମାନଙ୍କରେ ପିନ୍ଧନ୍ତି । କିନ୍ତୁ ଇଉରୋପୀୟ ମନକୁ ମୁଁ ଯେତେଦୂର ବୁଝିଚି, କୌଣସି ଭାରତୀୟକୁ ସେ ଭାରତୀୟ ଭେକରେ ଦେଖିଲେ କଦାପି ତାହାକୁ କୌଣସି ପ୍ରକାରେ ଅସ୍ଵାଭାବିକ ବୋଲି ମନେ କରିବନାହିଁ । ଅବଶ୍ୟ ସେହି ଇଉରୋପୀୟ ଅନ୍ୟ କୌଣସି ଦେଶକୁ ମିଶନୀର ହୋଇ ଯାଇଥିଲେ ସେ ହୁଏତ ଅନ୍ୟପ୍ରକାର ବିଚାର କରିପାରେ । କିନ୍ତୁ ସାଧରଣ ଇଉରୋପବାସୀ ଭାରତୀୟକୁ ସାଧାରଣତଃ ଭାରତୀୟ ବେଶରେ ଦେଖିବାକୁ ଅପେକ୍ଷା ରଖିବ । ତେଣୁ, ଆମ ଦେଶରେ ଯେ ଆମେ ଏହି ଇଉରୋପୀୟ ମାର୍କାର ପୋଷାକଟା ଉପରେ ଏତେବଶୀ ମୋହ ଦେଖାଉଚୁ, ଏହା କ’ଣ କେବଳ ମୋହ ? ଏହା ପଛରେ କୌଣସି ପ୍ରକାର ମାନସିକ ବା ଦୃଷ୍ଟିଗତ ନିଃସ୍ଵତା ହେତୁ କୌଣସି ଗ୍ଳାନି ପ୍ରଚ୍ଛନ୍ନ ହୋଇରହିଚି କି ? ମଣିଷ ହିସାବରେ ତଥାପି ଆମ ଭିତରେ ମଣିଷସୁଲଭ କୌଣସି ଦ୍ଵାର ଅନାବିଷ୍କୃତ ରହି ଯାଇଚି କି ? ଦ୍ଵିତୀୟ କଥାଟି ହେଉଚି, ଏପର୍ଯ୍ୟନ୍ତ କୌଣସି ମଣିଷ କିଭଳି ଢଙ୍ଗର ପୋଷାକ ପିନ୍ଧିଚି, ମୁଁ ସେହିଥିରୁ କଦାପି ତା’ର ବିଚାର କରିବାର ଚେଷ୍ଟା କରିନାହିଁ । କେହି ସାହେବୀ ପୋଷାକ ପିନ୍ଧିଚି ବୋଲି ମୁଁ ତା’ପାଖରେ କୌଣସି ପ୍ରକାର ପ୍ରବାସିତା ଅନୁଭବ କରିନାହିଁ ବା ଆଉଜଣେ ଭାରତୀୟ ପୋଷାକ ପିନ୍ଧିଚି ବୋଲି ତା’ଲାଗି ମମତାରେ ଗଦ୍‌ଗଦ ହୋଇପଡ଼ିନାହିଁ । କିନ୍ତୁ ମୁଁ କେତେବେଳେ କ’ଣ ପିନ୍ଧୁଚି, ସୁଟ୍ ପିନ୍ଧୁଥିବା ଭାରତୀୟ ମାନଙ୍କ ଆଖିରେ ତାହା ଏପରି ପ୍ରଧାନ ହୋଇପଡ଼ୁଚି କିପରି, ମୋ’ର ପୋଷକରୁ ସେମାନେ ମୋ’ର ଭଲମନ୍ଦ ବିଷୟରେ ଉଦ୍‌ବିଗ୍ନ ହୋଇପଡ଼ୁଚନ୍ତି କିପରି ?

 

୩୧ । ୩ । ୬୨

 

ସ୍ଵାଧୀନତା ପୂର୍ବରୁ ଏଦେଶରେ ଭାରତୀୟ ପୋଷାକ ପ୍ରତି ଗୋଟାଏ ମୋହ ଥିଲା । ସତ୍ୟାଗ୍ରହ ଆନ୍ଦୋଳନ ସମୟରେ ଏଦେଶରେ କେତେ ଥାନରେ ବିଦେଶୀ ପୋଷାକ ଓ ବିଦେଶୀ ବସ୍ତ୍ର ଜଳାଇବାର ଅନୁଷ୍ଠାନମାନ ପାଳନ କରାଯାଇଥିବ । ସେତେବେଳେ ଭାରତୀୟକୁ ଭାରତର ପୋଷାକ ସବୁଠାରୁ ଭଲ ପୋଷାକ ବୋଲି ଦେଖା ଯାଉଥିଲା । କିନ୍ତୁ ସ୍ଵାଧୀନତା ମିଳିବା ପରେ ଅନେକ ଭାରତୀୟ କେବଳ ଇଉରୋପକୁ ଅନୁକରଣ କରିବାଟାକୁ ହିଁ ଆପଣାର ଧର୍ମ ବୋଲି ଗ୍ରହଣ କରି ନେଇଚନ୍ତି । ଏ ଦେଶରେ ଇଂରାଜୀଶିକ୍ଷିତ ବର୍ଗ ହିଁ ପ୍ରଧାନତଃ ଏହି ଅନୁକରଣର ପଣ୍ଡା ହୋଇ ବାହାରିଚନ୍ତି । ବେଳେବେଳେ ମୁଁ ଭାବେ, ଭାରତୀୟ ପ୍ରତ୍ୟେକ ପଦାର୍ଥକୁ ହେୟଜ୍ଞାନ କରିବାଟାକୁ ହିଁ ଏମାନେ ଶିକ୍ଷିତ ପ୍ରମାଣିତ ହେବାର ସର୍ବପ୍ରଧାନ ଅଭିମୁଖ୍ୟ ବୋଲି ଗ୍ରହଣ କରିଚନ୍ତି-। ଇଂରେଜ ଶାସନ ସମୟରେ ଇଂରେଜ ପୋଷାକ ଓ ଇଂରେଜୀ ଭାଷା ପ୍ରତି ମୋହ ଅବଶ୍ୟ ରହିଥିଲା । କିନ୍ତୁ ତାହା ଅତି ସୀମାବଦ୍ଧ ଭାବରେ ରହିଥିଲା । ତଥାକଥିତ ସିଭିଲଆନ୍ ବା ସର୍ବୋଚ୍ଚ ଚାକିରିଆମାନଙ୍କ ଭିତରେ ରହିଥିଲା । କିନ୍ତୁ ସେହି ବର୍ଗଟା ଭାରତୀୟମାନଙ୍କ ଠାରୁ ପ୍ରାୟ ନିର୍ବାସିତ ହୋଇରହିଥିଲା । ଏ ଦେଶରେ ସାଧାରଣ ମନୋଭାବ ସେମାନଙ୍କୁ ବଡ଼ ଦୟନୀୟ ଦୃଷ୍ଟିରେ ଦେଖୁଥିଲା । ଆଜି ମୁଁ ଭାବୁଚି, ଭାରତୀୟ ଦ୍ରବ୍ୟ ଓ ଭାରତୀୟତା ପ୍ରତି ବାସ୍ତବିକ କୌଣସି ଶ୍ରଦ୍ଧା ରହିଥିଲା ବୋଲି ହୁଏତ ସେତେବେଳେ ଆମେ ଏହି ଇଂରେଜୀ ଅନୁକୃତି ଦ୍ଵାରା ପ୍ରତିପାଳିତ ଉଚ୍ଚବର୍ଗମାନଙ୍କୁ ଅବଜ୍ଞା ଦେଖାଉନଥିଲୁ । ଆମେ ସେମାନଙ୍କ ପରି ସାଜିବାକୁ ଓ ହେବାକୁ ଇଚ୍ଛା କରୁଥିଲୁ, କିନ୍ତୁ ସାମର୍ଥ୍ୟର ଅଭାବରେ ସେମାନଙ୍କ ପରି ହୋଇ ପାରୁନଥିବାରୁ ଆମେ ବାହାରେ ସେମାନଙ୍କ ପ୍ରତି ଦ୍ଵେଷ ଦେଖାଇଥିଲୁ । ସେତେବଳେ ଦେଶରେ ଯେଉଁ ଜାତୀୟ ଆନ୍ଦୋଳନ ଚାଲିଥିଲା, ପ୍ରଧାନତଃ ଏହି ଦ୍ଵେଷର ବଶବର୍ତ୍ତୀ ହୋଇ ଆମେ ଆନୁଷ୍ଠାନିକ ଭାବରେ ସେଥିରେ ଯୋଗ ଦେଇ ଆତ୍ମସନ୍ତୋଷ ଲାଭ କରିଥିଲୁ । ଆଜି ଇଂରେଜ ଚାଲି ଯିବାପରେ ଆମର ସାମର୍ଥ୍ୟ ବଢ଼ିଲା, ତେଣୁ ଇଂରେଜ ପରି ହେବାର ambitionକୁ ଆମେ ପରମ ଉତ୍ସାହରେ ଚରିତାର୍ଥ କରିବାକୁ ବାହାରି ପଡ଼ିଲୁ ।

 

୧ । ୪ । ୬୨

 

ସବୁ ଖୁସୀ ଲାଗୁଚି, ସବୁ ଶାନ୍ତ ଲାଗୁଚି, ସବୁଥିରେ ସ୍ଵୀକାରକୁ ମୁଁ ଆପଣାର ହୃଦୟ ଭିତରେ ଅନୁଭବ କରୁଚି । ବୋଧହୁଏ ସେଇଥି ସକାଶେ କାଗଜ ଉପରେ ହାତ ଚଳିବାକୁ ରାଜି ହେଉନାହିଁ, କିଛି ଲେଖିବାକୁ ଇଚ୍ଛା ହେଉନାହିଁ । ପ୍ରସନ୍ନ ଚେତନା ଓ ଜୀବନମୟତା ଯେପରି କୌଣସି ପ୍ରକାର ଭାବନା ବା ବିଶ୍ଳେଷଣର କୌଣସି ହସ୍ତକ୍ଷେପ ଚାହୁନାହିଁ । ଅନେକ ସମୟରେ ମୋ’ର ଠିକ୍ ଏହିପରି ଅନୁଭୂତି ହୋଇଥାଏ । ମୁଁ ଭଲ କରି ଜାଣେ, ଏହି ଅନୁଭୂତି ଆଳସ୍ୟର ଅନୁଭୂତି ନୁହେଁ । ସଂସାରରୁ ବା ଜୀବନରୁ ପଳାଇ ଆଉ କେଉଁ କର୍ମହୀନତା ବା ନିଶ୍ଚିନ୍ତତା ଭିତରେ ବଞ୍ଚିବାର କୌଣସି ଫିକର ଏ ନୁହେଁ । ଏହି ଅନିଚ୍ଛା ପରେ ମୁଁ କେବେ କୌଣସି ଗ୍ଳାନି ବା ସଂତାପ ରହିଥିବାର ଅନୁଭବ କରେନାହିଁ । କେବଳ ଏକ ସ୍ଥିରତା, ଯିଏ ସଂପୂର୍ଣ୍ଣ ବିମୁକ୍ତ ଭାବରେ ଆପଣାକୁ ନୀରବରେ ସବୁରି ଭିତରେ ବ୍ୟାପ୍ତ କରିଦେବାକୁ ଚାହେ, ସକଳ ଜଗତ ସହିତ ଆତ୍ମୀୟ ହୋଇ କେବଳ ଶାନ୍ତ ହୋଇ ରହିବାକୁ ଚାହେ, ଛିଡ଼ି ଯାଇଥିବା ସକଳ ସୂତ୍ରକୁ ପୁଣି ଗଅଁଠାଇ ନେବାକୁ ଚାହେ, ସକାଳର ଏହି ପ୍ରଶାନ୍ତିମୟ ଆକାଶକୁ ଆପଣା ଭିତରେ ଭରିନେବାକୁ ଚାହେ । ଏହି ନୀରବତା ମଧ୍ୟରେ ମଣିଷ ଆଉ ପ୍ରକୃତି ଭିତରେ ମୁଁ କୌଣସି ଦ୍ଵନ୍ଦ୍ଵ ରହିଥିବାର ଅନୁଭବ କରି ପାରେନାହିଁ । ମୋ’ର ଭିତରେ ଆଉ ବାହାରେ କୌଣସି ଦ୍ଵନ୍ଦ୍ଵ ଥିବାର ଅନୁଭବ କରେନାହିଁ । ମୁଁ କେବଳ ଅନୁଭବ କରିବାକୁ ଚାହେ, ସବୁ ଦମ୍ଭ ଓ ସଚେତନତା ଛାଡ଼ି କେବଳ ଆପଣାର ପାତ୍ରଟି କରାଇ ନେବାକୁ ଚାହେ ।

 

୨ । ୪ । ୬୨

 

ପିଲାମାନଙ୍କର ପରୀକ୍ଷା । ଆଜି ସକାଳୁ ଉଠି ପ୍ରଧାନତଃ ସେହିମାନଙ୍କ ଉଦ୍ଦେଶ୍ୟରେ ମୋ’ର ସମସ୍ତ ମନ ଆନତ ହୋଇଆସୁଚି । ମୁଁ ଶିକ୍ଷକ । ଏମାନଙ୍କୁ ମୁଁ କ’ଣ କେତେଦୂର ପଢ଼ାଇ ଆସିଚି, ସେକଥା ମୁଁ ନିଜେ ଜାଣେ ନାହିଁ । ପରୀକ୍ଷା ସରିଗଲେ ମୁଁ ପଢ଼ାଇଥିବା ପାଠକୁ ଏମାନେ କେତେଦୂର ମନେ ରଖିବେ ବା ନରଖିବେ, ମୁଁ ସେକଥା ମଧ୍ୟ କହି ପାରିବିନାହିଁ । ଏଠୁ ସଂସାର ଭିତରକୁ ଯାଇ ହୁଏତ ସେମାନେ ସବୁ ପାଶୋରି ପକାଇବେ । ହୁଏତ ସେମାନଙ୍କର ପଢ଼ିଥିବା ପଥକୁ ସେମାନଙ୍କର ସଂସାର ଗ୍ରାସ କରି ପକାଇବ । ସଂସାରକୁ ସୁନ୍ଦରତର କରି ଗଢ଼ିବାର ପରିବର୍ତ୍ତନରେ ଏହି ସଂସାର ସହିତ ଚତୁରତା ସହିତ ଆପଣାକୁ ଖାପ ଖୁଆଇ ନେଇ ସିଦ୍ଧି ଓ ସଫଳତା ହାସଲ କରିବାକୁ ଏମାନେ ଆପଣାର ମାର୍ଗ ବୋଲି ଗ୍ରହଣ କରିନେବେ । ମୁଁ ତଥାପି ଆଜି ଏମାନଙ୍କର ମଙ୍ଗଳ କାମନା କରିବି । ଏମାନେ ଆପଣା ଆପଣା ପଥରେ ଅଗ୍ରସର ହୋଇଯାଅନ୍ତୁ, ମୁଁ ଏହାହିଁ କାମନା କରିବି; ଏମାନେ ଆପଣା ଆପଣା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଯାଅନ୍ତୁ, ମୁଁ ଏହାହିଁ କାମନା କରିବି । ଏଠାରେ ଯେଉଁ ଛାଞ୍ଚ ଭିତରେ ରହି ମୋତେ ପାଠ ପଢ଼ାଇବାକୁ ପଡ଼େ, ସେଠି ମଣିଷ ସହିତ ମଣିଷର ଭେଟ ହୁଏନାହିଁ । ଜିଜ୍ଞାସୁ ସହିତ ଜିଜ୍ଞାସୁର ଭେଟ ହୁଏନାହିଁ । ଆପଣାର କୌଣସି ପ୍ରକାର ତୃଷା ନିବାରଣ କରିବା ଅପେକ୍ଷା ଯେକୌଣସି ପ୍ରକାରେ ପରୀକ୍ଷା ପାସ୍ କରି ବଜାରରରେ ସ୍ଵୀକୃତ ହେବାର ପାସ୍ ପାଇବାକୁ ଏଠାକାର ଛାତ୍ର ଆପଣାର ପରମ ଧର୍ମ ବୋଲି ମନେକରେ । ଶିକ୍ଷକ ମଧ୍ୟ କେବଳ ଚାକିରି କରେ କେବଳ କାମ ଖଟେ, ପ୍ରଧାନତଃ ସେ ନିଜର ଜୀବିକା ନିର୍ବାହ କରେ; ଶିକ୍ଷା ଦେବାକୁ ଆପଣା ଜୀବନର ଅଂଶ ବୋଲି ନୁହେଁ, ଆପଣା ଜୀବନର ଏକ ସାଧନ ବୋଲି ଗ୍ରହଣ କରେ । ନାନା କ୍ଷମତା ଓ ନାନା ଭୟାର ଶାସନ ଭିତରେ ତାକୁ ଅନେକ ଖଣ୍ଡିତ ଓ କଳୁଷିତ ଭାବରେ ଚଳିବାକୁ ହୁଏ । ଆପଣା ଭିତରର ଅନେକ ଆକାଙ୍‌କ୍ଷା ଓ ପୁରୁଷାର୍ଥକୁ ଲୁଚାଇ ରଖି ତାକୁ ସୁନାପୁଅ ହୋଇ ରହିବାକୁ ହୁଏ । ଆପଣା ଭିତରର ମଣିଷକୁ ମାରିଦେବାକୁ ହୁଏ, କାରଖାନାର ଆଜ୍ଞାକାରୀ ଦାସ ହିସାବରେ ଆପଣାର ସକଳ ବୃତ୍ତିକୁ ନିୟନ୍ତ୍ରିତ କରିବାକୁ ହୁଏ । ତଥାପି ମୁଁ କହିବି, ଆଜି ପରୀକ୍ଷାକୁ ଯାଉଥିବା ଛାତ୍ରମାନେ ମଣିଷ ହୁଅନ୍ତୁ ।

 

୩ । ୪ । ୬୨

 

ଖାସ୍ ସର୍ବୋଦୟ ଦ୍ଵାରା ହିଁ ପୃଥିବୀର ସକଳ ସମସ୍ୟାର ସମାଧାନ ହୋଇଯିବ, ସର୍ବୋଦୟ ବିଷୟରେ ଯଦି ତୁମେ ମୋତେ ଏହି ଉତ୍ତର ଦେବାର ଚେଷ୍ଟା କରିବ, ତେବେ ମୁଁ କହିବି, ଏହି ସର୍ବୋଦୟ ମୋ’ର ପଥ ନୁହେଁ । ତୁମର ଅମୁକ ପଥ ମୋତେ ମୋ’ର ଲକ୍ଷ୍ୟସ୍ଥଳରେ ନେଇ ପହଞ୍ଚାଇ ଦେବ ବୋଲି ଯେତିକି ଏକାଗ୍ରହ ସହିତ ତୁମେ ପ୍ରମାଣ କରିବାକୁ ଆସିବ, ସେତିକି ମୁଁ ସନ୍ଦେହ କରି ବସିବି ଯେ, ସେହି ଅମୁକ ପଥଟା ମୋ’ର ପଥ ନୁହେଁ, ଏପରି ଏକାଗ୍ରହ ଓ ଅନ୍ଧ ଉତ୍ସାହ ହିଁ ମଣିଷକୁ ସକଳ ପଥକୁ ଭ୍ରଷ୍ଟ କରାଇ ଦେବାରେ ଭାରି ସାହାଯ୍ୟ କରେ, ଅଥଚ ପଥ ଠିକ୍ ଅଛି ବୋଲି ଏକ ମାରାତ୍ମକ ମୋହାନ୍ଧତାର ବାଣ ମାରି ରଖିଥାଏ । ଆଦର୍ଶ ପ୍ରତି ଯାହାର ଯେତିକି ଆସ୍ଥା ବଢ଼େ, ଆପଣା ଭିତରେ ସେ ସେତିକି ସ୍ଥିର ହୁଏ, ସେତିକି ଅପମତ୍ତ ହୁଏ । ଅନ୍ୟମାନଙ୍କ ସହିତ ସମ୍ପର୍କରେ ସେ ସେତିକି ସହିଷ୍ଣୁ ହୁଏ । ଆପଣା ପଥରେ ଚାଲିବାର ଆଗ୍ରହ ଓ ଅଭିଜ୍ଞତା ଯେତିକି ବଢ଼େ, ମଣିଷ ଅନ୍ୟମାନଙ୍କର ପଥ ଚାଲିବାକୁ ସେତିକି ସ୍ଵୀକୃତି ଦେଇଥାଏ, ସେତିକି ଧୈର୍ଯ୍ୟର ସହିତ ସେ ଅନ୍ୟର ଅଭିଜ୍ଞତାକୁ ଶୁଣିବାକୁ ଆସେ । ଅନ୍ୟର କଥାକାଟି ସେ ତର୍କା ତିରକ୍ତତା ଦ୍ଵାରା କୌଣସି ଗଡ଼ ଜାଣିବାରେ କୌଣସି ଆଗ୍ରହ ଦେଖାଏନାହିଁ । ସମସ୍ତଙ୍କୁ ଆପଣା ପଥକୁ ଓଟାରି ଆଣିବା ଅପେକ୍ଷା ସେ ଅନ୍ୟ ସମସ୍ତ ପ୍ରକାର ପଥରୁ ଶିଖିବାର ଆଗ୍ରହ ରଖିଥାଏ, ଓ ଆପଣାର ପଥରେ ତଥାପି ବିଶ୍ଵାସର ସହିତ ଗତି କରୁଥାଏ ।

 

୪ । ୪ । ୬୨

 

ମୋ’ର ବଢ଼ି ବଢ଼ି ଯାଉଚି । ଅଧିକ ଜୀବନ ଉପରେ ବିଶ୍ଵାସ, ଆପଣାର ସମ୍ଭାବନା ଗୁଡ଼ିକ ଉପରେ ଅଧିକରୁ ଅଧିକ ବିଶ୍ଵାସ ଆପଣା ଭିତରେ ଥିବା ସତ୍‌ପ୍ରବୃତ୍ତି ଗୁଡ଼ିକ ଉପରେ ଅଧିକରୁ ଅଧିକ ବିଶ୍ଵାସ । ମୁଁ ଜାଣେ, ଏହି ବିଶ୍ଵାସ ବଢ଼ିବା ସଙ୍ଗେ ସଙ୍ଗେ ସଂସାର ମଧ୍ୟ ଆଗକୁ ବଢ଼ିବ । ଆଦର୍ଶ ନେଇ ପରସ୍ପର ସହିତ ଖଣ୍ଡଯୁଦ୍ଧ ସୃଷ୍ଟି କଲେ ଆଗକୁ ବଢ଼ିବନାହିଁ, ନାନା ଅବିଶ୍ଵାସ ଓ ନାନପ୍ରକାର ମୃତ୍ୟୁଭୟର ପରିଣାମ ସ୍ଵରୂପ ମଣିଷର ବ୍ୟକ୍ତିଗତ ତଥା ସାମାଜିକ ଜୀବନରେ ଆଜି ନାନାପ୍ରକାର ଦ୍ଵନ୍ଦ୍ଵ ଘର କରି ରହିଚି । ଏହି ଦ୍ଵନ୍ଦ୍ଵ ଭିତରେ ଜଡ଼ପ୍ରାୟ ହୋଇ ତା’ର ଆପଣା ପ୍ରତି ଯେଉଁ ଅନାଦର ଓ ତୁଚ୍ଛତା ଆସିଚି, ତାହାରି ଫଳରେ ସେ ଆପଣାର ସମ୍ବନ୍ଧ ଓ ଆଚରଣରେ ଏପରି ଅସହିଷ୍ଣୁତା ଦେଖାଉଚି । ଏବଂ ତା’ର ଭାବଗତ ଜୀବନରେ ଗୋଟାଏ ପ୍ରକାର ଆତୁରତା ତାକୁ କାମୁଡ଼ି ରହିଥିବାରୁ ସେ ଏହି ଅସହିଷ୍ଣୁତାକୁ ହିଁ ଆଦର୍ଶବାଦର ବିମଣ୍ଡନ ଦେଇ ଭାରି ଆଡ଼ମ୍ବର କରିବାର ଚେଷ୍ଟା କରୁଚି । ସେଥିପାଇଁ ସେ ନାନପ୍ରକାର ମାଦକିତ ଦିବାସ୍ଵପ୍ନରେ ମଜ୍ଜି ରହି ସଂସାରଟା କେବଳ ତାହାରି ପଥରେ ଆସିଲେ ଯାଇ ସକଳ ଦୁରିତର ଅପନୋଦନ ହେବ ବୋଲି ଦାବୀ କରି ବସୁଚି । ଆପଣା ପଥରେ ଯିବା ଅପେକ୍ଷା ଅପରକୁ ଆପଣାର ସମର୍ଥିତ ପଥରେ ଯିବାଲାଗି ବାଧ୍ୟ କରିବାରେ ହିଁ ସେ ଅଧିକ ଶକ୍ତି, ସମୟ ଓ ଆଗ୍ରହ ଖର୍ଚ୍ଚ କରୁଚି । ସବୁ ମିଶି କେବଳ ମୋହ ଭିତରେ ବୁଡ଼ି ରହିବା ହିଁ ସାର ହେଉଚି । ସେ ଆପଣାର ମୋହାୟତନ ଭିତରେ ବନ୍ଦୀ ହୋଇରହିଚି । ଯିଏ ନିଜେ ବନ୍ଦୀ ହୋଇରହିଚି, ସେ ଅପରକୁ ମୁକ୍ତି ଦେବ କିପରି ? ତେଣୁ ମୋ’ର ମୋହ ଦରକାର ନାହିଁ, ବିଶ୍ଵାସ ହିଁ ଦରକାର ଅଛି ।

 

୫ । ୪ । ୬୨

 

ହୃଦୟର ଗ୍ରନ୍ଥି ଗୁଡ଼ାକ କ୍ରମେ ବୁଢ଼ା ହୋଇ ଆସୁଥିଲା ପରି ମନେ ହେଉଚି । ଆପଣାର ଶୁଭବାସନା ଗୁଡ଼ିକ ଅନୁସାରେ କର୍ମପଥରେ ଅଗ୍ରସର ହେବା ଯେପରି ଆଉ ସ୍ଵାଭାବିକ ଭାବରେ ସମ୍ଭବ ହୋଇ ପାରୁନାହିଁ । ଏତେ ପ୍ରକାର ଅନିଷ୍ଟଶଙ୍କା ଓ ଅନିଶ୍ଚୟତାର ଭୟ ମନକୁ ଘାରି ରଖିଚି ଯେ, ଶୁଭ ବାସନାକୁ ଠଉରାଇ ତାହାର ନିର୍ଦ୍ଦେଶ ଶୁଣି ପାରିବାର ଯୋଗ୍ୟତା ମଧ୍ୟ ଯେପରି ମୋ’ର ହ୍ରାସ ହୋଇଯିବାରେ ଲାଗିଚି । ମୁଁ ଭାବୁଚି, ଏହାକୁ କ’ଣ କେବଳ ବୟସର ପ୍ରାଦୁର୍ଭାବ ବୋଲି କୁହାଯିବ ? କିନ୍ତୁ ବୟସ ବଢ଼ିବା ସଙ୍ଗେ ସଙ୍ଗେ ତ ବିଜ୍ଞାତା ବଢ଼ିବା ଉଚିତ । ଦୃଷ୍ଟିର ସମସ୍ତ ପ୍ରକାରର ମଳିନତା ଘୁଞ୍ଚିଯିବା ଉଚିତ, କିନ୍ତୁ ଏଠି ଏ ଜାଲ ଭିତରେ ପଶି ଯେପରି ମୋ’ର ସବୁ ଓଲଟା ହୋଇଯିବାରେ ଲାଗିଚି । ମୁଁ ଯାହା ଠିକ୍ ବୋଲି ଭାବୁଚି, ଦଶଜଣଙ୍କ ସମକ୍ଷରେ ତାହାକୁ ଠିକ୍ ବୋଲି କହି ପାରୁନାହିଁ । ଯେଉଁଠି ଶଠତା ଦେଖୁଚି, ଅନ୍ୟାୟ ଦେଖୁଚି, ତାହାକୁ ଶଠତା ଓ ଅନ୍ୟାୟ ବୋଲି କହିବା ସମୟର ନାନପ୍ରକାର କୁଣ୍ଠା ଆସି ମୋତେ ବଡ଼ ସଙ୍କୁଚିତ କରି ପକାଉଚି-। ଅନ୍ୟାୟକୁ ସହିଯାଉଚି, ମୁଁ ଶଠତାକୁ ମଧ୍ୟ ସହିଯାଉଚି । ଭିତରେ କୌଣସି ଅନୁରକ୍ତି ନଥିଲେ ମଧ୍ୟ ବାହାରେ ମୁଁ ମୁରୁକିହସା ଦେଇ ତାହାକୁ ସ୍ଵୀକାର କରିନେଉଚି । ଜୀବନର ଦରବାରରେ ମୁଁ ଜୀବନକୁ ଭଲପାଇବା ଅପେକ୍ଷା କ୍ଷମତାକୁ ଯେପରି ଅଧିକ ଡରିବାକୁ ଶିଖୁଚି, ମଣିଷ ଲାଗି ତିଆରି ହେବା ଅପେକ୍ଷା ଯେକୌଣସି ପ୍ରକାରେ ଆପଣକୁ ନିରାପଦ ରଖିବାକୁ ଯେପରି ମୁଁ ମୋ’ର ମହତ୍ତର କର୍ତ୍ତବ୍ୟ ବୋଲି ମନେ କରୁଚି । ଏହା କ’ଣ କେବଳ ବୟସର ପ୍ରଭାବ ? ମୋ’ ଭିତରେ ତାରୁଣ୍ୟ ମରି ଯାଉନାହିଁ ତ ? ଶରୀର ବୁଢ଼ା ହୋଇଯିବା ସଙ୍ଗେ ସଙ୍ଗେ ମୋତେ ମୃତ୍ୟୁଭୟ ଗ୍ରାସ କରି ପକାଉନାହିଁ ତ ?

 

୬ । ୪ । ୬୨

 

ସଂସାରରେ କିଏ କେତେଦୂର ଭୁଲ୍ କଲା ବା ଠିକ୍ କଲା, କେବଳ ତାହାରି ଗୋଟାଏ ଫତୁଆ କରିଦେଲେ ଜୀବନର ସମସ୍ୟା ସମାଧାନ ହୋଇଯାଏନାହିଁ । ଜୀବନଟା ଯଦି ଲାଭକ୍ଷତି କଷି ବାହାର କରିଦେବାର ଅଙ୍କଖାତା ହୋଇଥାଆନ୍ତା, ତେବେ ହୁଏତ ଏପରି କରି ଶାନ୍ତି ମିଳୁଥାନ୍ତା-। କିନ୍ତୁ ତଥାପି ଆମର ସଂସାରରେ ଅନେକ ଏହିପରି ଏକ ହିସାବ କରି ଆପଣା ତଥା ଅନ୍ୟର ଜୀବନକୁ ବଡ଼ ବ୍ୟତିବ୍ୟସ୍ତ କରି ପକାନ୍ତି । କେତେଟା ଲାଭର ସମାହାରକୁ ସଫଳତା ବୋଲି ଧରିନେଲେ ସେମାନେ ସଫଳ ଓ ବିଫଳ,ଜୀବନର ଏହି ଦୁଇଟି ପ୍ରସ୍ଥ ବ୍ୟତୀତ ଆଉ କିଛି ଚିନ୍ତା କରି ପାରନ୍ତିନାହିଁ । କେବଳ ଭୁଲ୍‌ଟାକୁ ଦେଖାଇଦେଲେ ଜୀବନର ସବୁ କର୍ତ୍ତବ୍ୟ ସରି ଯାଏନାହିଁ-। ଭୁଲ୍‍ଟାକୁ ଯାଇ ଭୁଲ୍‍ ସହିତ ସହାବସ୍ଥାନ କଲେ ମଧ୍ୟ ଜୀବନର ସବୁ କର୍ତ୍ତବ୍ୟ ସାରି ଯାଏନାହିଁ-। ସଂସାରର ସମସ୍ତ ଭୁଲ୍ ସତ୍ତ୍ୱେ ତଥାପି ଅଧିକ ଜୀବନର ଆକାଙ୍‌କ୍ଷା ଓ ବିଶ୍ଵାସରେ ଜୀବନ ବଞ୍ଚିବାକୁ ହୁଏ । ସମସ୍ତ ଭୁଲ୍‍କୁ ଆପଣା ଜୀବନର ଏକ ଅଂଶରୂପେ ଅନୁଭବ କରି ସେହି ଅନୁଭୂତିର ଭୂମି ଉପରେ ନୂଆ କରି ଜୀବନ ଗଢ଼ିବାକୁ ହୁଏ, ନୂଆ କରି ବାଟ ଚାଲିବାକୁ ହୁଏ, ନୂଆ କରି ନିର୍ଭର ରଖିବାକୁ ହୁଏ, ନୂଆ କରି ଭଲ ପାଇବାକୁ ହୁଏ । ଯାହାର ଜୀବନରେ କେବେ କୌଣସି ଭୁଲ୍‍ ହୁଏନାହିଁ, ତା’ର ଜୀବନ କେତେଦୂର ବରଣୀୟ ହୋଇଥିବା ବା ନହୋଇଥିବ, ସେକଥା ମୁଁ ଜାଣେ ନାହିଁ; କିନ୍ତୁ ମୋ’ ଜୀବନରେ ମୁଁ ସେପରି ବରେଣ୍ୟତା ଅର୍ଜନ କରିବାକୁ କଦାପି କୌଣସି ଉତ୍ସାହ ଅନୁଭବ କରେନାହିଁ । କୌଣସି ମଣିଷକୁ ମୁଁ ତା’ର ଭୁଲ୍ ସକାଶେ ଛାଡ଼ିଯିବାକୁ ଚାହେନାହିଁ । ମୋ’ର କୌଣସି ଭୁଲ୍ ଦେଖି ମୋତେ କିଏ ଛାଡ଼ିଯାଉ ବୋଲି ମଧ୍ୟ ମୁଁ ଚାହେନାହିଁ ଛାଡ଼ିଯିବାର ଏ ବୈରାଗ୍ୟ ମୋ’ର ନୁହେଁ, ଉଗ୍ର ହୋଇ ଅସ୍ଵୀକାର କରିବାର ଧର୍ମ ମୋ’ର ନୁହେଁ; ଜୀବନର ପ୍ରତ୍ୟେକ ପାହୁଣ୍ଡରେ କେବଳ ସଫଳତା ଆଉ ବିଫଳତାର ବିଶ୍ଳେଷଣ କରି ବୁଲିବା ମୋ’ର ମାର୍ଗ ନୁହେଁ । ମୋ’ର ଚମ, ମୋ’ର ମାଂସ, ନାନା ସୌନ୍ଦର୍ଯ୍ୟରେ ମୁଗ୍‌ଧ ଆଉ ସ୍ଫନ୍ଦିତ ହୋଉ ଉଠୁଥିବା ମୋ’ର ଆଖି ପରି ମୋ’ର ହୃଦୟ ମଧ୍ୟ ଭାରି ଦୁର୍ବଳ; ମୁଁ ତାକୁ କଦାପି ଶକ୍ତି କରିଦେବାକୁ ଚାହେନାହିଁ । କୌଣସି finalistic ନୀତିବାଦ ଦ୍ଵାରା ମୁଁ ମୋ’ର ହୃଦୟକୁ ମାରିଦେବାକୁ ଚାହେନାହିଁ ।

 

୭ । ୪ । ୬୨

 

କାଲି ସକାଳେ ମୋ’ର କାର୍ଯ୍ୟ ଆରମ୍ଭ କଲାବେଳେ ଗୋଟିଏ ଧୂପକାଠି ଲଗାଇ ଦେଉଦେଉ ମୁଁ ଭାବୁଥିଲି, ଏ ଜୀବନରେ ମୁଁ କୌଣସି ପ୍ରକାରେ ବଞ୍ଚିତ ହେବାକୁ ଚାହେନାହିଁ, ମୁଁ କାହାରି ସହିତ ଶତ୍ରୁତା ଆଚରଣ କରିବାକୁ ଇଚ୍ଛା କରେ ନାହିଁ, ସଂସାରର ଭୂଇଁ ଉପରେ ମୁଁ କାହାର ସହିତ କୌଣସି ଯୁଦ୍ଧ କରିବାକୁ ଚାହେ ଚାହେଁ ନାହିଁ । ଦୁଇବର୍ଷ ତଳେ ଯିଏ ବାଦ କରି ମୋତେ ଛାଡ଼ିଦେଇ ଗଲା, ତାକୁ ମଧ୍ୟ ମୁଁ ଦିନେହେଲେ ଛାଡ଼ିଯିବାକୁ ଚାହି ନଥିଲି । ତାକୁ ମୁଁ ଆପଣାର ଆହୁରି ନିକଟକୁ ଆଣିବାକୁ ଚାହୁଥିଲି । ତାକୁ ମୋ’ର ଅଧସ୍ତନ ନକରି ମୁଁ ତାକୁ ମୋ’ର ସାଥୀ କରି ପାଇବାକୁ ଚାହୁଥିଲି । କିନ୍ତୁ ସେ ନବୁଝି ଚାଲିଗଲା । ମୋତେ ଅସ୍ଵୀକାର କରି ଚାଲିଗଲା, ଏହି ସଂସାରକୁ ଅସ୍ଵୀକାର କରି ଚାଲିଗଲା, ଜୀବନର ସମସ୍ତ ଅବଦନାକୁ ସେ ଅସ୍ଵୀକାର କରି ଚାଲିଗଲା । କାଲି ଦିନଯାକ ମୁଁ ଠିକ୍ ସେହିକଥା ଭାବୁଥିଲି । ମଣିଷ କାହିଁକି ଏହି ସଂସାରକୁ ଛାଡ଼ି ଚାଲିଯାଏ ? କାହିଁକି ସେ ସବୁଠାରୁ ସମସ୍ତ ଗଣ୍ଠି ଛିଡ଼ାଇ ଦେବାଲାଗି ଏପରି ଉତ୍ତେଜିତ ହୋଇଉଠେ, କାହିଁକି ସେ ଜୀବନର ସକଳ ଉତ୍ତରାଧିକାରକୁ ପ୍ରତ୍ୟାଖ୍ୟାନ କରି ଯିବାକୁ ଆପଣାର କାର୍ଯ୍ୟ ବୋଲି ଗ୍ରହଣ କରେ ? ମୁଁ ଏହାର ଉତ୍ତର ପାଏନାହିଁ । ସଂସାର ହେବାର ଭୂମି, ନେବାର ନୁହେଁ । ଅନ୍ତତଃ ମୁଁ ଏହାକୁ ଏହିପରି ଭାବରେ ଗ୍ରହଣ କରିଚି । ଆପଣା, ଭିତରେ ସର୍ବଶ୍ରେଷ୍ଠ ପ୍ରବୃତ୍ତିଗୁଡ଼ିକୁ ବିକଶିତ କରି ନିର୍ମଳ ହୃଦୟରେ ସଂସାର ଲାଗି ସମର୍ପଣ କରିପାରିବା ହେଉଚି ସଂସାର । ସ୍ନେହ ଓ ପ୍ରେମ ଲାଗି, ଅପର ଲାଗି, ଭୂମା, ଲାଗି ଆପଣାର ସକଳ ଆସକ୍ତିକୁ ନ୍ୟାସ କରିପାରିବା ହେଉଚି ସଂସାର । ଯାଇଥିବା ମଣିଷ ଯଦି ଆଜି ମଧ୍ୟ ଫେରିଆସେ, ମୁଁ ମନ ଭିତରେ କୌଣସି ଦ୍ଵେଷ ବା ଗ୍ଳାନି ନରଖି ତାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି, କିନ୍ତୁ ସିଏ ଆସିବ କି ?

 

୮ । ୪ । ୬୧

 

ପଞ୍ଚସ୍ତରୀ ବର୍ଷ ବୟସରେ ଗୋଟିଏ ପ୍ରସଙ୍ଗରେ ଜର୍ମାନୀର ମହାକବି Goethe କହିଚନ୍ତି ଏ, ତାଙ୍କ ଜୀବନଟା ମୂଳତଃ କେବଳ ଦୁଃଖଭୋଗରେ ହିଁ କଟିଗଲା, କେବଳ ଦାରୁଣ ବୋଝ ବୋହି କଟିଗଲା । ଆପଣାର ଜୀବନ ବିରୁଦ୍ଧରେ ତାଙ୍କର କାହାରି ପାଖରେ କୌଣସି ଅଭିଯୋଗ କରିବାର ଇଚ୍ଛା ନଥିଲେ ହେଁ ତଥାପି ସେ କହିବେ ଯେ, ଦୀର୍ଘ ପଞ୍ଚସ୍ତରୀ ବର୍ଷର ଜୀବନକାଳରେ ଖୁବ୍‌ବେଶୀ ହେଲେ ଚାରିସପ୍ତାହ ମାତ୍ର ହୁଏତ ସେ ପ୍ରକୃତ ସୁଖ ପାଇଚନ୍ତି । Goetheଙ୍କର ଆଶାବାଦ ବିଷୟରେ ମୋ’ର ଘନିଷ୍ଟ ପରିଚୟ ଅଛି, ଅନ୍ତଶକ୍ତି ଓ ପ୍ରଭୂତ କର୍ମଶକ୍ତିର କବି କି ନିଃସଙ୍ଗ ମୁହୂର୍ତ୍ତରେ କେଉଁ ପ୍ରସଙ୍ଗରେ ଏପରି ଭାବରେ ମତପ୍ରକାଶ କରିଚନ୍ତି, ସେକଥା ମୁଁ କହି ପାରିବିନାହିଁ । Geotheଙ୍କର ରଚନା ହୃଦୟଙ୍ଗମ କରି ତାଙ୍କୁ ମୁଁ ଯେତିକି ଜାଣିଚି, ସେଥିରୁ ନିରାଶାବାଦକୁ ତାଙ୍କ ଜୀବନର ସର୍ବପ୍ରଧାନ ସନ୍ଦେଶ ବୋଲି ମୁଁ କଦାପି ସ୍ଵୀକାର କରିବିନାହିଁ । ତଥାପି ମୁଁ କହିବି ଯେ, କୌଣସି କବି ବା ଦାର୍ଶନିକର ନିରାଶବାଦ ବିରୁଦ୍ଧରେ ମୋ’ରେ ଅଭିଯୋଗ କରିବାର କିଛି ନାହିଁ । ମୋ’ର ଜୀବନକୁ ମୁଁ ଅନ୍ତତଃ କେବଳ ଦୁଃଖଭୋଗ ବୋଲି କହିବିନାହିଁ । ପ୍ରଧାନତଃ ଏକ ବୋଝ ବୋହିବା ବୋଲି କହିବିନାହିଁ । ଏ ବୋଝ ତାଙ୍କର ବୋଝ, ତେଣୁ ଏହା ସହଜ ବୋଝ । ଏହି ଭଲ ପାଇବା, ଏହି ଜାଣିବା, ସବୁ ଜୀବନକୁ ଆତ୍ମୀୟ ବୋଲି ଜାଣି ତାହାରି ଭିତରେ ଆପଣାଙ୍କୁ ସମର୍ପଣ କରିଦେବା,-ଏହି ବୋଝ ଅତି ସହଜ ବୋଝ । ଏହାହିଁ ଜୀବନ, ଏଇଥିରେ ହିଁ ଜୀବନର ଅଶେଷ ମାଧୁରୀ ନିହିତ ହୋଇରହିଛି । ମୋ’ ଭିତରର ଜୀବନଧର୍ମୀ Bohemian ଏହି ସୁଖର ଆସ୍ଵାଦନ କରି ତଥାପି ସମ୍ପୂର୍ଣ୍ଣ ଭାବରେ ତୃପ୍ତ ହୋଇପାରିନାହିଁ । ସେଇଥିପାଇଁ ସେ ଆହୁରି ସୂତ୍ର ସ୍ଥାପନ କରିବ ବୋଲି ଆହୁରି ଅଧିକ କ୍ଷେତ୍ରରେ ବୁଲୁଚି ଯେତିକି ବୁଲୁଚି ସେତିକି ଅଭିଭୂତ ହେଉଚି, ସେତିକି ଧନ୍ୟ ହେଉଚି ।

 

୯ । ୪ । ୬୨

 

ବିରକ୍ତ ହେଉଚି ବୋଝ ପରିଚାୟକ, ବିସ୍ମୟହୀନତା ହେଉଚି ବୋଝ ବୋହିବାର ପରିଚାୟକ । ମୁଁ ଏହି ଜୀବନ ଉପରେ କେବେ ବିରକ୍ତ ହୋଇନାହିଁ । ହଁ, ନାନା ସମୟରେ ନାନପ୍ରକାର ବିମିଶ୍ରିତ ଭାବର ଆବେଗ ମୋତେ କେତେବେଳେ ସଂସାରର ଜୀବନୀତ୍ସବରୁ ଦୂରଛଡ଼ା କରି ରଖିଚି, ପୁଣି କେତେବେଳେ ଆପଣାର ଅନ୍ତର ଭିତରେ ହିଁ ମୁଁ ସମସ୍ତ ଜୀବନର ସମସ୍ତ ଉତ୍ସବକୁ ଠୁଳ କରି ଅନୁଭବ କରିବାକୁ ପାଇଚି, ସକଳ ପୃଥିବୀକୁ ମୋର ହାତପାପୁଲି ଉପରେ ଧରି ରଖିପାରିଚି, ସକଳ ମୁହୂର୍ତ୍ତକୁ ଗୋଟାଏ ମୁହୂର୍ତ୍ତ ଭିତରେ ସମ୍ଭାରି ରଖିପାରିଚି । କିନ୍ତୁ ଜୀବନକୁ ଦୁଃଖର ବୋଝ ବୋଲି ମୁଁ କେବେହେଲେ ଭାବିନାହିଁ । ଏହି ସଂସାର କେବେହେଲେ ନୀରସ ଲାଗିନାହିଁ । ମୋ’ର ସଂସାର ଓ ଜୀବନ ଭିତରେ ମୋ’ ଅନୁଭବ ଯେତିକି ବୃଦ୍ଧି ପାଇଚି, ମୋ’ର ସଂସାର ବିସ୍ମୟ ମଧ୍ୟ ସେତିକି ବଢ଼ିବାରେ ଲାଗିଚି । ଏହି ସଂସାର ଭିତରୁ ଲବ୍‌ଧ ହୋଇଥିବା ଦୃଶ୍ୟ, ଛନ୍ଦ, ସମ୍ପର୍କ ସମ୍ବେଦନା ସକାଶେ ହିଁ ମୋ’ ଭିତରର ଶିଶୁ କଦାପି ବୁଢ଼ା ହୋଇଯାଇନାହିଁ । ସେ ଗୋଟିଏ ଦିନକୁ କେବଳ ଆଉଗୋଟିଏ ଦିନର ପୁନରାବୃତ୍ତି ବୋଲି କେବେହେଲେ ଭାବିନାହିଁ, କେହିପରି କୌଣସି ଜୀବନବିନାଶୀ ବୈରାଗ୍ୟ ତାକୁ କେବେହେଲେ ଗ୍ରାସ କରି ପାରିନାହିଁ । ହଁ, ଏହି ସଂସାର ସହିତ ସୂତ୍ର ଲଗାଇ ହିଁ, ମୁଁ ଭଗବାନଙ୍କୁ ଅନୁଭବ କରି ଶିଖିଚି, ଏହି ସଂସାର ଓ ଜୀବନର ସଙ୍ଗମହିମା ମୋତେ ଶାସ୍ତ୍ରୋକ୍ତ ଶୁଷ୍କ ସଂସାରଗୁଡ଼ାକୁ ମାନିବା ପର୍ଯ୍ୟାୟରୁ ଉତ୍ତୋଳିତ କରି ସ୍ଥାୟୀ ଧର୍ମର ପର୍ଯ୍ୟାୟରେ ଉପନୀତ କରାଇଚି । ମୋ’ର ସ୍ଵର୍ଗ-କଳ୍ପନା ଏହି କଥାକଥିତ ମର୍ତ୍ତ୍ୟର ଶୁଭବାସନା ଉପରେ ହିଁ ଗଢ଼ି ଉଠିଚି, ଏଇଠି ରହି ମୁଁ ସଦାବେଳେ ଦୂରକୁ ହାତ ବଢ଼ାଇଚି ।

 

୧୦ । ୪ । ୬୨

 

ଜାତୀୟତାବାଦରେ ରାଜନୀତି ଆସି ମିଶିବା ଦିନଠାରୁ ଜାତୀୟତାବାଦ ଅନେକ ପ୍ରକାରେ ଭ୍ରଷ୍ଟ ହୋଇ ଯାଇଚି । ମନୁଷ୍ୟକୁ ସୌମ୍ୟତର ନକରି ତାହା ମଣିଷକୁ ଭ୍ରଷ୍ଟ କରିଚି । ଜାତୀୟତାବାଦ ଭିତରେ ରାଜନୀତି ଆସି ମିଶିଚି କହିଲେ ସମ୍ପୂର୍ଣ୍ଣ ସତ୍ୟ କହିବା ହେବନାହିଁ, ରାଜନୀତି କ୍ଷମତା ଜାତୀୟତାବାଦକୁ ଗ୍ରାସ କରି ପକାଇଚି, ଆପଣାର ପରାକ୍ରମ ବିସ୍ତାର କରି ରାଷ୍ଟ୍ର ବା ରାଜନୀତିକ କ୍ଷମତାବାଦ ମନୁଷ୍ୟ ବ୍ୟକ୍ତିକୁ ଗିଳି ପକାଇବାର ଯେ ଦୁରାତ୍ମ ଅଭିଯାନ ଆରମ୍ଭ କରିଚି, ତାହାର ସେହି ଅଭିଯାନରେ ସେ ଜାତୀୟତାବାଦକୁ ମଧ୍ୟ ଏକ ହତିଆର କରି ବ୍ୟବାହର କରିଚି । ମନୁଷ୍ୟର ଭାବଭୂମିରେ ଯେତେପ୍ରକାର ଅନୁରକ୍ତି ଥିଲା, ଆପଣାକୁ ସଂପ୍ରସାରିତ କରିଦେବାର ଯେତେ କ୍ଷେତ୍ର ରହିଥିଲା, ସେହିସବୁ ଅନୁରକ୍ତ ଓ କ୍ଷେତ୍ରକୁ ଦଖଲ କରି ରାଜନୀତିକ କ୍ଷମତାବାଦ ଆଜି ମନୁଷ୍ୟ ବ୍ୟକ୍ତଟିକୁ ବଡ଼ ସହାୟହୀନ ଓ ସର୍ବସ୍ଵାନ୍ତ କରି ପକାଉଚି, ନିଃସହାୟ ଭାବରେ ରାଜନୀତିକି ସତ୍ତାକୁ ପରମାଶ୍ରୟ ବୋଲି ଗ୍ରହଣ କରିବା ବ୍ୟତୀତ ଆଧୁନିକ ମଣିଷ ଆପଣା ଲାଗି କୌଣସି ଗତ୍ୟନ୍ତର ଦେଖୁନାହିଁ । ସମୂହର କେତେଟା ଫରମାସୀ ବାଟ ସହିତ ଆପଣାକୁ identified କରିଦେବା ବ୍ୟତୀତ ସେ ଆପଣା ଜୀବନର କୌଣସି ସ୍ଵତନ୍ତ୍ର ଯଥାର୍ଥତା ଅନୁଭବ କରି ପାରୁନାହିଁ, ମୁଁ ମୋ’ ଜାତିକୁ ଭଲ ପାଇବି, ଅର୍ଥାତ୍ ମୋ’ର ନିକଟତର ହୋଇ, ମୋ’ର ପରିବେଶ ହୋଇ ଯେଉଁ ମନୁଷ୍ୟ ଗୋଷ୍ଠୀ ମୋତେ, ନାନାପ୍ରକାରେ ପ୍ରେରିତ ମୋ ପ୍ରଭାବିତ କରୁଚି, ମୁଁ ତାହାକୁ ଆପଣାର ବୋଲି ଭଲ ପାଇବି । ସମସ୍ତ ମନୁଷ୍ୟ ଜାତିର tangible ପ୍ରତୀକ ହିସାବରେ ମୁଁ ତାକୁ ଭଲ ପାଇବି । ତାହାରି ପୀଠ ଉପରେ ଠିଆ ହୋଇ ମୁଁ ସାହିତ୍ୟ ଓ ସଂସ୍କୃତିକୁ ବୁଝିବାକୁ ଚେଷ୍ଟା କରିବି, ସ୍ଥୂଳ ଆବଶ୍ୟକତା ଓ ଲାଳସାର ଉତ୍ତେଜନା ଓ ବ୍ୟସ୍ତତା ସେପାଖରେ ଜୀବନଧର୍ମର ଯେଉଁ ସୂକ୍ଷ୍ମତର ଆହ୍ଵାନମାନ ରହିଚି, ମୁଁ ଗୋଟିଏ ସାଂସ୍କୃତିକ ଗୋଷ୍ଠୀ ଭିତରେ ମୋର ଜୀବନ ବଞ୍ଚି ସେହି ଆହ୍ଵାନଗୁଡ଼ିକୁ ଅନୁଭବ କରିବି, ତାହାରି ଅନୁସାରେ ଆପଣାକୁ ପ୍ରସ୍ତୁତ କରିବି, ଆପଣାକୁ କ୍ଷୁଦ୍ର ସୀମାଗୁଡ଼ିକରୁ ମୁଁ ଉତ୍ତେଳିତ କରିନେବି-ମୋ’ର ଜାତିକୁ ଆପଣାକୁ କ୍ଷେତ୍ର ବୋଲି କହିବାବେଳେ ମୁଁ ଏହାହିଁ ବୁଝିଥାଏ । କିନ୍ତୁ ଜାତି ନାମରେ ମୁଁ ଅଫିମ ଖାଇବି, ସମୂହ ନାମରେ ମୁଁ ପଶୁର ଆଚରଣ କରିବି ଓ କାହାକୁ ନିର୍ଲଜ ସମର୍ଥନ ଦେବି, ମୋ’ ଦ୍ଵାରା ଏହା ହୋଇ ପାରିବନାହିଁ ।

 

୧୧ । ୪ । ୬୨

 

କୌଣସି ସର୍ତ୍ତ ରଖି ମୁଁ ଏ ସଂସାରରେ ମୋର ଜୀବନ ବଞ୍ଚିବାକୁ ଆସିନାହିଁ । ମୋ’ର ଇଚ୍ଛା ବିରୁଦ୍ଧରେ ଅନ୍ତତଃ ମୋର ସମ୍ମତି ବା ଅସମ୍ମତିର କୌଣସି ଅପେକ୍ଷା ନରଖି ମୋତେ ଏହି ସଂସାରକୁ ପଠାଇ ଦିଆଯାଇଚି ବୋଲି ଏକ ସୈଦ୍ଧାନ୍ତିକ ଅଭିଯୋଗ କରି ମୁଁ ସେଇଥିରୁ ଆପଣା ଜୀବନ ବଞ୍ଚିବାର ଶୈଳୀ ବାହାର କରିବାକୁ ଚେଷ୍ଟା କରୁନାହିଁ । ମୁଁ ମୋ’ର ଜୀବନକୁ ଏକ ବରଦାନ ବୋଲି ଗ୍ରହଣ କରିଚି, ଏକ ଆଶୀର୍ବାଦ ବୋଲି ଗ୍ରହଣ କରିଚି । ଭିତରେ ଏତେ ଆଶା, ଏତେ ଆକାଙ୍‌କ୍ଷା, ଏତେ ସ୍ଵପ୍ନ-ଏହାକୁ ମୁଁ କୌଣସି ପ୍ରକାର ମରଣଦର୍ଶନର ବୌଦ୍ଧିକତାରେ ଦୂଷିତ କରିଦେବାକୁ ଚାହେନାହିଁ, କୌଣସି ପ୍ରକାର ବଣିକବିଦ୍ୟାର ହିସାବ କିତାବ ଦ୍ଵାରା ମୁଁ ନେହାକୁ ବିମୂଢ଼ କରିଦେବାକୁ ଚାହେନାହିଁ। ମୁଁ ବିନାସର୍ତ୍ତରେ ମୋର ଜୀବନ ବଞ୍ଚିବି, ବିନା ସର୍ତ୍ତରେ ଆପଣାକୁ ନାନା କାର୍ଯ୍ୟରେ ପ୍ରବୃତ୍ତ କରିବି, ବିନା ସର୍ତ୍ତରେ ଏ ପୃଥିବୀରେ ବନ୍ଧୁ ଖୋଜି ବୁଲିବି, ବିନା ସର୍ତ୍ତରେ ନାନା ସ୍ନେହ ଓ ଶ୍ରଦ୍ଧାରେ ବନ୍ଧନରେ ବାନ୍ଧି ହୋଇଯିବି, ବିନା ସର୍ତ୍ତରେ ଆପଣାକୁ ନାନା କ୍ଷେତ୍ରରେ ସମର୍ପଣ କରିଦେବି । ମୋ’ର ଭୁଲ୍‍ଗୁଡ଼ାକୁ ପଦାରେ ପଡ଼ିଯିବ ବୋଲି ସଦାସତର୍କ ଓ ସଦାଚତୁର ରହି ମୁଁ ଜୀବନର ମଧୁରତାକୁ ନଷ୍ଟ କରି ଦେବିନାହିଁ । ମୋ’ର ଭିତରେ ଭଲ ରହିଚି, ଏତକ କହିବାରେ ମୁଁ କାହାର ପାଖରେ ଲଜ୍ଜା ଅନୁଭବ କରିବିନାହିଁ, ମୋ’ର ଭଲଗୁଡ଼ାକ ଅଧିକ ଚିହ୍ନି ଓ ଭଲ ଉପରେ ଅଧିକ ନିର୍ଭର କରି ଶିଖି ତ ମୁଁ ଲାଭଗୁଡ଼ାକୁ ଅତିକ୍ରମ କରିପାରିବି, ଏହା ବ୍ୟତୀତ ଆପଣାର ବିକାୟ ଲାଗି ଅନ୍ୟ ପ୍ରଶସ୍ତ ରାସ୍ତା ମୁଁ କିଛି ଜାଣେନାହିଁ । ସେଥିଲାଗି ଆପଣାକୁ ଗୋପନ କରି ରଖିବା ମଧ୍ୟ ମୋ’ ଜୀବନର ପ୍ରଧାନ activity ନୁହେଁ-ଆପଣାକୁ ପ୍ରକାଶ କରିବାହିଁ ମୋ’ର ଧର୍ମ । ଏହି ଧର୍ମ ଅନୁସରଣ କରି ମୁଁ ଜଗତ ଦେଖିବାକୁ ହୁଏତ କେତେ ଜାଗାରେ ହାରିବି, କେତେ ଜାଗାରେ ଅପଦସ୍ଥ ହେବି, ତଥାପି ଏହାହିଁ ହେଉଚି ମୋ’ର ରାସ୍ତା ।

 

୧୨ । ୪ । ୬୨

 

କଲିକତାର କୌଣସି ପତ୍ରିକାର ହଜରତ ମହମ୍ମଦଙ୍କର ଛବି ବାହାରିଚି, ସେଥିଲାଗି ସହରର ମୁସଲମାନ ଛାତ୍ରମାନେ ଶୋଭାଯାତ୍ରା ବାହାର କରି ଏହାର ପ୍ରତିବାଦ କରିଚନ୍ତି ଏବଂ ପତ୍ରିକାରେ ପ୍ରକାଶକଙ୍କୁ ଗିରଫ କରାଯାଉ ବୋଲି ଦାବୀ କରିଚନ୍ତି । ପୈଗମ୍ବରଙ୍କର ପ୍ରତିକୃତି ବାହାରିବ ନାହିଁ, ଏପରି ନିଷେଧ କୁଆଡ଼େ ମୁସ୍‌ଲିମ୍ ଧର୍ମଶାସ୍ତ୍ରରେ ରହିଚି । ନ ତାସ୍ୟ ପ୍ରତିମା ଅସ୍ତି, ଏପରି ଏକ ବାକ୍ୟ ତ ହିନ୍ଦୁ ଉପନିଷଦରେ ରହିଚି । ଉପନିଷଦ ଯୁଗରେ ଯେବେ ପୁରାଣର ଯୁଗ ଆସିଲା, ମନୁଷ୍ୟର କଳ୍ପନା ଭିତରୁ ଅଗଣିତ ଦେବତା ଓ ଦେବୀ ଆକୃତି ପାଇଲେ, ସେତେବେଳେ ହିନ୍ଦୁ ସମାଜରେ ଏପରି କନ୍ଦଳ ହୋଇଥିଲା କି ନାହିଁ ମୁଁ ଜାଣେନାହିଁ । ମୁସଲମାନ ଧର୍ମ ବିରୁଦ୍ଧରେ ମୋ’ର କୌଣସି ଅଭିଯୋଗ ନାହିଁ । କିନ୍ତୁ ସେହି ଧର୍ମରେ ଥିବା ଏହି ସଂସ୍କାରଗତ ଅନ୍ଧତା ଓ ଉଗ୍ରତା ବିରୁଦ୍ଧରେ ଜଣେ ମଣିଷ ହିସାବରେ ମୋ’ର ଯଥେଷ୍ଟ ଅଭିଯୋଗ ରହିଚି । ଯେକୌଣସି ଧର୍ମରେ ଓ ଯେକୌଣସି ଜୀବନ କ୍ଷେତ୍ରରେ ରହିଥିବା ସଂସ୍କାରଗତ ଅନ୍ଧତା ପ୍ରତି ମୋ’ର ସବୁବେଳେ ଅନାଗ୍ରହ ରହିଚି । ଇସ୍‌ଲାମ୍‌ର ଧର୍ମକ୍ଷେତ୍ର ଭିତରେ ସୁଫି ଧର୍ମ ରହିଚି । ଇସ୍‌ଲାମ୍‌ର ଇତିହାସ ଭିତରେ ଅଲ୍-ଘଜଲିଙ୍କ ଜୀବନବୃତ୍ତାନ୍ତ ମଧ୍ୟ ରହିଚି । ତଥାପି ମୋ’ର ମନେହୁଏ, ଏହିସବୁ ସନ୍ତଧର୍ମର ପ୍ରଭାବାଦ୍ଵାରା ଧର୍ମର ଆନୁଷ୍ଠାନିକତା ଓ ରକ୍ଷଣଶୀଳତା ଯେତେ ବଦଳିବା ଉଚିତ, ମୁସଲମାନ ଧର୍ମରେ ତାହା ହୋଇପାରିନାହିଁ । ସେହି ଧର୍ମରେ ଯଥେଷ୍ଟ ଗତିଶୀଳତା ଓ ଗ୍ରହଣଶୀଳତା ସମ୍ଭବ ହୋଇ ପାରିନାହିଁ । ତେଣୁ ମଣିଷକୁ ନୂତନ ଦୃଷ୍ଟି ଦେବା ପରିବେର୍ତ୍ତେ, ମଣିଷକୁ ଧର୍ମଗତ ଜୀବନରେ ଅଧିକ ପ୍ରବର୍ତ୍ତିତ କରିବା ପରିବର୍ତ୍ତେ, ଇସ୍‌ଲାମ୍, ମଣିଷର ମନ ହୃଦୟକୁ କେବଳ କେତେଟା ଆଚାର ଓ ସଂସ୍କାର ଭିତରେ ବନ୍ଦୀ କରି ବାନ୍ଧି ପକାଇଚି,ମଣିଷ ଉଦୟକୁ ବଡ଼ ବ୍ୟାହତ କରି ରଖିଚି ।

 

୧୩ । ୪ । ୬୨

 

ଛାତ୍ର,ସେ ହେଉଚି ଯୁବକ । ସେ ବର୍ତ୍ତମାନର ଦାୟିତ୍ଵ ଗ୍ରହଣ କରିବ । ବର୍ତ୍ତମାନ ଦାୟିତ୍ଵ ଗ୍ରହଣ କରିବା ସଙ୍ଗେ ସଙ୍ଗେ ସେ ଭବିଷ୍ୟତର ନିର୍ମାଣ କରିବି । ମଣିଷର ଏହି ଜୀବନକୁ ଅଧିକ ସୁଖୀ ଓ ସୁନ୍ଦର କରିବ, ତା’ର ପ୍ରତିବେଶକୁ ସେ ଅଧିକ ମନୁଷ୍ୟୋଚିତ କରିବ । ଅର୍ଥାତ୍, ଯେଉଁ ଦେଶ ବା ଯେଉଁ ଯୁଗରେ ଯୁବକ ପଛମୁହଁ । ହୋଇ ରହେ, ଅତୀତ ଧର୍ମର କେତେଟା ବହିଲେଖା ସଂସ୍କାର ବା ବିଧାନକୁ ସେ ଧର୍ମ-ବୋଲି ଗ୍ରହଣ କରେ ଓ ସେଥିପାଇଁ ପୁଣି ସେ ଆନୁଷ୍ଠାନିକ ଭାବରେ ବିଦ୍ଵେଷ ବଢ଼ାଇବାକୁ ବାହାରିପଡ଼େ ସେହି ଯୁଗ ଓ ସେହି ଦେଶକୁ କେବଳ ଅଧମ ଓ ହତଭାଗ୍ୟ ବୋଲି କହିବାକୁ ହେବ । ଏହିପରି ଉତ୍ସାହକୁ କେବଳ ଏକ ଅତି ନିକୃଷ୍ଟ ଉତ୍ସାହ ବୋଲି କହିବାକୁ ହେବ । ମୁସଲ୍‌ମାନ ହୁଅ ବା ହିନ୍ଦୁ ହୁଅ, ଜୀବନର ଏକ ସାମାନ୍ୟ ଧର୍ମ ରହିଚି, ଯୌବନର ଏକ ସାମାନ୍ୟ ଧର୍ମ ରହିଚି । ଦାୟିତ୍ଵପୂର୍ଣ୍ଣ ଜୀବନଦୃଷ୍ଟିର ମଧ୍ୟ ଏକ ସାମାନ୍ୟ ଧର୍ମ ରହିଚି । ଏ ଦେଶରେ ଦାରିଦ୍ର୍ୟ ରହିଚି, ତାହାକୁ ଦୂର କରିବା ଲାଗି ଯୁବକକୁ ଯୋଗ୍ୟଦୃଷ୍ଟି ସମ୍ପନ୍ନ ହେବାକୁ ପଡ଼ିବ । ଏ ଦେଶରେ ଅନେକ ପ୍ରକାର ଅନ୍ୟାୟ ରହିଚି, ଏ ଦେଶର ମଣିଷ ଅନେକ ପ୍ରକାରେ ଅପମାନିତ ଓ ଅସମ୍ମାନିତ ହେଉଚି । ଯୁବକ ଏହି ଅପମାନ, ଅନ୍ୟାୟ ଅସମ୍ମାନ ଦୂର କରିବା ଲାଗି ପ୍ରସ୍ତୁତ ହେବ । ସେତିକିବେଳେ ଯେଉଁ ଯୁବକ ଧର୍ମସୂତ୍ରର ଅଫିମ ଖାଇ ଧର୍ମକୁ ଅନୁଷ୍ଠାନିକ ଓ ସମ୍ପ୍ରଦାୟଗତ ରାଜନୀତି ଭିତରେ ନିମିତ୍ତ କରି ବ୍ୟବହାର କରିବାକୁ ଚାହେ, ମୁଁ ସେହି ଯୁବକକୁ ଏ ଦେଶର ଲଜ୍ଜା ବୋଲି କହିବି, ଏହି ନିର୍ମାଣଯୁଗରେ ଲଜ୍ଜା ବୋଲି କହିଚି । ଭୋକ, ଅନ୍ୟାୟ ଶୋଷଣ ପତି ଆଖି ବୁଜି ଯିଏ ବହିରେ ପୈଗମ୍ବରଙ୍କର ଛବି ରହିଥିବାର ପ୍ରତିବାଦ କରି ବାହାରେ, ତାହାର ବ୍ୟାଧି ଦୂର କରିବାକୁ ଏ ଦେଶର ନୂତନ ଧର୍ମ କେବେ ସଂସ୍ଥାପିତ ହେବ ?

 

୧୪ । ୪ । ୬୨

 

ସ୍ଥିର ହେବା ମଣିଷର ଧର୍ମ, ଧୈର୍ଯ୍ୟ ଧରିବା ହେଉଚି ମଣିଷର ଗୁଣ । କିନ୍ତୁ ଖାଲି ସ୍ଥିର ହୋଇ ରହିଲେ ଏ ପାପ ଦୂର ହେବନାହିଁ ଖାଲି ଧୈର୍ଯ୍ୟ ଧରି ରହିଲେ ଏହି ଅନ୍ୟାୟ ଦୂର ହେବନାହିଁ । ଭୀରୁର ଭୀରୁତାକୁ ସ୍ଥିରତା ବା ଧୀରତା ବୋଲି ଭ୍ରମ କରି ପଡ଼ି ରହିଥିବା ପର୍ଯ୍ୟନ୍ତ ଏ ଅନ୍ଧକାର ଘନତର ହେବାରେ ଲାଗିଥିବ । ସ୍ଥିର ହେବାର ଛଳନା କରି ଆଖି ବୁଜି ରହିଥିବା ପର୍ଯ୍ୟନ୍ତ ମଣିଷ ଉପରେ ଅନ୍ୟାୟ ହୋଇଚାଲିଥିବ । ସଂସାରରେ ନାନା ଉଣ୍ଡର ମୁଖା ପିନ୍ଧି ଶଠତା ରାଜତ୍ଵ କରିବାରେ ଲାଗିଥିବ । ଆପଣା ଭିତରେ କୌଣସି କ୍ଷମତା-ଲାଳସା ବା କୌଣସି ପ୍ରକାର ମୋହ ରଖିବା ଉଚିତ ନୁହେଁ ଏକଥା ମୁଁ ସବୁବେଳେ ସ୍ଵୀକାର କରିବି । କିନ୍ତୁ ତଥାପି ଅନ୍ୟାୟକୁ ଅନ୍ୟାୟ ବୋଲି କହିବାକୁ ହେବ, ଅଯୋଗ୍ୟ କର୍ତ୍ତାକୁ ଅଯୋଗ୍ୟ କର୍ତ୍ତା ବୋଲି କହିବାକୁ ହେବ, ମଣିଷର ଅସମ୍ମାନ ହେଉଥିବା ବେଳେ ଆପଣାର ସମସ୍ତ ସ୍ଵୀକୃତ ସମ୍ମାନାସନ ଛାଡ଼ି ତା’ ଲାଗି ଠିଆ ହେବାକୁ ପଡ଼ିବ । ତା’ ନହେଲେ କିଛି ବଦଳିବ ନାହିଁ । ମୋ’ର ଚାରିପାଖରେ ଅନ୍ୟାୟ ଘର କରି ରହିଚି ଶିକ୍ଷାର ଅଭିନୟ କରୁଥିବା ଅଶିକ୍ଷିତ ବର୍ବରତା ଘର କରି ରହିଚି, ଶିକ୍ଷାଦାନର ସୁନ୍ଦର ଅଟ୍ଟାଳି ଗଢ଼ି ଦେଇ ତାହାରି ଭିତରେ ଧନଲୋଭୀ ଓ ସମ୍ମାନଲୋଭୀ କ୍ଷୁଦ୍ର ମଣିଷମାନଙ୍କର ଶଠତା ଲାଗିରହିଚି, ଭୟ ଓ ଖୁସାମତି ଭିତରେ ମଣିଷର ସବୁ ମଣିଷପାଣିଆ ମରି ଯାଉଚି, ଜୀବନରେ ଆପଣାର ପଦ ହରାଇ ବସିବାର ଆଶଙ୍କା ଆପଣାର କର୍ତ୍ତବ୍ୟ ବିଷୟରେ ଭାରି ଜଡ଼ କରି ରଖିଚି, ଏପରି ସୁଆଙ୍ଗ ଲାଗି ରହିଥିବା ପର୍ଯ୍ୟନ୍ତ କୋଉ ଦେଶର କି ଉନ୍ନତି ହେବ, କୋଉ ମଣିଷର କି ଉଦୟ ହେବ ? ଅନ୍ନସଂସ୍ଥାନରେ ଆସନଟାକୁ ଜଗି ବସି ଯେପରି ତେଣେ ହୃଦୟ ଭିତରୁ ସମସ୍ତ ଆର୍ଦ୍ରତା ଓ ସମସ୍ତ ଅନୁଭୂତି ମରିଯିବାକୁ ବସିଲାଣି, ଗୋଟାଏ ପ୍ରକାର ଶୁଷ୍କ ଉଦାସୀନତା ଅର୍ଥାତ୍ ଅକର୍ମଣ୍ୟତା ଜୀବନର ପ୍ରଧାନତମ ଦୃଷ୍ଟି ହୋଇ ରହିବାକୁ ଆରମ୍ଭ କଲାଣି । ଏପରି ଅବସ୍ଥାରେ ଆଉ କେଉଁଠି କି ସୃଷ୍ଟି ସମ୍ଭବ ହେବ ? ଏହି ଅବସ୍ଥାକୁ ମୁଁ ସ୍ଵାଭାବିକ ଅବସ୍ଥା ବୋଲି ମାନି ନେବିନାହିଁ । କାରଣ, କେଉଁଠି କେତେ ପ୍ରକାରର ଅନ୍ୟାୟ ଓ ଶଠତା ଚାଲିଚି, ବନ୍ଧୁ ଗହଣରେ ମୁଁ ଏହି ଗୁଡ଼ାକୁ ଚର୍ଚ୍ଚା କରି କୌଣସି ଆନନ୍ଦ ଅନୁଭବ କରିପାରିବିନାହିଁ । ମୁଁ ଯେଉଁଠି ଅଛି, ସେଠି ନିର୍ଭୟ ହୋଇ ମଣିଷ ହୋଇ ବଞ୍ଚିବି,ଏହା ହେଉଚି ଯଥାର୍ଥ ବାଟ ।

 

୧୫ । ୪ । ୬୨

 

ଉପରେ ତ ବେଶ୍ ସ୍ଥିର ହୋଇରହିଚି, କିନ୍ତୁ ସେହି ଅପରାଧ ଫଳରେ ଯେପରି ମୋ’ର, ଭିତରେ ଅତି ମୂଲ୍ୟବାନ୍ ଓ ଅତି ଜୀବନଧର୍ମୀ କୌଣସି ସମ୍ପଦ କ୍ରମେ ମରି ମରି ଯାଉଚି, ଜୀବନର ପକ୍ଷରେ କାର୍ଯ୍ୟ କରୁଥିବା କୌଣସି ଶକ୍ତି ଯେପରି କ୍ରମେ ଶିଥିଳ ହୋଇଯାଉଚି । ଅନ୍ୟାୟକୁ ମାନିନେବା ମଧ୍ୟ ଅପରାଧ, ଅନ୍ୟାୟ ପ୍ରତି ଉଦାସୀନ ରହିବା ମଧ୍ୟ ଏକ ଅନ୍ୟାୟ । ଏହାଦ୍ୱାରା ଉପରେ ଆପଣାକୁ ଯେତେ ନିରାପଦ ରହିବାର ସାନ୍ତ୍ଵନା ମିଳୁଥିଲେ ମଧ୍ୟ ଭିତରେ ଅତି ଆପଣାକୁ କାହାକୁ ଆହତ କରି ରଖିବାକୁ ହୁଏ,ଅତି ଶକ୍ତିଶାଳୀ କାହାକୁ ଅସ୍ଵୀକୃତ ଓ ଅବହେଳିତ କରି ରଖିବାକୁ ହୁଏ; ତଦ୍ଦ୍ଵାରା ଜୀବନଠାରୁ ଦୂରକୁ ହଟିଯିବାକୁ ପଡ଼େ, ଜୀବନର ସମସ୍ତ ଶକ୍ତି ଓ ସମସ୍ତ ଦୀପ୍ତିରୁ ବଞ୍ଚିତ ରହିବାକୁ ପଡ଼େ । ଏଠାରେ ତିନି ବରଷ ରହି କ୍ରମେ ମୁଁ ଏହାହିଁ ଅଧିକରୁ ଅଧିକ ଅନୁଭବ କରିଚି । ଏ ସଭ୍ୟ ସମାଜରେ ଚତୁରତା ଅଛି, ଚତୁର ଉଦାସୀନତା ରହିଚି, ବାହ୍ୟ ଆଚରଣରେ ଏଠି ଅନେକ ଅଭିନୟକୁଶଳ ଉଷ୍ମତା ରହିଚି; କିନ୍ତୁ ଏଠି ଜୀବନର ଦୀପ୍ତି ନାହିଁ, ଜୀବନର ସେ ପ୍ରେରକଶକ୍ତି ନାହିଁ, ଗୋଟାଏ ପ୍ରକାରର କୃତ୍ରିମତା ଏଠି ସକଳ ଗତି ଓ ସକଳ ବିକାଶକଉ ଗ୍ରାସ କରି ରହିଚି । ଏ ଯୁଗକୁ ଠକି ସଫଳ ହେବାର ଚମତ୍କାର ଫିସାଦ ସବୁ ସନ୍ତର୍ପଣ ସହିତ ଚାଲିଚି । କିନ୍ତୁ ଏ ସଫଳତା ତ ମୋ’ର ସଫଳତା ନୁହେଁ । ତେଣୁ ବାହାରେ ଅର୍ଥଲାଭ, ଆସନଲାଭ ଓ ସମ୍ମାନଲାଭ,ଏହି ସବୁ ଲାଭ ସତ୍ତ୍ୱେ ମୁଁ ତଥାପି ପ୍ରାୟ ପ୍ରତି ମୁହୂର୍ତ୍ତରେ ଆପଣାର ଚରମ ବିଫଳତାଗୁଡ଼ାକୁ ହିଁ ଅନୁଭବ କରୁଚି । ମୋତେ ଅଭିନୟ କରି ଆସୁନାହିଁ, କାରଣ ଅଭିନୟ କରିବାର ଅଭିଳାଷକୁ ମୁଁ କେବେ ଆପଣାର ଅଭିଳାଷ ବୋଲି ମନେ କରିନାହିଁ ଏତେ ଶକ୍ତି, ଏତେ ଇଚ୍ଛା ଖାଲି ବ୍ୟର୍ଥ ହୋଇ ଗଲାପରି ଲାଗୁଚି ।

 

୧୬ । ୪ । ୬୨

 

ସହିଯିବା ଅହିଂସା ନୁହେଁ, ଆଳସ୍ୟ ଅହିଂସା ନୁହେଁ; ଯାହା ଯେଉଁଠି ଯେପରି ଅଛି, ତାହାକୁ ଭଗବାନଙ୍କର ଇଚ୍ଛା ବୋଲି କହି ମାନିନେବା ମଧ୍ୟ ଅହିଂସା ନୁହେଁ । ଆମେ ସହି ଯାଉଥିବା, ସଂସାରର ସହସ୍ର ଆହ୍ଵାନ ସତ୍ତ୍ୱେ ଆମେ ଅଳସୁଆ ହୋଇ ବସିଥିବା, ବର୍ତ୍ତମାନର ସକଳ ଅସତ୍ୟ ସତ୍ତ୍ୱେ ତଥାପି ଏହାକୁ ହିଁ ଆମେ ବିଧାତାଙ୍କର ବିଧାନ ବୋଲି ମାନି ନେଉଥିବା, ଏହା ସଙ୍ଗେ ସଙ୍ଗେ କହୁଥିବା ଯେ ହୃଦୟର ପରିବର୍ତ୍ତନ ହୋଇଗଲେ ସୁଖୀ ସମାଜର ପ୍ରତିଷ୍ଠା ହୋଇପାରିବ,ଏହାକୁ ମୁଁ ସବୁଠାରୁ ଅଧମ ସ୍ତରର ବଞ୍ଚିରହିବା ବୋଲି କହିବି । ଆଗ ମୋ’ ହୃଦୟରେ କୌଣସି ପ୍ରକାର ପରବର୍ତ୍ତନ ହୋଇ ମୋ’ର ଆଳସ୍ୟକୁ ବହିଷ୍କୃତ ନ କରିଦେଲା ପର୍ଯ୍ୟନ୍ତ ମୁଁ ଯେଉଁଠି ଯାହା କହିବି, ସେଥିରେ କୌଣସି ସାର୍ଥକତା ବା କୌଣସି ଶକ୍ତି ରହିବନାହିଁ, ମୁଁ ବଢ଼ିଆ ଶବ୍ଦରେ ବଡ଼ ବଡ଼ କଥା କହିଲେ ମଧ୍ୟ ସେଥିରେ କୌଣସି ଶକ୍ତି ରହିବନାହିଁ । ନା-ସାହସ ଦରକାର, ଏହି ମନୁଷ୍ୟ ସଂସାର ସହିତ ସହାନୁଭୂତି ଦରକାର ସଂସାରରେ ହେଉଥିବା ଅନ୍ୟାୟକୁ ନିଜ ଉପରେ ହେଉଥିବା ଅନ୍ୟାୟ ପରି ଅନୁଭବ କରିବା ଦରକାର । ସହାନୁଭୂତି କହିଲେ ସାଧାରଣତଃ ଅପର ପ୍ରତି ଦୟାପରବଶ ହୋଇ ଟିକିଏ କଅଁଳ ଅନୁଭବ କରିବାକୁ ବୁଝାଇଥାଏ, ମୁଁ ସେ ସହାନୁଭୂତି ବିଷୟରେ କହୁନାହିଁ । ହୃଦୟର ସକଳ ଭୟ ଓ ସକଳ ଆଳସ୍ୟ କଟିଗଲେ ସବୁରି ସହିତ ଯେଉଁ ଆତ୍ମୀୟତା ଅର୍ଜନ କରାଯାଏ, ମୁଁ ସେହି ସହାନୁଭୂତି କଥା କହୁଚି । ଏହି ସହାନୁଭୂତି ଆସିଲେ ଆଉ ସହିଯିବାକୁ କଦାପି ଭଲ ଲାଗିବନାହିଁ । ମାନିନେବାକୁ କଦାପି ଭଲ ଲାଗିବନାହିଁ, ଶକ୍ତିହୀନ ଭାବରେ ଖାଲି ମୁଖର କଥା ଓ ଦେହର ଭେକ ବଦଳାଇ ଦେବାକୁ କଦାପି ଭଲ ଲାଗିବନାହିଁ । କଥା କହି ବା ଭେକ ବଦଳାଇ ଯେଉଁ ବିପ୍ଳବ ହେଉଥିଲା, ସେହି ବିପ୍ଳବ ଏ ଯୁଗରେ ଅନାବଶ୍ୟକ ଓ ଶକ୍ତିହୀନ ହୋଇ ପ୍ରମାଣିତ ହୋଇସାରିଲାଣି । ଚିତ୍ତ, ତୋ’ର କଥା ତୋ’ର ଜୀବନର ଦର୍ପଣ ହେବନାହିଁ, ତୋ’ର ଭେକ ତୋତେ ଅନ୍ତର୍ପ୍ରମାଦରୁ ମୁକ୍ତ କରି ପାରିବନାହିଁ, ତୋ’ର ହୃଦୟ ଓ ତୋ’ର ଅନୁଭୂତି ହିଁ ତୋତେ ରାସ୍ତା ଦେଖାଇବ ।

 

୧୭ । ୪ । ୬୨

 

କେବଳ ବ୍ୟାଧିତ ଭାବରେ ଆପଣାର ସଫଳତା ଚିନ୍ତା କରିବାକୁ ମୁଁ ଏହି ଜୀବନରେ ସବୁଠାରୁ ବଡ଼, ଭୀଷଣ ମରଣବୃତ୍ତି ବୋଲି କହିବି । ସଫଳତା ଚିନ୍ତା ସହିତ ବିଫଳତା ଚିନ୍ତା ଅବଶ୍ୟ ବଡ଼ ଘନିଷ୍ଟ ଭାବେ ଜଡ଼ିତ ହୋଇରହିଚି । ବିଫଳ ହୋଇ ଯିବାର ଆଶଙ୍କା ଯାହାକୁ କାମୁଡ଼ି ରହିଥାଏ, ସେଇ ସବୁବେଳେ ଆପଣାକୁ ଆପଣାର ସଫଳତା ଚିନ୍ତା ଦ୍ଵାରା ନାନା ଭାବରେ ଆଚ୍ଛନ୍ନ କରି ରଖିଥାଏ । ଆପଣାର ବିଫଳ ହେବାର ଆଶଙ୍କା ତାକୁ ଯେତିକି ଅବସନ୍ନ କରି ପକାଏ, ସମ୍ମୁଖରେ ଯେ ଯେତିକି ଅନିଶ୍ଚିତ ଅନୁଭବ କରେ, ସେତିକି ଉଗ୍ର ଓ ଉତ୍ତେଜିତ ଭାବରେ ସେ ସଫଳତା ଚିନ୍ତାକରି ଆପଣାର ଅବସାଦ ମେଣ୍ଟାଇବାକୁ ଚେଷ୍ଟା କରେ । ହେ ଭଗବାନ୍ ମୋ’ ଜୀବନରୁ ଏହି ଚିନ୍ତାରେ ପ୍ରମାଦ ଦୂର କରିନିଅ । ଏପର୍ଯ୍ୟନ୍ତ ମୁଁ ଏହି ଚିନ୍ତାକୁ ଯେପରି ଭାବରେ ଏଡ଼ି ଆସିଚି, ଏଣିକି ମଧ୍ୟ ମୋତେ ତୁମେ ଠିକ୍ ସେହିପରି କରିବାକୁ ସମର୍ଥ ଶକ୍ତିମାନ କରି ରଖ । ସଂସାର ଯାହାକୁ ସଫଳ ହେବା କହେ, ଅନେକ ଦିନରୁ ମୁଁ ମୋ’ର ହୃଦୟ ଭିତରେ ସେହି ସଫଳ ହେବାର ସମସ୍ତ ମୋହକୁ ବର୍ଜନ କରିଆସିଚି । ମୁଁ ସଫଳ ହେବା ସକାଶେ ହିଁ କାର୍ଯ୍ୟ କରିବାକୁ ଚାହନାହିଁ; ଯେଉଁଥିରେ ଆପଣାର ପ୍ରକାଶ, ମୁଁ ସେଇଥି ଲାଗି ଆପଣାକୁ ନିବେଦନ କରିଦେବାକୁ ଚାହେଁ । ତାହାହିଁ ମୋ’ର କର୍ମଯୋଗ । ଏହାରି ଭିତରେ ମୋ’ର ଜ୍ଞାନ ଓ ମୋ’ର ଭକ୍ତି ମଧ୍ୟ ବଡ଼ ଅଭିନ୍ନ ଭାବରେ ସମନ୍ଵିତ ହୋଇରହିଚି । ବେଳେବେଳେ ଅବସାଦ ଆସେ, ବେଳେବେଳେ ବାହାରକୁ ଅନାଇବାର ଓ ବାହାର ପାରି ତିଆରି ହେବାର ଦୁର୍ବୁଦ୍ଧିରେ ପଡ଼ି ମୁଁ ଭିତରକୁ ଅନାଇବାର ସ୍ଥିରତା ହରାଇବସେ । ତୁମେ ସେତିକିବେଳେ ମୋତେ ଫରାଇ ନେଇଆସେ, ମୋତେ ଆତ୍ମସ୍ଥ କର, ମୋତେ ମୋ’ର ହୃଦୟ ଆତ୍ମୀୟ କରି ରଖ, ମୋତେ ତୁମରି ଆତ୍ମୀୟ କରି ରଖ ।

 

୧୮ । ୪ । ୬୨

 

ମୋ’ର ଜୀବନ ବଞ୍ଚିବା ପଛକେ ଯୁକ୍ତି ନାହିଁ, ଅନୁଭୂତି ରହିଚି । ଅମୁକ ଜିନିଷ ପାଇବି ବୋଲି ମୁଁ ଅମୁକ କାର୍ଯ୍ୟ କରୁଚି, ଏହି ପ୍ରେରଣା ମୋର ପ୍ରେରଣା ନୁହେଁ, ଏହି ବୁଦ୍ଧି ମୋର ବୁଦ୍ଧି ନୁହେଁ । ଏପରି ନ କରୁଥିଲେ ମୋ’ର ଜୀବନରେ କୌଣସି ଥାନାରେ ଗୋଟାଏ ବଡ଼ ଶୂନ୍ୟସ୍ଥାନ ରହି ଯାଉଥାନ୍ତା, ସେଇଥିଲାଗି ମୁଁ ଆପେ ଆପେ ଏହି କାର୍ଯ୍ୟରେ ପ୍ରବୃତ୍ତ ହେଉଚି, ଏହି କାର୍ଯ୍ୟ ମୋ’ର କାର୍ଯ୍ୟ ବୋଲି ଅନୁଭବ କରି ମୁଁ ଏହି କାର୍ଯ୍ୟ କରୁଚି, ବର୍ତ୍ତମାନ ଆଉ ଟିକିଏ ଗଲେ ଆକାଶରେ ସକଳ ପ୍ରତୀକ୍ଷାକୁ ପରିପୂର୍ଣ୍ଣ କରି ସୂର୍ଯ୍ୟୋଦୟ ହେବ । ମୁଁ ସ୍ନାନ ସାରି ଏଠି ବହୁ ପୂର୍ବରୁ ତାହାରି ଅପେକ୍ଷାରେ ବସିରହିଚି, ବଡ଼ ଛନଛନ ପ୍ରସନ୍ନ ମନରେ ଆପଣାର ଅତି ପ୍ରିୟଜନ କେହି ଆସୁଥିବା ପାରି ମୁଁ ଝରକା ଏପାଖକୁ ଅନାଇ ରହିଚି,ଏହା ପଛକେ କିଛି ଯୁକ୍ତି ନାହିଁ । ଅନୁଭୂତି ରହିଚି । ଦିନ ପରେ ଦିନ ଅନେକ ବର୍ଷ ହେଲା ମୁଁ ଠିକ୍ ଏହିପରି କରିଆସିଚି । ଏହା ପଛକେ ଯୁକ୍ତି ନାହିଁ, ଅତି ସ୍ଵାଭାବିକ ଭାବରେ ମୁଁ ଏହା କରି ଆସିଚି,ଏହା ନକରୁଥିଲେ ମୁଁ ବଡ଼ ସନ୍ତପ୍ତ ବଞ୍ଚିତ ଅନୁଭବ କରୁଥାନ୍ତି ବୋଲି ଏହା କରିଆସିଚି । ଏହା ପଛକେ ଅନ୍ୟ କୌଣସି ପ୍ରେରଣା ନାହିଁ, ପ୍ରାଣର ହିଁ ପ୍ରେରଣା ରହିଛି । ତେଣୁ କେବଳ ଏକ ଆଚାର ବା ପ୍ରାତଃକୃତ୍ୟ ପରି ମୁଁ ଏହା କରିବାରେ ଅଭ୍ୟସ୍ତ ହୋଇପଡ଼ି ନାହିଁ, ଏହାକୁ କେବଳ ଏକ ସଂସ୍କାର କହିଲେ ମଧ୍ୟ ଠିକ୍ କହିବା ହେବନାହିଁ । ଏହା ମୋ’ର ଜୀବନର ଏକ ଅଙ୍ଗ ହୋଇରହିଚି, କୋଉଠି କାହାରି ସହିତ ଏକ ଆତ୍ମୀୟତା ସ୍ଥାପିତ ହୋଇଯାଉଚି ବୋଲି ଏପରି ହେଉଚି, ମୁଁ ବଗିଚାରେ କାମ କରେ, ମୁଁ ଘଣ୍ଟାଘଣ୍ଟା ଧରି ପଢ଼େ ବା ପଢ଼ାଏ, ପରର ନିନ୍ଦା କରାଯାଇ ପ୍ରସନ୍ନତା ଅନୁଭବ କରାଯାଉଥିବା ସମୟରେ ମୁଁ ଖୁବ୍, ପ୍ରସନ୍ନ ହୋଇ ସେହି ସଭାରେ ବସି ପାରେ ନାହିଁ;ଏସବୁ ପଛରେ କୌଣସି ଯୁକ୍ତି ନାହିଁ, କୌଣସି ବୁଦ୍ଧି ନାହିଁ,କେବଳ ଅନୁଭୂତି ହିଁ ରହିଚି । ଏ ଦୃଷ୍ଟିରୁ ଦେଖିଲେ, ମୋତେ ଜଣେ ପ୍ରୟୋଜନବାଦୀ ବୋଲି କୁହାଯାଇ ପାରିବନାହିଁ, ମୋ’ର ଅନୁଭୂତି, ମୋ’ର ହୃଦୟ ହେଉଚି ମୋ’ର ଜୀବନର ସବୁଠାରୁ ବଡ଼ ପ୍ରେରକ । ମୁଁ ବଡ଼ ଶାସ୍ତ୍ରର କଥା ମାନେନାହିଁ ବଡ଼ ମଣିଷର କଥା ମାନେନାହିଁ, ବଡ଼ ଲାଭର କଥା ମାନେ ନାହିଁ; ହୃଦୟର କଥା ମାନେ ।

 

୧୯ । ୪ । ୬୨

 

ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ବିତିଯାଉଚି । ସମୟର ସ୍ରୋତରେ ଆପେ ଚାଲି ଯାଉଥିବା ବେଳେ କିଏ ଜିତୁଚି, କିଏ ହାରୁଚି, କିଏ ସୁଖ ମାରିନେଉଚି ବା କିଏ ଦୁଃଖୀ ହୋଇପଡ଼ି ରହୁଚି, କିଏ ଲାଭ ଖାଉଚି ତ ଆଉ କିଏ କ୍ଷତି ସହୁଚି, ଏ ସବୁର ହିସାବ ରଖିବାକୁ ମୋ’ର କଦାପି ଇଚ୍ଛା ହୋଇନାହିଁ । କିଏ କେତେଦୂର ସଫଳ ହେଲା ବା ନ ହେଲା, ତା’ର ହିସାବ ନେବାକୁ ମୁଁ କାଦାପି ଆଗ୍ରହ ପ୍ରକାଶ କରିନାହିଁ । ତାଥାପି ଏ ସଂସାରର ମୋ’ର ଅଭିଜ୍ଞାତର ସଂପଦ ଯେତିକି ସମୃଦ୍ଧି ହୋଇଯାଉଚି, ସେତିକି ସେତିକି ପ୍ରାଣ ଭାରି ଭାରି ଯାଉଚି, କେଉଁ ଅମୂଲ୍ୟ ଧନର ସମୀପବର୍ତ୍ତୀ ହୋଇ ଆସୁଥିବା ପରି ମନେ ହେଉଚି, ଜୀବନର ସମସ୍ତ ଭାରିକୁ ଭଲପାଇବାର ଉତ୍ସାହ କ୍ରମେ ଅଧିକରୁ ଅଧିକ ହାଲୁକା କରି ଦେଇଯାଉଚି । କିଏ ମୋ’ର ଅପମାନ କରିଦେଇଗଲା, କିଏ ମୋ’ର ଆଗକୁ ବଢ଼ିଗଲା, କିଏ ମୋତେ ଅତି ଚତୁର ଭାବରେ ବୋକା ବନାଇଦେଇ ଗଲା,ଏହିସବୁ ପ୍ରତିଶୋଧଭାବନାରେ ସନ୍ତପ୍ତ ହେବାର ବୟସ ଓ ମନକୁ ମୁଁ ଯେପରି ପଛକେ ପକାଇ ଆସିଚି । କୌଣସି ନୀତିଶାସ୍ତ୍ର ମାନି ଚଳିବାର ସଭୟ ବାଧ୍ୟବାଧକତା ଦ୍ଵାରା ନୁହେଁ, ମୋ’ର ଜୀବନର ଅତି ସ୍ଵାଭାବିକ ଜୀବନରୀତର ଅନୁସରଣ କରି ମୁଁ ସେସବୁକୁ ପଛରେ ପକାଇଦେଇ ଆସିଚି । ତେଣୁ, ବାଧ୍ୟ ହୋଇ ବାଟ ଚାଲୁଥିଲେ ଭିତରେ ଅହରହ ଯେଉଁ ପରାସ୍ତ ରହିଥାନ୍ତା, ଯେଉଁ ଗ୍ଳାନି ରହିଥାନ୍ତା, ଆଜି ସେସବୁର କୌଣସି ଅବଶୋଷ ମଧ୍ୟ ମୋ ଭିତରେ ନାହିଁ । ମୋ’ ସଫଳତା ଚାବି ମୁଁ ମୋ’ର ଅନ୍ତର ଭିତରେ ପାଇଚି । ପ୍ରତ୍ୟେକ ମଣିଷ ହୁଏତ ଆପଣା ସଫଳତାର ଚାବି ଆପଣାର ଅନ୍ତର ଭିତରୁ ହିଁ ପାଆନ୍ତି । ଏହା ସମ୍ଭବ ନହେଲା ପର୍ଯ୍ୟନ୍ତ ବାହାର ସକଳ ସଫଳତା ଓ ତଜ୍ଜନିତ ଉତ୍ତେଜନା ଭିତରେ କେବଳ ବିଫଳମନୋରଥ ହେବାର ଆଘାତ ହିଁ ଦେଇଯାଉଥାଏ । ସେହି ଆଘାତ ହିଁ ସେମାନଙ୍କୁ ଜୀବନରେ ପ୍ରବୃତ୍ତି କରାଇବାର ସର୍ବମୂଳ ପ୍ରେରଣା ହୋଇରହିଥାଏ । ଖୁସୀ ସେମାନଙ୍କର ମୂଳପ୍ରେରଣା ହୋଇ ରହେନାହିଁ । ପ୍ରମତ୍ତ ହୋଇ ସେମାନେ ପ୍ରମାଦରେ ପଡ଼ନ୍ତି ।

 

୨୦ । ୪ । ୬୨

 

ବେଳେ ବେଳେ ମୁଁ ଆପଣା କଳରେ ଆପେ ରହି ପାରେନାହିଁ, ଆପଣା ପାତ୍ରଭିତରେ ଆପଣାକୁ ମୁଁ ସମ୍ଭାରି ରଖି ପାରେନାହିଁ । ସତେ ଯେପରି ଆପଣାର ସମସ୍ତ ଆଧାରକୁ ଅସ୍ଵୀକାର କରି କିଏ ଘର ଭାଙ୍ଗି ଦେଇ ଆଉ କୁଆଡ଼େ ଚାଲି ଯିବାକୁ ବସେ, କୁଆଡ଼େ ଯିବାକୁ ବସେ, ସେଥିରେ ମଧ୍ୟ କୌଣସି ଠିକଣା ନଥାଏ । ହଠାତ୍ ଗୋଟାଏ ପ୍ରକାରର ବୈରାଗ୍ୟ ଓ ଅସନ୍ତୋଷ ତ୍ରୀବ ଜ୍ଵାଳା ହୋଇ ମୋତେ ବଡ଼ ବ୍ୟାକୁଳ ଭାବରେ ସବୁ ସ୍ଥାନରୁ ଛଡ଼ାଇ ନିଏ । ମନେହୁଏ, ଜୀବନରେ ଯେତେ କ୍ଷେତ୍ରରେ ମୋ’ର ଯେତେ ସ୍ତରର ଓ ପ୍ରକାରର ଅତୃପ୍ତି ରହିଚି, ସବୁ ଠୁଳ ହୋଇ ଯେପରି ଏକ ନାସ୍ତିକତାର ଉତ୍ତେଜନାରେ ବିଦ୍ରୋହ କିପରି ଉଠିଚି । ମୋ’ର ଅସନ୍ତୋଷକୁ ମୁଁ ଆହୁରି ଚାହିବା ଓ ଖୋଜିବାରେ ନିଯୋଜିତ କରି ପାରିନାହିଁ, ଅଧିକ ଜୀବନ ଓ ଅଧିକ ଜିଜ୍ଞାସାରେ ରୂପାନ୍ତରିତ କରି ପାରିନାହିଁ । ସେଗୁଡ଼ିକ ହଠାତ୍ ଦୁଃସହ ଆକାର ଧାରଣ କରି ମୋ’ ଜୀବନର ସମସ୍ତ ପିଣ୍ଡକୁ ଅସ୍ଵୀକାର କରିବାକୁ ଆସିଚି । ଏହା ନାସ୍ତିକତା, ଏହା ବାର୍ଦ୍ଧକ୍ୟ ଓ ଏହା ମୃତ୍ୟୁ । ଏହା ଚରମ ଅବିଶ୍ଵାସର ପରିଣତ । ମୋ’ ଭିତରର କାରିଗର ଯେତେବେଳେ ଆପଣାର ହତିଆର ଉପରୁ ଆସ୍ଥା ହରାଇ ବସେ, ସେତିକିବେଳେ ଏପରି ହୁଏ, ଜାଣେନା ଜୀବନରେ ଏଇଟା ମଧ୍ୟ ସ୍ଵାଭାବିକ ନା ଆଉ କ’ଣ ? ସବୁ ମଣିଷର ଜୀବନରେ ଏପରି ଏକ ପର୍ଯ୍ୟାୟ ଆସେ କି ନାହିଁ, ମୁଁ ସେକଥା ମଧ୍ୟ ଜାଣେନାହିଁ । କିନ୍ତୁ କୌଣସିପ୍ରକାର ଆଗ୍ରହ ବା ଇଚ୍ଛା ରଖୁନଥିବା ଏହି ଅସନ୍ତୋଷକୁ ମୁଁ ମୋ’ ଜୀବନରେ ଏକ ଭାରି ବଡ଼ ପ୍ରମାଦ ବୋଲି ମନେକରେ । ଏହି ଅସନ୍ତୋଷ ମୋତେ ଭାରି ଦୁର୍ବଳ କରିଦିଏ, ମୋତେ ବଡ଼ ଜର୍ଜର ଓ ବଡ଼ ଅକର୍ମଣ୍ୟ କରିଦେଇଯାଏ । ଏହି ସଂସାରର ଏକାକୀ ରାଜା ବୋଲି ମୁଁ ଯେତିକି ଦମ୍ଭ ଓ ଦର୍ପରେ ସବୁ ଭାଙ୍ଗିଦେବାକୁ ବସେ, ସେତିକି ମୁଁ ଏକାକୀ ହୋଇପଡ଼େ । ଆପଣାକୁ ଆଉ ଆପଣାର ସାଥୀ ହିସାବରେ ପାଇପାରେନାହିଁ, ଏହି ଘରର ସମସ୍ତ ମମତାରୁ ମୁଁ ବଞ୍ଚିତ ହୁଏ, ଜୀବନର ସକଳ ଅଧିକାର ହରାଏ ।

 

୨୧ । ୪ । ୬୨

 

ଦର୍ଶନକୁ Ortega Gasset ଅପସାରଣ ଶାସ୍ତ୍ର ବୋଲି କହିଛନ୍ତି ଦର୍ଶନର ଅର୍ଥ ହେଉଚି ଆତ୍ମସ୍ଥ ହେବା; ଆପଣାର ଭିତରକୁ ଅପସରି ଯାଇ ଆପଣାର ସତ୍ୟ ରୂପର ଦର୍ଶନ କରିବା ସବୁ ପ୍ରକାର ମୋହ ଓ ସବୁ ପ୍ରକାର ଶଙ୍କାର ସମସ୍ତ ଲାଳସାତ୍ୟାଗ କରି ଆପଣାର ନଗ୍ନରୂପର ସମ୍ମୁଖୀନ ହେବା । ଅପସରି ଯିବାର ଅର୍ଥ ପଳାଇଯିବା ନୁହେଁ, ସତ୍ୟର ସମ୍ମୁଖୀନ ହେବାକୁ ଆପଣାର ସମ୍ମୁଖୀନ ହେବାକୁ ଅସମର୍ଥ ହୋଇ ଜୀବନ rationalization କରିବା ଦର୍ଶନ ନୁହେଁ । ଏ ଜୀବନର ନାନା ଅଶାନ୍ତିରୁ ଶାନ୍ତି ପାଇବା ଲାଗି ଆପଣାର ବିଚାର ଗମ୍ଭୀରା ଭିତରେ ବନ୍ଦ ହୋଇରହିବା ଓ ଦୂରରେ ଥାଇ ପତିତ କାତର ସଂସାରକୁ ନିମ୍ନ ଦୃଷ୍ଟିରେ ଦେଖିବା ଦର୍ଶନ ନୁହେଁ । ଦର୍ଶନ ହେଉଚି ସକଳ ଅପ୍ରୀତିକରତା ସତ୍ତ୍ୱେ ଆପଣାର ସମ୍ମୁଖୀନ ହେବା, ଆପଣାର ସକଳ ଦୁର୍ବଳତା ସତ୍ତ୍ୱେ ତଥାପି ବାହାରି ଆପଣ ଉପରେ ଓ ଜୀବନଉପରେ ଦୃଷ୍ଟିପାତ କରିବା । ଏଥିଲାଗି ସାହାସ ଦରକାର, ଏଥିଲାଗି ସତ୍ୟ ଉପରେ ଅଟଳ ବିଶ୍ଵାସ ଦରକାର, ଜୀବନ ପ୍ରତି ଅବିଚଳିତ ଓ ଅପ୍ରମତ୍ତ ଶ୍ରଦ୍ଧା ରହିଥିବା ଦରକାର । ସଂସାରର ଦର୍ଶନଶାସ୍ତ୍ର ବିଶ୍ୱବିଦ୍ୟାଳୟମାନଙ୍କରେ ଚର୍ଚ୍ଚା କରାଯାଉଥିବା, ଦର୍ଶନଶାସ୍ତ୍ରକୁ ଆମେ କେତେଦୂର ଦର୍ଶନଶାସ୍ତ୍ର ବୋଲି କହିବା, ତାହା ପ୍ରକୃତରେ ଚିନ୍ତା କରିବା ଉଚିତ ।

 

୨୨ । ୪ । ୬୨

 

ବିନୋବାଜୀ କହିଚନ୍ତି, ଆଦର୍ଶବାଦ ବ୍ୟତୀତ ଗାନ୍ଧୀ, ରବୀନ୍ଦ୍ରନାଥ ଓ ଅରବିନ୍ଦ କଦାପି ସମ୍ଭବ ହୋଇ ପାରିବେନାହିଁ । କିନ୍ତୁ ଆଦର୍ଶବାଦ ବ୍ୟତୀତ ଭଲ ଡାକ୍ତର, ଭଲ ଓକଲି ବା ଭଲ ଅଧ୍ୟାପକ ସମ୍ଭବ ହୋଇପାରିବେ । ବିନୋବାଙ୍କ ଉକ୍ତିର ମର୍ମାର୍ଥୀ ମୁଁ ଅବଶ୍ୟ ହୃଦୟଙ୍ଗମ କରିପାରୁଚି । ଆପଣାର କ୍ଷୁଦ୍ରତର ଜୀବନ ପରିସର ଠାରୁ ଆପଣା ଜୀବନଦୃଷ୍ଟି ଓ ସାଧନାକୁ ବୃହତ୍ତର କରି ଯେଉଁମାନେ ସେଥିପାଇଁ ଖୁସୀ ହୋଇ ଆପଣାକୁ ସମର୍ପଣ କରିଦିଅନ୍ତି, ବିନୋବାଜୀ ସେହି ଆଦର୍ଶବାଦୀମାନଙ୍କର ଉଲ୍ଲେଖ କରିଚନ୍ତି, ଗାନ୍ଧୀ, ରବୀନ୍ଦ୍ରନାଥ ଓ ଅରବିନ୍ଦଙ୍କର ଜୀବନ ପଛରେ ଏହିପରି ଏକ ଆଦର୍ଶବାଦ ପ୍ରେରଣା ଅବଶ୍ୟ ରହିଚି । କିନ୍ତୁ ଅନେକ ସମୟରେ ଆଦର୍ଶବାଦ ପଛରେ ଅନ୍ଧତା ରହିଯାଏ । ତେଣୁ ଆଦର୍ଶବାଦ ବଡ଼ ଉଗ୍ର ହୋଇପଡ଼ି ସଂସାରରେ ଓ ସମାଜରେ କେବଳ ଦୌରାତ୍ମ୍ୟ ଆରମ୍ଭ କରିଥାଏ । ଏହି ଆଦର୍ଶରେ ମଣିଷକୁ ଅସ୍ଵୀକାର କରେ, ଏହି ଆଦର୍ଶବାଦ ବର୍ତ୍ତମାନକୁ ଅସ୍ଵୀକାର କରେ; କେବଳ ଏକ ଅସହିଷ୍ଣୁତା ଦେଖାଇ ଏହା ବାସ୍ତବକୁ ଅସ୍ଵୀକାର କରି ପଳାଇ ଯିବାକୁ ବଡ଼ ଉନ୍ମତ୍ତ ହୋଇଉଠେ, ଅନ୍ୟ ସମସ୍ତଙ୍କୁ ଏହି ପଳାୟନ ପଥର ଜବରଦସ୍ତ ବାହାର କରିବାକୁ ଏହା କ୍ଷମତା ଚାହେଁ, ଆପଣାର କ୍ଷମତା ଜାରି ରଖିବାକୁ ଏହା ଆଦର୍ଶବାଦକୁ କେବଳ ଏକ ସମର୍ଥକ ଭାବରେ ବ୍ୟବହାର କରେ । ମଣିଷର ବିକାଶ ଅପେକ୍ଷା, ବିଚାରର ଉଦୟ ଅପେକ୍ଷା ଆପଣାର ଆନୁଷ୍ଠାନିକ କାର୍ଯ୍ୟକ୍ରମକୁ ହିଁ ଏହା ଅତିପ୍ରଧାନ ବୋଲି ଗ୍ରହଣ କରେ । ଏହି ଆଦର୍ଶବାଦର ଦୁଷ୍ଟ ଶାସନରେ ମଣିଷ ମରିଯାଏ । ରଷିଆରେ ଆଜି ଯାହା ଚାଲିଚି, ତାହା ଆଦର୍ଶବାଦର ନାମରେ ହିଁ ଚାଲିଚି । ଆଦର୍ଶବାଦର ଏକ ପ୍ରେରଣାମୟ ପାଖ ଅଛି, ଯାହା ଆଗକୁ ନେଇଯାଏ, ଯାହା ସାହସ ଭରିଦିଏ ଯାହା ଚେତନାକୁ ବ୍ୟାପକତର କରିଦିଏ, ଜଡ଼ ଆପଣାର ପଥଟାକୁ ହିଁ ଏକମାତ୍ର ପଥ ବୋଲି କହିବାକୁ ଅତି ଉଗ୍ନ ହୋଇପଡ଼େ, ଯାହା ଅସହିଷ୍ଣୁ କରିପକାଏ, ଯାହା ଧର୍ମ ଶକ୍ତିକୁ ମାରିଦେଇ ରାଜନୀତିକ ଉତ୍ତେଜନାର ପ୍ରାଦୁର୍ଭାବ ବଢ଼ାଏ ।

 

୨୩ । ୪ । ୬୨

 

ଗାନ୍ଧୀ, ରବିନ୍ଦ୍ରନାଥ ଓ ଅରବିନ୍ଦ ଯେତେବେଳେ ବଞ୍ଚିଥିଲେ, ସେତେବେଳେ ସେମାନଙ୍କର ଆଦର୍ଶବାଦ ଏହି ଜଗତରେ ଆହୁରି ଅନେକଙ୍କୁ ପ୍ରେରଣା ଦେଉଥିଲା । ଏହାର ସର୍ବପ୍ରଧାନ କାନ ହେଉଚି ସେ ସେମାନେ ସମସ୍ତେ ଆପଣାର ଜୀବନରେ ଏହି ଆଦର୍ଶବାଦର ହିଁ ପ୍ରେରଣା ପାଉଥିଲେ ଓ ସେହି ଅନୁସାରେ ଆପଣାକୁ ସଞ୍ଚାଳିତ କରୁଥିଲେ । ଆପଣାର ଆଦର୍ଶରେ ସେମାନେ ବାସ୍ତବ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଅନୁଭବ କରୁଥିଲେ ଓ ସେହି ଅନୁଭୂତି ଅନୁସାରେ ସେମାନେ କର୍ମକ୍ଷେତ୍ରରେ ଅଗ୍ରସର ହେଉଥିଲା । କିନ୍ତୁ ସେମାନଙ୍କ ଅନ୍ତେ ସେମାନଙ୍କର ନାମରେ ଅଧିକ ପ୍ରସାରିତ ଓ ଅଧିକ haloed କ୍ଷେତ୍ରମାନଙ୍କରେ ପ୍ରେରଣା ଦେବାର ଆଦର୍ଶ ଅପେକ୍ଷା ଅନ୍ଧ କରିଦେବାର ଅନୁଭୂତି ଅପେକ୍ଷା ଉତ୍ତେଜନାରେ ଆଘାତଟା ହିଁ ଅଧିକ ପରିଦୃଷ୍ଟି ହେଉଚି, ଆଦର୍ଶ ଯେପରି ଅଧିକ ପରିଦୃଷ୍ଟି ହେଉଚି: ଶ୍ରଦ୍ଧା ଅପେକ୍ଷା ସହିଷ୍ଣୁତାଟା ହିଁ ଯେପରି ସେମାନଙ୍କ ଜୀବନର ପ୍ରଧାନତର ଉତ୍‌ପ୍ରେରକ ହୋଇରହିଚି । ସେମାନଙ୍କର ଆଦର୍ଶ ନେଇ ବାନା ଧରି ବାହାରିଥିବା ଚେଲାମାନେ ହୁଏତ ଆପଣା ଜୀବନରେ କୌଣସି ପ୍ରକାରର ଆଦର୍ଶ ଅନୁଭବ କରିନାହାନ୍ତି, ସେମାନେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଏହା ଆଦର୍ଶକୁ ଆତ୍ମସାତ୍ କରି ଉତ୍ତେଜିତ ଅନ୍ଧ ଉତ୍ସାହରେ ସବୁ ପାଇଥିବାର ଗର୍ବ କରୁଚନ୍ତି ଅତି ଦାରୁଣ ଭାବରେ ତାହାକୁ ହିଁ ଏକମାତ୍ର ପଥ ବୋଲି ଘୋଷଣା କରୁଚନ୍ତି । ଏ ଆଦର୍ଶବାଦ ଦ୍ଵାରା କୌଣସି ପ୍ରକାର ସୃଷ୍ଟି ସମ୍ଭବ ହୋଇପାରେନାହିଁ । ଏହି ଆଦର୍ଶଦ୍ୱାରା ଗାନ୍ଧୀ, ରବିନ୍ଦ୍ରନାଥ କିମ୍ୱା ଅରବିନ୍ଦ ମଧ୍ୟ ସମ୍ଭବ ହୋଇ ପାରନ୍ତି ନାହିଁ । ଏହି ତଥାକଥିତ ଆଦର୍ଶରେ ସକଳ ଆଦର୍ଶକୁ ନଷ୍ଟ କରିଦିଏ । ମଣିଷର ବିଶ୍ଵାସକୁ ନଷ୍ଟ କରିଦିଏ, ବୃହତ୍ତର ଜୀବନ ଲାଗି ସାଧାରଣ ମଣିଷର ବୈରାଗ୍ୟ ଓ ସଂଶୟକୁ ବଢ଼ାଇଦିଏ, ଭ୍ରାନ୍ତି ହିଁ ସୃଷ୍ଟି କରେ ।

 

୨୪ । ୪ । ୬୨

 

ବିନୋବାଜୀ କହିଚନ୍ତି, କୌଣସି ଆଦର୍ଶରେ ନଥିଲେ ମଧ୍ୟ ଜଣେ ମଣିଷ ଭଲ ଡାକ୍ତର, ଭଲ ଓକିଲ ଓ ଭଲ ଅଧ୍ୟାପକ ହୋଇପାରିବ । କଥାଟାକୁ ମୁଁ ସମୂର୍ଣ୍ଣ ସମର୍ଥନ କରି ପାରୁନାହିଁ । ଭଲ ଡାକ୍ତର, ଭଲ ଓକିଲ ବା ଭଲ ଅଧ୍ୟାପକ ହେବାକୁ ହେଲେ ସଙ୍ଗେ ସଙ୍ଗେ ଭଲ ମଣିଷ ମଧ୍ୟ ହେବା ଦରକାର । ଏବଂ ଭଲ ମଣିଷ ହେବାକୁ ହେଲେ କୌଣସି ସୁସ୍ଥ ଆଦର୍ଶବାଦ ରହିଥିବା ଦରକାର, ଆପଣା ଭିତରର କୌଣସି ବୃହତ୍ତର ପ୍ରେରକଶକ୍ତି ଜୀବନର କ୍ଷେତ୍ରରେ ଆପଣାକୁ ପ୍ରେରିତ କରାଉଥିବା ଦରକାର ଖାଲି । ଡାକ୍ତରର ବିଦ୍ୟା ପଢ଼ିଲେ ବା ଅଧ୍ୟାପକର ଡିଗ୍ରୀ ହାସଲ ନକରି ପକାଇଲେ ଭଲ ଡାକ୍ତର ବା ଭଲ ଅଧ୍ୟାପକ ହେବା ସମ୍ଭବ ନୁହେଁ । ଆମ ଦେଶରେ ଡାକ୍ତରୀ ବିଦ୍ୟାରେ ପ୍ରବୀଣ ଓ ଅଧ୍ୟାପନକାଳରେ ଦୁରନ୍ଧର ଅନେକେ ମଣିଷ ନୁହନ୍ତି । କାରଣ ସେମାନେ ମୂଳତଃ ଭଲ ମଣିଷ ନୁହନ୍ତି । ଅର୍ଥାତ୍ ସେମାନଙ୍କ ଜୀବନରେ ସଫଳତାର ସଉଦା କରିବାଟା ହିଁ ସର୍ବପ୍ରଧାନ ଦୃଷ୍ଟି ଓ ସର୍ବପ୍ରଧାନ ବିଧି ହୋଇରହିଛି । ସେମାନେ ଆପଣାକୁ ଖୁସୀ ହୋଇ ସମର୍ପଣ କରିଦେବାର ବାଟ ପାଇନାହାନ୍ତି । ତେଣୁ ସକଳ ପାଣ୍ଡିତ୍ୟ ସତ୍ତ୍ୱେ ସେମାନଙ୍କର ହୃଦୟଗ୍ରାମକୁ ଏପର୍ଯ୍ୟନ୍ତ ଅନେକ ସଂଶୟ ଓ ଅନେକ ଅନ୍ଧାର ଗ୍ରାସ କପରି ରହିଚି ସେମାନେ ଆପଣାର ବିଦ୍ୟା ବିକି ଅତି ଚତୁର ଭାବରେ ସଫଳ ହେବାର ଦୃଷ୍ଟି ପ୍ରଚେଷ୍ଟା କରୁଚନ୍ତି ମାତ୍ର । କୌଣସି ଆଦର୍ଶବାଦ ନଥାଇ ମଣିଷ ଯେପରି ଗାନ୍ଧୀ, ରବୀନ୍ଦ୍ରନାଥ ବା ଅରବିନ୍ଦଙ୍କର ଶିଷ୍ୟ ବା ସ୍ତବକ ହୋଇପାରୁଚି, ସେହି ମାହାତ୍ମମାନଙ୍କୁ ସେ ଯେପରି ଆପେ ଠିଆ ହେବାର ପଥର ରୂପେ ବ୍ୟବହାର କରିପାରୁଚି, ସେମାନଙ୍କୁ ଅଫିମ ପରି ଖାଇଦେଇ । ଯେପରି ବେଶ୍ ଉତ୍ତେଜିତ ଭାବରେ ଆପଣା ଜୀବନର ସକଳ ସମସ୍ୟାକୁ ସମାଧାନ କପରି ବସିଯାଇ ପାରୁଚି, ଠିକ୍ ସେହିପରି ରାତିରେ ଅନେକ ଡାକ୍ତର ବା ଅନେକ ଅଧ୍ୟାପକ କୌଣସି ଆଦର୍ଶବାଦ ନଥାଇ ମଧ୍ୟ ଡାକ୍ତର ଓ ଅଧ୍ୟାପକ ହୋଇପାରୁଚନ୍ତି । କିନ୍ତୁ ସେମାନଙ୍କୁ ମୁଁ କାଦାପି ଭଲ ଡାକ୍ତର ଓ ଅଧ୍ୟାପକ ହୋଇପାରୁଚନ୍ତି । କିନ୍ତୁ ସେମାନଙ୍କୁ ମୁଁ କଦାପି ଭଲ ଡାକ୍ତର ବା ଅଧ୍ୟାପକ ବୋଲି କହିବିନାହିଁ । କାରଣ ଏପର୍ଯ୍ୟନ୍ତ ସଂସାରରେ ବା ଜୀବନରେ ପ୍ରବୃତ୍ତ ହେବା ଲାଗି ଆପଣା ଭିତରୁ ସେମାନେ କୌଣସି ପ୍ରେରଣାଶକ୍ତି ପାଇନାହାନ୍ତି ।

 

୨୫ । ୪ । ୬୨

 

ସକାଳର ପ୍ରାର୍ଥନାରେ ମୁଁ ପ୍ରତିଦିନ ଧର୍ମପଥରେ ଅର୍ଥାତ୍ ସତ୍ୟପଥରେ ପ୍ରବୃତ୍ତ ହେବି ବୋଲି ଅନ୍ତରର ଭଗବାନଙ୍କ ପାଖରେ ଜଣାଉଚି । କିନ୍ତୁ ପ୍ରକୃତରେ ମୁଁ ସେହି ପଥରେ ଯାଇ ପାରିବାଲାଗି ସମର୍ଥ ହେଉଚି କି ? ମୁଁ ନିଜେ ମଧ୍ୟ ସେହି ପ୍ରଶ୍ନର କୌଣସି ଉତ୍ତର ଦେଇ ପାରିବିନାହିଁ । ଅତିରିକ୍ତ ହିସାବଧର୍ମୀ ବା ନୀତିବାଦୀ ହୋଇଥିଲେ ହୁଏତ ମୁଁ ଏହାର କୌଣସି ଉତ୍ତର ଅଛି ବୋଲି କହି ପାରୁଥାନ୍ତି । ପ୍ରଧାନତଃ ଲାଭ କମାଇବା ଲାଗି ମୁଁ ସଂସାରରେ ଧର୍ମବଣିକ କରି ବାହାରିଥିଲେ ହୁଏତ ମୁଁ ସେହି ମାର୍ଗରେ ଚିନ୍ତା ମଧ୍ୟ କରି ପାରୁଥାନ୍ତି । ଆପଣାକୁ ପିଟି ବାଡ଼େଇ ଠିକ୍ ଏକ ଧର୍ମସମ୍ମତି ଆକାରରେ ଆପଣାକୁ ତିଆରି କରିବାର ଉଗ୍ର ଆଚାର ଶିଖିଥିଲେ ହୁଏତ ମୁଁ ଆପଣାର ଯୋଗ୍ୟ ହେବା ବିଷୟରେ କୌଣସି ଗ୍ୟାରେଣ୍ଟି ଦେଇପାରୁଥାନ୍ତି । କିନ୍ତୁ ମୁଁ ଜାଣେ, ମୁଞ୍ଜ ଏସବୁ ନୁହେଁ । ମୋ’ର ପ୍ରାର୍ଥନା ମୋ’ର ପ୍ରଚେଷ୍ଟା ମାତ୍ର, ବିକଶିତ ହେବାର ପ୍ରଚେଷ୍ଟା, ଭୟଶୂନ୍ୟ ଓ ଅପ୍ରମତ୍ତ ଭାବରେ ଆପଣା ଭିତରେ ସମସ୍ତ ଜଗତ ଏ ସମସ୍ତ ଜୀବନକୁ ଅନୁଭବ କରିବାର ପ୍ରଚେଷ୍ଟା ଅତି ସ୍ଵାଭାବିକ ଭାବରେ ଶ୍ରଦ୍ଧା ଲାଗି ଆପଣାକୁ ସମର୍ପଣ କପରିଦେବାର ପ୍ରଚେଷ୍ଟା ମୋ’ର ଧର୍ମ ବା ଧର୍ମାଚାରକୁ କାମୋଫ୍ଲେଜ୍ ପରି ବ୍ୟବହାର କରି କୌଣସି ଲଢ଼େଇରେ ଜିତିବା ଲାଗି ମୋ’ର କୌଣସି ଉତ୍ସାହ ନାହିଁ, ଆପଣାକୁ ଦୃଢ଼ ବା ଶକ୍ତି କରି ଦେଖାଇବାର କୌଣସି ଲୋଭ ନାହିଁ । ମୋ’ର ଧର୍ମ ମୋତେ ବନ୍ଦ କରି ରଖିବାର ସାଧନ ନୁହେଁ, ଏହା ମୋତେ ଆହୁରି ବିମୁକ୍ତ କରିଦେବ, ମୋ’ର ଭଗବାନ ମୋ’ର ଦୁର୍ବଳ ପାଖଟାକୁ ଜଗି ରଖିବାର ପ୍ରହରୀ ମଧ୍ୟ ନୁହନ୍ତି, ସେ ମୋ’ର ସାଥୀ ।

 

୨୬ । ୪ । ୬୨

 

ଦିନ ସରିଆସୁଚି । ଏହି ଖାତାରୁ ମଧ୍ୟ ପୃଷ୍ଠା ସରିଆସୁଚି । ସେଥିଲାଗି ଗୋଟାଏ ପ୍ରକାର ଅସ୍ଥିରତା ମଧ୍ୟ ମନକୁ ଚଞ୍ଚଳ କରାଇବାକୁ ଅରମ୍ଭ କଲାଣି ଏଥର ଛୁଟୀ ଦରକାର । ଓଡ଼ିଶାରେ ମୋ’ର କ୍ଷୁଦ୍ର ଘରଟି, ଯେଉଁ ଘରକୁ ମୁଁ ଆପଣାର ଘର ବୋଲି କହେ, ସେଇ ଘର ଭାରି ମନେପଡ଼ୁଚି, ବର୍ତ୍ତମାନ ଦୁଇମାସ ଛୁଟୀ । ମୋ’ର ସମସ୍ତ କାର୍ଯ୍ୟ ସାରି ଏହି ଦୁଇମାସ କେବଳ ବୁଲିବାକୁ ପଡ଼ିବ, ନିଶ୍ଚନ୍ତ ହୋଇ ଏ ଠାରୁ ସେଠାକୁ ଯିବାକୁ ପଡ଼ିବ, ଅତି ଉଶ୍ଵାସ ଭାବରେ ସ୍ଥାନରୁ ସ୍ଥାନାନ୍ତର ହୋଇ ଦେଖିବାକୁ ପଡ଼ିବ । ଏହାହିଁ ମୋ’ର ଛୁଟୀ ପ୍ରତ୍ୟେକ ଛୁଟୀରେ ମୁଁ ଏହିପରି ଉଶ୍ଵାସ ହୋଇ ବୁଲେ, ଉଶ୍ଵାସ ହୋଇ ମଣିଷର ସାଙ୍ଗ ଲାଭ କରେ, ଉଶ୍ଵାସ ହୋଇ ଅରଣ୍ୟ ଦେଖେ, ପର୍ବତ ଦେଖେ ନଦୀ ଓ ସମୁଦ୍ର ଦେଖେ । ଏଥର ଛୁଟୀରେ ଓଡ଼ିଶାରେ ସେହିପରି କେତେଟା ସ୍ଥାନ ବୁଲି ଦେଖିବାରରେ ମୋ’ର ଖୁବ୍ ଆଗ୍ରହ ରହିଚି । ସଂସାରରେ ସବୁ ଦେଶରେ ଓ ସବୁ ପ୍ରାନ୍ତରେ ମୋ’ର ସ୍ନେହର ସୂତ୍ର ଲାଗିଥିଲେ ମଧ୍ୟ ତଥାପି ଓଡ଼ିଶା ସହିତ ଗୋଟିଏ ଏପରି ଏକାନ୍ତ ମମତାରେ ସୂତ୍ର ଲାଗିରହିଚି, ଯାହା ମୁଁ ଅନ୍ୟ କୌଣସିଠାରେ ଅନୁଭବ କରି ପାରେନାହିଁ । ଓଡ଼ିଶା ଭାଷା ପ୍ରତି ମଧ୍ୟ ସେହିପରି ଏକ ଏକାନ୍ତ ସମ୍ବନ୍ଧସୂତ୍ର ଲାଗି ରହିଚି । ସେଥିଲାଗି ଅବଶ୍ୟ ମୁଁ ଓଡ଼ିଶାକୁ ସର୍ବଶ୍ରେଷ୍ଠ ଭୂମି ବା ଓଡ଼ିଆ ଲୋକଙ୍କୁ ଭଗବାନଙ୍କର chosen ଲୋକ ବୋଲି କଦାପି କହିବିନାହିଁ । ଓଡ଼ିଶା ଭାଷା ଭାରତର ରାଷ୍ଟ୍ରଭାଷା ହେଉ ବୋଲି ମୁଁ କଦାପି ଦମ୍ଭ କରି ବସିବାନାହିଁ-। ତଥାପି ମୋ’ ହୃଦୟର ଏହି ଏକାନ୍ତ ମମତାର ସୂତ୍ରଟିକୁ ମୁଁ କଦାପି ଅସ୍ଵୀକାର କରିବି ନାହିଁ-। ଓଡ଼ିଶାକୁ ଭଲ ପାଇଚି ବୋଲି ମୁଁ କେବେହେଲେ ଆଉ କୌଣସି ପ୍ରାନ୍ତକୁ ଘୃଣା କରିବାର କୌଣସି ଆଗ୍ରହ ବା କୌଣସି ଆବଶ୍ୟକତା ଅନୁଭବ କରିନାହିଁ । ଓଡ଼ିଆ ଭାଷାକୁ ଭଲପାଇଚି ବୋଲି ମୁଁ କେବେହେଲେ ଅନ୍ୟ ଭାଷ ପ୍ରତି କୌଣସି ଦ୍ଵେଷ ଅନୁଭବ କରିନାହିଁ ।

 

୨୭ । ୪ । ୬୨

 

ମୋ’ର ଜନ୍ମଭୂମିକୁ ମୁଁ ସ୍ଵର୍ଗଠାରୁ ଗରୀୟସୀ ବୋଲି କହେନାହିଁ, ମୋ’ର ମାତୃଭାଷାକୁ ମୁଁ ସବୁ ଭାଷାଠାରୁ ବଡ଼ ବୋଲି ଦେଖାଇବାରେ କୌଣସି ଆଗ୍ରହ ପ୍ରକାଶ କରିପାରେନାହିଁ । ଏହି ଦୃଷ୍ଟିରୁ ସ୍ଵଚ୍ଛ ଓ ଉଗ୍ର ଜାତୀୟତାବାଦୀମାନେ ହୁଏତ ମୋତେ ସେମାନଙ୍କର ମେଳରେ ନେବାକୁ କଦାପି ସମ୍ମତ ହେବେନାହିଁ । କିନ୍ତୁ ଏଣେ ଆପଣା ଜନ୍ମଭୂମି ସହିତ ମୁଁ ଅନେକ ମମତାର ସୂତ୍ରରେ ବନ୍ଧାହୋଇରହିଚି । ମୋ’ର ଆପଣା ଭାଷା ସହିତ ମୋ’ର ଅନେକେ ମମତାର ସମ୍ବନ୍ଧ ରହିଚି, ଯେଉଁ ମମତା ଓ ଯେଉଁ ସମ୍ବନ୍ଧକୁ କି ମୁଁ ମୋ’ ଜୀବନର ଅତି ମୂଲ୍ୟବାନ୍ ଆଧାର ଓ ସତ୍ୟରୂପେ ଗ୍ରହଣ କପରି ଶିଖିଚି । ସଂସାରର ଯେଉଁ ଭାଷାକୁ ମୁଁ ଜୀବନର ମାଧ୍ୟମରେ ଶିଖିଚି, ଯେଉଁ ଭାଷା ସାହାଯ୍ୟରେ ମୁଁ ଭାବୁଚି, ଯେଉଁ ଭାଷା ଏପର୍ଯ୍ୟନ୍ତ ମୋ’ର ଅସଂଖ୍ୟ ଭାବ ଓ ଭାବନାକୁ ପ୍ରକାଶରୂପେ ଦେଉଚି, ସେହି ଭାଷା ସହିତ ମୋ’ର ଅନେକ ମମତା ଜଡ଼ିତ ରହିଚି । ଏହା ଭଲ ଭଷା କି ମନ୍ଦ ଭାଷା, ମୁଁ ସେକଥା ପ୍ରମାଣ ଦେଖାଇ କହି ପାରିବିନାହିଁ । କିନ୍ତୁ ଏହା ମୋ’ର ଭାଷା ଓ ଏହା ମୋ’ର ଭୂମି ଏବଂ ଏଇଠି ସକାଶେ ଏହି ଭାଷା ଓ ଏହି ଭୂମି ମୋ’ର ଏତେ ପ୍ରିୟ । ତେଣୁ ଯେଉଁମାନେ ଏହି ସଂସାରର ଆପଣା ପ୍ରତିମା ପୂଜାର ଦର୍ଶନଚାରରେ ଆନ୍ତର୍ଜାତିକ ସ୍ତରଠୁଁ ତଳେ ରହିଥିବା କୌଣସି ସ୍ତରର କୌଣସି ପ୍ରତିମାକୁ ସ୍ଵୀକାର କରନ୍ତିନାହିଁ, ସେମାନେ ମଧ୍ୟ ମୋତେ ସେମାନଙ୍କର ମେଳରେ କଦାପି ବସାଇବେ ନାହିଁ । ମୁଁ କୌଣସି ପ୍ରତିମାକୁ ତଳ ବା ଉପର ସ୍ତରର ବୋଲି ମନେ କରେନାହିଁ,ସମ୍ଭବତଃ ସେହି କାରଣରୁ ମୁଁ ଆପଣାର ପ୍ରତିମାଟିକୁ ନିର୍ଭୟ ଓ ପ୍ରମାଦଶୂନ୍ୟ ଭାବରେ ଆପଣା ମମତାର ସୂତ୍ରରେ ବାନ୍ଧି ରଖିପାରେ, ତାକୁ ମୋ’ର ପ୍ରିୟ ବୋଲି ଗ୍ରହଣ କରିପାରେ ।

 

୨୮ । ୪ । ୬୨

 

କର୍ତ୍ତୃତ୍ଵ ସହିତ ହିଁ ମୋ’ର ଅନେକ ଦିନର ଶତ୍ରୁତା । କର୍ତ୍ତା ପ୍ରତି ମୋ’ର କୌଣସି ଦ୍ଵେଷ ନାହିଁ, ମୋ’ର ଅସଚେତ ଅପୂରଣୀୟ ମନ ଭିତରେ କର୍ତ୍ତାର କର୍ତ୍ତୃତ୍ଵକୁ ଅପହରଣ କରି ନିଜେ ପ୍ରଚଣ୍ଡ ବା ପ୍ରକାଣ୍ଡ ହୋଇ ବସିବାରେ କୌଣସି ଅପଲାଳସା ମୋ’ର ନାହିଁ । ମୁଁ ଏତିକି ଜାଣେ ଯେ, ଯିଏ କର୍ତ୍ତୃତ୍ଵର ଅସହିଷ୍ଣୁ ଆଖି ନେଇ ମୋ’ ପାଖକୁ ଆସିବ, ସେ ମୋତେ ପରିପୂର୍ଣ୍ଣ ଭାବରେ ଦେଖି ପାରିବ ନାହିଁ, ଯିଏ ପ୍ରଧାନତଃ କର୍ତ୍ତୃତ୍ଵ ଦେଖାଇ ଆପଣାର ଅସ୍ତିତ୍ଵର ଧର୍ଷଣକୁ ସଂସାରର ଜାରି ରଖିବା, ସଂସାର ମଧ୍ୟ ତା’ର ପରିପୂର୍ଣ୍ଣ ପରିଚୟ କଦାପି ପାଇ ପାରିବନାହିଁ କେବଳ ତଥାକଥିତ ଶିକ୍ଷାଳୟରେ ନୁହେଁ, ମୁଁ ଜୀବନର କୌଣସି ‘କ୍ଷେତ୍ରରେ ମଧ୍ୟ କର୍ତ୍ତୃତ୍ଵ ଚାହେଁ ନାହିଁ । କର୍ତ୍ତୃତ୍ଵ ଦେଖାଇବାର ସମସ୍ତ ଅବସର ଓ ଅବକାଶ ଉପଲବ୍‌ଧ ରହିଥିଲେ ମଧ୍ୟ ତଥାପି ମୁଁ ମଣିଷ ହିସାବରେ ମଣିଷର ପାଖରେ ବସିବି; ସେଥିଲାଗି ଯେଉଁ ଧୈର୍ଯ୍ୟ, ଯେଉଁ ଶ୍ରଦ୍ଧା ଦରକାର ଆପଣା ବିଷୟରେ ଯେଉଁ ନିର୍ଭୟତା ଦରକାର, ସେହି ଧୈର୍ଯ୍ୟ, ଶ୍ରଦ୍ଧା ଓ ନିର୍ଭୟତାକୁ ମୁଁ ଜୀବନର ପ୍ରଧାନତା ଆଧାରଶିଳା ବୋଲି ମାନିଥିବି,ମୋ’ ଦୃଷ୍ଟିରେ ଏହାହିଁ ହେଉଚି ଜୀବନର ମାନବିକ ଭୂମି । ଯାହା ପାଖରେ ଏହା ନାହିଁ, ଯିଏ ଏହାର ଅନୁଶୀଳନ କରିବାକୁ କୌଣସି ଚେଷ୍ଟା ହିଁ କରିନାହିଁ ନାନାପ୍ରକାର ଅସ୍ଵାଭାବିକ ଅନୁରକ୍ତି ସୃଷ୍ଟି କରି ଯିଏ ଆପଣା ଜୀବନର ସ୍ଵାଭାବିକ ମାନବିକତାକୁ ଦାବି ନ କରି ରଖିଚି, ସିଏ ଯେତେ ଉଚ୍ଚ ପାହାଚର ଯେତେ ବୋଧ ଓ ଆତଙ୍କର ପୋଷାକ ପିନ୍ଧି ବସିଥିଲେ ମୁଁ କହିବି ଯେ, ମଣିଷ ହିସାବରେ ତା’ର ଏପର୍ଯ୍ୟନ୍ତ ବିକାଶ ହୋଇନାହିଁ ।

 

୨୯ । ୪ । ୬୨

 

ଏହି ଖାତା ଏହିଠାରୁ ସରିଗଲା । କିନ୍ତୁ ଏତିକିକରେ ଜୀବନ ସରି ଯିବ ନାହିଁ । ଏହି ଦୁଃଖ, ଏହି ତୃଷ୍ଣା ଓ ହୃଦୟର ଏହି ମନ୍ଥନ ଲାଗି ରହିଥିବା, କାରଣ, ଏ ଜୀବନରେ ଖୋଜିବାର ମତ୍ତତା କଦାପି ସରି ଯିବନାହିଁ, ପାଖରେ ଯାଇ ବସିବାର ମତ୍ତତା କଦାପି ସରି ଯିବନାହିଁ, କାହାର ଶୀତଳ ସୁରଭିତ ଉଦ୍ୟାନ ଭିତରେ ଆପଣାର ପିପାସାକ୍ଳାନ୍ତ ହୃଦୟକୁ ପ୍ରସାରିତ କରିବାର ମତ୍ତତା କାଦାପି ସରି ଯିବନାହିଁ । ଏହି ମତ୍ତତା ସରିଯାଆନ୍ତା, ଯଦି ମୋ’ ଭିତରେ ପାଇବାର ବା ସଫଳ ହେବାର ମତ୍ତତା ମଧ୍ୟ ସମାନ ଭାବରେ ଶକ୍ତିଶାଳୀ ହୋଇ ରହିଥାନ୍ତା । ମୋ’ ଭିତରେ ମୁଁ ପ୍ରଧାନତଃ ଗୋଟିଏ ଶକ୍ତିକୁ ଆପଣାର ପରମ ଶକ୍ତି ବୋଲି ମାନିନେଇଚି । ସେହି ଶକ୍ତି ହେଉଚି ଶ୍ରଦ୍ଧାର ଶକ୍ତି । ଶ୍ରଦ୍ଧାର ଶକ୍ତି ସଫଳତାର ଶକ୍ତିକୁ ସାଙ୍ଗରେ ନେଇ ଚାଲି ପାରେନାହିଁ, ହାତ ଭିତରେ ଯାବୁଡ଼ି ରଖିବାର ଶକ୍ତିକୁ ସାଙ୍ଗରେ ନେଇ ଚାଲି ପାରେନାହିଁ । ସଫଳତାର ଶକ୍ତିରେ ମୋଦିତ ହୋଇ ରହିଥିବା ଅନ୍ୟ ପଥିକମାନେ ସଂସାରର ଏହି ପଥ ଚାଲିବାରେ ମୋତେ ନିର୍ବୋଧ ବୋଲି କହିବେ, ଏହି ଜୀବନବାଣିଜ୍ୟରେ ମୋତେ ବିଫଳ ବୋଲି କହିବେ । କିନ୍ତୁ ତଥାପି ମୁଁ ମୋ’ର ବାଟ ଚାଲିବା । ମଣିଷ ପ୍ରତି ଶ୍ରଦ୍ଧା ସଞ୍ଚୟ କରି ମୁଁ ବାଟ ଚାଲିବି, ପ୍ରକୃତି ପ୍ରତି ଶ୍ରଦ୍ଧା ସଞ୍ଚୟ କରି ମୁଁ ବାଟ ଚାଲିବି, ପ୍ରକୃତି ପ୍ରତି ଶ୍ରଦ୍ଧା ସଞ୍ଚୟ କରି ମୁଁ ବାଟ ଚାଲିବ ଜ୍ଞାନ ପ୍ରତି ଶ୍ରଦ୍ଧା ସଞ୍ଚୟ କପରି ମୁଁ ବାଟ ଚାଲିବ । ଜୀବନ ପ୍ରତି ଏହି ଅନୁଶାସନ ଭିତରେ ରହି ମୁଁ ମଣିଷକୁ ମୋ’ର ଲାଭ ପାଇ ବ୍ୟବାହର କରି ପାରିବିନାହିଁ, ପ୍ରକୃତିକୁ ମୋ’ର ବିଳାସ ପାଇ ବ୍ୟବହାର କରି ପାରିବିନାହିଁ, ଜ୍ଞାନକୁ ମୁଁ କୁଶଳ ବଣିକର ସମୟୋପଯୋଗୀ ପଣ୍ୟ ହିସାବରେ ବ୍ୟବହାର କରି ପାରିବିନାହିଁ । ମୋ’ର ଜୀବନ ମୋ’ର ମାର୍ଗର ସାକ୍ଷୀ ହୋଇ ରହିବ, ଏହି ଲିପି ମୋ’ର ମାର୍ଗର ସାଥୀ ହୋଇରହିବ ।

 

Unknown

୧୯୬୪

୪ । ୨ । ୬୪

 

ପୁଣି ପ୍ରାୟ ଦୁଇବର୍ଷ ପରେ ମୁଁ ଏଇ ଖାତା ପାଖକୁ ଫେରିଆସିଚି । ଜୀବନର ସେହି ଅତି ପରିଚିତ ପୁରାତନ ପ୍ରବାହକୁ ସମ୍ଭାରି ଆଜି ପ୍ରଭାତ-ମୂହୂର୍ତ୍ତରେ ଏଠି ବସି ପଡ଼ିଲା ବେଳକୁ ହଠାତ୍ ଆପଣା ଭିତରେ କେଉଁ ପ୍ରାଣପୁରୁଷ ସହିତ ନୂଆ କରି ସାକ୍ଷାତ ହୋଇଗଲା ପରି ଲାଗୁଚି, ସତେଅବା କେଉଁ ନୂଆ ବାଟରେ ବାହରି ପଡ଼ିବାପରି ଲାଗୁଚି । ଗତ ଦୁଇବର୍ଷ ଭିତରେ କେତେ ବାଟ, କେତେ ସ୍ଥାନ ବୁଲିଚି । କେତେ ସ୍ନେହ, କେତେ ପ୍ରେମ ଓ କେତେ ବିଶ୍ୱାସ ଧରି କେତେଆଡେ ଗଲି, କେତେ ହୃଦୟ ତୀର୍ଥରେ ମୋ’ର ପ୍ରମାଣ ଜଣାଇ ଆସିଲା । ଲାଭକ୍ଷତି ବିଚାର କରିବାର ବେଳ ନଥିଲା, ନୀତିବାଦୀ ବୃଦ୍ଧ ପରି ବାଟର ଏକତ୍ର ବା ସରଳତା ବିଚାର କରିବାର ବେଳ ନଥିଲା-। ଆଜି ପୁଣି ମୋ’ର ପୁରୁଣା ସଂଗ୍ରହ ଗୃହକୁ ଫେରିଆସି ମନେ ହେଉଚି, ଏହି ବାଟଚଲାରେ ଆଉ ଯାହା ହୋଇଥାଉ ବା ନ ହୋଇଥାଉ ପଛକେ, ବିଶ୍ଵାସ ଅନେକ ବଢ଼ିଚି । ଅନେକ କ୍ଷତି ହୁଏତ ସହିଚି, ଅନେକ ଅବୁଝାମଣା ଓ ମିଥ୍ୟା ବୁଝାମଣା ହେତୁ ଅନେକ ପ୍ରକାର କ୍ଷତ ବହନ କରିବାକୁ ପଡ଼ିଛି,କିନ୍ତୁ ତଥାପି ବିଶ୍ଵାସ ବଢ଼ିଚି । କେତେବେଳେ ହେଲେ ଆପଣାକୁ ଅଭିଶାପ ଦେବାକୁ ମନ ବଳିନାହିଁ,ଅନ୍ତର ଭିତରେ । କେଉଁ ମହାନିର୍ଭରର ଆଗ୍ରହ ମୋତେ ବାଟ କଢ଼ାଇ ନେଇଚି, ମୋତେ ଦିନୁଁ ଦିନ ବଳିଷ୍ଠ କରିଚି । ତାହାହିଁ ମୋ’ର ଅସଲ ଲାଭ, ତାହାହିଁ ମୋ’ ଜୀବନର ସବୁଠାରୁ ବଡ଼ ପ୍ରଶସ୍ତି । ସେଥିଲାଗି ଆଜି ମଧ୍ୟ ଭିତରକୁ ଅନାଇ ଭାରି ଉଶ୍ଵାସ ଲାଗୁଚି-

 

୫ । ୨ । ୬୪

 

ଆଜି ସକାଳେ ସୂର୍ଯ୍ୟ ନଦେଖି ଏଠାରେ ଲେଖି ବସିଚି । ଏଇ ଲେଖି ବସିବାରେ କୌଣସି ପ୍ରକାର ବିତରଣ କରିବାର ଚତୁରୀ ନାହିଁ, କୌଣସି ସଚେତନ ସାଜସଜ୍ଜା ନାହିଁ । ଏହି ଲେଖିବସିବା ହେଉଚି ପ୍ରଧାନତଃ ଆପଣାର ସାର୍ଥକ ଆଖି ଓ ସାର୍ଥକ ଅନୁଭୂତିକୁ ଆପଣ ଭିତରେ ହିଁ ସମ୍ଭାରି ଧରିବା । ଏଠି ଘଡ଼ିଏ ବସି ଲେଖି ଯାଉଥିବା ସମୟରେ ମୁଁ ଯେପରି ଆପଣା ସହିତ କେଉଁ ନୀରବ କଥୋପକଥାନରେ ନିମଗ୍ନ ହୋଇପଡ଼ିବା ପରି ମନେହୁଏ । କୌଣସି ଭୟ ନଥାଏ, ଧାରା ପଡ଼ିଯିବାର କୌଣସି ଆତ୍ମଗ୍ଲାନି ନଥାଏ । କୌଣସି ସଙ୍କୋଚ ମଧ୍ୟ ନଥାଏ । କୌଣସି ନୀତିବାଦୀ ଗୁରୁଜନର ଶାସନାସନ ପାଖରେ ମୁଁ ଏଠି ପ୍ରତିଦିନ ସକାଳେ କେବେହେଲେ ଭୁଲ୍‌ଠିକ୍‌ର ହିସାବ ଦେବାକୁ ଆସେନାହିଁ, ଦଣ୍ଡ ବା ପୁରସ୍କାର ପାଇବାଲାଗି ଆସେନାହିଁ । କୌଣସି ପ୍ରକାରେ ଆପଣାକୁ ନ୍ୟୁନ ବୋଲି ମନେ ହୁଏନାହିଁ । ଓଲଟି ମୋ’ର ଭିତରେ ମୁଁ ଯେପରି କେଉଁ ସ୍ନେହମୟ ବନ୍ଧୁର ସ୍ପର୍ଶ ଲାଭ କରେ, ତାହାରି ସହିତ ଏକ ସ୍ଵାଭାବିକ ନିର୍ଭୟରେ କଥା କହୁଥିବା ପରି ମନେହୁଏ, ଏହି ସାନ୍ନିଧ୍ୟରେ ଆପଣାକୁ ସମ୍ମାନିତ ଅନୁଭବ କରେ, ଏହି ସମ୍ମାନ ମୋତେ ଶକ୍ତି ଦିଏ ନୂତନ ବିଶ୍ଵାସ ଦିଏ । କେତେ ସଙ୍କୋଚ, କେତେ ନିରାଶା ଓ କେତେ ଅପୂର୍ଣ୍ଣତର ଦୁଃଖ ଅପସରି ଯାଏ, ଗୋଡ଼ରୁ ଜଞ୍ଜିର ଛିଡ଼ି ଗଲାପରି ଲାଗେ ଦିନମାନର କର୍ମାଳୟରେ ପ୍ରବେଶ କରିବାଲାଗି ଯିବା ବେଳକୁ ଯେପରି କାହାର ଆଶୀର୍ବାଦ ଓ ସମର୍ଥନ ପାଇ ଗଲାପରି ମନେହୁଏ ।

 

୬ । ୨ । ୬୪

 

କୌଣସି ପ୍ରକାର କୋଳାହଳ କରିବା ଲାଗି ଆଉ କୌଣସି ରୁଚି ନାହିଁ । ଆଗେ ଅର୍ଥାତ୍ କେତେ ବରଷ ପୂର୍ବେ କୋଳାହଳ ନକରିବାଟା ଅନୁକୂଳ ବୋଲି ଆପାଣାକୁ ବୋଧ ଦେଇ ମୁଁ ନୀରବ ରହିବା ସକାଶେ ଚେଷ୍ଟା କରୁଥିଲା,ତାହାରି ଫଳରେ ଉପୁଜୁ ଥିବା ମନର ଅବସ୍ଥାକୁ ମୁଁ ନୀରବତା ବୋଲି କହୁଥିଲା । କିନ୍ତୁ ବର୍ତ୍ତମାନ ସେ ଚେଷ୍ଟା ମଧ୍ୟ ବନ୍ଦ ହୋଇଗଲାଣି । ବର୍ତ୍ତମାନ କୌଣସି ନୀତିଭଣ୍ଡାରରୁ ନିୟମ ନମାନିଲେ ମଧ୍ୟ ତଥାପି ସ୍ଵଭାବତଃ ମୁଁ ନୀରବ ହୋଇଯାଉଚି ଏହି processରେ ମୁଁ ବେଶ୍ ଲକ୍ଷ୍ୟ କରିପାରୁଚି ଯେ କ୍ରମେ ମୋ’ର ଜୀବନ ପ୍ରତି ପ୍ରବୃତ୍ତି ବଢ଼ିବାରେ ଲାଗିଚି । ଜୀବନମାତ୍ରେ ହିଁ ଭଲ ଲାଗୁଚି ମଣିଷମାତ୍ରେ ହିଁ ଭଲ ଲାଗୁଚନ୍ତି, ଆପଣାପରର କୌଣସି ବିଭାଜନ ଦ୍ଵାରା ଆଉ ଖୁବ୍ ବେଶୀ ବିଚଳିତ ହେବାକୁ ପଡ଼ୁନାହିଁ । ଏବଂ ଏହି ରାସ୍ତାଟା ହିଁ ମୋତେ ସବୁଠାରୁ ସହଜ ରାସ୍ତା ବୋଲି ମନେ ହେଉଚି । ସବୁଠାରୁ ଭଲ ଲାଗୁଚି ଯେ, ମୋ’ର ଆପଣାର ବାଟରେ କୌଣସି ବାହ୍ୟ ନିୟମନ ଓ ଚାପର ଦୌରାତ୍ମ୍ୟକୁ ଆପଣା ଜୀବନକୁ ନଟାଣି ତଥାପି ଏହି ବାଟକୁ ଆସି ପାରିଲି । ସେଥିଲାଗି ଏହି ବାଟଟାକୁ ମଧ୍ୟ ଆପଣାର କହି ଯାବୁଡ଼ି ଧରିବାର ଆଉ କୌଣସି ଚଞ୍ଚଳତା ନାହିଁ, ମୋ’ର ଶ୍ରଦ୍ଧାରେ ଆଉ କୌଣସି ମୋହ ନାହିଁ ।

 

୭ । ୨ । ୬୪

 

ଆପାଣାର ଦେଶକୁ ତଟସ୍ଥ ଅଥଚ ଶ୍ରଦ୍ଧାଶୀଳ ଭାବରେ ଦେଖିବାକୁ ମିଳେ କେବଳ ଆପଣା ଦେଶରୁ ବାହାରକୁ ଗଲେ । ଦେଶରେ ଥିବାବେଳେ କେବଳ ପ୍ରବାହ ଭିତରେ ଭାସି ଯାଉଥିଲା ପରିଲାଗେ, କେବଳ କେତେ ସ୍ଥିତି ଏବଂ ଦୁଃସ୍ଥିତିର ଘୂର୍ଣ୍ଣିଭିତରେ ପଡ଼ିଯାଇ ଘୁରୁଥିବା ପରି ଲାଗେ, ସେତେବେଳେ ଦେଶ ବିଷୟରେ ଯେଉଁ ବିଚାର କାରାଯାଏ, ସେଥିଭିତରେ ମମତା ଓ ମୋହ ଭରି ରହିଥାଏ, ଅନେକ ପ୍ରକାର ଭାବପ୍ରବଣତାସମ୍ପନ୍ନ ବିକୃତିମାନ ଭାରି ରହିଥାଏ । ତଦ୍ଦ୍ଵାରା ନିରାଶା ବଢ଼େ, ବିତୃଷ୍ଣା ମଧ୍ୟ ବଢ଼େ,ତେଣୁ ବାହାରେ ଯେତେ ପ୍ରକାର କର୍ମ ତତ୍ପରତା ରହିଥିଲେ ମଧ୍ୟ ଅନ୍ତର ଭିତରେ ଏକ ମୌଳିକ ବା ଆଧାରଗତ ନିଷ୍କ୍ରିୟଟା ମନଟାକୁ କାମୁଡ଼ି ଧରିଥାଏ । କିନ୍ତୁ ଦେଶଠାରୁ ବାହାରକୁ ଯାଇ ଥିବାବେଳେ ଦେଶର ସକଳ ସମସ୍ୟାକୁ ଶାନ୍ତ ହୋଇ ଦେଖିବାର ଅବସର ମଧ୍ୟ ମିଳେ । ଏହି ସମସ୍ୟା, ଭିତରେ ଆପଣାକୁ ଆବିଷ୍କାର କରିପାରିବାର ଅବସର ମଧ୍ୟ ମିଳେ । ଏହି ବିରାଟ କର୍ମକ୍ଷେତ୍ରର ଆହ୍ଵାନ ଯାଇ କେଉଁ ଜନନୀର ଆମନ୍ତ୍ରଣ ପରି ହୃଦୟ ଉପରେ ଆଘାତ ଦିଏ, ଏବଂ ସେଥିଲାଗି ଯୋଗ୍ୟ ହୋଇ ଫେରି ଆସିବାକୁ ଜୀବନର ପରମ ସୌଭାଗ୍ୟ ବୋଲି ମନେହୁଏ ।

 

୮ । ୨ । ୬୪

 

ଏଠି ମୁଁ କାହାକୁ ଆପଣା ଦେଶ ବୋଲି କହିବି ? ଦେଶ କହିଲେ ଯଦି ଖାଲି ଗଛ, ପଥର ନଦୀ ଓ ସମୁଦ୍ରକୁ ବୁଝାଉଥାନ୍ତା, ତେବେ ମୁଁ ହୁଏତ ଏତିକିରେ ହିଁ ବୋଧ ହୋଇ ଯାଉଥାଆନ୍ତି । କିନ୍ତୁ ଦେଶ କହିଲେ ଦେଶର ମଣିଷକୁ ବୁଝାଏ ବୋଲି ନିଶ୍ଚିତ ଭାବରେ ମାନିନେଇ ଥିବାରୁ ବେଳେବେଳେ ଏଠି ଭାରି ନିରାଶ ହେବାକୁ ପଡ଼ୁଚି, ଆପଣା ଦେଶ ବୋଲି କହୁଥିଲେ ମଧ୍ୟ ତଥାପି ଏଠି ଆପାଣକୁ ବିଦେଶୀ ଗୋଠଖଣ୍ଡିଆ ବୋଲି ମନେ ହେଉଚି । ଦେଶରେ ଆଠଭାଗରୁ ସାତଭାଗ ଲୋକଙ୍କର ତ କୌଣସି ମାନବିକ ସ୍ଥାନ ନାହିଁ, ସେମାନଙ୍କ ଲାଗି ଦେଶ ଚଳୁନାହିଁ ଅଧିକ ଭାଗ୍ୟବାନ ଓ ଅଧିକ ବଳବାନ ଅଳ୍ପ କେତେକଙ୍କର ସୁଖ ଓ ସୁବିଧା ଲାଗି ସେମାନଙ୍କୁ ଏହି ଦେଶରେ କେବଳ କାମରେ ଲଗାଯାଉଚି, ମନ କରି ରଖାଯାଇଚି ମାତ୍ର । ତେଣେ ଉପରିଭାବରେ ଯେଉଁ ଆଠଭାଗରୁ ଏକଭାଗ ରହିଲେ, ଏମାନେ ମଧ୍ୟ କେବଳ ଆପଣାର ସ୍ଵେଚ୍ଛାବିଳାସର ଭୂମିଟାକୁ ହିଁ ଦେଶ ବୋଲି ଗ୍ରହଣ କରି ନେଇଚନ୍ତି । ସେମାନଙ୍କୁ ଶିକ୍ଷତ ବୋଲି କୁହାଯାଉଚି, ଅଥଚ ସେହିମାନଙ୍କ ମଧ୍ୟରେ ହିଁ ଅଧିକ ଅଶିକ୍ଷିତାପଣିଆ ଭର୍ତ୍ତି ହୋଇରହିଚି । ସେହିମାନଙ୍କ ହାତରେ ସମାଜ ଓ ସରକାରର ଶାସନ ଦିଆଯାଇଚି, ଅଥଚ ସେହିମାନେ ହିଁ ସବୁଠାରୁ ଅଧିକ ଶାସନହୀନତାର ଦୃଷ୍ଟାନ୍ତ ଦେଖାଉଚନ୍ତି । ଏମାନଙ୍କ ସହିତ ଏକମେଳରେ ବସି ସେହି ଗୋଷ୍ଠୀଟାକୁ ହିଁ ଦେଶ ବୋଲି କହିବାକୁ ମୁଁ ଆଜି ଭାରି ଲଜ୍ଜିତ ଅନୁଭବ କରୁଚି ।

 

୨୬ । ୨ । ୬୪

 

ବାହାରେ ନାନା ବାସନ, ନାନା ଆତୁରତା ମୋତେ ଉଚ୍ଛନ୍ନ କରି ପକାଇଚି ରାତି ଅନ୍ଧାରର ନିର୍ଜନ ବିଛଣାରେ ପଡ଼ି ରହିଥିଲା ବେଳେ କେତେ କେତେ କ୍ଷତି ଓ ଶୂନ୍ୟତାର ଅନୁଭୂତି ମୋ’ ଅନ୍ତରର ଆଖିରୁ ଅସ୍ଥିର ଓ ବିହ୍ଵଳ କରି ପକାଇଚି । କିନ୍ତୁ ମୋ’ର ଭିତରଟାକୁ ମୁଁ ଯେତିକି ଚିହ୍ନିଚି, ତା’ର ଆଗ୍ରହ ଓ ମନାସଗୁଡ଼ାକୁ ଯେତିକି ଜାଣିଚି, ସେଥିରୁ ମୁଁ ଅବଶ୍ୟ ଯେ, ମୂଳତଃ ମୁଁ ଦେବାକୁ ଚାହେ, ମୂଳତଃ ମୁଁ ଆପଣଙ୍କୁ ସମର୍ପଣ କରିଦେବାକୁ ଚାହେ, ମୂଳତଃ ମୁଁ ନାନା ନିବେଦନକ୍ଷେତ୍ରରେ ଆପଣାକୁ ମିଳାଇ ଦେବାକୁ ଚାହେ । ପ୍ରତିଦିନରେ ନାନା ଅଭିଜ୍ଞତା ଭିତର ଦେଇ ମୋ’ର ଏହି ପ୍ରବୃତ୍ତିତା ହିଁ ବଢ଼ୁଚି, ମୋ’ର ଅନ୍ୟାନ୍ୟ ସକଳ ପ୍ରବୃତ୍ତିଗୁଡ଼ାକୁ ହିଁ ଆପଣାର ରଙ୍ଗରେ ରଞ୍ଜିତ କରିବାରେ ଲାଗିଚି । ଯାବୁଡ଼ି ରଖିବାର କରି କମି କମି ଯାଉଚି, କାହାଠାରୁ ହାତ ଛାଡ଼ିଗଲେ ଆଉ କୌଣସି ପ୍ରକାର ଦ୍ଵେଷ ବା ଅପମାନ ଲାଗୁନାହିଁ । ଏହାକୁ ମୁଁ ବାର୍ଦ୍ଧକ୍ୟ ବୋଲି କହିବନାହିଁ । ଏହାକୁ ମୁଁ ପରିପକ୍ଵତା ବୋଲି କହିବି । କାରଣ, ଜୀବନରେ ଉତ୍ସାହ ବଢ଼ୁଚି ଆଗ୍ରହ ମଧ୍ୟ ବଢ଼ୁଚି, ନିରାଶଜନକ ସକଳପ୍ରକାର ଦର୍ଶନଦୃଷ୍ଟି କ୍ରମେ ନିଶ୍ଚିନ୍ତ ହୋଇ ଗଲାପରି ଲାଗୁଚି । ସଂସାର ସହିତ ଅଧିକ ଅନ୍ତରଙ୍ଗ ପରିଚୟ ହେବାପରି ଲାଗୁଚି । ଆଉ ମୋ’ ଜୀବନର ସବୁଠାରୁ ବଡ଼ ଗୌରବର କଥା ହେଉଚି ଯେ, ପ୍ରତ୍ୟେକ ଦିନ ମୁଁ ମୋ’ ଭିତରେ ପରମମିତ୍ରକୁ ଆବିଷ୍କାର କରି ଚାଲିଚି । ତେବେ ଆଉ ଦୁଃଖର କାରଣ କ’ଣ ରହିଲା ?

 

୨୭ । ୨ । ୬୪

 

ସେଥିଲାଗି ଜୀବନରେ ମୋର ବିଶ୍ଵାସ ବଢ଼ି ବଢ଼ି ଯାଉଚି, ଆପଣାର ଭିତରଟା ପ୍ରତି ମୋ’ର ବିଶ୍ଵାସ ରହିଚି ବୋଲି ଜୀବନରେ କୌଣସି ପ୍ରକାର ମୌଳିକ ଅବିଶ୍ଵାସ ମୋତେ କଦାପି କ୍ଷୁଣ୍ଣ ଓ ଜୀର୍ଣ୍ଣ କରି ପକାଇନାହିଁ । ବାହାରେ ନାନାପ୍ରକାର ଅପଳାପ ଓ ଅପଚୟ ସତ୍ତ୍ୱେ ମୁଁ ତଥାପି ମୋ’ର ଭିତରଟାରେ ଅଭିଳାଷ ବୁଝିଚି ଏବଂ ସେଇଠି ତାହାରି ତହିତ ମିତ୍ରତା ସ୍ଥାପନା କରିଚି । ଶାସ୍ତ୍ରରେ ଯାହାକୁ ପଣ୍ଡିତମାନେ unconscious ବୋଲି କହିଥାନ୍ତି, ତାହାକୁ ହିଁ ମୁଁ ମୋ’ର ସତ୍ୟରୂପ ଓ ଶ୍ରେୟରୂପ ବୋଲି ଗ୍ରହଣ କରି ନେଇଚି, ସେଇଥିଲାଗି ଜୀବନରେ ଶ୍ରଦ୍ଧା ବଢ଼ିଚି, ଭୟ କମିଯାଇଚି, ଜଗତରେ ଆହୁରି ଅନ୍ୟମାନଙ୍କୁ ତ୍ରାସପୂର୍ଣ୍ଣ ଆଖିରେ ଦେଖିବାର ବଦଖୋଇ ଚାଲିଯାଇଚି । ଏବଂ ହୁଏତ ସେଇଥିଲାଗି ମଧ୍ୟ ଜୀବନରେ କେବେହେଲେ ଅବସାଦ ଆସିନାହିଁ ଭାରେ ଅନନୁକୂଳ ପରିସ୍ଥିତି ବା ମୋ’ର ଅପୂର୍ଣ୍ଣତା ଗୁଡ଼ାକ ଏକାଠି ଚକ୍ରାନ୍ତ କରି ମୋତେ ନିରାଶ କରି ଦେବାକୁ ବସିଥିଲା ବେଳେ ମୁଁ ଭିତରକୁ ଅନାଇ ହିଁ ଆଶା ପାଇଚି, ଦମ୍ଭ ପାଇଚି, ନୂତନ ବଳ ପାଇଚି, ମନର ବାର୍ଦ୍ଧକ୍ୟକୁ ଜୟ କରିଚି । ମୋତେ ତଥାପି ନାନା ନୂତନ କ୍ଷେତ୍ରରେ ସମର୍ପଣ କରି ଦେବାଲାଗି ମୁଁ ଅଧିକ ନିର୍ଭର ପାଇଚି । ଆତ୍ମନିନ୍ଦା କରିନାହିଁ, ଆପଣାକୁ କଦାପି ଶାସ୍ତି ଦେବାର ଅନୌତିକତା କରିନାହିଁ, ଆପଣାର କରୁଣାକଟାକ୍ଷ ଆଗରେ ମୁଁ କଦାପି ଆପଣାର ଦୀନ ଅସମ୍ମାନିତ ରୂପ ଦେଖିବାକୁ ମନ ବଳାଇନାହିଁ । ସଂସାରରେ ଆଉ ସମସ୍ତଙ୍କୁ ସମ୍ମାନ ଦେଖାଇବାରେ, ମିତ୍ରା ବୋଲି ବା ସାଥୀ ବାଟୋଇ ବୋଲି ଚିହ୍ନିବାରେ ମୁଁ ସେଇଥିରୁ ହିଁ ଅନେକ ସାହାଯ୍ୟ ପାଇଚି ।

 

୨୮ । ୨ । ୬୪

 

ଏ ଦେଶର ଶିକ୍ଷାଯୋଗ୍ୟତାପ୍ରାପ୍ତ ବ୍ୟକ୍ତିମାନଙ୍କ ସହିତ ଏକାଠି ବସିଲେ ବା କଥାବାର୍ତ୍ତା କଲେ ହଠାତ୍ ବୁଢ଼ା ହୋଇଗଲା ପରି ଲାଗେ, ହଠାତ୍ ଆପଣାର ସକଳ ବିଶ୍ଵାସ ହଜି ଗଲାପରି ଲାଗେ । ଏହି ଦେଶର ଅଧ୍ୟାପକମାନଙ୍କ ସହିତ ବସି ଦୁଇପଦ କଥାବାର୍ତ୍ତା କଲାବେଳେ ସକଳ ପ୍ରକାର ଅଧ୍ୟୟନ ଓ ଅଧ୍ୟୟନବୃତ୍ତି ବିଷୟରେ ଏକ ପ୍ରକାର ବିତୃଷ୍ଣା ଜାତ ହୁଏ । Security, ଅର୍ଥାତ୍ ଅଧିକା ପଇସା ରୋଜଗାର କରି Security ଖୋଜିବାର ବାଟକୁ ଯେପରି ଏମାନେ ଜୀବନର ପରମପଥ ବୋଲି ମାନି ନେଇଚନ୍ତି । ପଇସା ବଢ଼ିବାକୁ ହିଁ ଏମାନେ ଜୀବନର ସବୁ ସଫଳତା ଓ ସାର୍ଥକତା ନିଦର୍ଶନ ବୋଲି ବିଶ୍ଵାସ କରୁଚନ୍ତି । ଅଧ୍ୟୟନମାର୍ଗରେ ବା ଜୀବନର ଆବିଷ୍କରମାର୍ଗରେ ଯେଉଁ Spirit of Adventure ରହିବା ଆବଶ୍ୟ ଆବଶ୍ୟକ ସେହି, Spiritକୁ ଏମାନେ ଅନେକ ଭୟ କରି, କୋଉଦିନରୁ ମାରି ସାରିଲେଣି । ପାଠକୁ ବିକି ପଇସା ଜମାଇ ହେବ, ଏତିକି ବ୍ୟତୀତ ଏମାନେ ପାଠର ଆଉ କୌଣସି ସଂଜ୍ଞା ଜାଣିନାହାନ୍ତି । ଏହି ଅଶିକ୍ଷିତି ଭୟାଳୁ ବର୍ଗ କୋଉପରି ଦେଶର ଶିକ୍ଷା ବଢ଼ାଇବେ, ଭାବିଲେ ମନ ଭାରି ଦବି ଦବି ଯାଏ-

 

୨୯ । ୨ । ୬୪

 

କାଲି ସନ୍ଧ୍ୟାବେଳେ ଶସ୍ୟକ୍ଷେତ୍ରରେ ବୁଲି ବାହାରିଥିବା ବେଳେ ହଠାତ୍ ଆପଣା ଭିତରୁ କିଏ ପ୍ରଶ୍ନକରି ବସିଲା; ଅଠର ବର୍ଷ ତଳେ ଶାନ୍ତିନିକେତନରେ ମଧ୍ୟ ମୁଁ ନୀତି ସନ୍ଧ୍ୟାବେଳେ ଏହିପରି ବୁଲି ବାହାରୁଥିଲି । କେତେ ଉତ୍ସାହରେ ଧାନଖେତ ପରେ ଧାନଖେତ ଅତିକ୍ରମ କରି ଯାଉଥିଲି,— ଅସ୍ତାକାଶକୁ ଆବୋରି ରହିଥିବା ତାଳଗଛର ଧାଡ଼ି କୁ ଛୁଇଁବା ଲାଗି କେତେଥର ଏକାଏକା ଛୁଟି ଯାଉଥିଲା । କିନ୍ତୁ ଏହି ଅଠର ବରଷର ଏହି ଉତ୍ସାହିତ ମୁଗ୍‌ଧ ବୁଲିବାକୁ ମୁଁ ପାଇଲି କ’ଣ ? କ’ଣ ବା କରିପାରିଲି, କ’ଣ ବା କୋଉଠୁ ସଂଗ୍ରହ କରି ଆଣି ପାରିଲି ? ସେହି ଭିତରେ ହିଁ ମୁଁ ଏହି ପ୍ରଶ୍ନଟିର ଉତ୍ତର ପାଇଲି । ବିଗତ ବରଷବରଷର ଧାଇଁ ବୁଲିବାରୁ ମୁଁ ଧନସମ୍ପତ୍ତି କମାଇବାର ବିଦ୍ୟା ଶିଖି ପାରିଲି ନାହିଁ, ସମସ୍ତେ ଯେଉଁ ପଥକୁ ବଡ଼ ପାଠର ସ୍ଵୀକୃତି ଦେଉଚନ୍ତି, ସେହି ପାଠର ଅନ୍ତର୍ଭକ୍ତ ହେବାକୁ ମୁଁ ବେଶ ବଦଳାଇ ପାରିଲାନାହିଁ, ଜଗତର ଦାଣ୍ଡରେ ଚତୁର ମଣିଷର ଘୋଡ଼ଦୌଡ଼ ଲାଗି ରହିଥିଲା ବେଳେ ମୁଁ ବୋକା ବନି ରହିଗଲି । ତଥାପି ମୁଁ ଆପଣ ବାଟରେ ଆପଣାର ମନଲାଖି କିଛି ପାଇ ପାରିଲି ବୋଲି ସେହି ସାର୍ବଜଜୀନ ବାଟରୁ ଦୂରରେ ରହିଗଲି । ଏହି ବୁଲିବା, ଖୋଲା ଆକାଶର ସ୍ଵୀକୃତି ଭିତରେ ଆପଣା, ହୃଦୟ ଲାଗି ସ୍ଥାନ ଖୋଜିନେବା, —ଏକଥା ଅଠର ବରଷ ତଳେ ଭଲ ଲାଗୁଥିଲା, ଆଜି ମଧ୍ୟ ଠିକ୍ ସେହିପରି ଭଲ ଲାଗୁଚି, ପ୍ରତ୍ୟେକ ଦିନଟି ମୋତେ ନୂତନ ଲାଗୁଚି, ପ୍ରତ୍ୟେକ ପ୍ରଭାତ ମଧ୍ୟ ନୂତନ ଲାଗୁଚି ।

 

୧ । ୩ । ୬୪

 

ସେଇ ପୁରୁଣା ସକାଳ ଭଲ ଲାଗୁଚି, ସେହି ପୁରୁଣା ଗୀତା ଶୁଣିଲା ବେଳକୁ ବା ଗାଇଲା ବେଳକୁ ସବୁ ଆସ୍ଥାନ ଠିକ୍ ଆପଣାର ଆସ୍ଥାନ ପରି ଲାଗୁଚି ସେଇ ପୁରୁଣା ସେବକମନ ରହିଚି, ଅନ୍ତରର ଆସନ ଉପରେ ସେଇ ପୁରୁଣା ଦେବତା ପ୍ରତିଷ୍ଠିତ ହୋଇରହିଚି । ସେହି ପୁରୁଣା ନିର୍ଭୟତା ଏବେ ମଧ୍ୟ ସବୁ ଆଳୟ ଓ ସବୁ ଆସ୍ଥାନକୁ ଭଲ ପାଇବାର ବଳ ଯୋଗାଇ ଦେଉଚି,—ଏହା କ’ଣ କମ୍‍ ସମ୍ପତ୍ତି ? ପ୍ରତିଦିନ, ପ୍ରତିଦଣ୍ଡ ନବଜନ୍ମ ଲାଭ କରି ଯାଉନଥିଲେ କ’ଣ ଏହା ସମ୍ଭବ ହୋଇପାରୁଥାନ୍ତା ? ନୂତନ ଆହରଣ ଓ ଚୟନର ସମ୍ଭାରରେ ଜୀବନର ଆଶାକଳସ ଭାରି ଉଠୁନଥିଲେ କ’ଣ ପୁରୁଣା ଭଲ ଲାଗୁଥାନ୍ତା ? ଅନ୍ତରର ସମ୍ପତ୍ତି ବଢ଼ୁନଥିଲେ କ’ଣ ଏହି ବାଟଚାଲିବା ମଧ୍ୟ ଭଲ ଲାଗୁଥାନ୍ତା ? ସଂସାରରେ ଅନେକ ମେଳରେ ଏକାଠି ବସିଲାବଳେ ବେଳେ ବେଳେ ଆପଣାକୁ ବଡ଼ ଦୟନୀୟ ବୋଲି ମନେହୁଏ । ସଂସାରରେ ଅନେକ ଯାହାକୁ ସାର ମଣି ଆପଣା ଭଣ୍ଡାରରେ ଜମା କରି ରଖିଚନ୍ତି, ଯାହାର ସାନ୍ତ୍ଵନାରେ ଜୀବନର ଶୂନ୍ୟତାକୁ ଭଲି ରହି ପାରିଚନ୍ତି, ମୁଁ ସେହି ଭଣ୍ଡାରର ହିସାବଖାତା ଏପର୍ଯ୍ୟନ୍ତ ଆରମ୍ଭ କରି ପାରିନାହିଁ ବୋଲି ହଠାତ୍ ନିଜକୁ ବେଳେବେଳେ ନିର୍ବୋଧ ବୋଲି ମନେହୁଏ ସେମାନଙ୍କର ତୁଳନା କରିବାକୁ ମନ ବଳାଇ ମୁଁ ଆପଣା ଘରକୁ ପୁଣି ଫେରିଆସେ, ଆପଣା ଅନୁରାଗର ଆଶୟକୁ ପୁଣି ଫେରିଆସେ ।

 

୨ । ୩ । ୬୪

 

ମୁଁ କାହାରି ପାଇ ଲେଖେନାହିଁ, କାରଣ ମୁଁ କାହାରିପାଇଁ ଆପଣାର ଜୀବନ ମଧ୍ୟ ବଞ୍ଚିବାରୁ କରେନାହିଁ । କାହାର ତାଗିଦା ଅନୁସାରେ ଜୀବନ ବଞ୍ଚିବାବେଳେ ମଣିଷ ବଡ଼, ଦୟନୀୟ ହୋଇପଡ଼େ । ଆପଣା ବାସନାକୁ ଶୁଭ ଆଉ ଅଶୁଭ ବାଛି ଯେତେବେଳେ ଖୁସୀ ହୋଇ ଆପଣାର ଜୀବନ ବଞ୍ଚିବା ସମ୍ଭବ ହୁଏ, ସେତିକିବେଳେ ଅନ୍ୟମାନଙ୍କର ଆଖିରେ ମଧ୍ୟ ଜୀବନ ସୁନ୍ଦର ଦିଶିବାକୁ ଆରମ୍ଭ କରେ । ଏଇଠି ସ୍ଵାର୍ଥପର ଓ ସ୍ଵାଭାବିକ ଜୀବନ ମଧ୍ୟରେ ଅନେକ ଫରକ ରହିଚି-। ସ୍ଵାର୍ଥପର ଜୀବନ ସଂସାରକୁ ଡରେ, ନାନା ଆପଦ ଭିତରେ ଚିନ୍ତିତ ରହି ସେ ଆପଣାର ଚାରି ପାଚେରୀବେଡ଼ାର ଆବଦ୍ଧତା ଭିତରେ ହିଁ ଆପଣାକୁ କଳି ରଖେ । ସ୍ଵାଭାବିକ ଜୀବନର ଉତ୍‌ପ୍ରେରକ ଭୂମି ଉପରେ ଭୟର କୌଣସି ସ୍ଥାନ ନଥାଏ,—ଗୋଟାଏ ପ୍ରକାର ବଞ୍ଚିବାର ବାସନା, ବିକଶିତ ହେବାର ବାସନା ଓ ତଜ୍ଜନିତ ଖୁସୀ ମଣିଷକୁ ବଞ୍ଚିବାର ଭୂମି ଉପରେ ତତ୍ପର କରି ରଖିଥାଏ, ଏଠି ଆପଣାକୁ ନିରାପଦ କରି ରଖିବାର କୌଣସି ବିହ୍ଵଳତା ନଥାଏ, ତେଣୁ କେବଳ ଖୁସୀ ହୋଇ ଆପଣାର ସ୍ଵାଭାବିକ ଜୀବନ ବଞ୍ଚୁଥିବା ମଣିଷ ହିଁ ସ୍ଵାଭାବିକ ଭାବରେ ଅନ୍ୟମାନଙ୍କ ସହିତ ସହଜରେ ମିଳିତ ହୋଇପାରେ, ମିତ୍ର ହୋଇପାରେ ।

 

୩ । ୩ । ୬୪

 

ବାଟ ଅନେକ ସରି ଆସିଲା, ହୁଏତ ଆହୁରି ଅନେକ ବାଟ ବାକୀ ମଧ୍ୟ ରହିଚି । କିନ୍ତୁ ତଥାପି ଆୟୁ ସରିଆସୁଚି ବୋଲି କେବେହେଲେ ମନରେ କୌଣସି ପ୍ରକାର ତ୍ରାସ ଜନ୍ମିନାହିଁ ବା ଅନାଗତ ଭବିଷ୍ୟତରୁ ଲାଭ ଓ କ୍ଷତିର ଶିରା କାଢ଼ିବାକୁ ଯାଇ କଦାପି କେତେବେଳେ ହେଲେ କୌଣସି ଭୟ ହୋଇନାହିଁ ଜୀବନରେ ଗତି ରହିଚି, ତଥାପି ଶାଶ୍ଵତତାର ଅନୁଭୂତି ମଧ୍ୟ ରହିଚି । ବୟସ ଓ ବିକାଶର ଗତି ସହିତ ଆଗକୁ ଚାଲୁଥିବା ସମୟରେ ପଛରେ କାହାକୁ ସବୁଦିନ ଲାଗି ଛାଡ଼ି ଆସିଲାପରି କେହେହେଲେ ମନେ ହୋଇନାହିଁ । ପଛ ମଧ୍ୟ ମୋ’ର ସାଙ୍ଗେ ସାଙ୍ଗେ ରହିଚି, ଜୀବନର ସକଳ ନବଜନ୍ମର କ୍ଷଣ ଏବେ ମଧ୍ୟ ମନେ ରହିଚି, ମୁଗ୍‌ଧ ହୋଇଥିବାର ସବୁ କ୍ଷେତ୍ରକୁ ପ୍ରାଣପ୍ରବାହରେ ଦୁଇତଟ ଯେପରି ଗୋଟିଏ ସଂଗତି ଭିତରେ ସମ୍ଭାରି ରଖିଚି । ସେଇଥିଲାଗି ଆଜି ଏ ବୁଢ଼ା ବୟସରେ ମଧ୍ୟ ମୁଗ୍‌ଧ ହେବାର ଅବାକ୍ ହେବାର ଓ ଲାଖି ରହିବାର ନିଶା ଯାଇନାହିଁ । ଆଜି ନିଜକୁ ଅନାଇ ଏହି କଥାଟି ହିଁ ମୋତେ ସବୁଠାରୁ ଅଧିକ ଗୌରବଜନକ ବୋଲି ମନେ ହେଉଚି । କେତେବେଳେ ମୁଁ ଆତୁର କ୍ଷତଗ୍ରସ୍ତ ଭାବରେ କୌଣସି କ୍ଷେତ୍ରରୁ ଦଉଡ଼ି ପଳାଇ ଆସିନାହିଁ । ନୀତିଶାସ୍ତ୍ରର ଶାସନ ମାନି କଦାପି ମୁଁ କାହାକୁ ସଙ୍ଗଲାଭ କରିବାର ରୀତି ଶିଖାଇ ଦେଇଚି ।

 

୪ । ୩ । ୬୪

 

ଭଲ ବା ଅନୁକୂଳ ପରିସ୍ଥିତି ଖୋଜି ବାହାରି ଦୁନିଆଟାଯାକ ବୁଲି ଆସିଲେ ମଧ୍ୟ କୋଉଠି ଶତକଡ଼ା ଶହେ ଭଲ ପରିସ୍ଥିତି ମିଳିବନାହିଁ । ତେଣୁ ଏକମାତ୍ର ପନ୍ଥା ହେଉଚି ଯେ, ଯିଏ ଯେଉଁଠି ରହିଚି ସେଇଠି ସେ ଆପଣାର ପରିସ୍ଥିତି ତିଆରି କରିନେବ । ଆପଣାର କ୍ଷେତ୍ର ତିଆରି କରିନେବ । ବିଶେଷତଃ ଏହି ଦେଶରେ ଯେଉଁଠାରେ କି ମାନବିକ ସୁସ୍ଥ ବିକାଶ ଲାଗି ଏପର୍ଯ୍ୟନ୍ତ ଅତ୍ୟାବଶ୍ୟକ ମୂଳଦୁଆ ମଧ୍ୟ ତିଆରି ହୋଇନାହିଁ, ସେଠି କେବେ ପରିସ୍ଥିତି ସମ୍ପୂର୍ଣ୍ଣ ଅନୁକୂଳ ହେବ ଓ ତା’ପରେ ଯାଇ ମୁଁ ମୋ’ର କାର୍ଯ୍ୟ ଆରମ୍ଭ କରିଚି ବୋଲି ଅପେକ୍ଷା କରି ରହିଥିବା ପର୍ଯ୍ୟନ୍ତ ତାହାଦ୍ୱାରା କେବଳ ମୋ’ ନିଜର ଆଳସ୍ୟଟାକୁ ହିଁ ପରିପୂର୍ଣ୍ଣ ପ୍ରଶ୍ରୟ ମିଳୁଥିବା । ସାଙ୍ଗରେ ମେଳରେ ଏଠି ସମସ୍ତେ ସିଧା ଯାଇ ପରିସ୍ଥିତିର ନିନ୍ଦା କରି ବସନ୍ତି, ଉପରେ ବସିଥିବା ବଡ଼ ଅଧ୍ୟକ୍ଷ ବା ପରିଚାଳକ ଯୋଗ୍ୟ ଭାବରେ ତା’ର କାମ କରୁନାହିଁ, ଉଚିତ ନେତୃତ୍ଵ ଦେଇ କାର୍ଯ୍ୟ କରିବାର ଉଚିତ ବାତାବରଣ ସୃଷ୍ଟି କରି ପାରୁନାହିଁ, ତେଣୁ ଆମେ କେହି କୌଣସି କାମ କରି ପାରୁନାହୁଁ ଓ ସେହି କାରଣରୁ ହିଁ ସବୁ ପଛେଇ ଯାଉଛି, ଏକଥା ମୁଁ ବେଳ ଅବେଳ ସବୁବେଳ ଶୁଣିବାକୁ ପାଇଥାଏ । ଏକଥା ଶୁଣିଶୁଣି କ୍ରମେ ଆପଣା ଉପରୁ ମଧ୍ୟ ବିଶ୍ଵାସ କମି ଯିବା ପରି ଲାଗେ, ଆପଣାର ବୁଦ୍ଧି ପ୍ରଖରତା ସେତିକିବେଳେ ଅଳସୁଆ ବସିବା ଲାଗି ନାନାପ୍ରକାର ଯୁକ୍ତି ବାଢ଼ିଦିଏ, ନାନାପ୍ରକାର rationalization କରେ; ବେଶ୍ ସାନ୍ତ୍ଵନା ମିଳେ, କିନ୍ତୁ ଆପଣାର ଭିତରେ ଶୂନ୍ୟତାଗୁଡ଼ାକ ଅଧିକ ଶୂନ୍ୟ ହୋଇଯାଏ, ଶିକ୍ଷକ ହେବାରେ ସବୁ ଶାଳୀନତା ସେତେବେଳେ ହଜି ଗଲାପରି ଲାଗେ, କୌଣସି କ୍ଷେତ୍ରରେ କୌଣସି ପରିବର୍ତ୍ତନ ଆଣିବାର ଅଧିକାର ହରାଇ ବସିଲା ପରି ଲାଗେ ।

 

୫ । ୩ । ୬୪

 

ଯେତେବେଳେ ଭୁଲ୍ କରେ, ସେତେବେଳେ କେବଳ ଶାନ୍ତ ହୋଇ ଆପଣା ଆଡ଼କୁ ଅନାଇ ରହିବାକୁ ଇଚ୍ଛା ହୁଏ କାହାକୁ ଆଘାତ ଦେଇ ବସେ, ସେତେବେଳେ ଆହତ ହରିଣୀଟି ପରି ଆପଣା ଘର ଭିତରେ ନୀରବ ହୋଇ ବସି ରହିବାକୁ ଇଚ୍ଛା ହୁଏ । ଭୁଲ୍‍ କରି ସଂସାରକୁ ଭୟ ଲାଗେ ନାହିଁ, ଲୋକଲାଜ ବା ଅପବାଦରୁ ବଞ୍ଚିବାର ମତଲବରେ କୁଆଡ଼େ ପଳାଇ ଯିବାକୁ ମନ ହୁଏନାହିଁ । ଜାଣେନା, ଏହାଦ୍ଵାରା ମୁଁ ଆପଣାର ବା ମୋ’ ସମାଜର କି କଲ୍ୟାଣ ବା ଅକଲ୍ୟାଣ କରେ । କିନ୍ତୁ କେବେହେଲେ ଭୁଲ୍‍ କରିପକାଇ ମୁଁ ଆପଣା ଉପରେ ପ୍ରତିହିଂସା ନେବାଲାଗି ଗର୍ଜନ କରି ଉଠେନାହିଁ । ଅନ୍ୟ କେହିଜଣେ ମୋ’ ପ୍ରତି କୌଣସି ଅନ୍ୟାୟ କଲେ ମୁଁ ଅନ୍ୟାୟର ପ୍ରତିବାଦ ବା ପ୍ରତିରୋଧ କରେ ପଛକେ, କିନ୍ତୁ ସେହି ଅନ୍ୟାୟ କରିଥିବା ଲୋକଟି ପ୍ରତି କୌଣସି ପ୍ରତିହିଂସାରେ ଜର୍ଜର ହୋଇ ମୁଁ କଦାପି ଅଧୀର ବା ଉଚ୍ଛନ୍ନ ହୋଇ ପଡ଼େନାହିଁ । ଜୀବନରେ ଅନେକ ଭୁଲ୍ କରି ଅନେକ ଭୁଲ୍‌ର ସମ୍ମୁଖୀନ ହୋଇ ସମ୍ଭବତଃ ଭୁଲ୍‍ ପ୍ରତି ଏହିପରି ଏକ ମନୋଦୃଷ୍ଟି ଜାତ ହୋଇଥାଏ । ପ୍ରଥମ ଅବସ୍ଥାରେ ଭୁଲ୍‌କୁ ଘୋଡ଼ାଇ ଦେବାକୁ ମନ ହୁଏ, ଭୁଲ୍‍ଠାରୁ ଦୂରକୁ ପଳାଇଯାଇ ରକ୍ଷା ପାଇବାକୁ ମନ ହୁଏ, ଭୁଲ୍ ଗୁଡ଼ାକୁ ନେଇ ସକଳ ଚତୁରତାର ସହିତ ଅନ୍ୟ କାହାଉପରେ ଲଦିଦେବାରେ ଇଚ୍ଛା ହୁଏ । କିନ୍ତୁ ଆପଣାକୁ ଆପଣାର ମିତ୍ର ବୋଲି ଗ୍ରହଣ କରି ପାରିଲେ ଓ ବିଶ୍ଵାସ ବଢ଼ିଲେ ଏହି ଆଚରଣ ଆପେ ଆପେ ଚାଲିଯାଏ ।

 

୬ । ୩ । ୬୪

 

ଅଳ୍ପ କେତେଦିନ ତଳେ ଜଣେ ପରିଚିତ ବନ୍ଧୁଙ୍କର ଦଶ ବରଷର ସାନ ପୁଅଟି ନାମରେ ଡାକରେ ମୁଁ ଖଣ୍ଡେ ଚିଠି ଦେଇଥିଲି । କାଲି ପିଲାଟିର ବାପା ଅର୍ଥାତ୍ ମୋ’ର ବନ୍ଧୁଙ୍କ ପାଖରୁ ସେହି ଚିଠି ଉତ୍ତର ପାଇଲି । ତାଙ୍କର ପୁଅ ଏହି ଚିଠି ପାଇ କେତେ ଅପରିସୀମ ଆନନ୍ଦ ଯେ ଲାଭ କରିଚି, ବନ୍ଧୁ ମୋତେ ପ୍ରଧାନତଃ ତାହାହିଁ ଜଣାଇ ଚିଠି ଖଣ୍ଡକ ଲେଖିଥିଲେ । ପିଲାଟି ଲାଗି କୁଆଡ଼େ ଏଇଠି ପ୍ରଥମ ଚିଠି, ଅର୍ଥାତ୍ ଆପଣା ନାମରେ ଡାକଦ୍ଵାରା ତା’ର ଜୀବନରେ ଏହି ପ୍ରଥମ ଚିଠି ପାଇଲା । ସେଥିଲାଗି ଅତି ଗର୍ବର ସହିତ ସେ ସମସ୍ତଙ୍କୁ ଚିଠି ଖଣ୍ଡିକ ନେଇ ପଢ଼ାଇଚି, ଅତି ଯତ୍ନର ସହିତ ସେ ଚିଠିଖଣ୍ଡକ ସାଇତି ମଧ୍ୟ ରଖିଚି । ଏହା ଅତି ସ୍ଵାଭାବିକ । ବାପାଙ୍କ ପାଖକୁ ଚିଠି ସିଧା ଦେଇଥିଲେ ମଧ୍ୟ ନିଶ୍ଚୟ ଚାଲିଥାନ୍ତା । ପିଲାଟି ପାଖକୁ ଦେଇଥିବା ଚିଠିରେ ମୁଁ ପ୍ରଧାନତଃ ବାପାଙ୍କ ପାଖକୁ ହିଁ କେତେକ ଖବର ପଠାଇଥିଲି । ସାଧାରଣତଃ ଆମେ ପିଲକୁ ଆମର ବୟସ୍କମନର ଆବଶ୍ୟକତା ଓ ଅନାବଶ୍ୟକତାର ମାନଦଣ୍ଡ ଦେଇ ବିଚାର କରୁଥାଉ । ଆମ ପିଲାର ଭଲ ଲାଗି ଆମେ ଚେଷ୍ଟା କରୁଚୁ ବୋଲି କହି ବା ଭାବି ଆମେ ତାକୁ କେବଳ ଆପଣାର ବୟସ୍କ ବିଚାର ଓ ବିବେକ ଅନୁସାରେ ଏଠି ସେଠିକୁ ନଚାଇବାରେ ଲାଗିଥାଉ । ପିଲା ଭିତରେ ଯେ ଗୋଟାଏ ମଣିଷ ବଡ଼ ହେଉଚି, ଅତ୍ୟନ୍ତ ସ୍ଵତନ୍ତ୍ର ଭାବରେ ତା’ର ମଧ୍ୟ ସେ ସ୍ଵୀକୃତ ଦେବାରେ ଓ ସ୍ଵୀକୃତି ପାଇବାର ଅର୍ଥାତ୍ ଭଲ ପାଇବାର ଓ ଅନ୍ୟଠୁଁ ସ୍ନେହ ପାଇବାର ଅଧିକାର ରହିଚି, ତାହା ଆମର ମନେ ରହେନାହିଁ ।

 

୭ । ୩ । ୬୪

 

ମୁଁ ଯାହାକୁ ଭଲ ବୋଲି କହେ, ପିଲା ଆଖି ବୁଜି ତାହାହିଁ କଲେ ପିଲା ମୋ’ ଆଖିରେ ଭଲ ପ୍ରମାଣିତ ହୁଏ । ବାଧ୍ୟ ପିଲା ଓ ଭଲ ପିଲା ଭିତରେ କୌଣସି ପ୍ରଭେଦ ଥାଇପାରେ ବୋଲି ହୁଏତ ମୁଁ କେବେ କଳ୍ପନା ମଧ୍ୟ କରି ପାରେନାହିଁ । ଆମ ସମାଜରେ ଓ ଆମ ସାଂସ୍କୃତିକ ସଂସ୍କାର ଅନୁସାରେ ଆମେ ଘରର ପିଲା ଯେପରି କେବଳ ବୟସ୍କମାନଙ୍କ ଲାଗି ହିଁ ଜୀବନ ବଞ୍ଚେ, କେବଳ ବୟସ୍କମାନଙ୍କର ନୀତିଧୃଷ୍ଟତା ଦ୍ଵାରା ସେ ନିୟନ୍ତ୍ରିତ ହେବାକୁ ଯେପରି ଏହି ସଂସାରକୁ ଆସିଥାଏ । ଏହା ଫଳରେ ଆଉ ଯାହା ହେଉ ବା ନହେଉ ନା କାହିଁକି, ପିଲାଟିଦିନରୁ ଆମ ଜୀବନ ପ୍ରବୃତ୍ତିର ମଞ୍ଚ ଭିତରେ ଏକ ପ୍ରକାର ବ୍ୟାଧିତ ନିର୍ଭରଶୀଳତା ଘର କରି ରହିବାକୁ ଆରମ୍ଭ କରେ,—ଆମର ବିଚାର, ଆମର ବିବେକ ଓ ଆମର ସମଗ୍ର ବିକାଶ ଯେପରି କେବଳ ବାହ୍ୟନିର୍ଦ୍ଦିଷ୍ଟ ହୋଇରହେ David Riesman ଯାହାକୁ ହୁଏତ other directed ବୋଲି କହି ପାରିବେ । ଏବଂ ଏପରି ଜୀବନରେ ପୁଣି ଆନନ୍ଦ କୁଆଡ଼ୁ ଆସିବ, adventure କୁଆଡ଼ୁ ଆସିବ, ସ୍ଵାଭାବିକ ଭାବରେ ଦେବା, ନେବା ବ ବୁଝିବାର ସମ୍ଭାବନା ବା କୁଆଡ଼ୁ ଆସିବ ?

 

୮ । ୩ । ୬୪

 

ବର୍ତ୍ତମାନ ଏ ଦେଶରେ ସମସ୍ତେ ଅପର ଅନେକଙ୍କର ଅସାଧୁତା ଓ ଶଠତାର ଟୀକା କରିବାରେ ଲାଗିଲେଣି । ଯେଉଁଠି ବସ, ଯେଉଁଠି ଘଡ଼ିଏ କାନ ଦେଇ ଶୁଣ, ସବୁଠିଁ କେବେଳ କିଏ କେଉଁଠି ତା’ର କର୍ତ୍ତବ୍ୟରେ ହାନି କଲା, କିଏ ଆପେ ପଇସା ବା ପଦ ପାଇବ ବୋଲି ନୀତିଭ୍ରଷ୍ଟ ହେଲା, କିଏ ଆପଣାର ଲୋକଙ୍କୁ ସୁବିଧା ଦେବାରେ ପାଞ୍ଚକର ଅଯୋଗ୍ୟ ଲୋକଙ୍କୁ ଯୋଗ୍ୟ ସ୍ଥାନରେ ବସାଇ ଆପଣା ଦାୟିତ୍ଵର ଅପଚୟ କଲା, ଏବେ ଏ ଦେଶରେ ଏହି କଥାହିଁ ଶୁଣିବାକୁ ମିଳୁଚି । ଏହିସବୁ କଥାର ଯେତେ ସତ୍ୟ ବା ଯେତେ ଗଭୀରତା ଥାଉ ପଛକେ, ଏତିକି ଅନ୍ତତଃ ସମସ୍ତେ ସ୍ଵୀକାର କରିବାକୁ ଆରମ୍ଭ କଲେଣି ଯେ, ଆମ ଦେଶରେ ଶଠତା ହିଁ ରାଜତ୍ଵ କରୁଚି, ଆମେ ଅସାଧୁ ବୋଲି ଆମର କୌଣସି ନିର୍ମାଣମୂଳକ ବା କଲ୍ୟାଣମୂଳକ ଯୋଜନା ଆଶାନୁରୂପ କାର୍ଯ୍ୟକାରୀ ହୋଇ ପାରୁନାହିଁ । ବଡ଼ କଥା କହି, ସୁସଜ୍ଜିତ ଶବ୍ଦର ଦ୍ଵାହି ଦେଇ ସତ୍ୟଟାକୁ ବା ଅପ୍ରିୟ ସ୍ଥିତିଟାକୁ ଘୋଡ଼ାଇ ରଖିବାର ଗତି ଗଲାଣି । ବ୍ୟାଧିତ ଜାତିର therapeutical processରେ ମୁଁ ଏହାକୁ ପ୍ରଥମ ପାଦ ବୋଲି କହିବି । ମୁଁ ନିଜେ ଏହି ଶଠତା ଓ ଅସାଧୁତାର ଆଚରଣ କରୁଚି, ମୋହରି ସହଯୋଗରେ ହିଁ ଦେଶରେ ଅସାଧୁତା ଓ ଅକଲ୍ୟାଣର ସର୍ବନାଶଶୀଳା ଚାଲିଚି, ଏହି ସ୍ୱୀକୃତିଟିକୁ ମୁଁ ଦ୍ଵିତୀୟ ପାଦ ବୋଲି କହିବି । ଏହି ପାଦଟି ଆସିବାକୁ ଆଉ ଖୁବ୍ ବେଶୀ ବିଳମ୍ବ ହେବନାହିଁ । ଏବଂ, ଜାତୀୟ ପରିବର୍ତ୍ତନର processରେ ଏହି ପାଦଟିକୁ ପ୍ରଥମ ବୋଲି କୁହାଯାଇପାରିବ, ଏହି ଅସଲ ପାଦରେ ଯାଇ ପହଞ୍ଚିବାକୁ ଅନେକ ଇଚ୍ଛା ଓ ଅନେକ ଅସନ୍ତୋଷ ଦରକାର ।

 

୯ । ୩ । ୬୪

 

ଯେଉଁ କ୍ଷେତ୍ରରେ ମୋତେ ପ୍ରଧାନତଃ ମଣିଷ ବୋଲି ସ୍ଵୀକାର କରାନଯାଇ ଜଣେ ଅଧିନସ୍ଥ କର୍ମଚାରୀ ବୋଲି ସ୍ଵୀକାର କରାଯାଉଚି ସେଠି ମୁଁ ମଧ୍ୟ କ୍ରମେ ଆପଣାକୁ ଜଣେ ମଣିଷ ବୋଲି ନଗଣି କେବଳ ଶହେ ବା ହଜାରେ କର୍ମଚାରୀଙ୍କ ଭିତରେ ଜଣେ କର୍ମଚାରୀ ବୋଲି ଗଣନା କରିବାର ପ୍ରମାଦ ରହିଚି । ଯିଏ ଆପଣାକୁ ପ୍ରଧାନତଃ ଜଣେ ମଣିଷ ବୋଲି ଦେଖେ, ଆପଣାକୁ ମଣିଷର ସମ୍ମାନ ଦିଏ, ସିଏ ଆପଣାକୁ ଖୁସୀ ହୋଇ ନାନା ନୂତନ ସମ୍ଭାବନାର ମାର୍ଗରେ ପ୍ରବୃତ୍ତି କରାଏ, ଆପଣା ଖୁସୀରେ ଆପଣା କ୍ଷେତ୍ରରେ ସମର୍ପଣ କରିଦିଏ, ଆପଣାର କର୍ମକୁ ମଧ୍ୟ ଆପଣା ବିକାଶର ଏକଅଙ୍ଗ ବୋଲି ଗ୍ରହଣ କରିନିଏ । କିନ୍ତୁ ଯେଉଁଠି ମଣିଷ ଆପଣାକୁ କେବଳ ଜଣେ କର୍ମଚାରୀ ବୋଲି ହିଁ ଦେଖେ, ସେଠାରେ ସେ କେବଳ ବାଧ୍ୟ ହୋଇ ଯେତିକି କରିବାକୁ କୁହାଯାଉଚି, ସେତିକି କରେ; —ଏକପ୍ରକାର ପ୍ରତିବାଦମୂଳକ ଆଳସ୍ୟ ବା ଉଦାସୀନତା ତା’ର ଜୀବନଚରଣର ମୂଳପ୍ରବୃତ୍ତି ହୋଇ ରହିଲା ପରି ରହେ । ଆପଣାର କର୍ମ ପ୍ରତି ବିରକ୍ତି ବଢ଼ିବ ସଙ୍ଗେ ସଙ୍ଗେ ଆପାଣାର ଜୀବନ ପ୍ରତି ମଧ୍ୟ ବିରକ୍ତି ବଢ଼େ । ଏବଂ ଗୋଟାଏ ପ୍ରକାର ଅଳସ cynicism ଦ୍ଵାରା ହିଁ ସେ ଆପଣାର ସକଳ ଜୀବନ-ଦୃଷ୍ଟିକୁ ପ୍ରତିଫଳିତ କରିବାକୁ ଯାଏ । ଆପଣାର ଦ୍ଵାରା ବନ୍ଦ କରି ରଖି ଆପଣାକୁ ହୀନ ମାନେ କରି ତାକୁ ଆଉ ଲାଜ ମାଡ଼େନାହିଁ, ଆଦୌ ଅସ୍ଵାଭାବିକ ମନେ ହୁଏନାହିଁ ।

 

୧୦ । ୩ । ୬୪

 

ଯେଉଁଠି ଥାଏ ପଛକେ, ମୁଁ ଆଉ ସ୍ଥାନର ନିନ୍ଦା କରିବିନାହିଁ । ଯେତେ ତଳେ ବା ଉପରେ ରହିଥାଏ ପଛକେ, ମୁଁ ଆପଣାକୁ ତଳ ବା ଉପର ସହିତ ତୁଳନା କରି ପ୍ରମତ୍ତ ହୋଇ ପଡ଼ିବି ନାହିଁ । ଆପଣା ମନ ଭିତରେ ଯେତେ ହତାଶ ହୋଇପଡ଼ିଥାଏ ପଛକେ, ଅପର ପାଞ୍ଚଜଣଙ୍କର ନିନ୍ଦା ବା ବ୍ୟଙ୍ଗ କରି ମୁଁ ଆପଣା ହତାଶାର ହୁତାଶନରୁ ଭିତରେ ଚାପି ରଖିବାର ଦୁର୍ବୁଦ୍ଧି କରିବି ନାହିଁ । ଯେତେପ୍ରକାରେ ବଞ୍ଚିତ ହେଲେ ମଧ୍ୟ ମୁଁ ଜୀବନକୁ ଭଲ ପାଇବି, ମୋ’ର କାମକୁ ଭଲପାଇବି, ମୋ’ର କ୍ଷେତ୍ରକୁ ଭଲ ପାଇବି । ବିଶ୍ଵାସର ସବୁ ସ୍ତମ୍ଭ ଭାଙ୍ଗି ପଡ଼ିଲାପରି ମନେ ହେଲେ ମଧ୍ୟ ମୁଁ ତଥାପି ମଣିଷ ଉପରେ ବିଶ୍ୱାସ କରିବି । ପାଷଣ୍ଡର ପାଷଣ୍ଡତା ଉପରେ ନୁହେଁ, ପାଷଣ୍ଡର ଅସ୍ଵୀକୃତ ଜୀବନ ଭିତରେ ବନ୍ଧା ହୋଇ ପଡ଼ିଥିବା ମନୁଷ୍ୟତା ଉପରେ ବିଶ୍ୱାସ ରଖିଥିବି । ମୁଁ ଜାଣେ, ଏପରି କରିପାରିବା ପାଇଁ ଅନେକ ସାହସ ଦରକାର, ଜୀବନପଥରେ ଅନେକ ଦୁଃସାହାସର ଆଗ୍ରହ ବ୍ୟତୀତ ଆଉ କିଛିହେଲେ ମାଗୁନାହିଁ । କିନ୍ତୁ ଏହାଠାରୁ ଆଉ ଅଧିକ ବଡ଼ ଯେ ଜୀବନ ଦେବତାଠାରୁ ଆଉ କ’ଣ ଇଚ୍ଛା କରାଯାଇପାରିବି, ମୁଁ ତାହା କଳ୍ପନା ମଧ୍ୟ କରିପାରୁନାହିଁ । ଏହି ମାଗିବାକୁ କଦାପି ଅଳସ ମାଗିବା ବୋଲି କୁହାଯାଇ ପାରିବନାହିଁ । କାରଣ, ଅନେକ ଦେବାଲାଗି ପ୍ରସ୍ତୁତ ହେଲେ ଯାଇ ଏତେବେଶୀ ମାଗିବାର ଅଧିକାର ଅର୍ଜ୍ଜନ କରାଯାଇପାରିବ । ଅନେକ ଯୋଗ୍ୟ ହୋଇ ପାରିଲେ ଏତେ ବଡ଼ ଦାବୀ କରିହେବ ।

Image